ହରିବଂଶ (ପ୍ରଥମ ଖଣ୍ଡ)

 

 

 

 

 

 

 

 

 

 

ହରିବଂଶ (ପ୍ରଥମ ଖଣ୍ଡ)

ମହାପୁରୁଷ ଅଚ୍ୟୁତାନନ୍ଦ ଦାସ

 

ସୂଚୀପତ୍ର

୧।

ବନ୍ଦନା

୨।

ମହାପ୍ରଳୟ ବର୍ଣ୍ଣନ

୩।

ସୃଷ୍ଟି ପ୍ରକରଣ

୪।

ବଂଶାନୁଚରିତ

୫।

ଚନ୍ଦ୍ରଜନ୍ମ

୬।

ଚନ୍ଦ୍ରଙ୍କର କଳଙ୍କ ଧାରଣ ବୃତ୍ତାନ୍ତ

୭।

ବୁଧର ବୃତ୍ତାନ୍ତ

୮।

କଂସର ଜନ୍ମ , ରାଜତ୍ଵ ପ୍ରାପ୍ତି ଓ ଗୋମତ ଋଷିଙ୍କର ଶାପ ଏବଂ ବଳି ବାମନ ଚରିତ

୯।

ଦେବକୀ ଓ ଦୈବକୀ ବିଭା

୧୦।

କଂସ ନାରଦଙ୍କ ମନ୍ତ୍ରଣା ଓ ଅଷ୍ଟମଲ୍ଲଙ୍କ ସଙ୍ଗେ କଂସର ଭେଟ

୧୧।

କଂସ ଓ ଅଷ୍ଟମଲ୍ଲଙ୍କ ଜନ୍ମ ବୃତ୍ତାନ୍ତ

୧୨।

ରକ୍ଷ ଭକ୍ଷ ଯୁଦ୍ଧ

୧୩।

କଂସର ରାଜ୍ୟାଭିଷେକ

୧୪।

କଂସର ଦିଗବିଜୟ ଓ ଦୃମିଳ ରାକ୍ଷସ ବଧ

୧୫।

ଦୃମିଳ ରାକ୍ଷସର ପୂର୍ବଜନ୍ମ ବୃତ୍ତାନ୍ତ ଓ ନହୁଷ ରାଜାର ଚରିତ

୧୬।

କଂସର ସସୈନ୍ୟେ ମଗଧ ଦେଶେ ଯାତ୍ରା, କେଶୀ ସହିତ ଜରାନ୍ଧର ଯୁଦ୍ଧ ଓ ବନ୍ଦୀ ଏବଂ ହେତି ପ୍ରହେତି ବିଭା

୧୭।

ସୌବାସ ନୃପତି ଓ ବାଣାସୁରର ପରାଜୟ ସ୍ଵୀକାର

୧୮।

କଂସର ଦକ୍ଷିଣ ଦିଗ୍‌ବିଜୟ, ତାରକାସୁରର ପରାସ୍ତ

୧୯।

କଂସର ସ୍ଵର୍ଗପୁର ଆକ୍ରମଣ ଓ ଦେବତାମାନଙ୍କର ସରସ୍ଵତୀ ସ୍ତୁତି

୨୦।

କଂସର ସପ୍ତସାଗର ଭ୍ରମଣ

୨୧।

କଂସ ସଙ୍ଗେ ନିବାତ କବଚର ଯୁଦ୍ଧ ଓ ପରାଜୟ

୨୨।

କଂସର ପୂର୍ବଦିଗେ ଯାତ୍ରା

୨୩।

କଂସର ନିଜ ରାଜ୍ୟରେ ପ୍ରବେଶ

୨୪।

କଂସର ରାଜତ୍ଵ ଓ ଦେବକୀର ପ୍ରଥମ ପୁତ୍ର ବଧ

୨୫।

ଦେବଗଣଙ୍କ ବନ୍ଦୀ

୨୬।

ଦେବଗଣଙ୍କ ବିଷ୍ଣୁପୁରେ ଗମନ

୨୭।

ଦେବଗଣଙ୍କର ବୈକୁଣ୍ଠେ ପ୍ରବେଶ ଓ ଶାରଦା ସ୍ତୁତି

୨୮।

ଶାରଦାଙ୍କ ପ୍ରସନ୍ନ ଓ ଦେବତାଙ୍କର ବିଷ୍ଣୁ ସ୍ତୁତି

୨୯।

ବିଷ୍ଣୁଙ୍କ ଛାମୁରେ ବସୁଧାର ଦୁଃଖ ନିବେଦନ

୩୦।

ମହା ବିଷ୍ଣୁଙ୍କର ଦେବଗଣଙ୍କୁ କୃଷ୍ଣ ଶୁକ୍ଲ ରୋମ ପ୍ରଦାନ

 

ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ।

ଦେବୀଂ ସରସ୍ଵତୀଂ ବ୍ୟାସଂ ତତୋଜୟ ମୃଦୀରୟେତ୍ ।

ଯଂ ବ୍ରହ୍ମାବରୁଣେନ୍ଦ୍ର ରୁଦ୍ରମରୁତଃ ସ୍ତୁନ୍ଵନ୍ତି ଦିବ୍ୟେ ସ୍ତବୈ

ର୍ବେଦୈଃ ସାଙ୍ଗପଦତ୍ରମୋପନିଷଦୈର୍ଗାୟନ୍ତି ଯଂ ସାମଗାଃ ।

ଧ୍ୟାନାବସ୍ଥିତିତଦ୍‌ଗତେନ ମନସା ପଶ୍ୟନ୍ତି ଯଂ ଯୋଗିନୋ ।

ଯସ୍ୟାନ୍ତଂ ନ ବିଦୁଃ ସୁରାସୁରଗଣାଃ ଦେବାୟ ତସ୍ମୈ ନମଃ ।।

ବ୍ୟାସଂ ବଶିଷ୍ଠନପ୍ତାରଂ ଶକ୍ତେଃ ପୌତ୍ରମକଳ୍ମଷଂ

ପରଶରାତ୍ମଜଂ ବନ୍ଦେ ଶୁକତାତଂ ତପୋନିଧିଂ ।।

ତତୈବ ଗଙ୍ଗା ଯମୁନା ଚ ତତ୍ର ଗୋଦାବରୀ ତତ୍ର ସରସ୍ଵତୀ ଚ ।

ସର୍ବାଣି ତୀର୍ଥାନି ବସନ୍ତି ତତ୍ର ଯତ୍ରାଚ୍ୟୂତୋଦାରକଥା ପ୍ରସଙ୍ଗଃ ।

ବେଦେ ରାମାୟଣେ ଚୈବ ପୁରାଣେ ଭାରତେ ତଥା ।

ଆଦୌ ଚାନ୍ତେ ଚ ମଧ୍ୟେ ଚ ହରିଃ ସର୍ବତ୍ର ଗୀୟତେ ।।

 

ବନ୍ଦନା

ବନ୍ଦଇ ଶ୍ରୀ ଗଣପତି ସୁଧାକାରଧାରୀ

ସକଳ ବିଦ୍ୟାର ତୁମ୍ଭେ ଅଟ ଅଧିକାରୀ ।

ଅରୁଣ ବର୍ଣ୍ଣ ତୁମ୍ଭର ଶୋଭା ଗଜଶିର

ମନୋରଥ ଆସନ ତୋ ବାହନ ଇନ୍ଦୂର ।

କୁଞ୍ଜର ବଦନ ତୋର ମନୁଷ୍ୟର କାୟା

ଅଗୋଚର ବୁଦ୍ଧି ତୋର ବିଶ୍ଵକୂଟ ମାୟା ।

ତୋର ବୁଦ୍ଧିରେ ତ୍ରିପୁର ଦୈତ୍ୟ ଗଲା ନାଶ

ତେଣୁ ସୁସ୍ଥ ହୋଇଲା ଏ ସଂସାର ତ୍ରିଦଶ ।

ଦେବଙ୍କ ଉପରେ ଦେବ ଅଟୁ ତୁହି ସ୍ଵାମୀ

ପୂଜନ୍ତି ସଚରାଚର ତୋ ଚରଣେ ନମି ।

ଅନାଦି ସ୍ଵୟମ୍ଭୁ ଲିଙ୍ଗ ଈଶ ତୋର ପିତା

ପରମ ଯୋଗାଧିଶ୍ଵରୀ ପାର୍ବତୀ ତୋ ମାତା ।

ପରଶୁ ଅଙ୍କୁଶ କରେ ଶୋହେ ଭଗ୍ନଦନ୍ତ

ନିରାକାର ପୁରୁଷ ତୋ ନାହିଁ ଆଦିଅନ୍ତ ।

ବେଦଶାସ୍ତ୍ରେ ପରିପୂର୍ଣ୍ଣ ଅଟେ ତୋର ଦେହୀ

ଜଗତଜନ ସୋଦର ଭକ୍ତ ଭାବଗ୍ରାହୀ ।

 

ନବ ନାଟକ ଆଦି ଯେ ବିଦ୍ୟା ଭିନ୍ନ ଭିନ୍ନ

ଧ୍ୟାନେ ଚିନ୍ତନ୍ତି ଯାହାକୁ ସଦା ଯୋଗୀଜନ ।

ତୁମ୍ଭେ ଯେ ଅନନ୍ତକୋଟି ବ୍ରହ୍ମାଣ୍ତକାରେଣୀ

ଯୋଗାଧିରୂଢ଼ ପୁରୁଷ ପରଂବ୍ରହ୍ମ ସ୍ଵାମୀ ।

ଅନନ୍ତ ନାଗଶୋଭିତ ତୁମ୍ଭ ଜଟାଭାଗେ

ପରମାନନ୍ଦ ପୁରୁଷ ମନ ତୋର ଯୋଗେ ।

ଏ ଜଗତ ମଧ୍ୟେ ତୁହି ଅଟୁ ଦେବଶ୍ରେଷ୍ଠ

ଦେବ ଦେବାଙ୍ଗ ବିଦ୍ୟାରେ ଅଟୁ ତୁ ଗରିଷ୍ଠ ।

ଅନାଥଜନବାନ୍ଧବ ଜଗତ ତାରଣ

ମହାବିଘ୍ନମାନଙ୍କର ଅଟୁ ବିନାଶନ ।

ତେଣୁ ବିଘ୍ନରାଜ ନାମ ଅଟଇ ତୋହର

ଏ ମାୟାସଂସାରୁ ପ୍ରଭୁ ମୋତେ ତୁ ଉଦ୍ଧର ।

ଏ ଘୋର ସଂସାରେ ପଡ଼ି ହେଉଛି ମୁଁ ବଣା

ତେଣୁ ବିଘ୍ନରାଜା ପାଦପଦ୍ମ କଲି ଠଣା ।

ବିସ୍ତୁର ମଣି ମାଣିକ୍ୟ ହୃଦକୁ ତୋ ଶୋଭା

ବର୍ତ୍ତୁଳ ଗଜମୁକୁତା ହାର ମନଲୋଭା ।

ନବରତନ ମେଖଳା ଘାଗୁଡ଼ି ଯେ ସାଜେ

ଧୀରେ ଧୀରେ ଗମନ୍ତେ ସେ ରୁଣୁଝୁଣୀ ବାଜେ ।

ପୃଥୁଳ ସୁନ୍ଦର କଳେବର ହରବଳା

ବୁଦ୍ଧିମନ୍ତ ଗୁଣବନ୍ତ ତେଜ ଅର୍ନଗଳା ।

ଜମ୍ଵୁନଦ କଙ୍କଣ ତୋ ଶୋହେ ବେନିହସ୍ତେ

ଜନମ ମରଣ ବାଧା ନ ଲାଗଇ ତୋତେ ।

ସୁଜାଣ ଅତି ପଣ୍ତିତ ଅଟନ୍ତି ଯେ ପ୍ରାଣୀ

ତୋ ପାଦ ପୂଜା କରନ୍ତି ଶୁଭବେଳା ଜାଣି ।

ଧର୍ମ ଅର୍ଥ କାମ ମୋକ୍ଷ ଯାର ଯେବା ବିଧି

ମନୋବାଞ୍ଛା ପୂର୍ଣ୍ଣ କରୁ କାର୍ଯ୍ୟ ହୁଏ ସିଦ୍ଧି ।

ପୂର୍ବରେ ତୁମ୍ଭଙ୍କୁ ପୂଜା କଲେକ ବିରଞ୍ଚି

ତହୁଁ ସେହି ପରମେଷ୍ଠି ଜନ ଜନ୍ତୁ ସଞ୍ଚି ।

ତୁମ୍ଭଙ୍କୁ ପୂର୍ବରେ ପୂଜା କଲେ ମାରକଣ୍ତ

ଜାଣିଲେ ପ୍ରଳୟ ଖଣ୍ତ ଖଣ୍ତି ଯମଦଣ୍ତ ।

ତୁମ୍ଭଙ୍କୁ ପୂର୍ବରେ ସେବା କଲେ ସୁରପତି

ସ୍ଵର୍ଗେ ଇନ୍ଦ୍ରପଦ ପାଇ ହେଲେ ଶଚୀପତି ।

ଦିଗପାଳ ବରୁଣ ଯେ କଲେ ତୁମ୍ଭ ପୂଜା

ସପତ ବାରିନିଧିରେ ହେଲେ ମହାରାଜା ।

ତୁମ୍ଭଙ୍କୁ ଭକ୍ତି ପୂର୍ବେ କଲେକ କୁବେର

ଅଷ୍ଟନିଧିରେ ରହିଲା ତାଙ୍କ ଅଧିକାର ।

ଶୁକ ସନକ ବ୍ୟାସେ ଯେ ଜନକ ବଶିଷ୍ଠ

ତୁମ୍ଭ ସେବାରେ ଖଣ୍ଡିଲେ ସକଳ ଅରିଷ୍ଟ ।

ମାନବ ହୋଇ ଯେ ସେବା କରନ୍ତି ତୁମ୍ଭଙ୍କୁ

ଜୀବ ଥିବାଯାଏ ଲକ୍ଷ୍ମୀ ନ ଛାଡ଼ଇ ତାଙ୍କୁ ।

ଅଷ୍ଟ ଅଇଶ୍ଵର୍ଯ୍ୟ ନାଥ ତୁମ୍ଭେ ଦେଇପାର

ସଂସାରକରତା ନାଥ ମହିମା ଅପାର ।

ତୁମ୍ଭେ ତ ଅନାଦି ନାଥ ତୁମ୍ଭେ ଅଟ ଆଦି

ଜଳ ସ୍ଥଳ ଅନଳକୁ ତୁମ୍ଭେ ପାର ଭେଦି ।

ତୁମ୍ଭ ମହିମା ଅନନ୍ତ ତାର ଅନ୍ତ ନାହିଁ

ମୁଁ କିସ କହିବି ନାଥ ନରଦେହ ବହି ।

ତୁମ୍ଭେ ଦେବ ଲମ୍ଵୋଦର ସକଳ କାରେଣୀ

ଅନୁଗ୍ରହ କର ମୋତେ ବିଜ୍ଞଶିରୋମଣି ।

ତବ ପାଦପଦ୍ମେ ନିତ୍ୟ ଲାଗୁ ମୋର ସେବା

ଧନଦ୍ରବ୍ୟ ବିଦ୍ୟା ବର ଯାଚି ମୋତେ ଦେବା ।

ସେବା କରିବା ଭାଜନ ନୁହେ ମୁହିଁ କିଛି

ତୁମ୍ଭ ନାମଗୋଟି ହୃଦମଧ୍ୟେ ଭାବୁଅଛି ।

ହରିବଂଶ ପୁରାଣ ମୋ କହିବାକୁ ଇଚ୍ଛା

ଆହେ ଗଣନାଥ ଦିଅ ପ୍ରସନ୍ନେ ଏ ଦୀକ୍ଷା ।

ତେବେ ମୋର ବାଞ୍ଛା ପ୍ରଭୁ ହୋଇଯିବ ସିଦ୍ଧି

ମୋହର କଣ୍ଠେ ବସିଣ କହିଦିଅ ବୁଦ୍ଧି ।

ତୁମ୍ଭରି ପ୍ରସନ୍ନେ ନାଥ କହି ଦିବ୍ୟବାଣୀ

ମହାପାତକ ବିନାଶ ହେବ ତାହା ଶୁଣି ।

ତୁମ୍ଭେ ସ୍ଵାମୀ ଜାଣ ମୋର ଗତଜନ୍ମ କଥା

ମାନବ ଜନ୍ମ ଲଭି ମୁଁ ପାଇଲି ଅବସ୍ଥା ।

ବିଷୟାଦ୍ଵନ୍ଦେ ପଡ଼ି ମୁଁ ପାଇଲଇଁ ଦୁଃଖ

ଶାପରୁ ତାରଣ ମୋତେ କର ଗଜମୁଖ ।

ହରିବଂଶ ଲେଖିବି ମୁଁ ପୂର୍ବେ ଯା ବଖାଣି

ସାନୁଗ୍ରହେ ଆଜ୍ଞା ମୋତେ ଦେବା ପାଶପାଣି ।

ଭକ୍ତଜନ ଉଦ୍ଧାରନ୍ତା ସ୍ଵାମୀ ଚିନ୍ତାମଣି

ଲାଭ ହାନି କର୍ତ୍ତା ନାଥ ଦେବଙ୍କ ଅଗ୍ରଣୀ ।

ଭକ୍ତ ଜନଙ୍କର ନାଥ ଅଟୁ ପ୍ରାଣନାହା

ପ୍ରସନ୍ନେ ପୂରଣ କର କଲି ବାଞ୍ଛା ଯାହା ।

ଜୟ ସର୍ବ ମଙ୍ଗଳା ଗୋ ଅଟୁ ମାୟାରୂପୀ

ଅନନ୍ତ କୋଟି ବ୍ରହ୍ମାଣ୍ତଯାକ ଅଛୁ ବ୍ୟାପି ।

ଯେଉଁ ନାମ ସୁମରନ୍ତେ ହୁଏ ବାଞ୍ଛା ସିଦ୍ଧି

ସୁନ୍ଦର ଶ୍ୟାମଳବର୍ଣ୍ଣ ଭାବନାର ନିଧି ।

ଶୁଦ୍ଧ କର୍ମଦାନୀ ତୁ ଗୋ ଶୁଦ୍ଧ ତୋର କାୟା

ଅଖିଳ ବ୍ରହ୍ମାଣ୍ତ ମଧ୍ୟେ ଖେଳେ ତୋର ମାୟା ।

ସ୍ଥାବର ଜଙ୍ଗମ ମୂଳେ କୀଟାଦି ପତଙ୍ଗ

ଅବିକାର ବ୍ରହ୍ମ ତୁ ଗୋ ସକଳ ତୋ ଅଙ୍ଗ ।

ପୃଥ୍ଵୀ ଆପ ତେଜ ବାୟୁ ଆବର ଆକାଶ

ଏ ପଞ୍ଚଭୂତ ତୋ ଦେହୁଁ ହୁଅନ୍ତି ପ୍ରକାଶ ।

ସ୍ଵେଦଜ ଅଣ୍ତଜ ଆଦି ପ୍ରାଣୀ ଚାରିଖାନି

ପଞ୍ଚଭୂତ ସଂଯୋଗରେ ରଚିଲୁ ଗୋ ପୁଣି ।

ପଞ୍ଚରୂପୀ ପିତା ତୁ ଗୋ ମାତା ରଜୋରୂପୀ

ଦିବସରେ ଜ୍ୟୋତି ତୁ ଗୋରାତ୍ରେ ତମୋରୂପୀ ।

ଅସୁରଙ୍କ ଗର୍ବ ତୁ ଗୋ ଆପଣେ ନିବାରୁ

ପ୍ରକୃତି ରୂପରେ ତୁ ଗୋ ନାନା ରୂପ ଧରୁ ।

ଜୟ ଜୟ ହରି ତବ ଅଗୋଚର ବୁଦ୍ଧି

ମୂଳମନ୍ତ୍ର ଆଦ୍ୟେ ତୁମ୍ଭ ନାମ ମହୌଷଧି ।

ଅକଳିତ ମାୟା ତବ କଳନା ନୁହଇ

ଅବ୍ୟାହତ ଅଣାକାର ଅଟେ ତୁମ୍ଭ ଦେହୀ ।

ଋକ ଯଜୁ ସାମାଥର୍ବ ଏହି ଚାରି ବେଦ

ଓଁ କାର ସୁଷୁମ୍ନା ଜୀବ ପରମର ଭେଦ ।

ବ୍ରହ୍ମବିଦ୍ୟା ଅଜପା ତୁ ଜପା ଯୋଗମୟ

ବେଦ ମଧ୍ୟରେ ଓଁ କାର ଅଟେ ତୋର କାୟ ।

ରୂପ ରେଖ ଆଦି ବର୍ଣ୍ଣ ତୋହର ତ ନାହିଁ

ଅବତାର ମହୀଭାର ଉଦ୍ଧାରିବା ପାଇଁ ।

ନାମ ବହିଲେ ଅବଶ୍ୟ ରୂପେକ ପ୍ରକାଶ

ରୂପ ବହିଲେ ଅବଶ୍ୟ ହେବ ଯାଇ ନାଶ ।

ତୁହି ପ୍ରଭୁ ଆଣାକାର ରୂପ ଆପେ ଧରୁ

ସଂସାର କଳ୍ପନା କରି ଆତଯାତ କରୁ ।

ବ୍ରହ୍ମା ରୁଦ୍ର ଇନ୍ଦ୍ର ଆଦି ଦେବ କୋଟି କୋଟି

ଭୂଲୋକ ସ୍ଵର୍ଲୋକ ଆଦି ତୁହି କରୁ ସୃଷ୍ଟି ।

ପଞ୍ଚାଶ ଅକ୍ଷର ପୁଣି ମାତ୍ରା ବାରଗୋଟି

ଶାସ୍ତ୍ର ମୂଳଭିତ୍ତି ରୂପେ କରିଅଛୁ ସୃଷ୍ଟି ।

ଚାରି ବେଦ ଷଡ଼ ଶାସ୍ତ୍ର ପୁଣି ବ୍ୟାକରଣ

କରୁ ତୁ ଜ୍ୟୋତିଷ ଗ୍ରନ୍ଥ ସକଳ ପୁରାଣ ।

ଜ୍ୟୋତିଙ୍କର ଜ୍ୟୋତି ତୁମ୍ଭେ ଅଭାବର ଭାବ

ପ୍ରାଣୀଙ୍କର ପ୍ରାଣରୂପେ ସଂସାରେ ସମ୍ଭବ ।

ଅନୁଭବ ନାଥ ଆପେ କରୁ ସର୍ବସିଦ୍ଧି

ଏଥୁ ବାହାରି ନ ଯାଏ ତୋର ମନ ବୁଦ୍ଧି ।

ସକଳ ପ୍ରାଣୀଙ୍କୁ ପ୍ରଭୁ ହେଲେ ନିର୍ଭାକଲ

ଅଣାକାର ହୋଇ ତୁମ୍ଭେ ଜଗତେ ରହିଲ ।

ତୋହର ମହିମା ନାଥ ଜାଣୁ ସିନା ତୁହି

ରୁଦ୍ର ବ୍ରହ୍ମା ଆଦିକରି ନ ଜାଣନ୍ତି କେହି ।

ଅନେକ ମୁରତି ତୁମ୍ଭେ ଏ ସଂସାରେ ଧର

ପ୍ରକୃତି ଭେଦେ ପ୍ରାଣିଙ୍କି ଭିନ୍ନ ଭିନ୍ନ କର ।

ତୁମ୍ଭଠାରୁ ଏ ସଂସାରେ ନାହିଁ ଭିନ୍ନ କାୟା

କୀଟଠାରୁ ବ୍ରହ୍ମଯାଏ ସବୁ ତୁମ୍ଭ ମାୟା ।

ଇନ୍ଦ୍ର ଆଦି ମହୀଧର ବାସୁକୀ ଦେବତା

ତେତ୍ରିଶ କୋଟି ରୂପେ ତୁ ଜଗତ କରତା ।

କିଞ୍ଚିତ ମାତ୍ର ତୁମ୍ଭଙ୍କୁ ନ ପାରିଲେ ଜାଣି

ମୋହପରି ଅକିଞ୍ଚନ ପାରିବ କି ଜାଣି ।

ଅନେକ ବୟସ ଗଲା ଚଞ୍ଚଳ ମୋ ମତି

କିଛି ନ ଜାଣିଲି ପାଠଶାଠ ବିଦ୍ୟାରୀତି ।

ନ ପଢ଼ିଲି କାବ୍ୟ ଶାସ୍ତ୍ର ନ ଜାଣେ ପୁରାଣ

ଜନ୍ମାନ୍ତର ବିଦ୍ୟା ମାତ୍ର ହୋଇଲା ସ୍ମରଣ ।

ସୁଜନ ଗୋଷ୍ଠିରେ ସଙ୍ଗ ନାହିଁ ମୋର ଜାଣ

ମାନବ ଯୋନିରେ ପୁଣି ଲଭିଛି ଜନମ ।

ପୂର୍ବଜନ୍ମ ହେତୁ ମୋତେ ହେଲା ଯହୁଁ ଦୃଶ୍ୟ

ତେଣୁ ଗ୍ରନ୍ଥ କରିବାକୁ ବଳିଲା ସାହସ ।

ସିଦ୍ଧ ବାକ୍ୟ ଶୁଣିବାରୁ ବଳିଲା ଶରଧା

ପ୍ରଭୁ ଦୟା କଲେ ମୋର ଘୁଞ୍ଚିଯିବ ବାଧା ।

ଗୁରୁଜନମାନଙ୍କର ଚରଣେ ମୋ ସେବା

ପଦ ଯତି ହୁଡ଼ିଲେ ମୋ ଦୋଷ ନ ଧରିବା ।

ଅଗାଧ ସମୁଦ୍ରେ ମୁହିଁ ଲୋଡ଼ୁ ଅଛି ଝାସି

କେତେ କଥା ଦୃଶ୍ୟ ମୋତେ ହେଉଥିବ ଆସି ।

ପଦ ପଦକେ ଅମୃତ ହୁଏ ଦିବ୍ୟ ବାଣୀ

ପଣ୍ତିତ ଲୋକଙ୍କଠାରୁ ଯାହା ଅଛି ଶୁଣି ।

ଦେବନନ୍ଦିନୀ ଶାରଦା ଦେବୀ ମହାମାୟା

ସେହି ଯେବେ ମୋତେ କିଛି କରିବେ ସୁଦୟା ।

ବିଷ୍ଣୁର ବଲ୍ଲଭୀ ତୁ ଗୋ ଅଟୁ ମାହେଶ୍ଵରୀ

ସକଳ ବିଦ୍ୟାରେ ତୁହି ଅଟୁ ଅଧିକାରୀ ।

କାବ୍ୟ ଯେ ନାଟକ ନ୍ୟାୟ ଶାସ୍ତ୍ର ବିଦ୍ୟମାନ

ବେଦ ବେଦାଙ୍ଗ ରଚନା ଆଦି ଯେତେ ଜାଣ ।

ପୁରାଣ ଆବର ନାନା ଶାସ୍ତ୍ର ଜଉତିଷ

ଆଗମ ନିଗମ ତନ୍ତ୍ର ମନ୍ତ୍ରହିଁ ଅଭ୍ୟାସ ।

ଯେପରି ହୋଇବ ଏହି ବିଦ୍ୟାମାନ ସାଧି

କର ଅନୁଗ୍ରହ ମୋତେ କୃପାଜଳ ନିଧି ।

ବୀଣାଯନ୍ତ୍ର ଆଦି ବାଦ୍ୟ ଶୋଭିତ ତୋ କରେ

ଧ୍ଵନି କରନ୍ତି ଗାନ୍ଧାରରାଗେ ଦିବ୍ୟସ୍ଵରେ ।

ଫରହର ଅଙ୍ଗେ ରଙ୍ଗେ ମୋହୁ ମହାମାୟା

ବିଦ୍ୟାଦାନ କର ମାତ କରି ମୋତେ ଦୟା ।

ଧବଳ ଅଙ୍ଗେ ଶୋଭିତ ଚାରୁ କୃଷ୍ଣ କେଶ

ନାନା କୁସୁମେ ମଣ୍ତିତ ଗଭା ଚଉପାଶ ।

ଚାଚର ଶୋଭିତ କେଶେ ଧନ୍ୟ ତୋ କବରୀ

ସିଦ୍ଧ ଅଣାକାର କାୟା ଅଟ ମାହେଶ୍ଵରୀ ।

ବିଷ୍ଣୁ ଦେବ ପ୍ରଭୁଙ୍କର ଅଟୁ ତୁ ଗୋ ଜାୟା

ଧବଳୀଅଙ୍ଗୀ ଜନନୀ ସର୍ବଦା ନିର୍ମାୟା ।

ମୋହାର ମାଗୁଣି ମାଗୋ ଏତିକି ତୋ ପାୟେ

ସୁପ୍ରସନ୍ନ ବର ମୋତେ ଦିଅ ମହାମାୟେ ।

ମୋହର କଣ୍ଠେ ବସିଣ ପଦ ଦିଅ କହି

ଭାଷା ପ୍ରବନ୍ଧେ ରଚିବି ହରିବଂଶ ମୁହିଁ ।

ତୁମ୍ଭେ ସୁପ୍ରସନ୍ନ ଯେବେ ହେବ ଜଗଦ୍ଧାତ୍ରୀ

ସବୁ ବାଧା ଚାଲିଯିବ ଲଭିବ ସୁଖ୍ୟାତି ।

ଘୋର ଅନ୍ଧାର ସଂସାର ମାୟାମୋହେ ବଦ୍ଧ

ନିରତେ ପାପ କରନ୍ତି ପ୍ରାଣୀମାନେ ମନ୍ଦ ।

ଅପବାଦ ଅହଙ୍କାର ହିଂସା ମନ୍ଦକର୍ମ

ନିୟତ କରନ୍ତି ଜନେ ଭୁଲି ସାର ଧର୍ମ ।

ତୁମ୍ଭେ ପ୍ରସନ୍ନ ହୋଇଲେ ବରୁଣର ଜେମା

କହିବି ମୁଁ ହରିବଂଶ ପୁରାଣ ମହିମା ।

କ୍ଲେଶ ଖଣ୍ତି ଯଶ ଶିରୀ ଦିଅ ସଦଗତି

ଦୟା କରି ଖଣ୍ତ ମୋର ଏ ଭବ ଦୁର୍ଗତି ।

ମାନବ ଜନମ ମୁଁ ତ ଛାଡ଼ି ନ ପାରଇ

ତେଣୁ ଏମାନ ମୁଁ ତୋତେ କହୁଛି ବୁଝାଇ ।

ଯେ ଅବା ପଣ୍ତିତ ବିଜ୍ଞ ପୁଣି ଭାଗ୍ୟବନ୍ତ

ମୋହରେ ଜଡ଼ିତ ବୋଲି ଜାଣନ୍ତି ଜଗତ ।

ଅକର୍ମ ସୁକର୍ମ ପାପ ପୁଣ୍ୟ ମୁଁ ଜାଣିଲି

ସଂସାର ଅନିତ୍ୟ ବୋଲି ତେଣୁ ମୁଁ ମଣିଲି ।

ଜାଣିଲି ନାମର ବଳେ ଯାଏ ପାପରାଶି

ପାଇଲି ପରମ ଗତି ହରିନାମ ଘୋଷି ।

ଜ୍ଞାନୀଏ ଜାଣନ୍ତି ସିନା ଏଥିର ଯେ ସିନ୍ଧି

ବିଷୟ ବନ୍ଧନେ ସେହି କେବେନୋହେ ବନ୍ଦୀ ।

ସୁଜ୍ଞଜନମାନଙ୍କର ଅଟେ ମୁହିଁ ଦାସ

ବାଳକମତି ମୋହର ନ ଘେନିମା ଦୋଷ ।

ଜାଣି ନ ଜାଣି କହିବି ମୁହିଁ ହରିବାଣୀ

ଅନେକ ଜନ୍ମ ପାତକ ଦଗ୍‌ଧ ହେବ ଶୁଣି ।

ବିଷ୍ଣୁର ଚରିତ ଅବା କେ କହି ପାରିବ

ଭୁଜ ପରାକ୍ରମେ କେବା ସମୁଦ୍ର ତରିବ ।

ଅକଳିତ ମହିମା ଏ ହରିବଂଶ ବାଣୀ

ସୁରାସୁରେ ନ ପାରନ୍ତି ସମ୍ପୂର୍ଣ୍ଣ ବଖାଣି ।

ତାହା କହିବାକୁ ମୋର ବଳିଲା ମନୀଷା

ଚଞ୍ଚଳ ଚିତ୍ତରେ ମୁହିଁ କରିଛି ଭରସା ।

ଅଟନ୍ତି ଯେ ଭାଗ୍ୟବନ୍ତ ପୁଣ୍ୟବନ୍ତ ପ୍ରାଣୀ

ମୁକତି ବାଟ ଫିଟିବ ହରିବଂଶ ଶୁଣି ।

ଯୁକତେ ହରିର ନାମ ପାପ କରେ କ୍ଷୟ

ଯମଦଣ୍ତ ବାଧାକୁ ନ ଥିବ ଆଉ ଭୟ ।

ଅନନ୍ତ କୋଟି ବ୍ରହ୍ମାଣ୍ତେ ଯେତେ ଛନ୍ତି ଅବା

ବିଷ୍ଣୁଙ୍କର ପଦାମ୍ଵୁଜେ କରି ସର୍ବେ ସେବା ।

ସବୁର ଜୀବତ୍ମା ସେହି ଶ୍ରୀହରି ଅଟଇ

ହରି ନିର୍ଦ୍ବନ୍ଦ୍ଵେ ସବୁରି ହୃଦୟରେ ଥାଇ ।

ହରିନାମରେ ପ୍ରାଣୀର ଦୁର୍ଗତି ତୁଟଇ

ହରି ନାମ ସୁମରିଲେ ଯମ ନ ଭେଟଇ ।

ହରି ଏକା ନିର୍ଦ୍ଵନ୍ଦ୍ଵ ଯେ ସବୁ ଅଟେ ଦ୍ଵନ୍ଦ୍ଵ

ତାକୁ ଆଶ୍ରା କଲା ପ୍ରାଣୀ ଛେଦେ କୂଟ ଛନ୍ଦ ।

ଅବିଦ୍ୟା ବିଦ୍ୟାକୁ କରିଅଛି ଯେ ସଂସାରେ

ହରିନାମ ବିନା ସେହି ସଂସାରୁ ନ ତରେ ।

ସଂସାରରେ ହରି ନାମଗୋଟି ସାରସ୍ଵତ

ହରି ଏହି ସଂସାରର ଅଟେ ତାତ ମାତ ।

ଦେବଙ୍କ ଉପରେ ଦେବ ଅଧିଦେବ ହରି

ଯାଗ ଯଜ୍ଞ ପ୍ରଭୃତିରେ ଆଗ ତାଙ୍କୁ ବରି ।

ସକଳ ପାପ ପୁଣ୍ୟକୁ ହରି ଅଟେ ସାକ୍ଷୀ

ହରିର ନାମ ଜପଇ କପୋତ ଯେ ପକ୍ଷୀ ।

ସେ ନାମ ଜପିଲେ ପ୍ରାଣି ତରିବେ ସଂସାରୁ

ଏହି ହରିବଂଶ ହରିନାମ କଳ୍ପତରୁ ।

କର୍ମଫଳ ଅନୁକ୍ରମେ ହରେ ପାପ ବ୍ୟାଧି

ଏହି ସଂସାରକୁ ହରିନାମ ମହୌଷଧି ।

କୁବୁଦ୍ଧି ଅହନ୍ତା ମନ୍ଦପଣ ପାପକର୍ମ

ଏହା ଯେ ଆଚରଣନ୍ତି ସେ କରନ୍ତି ଅଧର୍ମ ।

ଘୋର ଅନ୍ଧାର ତିମିର ଜାଣ ମହାଗରୁ

ହରି ନାମଗୋଟି ଅଟେ ତହିଁ କଳ୍ପତରୁ ।

ସୁତ ବିତ୍ତାଦି ବିଷୟ ରସେ ସଦା ରସି

ପ୍ରାଣୀମାନେ ଧାଉଁଛନ୍ତି ନାହିଁ ଦିବାନିଶି ।

ମହାରଜ୍ଜୁ ବନ୍ଧନରେ ଆବଦ୍ଧ ସକଳ

ରକ୍ତମାଂସ ଦେହ ଏ ନଥିବ ଚିରକାଳ ।

ବୃଷ୍ଟି ହେଲେ ଦିଶେ ଯେହ୍ନେ ଜଳବିମ୍ଵ ଗୋଟି

ତେସନ ପ୍ରକାରେ ଏହି ପଞ୍ଚପ୍ରାଣ ଘୋଟି ।

ବହୁତ କଷ୍ଟରେ ଜାଣ ଛାଡ଼ିବ ଏ ପ୍ରାଣ

ହରିନାମ ନ ଧଇଲେ ହେବ ଅକାରଣ ।

ଜାଣୁ ଜାଣୁ ପ୍ରାଣୀମାନେ ହେଉଛନ୍ତି ଗଞ୍ଜି

ଯମ ସେହି ଯାତନାକୁ ଲେଖି କରେ ପାଞ୍ଜି ।

ଅବସାନ କାଳେ ଜାଣ ହରିନାମ ସଖା

ଯମ ଧର୍ମ ବିଚାରିଣ କାଳେ ଥିବ ଏକା ।

ଜୀବ ଯିବାଯାଏ ପ୍ରାଣୀ ଅର୍ଜିଥିଲେ ଯାହା

ପୁଣି ଅବଶ୍ୟ ଜନମି ଭୁଞ୍ଜଇ ନା ତାହା ।

ମାୟା ମୋହେ ପଡ଼ି ଲୋଭ ମୋହଗ୍ରସ୍ତେ ଜଡ଼ି

ଯଥାକାଳରେ ସେ ଏକା ଯାଏ ସବୁ ଛାଡ଼ି ।

ଇଷ୍ଟ ବନ୍ଧୁ କୁଟୁମ୍ଵ ଯେ ଭାରିଯା ସନ୍ତତି

ଅବସାନ କାଳେ କେହି ନ ଥିବେ ତା କତି ।

ଯେ ଯାହାର ସେ ତାହାର ଆନ ନ ଭୁଞ୍ଜଇ

ମିଛ ମୋହେ ପଡ଼ି ମହାଭାଗକୁ ବହଇ ।

ଭଲମନ୍ଦ ଯେତେକ ସେ ଅର୍ଜ୍ଜଇ ସଂଯୋଗେ

ଆପେ ତାହା ଏକା ଭୁଞ୍ଜେ କେହି ନାହିଁ ସଙ୍ଗେ ।

ଏ କଥା ବିଚାର ଯେହୁ ଧର୍ମେ କରେ ଲୟ

ଖଣ୍ତିଏ ମହାପାତକ ହୋଏ ପୁଣ୍ୟମୟ ।

ହରିଙ୍କର ନାମ ବିନା କେହି ନାହିଁ ସଖା

ମହାନଦୀ ତରଣିକୁ ନାମହିଁ ନଉକା ।

ହରିନାମ ଗୋଟି ଜାଣ ଅଟେ ଗଣ୍ଠିଧନ

ହରିନାମ ସୁମରନ୍ତେ ମିଳେ ପୁଣ୍ୟମାନ ।

ହରିନାମ ସୁମରନ୍ତେ ପୁଣ୍ୟ ହୋଇ ଯେତେ

ଜାଣିକରି ହରିନାମ ଉଚ୍ଚାରୁଛି ଚିତ୍ତେ ।

ଶୁଣ ସର୍ବ ବିଜ୍ଞଜନେ ହୋଇ ଏକଚେତା

ଅଷ୍ଟାଦଶ ପୁରାଣ ଯେ କଲାକ ବିଧାତା ।

ଦେବଙ୍କର ଅର୍ଥତତ୍ତ୍ଵ ଦେବଙ୍କର କଥା

ପବିତ୍ର ହୁଅନ୍ତି ତାର ବକତା ଯେ ଶ୍ରୋତା ।

ପୁରାଣ ଭିତରେ ଶ୍ରେଷ୍ଠ ବିଷ୍ଣୁର ମହିମା

ଶୁଣନ୍ତେ ଯମ ଲଙ୍ଘି ନ ପାରେ ତାର ସୀମା ।

ହରିବଂଶ ଶ୍ରୋତା ଯମ ଅର୍ଗଳି ଭାଙ୍ଗଇ

ଯେ ପାପ ହୃଦରେ ଥାଇ ସକଳ ଖଣ୍ତଇ ।

ହରିବଂଶ ଶୁଣ ନରେ ଖଣ୍ତିବ ଯେ ମୃତ୍ୟୁ

ହରିବଂଶ ଶୁଣ ନରେ ମନେ କରି ହେତୁ ।

ଧର୍ମ ଅର୍ଥ କାମ ମୋକ୍ଷ ଚଉବର୍ଗଧାରୀ

ହରିକଥା ଶୁଣ ଭବୁ ଯିବ ଯେ ଉଦ୍ଧରି ।

ହରିବଂଶ ଶୁଣ ଦିଶିଯିବ ସବୁ ବୁଦ୍ଧି

ହରିବଂଶ ଶୁଣ ନରେ ବାଞ୍ଛା ହେବ ସିଦ୍ଧି ।

ରାଜଭୟ ଅଗ୍ନିଭୟ ଆଦି ସର୍ବ ଭୟ

ହରିବଂଶ ଶୁଣି ନରେ କର ସବୁ କ୍ଷୟ ।

ଶତକୋଟି ବାର ମଣି କର୍ଣ୍ଣିକାକୁ ଗଲେ

ସମାନ ନହେବ ହରିବଂଶ ଶ୍ରୋତା ତୁଲେ ।

ବ୍ରହ୍ମାଣ୍ତରେ ବୁଲି ଯେତେ ବ୍ରତ ତୀର୍ଥକରି

କେହି ହରିନାମ ଶ୍ରୋତା ସଙ୍ଗେ ନୋହେସରି ।

ଏହା ବିଚାରିଣ ନରେ ହରିବଂଶ ଶୁଣ

ଧନପୁତ୍ର ବଢ଼ିବ ଯେ ଲଭିବ କାରଣ ।

ହରିନାମ ବେନି ବର୍ଣ୍ଣ ବେଦାନ୍ତ ଅଟଇ

ସଂସାର ମାୟାବନ୍ଧନ ଶୁଣନ୍ତେ ତୁଟଇ ।

ଅଚ୍ୟୁତାନନ୍ଦ ଦାସ ମୁଁ ସ୍ମରେ ଦୀନବନ୍ଧୁ

କର ଅନୁଗ୍ରହ ମୋତେ କୃପାଜଳସିନ୍ଧୁ ।

 

ମହାପ୍ରଳୟର ବର୍ଣ୍ଣନ

ଶୁଣ ଆହେ ସୁଜ୍ଞଜନେ ସୁଧାରସ ବାଣୀ

ଶୁକକୁ ଯେ ପଚାରିଲେ ପରୀକ୍ଷ ନୃପମଣି ।

ଭୋ ମୁନିବର ହେ ତୁମ୍ଭେ ପରଂବ୍ରହ୍ମବେତ୍ତା

ଭୂତ ଭବିଷ୍ୟତ ବର୍ତ୍ତମାନ କାଳଜ୍ଞାତା ।

ଅଶେଷ ଶାସ୍ତ୍ର ପୁରାଣେ ପବିତ୍ର ତୋ ଅଙ୍ଗ

ଜୀବ ପରମ ଆତ୍ମାକୁ କର ଏକସଙ୍ଗ ।

ପଣ୍ତିତମାନଙ୍କ ମଧ୍ୟେ ଅଟୁ ତୁହି ଶ୍ରେଷ୍ଠ

ଅନାହତ ବ୍ରହ୍ମବେତା ଆପେଣେ ଗରିଷ୍ଠ ।

ଯତିକୁଳମଣ୍ତନ ତୁ ବିଦ୍ୟାଗୁଣମନ୍ତ

ତୋ ଠାରୁ ଭୋ ମୁନି ସିନା ସକଳ ସିଦ୍ଧାନ୍ତ ।

ଭୋ ମୁନି ହେ ମୋତେ ତୁମ୍ଭେ ଅନୁଗ୍ରହ କର

କହିବା ଯେ ହରିବଂଶ ପୁରାଣର ସାର ।

ଅପୂର୍ବ କଥା ଗୋଟାଏ ଭୋ ମୁନି ପଚାରି

ପୁଣ୍ୟ କୀର୍ତ୍ତି ଆହେ ମୁନି କହିବ ବିସ୍ତାରି ।

ଭୋ ବ୍ୟାସନନ୍ଦନ ମୋର ସନ୍ଦେହକୁ ଫେଡ଼

ତୁମ୍ଭର ପ୍ରସାଦେ ମୋର ଫିଟୁ କର୍ମ ଜଡ଼ ।

 

ଯେ ବିଷ୍ଣୁ ମାୟାରେ ଅଛି ସଂସାର ସକଳ

ଆଦିଅନ୍ତ ମଧ୍ୟେ ତାର ନାହିଁ ଥଳକୂଳ ।

ଏ ସାରସ୍ଵତ ପୃଥ୍ଵୀକି କରନ୍ତି ଭିଆଣ

କାହାଯୋଗେ କିବା ସେହି କହ ବିସ୍ତାରିଣ ।

କାହୁଁ ଅଇଲା ସେ ଜୀବ କାହିଁ ଯାଏ ଅନ୍ତେ

ଜାଣିବି ତଦନ୍ତ ମୁହିଁ ତୁମ୍ଭର କହନ୍ତେ ।

ପାତାଳ ଯେ ମଧ୍ୟଲୋକ ସ୍ଵର୍ଗଲୋକ ତିନି

ସ୍ଵର୍ଲୋକ ଯେ ମହଲ୍ଲୋକ ଜନଲୋକ ଘେନି ।

ସ୍ଥାବର ଜଙ୍ଗମ ଆଦି ଜୀବ ଚାରିଖାନି

କୀଟୁ ବ୍ରହ୍ମ ପରିଯନ୍ତେ ଭିଆଣ ଧରଣୀ ।

ନାଗଗଣ ଦେବଗଣ ଦିଗପାଳ ମୂଳେ

ବନ କନ୍ଦର ଯେ ଗରି ମେରୁ ଏ ସକଳେ ।

ଅନନ୍ତକୋଟି ବ୍ରହ୍ମାଣ୍ତେ ଛନ୍ତି ଯେତେ ଜୀବ

କାହୁଁ ଆସିଥିଲେ ପୁଣି କାହୁଁ ସଂହରିବ ।

ଏଥିର ଯା ଆଦିଅନ୍ତ କହ ତପୋଧନ

ହୋଇବି କୃତାର୍ଥ ଶୁଣି ତୁମ୍ଭର ବଚନ ।

ଏତେ କହି ମୁନିଙ୍କି ସେ ପାଦାସନ ଦେଲେ

ନବରତ୍ନ ମାଳା ନେଇ କଣ୍ଠେ ଲମ୍ଵାଇଲେ ।

ଧୂପ ଦୀପ ଗନ୍ଧପୁଷ୍ପ ସ୍ଵର୍ଣ୍ଣପାତ୍ରେ ଭରି

ଯଥା ବିଧିମତେ ପୂଜାକଲା ଦଣ୍ତଧାରୀ ।

ଶ୍ରୀଖଣ୍ତ ଚନ୍ଦନ ଅଗ୍ରୁ ଧୂପ ଦୀପମୂଳେ

ଅନେକ ପୂଜାକରି ସେ ମୁନି ପାଦତଳେ ।

କରପତ୍ର ଯୋଡ଼ି ପୁଣି ଉଠି ଉଭାହୋଇ

ବହୁତ ବିନୟ ଭାବେ ସମସ୍ୟା ସେ ଦେଇ ।

ରାଜା ଭକ୍ତିଭାବ ଦେଖି ଶୁକମତିଯତି

ପ୍ରସନ୍ନରେ କହନ୍ତି ସେ ଶକତିର ନାତି ।

ଶୁଣ ହେ ପରୀକ୍ଷ ତୁମ୍ଭେ ପଚାରିଲ ଯାହା

ଅନୁଗ୍ରହେ ତୁମ୍ଭଙ୍କୁ ମୁଁ କହିବଇଁ ତାହା ।

ଅଶେଷ ବ୍ରହ୍ମାଣ୍ତେ ଛନ୍ତି ଯେବଣ ହିଁ ଜନ

ହରି ଅଟନ୍ତି ସକଳ ପ୍ରାଣୀଙ୍କ ଜୀବନ ।

ହରିର ବଂଶ ପୁରାଣ ଅତି ପୁଣ୍ୟମୟ

ଶୁଣନ୍ତେ ପଞ୍ଚପାତକଯାକ ଯାଏ କ୍ଷୟ ।

ବଂଶାନୁଚରିତ ସୃଷ୍ଟି ସର୍ଜ୍ଜନା ଏ କଥା

ଶୁଣି ଜ୍ଞାନବନ୍ତ ହୁଅ ତୁମ୍ଭେ ମହାରଥା ।

ଶରୀର ବ୍ରହ୍ମାଣ୍ତ ଏକ ନୁହେଁ ଭିନ୍ନା ଭିନ୍ନ

ଶରୀରେ ଯେତେକ ସୃଷ୍ଟି ବ୍ରାହ୍ମଣ୍ତେ ସେ କର୍ମ ।

ଏଥିକି ଜାଣ ବିଧାତା କରିଅଛି ମାୟା

ପୃଥିବୀରେ ମାୟାଧାର ଭିଆଇଛି ଏହା ।

ପୃଥିବୀ ଯେ ଆପ ତେଜ ବାୟବ୍ୟ ଆକାଶ

ପ୍ରାଣପାନ ବ୍ୟାନୋଦାନ ସମାନ ଅଭ୍ୟାସ ।

ପଞ୍ଚଭୂତ ପଞ୍ଚପ୍ରାଣ ବୋଲନ୍ତି ଜ୍ଞାନୀଏ

ହସ୍ତପଦ ପାୟୁପସ୍ଥ ମୁଖ କର୍ଣ୍ଣଯାଏ ।

ଚକ୍ଷୁଆଦି ଦଶ ଇନ୍ଦ୍ରି ମନର ସଂଯୋଗେ

ଏମନ୍ତ ଭିଆଇଅଛି ବ୍ରହ୍ମା ପୂର୍ବ ଯୋଗେ ।

ନାଦବିନ୍ଦୁ ରିଆ ଚଇତନ ମନମୋହେ

ପଚିଶ ପ୍ରକୃତି ଘେନି ଆବୋରିଚି ଦେହେ ।

ଲୋଭ ମୋହ ଚେତନା ଏ ସର୍ବ ଶକ୍ତି ମୂଳେ

ଦେହକୁ ମୋହ କରାନ୍ତି ଜାଣ ସବୁକାଳେ ।

ଏ ପଞ୍ଚମୂଳ ଏଥିରୁ ପଚିଶ ପ୍ରକୃତି

କୀଟରୁ ବ୍ରହ୍ମ ପର୍ଯ୍ୟନ୍ତ ଶରୀରେ ଅଛନ୍ତି ।

ଏତେ ସଂଯୋଗେ ଉପୁଜେ ଜାଣ ଦେହଗୋଟି

ଏକ ଏକ କରି ରହିଛି ପରମେଷ୍ଠି ।

ମନ ପବନ ଦୁହେଁ ଏ ଦେହକୁ କାରେଣୀ

ସବୁ ପ୍ରାଣୀଙ୍କ କାରଣ ପ୍ରଭୁ ଚକ୍ରପାଣି ।

ମନରୁ ଯେ କଳପଣା ବିନ୍ଦୁରୂପ କାୟା

ପବନରୁ ବ୍ରହ୍ମଜ୍ଞାନ ଅନାଦିର ମାୟା ।

ମନରୁ ଜାତ ହୋଇଲା ପୁଣି ଜାଣ ସତ

ସତରୁ ଜାତ ହୋଇଲା ଜାଣ ଏ ଜଗତ ।

ବିନ୍ଦୁରୁ ଜାତ ହୋଇଲା ଜାଣ ତମୋଗୁଣ

ଜ୍ଞାନର ତତ୍ତ୍ଵ ଲକ୍ଷଣ ଏବେ ତୁମ୍ଭେ ଶୁଣ ।

ପୁରକ କୁମ୍ଭକ ପୁଣ ରେଚକ ଏ ତିନି

ପବନ ଊର୍ଦ୍ଧ୍ଵକୁ ଟେକି ଛାଡ଼ିବ ଏ ଘେନି ।

ନିଃଶ୍ୱାସର ଫେରକୁ ଯେ ଲିତା ବୋଲି କହି

ଷାଠିଏ ଲିତାରେ ଜାଣ ଦଣ୍ଡେକ ବୋଲାଇ ।

ଏମନ୍ତେ ବେନି ଦଣ୍ଡରେ ଘଡ଼ିଏ ପ୍ରମାଣ

ଚାରି ଘଡ଼ିରେ ପ୍ରହରେ ବୋଲି ଏହା ଜାଣ ।

ଏମନ୍ତ ଚାରି ପ୍ରହର ଦୁଇଗୁଣ କରି

ରାତ୍ର ଦିବସ ସର୍ଜିଲା ବିଧାତା ବିଚାରି ।

ଦିବସରେ ସୂର୍ଯ୍ୟଙ୍କର ରଶ୍ମି ତେଜ ପ୍ରଭା

ନିଶାପତି ଚନ୍ଦ୍ରଙ୍କର ଆଭା ରାତ୍ରେ ଶୋଭା ।

ରବି ସୋମ ମଙ୍ଗଳ ଯେ ବୁଧ ବୃହସ୍ପତି

ଶୁକ୍ର ଶନିଶ୍ଚର ମୁଳେ ସାତବାର ସ୍ଥିତି ।

ନକ୍ଷତ୍ର ଯେ ସତାଇଶ ପନ୍ଦର ଯେ ତିଥି

ମାସକେ ହୋଏ ପୂର୍ଣ୍ଣମୀ ପୁଣି ସଂକରାନ୍ତି ।

ପ୍ରତିପ ଦ୍ୱିତୀୟା ତୃତୀୟା ଚତୁର୍ଥୀ ପଞ୍ଚମୀ

ଷଷ୍ଠ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ ।

ଏକାଦଶୀ ଦ୍ୱାଦଶୀ ଯେ ତିଥି ତ୍ରୟୋଦଶୀ

ଚତୁର୍ଦ୍ଦଶୀ ପଉର୍ଣ୍ଣମୀ ଅମାବାସ୍ୟା ନିଶି ।

କୃଷ୍ଣ ଶୁକ୍ଳକରି ତହୁଁ ବେନି ପକ୍ଷ କଲେ

ତିରିଶ ଦିନରେ ମାସେ ଗଣିଣ ଲେଖିଲେ ।

ଅଶ୍ୱିନୀ ନକ୍ଷତ୍ର ଦ୍ୱିଜା କୃତ୍ତିକା ରୋହିଣୀ

ମୃଗଶିରା ଆରଦ୍ରା ଯେ ପୁନର୍ବସୁ ତିନି ।

ପୁଷ୍ୟା ଅଶ୍ଳେଷା ଯେ ମଘା ପୂର୍ବାଫାଲଗୁନି

ଉତ୍ତରାଫାଲ୍‌ଗୁନୀ ଆଉ ହସ୍ତା ଚିତ୍ରା ବେନି ।

ସ୍ୱାତୀ ବିଶାଖା ଏ ଦୁଇ ଅନୁରାଧା ଜ୍ୟେଷ୍ଠା

ମୂଳା ପୂର୍ବୋତ୍ତରାଷାଢ଼ା ଶ୍ରବଣ ଧନିଷ୍ଠା ।

ଶତଭିଷା ପୂର୍ବଭାଦ୍ରପଦ ଆଦିକରି

ଉତ୍ତରଭାଦ୍ର ରେବତୀ ଏ ଦକ୍ଷ କୁମାରୀ ।

ତାର ଚନ୍ଦ୍ର ଯୋଗ ଘେନି କରଣ ଆବର

ମେଷ ବୃଷଭ ମିଥୁନ କକଡ଼ାମାସର ।

ସିଂହ କନ୍ୟା ତୁଳା ବିଛା ଧନୁ ଯେ ମକର

କୁମ୍ଭ ମୀନ ଘେନି ମାସ ଅଟି ଯେ ବାର ।

ଏ ପ୍ରକାରେ ବାରମାସେ ବାର ଚନ୍ଦ୍ର ବସେ

ବାର ମାସରେ ହୁଅଇ ଜାଣ ତ ବରଷେ ।

ବରଷକ ଭୋଗକରେ ଷଡ଼ଋତୁ ତୁଲେ

ଅୟନେକ ହୁଏ ଜାଣ ଷଡ଼ମାସ ଗଲେ ।

ଅୟେନେକ ପୁଣି ଷଡ଼ମାସରେ ହୁଅଇ

ଦକ୍ଷିଣାୟନ ଉତ୍ତରାୟଣ ଏହି ଦୁଇ ।

ହେମ ଶିଶିର ବସନ୍ତ ନିଦାଘ ବରଷା

ଶରତ ଋତୁକୁ ଘେନି ଷଡ଼ଋତୁ ବସା ।

ଏମାନେ ଭୋଗ କରନ୍ତି ଦୁଇ ଦୁଇ ମାସ

ଷଡ଼ଋତୁ ଭୋଗ ଶେଷେ ବରଷେକ ଶେଷ ।

କକାଳନ୍ତକ ଯୁଗାନ୍ତକ ଭୋଗାନ୍ତକ ଜାଣି

ବାରମାସେ ସାତବାର ଆତଯାତ ପୁଣି ।

ସତ୍ୟ ତ୍ରେତା ଦ୍ଵାପର ଯେ କଳି ଚାରିଯୁଗ

ଦିଗପାଳମାନଙ୍କର ଦିବସେକ ଭୋଗ ।

ମଞ୍ଚମଣ୍ତଳେ ଗଣ୍ତାଏ ଯୁଗ ବୋଲି ଜାଣି

କାଳପ୍ରଳୟେ ମେରୁକୁ ହୁଏ ଆଣ୍ଠୁ ଆଣି ।

ଏହିପରି ଏକସ୍ତରି ଗୁଣ୍ତା ଯୁଗ ଗଲେ

ବ୍ରହ୍ମାକୁ ଘଡ଼ିଏ ହୁଏ ପୁରାଣେ ଲେଖିଲେ ।

ଏ ବିଧିରେ ବ୍ରହ୍ମାକୁ ଯେ ତିରିଷ ଦିବସ

ମାସକ ହୁଏ କହିଲେ ମୁନି ଦେବବ୍ୟାସ ।

ଏ ବିଧି ମାସକୁ ଚାରିଗୋଟି ଯାର ମନୁ

ଚାରିସହସ୍ର କୋଡ଼ିଏ ବରଷେକ ଗଣୁ ।

ବ୍ରହ୍ମାର ଅଠରଲକ୍ଷ ତିରିଶ ବରଷେ

ବ୍ରହ୍ମା ନାଶଯାଇ ଜାଣ ତାର କାଳଶେଷେ ।

ସୁରଲୋକ ସହିତରେ ସର୍ବେ ନାଶଯାନ୍ତି

ସ୍ଵର୍ଗ ପାତାଳ ପୁରରେ କେହି ନ ରହନ୍ତି ।

ଏଥୁଅନନ୍ତରେ ଘୋଟେ ପ୍ରଳୟର ଜଳ

ବ୍ରହ୍ମାଣ୍ତ ବିନାଶ ଯାଏ ହୁଅଇ ଅଥଳ ।

ବ୍ରହ୍ମା ଦିବସେ ବିଷ୍ଣୁର ସସ୍ରେ ରୂପ ହୋଇ

ମତ୍ସ୍ୟ କଚ୍ଛପ ବରାହ ରୂପେ ବିରାଜଇ ।

ନରସିଂହ ପର୍ଶୁରାମ ଶ୍ରୀରାମ ଜନିତ

କୃଷ୍ଣ ବଉଦ୍ଧ କଳକି ଏ ଆଦି ବିଖ୍ୟାତ ।

ରିପୁ ଦାନବ ବିନାଶି ବ୍ରହ୍ମାଙ୍କ ଦିବସେ

ରାମାୟଣ ରହିବଂଶ ଭାରତ ପ୍ରକାଶେ ।

ସ୍ଵର୍ଗ ମତ୍ତ୍ୟ ପାତାଳରେ ବସନ୍ତି ଯେ ଲୋକେ

ସମସ୍ତେ ଅନ୍ତ ହୁଅନ୍ତି ବ୍ରହ୍ମାର ଅନ୍ତକେ ।

ଇନ୍ଦ୍ର ନଈର୍ଋତ ଦିଗପାଳ ଚନ୍ଦ୍ର ସୂର୍ଯ୍ୟ

ଏମାନେ ଯୋଗେ ବିନାଶ ଯାନ୍ତି ପାଇ କାର୍ଯ୍ୟ ।

ଗ୍ରହ ତାରା ସହିତରେ ଯକ୍ଷ ରକ୍ଷଗଣ

ବ୍ରହ୍ମା ଦିବସରେ ସର୍ବେ ନାଶଯାନ୍ତି ପୁଣ ।

ସପତ ସାଗର ନବଦ୍ଵୀପ ଜଳମୟେ

ଏମନ୍ତେ ବ୍ରହ୍ମାର ଭୋଗ ଦିବସେକ ଯାଏ ।

ଯେତେବେଳେ ମହାଜଳ ପୃଥିବୀ ଘୋଟଇ

ଜଳ ଆଘତେ ପୃଥିବୀଯାକ ବୁଡ଼ିଯାଇ ।

ଗର୍ଜିବହେ ଅଣଚାଷ ମୂରତି ପବନ

ପ୍ରଚଣ୍ତ ଘୋର ଅନଳ ଉଠେ ଘନ ଘନ ।

ଆବର୍ତ୍ତକ ମେଘ ପୂର୍ବଆଡ଼ରୁ ଘୋଟଇ

ପଚିଶ କ୍ଷଉଣୀ ବଳ ତା ସଙ୍ଗେ ଖଟଇ ।

କ୍ଷୀର ସମୁଦ୍ରରୁ ସେହି ବରଷଇ ନୀର

ନିରତେ ପ୍ରଳୟଜଳ ବହଇ ସତ୍ଵର ।

ପର୍ବତମାନ ଭାଙ୍ଗିଣ କରେ ଏକସ୍ଥଳ

ସ୍ଵର୍ଗ ମର୍ତ୍ତ୍ୟ ପାତାଳକୁ କରେ ସମତୁଲ ।

କୀଟ ପତଙ୍ଗ ଆଦି ଯେ ନ ରଖି କିଞ୍ଚିତ

ସମସ୍ତେ ପ୍ରଳୟଜଳେ ହୁଅନ୍ତି ନିହତ ।

ଭୂଲୋକକୁ ଆଦିକରି ସ୍ଵର୍ଗଲୋକଯାଏ

ସପତଦ୍ଵୀପା ପୃଥିବୀ ଶୂନ୍ୟମୟ ହୁଏ ।

ଆବର୍ତ୍ତକ ସମ୍ଵର୍ତ୍ତକ ଦ୍ରୋଣ ଯେ ପୁଷ୍କର

ଚାରିମେଘ ଘୋଟିଆସି ହୋଏ ଏକାକାର ।

ଅବିନାଶୀ ମେଘମାନେ ହୋଇ କାମରୂପୀ

ସପତ ଭୁବନ ଯାନ୍ତି ନିମିଷକେ ବ୍ୟାପି ।

ଅନେକ ପ୍ରକାର ମେଘ ତାହାଙ୍କୁ ଖଟନ୍ତି

ଏକୁ ଏକ ମେଘ ମହାଯୋଦ୍ଧା ଯେ ଅଟନ୍ତି ।

କୋଟି କୋଟି ସମୁଦ୍ର ସେ ଶୋଷି ଏକେ ଏକେ

ତିଳ ପ୍ରମାଣେ ପେଷନ୍ତି ଘୋଟ ସପ୍ତଲୋକେ ।

ସପ୍ତମ ମେଘମାଳା ଯେ ଏକମୁଖ ହୋଇ

ଧାମନ୍ତି ଆକାଶମାର୍ଗେ ଜଳନ୍ତି ଆରୋହୀ ।

ଭୟଙ୍କର ଘଡ଼ଘଡ଼ି ଶବଦ ତଡ଼ିତ

ଝଟଝଟ ବିଜୁଳି ଯେ ବଜ୍ରର ନର୍ଘାତ ।

ମରୁତ ନାମେ ପବନ ବହେ ମହାଘୋର

ଆବର୍ତ୍ତକ ପୂର୍ବଦିଗ କରିଣ ଅନ୍ଧାର ।

ପଚିଶ ଯେ ଅକ୍ଷୌହିଣୀ ସଇନି ସଙ୍ଗତେ

କ୍ଷୀର ସମୁଦ୍ରରୁ ନୀର ବରଷେ ନିରତେ ।

ଦ୍ରୋଣ ମେଘ ଯେ ଦକ୍ଷିଣ ଦିଗକୁ ଘୋଟଇ

ତେଇଶୀ କ୍ଷଉଣୀ ବଳ ତାଙ୍କ ସଙ୍ଗେ ଥାଇ ।

ଘୃତ ସମୁଦ୍ର ନିରତେ ବରଷନ୍ତି ନୀର

ଦହନ ନାମେ ପବନ ବହେ ନିରନ୍ତର ।

ପୁଷ୍କର ମେଘ ଦକ୍ଷିଣ ଦିଗର ଯେ ରାଜା

ଦଶ ଅକ୍ଷୌହିଣୀ ବଳ ତାହାର ପରଜା ।

ସମୀର ନାମେ ପବନ ବହେ ମହାବଳ

ଇକ୍ଷୁ ନାମେ ସମୁଦ୍ରରୁ ବରଷଇ ଜଳ ।

ମହାଘୋର ନାଦକରି ବରଷନ୍ତି ପାଣି

ପବନ ବହେ ପ୍ରଳୟ ବେଳକାଳ ଜାଣି ।

ଶୂନ୍ୟଲୋକ ଆଦିକରି ବ୍ରହ୍ମାଣ୍ତରେ ତୁଚ୍ଛା

ବରଷନ୍ତି ମେଘମାଳେ ଯେ ଯାହାର ଇଚ୍ଛା ।

ନିରନ୍ତରେ ବରଷନ୍ତି ରହି ସପ୍ତଲୋକେ

ସ୍ଵର୍ଗଭୁବନେ ନ ଥାନ୍ତି ଥାଉ ଦେବ ଲୋକେ ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଏ ଚାରି

ଓଁକାର ସାବିତ୍ରୀ ମନ୍ତ୍ର ତନ୍ତ୍ର ବେଦଚାରି ।

କୀଟ ପତଙ୍ଗ ପ୍ରଭୃତି ଜୀବଜନ୍ତୁ କେହି

ଦେହଧାରୀ ହୋଇ ତହିଁ ଜଣେ ହେଁ ନ ଥାଇ ।

ବ୍ରହ୍ମାର ଆୟୁ ନିର୍ବଳେ ଏତେ ନାଶଯାନ୍ତି

ଶୂନ୍ୟଲୋକ ପର୍ଯ୍ୟନ୍ତେ କେ ଗୋଟିଏ ନଥାନ୍ତି ।

ଯେତେବେଳେ ଏ ପୃଥିବୀ ହୁଏ ଜଳମୟେ

ହଂସରେ ଚଢ଼ିଣ ବ୍ରହ୍ମା ସସ୍ରେ ବର୍ଷଯାଏ ।

ଶୂନ୍ୟପୁରେ ଭ୍ରମୁଥାଇ ବିଶ୍ରାମହିଁ ନାହିଁ

ଜଳଗହଳେ ବ୍ରହ୍ମାଣ୍ତ ଯହୁଁ ନାଶଯାଇ ।

ବ୍ରହ୍ମା ପ୍ରଳେ ହେଲେ ଜଳ ମହଲ୍ଲୋକେ ଲାଗେ

ନିରଞ୍ଜନ ଦେବତାର ପୁର ଚାରିଦିଗେ ।

ମହାଭୟଙ୍କର କଳ କଳ ନାଦ କରି

ନିରଞ୍ଜନ ଦେବତାର ଆସନକୁ ଘେରି ।

ଚକ୍ଷୁଫେଇ ଅବହେଳେ ଚାହେଁ ଯୁଗପତି

ବ୍ରହ୍ମା ଆଦିକରି କେହି ଜଣେ ନାହିଁ ବର୍ତ୍ତି ।

ଧ୍ରୁବଲୋକ ପରିଯନ୍ତେ ଲାଗିଅଛି ଜଳ

ଅନଳ ଶିଖା ଭେଦିଛି ଆକାଶ ମଣ୍ତଳ ।

ଏ ବିଧିରେ ସଦାଶିବ ସସ୍ରେ ବର୍ଷ ବର୍ତ୍ତି

ବୃଷଭ ଆରୋହି ଶୂନ୍ୟ ମଣ୍ତଳେ ଭ୍ରମନ୍ତି ।

ଏହି ରୂପେ ତିନିକୋଟି ଯୁଗ ମନୁ ଗଲେ

ଈଶ୍ଵର ଦେବତାଙ୍କୁ ଯେ ଦିନେ ହୁଏ ଭଲେ ।

ରୁଦ୍ରବଳେ ସୃଷ୍ଟି ନାଶଯାଇ ଯେତେବେଳେ

ପହଁରୁଥାଇ ସେ ନିରଞ୍ଜନ ଦେବ ଜଳେ ।

ପରମ ବ୍ରହ୍ମରୂପକୁ ଧରି ଦେବସ୍ଵାମୀ

ମହାର୍ଣ୍ଣବ ଜଳେ କ୍ରୀଡ଼ା କରେ ଅନ୍ତର୍ଯ୍ୟାମୀ ।

ଅଶୀକୋଟି କଳ୍ପଯାଏ ପହଁରଇ ଏକା

ପରମାତ୍ମା ବ୍ୟତିରେକେ କେହି ନାହିଁ ଶାଖା ।

ଏହିରୂପରେ ଅନେକ କାଳ କଳ୍ପ ଯାଇ

ନିରଞ୍ଜନ ଦେବତାକୁ ବରଷେକ ହୋଇ ।

ନିରଞ୍ଜନ ଦେବତାର ଯେତେକ ଆୟୁଷ

କାଳ ସମାପତ ହେଲେ ସେହି ଯାନ୍ତି ନାଶ ।

ନିରଞ୍ଜନ ଦେବତାର ଆୟୁଷ ତୁଟଇ

ନିରାକାର ଦେବତାଙ୍କୁ ସତ୍ଵରେ ଭେଟଇ ।

ନିରାକାର ପୁରୁଷର ଆକାର ତ ନାହିଁ

ତାହାର ଭେଟ କେମନ୍ତେ ନିରଞ୍ଜନ ପାଇ ।

ନିରକାର ଆଶ୍ରା କରି ନିରଞ୍ଜନ ହରି

ନିରଞ୍ଜନ ପ୍ରଳେ ବିଷ୍ଣୁପୁରେ ଜଳ ଘେରି ।

ଗରୁଡ଼ ଉପରେ ବସେ ଦେବ ନିରାକାର

ପରମ ଶୂନ୍ୟମଣ୍ତଳେ କ୍ଷେପେ ଖଗବର ।

କାଳ କାମ ନିଦ୍ରା ଯହିଁ ତିନିହେଁ ନ ଥାନ୍ତି

ସତୁରି ଯୋଜନ ମୋଟ ଗରୁଡ଼ ଦିଶନ୍ତି ।

ସେ ମହାପୁରୁଷ ବିଜେ ବିଷ୍ଣୁ କଳା ବହି

ଲୀଳା କରୁଥାନ୍ତି ଆପେ ହୋଇ ଜଳଶାୟୀ ।

ଏ ଅନୁକ୍ରମେ ଅନେକ କୋଟି ଯୁଗ ଗଲା

ସମୟେ ନାରାୟଣଙ୍କୁ ଗରୁଡ଼ ଚାହିଁଲା ।

ଭୋ ଦେବ ହେ ନାରାୟଣ ତୁମ୍ଭେମୋର ସ୍ଵାମୀ

ସର୍ବଭୂତେ ଆତ୍ମା ତୁମ୍ଭେ ଆହେ ଅନ୍ତର୍ଯ୍ୟାମୀ ।

ବିଷ୍ଣୁଲୋକ ପରିଯନ୍ତେ ଘୋଟିଲା ଏ ଜଳ

ଚତୁର୍ଦ୍ଦଶ ଲୋକେ ନାଶ ଗଲେଣି ସକଳ ।

ଅନନ୍ତକୋଟି ବ୍ରହ୍ମାଣ୍ତେ ଜଳପୂର୍ଣ୍ଣ ହୋଇ

ରହିବାକୁ ଆଉ କାହିଁ ତିଳେ ଠାବ ନାହିଁ ।

ସ୍ଥାବର କୀଟ ପତଙ୍ଗ କେହି ନାହିଁ ବର୍ତ୍ତି

ସଂସାରଯାକ ହୋଇଲା ସବୁ ଏକ ମୂର୍ତ୍ତି ।

ସ୍ଵାମୀ ପୃଥ୍ଵୀ ନାଶଗଲା ହେଲା ଜଳମୟ

ଜଳ ନାଶଯାନ୍ତେ ଦେଖି ହୁଏ ଅଗ୍ନିମୟ ।

ଅନଳ ନାଶ ଯାଇଣ ଘୋଟିଲା ପବନ

ପବନ ନାଶ ଯାଆନ୍ତ ନିରାକାର ଶୂନ୍ୟ ।

ଶୂନ୍ୟର ଉପରେ ସ୍ଵାମି ଉଡ଼ୁଅଛି ମୁହିଁ

ପିଠିରେ ମୁଁ ବିଶ୍ଵ ମହାଭାରା ଅଛି ବହି ।

ଚଳି ନ ପାରଇ ଦେବ ମହାଭାଗ ପାଇ

ଅଶକତ ହେବାରୁ ମୁଁ ଛାମୁରେ ଜଣାଇ ।

ଗରୁଡ଼ ବଚନ ଶୁଣି ନାରାୟଣ ସ୍ଵାମୀ

ଅନେକ ପ୍ରକାରେ ଦୟାକଲେ ଅନ୍ତର୍ଯ୍ୟାମୀ ।

ବିଶ୍ଵରୂପ ଧରି ସ୍ଵାମୀ ବିସ୍ତାରିଲେ କାୟା

ଗରୁଡ଼ ନ ଜାଣଇ ସେ ବିଶ୍ଵକୂଟ ମାୟା ।

ବିଷ୍ଣୁର ଗର୍ଭ ଭିତରେ ପକ୍ଷୀ ଅଛି ବସି

ସକଳ ସଂସାର ବିଷ୍ଣୁ ଉଦରେ ପ୍ରକାଶି ।

ବ୍ରହ୍ମାଙ୍କୁ ଯେ ଆଦିକରି ଦଶଦିଗପାଳେ

ହିମବନ୍ତ ପରବତେ ଅଛନ୍ତି ସକଳେ ।

ଅଷ୍ଟକୋଟି ଗରିବର ଚନ୍ଦ୍ର ଦିବାକର

ଅଷ୍ଟନାଗ ସତାଈଶ ନକ୍ଷତ୍ର ଆବର ।

ନୀଳଗିରି ବିନ୍ଧ୍ୟଗିରି କୈଳାସ କନ୍ଦର

ମହେନ୍ଦ୍ର କନ୍ଦର୍ପ ବିନ୍ଧ୍ୟମାଳା ଗିରିବର ।

ଚନ୍ଦ୍ର ସୂର୍ଯ୍ୟ ତାରକାର ଆତଯାତ ତହିଁ

ସପତ ସମୁଦ୍ର ନଦୀମାନେ ଯାନ୍ତି ବହି ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଏ ଚାରି

ଓଁ କାର ମୂଳ ସାବିତ୍ରୀ ମନ୍ତ୍ର ଆଦିକରି ।

ସ୍ଵର୍ଗମଞ୍ଚ ପାତାଳର ଯେତେ କୀର୍ତ୍ତି ତହିଁ

ଦେଖିଲା ବିଷ୍ଣୁର ଗର୍ଭେ ସବୁ ଅଛି ରହି ।

ସୃଷ୍ଟି କି ପ୍ରଳୟ କାଳେ ଅଛନ୍ତି ସଂହରି

ପୁଣି ସେ ସ୍ଥାପିବେ ବୋଲି ଗଭେଛନ୍ତି ଭରି ।

ଏସନକ ରୂପ ଦେଖି ବିନତାତନୟ

ନିଶ୍ଚିନ୍ତେ ତହିଁ ରହିଲା ଛାଡ଼ି ସବୁ ଭୟ ।

ବିଷ୍ଣୁ ଗର୍ଭେ ପାଶୋରିଲା ସବୁ ପକ୍ଷୀରାୟେ

ଏଥୁ ଅନନ୍ତରେ ଶୁଣ ପରୀକ୍ଷିତ ରାୟେ ।

ହରିବଂଶ ପୁରାଣ ତୁ ଶୁଣି ମୋକ୍ଷ ହୁଅ

ସକଳ ପାତକ ତୋର ଦେହୁ ଯାଉ କ୍ଷୟ ।

ଯାହା ଶୁଣନ୍ତେ ହୁଅଇ ସ୍ଵର୍ଗକୁ ନିଶାଣୀ

ଅଳପକେ ହୋଏ ଜାଣ ଯମଦଣ୍ତ ଜିଣି ।

ସୃଷ୍ଟି ପ୍ରଳୟ କଥା ଏ ଅସମ୍ଭବ ବାଣୀ

ସାବଧାନ ହୋଇ ଶୁଣ ଆହେ ନୃପମଣି ।

ଯେବଣ ଜନେ ଶୁଣନ୍ତି ପ୍ରଳୟର କଥା

ରୋଗ ଶୋକ ବ୍ୟାଧିଖଣ୍ତେ ସର୍ବ ମନୋବ୍ୟଥା ।

ଭୁଞ୍ଜନ୍ତି ବିପୁଳ ଲକ୍ଷ୍ମୀ ମନର ସ୍ଵଇଚ୍ଛା

ଧନ ଜନ ଗୋପ ଲକ୍ଷ୍ମୀ କଳ୍ପେ ଯେତେବାଞ୍ଛା ।

ଜୟ ନୀଳାଚଳନାଥ ନିଳାଦ୍ରୀ ବିହାରୀ

ଅବିକାର ବ୍ରହ୍ମ ତୁମ୍ଭେ ପ୍ରାଣ ଅଧିକାରୀ ।

ଯୋଗୀମାନଙ୍କର ଅଟ ଆଦିମୂଳ

ତୁମ୍ଭ ରୂପରେଖ ବର୍ଣ୍ଣ ନାହିଁ ଶୂନ୍ୟେ ଠୁଳ ।

ଦେବଙ୍କର ଶାଖା ତୁମ୍ଭେ ଦେବଙ୍କର ଆତ୍ମା

ତୁମ୍ଭେ ଯେ କର୍ମ ଅକର୍ମ ଅଟ ମହାତମା ।

ଅଖିଳକୋଟି ବ୍ରହ୍ମାଣ୍ତେ ତୁମ୍ଭ ଖେଳରଙ୍ଗ

ଜୀବ ଆତ୍ମା ଜ୍ୟୋତି ତୁମ୍ଭେ ପରମାତ୍ମା ସଙ୍ଗ ।

ନୀଳ ଇନ୍ଦୀବର ପୁଷ୍ପ ପ୍ରାୟ ଶୋଭା ଦେହୀ

ତୁମ୍ଭ ଆଦିଅନ୍ତ ମଧ୍ୟ ନ ଜାଣନ୍ତି କେହି ।

ଦେବଙ୍କ ଉପରେ ତୁମ୍ଭେ ଅଟ ଦେବ ହରି

ଶରଣପଞ୍ଜର ନାଥ ତୁମ୍ଭେ ଦଇତ୍ୟାରି ।

କର ଚରଣ ନାସିକା ବହ ମୁଖ କର୍ଣ୍ଣ

ପଞ୍ଚଇନ୍ଦ୍ରୀ ତ୍ୟାଗୀ ତୁମ୍ଭେ ହୁଅ ଏକ ବର୍ଣ୍ଣ ।

ବିଚକ ପଦ୍ମ ପରାୟ ତୁମ୍ଭ ବେନି ଆଖି

ଅନେକ ଜନ୍ମ ପାତକ ଖଣ୍ତେ ଯାହା ଦେଖି ।

ବିଗତକଳ୍ମଷ ପ୍ରଭୁ ତୁମ୍ଭେ ଗଙ୍ଗାଧାର

ନୀଳ ମେଘରେ ଯେସନ ଶୋଭା ତଡ଼ିତର ।

ଲାଲାଟେ ଶୋଭିତ ଚିତା ଶୋହେ ଶଙ୍ଖବର୍ଣ୍ଣ

ବାହୁରେଖାରେ ତିଳକ ଗୋଟି ଶୋଭାବନ ।

ବିସ୍ତାର ତୋ ଭୁଜଖଣ୍ତ ସଂସାର ଆରମ୍ଭ

ତୋ ଘେନି ସିନା ସର୍ଜିଲା ବ୍ରହ୍ମା ଏହି ଭବ ।

ବିସ୍ତାର ତୁମ୍ଭ ହୃଦୟ ଭାରାଭର ପୃଥ୍ଵୀ

ସଂକୀର୍ଣ୍ଣ ତୋ ମଝା କି ସେ ହରିର ଆକୃତି ।

ଦକ୍ଷିଣରେ ବଳଭଦ୍ର ମଧ୍ୟରେ ସୁଭଦ୍ରା

ଆପେ ନିତି ରୂପ ହୁଅ ଘେନି ଯୋଗମୁଦ୍ରା ।

ଅଗ୍ନିକୋଣେ ମହୋଦଧି କୋଣାରକ ତଟେ

ବିଜୟ ଶ୍ରୀ ଜଗନ୍ନାଥ କଳ୍ପବଟପୁଟେ ।

ବ୍ରହ୍ମା ଇନ୍ଦ୍ର ଆଦିକରି ଦେବ ତ୍ରିପୁରାରି

ସକଳ ଦେବତା ତୋତେ ଥାନ୍ତି ସେବାକରି ।

ଦେବଙ୍କ ଭକତି ଘେନି ପରାନନ୍ଦ ରୂପୀ

ସକଳ ପ୍ରାଣୀଙ୍କି ତୁମ୍ଭେ ହୃଦେ ଅଛ ସ୍ଥାପି  

ବାରେ ଦେଖିଲେ ସ୍ଵାମୀଙ୍କି ପାପ ଯାଇ ନାଶ

କାଳ କାମ ମୋହ ଯାଇ ଫିଟେ କାଳପାଶ ।

ନମସ୍ତେ ହେ ଜଗନ୍ନାଥ ସକଳ କାରଣ

ନମସ୍ତେ ହେ ଜଗନ୍ନାଥ ତୁଳସୀରମଣ ।

ଯେଉଁ ପାଦପଦ୍ମ ବ୍ରହ୍ମା ନ ପାଇଲା ଲେଶ

ସେହି ପାଦପଦ୍ମେ ଥାଉ ମୋହର ଯେ ଆଶ।

ସେହି ପାଦପଦ୍ମ ନରେ ସଦା ଜୟ ଘୋଷ

ଜଗନ୍ନାଥ ପାଦ ସେବେ ଶ୍ରୀ ଅଚ୍ୟୁତ ଦାସ ।

 

ସୃଷ୍ଟି ପ୍ରକାରଣ

ଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜା

ଶୁକମୁନିର ଚରଣେ କଲେ ଦିବ୍ୟପୂଜା ।

ଭୋ ମୁନି ପ୍ରଳୟ କଥା କହିଲ ମୋ ଆଗେ

ସଂସାର ସମ୍ଭବ ପୁଣ ହେଲା କେଉଁ ବାଗେ ।

ସେ କଥାଟି ମୋର ଆଗେ କହ ତପୋବନ୍ତ

ଶୁଣିଲେ ପାତକମାନେ ହୋଇବ ନିହତ ।

କହନ୍ତି ଯେ ଇଦଂ ପ୍ରତିବାକ୍ୟ ମହାମୁନି

ଶୁଣନ୍ତି ପରୀକ୍ଷ ରାଜା ସୁଧାରସ ଧ୍ଵନି ।

ଯେତେବେଳେ ପୃଥିବୀର ପ୍ରଳୟ ହୋଇଲା

ଜନ ଜନ୍ତୁ ଗୋଟିଏକ ତହିଁ ନ ରହିଲା ।

ବ୍ରହ୍ମ ରୁଦ୍ର ଇନ୍ଦ୍ର ଚନ୍ଦ୍ର ନଇର୍ଋତ ଯମ

ଦଶ ବିଶ୍ଵେଦେବା ରବି ତାରଗଣ ସୋମ ।

ପିଶାଚ କିନ୍ନର ଯକ୍ଷ ଗନ୍ଧର୍ବ ସହିତେ

ନକ୍ଷତ୍ର ଯୋଗ କରଣ ବରୁଣ ସମେତେ ।

ମନୁ ଯୁଗପତି ଯେତେ ସଂସାର ଧାରଣ

ସ୍ଥାବର ଜଙ୍ଗମ ମୂଳେ ନାଶଗଲେ ପୁଣ ।

 

ପବନ ବଇଶ୍ଵାନର ଭାରାଭର ମୂଳେ

ସବୁ ନାଶଗଲା ମହାପ୍ରଳୟର ଜଳେ ।

ଦେହଧାରୀଯାକ ସବୁ ଗଲେ ଯହୁଁ କ୍ଷୟ

ସକଳ ବ୍ରହ୍ମାଣ୍ତ ହେଲା ମହାଜଳମୟ ।

ଭୁଲୋକ ଯେ ଭୁବଲୋକ ସ୍ଵର୍ଲୋକ ଏ ତିନି

ମହର୍ଲ୍ଲୋକ ଆଦିକରି ଯେତେକ ମେଦିନୀ ।

ଜନଲୋକ ତପଲୋକ ସତ୍ୟଲୋକ ଘେନି

ମହାପ୍ରଳୟ କାଳେ ଏ ନାଶ ଗଲେ ପୁଣି ।

ପାତାଳ ସପତଲୋକ ଯେତେ ତଳପୁରେ

ତଳାତଳ ଅତିତଳ ରସାତଳ ଠାରେ ।

ମହାତଳ ପାତାଳକୁ ଘେନି ସାତ ପୁର

ଚଉଦ ଭୁବନ ରଚିଥିଲା ଦେବବର ।

ଏହିପରି ନାଗଲୋକ ସ୍ଵର୍ଗ ଦିଗପାଳେ

ମହା ପ୍ରଳୟ ଜଳରେ ପଡ଼ି ମୁଡ଼ି ମଲେ ।

ରୂପରେଖ ନାହିଁ କିଛି ସବୁ ଗଲେ କ୍ଷୟ

ଚଉଦ ଭୁବନଯାକ ହେଲା ଶୂନ୍ୟମୟ ।

ଏକମାତ୍ର ଶୁକ୍ଳାମ୍ଵର ବିଷ୍ଣୁ ଥିଲେ ରହି

ଜଳ ବଟପୁଟେ ହୋଇ ସେ ଉତ୍ତାନଶାୟୀ ।

ସୁରଲୋକ ନରଲୋକ ଋଷି ମହାଋଷି

ସିଦ୍ଧ ସାଧୁ ସାଧକେ ଯେ ବିଷ୍ଣୁ ଗର୍ଭେ ପଶି ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଏ ଚାରି

ଓଁକାର ସାବିତ୍ରୀ ମନ୍ତ୍ର ତନ୍ତ୍ର ବେଦଚାରି ।

ସକଳ ବ୍ରହ୍ମାଣ୍ତଯାକ ବିଶ୍ଵଗର୍ଭେ ଭରି

ବଟପୁଟରେ ଶୟନେ କଲେକ ମୁରାରି ।

ପଞ୍ଚାଶ ପାଖୁଡ଼ା ଷଡ଼ଚକ୍ର ବନ୍ଧ ମୁଦ୍ରା

ମହାଶୂନ୍ୟ ମଣ୍ତଳରେ ଗଲେ ଯୋଗନିଦ୍ରା ।

ମନପବନ କାୟାକୁ କୁଲେ ଏକଗୋଷ୍ଠୀ

ସରୋବରେ ପ୍ରକାଶିଲେ ହଂସରୂପଗୋଟି ।

ବ୍ରହ୍ମଜଳା ଲାଗିଲାକ କାଉଁରୀ ମଣ୍ତଳେ

ପରମ ଆତ୍ମାକୁ ଘେନ ରହଇ ନିଶ୍ଚଳେ ।

ଅମର ଗିରି ଉପରେ ପୁଷ୍ପେକ ଫୁଟିଲା

ଅଷ୍ଟଦଳ କମଳ ସେ ହୋଇ ବିକାଶିଲା ।

ଅଷ୍ଟାଙ୍ଗ ଯୋଗର ମୂଳ ଚଉରାଶୀ ଜ୍ଞାନ

ଷଡ଼ଚକ୍ରର ବାସନାମାନଙ୍କର ସ୍ଥାନ ।

ଅଦ୍ଭୁତେ ନାଭି କମଳୁ ହୋଇଲାକ ଜାତ

ଜଗତ ବାସନାରୂପେ ହୋଇଲା ବିଦିତ ।

ଉପମା ଦେବାକୁ ତାର ପଟାନ୍ତର ନାହିଁ

କୋଟି ସୂର୍ଯ୍ୟର ତେଜ ବିଧ୍ଵଂସୁଛି ତହିଁ ।

ଷାଠିଏ କୋଟି ଯୋଜନ ପଦ୍ମନାଡ଼ ଗୋଟି

ଜଳପ୍ରଳୟ ହୁଅନ୍ତେ ଉପରକୁ ଫୁଟି ।

ଚଉଦକୋଟି ପାଖୁଡ଼ା ଫୁଟିଲା ଉପରେ

ଚରାଚର ପୃଥିକୀକି ଘୋଟିଲା ତେଜରେ ।

ସହସ୍ରେକ ଯୁଗଯାଏ ବହିଲା ସେ ଘୋଟି

ସୁଗନ୍ଧରେ ଆମୋଦିଲା ଚରାଚର ସୃଷ୍ଟି ।

ଯେତେବେଳେ ପଦ୍ମଫୁଲ ଫୁଟି ବିକଶିଲା

ଶୂନ୍ୟୁ ଉଡ଼ି ଆସି ଏକ ଭ୍ରମର ବସିଲା ।

ସୁବର୍ଣ୍ଣ ବିନ୍ଦୁପରାୟେ ସେ ଭ୍ରମର କାୟା

ଆପେ ଅନ୍ତର୍ଯ୍ୟାମୀନାଥ ରଚିଲେକ ମାୟା ।

ପୁଷ୍ପ ଉପରେ ବସିଲା ସେ ଭ୍ରମର ପକ୍ଷୀ

ଶ୍ରଦ୍ଧାରେ ଚୁମ୍ବୀଲା ବସି ଶ୍ରମକୁ ଉପେକ୍ଷି ।

ପୟରୁ ଯେ ମକରନ୍ଦ ହୋଇଲାକ ବୃଷ୍ଟି

ତାର ଆସ୍ଵାଦନେ ତୋଷେ ଚରାଚର ସୃଷ୍ଟି ।

ସେ ନାଭିକମଳକୁ ସେ ଭମର ଚୁମ୍ଵିଲା

ତତକ୍ଷଣେ ସେହି ଦେବ ତନୁକୁ ଧଇଲା ।

ଅହତ ଆଶ୍ରା କରି ସେ ପାଇଁ ସିଦ୍ଧଅଙ୍ଗ

କଳ୍ପେ ପର୍ଯ୍ୟନ୍ତ ନ ପାଇ ସେ କାହାରି ସଙ୍ଗ ।

ଯେତେବେଳେ ତାର ବୁଦ୍ଧି ହୋଇଲାକ ଆନ

ଧ୍ୟାନେ ବିଷ୍ଣୁଙ୍କୁ ଦେଖିଲା ପାଇ ଦିବ୍ୟ ଜ୍ଞାନ ।

ସାମ ଯଜୁ ଋକବେଦ ଅଥର୍ବ ଯେ ସିଦ୍ଧି

ଆନ ଗ୍ରନ୍ଥମାନ ହେଲା ସିଦ୍ଧ ଅଙ୍ଗେ ଭେଦୀ ।

ବେଦର ଅନ୍ତ ଜାଣି ସେ ବେଦାନ୍ତ ପାଇଲା

ଓଁକାର ଶବ୍ଦ ବୃହତ ସାମକୁ ଗାଇଲା ।

ମନ ପବନ ଚୈତନ୍ୟ ଚିଆଁ ଚାରିଖଣ୍ଡ

ଏ ଚାରି କର୍ମରୁ ଜାତ ହେଲେ ଚାରିମୁଣ୍ଡ ।

ଉତ୍ତର ପଶ୍ଚିମ ପୂର୍ବ ଦକ୍ଷିଣ ମୂରତି

ଏ ଚାରି କର୍ମରୁ ପୁଣି ଦେହେ ଚାରିଗତି ।

ଚାର ମୁଖେ ଦେବଧ୍ଵନି କଲାକ ରଚନ

ଅପୂର୍ବ ଧ୍ଵନି ଶୁଭିଲା ଏ ତିନି ଭୁବନ ।

ଯୁକତେ ତ ପୁଣ୍ୟମୟ ହୋଇଛି ମେଦିନୀ

ସପତସ୍ଵରରେ ବ୍ରହ୍ମା କଲେ ବେଦ ଧ୍ଵନି ।

ଅଚେତନ ହୋଇ ସ୍ଵାମୀ ଯାଇଥିଲେ ନିଦ୍ରା

ଚକ୍ଷୁ ଫେଡ଼ିଣ ଚାହିଁଲେ ଭାଙ୍ଗେ ଯୋଗନିଦ୍ରା ।

ଚକ୍ଷୁ ମଳିଣ ଚାହିଁଲେ ପ୍ରଭୁ ବିଶ୍ଵବାସ

ନାଭିକମଳେ ବସିଛି ଏକଇ ପୁରୁଷ ।

ଚତୁର୍ମୁଖେ ଚତୁର୍ବେଦ କମଣ୍ଡଳୁ କରେ

ବହୁତ ସାମଧ୍ଵନି ସେ କରେ ନିରନ୍ତରେ ।

ଶୁଦ୍ଧ ସୁବର୍ଣ୍ଣର ଜ୍ୟୋତି ଅଟେ ତାର କାୟା

ଦେଖି ଦେବ ନାରାୟଣ କଲ ତାକୁ ଦୟା

ନାଭି କମଳ ଉପରେ ପିତାମହ ସ୍ଵୀମୀ

କରପତ୍ର ଯୋଡ଼ି ପୁଣି ଚରଣେ ପ୍ରମଣି ।

ଅନେକ ସ୍ତୁତି ବଚନ ଅନ୍ତର୍ଗତେ ଗୁଣି

ଚତୁର ମୁଖରେ ପୁଣି ସ୍ତୁତିବାଣୀ ଭଣି ।

ଜୟ ତୁ ନିରାକାର ଯେଦେବଙ୍କ ଦେବତା

ଜୟ ତୁ ନିରାକାର ହେ ସଂସାର କରତା ।

ଜୟ ତୁ ଜଗତନାଥ ଦେବ ଆଦିକନ୍ଦ

ଜୟ ତୁ ନାରାୟଣ ହେ ପରମ ଆନନ୍ଦ ।

ଜୟ ତୁ ନୀଳାଦ୍ରିନାଥ ନିରାକାର ରେଖା

ଜୟ ତୁ ନିରାକାର ହେ ସଂସାର ନଉକା ।

ସ୍ଵାମୀ ତୋ ତହୁଁ ସୁମୂର୍ତ୍ତି ଆନ କେହି ନାହିଁ

ତୋର ରୂପରେଖ ବର୍ଣ୍ଣ ଅଛି ଆଉ କାହିଁ ।

ଅନାଥ ଅରୂପ ତୋର ଅବ୍ୟକତ ଜ୍ୟୋତି

ଅକୁଳ ଅମୋହ ତୁ ଯେ ଅଶ୍ରୁତି ଅମୂତ୍ତି ।

ଶତ୍ରୁମିତ୍ର ଉଦାସୀନ ଏ ତୋହର ନାହିଁ

କୀଟ ବ୍ରହ୍ମ ପରିଯନ୍ତେ ଗର୍ଭେ ଅଛୁ ବହି ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗହିଁ ଭରି

ସଂସାର ଖେଳଘର କେ ପାରେ ଆନ କରି ।

ଏମନ୍ତେ ଅନେକ ସ୍ତୁତି କଲେ ଦେବବର

ଶୁଣିଣ ଦୟା ବସିଲା ହୃଦେ ବିଷ୍ଣୁଙ୍କର ।

ବ୍ରହ୍ମାଙ୍କୁ ଚାହିଁଣ ସ୍ଵାମୀ ବଚନ ବୋଇଲେ

ଉପାୟରେ ସୃଷ୍ଟି ଗୋଟା ଭିଆଅ ତୁ ଭଲେ ।

ସ୍ଥାବର ଜଙ୍ଗମ ଆଦି ଜୀବ ଚାରିଖାନି

କୀଟୁ ବ୍ରହ୍ମ ପରିଯନ୍ତେ ଭିଆଣ ଧରଣୀ ।

ମେରୁ ମନ୍ଦର ପର୍ବତ ଆଦି ଦିଗପାଳ

ସପତ ସମୁଦ୍ର ନଦୀ ବନ ଗିରିମାଳ ।

ମୂର୍ତ୍ତିମନ୍ତ ପ୍ରତିମା ତୁ ବସା ଯହିଁ ତହିଁ

ପ୍ରତିମାଙ୍କ ପୂଜାବିଧି ଭିଆଇବୁ ତୁହି ।

ଦେଲେ ଶାଢ଼ୀ ପରସାଦ ଶ୍ରୀମୁଖର ବାଣୀ

ସପତ ଦ୍ଵୀପ ପୃଥ୍ଵୀରେ ହୁଅ ତୁ କାରେଣୀ ।

ସକଳ ପ୍ରାଣୀଙ୍କର ତୁ ହେବୁ ଜୀବଦାତା

ସକଳ ବ୍ରହ୍ମାଣ୍ଡର ତୁ ହେବୁ ପିତା ମାତା ।

ଯୋଗାରୂଢ଼ ପ୍ରଭୁ ଏତେ ବଚନ କହିଲେ

ପରମଯୋଗୀ ସମାଧି ଯୋଗରେ ବସିଲେ ।

ପଦ୍ମପଦ ପାଇ ଧାତା ସେଠାରୁ ଅଇଲେ

ଯେବଣ ପ୍ରକାରେ ଏହି ସୃଷ୍ଟି ନିର୍ଭାକଲେ ।

ବିଶ୍ଵଭାରଭରକୁ ଯେ ଭିନ୍ନ ଭିନ୍ନ ପ୍ରତି

ଏକା ପରଂବ୍ରହ୍ମ ହେଲେ କେତେକ ମୁରତି ।

ଏମନ୍ତ ଯେ ଦେବପତି ଶୂନ୍ୟେ ଧ୍ୟାନ କରି

ଅଜପା ମହାମନ୍ତ୍ରକୁ ମନରେ ସୁମରି ।

ସପତ ସ୍ଵରରେ ଚାରି ବେଦକୁ ପଢ଼ିଲେ

ବତିଶ ଅଣାକାର ଯେ ତହୁଁ ପ୍ରକାଶିଲେ ।

ବେନି ଅକ୍ଷର ଛନ୍ଦିଲେ କରି ତିନିଠାବ

ସର୍ଜିଲେ ସେ ଆନ ଆନ କରି ନାନା ଜୀବ ।

ଆଠ ଅକ୍ଷର ବର୍ଣ୍ଣ ଯେ ଅବନା ଜପିଲେ

ସାବିତ୍ରୀ ନାମରେ କନ୍ୟା ତହୁଁ ଜାତକଲେ ।

ଅପୂର୍ବ ସୁନ୍ଦରୀ ସେହି ହୋଇ ନବଯୁବା

ନାହିଁ ତାକୁ ପଟାନ୍ତର ଉପମା କି ଦେବା ।

ଅଖିଳ ବ୍ରହ୍ମାଣ୍ଡ କୋଟି ଅଟେ ଜୀବଦାତା

ଓଁ କାରରୁ ଜନମିଲେ ଦେବଙ୍କର ମାତା ।

ଯାଗ ଯଜ୍ଞ ହୋମା ହବି ଯହିଁରେ ସେ ବିଧି

ଏହି ଚବିଶ ଅକ୍ଷରେ ବ୍ରହ୍ମା କରି ସିଦ୍ଧି ।

ଏ ବେନି କନ୍ୟା ହୋଇଲେ ସଂସାରକାରିଣୀ

ବ୍ରହ୍ମା ଭାରିଯା ଅନାଦି ଆଦି ଠାକୁରାଣୀ ।

ସୃଷ୍ଟି ଭିଆଣ ପୁରାଣ ହରିବଂଶ ବାଣୀ

ଅଚ୍ୟୁତାନନ୍ଦ ଦାସ ଯେ ଭଜେ ଚକ୍ରପାଣି ।

 

ବଂଶାନୁଚରିତ

କହନ୍ତି ଯେ ଶୁକମୁନି ଶୁଣ ନୃପମଣି

ଏଥୁ ଅନନ୍ତରେ ମହାରସ ଦିବ୍ୟବାଣୀ ।

ବଂଶାନୁଚରିତ ହରିବଂଶ କଥାଆଦି

ମୁକତିର ପତ ଏ ଯେ ଜ୍ଞାନକୁ ସମାଦି ।

ଏକମନ ହୋଇ ତୁମ୍ଭେ ଶୁଣ ମହାରାଜା

ଗାୟତ୍ରୀ ସାବିତ୍ରୀ ଦୁଇ ବ୍ରହ୍ମାଙ୍କ ଭାରିଯା ।

ଏ ବେନି ଜାତକଲେ ଯେ ଚାରିଗୋଟି ପୁତ୍ର

ଚାରିହେଁ ସଞ୍ଚିଲେ ଚରାଚର ଏ ଜଗତ ।

ଶୁକ ସନାତନ ମୁନି ନାରଦ ଏ ତିନି

ଯୋଗାରୁଢ଼ ହେଲେ ବ୍ରହ୍ମଚର୍ଯ୍ୟ ଦୀକ୍ଷା ଘେନି ।

ବିଧାତା ସମାନ ହେଲେ ଏ ପରମଯୋଗୀ

ଜନ୍ମହୋଇ ପୁତ୍ରେ ଗଲେ ସଂସାରକୁ ତ୍ୟାଗୀ ।

ସଂସାରତ୍ୟାଗୀ ହୁଅନ୍ତେ କଲେ ସାଧୁସଙ୍ଗ ।

ମହାଶୂନ୍ୟର ଭିତରେ ଗୋପ୍ୟ କଲେ ଅଙ୍ଗ ।

ସଂସାର ଇଚ୍ଛା ଛାଡ଼ିଲେ ତେଜି ମାୟା ମୋହ

ପରଂବ୍ରହ୍ମେ ଲୀନ କଲେ ଆପଣାର ଦେହ ।

 

ଧାତା ବିଚାରିଲେ ଏବେ କରିବି କି ବୁଦ୍ଧି

ତ୍ରିପୁତ୍ର ଜାତକରି ନ ହେଲା କାର୍ଯ୍ୟସିଦ୍ଧି ।

ଏତେକ ବୋଲି ସାବିତ୍ରୀ ଅଙ୍ଗସଙ୍ଗ ରସେ

ପୁତ୍ର ଏକ ଜାତକଲେ କେତେକ ଦିବସେ ।

ଦକ୍ଷ ପ୍ରଜାପତି ବୋଲି ଦେଲେ ତାଙ୍କ ନାମ

ଅପୂର୍ବ ମୁରତି କି ସେ ଅଭିନବ କାମ ।

ତେଜୋବନ୍ତ ବୁଦ୍ଧିମନ୍ତ ଅଟଇ ସେ ସୁତ

ସାବିତ୍ରୀ ଯାହାର ମାତା ବ୍ରହ୍ମା ଯାର ତାତ ।

ସର୍ବଗୁଣେ ସୁଲକ୍ଷମ ଧାତା ପୁତ୍ର ଗୋଟି

ସର୍ବ କର୍ମ ଧର୍ମେ କି ସେ ଦ୍ଵିତୀ ପରମେଷ୍ଠୀ ।

ସେ ପୁତ୍ରକୁ ଦେବପତି ଛାମୁକୁ ଦକାରି

ବୋଇଲେ ନବୀନ ସୃଷ୍ଟି ଭିଆଣ ଯତ୍ନକରି ।

ପୁତ୍ର ଦ୍ଵାରା ଧନ ଜନ ଆଦି ଯେତେ କର୍ମ

ଆପଣେ ଭିଆଇ ଯାଇ ସଂସାରିକ ଧର୍ମ ।

ପିତାଙ୍କର ଆଜ୍ଞାପାଇ ପୁତ୍ର ଚଳିଗଲା

ପଞ୍ଚାଶ ସହସ୍ର ପୁତ୍ର ମନୁ ଜାତ କଲା ।

ବୋଇଲେ ରେ ବାବୁ ତୁମ୍ଭେ ସୃଷ୍ଟିଯାଇ କର

ପିତାଙ୍କର ଆଜ୍ଞାପାଇ ଚଳିଲେ କୁମର ।

ଥୋକାଏ ଦୂରେ ନାରଦ ମୁନିଙ୍କୁ ଦେଖିଲେ

ଦୂରୁ ନମସ୍କାର କରି ପାଶେ ଚଳିଗଲେ ।

ଜେଡ଼ୁତା ଛାମୁରେ ପୁତ୍ର ପ୍ରବେଶିଲେ ଯାଇଁ

ନମସ୍କାର କରି ପୁଣି ଆଗେ ଉଭାହୋଇ ।

ନାରଦ ବୋଇଲେ କେଣେଯିବ ଆରେ ବାବା

କୁମର ବୋଇଲେ ଏହି ସଂସାର ରଚିବା ।

ତେବେ ସିନା ପୃଥିବୀରେ ହୋଇବୁ କାରେଣି

ଏମନ୍ତ ଶୁଣି କହନ୍ତି ଯେ ନାରଦ ମୁନି ।

ଅହନ୍ତା ବହି ନାରଦେ ଚାହିଁ କୁମରକୁ

କେମନ୍ତେ ସୃଷ୍ଟି ବିହିବୁ ଯାଇଁ ସେ ମଞ୍ଚକୁ ।

ସଂସାର ଧନ୍ଦାରେ ପଡ଼ି ହେଉଥିବୁ ଧନ୍ଦି

ଆମ୍ଭଭଳି ଲୋକ ଯେ ନ ପାରି ହେଲୁ ଛନ୍ଦି ।

ଅଜ୍ଞାନ ବାଳକେ ତୁମ୍ଭେ ନ କରି ରାଇଜ

ସ୍ଵର୍ଗ ମଞ୍ଚ ପାତାଳରେ ପାଇବଟି ଲାଜ ।

ଆବର ଶୁଣ ବାବୁରେ କହିବା କଥାଏ

ସୃଷ୍ଟିଯାକ ଭ୍ରମି ତୁମ୍ଭେ ଦେଖରେ ତନୟେ ।

ଏତେକ କହି ନାରଦ ପୁତ୍ରଙ୍କୁ ଚାହିଁଲେ

ଉପହାସ କରି ପୁଣି ବଚନ ବୋଇଲେ ।

ତୁମ୍ଭେ ସମସ୍ତେ ବାଳକ ନ ଜାଣ କପଟ

କେମନ୍ତେ ସୃଷ୍ଟି କରିବ ବିଷ୍ଣୁମାୟା କୂଟ ।

ବିଷ୍ଣୁଙ୍କୁ ଆଗ ପ୍ରସନ୍ନ କର ତୁମ୍ଭେ ଯାଇ

ଯୁଗରାଜ୍ୟ କର ପଛେ ସୃଷ୍ଟିକି ଭିଆଇ ।

ବିଷ୍ଣୁ ସେବିଲେ ପାଇବ ସିନା ସଦବୁଦ୍ଧି

ଯେତେକ କାର୍ଯ୍ୟ କରିବ ହେବ ସବୁ ସିଦ୍ଧି ।

ସକଳ ସିଦ୍ଧିଦାୟକ ବିଷ୍ଣୁ ଯେ କାରଣ

ସବୁଗୁଣେ ଗୁଣବନ୍ତ ଦେବ ନାରାୟଣ ।

ବିଷ୍ଣୁ ସେବା କର ବାବୁ ବିଷ୍ଣୁ ସର୍ବରୂପୀ

ଅଶେଷ କୋଟି ବ୍ରହ୍ମାଣ୍ଡଯାକ ଅଛି ବ୍ୟାପି ।

ଯହିଁ ଲୋଡ଼ିବ ତହିଁରେ ଦେବ ନାରାୟଣ

ସାବଧାନ ହୋଇ ଏବେ ପୁତ୍ରମାନେ ଶୁଣ ।

ଭକତକୁ ସୁପ୍ରସନ୍ନ ହୋନ୍ତି ଭାବଗ୍ରାହୀ

ବିଷ୍ଣୁ ବିନା ଏ ପୃଥ୍ଵୀରେ ଆନ କେହି ନାହିଁ ।

ଏ ସଂସାରଯାକ ଯାର ଘୋଟିଅଛି ମାୟା

ଯେ ପ୍ରାଣୀବଣାହୋଇ ସେ ବିଷ୍ଣୁରେ ଦୋରେହା ।

ଏହା ଶୁଣି କୁମର ଯେ ବିଷ୍ଣୁ ଲୋଡ଼ିଗଲେ

ଭେଟ ନ ପାଇଣ ସେହି ପୃଥ୍ଵୀରେ ବୁଲିଲେ ।

ଏହିମତେ ତହିଁ ଜାଣ କେତେ ଦିନ ଗଲା

ତଦନ୍ତ କରି ନ ପାରି ବିଷ୍ଣୁମାୟା ଲୀଳା ।

ଏହା ଶୁଣି ପ୍ରଜାପତି ମନେ କ୍ରୋଧ କଲେ

ଅକାରଣେ ଏତେ ପୁତ୍ର ମୋର ନାଶଗଲେ ।

ଅନେକ କାଳ ଗଲେ ତ ନଇଲେ ମୋ ପାଶ

ସେ ପୁତ୍ରମାନଙ୍କୁ ଆଉ ଅଛି କି ମୋ ଆଶ ।

ବିଚାର କଲେ ଏବେ ମୁଁ କରିବି କି ବୁଦ୍ଧି

ପଞ୍ଚାଶ ସହସ୍ର ପୁତ୍ରେ ଗଲେକ ଅବଧି ।

ସୃଷ୍ଟି ଭିଆଇବା ପାଇଁ ଯାଇ ହେଲେ ବଣା

କେତେ ମୁଁ ସହିବି ଆଉ ଲୋକଙ୍କ ଗଞ୍ଜଣା ।

ସଂସାର ସର୍ଜିବା ପାଇଁ ପିତା ଦେଲେ ଆଜ୍ଞା

ତାହାର ବଚନ ଏବେ ହୋଇଲା ଅବଜ୍ଞା ।

ଏମନ୍ତ ବିଚାରି ସେହି ଦକ୍ଷ ପ୍ରଜାପତି

ପୁଣି କଳ୍ପନାରୁ ଜାତ କଲେକ ସନ୍ତତି ।

ସେ ପଞ୍ଚାଶ ସହସ୍ରଙ୍କୁ ବେଦ ପଢ଼ାଇଲେ

ସୃଷ୍ଟି ଭିଆଇବା ପାଇଁ ତାଙ୍କୁ ଆଜ୍ଞାଦେଲେ ।

ଚଳିଲେ ସେ ପୁତ୍ରମାନେ ପିତାଙ୍କ ଆଦେଶେ

ଯାଉଁ ଯାଉଁ ମିଳିଲେକ ନାରଦଙ୍କ ପାଶେ ।

ଜ୍ୟେଷ୍ଠ ତାତଙ୍କୁ ଦେଖିଣ ପ୍ରଜାପତି ବଳେ

ଶୁତିଲେ ସେ ନମସ୍କାର କରି ପାଦତଳେ ।

ନାରଦ ବୋଇଲେ ତୁମ୍ଭେ କେଣିକିରେ ଯିବ

ଏଥିର ସନ୍ଦେଶ ବାବୁ ଆମ୍ଭଙ୍କୁ କହିବ ।

ପୁତ୍ରେ ବୋଇଲେ ଆମ୍ଭଙ୍କୁ ଆଜ୍ଞାଦେଲେ ଦକ୍ଷ

ସୃଷ୍ଟି ସଜନା କରିଣ ଆମ୍ଭେ ହେବୁ ରକ୍ଷ ।

ସକଳ ସଂସାର ଆମ୍ଭେ ଭିଆଇବୁ ଯୋଗେ

ନାରଦ ବୋଇଲେ ବିଷ୍ଣୁ ଭେଟଯାଇ ଆଗେ ।

ବିଷ୍ଣୁଙ୍କୁ ନ ଭେଟିଲେ ନ ହେବ କିଛି କାର୍ଯ୍ୟ

ପଛେ ପାଇବ ପୁତ୍ର ରେ ତୁମ୍ଭେ ବଡ଼ ଲାଜ ।

କୁମରେ ବୋଇଲେ ପିତା ଯଥାର୍ଥ ଅଟଇ

ବିଷ୍ଣୁ ବିନା କେହି ଚରାଚରନ ଗଢ଼ଇ ।

ବିଷ୍ଣୁ ଯେବେ ନ ଦେବଟି ଶ୍ରୀମୁଖ ବଚନ

ଯେତେକ କାର୍ଯ୍ୟ କରିବା ସବୁ ଅକାରଣ ।

ଏତେକ ବୋଲି କୁମରେ ବିଷ୍ଣୁ ଲୋଡ଼ିଗଲେ

ଅନେକ କାଳ ବୁଲି ସେ ଭେଟ ନ ପାଇଲେ ।

ଏକ ଏକ ଗଲେ ସେହି ଦିଗମ୍ଵର ହୋଇ

କେ କାହିଁ ଅଛି କା କଥା ନ ଜାଣିଲେ କେହି ।

କୁଟ କରନ୍ତି ନାରଦ ମୁନି ବ୍ରହ୍ମଚାରୀ

ହିଂସା ବହିଲେ ସାବତ ପୁତ୍ର ଗୁଣ ଧରି ।

ସତ୍ୟବଚନ କହିଣ ଭାବେ ଭଣ୍ଡି ଦେଲେ

କନିଷ୍ଠ ଭାଇ ପୁତ୍ରକୁ ପୃଥ୍ଵୀ ଭ୍ରମାଇଲେ ।

ଏମନ୍ତ ଲକ୍ଷେ କୁମର କାରଣ ନୋହିଲେ

ଦକ୍ଷ ପ୍ରଜାପତି ବସି ମନେ ଚିନ୍ତା କଲେ ।

ଅର୍ଜିଲି ମୁଁ ଗୁଣବନ୍ତ ପୁତ୍ର ବହୁ ଦୁଃଖେ

ପୃଥିବୀ କରିଣ ସେହି ସିନା ଏକେ ଏକେ ।

ଏଡ଼େ ଏଡ଼େ ପୁତ୍ର ମୋର ଅକାରଣେ ଗଲେ

ନାରଦ ବୁଦ୍ଧିରେ ମୋର ପୁତ୍ର ବୁଲି ମଲେ ।

ଚଣ୍ଡାଳ ସାବତ ପୁତ୍ରହିଂସା ମନେ ଧରି

ପୁତ୍ରକଷ୍ଟ ଦେଲା ମୋତେ କୁବୁଦ୍ଧି ବିଚାରି ।

ଜ୍ୟେଷ୍ଠ ଶ୍ରେଷ୍ଠପୁତ୍ରେ ମୋର ଜ୍ଞାନେଧ୍ୟାନେ ଗୁରୁ

ଅଜାତଶତ୍ରୁ ସେ ବ୍ରହ୍ମବେତ୍ତା ମହାମେରୁ ।

ସତ ସୁବୁଦ୍ଧି ବାଞ୍ଛି ସେ ପୁତ୍ର ନାଶଗଲେ

ଏଡ଼େ ବଳବନ୍ତ ପୁତ୍ରେ ବିଅର୍ଥ ହୋଇଲେ ।

ଦିଗପାଳ ସମ ପୁତ୍ର ହୋଇଲେ ନିରେଖ

ଦାରଦ ଯୋଗୁ ମୋହର ହେଲା ଏତେ ଦୁଃଖ ।

ତପୋଧନ ହୋଇ ଯେବେ ପରେ ବଇରାଗୀ

ବଇଦ ହୋଇ ଶରୀରେ ହୁଏ ଯେବେ ରୋଗୀ ।

ସୋଦର ହୋଇ ଯେବେ ସେ ହୁଏ କୁଳଭେଦ

ପିତା ହୋଇଣ ପୁତ୍ରକୁ ଦିଏ ଯେବେ ଖେଦ ।

କୁଳସ୍ତିରୀ ହୋଇ ଯେବେ ଛାଡ଼େ ଜାତିଲଜ୍ଜା

ପ୍ରଜାପତି ହୋଇ ଯେବେ ନାରୀକରେ ତେଜ୍ୟା ।

ଏ ନାରଦ ସଦାଚାରେ ବ୍ରହ୍ମଚର୍ଯ୍ୟ ରୂପ

ଜାଣୁ ଜାଣୁ କେମନ୍ତେ ସେ ଅର୍ଜିଲା ଏ ପାପ ।

ସୋଦର ହୋଇ ସେ କଲା କୁଳ ଛେଦଭେଦ

ସବୁକାଳେ ତା ଶରୀରେ ଥାଉ କଳିବାଦ ।

ଏସନକ ଶାପ ଯହୁଁ ପ୍ରଜାପତି ଦେଲେ

ହସ୍ତ ପ୍ରସାରି ନାରଦ ତାହାଙ୍କୁ ଘେନିଲେ ।

ବୀଣା ବଜାଇଣ ସେ ଯେ ଗଲେ ବ୍ରହ୍ମଲୋକେ

ମନରେ ଅତି ଆନନ୍ଦ ହୋଇଲେ ନିଶଃଙ୍କେ ।

ଏଥୁ ଅନନ୍ତରେ ତୁମେ ଶୁଣ ମହାପତି

ଦକ୍ଷ ତହୁଁ ଗଲେ ଯହିଁ ବ୍ରହ୍ମା ବସିଛନ୍ତି ।

ସକଳ ବୃତ୍ତାନ୍ତ ତାଙ୍କୁ କହିଲେ ବୁଝାଇ

ନାରଦ ବଚନେ ଗଲେ ଦିଗମ୍ଵର ହୋଇ ।

ଗଲେ ଯେ ପୁତ୍ରେ ନୋହିଲା କାର୍ଯ୍ୟ କିଛି ସିଦ୍ଧ

ସଂସାର ଧାରଣ ପୁତ୍ରେ ହେଲେ କାହିଁ ବଧ ।

ପୁତ୍ରଶୋକେ ହୋଇଲି ମୁଁ ଏବେ ମହାକଷ୍ଟୀ

ମୋର ଭିଆଣେ ନୋହିବ ଆଉ ନବସୃଷ୍ଟି ।

ଏମନ୍ତେ ପୁଣି ସେ ବ୍ରହ୍ମା ଅନ୍ତର୍ଗତ ଭାଳି

ନବପୁତ୍ର ଜାତ କଲେ ବୀର୍ଯ୍ୟବନ୍ତ ବାଳୀ ।

ଅତ୍ରି ଅଙ୍ଗିରା ପୁଲସ୍ତ୍ୟ ମରୀଚି ପ୍ରଚେତା

କଶ୍ୟପ ବଶିଷ୍ଠ ଭୃଗୁ କ୍ରତୁ ବ୍ରହ୍ମବେତ୍ତା ।

ଏ ନବ କୁମରେ ଦେଲେ ଧାତାଙ୍କର ପୁତ୍ର

ନବସୃଷ୍ଟି କରିବାକୁ ନବମୁନି ଜାତ ।

ଏ ନବପୁତ୍ରଙ୍କ ଯୋଗୁ ବ୍ରହ୍ମାଣ୍ଡ ସମ୍ଭବ

ପଶୁ ପକ୍ଷୀ ବୃକ୍ଷ ଦେବ ଦାନବ ମାନବ

ସ୍ଵେଦ ଅଣ୍ଡଜ ଉଦ୍ଦିଦ ଜରାୟୁଜ ଚାରି

ଅକାର ଉକାର ଆଉ ମକାରରୁ କ୍ଷରି ।

ଏମାନେ ଏ ନବପୁତ୍ର ଠାରୁ ଜାତ ହେଲେ

ଶୁଣ ହେ ପରୀକ୍ଷ ବୋଲି ଶୁକ ଯେ କହିଲେ ।

ଭୃଗୁଙ୍କ ଭାରିଯା ଜାଣ ଭାର୍ଗବୀ ଯେ ନାରୀ

ଭାର୍ଗର୍ବ ବୋଲି ପୁତ୍ରେକ ହୋଇଲା ତାହାରି ।

ମରୀଚି ପୁତ୍ର ରୁଚିକ ନାମେ ମହାମୁନି

ରୁଚକ ପୁତ ଅଟଇ ମୁନି ଜମଦଗ୍ନି ।

ଜମଦଗ୍ନିରେ ଭାରିଯା ରେଣୁକା ସୁନ୍ଦରୀ

ଜାତକଲେ ପର୍ଶୁରାମ ଆଦି ପୁତ୍ର ଚାରି ।

ଅଙ୍ଗିରା ଋଷିର ପୁତ୍ର ଅଙ୍ଗିରସ ଯତି

ସେ ଅଙ୍ଗିରସଙ୍କ ପୁତ୍ର ହେଲେ ବୃହସ୍ପତି ।

ବୃହସ୍ପତିଙ୍କ ନନ୍ଦନ ଭରଦ୍ଵାଜ ମୁନି

ତାହାଙ୍କ ନନ୍ଦନ ଦ୍ରୋଣ ବୀର ଚୂଡ଼ାମଣି ।

ଦ୍ରୋଣପୁତ୍ର ଅଶ୍ଵଥମା ନାମେ ତପଚାରୀ

ସିଦ୍ଧ ଅଙ୍ଗ ହେଲେ ନିରଞ୍ଜନ ସେବା କରି ।

ପୁଲସ୍ତ୍ୟ ମୁନିର ପୁତ୍ର ନାମ ପଉଲସ୍ତି

ବାରୁଣୀ ନାମେ ଭାରିଯା ତାର ରୂପବତୀ ।

ବିଶ୍ଵାବସୁ ନାମେ ଆଠପୁତ୍ର ହେଲା ତାର

ବିଶ୍ରବା ନାମେ ଯେ ଋଷି ହୋଇଲା ଆବର ।

ବଇଶ୍ରବଣ ନାମରେ ବିଶ୍ରବା ନନ୍ଦନ

ରାବଣ ଯେ କୁମ୍ଭକର୍ଣ୍ଣ ବିଭୀଷଣ ଜାଣ ।

ନଳକୁବର ଯେ ବଇଶ୍ରବଣର ସୁତ

ଚତୁର୍ଥେ ଗାୟତ୍ରୀଠାରେ ଯେଉଁ ପୁତ୍ର ଜାତ ।

ଦେବମନ୍ତ୍ରେ ଜିତ ସେହି ତାର ଶୁଦ୍ଧକାୟା

ସେ ପୁତ୍ରଠାରେ କରନ୍ତି ପିତା ବଡ଼ଦୟା ।

କ୍ରୁତୁଙ୍କର ପୁତ୍ର ନାମ ଅଟେ ବୃହଦୃପ

ଯେବଣ ନନ୍ଦନ ନାମ ଅଟଇ କଶ୍ୟପ ।

ସେ ଋଷିର ତେରଗୋଟି ଭାରିଯା ଯୁକତେ

ଏହାଙ୍କ ତହୁଁ ଜନମ ନାନାବର୍ଣ୍ଣ ଯେତେ ।

ଦିତି ଅଦିତି ବିନତା କଦ୍ରୁ ଚନ୍ଦ୍ରାବତୀ

ଛାୟା ମାୟା ଉତ୍କଳା ଯେ ନୀଳା ରୂପକାନ୍ତି ।

ମେଖଳା ଯେ ତିଳୋତ୍ତମା ଲୋଚନା ଆବର

ଏତେ ତେର ଭାରିଯା ଅଟେ କଶ୍ୟପ ଋଷିର ।

ଦିତିର ତହୁଁ ଦଇତମାନେ ଉପୁଜିଲେ

ଅଦିତୀ ଦେବୀ ଗର୍ଭରୁ ଦେବତା ଜନ୍ମିଲେ ।

କଦ୍ରୂର ତହୁଁ ଜନମ ହେଲେ ନାରାୟଣ

ପକ୍ଷୀଏ ଅଟନ୍ତି ଜାଣ ବିନତା ନନ୍ଦନ ।

ଭୂତ ପ୍ରେତ ଉପୁଜିଲେ ଛାୟା ମାୟାଠାରୁ

ଗ୍ରହେ ଉପୁଜିଲେ ଚନ୍ଦ୍ରାବତୀର ଗର୍ଭରୁ ।

ମାନବଙ୍କ ଗର୍ଭଧାରୀ ଉତ୍ପଳା ହୋଇଲେ

ନୀଳାନାମେ କନ୍ୟା ତାରାଗମ ଜାତ କଲେ ।

ମତ୍ସ କୂର୍ମଙ୍କ ଜନନୀ ମେଖଳା ଅଟଇ

ତିଳୋତ୍ତମା ଗର୍ଭୁ ପଶୁ ପତଙ୍ଗ ହୁଅଇ ।

ଲୋଚନା ତହୁଁ ସକଳ ଜନ ଉତପତ୍ତି

ସ୍ଥାବରଙ୍କ ମାତା ଅଟେ ଦେବୀ ରୂପକାନ୍ତି ।

କଶ୍ୟପଙ୍କଠାରୁ ଜାତ ଚାରିଖାନି ଜୀବ

ସର୍ପ ପତଙ୍ଗ ସହିତେ ଦେବତା ଗନ୍ଧର୍ବ ।

ପୁଲହ ସୁକୀର୍ତ୍ତି ପ୍ରଜାଗର ପୁତ୍ର ତିନି

ଜାତ କଲେ ଏହି ଚରାଚର ଯେ ମେଦିନୀ ।

ଋକ ଯଜୁ ସାମବେଦ ଅଥର୍ବ କରତା

ବ୍ରାହ୍ମଣମାନଙ୍କର ସେ ହେଲେ ଜୀବଦାତା ।

କଲେ ହବି ହୋମ ସନ୍ଧ୍ୟା ଜପ ତପ ଯୋଗ

ଯାଗରେ ଏହାଙ୍କୁ ଆଗ ଦେବ ହବିର୍ଭାଗ ।

ଏହାଙ୍କୁ ନ ବରି ଯେହୁ କରେ ହୋମବିଧି

ତାର କଲା କର୍ମମାନ ନୁହେ କେଭେ ସିଦ୍ଧି ।

ଆବର ଧାତାର ପୁତ୍ର ବଶିଷ୍ଠ ଯେ ମୁନି

ସୂର୍ଯ୍ୟବଂଶ ପୁରୋହିତ ଅଟନ୍ତି ସେ ଜ୍ଞାନୀ ।

ବଶିଷ୍ଠ ଭାରିଯା ନାମ ଅଟେ ଅରୁନ୍ଧତୀ

ତାହାଙ୍କଠାରୁ ଜାତ ହେଲେ ମୁନି ଯେ ଶକତି ।

ଶକତିଠାରୁ ଜାତ ପରାଶର ହେଲେ

ବେଦବ୍ୟାସ ନାମେ ପୁତ୍ର ତହୁଁ ଉପୁଜିଲେ ।

ତାହାଙ୍କ ନନ୍ଦନ ଆମ୍ଭେ ଶୁକମୁନି ହେଲୁଁ

ଅନେକ କାଳ ପର୍ଯ୍ୟନ୍ତ ମାତୃଗର୍ଭେ ଥିଲୁ ।

ପାଇଲୁ ମାତାର ଗର୍ଭେ ଥାଇ ଦିବ୍ୟଜ୍ଞାନ

ଅଜାତ ସେ ବ୍ରହ୍ମବେତ୍ତା ରୂପେ ବିଦ୍ୟମାନ ।

 

ଚନ୍ଦ୍ରଜନ୍ମ

ଆରେକ ପୁତ୍ର ଧାତାର ଅତ୍ରି ନାମେ ଯତି

ଅନୁସୂୟା ନାମେ ତାର ପତ୍ନୀ ପ୍ରିୟବତୀ ।

ଅପୂର୍ବ ସୁନ୍ଦରୀ ତାକୁ ନାହିଁ ନା ଉପମା

ତ୍ରୈଲୋକ୍ୟ ମଧ୍ୟରେ ସେହି ଅପୂର୍ବ ପ୍ରତିମା ।

ସୁରସିଦ୍ଧ ମୋହିନୀ ସେ ନବଯୁବା ବାଳୀ

ପବିତ୍ର ବ୍ରହ୍ମପତ୍ନୀ ସେ ଅଗ୍ନିତୁଲ୍ୟ ଝଳି ।

ପତିବ୍ରତା ଶିରୋମଣି ଅଟେ ଅନୁସୂୟା

ରୂପଗୁଣ ଦେଖି ମୋହ ହୁଏ ମୁନିକାୟା ।

ଭାରିଯାକୁ କ୍ଷଣେ ପାଶୁଁ ନ ଛାଡ଼ଇ ମୁନି

ଯେଣିକି ଗଲେ ସଙ୍ଗରେ ତାକୁ ଥାନ୍ତି ଘେନି ।

ସ୍ଵାମୀର ସଉଭାଗୀ ସେ ଅଟେ ପୁଣ୍ୟଦେହୀ

ତିନିଭୁବନେ ତାହାକୁ ସମ କେହି ନାହିଁ ।

ଏକଦିନେ ଅନୁସୂୟା ସେହି ପୁଣ୍ୟନାରୀ

ମୁନିଙ୍କ ସଙ୍ଗତେ ଗଲା ଗଙ୍ଗାସ୍ନାନ କରି ।

ଦଣ୍ଡ କମଣ୍ଡଳୁ ଆଦି ଯତି କୂଳେ ଥୋଇ

ଗଙ୍ଗାନଦୀ କୂଳେ ମୁନି ଉଭା ହେଲେ ଯାଇ ।

 

ପଶିଣ ସ୍ନାନ କରନ୍ତି ବୁଡ଼ି ଗଙ୍ଗାଜଳେ

ସନ୍ଧ୍ୟା ତପଣ ସାରିଲେ ଆସି ରହି କୂଳେ ।

ମୁନିଙ୍କ ସଙ୍ଗେ ଜଳରେ ପଶି ଅନୁସୂୟା

ପବିତ୍ର ଜଳ ଭିତରେ ପଖାଳିଲେ କାୟା ।

ମହାଗଭୀର ଜଳରେ ବୁଡ଼ିଲେ ସୁନ୍ଦରୀ

କପଟରେ ଗଙ୍ଗାଦେବୀ ନେଲେ ତାକୁ ହରି ।

ପାତାଳ ବିଦରେ ନେଇ ଥୋଇଲେ ଯୁବତୀ

ସନ୍ଧ୍ୟା ସାରିଣ ଚାହାନ୍ତି ମୁନି ଚଉକତି ।

ଘଡ଼ିଏ ଏର୍ଯ୍ୟନ୍ତେ କୂଳେ ରହିଛନ୍ତି ଚାହିଁ

ଏକାବେଳେ ବୁଡ଼ି ପୁଣ ନ ଉଠିଲା ସେହି ।

ମୁନିଙ୍କର ପଞ୍ଚଭୂତ ଆତ୍ମା ଅନୁସୂୟା

ପତ୍ନୀ ନ ଦେଖି ମୁନିର ବିଚଳିତ କାୟା ।

ଝରଝର ନୟନରୁ ବହେ ଅଶ୍ରୁଜଳ

ଛନ୍ନଛନ୍ନ ମନ ପ୍ରାଣ ଉଡ଼େ ଅନ୍ତରାଳ ।

ଚାହିଁଲେ ଜଳ ଭିତରେ ମୁନି ପୁଣି ପଶି

ଦନ୍ତ ଘେନି ପାଣିଯାକ ଦରାଣ୍ଡନ୍ତି ଋଷି ।

ଅନେକ ପ୍ରକାରେ ଲୋଡ଼ି ନ ପାଇ ଭାରିଯା

ତପସ୍ୟା ସହିତ ମୁନି ସବୁ କଲେ ତେଜ୍ୟା ।

ଗଙ୍ଗାକୂଳେ ବସି ଏକ ମୃଗଛାଲ ମାଡ଼ି

ଦଣ୍ଡକମଣ୍ଡଳୁ ରଖି କର୍ମମାନ ଛାଡ଼ି ।

ପତ୍ନୀ ରୂପ ଗୁଣମାନ ବାହୁନ୍ତି ମୁନି

ବିକଳେ ପୁଣି ରୋଦନ୍ତି କରି ଉଚ୍ଚଧ୍ଵନି ।

ଅନୁସୂୟାକୁ ନ ଦେଖି ଅସାଷ୍ଟମ ହୋଇ

କୋପେ ଗଙ୍ଗାଙ୍କୁ ସେ ମୁନି କଟାକ୍ଷରେ ଚାହିଁ ।

ମୁନି ବୋଇଲେ ଗଙ୍ଗା ତୁ ମହାପାପ କଲୁ

ଅଦୋଷେ ପତ୍ନୀକୁ ମୋର ବୁଡ଼ାଇ ରଖିଲୁ ।

ବ୍ରହ୍ମସ୍ତିରୀ ନାଶକରି ହେଲୁ ମହାପାପୀ

ତୀର୍ଥଙ୍କ ମଧ୍ୟରେ ନ ବସି ହେଲୁ କାଳରୂପୀ ।

ଯେବେ ମୋର ଭାରିଯାକୁ ନ ଦେବୁ ତୁ ଆଣି

ଗଣ୍ଡୁଷ କରି ଭକ୍ଷିବି ତୋତେ ମୁଁ ଏକ୍ଷଣି ।

ପୂର୍ବେ ଯେସନେ ଅଗସ୍ତି ସିନ୍ଧୁଜଳ ଗ୍ରାସି

ସାତ ସମୁଦ୍ର ଶୁଖାଇ ବ୍ରହ୍ମତେଜେ ଶୋଷି ।

କି କରିବୁ କାହିଯିବୁ ମୋର ହୋଇ ଦୋଷୀ

ତୋ ଜଳ ଶୋଷି ମୁଁ ନେବି ଭାରିଯା ସୁକେଶୀ ।

ଏତେ ବୋଲି ମୁନି ତୋଳି ଜାହ୍ନବୀର ପାଣି

ସତ୍ୟ ସତ୍ୟ ସତ୍ୟ ବୋଲି ତିନିବାର ଭଣି ।

ଜାଣି କାଶୀବାସୀ ଆସି ଗଙ୍ଗାକୁ କହିଲେ

ମୁନିର ପତ୍ନୀକୁ ଆଣି ଦିଅ ଗୋ ବୋଇଲେ ।

ଈଶ୍ଵରଙ୍କ ବଚନରେ ଗଙ୍ଗାଦେବୀ ଯାଇ

ଅତ୍ରି ଋଷି ଭାରିଯାକୁ ଆଣି ଦେଲେ ତହିଁ ।

ନିଜ ପତ୍ନୀ ଦେଖି ମୁନି ସନ୍ତୋଷ ହୋଇଲେ

ବଦନେ ଚୁମ୍ଵନ ଦେଇ କୋଳେ ବସାଇଲେ ।

ଅତ୍ରିଋଷି ନୟନରୁ ଗଳିଲା ଯେ ନୀର

ଠୁଳହୋଇ ମନ୍ଦ ବାନ୍ଧି ରହି ଏକଠାର ।

ଶୁଦ୍ଧ ସ୍ଫୁଟିକ ପରାୟ ଦିଶେ ଦିବ୍ୟଜ୍ୟୋତି

ସର୍ବଗୁଣେ ସୁନ୍ଦର ସେ କନ୍ଦର୍ପ ମୁରତି ।

ଦେଖି ଈଶ୍ଵର ତାହାକୁ ତୋଳି ଧରି କରେ

ବଳି ବଳି କରି ରଖି ପୁରୁଷ ଆକାରେ ।

ଅମୃତନୟନେ ଚାହିଁ ଦିବ୍ୟଦୃଷ୍ଟି ଦେଇ

ପୁରୁଷେକ ହେଲା ମହାବଳବନ୍ତ ହୋଇ ।

ଗୋକ୍ଷୀର ଶୁକଳବର୍ଣ୍ଣ ମୁକୁତାର ଜ୍ୟୋତି

ସର୍ବଗୁଣେ ସୁଲକ୍ଷଣ ମଧୁର ମୁରତି ।

କୁମର ଦିବ୍ୟମୁରତି ଦେଖି କାଶୀବାସୀ

ଆଶ୍ଵାସନା କରି ଧୀରେ ବଚନ ପ୍ରକାଶି ।

ଅତ୍ରି ଋଷିଙ୍କର ତୁମ୍ଭେ ଅଟ ପୁତ୍ରଗୋଟି

ଆମ୍ଭେ ସନ୍ତୋଷ ହୋଇଲୁ ରୂପେ ରଖି ଦୃଷ୍ଟି ।

ବ୍ରହ୍ମାଙ୍କର ନାତି ତୁମ୍ଭେ ମହାଋଷି ବତ୍ସ

ଜାତି ଗୋତ୍ର ତୁମ୍ଭଙ୍କୁ ନାହିଁ ସମକଚ୍ଛ ।

ଅଯୋନିସମ୍ଭୁତ ତୁ ଯେ ଅଟୁ ପୁଣ୍ୟମୟ

ଯୁଗେ ଯୁଗେ ଅମର ଯେ ହେଉ ତୋର କାୟ ।

ଅମୃତ ଲୋଚନେ ତେଣୁ ଦେଲୁ ଆମ୍ଭେ ଦୃଷ୍ଟି

ନିରତେ ଅମୃତ ତେଣୁ କରୁଥିବୁ ବୃଷ୍ଟି ।

ଏତେ ବୋଲି ଅନୁସୂୟା କୋଳେ ସମର୍ପିଲେ

ଅତ୍ରି ମହାଋଷିଙ୍କର ସନ୍ନିଧିରେ ଦେଲେ ।

ଅତି ଯତ୍ନକରି ତୁମ୍ଭେ ପାଳ ହୋ ଏହାଙ୍କୁ

କୁଳକୁ ଏ କୁଳଦୀପ ହୋଇବ ତୁମ୍ଭଙ୍କୁ ।

ଶୁକମୁନି ବୋଲନ୍ତି ହୋ ପରୀକ୍ଷିତ ରାଜା

ଈଶ୍ଵର ମୁଣ୍ଡରେ ଚନ୍ଦ୍ର ରହି ପାଏ ପୂଜା ।

ଦେଖୁଛ ତ ଆତଯାତ ଆକାଶେ ହେଉଛି

ଜନମ ମରଣ ବାଧା ନ ଜାଣଇ କିଛି ।

ସବୁ ଜୀବମାନଙ୍କର ଅଟେ ଜୀବଦାନି

ବିହନ୍ତା ପୁରୁଷ ତାର ନାହିଁ ଲାଭହାନି ।

ପଞ୍ଚଭୂତ ଆତ୍ମାକୁ ସେ ଆବୋରିଛି ଏକା

ଯାହାର ହୁଅନ୍ତି ଚାରିଖାନି ଜୀବଲେଖା ।

 

ଚନ୍ଦ୍ରଙ୍କର କଳଙ୍କ ସାଧାରଣ ବୃତ୍ତାନ୍ତ

ଏହା ଶୁଣି ପରୀକ୍ଷିତ ନାମେ ମହାରାଜା

ଶୁକମୁନିଙ୍କ ଚରଣେ କଲେ ଦିବ୍ୟ ପୂଜା ।

ଚନ୍ଦ୍ରଙ୍କ ଜନମ କଥା ତୁମ୍ଭ ମୁଖୁ ଶୁଣି

ଆବର କଥାଏ ମୋତେ କହ ମହାମୁନି ।

ମନରେ ସଂଶୟେ ମୋର ଲାଗିଲା ବହୁତ

ଏହା ଆଦ୍ୟ ପ୍ରାନ୍ତ କରି କହ ତପୋବନ୍ତ ।

ଏଡ଼େ ବଡ଼ ଦେବତା ଯେ ଅଟନ୍ତି ନିଶାକର

ସ୍ଵଦେହେ କଳଙ୍କ କିପାଁ ହୋଇଲା ତାଙ୍କର ।

ଛିଡ଼ନ୍ତି ବଢ଼ନ୍ତି ପୁଣି ପକ୍ଷେକ ଆବର

ଦୟାକରି କହ ମୁନି ମୋହର ଆଗର ।

କେଉଁ ପାପ କରିବାକୁ କିବା କେଉଁ ଦୋଷେ

କଳାଏ କଳାଏ କ୍ଷୟ ବୃଦ୍ଧି ମାସେ ମାସେ ।

ଶୁକମୁନି ବୋଲେ ତୁହୋ ପଚାରିଲୁ ଯାହା

ତୋର ସନ୍ଦେହ ଫେଡ଼ିଣ କହିଦେବା ତାହା ।

ଯେତେବେଳେ ସେ ଚନ୍ଦ୍ରକୁ ବରଦେଲେ ଶିବ

ଆଶ୍ଵାସ ବଚନ କହି ସେହି ମହାଦେବ ।

ଚନ୍ଦ୍ରଙ୍କୁ ଯେ ଆକାଶରେ କଲେ ଅଧିକାରୀ

ବୃହସ୍ପତିଙ୍କି ହକାରୀ ଦେବ ତ୍ରିପୁରାରି ।

ଆହେ ବୃହସ୍ପତି ତୁମ୍ଭେ ତ୍ରୈଲୋକ୍ୟ ପ୍ରସିଦ୍ଧି

ଚନ୍ଦ୍ର ଦେବତାଙ୍କୁ ଶିକ୍ଷାଦେବ ବିଦ୍ୟା ବୁଦ୍ଧି ।

ଏସନକ ଆଜ୍ଞା ଯହୁଁ ସଦାଶିବ ଦେଲେ

ଚନ୍ଦ୍ର ଦେବତାଙ୍କୁ ଘେନି ବୃହସ୍ପତି ଗଲେ ।

ଆଗହୁଁ ବୃହସ୍ପତିର ଥିଲେ ଯେତେ ଚାଟ

ତାହାଙ୍କ ସଙ୍ଗରେ ଚନ୍ଦ୍ର ପଢ଼ନ୍ତି ଯେ ପାଠ ।

ଅକ୍ଷର ମଧ୍ୟେ ଅଟଇ ଯେତେ ମନ୍ତ୍ର ସିଦ୍ଧି

ଅଷ୍ଟ ଦିବସରେ ମଧ୍ୟେ ସବୁ ବିଦ୍ୟା ସାଧି ।

ଜାତିସ୍ମର ରୂପେ ସେହି ହୋଇଛି ଜନମ

ଭୋଜନ ଶୟନ ନାହିଁ ବଞ୍ଚଇ ସେ ଦିନ ।

ନାନା ବିଦ୍ୟାରେ ନିପୁଣ ହେଲେ ଚନ୍ଦ୍ରଦେବ

ବୃହସ୍ପତି ପାଖେ ରହି ଆଚରନ୍ତି ସର୍ବ ।

ଏଥୁ ଅନନ୍ତରେ ତହୁଁ କେତେଦିନ ଗଲା

ଚନ୍ଦ୍ରକୁ ଦେଖିଣ ତାରା କାମେ ବଶ ହେଲା ।

ଅସାଷ୍ଟମ ହୋଇ ବାଳୀ ନ ପାରଇ ଚଳି

ଚନ୍ଦ୍ର ଦେବତା ସୁନ୍ଦର ରୂପ ଭାଳି ଭାଳି ।

କାମ ପଞ୍ଚବାଣ ପଡ଼ି ଜଡ଼ିଲା ତା ଅଙ୍ଗେ

ଚିନ୍ତାଭରେ ତନୁ ତାର ରହିଲା ବିଭଙ୍ଗେ ।

ଚନ୍ଦ୍ରରୂପ ଗୁଣ ବାଳୀ ମନେ ମନେ ଗୁଣି

ରାତ୍ର ଦିବସ ସ୍ଵପନ ଦେଖଇ ତରୁଣୀ ।

ଛାଡ଼ି କ୍ଷୁଧା ତୃଷା ନିଦ୍ରା ଗୃହବିଧି କଥା

ଦଶମ ଦଶାକୁ ଭଜି ପାଇଲା ଅବସ୍ଥା ।

କେଶ ବାସ ଅସମ୍ଭାଳ ବିବସନ ଦେହୀ

ଚନ୍ଦ୍ର ଦେବତାକୁ ବାଳୀ ଥାଏ ବାଟ ଚାହିଁ ।

ଏମନ୍ତେ କେତେକ ଦିନ ତହୁଁ ଗଡ଼ିଯାନ୍ତେ

ଚନ୍ଦ୍ରକୁ ଡକାଇ ଦିନେ କହିଲା ଏକାନ୍ତେ ।

ତୁମ୍ଭେ ହୋ ଚନ୍ଦ୍ରଦେବତା ପ୍ରତିକାର କର

ଏ କାମ ମୁଖରୁ ମୋତେ ବାରେକ ଉଦ୍ଧାର ।

ତୋ ରୂପ ଗୁଣକୁ ଦେଖି ବଳିଲା ମନୀଷା

ସୁଲକ୍ଷଣ ପୁରୁଷ ତୁ ପୂରା ମୋର ଆଶା ।

ନାସ୍ତିକଲେ ସ୍ତିରୀହତ୍ୟା ଲାଗିବ ଯେ ତୋତେ

ତୁ ମୋହର ପ୍ରାଣବନ୍ଧୁ ରଖ ତୁ ହୋ ମୋତେ ।

ଏତେକ ବୋଲି ସୁନ୍ଦରୀ ଛାଡ଼ିଲାକ ଲଜ୍ଜା

ଚନ୍ଦ୍ରଙ୍କୁ ସେ କୋଳ କଲା ଗୁରୁଙ୍କ ଭାରିଯା ।

ଚନ୍ଦ୍ରମା ସଙ୍ଗରେ ଭାବ କଲା ଦେବୀ ତାରା

ପାପକୁ ନ ଡରି ଚନ୍ଦ୍ର କଲା ପରଦାରା ।

ଯଦ୍ୟପି ଜଉ ଅଗ୍ନିକି କର ଏକ ଭାବ

ତରଳି ମିଳାଇ ଗଲା ପରି ଏହି ଭାବ ।

ବସିଥିବା ଘୃତଭାଣ୍ଡ ସମ ନାରୀ ଅଙ୍ଗ

ତରଳିଲା ଅଗ୍ନି ତୁଲ୍ୟ ପାଇ ପୁଂସ ସଙ୍ଗ ।

ଏମନ୍ତେ ବେନି ଜନର ବଢ଼ିଲା ପୀରତି

ବୃହସ୍ପତି ସେହି କଥା ଗୋଟି ନ ଜାଣନ୍ତି ।

ପଦ୍ମିନୀ ଚିତ୍ରିଣୀ ଆଉ ଖଙ୍ଖିନୀ ହସ୍ତିନୀ

ଏମନ୍ତେ ଚାରି ଜାତିରେ ହୁଅନ୍ତି କାମିନୀ ।

ପୁରୁଷ ହିଁ ଜାରିଜାତି ଅଟନ୍ତି ରାଜନ

ଶଶ ମୃଗ ବୃଷ ଅଶ୍ଵ ଜାତି ଏହି ଜାଣ ।

ଶଶଜାତ ପୁରୁଷର ପଦ୍ମିନୀ ଯେ ଯୋଡ଼ା

ମୃଗଜାତି ପୁରୁଷର ଚିତ୍ରିଣୀ ଯେ ଲୋଡ଼ା ।

ବୃଷ ଜାତି ପୁରୁଶର ଲୋଡ଼ା ସେ ଶଙ୍ଖିନୀ

ଅଶ୍ଵଜାତି ପୁରୁଷକୁ ଲୋଡ଼ଇ ହସ୍ତିନୀ ।

ଯେତେବେଳେ ଧାତା ଏହି ସୃଷ୍ଟି ଭିଆଇଲା

ସ୍ତିରୀ ପୁରୁଷକୁ ଘେନି ସଂସାର ରଚିଲା ।

ଯେବଣ ପୁରୁଷକୁ ସେ କଲା ଯେଉଁ କନ୍ୟା

ପଣ୍ଡିତ ଲୋକମାନେ ତା ବିଚାରନ୍ତି ସିନା ।

ବେଦଶାସ୍ତ୍ର ନ ଜାଣି ଯେ କରନ୍ତିଟି ବିଭା

ଅପୁତ୍ରିକୀ ଦୋଚାରୁଣୀ ହୁଅନ୍ତି ବିଧବା ।

ଶଶ ସଙ୍ଗେ ହସ୍ତିନୀର ଭେଟ ନ କରିବ

ଦୋଚାରୁଣୀ ହେବ କନ୍ୟା କୁଳ ନାଶ ଯିବ ।

ଅଶ୍ଵ ସଙ୍ଗେ କରାଇଲେ ପଦ୍ମିନୀ ସଂଯୋଗ

ଘଟିବ ସେହି କନ୍ୟାକୁ ନିଶ୍ଚେ ମୃତ୍ୟୁଯୋଗ ।

ବିଧାତା ଭିଆଣ କେବେ ନ କରିବ ଆନ

ଜାଣି ଶୁଣି ବିଭା ଦେବ ବେଦର ବିଧାନ ।

ବୃହସ୍ପତି ବୃଷଜାତି ପୁରୁଷ ଅଟନ୍ତି

ପଦ୍ମିନୀ ଜାତି ଅଟି ତାର ରୂପବତୀ ।

ଚନ୍ଦ୍ରମା ଯେ ଶାଶ ଜାତି ପୁରୁଷ ଅଟଇ

ତେଣୁ ତାର ସଙ୍ଗେ ତାରା ପୀରତି ବଢ଼ାଇ ।

କେତେଦିନେ ଗର୍ଭବାସ ହେଲା ତାରାବାଳୀ

ଦିନକୁ ଦିନ ପୀରତି ବଢ଼ିଲା ଉଚ୍ଛୁଳି ।

ସମ୍ପୂର୍ଣ୍ଣ ଦଶମାସରେ କଲା ସେ ପ୍ରସବ

ପୁତ୍ର ଜାତକଲା ରୂପେ ନିନ୍ଦେ କାମଦେବ ।

ଅତ୍ୟନ୍ତ ସୁନ୍ଦର ରୂପ ସେହି ବାଳବତ୍ସ

ରୂପଗୁଣେ କାମଦେବ ନୋହେ ସମକଚ୍ଛ ।

ବୃହସ୍ପତି ପାଞ୍ଜି ଘେନି ତକ୍ଷଣେ ଗଣିଲେ

ଏ ପୁତ୍ର ଆମ୍ଭର ନୁହେଁ ଧ୍ୟାନରେ ଜାଣିଲେ ।

କୁଳକୁ ଦୂଷଣ ହେବ ବୋଲି ନ କହିଲେ

ପୁତ୍ରରୂପ ଗୁଣ ଦେଖି ଯତନେ ପାଳିଲେ ।

ଧାର୍ମିକ ପଣ୍ଡିତ ସେହି ଗୁଣବନ୍ତ ଗ୍ରାହୀ

ଅକର୍ମ କଥା ଗୋପନ କଲେ ତେଣୁ ତହିଁ ।

ଆୟୁ ବଳ ଧନ ଗୃହ ଛିଦ୍ର ଆତ୍ମ ନାମ

ଗୁରୁ ନାଶ ଧନ ନାଶ ବର୍ଷ ଅପମାନ ।

ଏ ନବ କର୍ମ ଗୋପନ ଯେହୁ କରିପାରି

ନିଶ୍ଚେ ଜାଣିଣ ସେ ନର ଦେବଲୋକେ ସରି ।

ଅନ୍ତର୍ଗତେ ବୃହସ୍ପତି ବିଚାରି ଏ କଥା

ଫେଡ଼ି ନ କହିଲେ ମନେ ପାଇ ବଡ଼ ବ୍ୟଥା ।

ଗୁରୁ ବୋଇଲେ ସ୍ତିରୀଙ୍କି ନ ଯିବ ବିଶ୍ଵାସ

ଯେ ବିଶ୍ଵାସ ଯିବ ତାରର ଅଳପ ଆୟୁଷ ।

ସର୍ପ ରାଜା ବାଘ ଭାଲୁ କୁମ୍ଭୀର ଯେ ହସ୍ତୀ

ଖଡ଼୍‌ଗଧାରୀ ଶଙ୍ଖଧାରୀ ନଦୀ ଯେ ଯୁବତୀ ।

କାଳର ଡଗର ଜାଣ ଏମାନେ ଅଟନ୍ତି

ବିଶ୍ଵାସ ନ ଯିବ ବୋଲି କହି ବୃହସ୍ପତି ।

ଜାଣି ଶୁଣି ଏମାନଙ୍କୁ ବିଶ୍ଵାସ ଯେ ଗଲା

ନିଶ୍ଚୟ ଜାଣିବ ସେହୁ ଆୟୁ ଥାଉଁ ମଲା ।

ବୃହସ୍ପତି ବୋଲନ୍ତି ଯେ ଯୁବତୀଏ ମନ୍ଦ

ଚନ୍ଦ୍ରକୁ ସୁନ୍ଦର ଦେଖି ତାରା କଲା ଛନ୍ଦ ।

ଆମ୍ଭ ପରା ସ୍ଵାମୀକି ସେ କଲା ପରିତ୍ୟଜ୍ୟା

କୁଳବତୀ ସ୍ତିରୀ ହୋଇ ଝାଡ଼ିଲାକ ଲଜ୍ଜା ।

ବ୍ରହ୍ମସ୍ତିରୀ ହୋଇ ନାହିଁ ପାପକୁ ତା ଭୀତି

ବାଳୁତ ମତି ଶିଶୁର ସଙ୍ଗରେ ପୀରତି ।

ଚୋରା ପୀରତିକି ଏହୁ କଲା ପୁଣି ଇଚ୍ଛା

ବେଶ୍ୟାପରି ବଳେ କଲା ରମଣ ସ୍ଵଇଚ୍ଛା ।

ପୁଣି ବିଚାରିଲେ ଚନ୍ଦ୍ର ମୋତେ ନଷ୍ଟ କଲା

ଗୁରୁପତ୍ନୀ ବୋଲି ମନେ ବିଚାର ନ କଲା ।

ଗୁଣବନ୍ତ ହୋଇ ଏ ତ ଅରିଜିଲା ପାପ

ଦୋଷ ଅନୁରୂପେ ଦେବା ଏହାକୁ ଯେ ଶାପ ।

ଜାଣି ଯେବେ ଚନ୍ଦ୍ର କଲା ଗୁରୁପତ୍ନୀ ଭୋଗ

ନ ଜୀଉଁ ନ ମରୁ ପୀଡ଼ା ଦେଉ ସଦା ରୋଗ ।

ଆମ୍ଭଙ୍କୁ କଳଙ୍କ ତୁ ରେ ଦେଲୁ ଜନମୁଖେ

ଏ ପାପ ଖଣ୍ଡନ ନୋହୁ ଥାଅ ମହାଦୁଃଖେ ।

ଶୁକମୁନି ବୋଇଲେ ହେ ପରୀକ୍ଷିତ ରାଣ

ତୁମ୍ଭେ ପଚାରିଲ ଚନ୍ଦ୍ର ଦେବତାଙ୍କ ଗୁଣ ।

ସେହି ଦୋଷରୁ ଚନ୍ଦ୍ରର କଳଙ୍କ ମୂରତି

ପକ୍ଷେ ପକ୍ଷେ ଧରଇ ସେ ଭିନ୍ନ ଭିନ୍ନ ରୀତି ।

ଗୁରୁଙ୍କର ଶାପକୁ ସେ କରୁଛନ୍ତି ଭୋଗ

ନ ଜୀଅନ୍ତି ନ ମରନ୍ତି ଗୁରୁଶାପ ଯୋଗ ।

ଦେବତାମାନଙ୍କୁ କଲାକର୍ମ ପାରନାହିଁ

ମାନବ ଛାରକୁ ପାର ଯିବ ଅବା କାହିଁ ।

ଜଗବନ୍ଧୁ ପାଦପଦ୍ମ ସ୍ମରିଣ ହୃଦରେ

ଅଚ୍ୟୁତ ଦାସ ରଚଇ ଜନଙ୍କ ହିତରେ ।

 

ହରିବଂଶ (ପ୍ରଥମ ଖଣ୍ଡ)

ବୁଧର ବୃତ୍ତାନ୍ତ

ଏଥୁଅନନ୍ତରେ ପୁଣି ପରିକ୍ଷିତ ରାୟେ

ବିନୟ ଭାବରେ କହେ ପଡ଼ି ମୁନି ପାୟେ ।

ଭୋ ମୁନି ଚନ୍ଦ୍ରଙ୍କଠାରୁ ପୁତ୍ର ଜାତ ହେଲା

ଏଥିଉତ୍ତାରୁ କେବଣ କୃତ୍ୟ ସେହି କଲା ।

ସେହି କଥା ମହାମୁନି କହିବାକୁ ମୋତେ

ତେବେ ମୋ ମନ ମାନିବ ଯିବଇଁ ସଂପ୍ରତେ ।

ଶକତି ମୁନିର ନାତି କହନ୍ତି ଏ ବାଣୀ

ଯାହା ପଚାରିଲ ସୋମବଂଶ ନୃପମଣି ।

ତାରାର ଗର୍ଭରୁ ଜାତ ଯେବଣ ବାଳକ

ଦିଗପାଳ ସମାନ ସେ ଶ୍ରେଷ୍ଠ ହୋଇଲାକ ।

ବୁଧ ନାମ ବହିଲା ସେ ଚନ୍ଦ୍ରର ନନ୍ଦନ

ତପେ ତୋଷିଲା ପାର୍ବତୀପତି ତ୍ରିଲୋଚନ ।

କୁମ୍ଭ ଶୁକ୍ଲ ଏକାଦଶୀ ତିଥି ବୁଧବାର

ବାଣିଜ୍ୟ କରଣ ଯୋଗ ମାହେନ୍ଦ୍ର ଯେ ସାର ।

ରୋହିଣୀ ନକ୍ଷତ୍ର ଜାଣ ପାଞ୍ଚ ଘଡ଼ି

ଜନ୍ମ ହୋଇ ପୁତ୍ର ତହିଁ ଦେଲା ସିଂହରଡ଼ି ।

 

ବୃହସ୍ପତି ଗଣିଲେ ଯେ କରେ ଖଡ଼ି ଘେନି

ଏହି ସେ ପାଳିବ ଚରାଚର ଯେ ମେଦିନୀ ।

ଅନେକ ଯତ୍ନେ ପାଳିଲେ ତାକୁ ବୃହସ୍ପତି

ଶିଖାଇଲେ ବେଦମନ୍ତ୍ର ଆଦି ଜ୍ଞାନ ଗତି ।

ଦିନକୁ ଦିନ ତା ବୁଦ୍ଧି ବର୍ଦ୍ଧମାନ ହେଲା

ସୁସଙ୍ଗ ପାଇଣ ପୁତ୍ର ସୁବୁଦ୍ଧି ଶିଖିଲା ।

ଶିବ ଧ୍ୟାନ କରି ପଞ୍ଚାକ୍ଷରକୁ ଜପିଲା

ଗଳାରେ ରୁଦ୍ରାକ୍ଷ ମାଳ ଭୂଷଣ କରିଲା ।

ବିଭୂତି ଭୂଷଣ ଅଙ୍ଗେ କଷାବସ୍ତ୍ର ପିନ୍ଧି

ନିତି ସେବାକରେ ଶିବ ଚରଣକୁ ବନ୍ଦି ।

ଫଳମୂଳ ଆହାର ତା ଶିରେ ଜଟାଭାର

କୁଶଶର୍ଯ୍ୟା କରିଣ ସେ ଶୁତିଲା ତଥିର ।

ଶୀତ ବରଷା ନିଦାଘ ସହଇ ତା ଅଙ୍ଗେ

ଇଷ୍ଟ ବନ୍ଧୁ କୁଟୁମ୍ବ କେ ନାହାନ୍ତି ତା ସଙ୍ଗେ ।

ମନ ପବନ କାୟାକୁ କଲା ଏକ ଯୋଗ

ଶିବନାମ ସୁମରଇ ଦେହ କରି ତ୍ୟାଗ ।

ମନ ଇନ୍ଦ୍ରିୟ ନିଗ୍ରହି ସାଧିଲାକ ଜ୍ଞାନ

ସଦାଶିବ ଦେବଙ୍କର କମ୍ପିଲା ଆସନ ।

କପିଳାସପୁର ତେଜି ଦେବ କାଶୀବାସୀ

ବୁଧର ତପସ୍ୟା ସ୍ଥାନେ ପ୍ରବେଶିଲେ ଆସି ।

ଡବି ଡିବି ଡମ୍ଵରୁ ଯେ ବାଜେ ନବକୋଟି

କଣ୍ଠତଟେ ମୁଣ୍ଡମାଳ ଲେଙ୍ଗୁଟି ଭ୍ରୂକୁଟୀ ।

ନନ୍ଦୀଭ୍ରୂକୁଟୀ ଏ ବାମ ଡାହାଣରେ ମିଳି

ସଦାନନ୍ଦ ଶୋଭା ଅଦ୍ଧଚନ୍ଦ୍ର ସେ ମଉଳି ।

କୃଷ୍ଣ ପିଙ୍ଗଳ ଯେ ଜଟା ଶୋଭାବନ ମାଥେ

ତ୍ରିଶୂଳ ଡମ୍ବରୁ ଶୋଭା ପାଉଅଛି ହାତେ ।

ଲଲାଟେ ନୟନ ଜଟାମଧ୍ୟେ ଗଙ୍ଗାଜଳ

ବାସୁକି ସର୍ପକୁଣ୍ଡଳ ଲୁଳେ ଗଣ୍ଡସ୍ଥଳ ।

ଘୋର ଶବଦ କରନ୍ତି ଫୁଫୁକାର କରି

ଦ୍ଵାଦଶ ରୁଦ୍ର ସଙ୍ଗତେ ଦେବ ତ୍ରିପୁରାରି ।

ଶିଶୁଦେବ ଅଧ୍ୟୟନ ଦକ୍ଷିଣ ମୁଖରେ

ଝଟକି କାଳାନଳ ଗରଳ କଣ୍ଠରେ ।

ଅଦ୍ଧ ଅଙ୍ଗରେ ଅମ୍ଵିକା କପିକା ମଉଳି

ଶିବଗଣରେ ଶୋଭିତ ଦେବ ଯେ ତ୍ରିଶୂଳୀ ।

ହିମବନ୍ତନନ୍ଦିନୀ ଯେ ଗଙ୍ଗାବସୁମତୀ

ଏକେ ଏକେ ପାରୁଶରେ ରହି ଖଟୁଛନ୍ତି ।

ଷଡ଼ାନନ ଗଣପତି ଅଟନ୍ତି ପାରୁଶେ

ସଦାଶିବ ଆସୁଛନ୍ତି ଅତ୍ୟନ୍ତ ଉଲ୍ଲାସେ ।

ବ୍ୟାଘ୍ର ଚର୍ମ ପରିଧାନ କରି କୀଟଭାଗେ

ଅନାଦି ସିଦ୍ଧ ପୁରୁଷବର ମହାଯୋଗେ ।

ତାଣ୍ଡବ ଭୈରବେ ଭୋଳ ସଦା ଯାର ମତି

ଅନୁଗ୍ରହ ସାଗର ସେ ଭର ନିବାରନ୍ତି ।

ଏସନ ସୁବେଶ ହୋଇ ଦେବ କାଶୀବାସୀ

ବୁଧ ଅଗ୍ରତେ ମିଳିଲେ ବେଗହୋଇ ଆସି ।

ପ୍ରସନ୍ନେ ସେ ମହାଦେବ ଦେଲେ ତାଙ୍କୁ ଦୀକ୍ଷା

ବର ମାଗ କୁମରରେ ଯେ ତୋହର ଇଚ୍ଛା ।

ସଦାଶିବଙ୍କ ବଚନେ ବୁଧ ମହାମତି

କରପତ୍ରକୁ ଯୋଡ଼ିଣ ଛାମୁରେ ଜଣାନ୍ତି ।

ବୁଧ ବୋଇଲେ ସ୍ଵମୀହେ ଦେବଦେବବର

ସତ୍ୟ କରି ପ୍ରଭୁ କହି ମୋହର ଆଗର ।

କହନ୍ତି ହରହସିତ ହୋଇ ଶୂଳପାଣି

ତୁମ୍ଭେ ଯାହା ମାଗିବ ତା ଦେବା ଏହିକ୍ଷଣି ।

ବୁଧ ବୋଲେ ସ୍ଵାମୀ ବର ମାଗିବି ତୁମ୍ଭଙ୍କୁ

କାମ୍ୟ ବ୍ରହ୍ମ ବେନି କଥା ଦେବ ଯେ ଆମ୍ଭଙ୍କୁ ।

ସକଳ ସଂସାରେ ଏହି ସିନା କର୍ମବିଦ୍ୟା

ଯୋଗିଙ୍କ ଯୋଗ ଭାଙ୍ଗିବ ହେବି ଯୋଗସିଦ୍ଧା ।

ଆରେକ କଥା ଯେ ମୋତେଦେବ ଦେବରାୟେ

ବନସ୍ତର ଆୟତନ ଶତ ଯୂଣ ଯାଏ ।

ଏହି ଭୂମି ମଧ୍ୟେ ଯେତେ ଜନ୍ତୁ ଛନ୍ତି ଅବା

ସମସ୍ତେ ଯେ ରୂପବତୀ ହେବେ ନବଯୁବା ।

ସିଦ୍ଧ ସାଧ୍ୟ ଦେବତା ଯେ ଗନ୍ଧର୍ବ କିନ୍ନର

ଦାନବ ମାନବ ଆଦି ନାଗ ବିଦ୍ୟାଧର ।

ବ୍ରହ୍ମା ରୁଦ୍ର ସହିତେ ସେ ଭୂମି ନ ମାଡ଼ିବେ

ବଳେ ପଶିଲେ ତହିଁରେ ସ୍ତିରୀରୂପ ହେବେ ।

ଏଥୁ ପାରହେଲେ ପୁଣି ପାଇବେ ସ୍ଵଦେହ

ଭୋ ପ୍ରଭୁ ଭୋଳାନାଥ ହେ ଏହି ବରଦିଅ ।

ସଦାଶିବ ବୋଇଲେ ଯେ ମାଗିଲୁରେ ବାବା

ଯେ ତୁମ୍ଭର ମନବାଞ୍ଚ୍ଥା ସିଦ୍ଧ ତା କରିବା ।

ଅସ୍ତୁହେଉ ବୋଲି ତହୁଁ ଗଲେ ଅନ୍ତର୍ଦ୍ଧାନେ

ନିଶ୍ଚଳେ ରହିଲେ ବୁଧ ମନେ ହର ବନେ ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଯେ ଜନ

ଆବର ଯେତେକ ତହିଁ ପଶୁ ପକ୍ଷିଗଣ ।

କୃଷ୍ଣାଜିନ ବାହୁଟିଆ ବରାହ ସଞ୍ଚରି

ସିଂହ ଶାର୍ଦ୍ଦୁଳ ଆସିଣ ଏକାଠି ବିହରି ।

ହରଉଦ୍ୟାନ ଅଟଇ ସେ ବନର ନାମ

ଶିବଙ୍କ ଆଜ୍ଞା ପ୍ରମାଣେ ଅଛି ତହିଁ କାମ ।

ସେ ବନ ମାଡ଼ଇ ଯେହୁ ହୁଅଇ ସେ ସ୍ତିରୀ

ଈଶ୍ଵରମାୟାକୁ ଆନ କେହୁ କରିପାରି ।

ସମସ୍ତେ ସ୍ତିରୀ ଜଣେ ପୁରୁଷ କେହି ନାହିଁ

ଏକାକେ ପୁରୁଷ ବୁଧ ଅଛି ତହିଁ ରହି ।

କରଇ ସେ କାମଭୋଗ ଈଶ୍ଵରଙ୍କ ବରେ

ଦଣ୍ଡଛତ୍ର ସିଂହାସନ ଅଛଇଁ ତହିଁରେ ।

ଇନ୍ଦ୍ରର ସମାନେ ବୁଧ କରେ ବଇଭୋଗ

ବେଦଶାସ୍ତ୍ର ଶିଖିଅଛି ସାଧିଅଛି ଯୋଗ ।

ଆବର ଯେ ବିଶେଷରେ ସାଧେ ବ୍ରହ୍ମବିଦ୍ୟା

ସର୍ବଗୁଣେ ସୁଲକ୍ଷଣ ଅଟେ ଯୋଗସିଦ୍ଧା ।

ଏସନେ ସେ ଅକଣ୍ଟକ ମହୀ ଭୋଗକରି

ମର୍ତ୍ତ୍ୟମଣ୍ଡଳରେ କେହି ରାଜା ନୋହେ ସରି ।

ନିଶ୍ଚିନ୍ତେ ରହିଲା ତହିଁ ବୁଧ ମହାମତି

ଦଇବ ପୁରୁଷ ସିନା ଏମନ୍ତ ବିହନ୍ତି ।

ସୂର୍ଯ୍ୟବଂଶୀ ରାଜା ନାମ ବୈବସ୍ଵତ ମନୁ

ଇକ୍ଷ୍ଵକୁ ନାମେ ହୋଇଲା ତାହାର ଯେ ସୂନୁ ।

ସେହି ଇକ୍ଷ୍ଵକୁର ପୁତ୍ର ରଘୁରାଜ ହେଲା

ସେହିଦିନୁ ରଘୁବଂଶ ନାମ ବୋଲାଇଲା ।

ସେ ରଘୁରାଜାର ପୁତ୍ର ଅଶ୍ଵସେନ ହୋଇ

ଅଶ୍ଵସେନ ପୁତ୍ର ଅଜମିତ୍ର ଯେ ବୋଲାଇ ।

ମାନ୍ଧାତା ନାମକ ଅଜମିତ୍ରର ତନୁଜ

ଦିଲୀପନାମେ ହୋଇଲା ତାହାର ଆତ୍ମଜ ।

ତାହାର ନନ୍ଦନ ପାରେଶ୍ଵର ନାମେ ରାଜା

ପୃଥିବୀ ପାଳଇ ସେହି ଘେନି ଜନ ପ୍ରଜା ।

ପାରେଶ୍ଵର ନନ୍ଦନ ଯେ ଶୂରସେନ ଜାଣ

ଶୂରସେନ ପୁତ୍ର ହେଲା ଉଉଙ୍ଗ ରାଜନ ।

ଅରୁଣ ନାମ ହୋଇଲା ତାହାର ତନୁଜ

ଅଲୁପୀ ନାମେ ହୋଇଲା ତାହାର ଆତ୍ମଜ ।

ପ୍ରତାପୀ ସେ ରାଜା ଗୋଟା ହେଲେ ଦଣ୍ଡଧାରୀ

ରବିତଳେ ଏହାକୁ ଯେ ନାହିଁ ସମସରି ।

ଜମ୍ଵୁଦ୍ଵୀପ ପୃଥ୍ଵୀ ଲକ୍ଷ ଯୋଜନ ଅଟଇ

ସକଳ ରାଜା ତା ପାଦତଳେ ଖଟିଥାଇ ।

ଅଯୋଧ୍ୟାପୁରରେ ସେହି ଅଟେ ମହାରାଜା

ତାହାର ପାଦେ ଖଟନ୍ତି ବହୁତ ପରଜା ।

ସଂଗ୍ରାମେ ସେ ଶୂରବନ୍ତ ଅଟେ ରଣରଙ୍କା

ଦେବ ଦାନବରେ ନାହିଁ କାହାକୁ ତା ଶଙ୍କା ।

ଏକଦିନେ ସେହି ରାଜା ସମଦଣ୍ଡ ସାଜି

ମୃଗୟା ବିନୋଦେ ଯାଏ ଘେନି ଚଜବାଜି ।

ରଥ ଗଜ ଅଶ୍ଵ ସଙ୍ଗେ ଚତୁରଙ୍ଗ ବଳ

ଅପ୍ରମିତ ପଦାତିକେ ହୋଇଛି ଗହଳ ।

ମାର ମାର ଧର ଧର ଘୋର ଧ୍ଵନି କରି

ବନସ୍ତଭିତରେ ସର୍ବେ ଅସ୍ତ୍ର ଶସ୍ତ୍ର ଧରି ।

ଦଇବର ଘଟସୂତ୍ର କେ କରିବ ଆନ

ପ୍ରବେଶ ହୋଇଲେ ହରଉଦ୍ୟାନ କାନନ ।

ସମସ୍ତେ ବାଟ ଛାଡ଼ିଣ ଝସାଇ ପଶିଲେ

ବିଶ୍ଵନାଥଙ୍କ ଆଜ୍ଞାରେ ସ୍ତ୍ରୀରୂପ ଧଇଲେ ।

ରାଜାର ପାତ୍ର ଅମାତ୍ୟ ଲୋକ ଆଦି କରି

ସେ ଭୂମି ପଡ଼ିବାମାତ୍ରେ ସର୍ବେ ହେଲେ ସ୍ତିରୀ

ସ୍ତନ ଯଉବନ ଛାଡ଼ି ପୁରୁଷର ବେଶ

ଖୋଷା ଖୋସିଣ ନବୀନ ଯୁବତୀ ସଦୃଶ ।

ନାସାରେ ବସଣୀ ତାଙ୍କ ପୟରେ ନୂପୁର

ଲାଜରେ ମୁଖ ତଳକୁ ପୋତି ନୃପବର ।

ଏ ରୂପେ ବିରୁପ ହେଲେ ରାଜା ଅଙ୍ଗବଳ

ଏକୁ ଆରେକ ଚାହାନ୍ତି ହୋଇ ଜଳ ଜଳ ।

ସବୁରି ସ୍ତନ ଯୌବନ ଦେଖିଣ ରୋଦନ୍ତି

କାହିଁରେ ଆସି ପଶିଲୁ ବୋଲିଣ ବୋଲନ୍ତି ।

କେମନ୍ତେ ଜାଣିମା କାହୁଁ କାହାର ଏ ମାୟା

ପୁରୁଷ ହୋଇ ବହିଲୁ ସ୍ତିରୀଙ୍କର କାୟା ।

ଅଶ୍ରୂତି ଯେ ଆଗୋଚର ହୋଇଲା ଏ କଥା

ଅକାରଣେ ଦେହ ଘେନି ପାଇଲୁ ଅବସ୍ଥା ।

କେ କଲା ଏଡ଼େକ କୃତ୍ୟ ଜାଣିମା କେମନ୍ତେ

ଜଳନ୍ଧର ବିଦ୍ୟା ଆଣି ସ୍ଥାପିଲା କେ ଏଥେ ।

ଏତେକ ବିଚାରି ତହୁଁ ଗଲେ ଅତି ବେଗେ

ନଗର ଏକ ଦେଖିଲେ ଅଛି ଅଗ୍ରଭାଗେ ।

ଧାତିକାରେ ମିଳିଲେ ସେ ନଗ୍ର ସନ୍ନିଧାନେ

ନଗର ଦେଖି ସନ୍ତୋଷ ହେଲେ ମନେ ମନେ ।

ସେ ନଗର ଭିତରକୁ ପଶନ୍ତେ କୁମାରୀ

ପୁରୁଷ ଜଣେ ନାହାନ୍ତି ସମସ୍ତେ ତ ସ୍ତିରୀ ।

ପୁରୁଷ, ମାତ୍ରକ ତହିଁ ଜଣେ କେହି ନାହିଁ

ବେଳୁବେଳ ଚିନ୍ତାଗ୍ରସ୍ତ ହେଲେ ତାହା ଚାହିଁ ।

ଧଇର୍ଯ୍ୟହୀନ ହୋଇଲେ ସବୁ ସ୍ତିରୀ ଦେଖି

ବୁଦ୍ଧି ବଳ ହରାଇଲେ କାମେ ହୋଇ ଦୁଃଖୀ ।

ନଗର ଭିତରେ ପଶି ଖଣ୍ଡେ ଦୂର ଗଲେ

ବୁଧଙ୍କ ଛାମୁରେ ଯାଇ ପ୍ରବେଶ ହୋଇଲେ ।

ବିକଳ ହୁଅନ୍ତି ପୂର୍ବ କଥାକୁ ସୁମରି

ବୁଧ ପଚାରିଲେ କାହୁଁ ଅଇଲ ସୁନ୍ଦରୀ ।

ଅପୂର୍ବ ସୁନ୍ଦରୀ ତୁମ୍ଭେ ଦିନେ ଦେଖିନାହୁଁ

ଏ ଦେଶ ଭିତରେ କିପାଁ ପଶିଲ ଗୋ କାହୁଁ ।

ଚିନ୍ତାଭର ହୋଇବାରୁ କାବ୍ୟ ନ ସ୍ଫୁରଇ

କିପାଁ ଭ୍ରମୁଅଛ ତୁମ୍ଭେ ସ୍ତିରୀରୂପ ହୋଇ ।

ବୁଧର ବଚନ ଶୁଣି ରାଜା କହେ ଧାତି

ଅମଳିନ ସୂର୍ଯ୍ୟବଂଶ ଉଲୁପୀ ନୃପତି ।

ରବିତଳେ ମୋତେ କେହି ନାହିଁ ସମସରି

ନବଖଣ୍ଡ ମେଦିନୀରେ ଅଟେ ଦଣ୍ଡଧାରୀ ।

ସମଦଣ୍ଡ ଘେନି ମୁହିଁ ମୃଗୟା ଅଇଲି

କେବଣ ଶାପେ ଏ ବନେ ସ୍ତ୍ରୀରୂପ ହୋଇଲି ।

ବଳ ବୀର୍ଯ୍ୟ ନାଶ କଲି ହରାଇ ବିଭୂତି

କାଳବଶେ ଆସି ହେଲି ସ୍ତିରୀରୂପ ଏଥି ।

କେବଣ ପୁରୁଷ କଲା ଏସନକ ମାୟା

ସୈନ୍ୟ ସହିତେ ଧରିଲୁ ସ୍ତିରୀଙ୍କର କାୟା ।

ଉଲୁପୀ କହିଲା ଯହୁଁ ଏସନକ ବାଣୀ

ହସିଲେକ ଚନ୍ଦ୍ର ସୁତ ରାଜା କଥା ଶୁଣି ।

ବୁଧ ବୋଇଲେ ମୁଁ ଯାହା ଲୋଡ଼ୁଥିଲି ଯୋଗେ

ଦଇବ ପୁରୁଷ ଆଣି ଦେଲା ତାହା ଭାଗ୍ୟେ ।

ପ୍ରତ୍ୟେକ୍ଷେ ରାଜା ଏ ସୂର୍ଯ୍ୟବଂଶେ ଉତପତ୍ତି

ରତିକି ଯେ ବଡ଼ ପ୍ରିୟ ହେବ ଏ ଯୁବତୀ ।

ଏ ବନସ୍ତ ମାଡ଼ନ୍ତେ ଏ ସ୍ତିରୀରୂପ ହେଲା

ଆବର ବିଶେଷେ ମୋର ଛାମୁକୁ ଅଇଲା ।

ଦଇବ ଆଣି ଏହାକୁ କଲା ମୋତେ ଭେଟ

ନିଶ୍ଚେ ଜାଣିଲି ପାଇଲି ଆଜି ପୁଣ୍ୟ ବାଟ ।

ଏହାର ଗର୍ଭରେ ଯେବେ ହୋଇବ ତନୁଜ

ସପ୍ତଦ୍ଵୀପା ପୃଥିବୀରେ ହେବ ମହାରାଜ ।

ଏହାକୁ ଘେନି ସମୟେ ମୁହିଁ ବିଳସିବି

ବିବିଧ କ୍ରୀଡ଼ା ଭୋଗ ମୁଁ ୟା ସଙ୍ଗେ କରିବି ।

ଏତେ ବୋଲି ଉଲୁପୀକି ଭିତରକୁ ନେଲେ

ଅନ୍ତଃପୁରେ ଯୁବତୀଙ୍କ ସଙ୍ଗରେ ଥୋଇଲେ ।

କୁଳଗୋତ୍ର ଗୁଣମାନ ମନରେ ସୁମରି

ସୁଖେ ବିଳସିଲା ତହିଁ ସଉଭାଗୀ ନାରୀ ।

ବିଶେଷେ ପୁରୁଷ ପୁଣି ଯୁବତୀ ହୋଇଲା

ଦେବ ଲୋକ ନାଗଲୋକ ସକଳ ମୋହିଲା ।

ଯୁବତି ରୂପକୁ ଧରି ସେ ଉଲୁପୀ ରାଜା

ବୁଧଙ୍କର ହୋଇଲାକ ପ୍ରିୟବତୀ ଭାର୍ଯ୍ୟା ।

ଦଣ୍ଡ ସିଂହାସନ ସବୁ ସେହୁ ପାସୋରିଲା

ବୁଧର ଘରଣୀ ହୋଇ କର୍ମ ଆଦରିଲା ।

ପାତ୍ର ମିତ୍ର ଯେ ଅମାତ୍ୟ ବଳ ଥିଲେ ଯେତେ

ସ୍ତିରୀରୂପ ହୋଇ ତହିଁ ରହିଲେ ସମସ୍ତେ ।

ଯେଉଁ ରୂପକୁ ଧଇଲା ସେ ଉଲୁପୀ ରାୟେ

ସ୍ତିରୀଲିଙ୍ଗକୁ ବହିଲେ ଗଜ ଓଟ ହୟେ ।

ଠାବେ ଠାବେ ରହିଲେ ସେ ବନେ ସଙ୍ଗପାଇ

ପାସୋରିଲେ ଆପଣାର ଘରଗ୍ରାମ ତହିଁ ।

ଯୁକତେ ସେ ଜାତି ତାକୁ ଲାଗେ ସେହି ସୁଖ

ଶାନ୍ତ ମନରେ ରହିଲେ ନୋହିଲେ ବିମୁଖ ।

ଉଲୁପୀ ଯେ ମହାରାଜା ସ୍ତ୍ରୀଲିଙ୍ଗ ବହିଲା

ସ୍ତିରୀରୂପ ଧରି ମହାସୁଖ ସେ ପାଇଲା ।

ଏମନ୍ତେ ତାଙ୍କର ତହିଁ ଗଲା କେତେ ବର୍ଷ

ସମୟେ ଉଲୁପୀ ରାଜା ହେଲା ଗର୍ଭବାସ ।

ପ୍ରତାପବନ୍ତ ପୁତ୍ରେକ ଗର୍ଭୁ ଜାତ କଲା

ପୁରୁରବା ବୋଲି ନାମ ବୁଧଗ୍ରହ ଦେଲା ।

ସପତ ଦ୍ଵୀପା ପୃଥ୍ଵୀରେ ହେଲା ଏକ ରାଜା

ଦେବତା ନର କିନ୍ନର କଲେ ତାକୁ ପୂଜା ।

ସେ ପୁରରବା ଭାରିଯା ଉର୍ବଶୀ ସୁନ୍ଦରୀ

ଅନୁପ ନାମେ ପୁତ୍ରେକ ହୋଇଲା ତାହାରି ।

ଅନୁପର ପୁତ୍ର ହେଲା ନହୁଷ ନୃପମଣି

ସ୍ଵର୍ଗ ମଞ୍ଚ ପାତାଳେ ସେ ପାଇଲା ବରଣି ।

ସ୍ଵର୍ଗେ ସେ ଇନ୍ଦ୍ରକୁ ଜିଣି ଇନ୍ଦ୍ରପଦ ନେଲା

ନହୁଷ ଇନ୍ଦ୍ର ବୋଲି ସେ ସ୍ଵର୍ଗେ ବୋଲାଇଲା ।

ଋଷିଙ୍କ କନ୍ଧରେ ଆପେ ହାନ୍ଦୋଳା ବୁହାଇ

ସପସର୍ପ ବେଗକରି ଯାଅ ହୋ ବୋଲଇ ।

ଋଷି ଶାପ ଦେଲେ ସର୍ପ ବୋଇଲୁ  ଆମ୍ଭଙ୍କୁ

ଏ ଦେହକୁ ଛାଡ଼ି ସର୍ପ ହୋଇ ଯା ବନକୁ ।

ଅଗସ୍ତି ଋଷିଙ୍କ ଶାପ ମେଣ୍ଟଣ ନ ଗଲା

ସର୍ପ ହୋଇ ସେ ନହୁଷ ବନସ୍ତେ ରହିଲା ।

ନହୁଷର ପୁତ୍ରନାମ ଅଟଇ ଯଯାତି

ଯଯାତିର ପୁତ୍ର ଯଦୁ ନାମେ ନରପତି ।

ଯଦୁଠାରୁ ହୋଇବାରୁ ନାମ ଯଦୁବଂଶ

ଦୁଃସହ ବଳବନ୍ତ ସେ ବହେ ରୁଦ୍ରଅଂଶ ।

ଯଦୁର ଭାରିଯା ନାମ ଲୋହିତା ସୁନ୍ଦରୀ

ସାତଗୋଟା ପୁତ୍ର ଜାତ ହୋଇଲା ତାହାରି ।

ଭୋଜ ଅନ୍ଧକ କୁମୁଦ କୁରୁ ଯେ ଆବର

ବିଷ୍ଣୁ ଯାଦବ ଚୁହାଣ ଏ ସାତ କୁମର ।

ଏହାଙ୍କ ତହୁଁ ଯେ ସାତବଂଶ ଜାତ ହେଲେ

ମଥୁରା କଟକେ ରାଜ୍ୟ କରିଣ ରହିଲେ ।

ଭୋଜ ନାମେ ପୁତ୍ର ସବୁ ଭାଇଠାରୁ ଜ୍ୟେଷ୍ଠ

ଭାଇମାନଙ୍କୁ ଆବୋରି ପାଳଇ ସେ ରାଷ୍ଟ୍ର ।

ଭୋଜରାଜାର ହୋଇଲା ବେନି ଯେ ତନୁଜ

ସାତ ବଂଶର କାରେଣୀ ହେଲେ ସେ ଆତ୍ମଜ ।

ଭୋଜର ଜ୍ୟେଷ୍ଠ ତନୁଜ ଆବର ରଞ୍ଜନ

ଅଭିନବ ନାମେ ଜାଣ ତାହାର ନନ୍ଦନ ।

ଅଭିନବର ସେ ପୁତ୍ର ଅଶ୍ୱତ୍‌ଥ ହୋଇଲା

ଅଶ୍ୱତ୍‌ଥର ପୁତ୍ର ଜନଞ୍ଜୟ ବୋଲାଇଲା ।

ଜନଞ୍ଜୟ ପୁତ୍ର ନାମ ହୋଇଲା ଅଜୟ

ପନ୍ନଗଭୂଷଣ ବୋଲି ତାହାର ତନୟ ।

ନାରାୟଣ ବିନୁ ମୁଖେ କିଛି ସେ ନ କହେ

ସେବାକରେ ନାରାୟଣ ଦେବତାର ପାୟେ ।

ଆବର୍ତ୍ତକ ନାମେ ପୁତ୍ର ତାହାର ହୋଇଲା

ସେହି ପୁତ୍ର ନାରାୟଣ ସେବାରେ ରହିଲା ।

ତାର ନନ୍ଦନ ଉପାଙ୍ଗ ବୋଲି ମହାରାୟ

କୃତଧ୍ଵଜ ନାମେ ହେଲା ତାହାର ତନୟ ।

କୃତଧ୍ଵଜର ନନ୍ଦନ ନାମ ମୃଗସେନ

ଗୋପାଳ ନାମେ ହୋଇଲା ତାହାର ନନ୍ଦନ ।

ଗୋପାଳସେନର ପୁତ୍ର ଉଦ୍ଦାଳକ ରାଜ

ଉଗ୍ରସେନ ନାମେ ହେଲା ତାହାର ତନୁଜ ।

ମଥୁରାରେ ଉଗ୍ରସେନ ନୃପତି ଅଟଇ

ସାତବଂଶ ଯାଦବ ତା ପାରୁଶେ ଖଟଇ ।

ପ୍ରତାପୀ ତେଜୋବନ୍ତ ସେ ଉଗ୍ରସେନ ରାୟ

କୁଳ ମର୍ଯ୍ୟାଦାବନ୍ତ ସେ ଅଟେ ପୁଣ୍ୟମୟ ।

ବଡ଼ ଗୁଣବନ୍ତ ସେହି ମହା ବଳବନ୍ତା

ଶସ୍ତ୍ର ଶାସ୍ତ୍ରରେ ନିର୍ଜିତ ଜ୍ଞାନବନ୍ତ ଦାତା ।

ଉଗ୍ରେସେନ ପାଟରାଣୀ ଅଟେ ରୂପବତୀ

ରତିକି ସେ ପଟାନ୍ତର ପଦ୍ମିନୀ ଜାତି ।

ପଦ୍ମବଳ ଦେଶରାଜା ପଦ୍ମନ କେଶରୀ

ତାହାଠାରୁ ଜନ୍ମଥିଲା ଇନ୍ଦୁମତୀ ନାରୀ ।

ସୁକୁମାରୀ ସୁନ୍ଦରୀ ସେ ରୂପ ଗୁଣରାଶି

ଉଗ୍ରସେନଙ୍କୁ ସେ କନ୍ୟା ସମର୍ପିଲା ଆସି ।

ପତିବ୍ରତା ଶିରୋମଣି ଉଗ୍ରସେନ ବାମା

ବେନି ପୁତ୍ର ବେନି କନ୍ୟା ଜାତକଲା ରାମା ।

ଦେବକୀ ଦୈବକୀ ଦୁଇ କନ୍ୟାଙ୍କର ନାମ

ସୁକୁମାରୀ ସୁଲକ୍ଷଣି ରୂପ ଅନୁପମ ।

ଉଗ୍ରସେନର ନନ୍ଦନ ନାମ କଂସାସୁର

ତ୍ରୈଲୋକ୍ୟ ବିଖ୍ୟାତ ତାର ମହିମା ଅପାର ।

ଉଗ୍ରସେନ ପୁତ୍ର ଯେଣୁ କଂସାସୁର ମଲ୍ଲ

କୁଳକୁ କଳଙ୍କ ହେଲା ରାଜ୍ୟକୁ ସେ କାଳ ।

ଗୁରୁ ଗଉରବ ସେ ଯେ ନ ମାନଇ କିଛି

ଅହର୍ନିଶି ପାପ କରେ ଧର୍ମକୁ ନ ଗଛି ।

ଗୋରୁ ବ୍ରାହ୍ମଣ ଆଦି ସେ ସକଳ ଛେଦଇ

ପରଧନ ପରସ୍ତିରୀ ଦେଖିଲେ ହରଇ ।

ଦେବତା ବ୍ରାହ୍ମଣ ଆଦି ନ ମାନଇ କିଛି

ତପୋବନ୍ତଙ୍କୁ ଦେଖିଲେ ବେଗେ ପୋଡ଼ି ଭକ୍ଷି ।

ଯାକୁ ଦେଖେ ରାଜ ତାକୁ ପ୍ରାଣେ ବଧକରି

ବଳାତ୍କାରେ ହରେ ଦେଖି ସଉନ୍ଦର୍ଯ୍ୟ ନାରୀ ।

ଅସୁର ପ୍ରକୃତି ତାର ଜୀବେ ନାହିଁ ଦୟା

ଛନ୍ଦମନ୍ଦ କପଟ ତା ହୃଦେ ବଡ଼ ମାୟା ।

ରାଜାର କୁମର ସେହୁ ବଳବନ୍ତ ଯହୁଁ

ଯାଦବବଳମାନେ ଯେ ନ ବୋଲନ୍ତି ତହୁଁ ।

ଲୋହିତ ପିଙ୍ଗଳବର୍ଣ୍ଣ ତାର ବେନିଆଖି

ଡରନ୍ତି ନଗର ନରଗାରୀ ତାହା ଦେଖି ।

କଂସର ଛାମୁରେ ଉଭା ନୋହିଲେ କେ ଡରେ

ନଗ୍ର ଛାଡ଼ି ନର ନାରୀ ଗଲେ ଦେଶାନ୍ତରେ ।

ପଡ଼ିଲାକ ହାଟ ବାଟ ବଜାର ଯେ ପେଣ୍ଠ

ଘରେ ଘରେ ସମସ୍ତଙ୍କୁ ଲାଗିଲା ଉଚ୍ଚାଟ ।

ବିକଳେ ଯାଦବଦଳ ପଳାଇଲେ ଛାଡ଼ି

ବିଚ୍ଛିନ୍ନ ହୋଇ ପଳାନ୍ତି ବନଗିରି ମାଡ଼ି ।

ପ୍ରାଣର ବିକଳେ କେହି ଦିଗମ୍ଵର ହେଲେ

କନ୍ଦମୂଳ ଭକ୍ଷି ଗିରିକନ୍ଦରେ ପଶିଲେ ।

କେବଣ ଯାଦବ ଯାଇ ରହିଲା ବିଦେଶେ

କେହି ବା ରହିଲା ଯାଇ କୁଣ୍ଡୀନଗ୍ର ଦେଶେ ।

କେବଣ ଯାଦବ ମତ୍ସ୍ୟଦେଶରେ ରହିଲେ

କେହି ବା ହସ୍ତିନାପୁରେ ଯାଇଁ ବାସ କଲେ ।

କେବଣ ଯାଦବମାନେ କଂସ ଭୟ ପାଇ

ଜରାସନ୍ଧ ନୃପତିର ସେବାକଲେ ଯାଇ ।

ଧାର୍ମିକ ଯାଦବମାନେ ପୁଣ୍ୟବନ୍ତ ଦେହୀ

କଂସ ଆଶ୍ରେକରି ଥୋକେ ରହିଲେକ ତହିଁ ।

ଦର୍ପିଷ୍ଠ ଦାନବ ଅଟେ ସେହି କଂସ ବୀର

ପାଦଭରେ ବସୁନ୍ଧରା ପାଇ ମହାଭାର ।

ଦେବ ଦାନବ ମାନବ ଜିଣିଲା ସେ ରଣେ

ଦିଗପାଳେ ସେବା କଲେ ତାହାର ଚରଣେ ।

ଭୋଜବଂଶେ ଜନ୍ମ ଲଭି ହୋଇଲା ଅସୁର

ମେରୁ ପ୍ରଦକ୍ଷିଣ କଲା କଂସ ମହାବୀର ।

ଯାର ପଣ୍ଡିତ ଧାର୍ମିକ ଉଗ୍ରେସେନ ପିତା

ଯାର ପରମାସାଧକୀ ଇନ୍ଦୁମତୀ ମାତା ।

ସେହି ମହାସତୀ ଜାଣ ଅଟେ ଅତିବ୍ରତା

ସାଧବୀମାନଙ୍କ ସଙ୍ଗେ ହୋଇଛି ଗଣିତା ।

ତାହାର ଗର୍ଭରୁ ଜାତ ହୋଇଣ ସେ ପୁତ୍ର

ସେ କେହ୍ନେ ଅସୁର ହୋଇ ନ ମାନିଲା ଗୋତ୍ର ।

ଏ କଥା ସଂକ୍ଷେପି ମୋତେ କହ ମହାମୁନି

ପାପକ୍ଷୟ ହେବ ମୋର ଶ୍ରୂତିପଥେ ଶୁଣି ।

ଅଚ୍ୟୁତ ଦାସ ବୋଲଇ ବୋଲ ହରି ହରି

ହରିଙ୍କି ଭଜିଲେ ସିନା ଭବୁ ଯିବ ତରି ।

 

କଂସର ଜନ୍ମ, ରାଜତ୍ଵ ପ୍ରାପ୍ତି ଓ ଗୋମତ ଋଷିଙ୍କର ଶାପ ଏବଂ ବଳି ବାମନ ଚରିତ

ଶୁକମୁନି ବୋଇଲେ ହେ ପରୀକ୍ଷିତ ରାୟେ

ମନଦେଇ ଶୁଣ ଅଭିମନ୍ୟୁର ତନୟେ ।

ସାବଧାନ ହୋଇ ତୁ ହୋ ଶୁଣ ନୃପମଣି

ମୋତେ ପୁଚ୍ଛାକଲୁ କଂସ ପୂର୍ବଜନ୍ମ ବାଣୀ ।

କଂସ ଯେବେ ଉଗ୍ରସେନ ପୁତ୍ର ହୋଇଥାନ୍ତା

ଯଦୁ ଭୋଜବଂଶକୁ ସେ କିପାଁ ଦଣ୍ଡ ଦ୍ୟନ୍ତା ।

ଦୁଷ୍ଟପଣେ ରାଜ୍ୟକରେ ସେହି ଦୁଷ୍ଟମତି

କେମନ୍ତେ ଛାଡ଼ିବ ସେହି ଅସୁର ପ୍ରକୃତି ।

ଦାନବର ବୀର୍ଯ୍ୟେ ଯହୁଁ ହୋଇଲାକ ଜାତ

ତେଣୁ ସେହି କରୁଅଛି ଅନ୍ୟାୟ ବହୁତ ।

ଯଦୁ ରାଜାର ଭାରିଯା ନାମ ତିଳୋତ୍ତମା

ସାତପୁତ୍ର ଜାତ କଲା ନାହିଁ ତା ଉପମା ।

ଭୋଜ ବିଷ୍ଣୁଙ୍କୁ ମାନନ୍ତି ଦେବ ଭଗବାନ

ଚୁହାଣ ଆଦି ସେ ସର୍ବ ବଂଶ ବର୍ଦ୍ଧମାନ ।

ଯଦୁ ଆଦି ସାତବଂଶ ହେଲେ ଉତପତ୍ତି

ମଥୁରା ଦେଶରେ ଉଗ୍ରସେନ ନରପତି ।

ଭୋଜ ନାମେ ପୁତ୍ର ଅଟେ ସବୁଠାରୁ ଶ୍ରେଷ୍ଠ

ସମସ୍ତେ ବିଚାରି ତାର ମାଥେ ବାନ୍ଧି ପାଟ ।

ଯଦୁ ନାମରେ ଯେବଣ ପୁତ୍ରଗୋଟି ଥିଲା

ଯାଦବ ବଂଶରେ ସେହି ଅଧିକାରୀ ହେଲା ।

ତେଣୁ ସେହି ଉଗ୍ରସେନ ମଥୁରା ନୃପତି

ଆବର ଯାଦବବଳ ଯେତେକ ଅଛନ୍ତି ।

ପାତ୍ର ଅମାତ୍ୟ ପଣରେ ଖଟନ୍ତି ରାଜାଙ୍କୁ

ଉଗ୍ରସେନ ଅତିସୁଖେ ପାଳଇ ରାଜ୍ୟକୁ ।

ଅନ୍ଧକ ବଂଶରେ ଜାତ ଶତ୍ରାଜିତ ବୀର

ବିଷ୍ଣୁ ବଂଶରେ ଯେ ଜାତ ହୋଇଲା ଅକ୍ରୁର ।

ଭୋଜ ବଂଶରେ ଜନମ ହୋଇଲା ଉଦ୍ଧବ

ଚୁହାଣ ବଂଶରେ ଜାତ ସାତ୍ୟକି ସମ୍ଭବ ।

କୁମୁଦ ବଂଶରେ ଜାତ ଅନାଧୃଷ୍ଟ ବୀର

କୁରୁବଂଶେ ବାସୁଦେବ ଧାର୍ମିକ ପ୍ରବର ।

ଏହିରୂପେ ସାତବଂଶ ହୋଇଲେ ଯାଦବ

ଶୁଣ ତୁ ହୋ ମହାରାଜା ଏଥିର ପ୍ରସ୍ତାବ ।

ଜଗତଜିତା ଯାଦବେ ଛପନ ଯେ କୋଟି

ଏକେ ଏକେ ଶକତା ସେ ବଳେ ଜଗଜ୍ଜେଠୀ ।

ଜଣେ ଜଣେ ପାରନ୍ତି ସେ ଜିଣି ସୁରପତି

ତାହାଙ୍କୁ ଦେଖିଲେ ଭୟ କଲେ ଜନ୍ତୁପତି ।

ରଣରଙ୍କା ଯାଦବେ ଯେ ସମସ୍ତେ ତ ଯୋଦ୍ଧା

ଛପନ କୋଟି ଯାଦବ ତହିଁରେ ପ୍ରସିଦ୍ଧା ।

ପୃଥିବୀର ମହାଭରା ଉଶ୍ଵାସିବା ପାଇଁ

ଯତନେ ଯାଦବଦଳ ବିଧାତା ଭିଆଇ ।

ଏହାଙ୍କର ପୁତ୍ରନାତି ଅଟନ୍ତି ଯେ ଜନ

ସଂକ୍ଷେପି ତା କହିବାକୁ କେ ହେବ ଭାଜନ ।

ଯୁକତେ ଜାଣ ଯାଦବେ ପ୍ରତ୍ୟକ୍ଷ ଦେବତା

ଧାର୍ମିକ ବିବେକି ପୁଣି ପୃଥ୍ଵୀରେ ଶକତା ।

ସମସ୍ତେ ସୁଜ୍ଞାନୀ ମେଳ ସଦା ସାଧୁସଙ୍ଗେ

ହିଂସା ଅହଂକାର ନାହିଁ କାହାରି ହିଁ ଅଙ୍ଗେ ।

ଗୁରୁ ଅତିଥି ଦେବତା ପିତୃ ସେବାକରି

ବିହରନ୍ତି ଯାଦବେ ଯେ ଧର୍ମକୁ ଆଚରି ।

ବିବେକବନ୍ତ ମୃଶୀଳ ସାଧୁ ଗୁଣବନ୍ତ

ବୀର ଶୂର ବଳବନ୍ତା ଅଟନ୍ତି ସମସ୍ତ ।

ଦାନେ ସାବଧାନେ ସିଦ୍ଧ ସାଧନାଦି ଯୋଗ

ଚତୁଷ୍ପାଦ ଲକ୍ଷ୍ମୀ ଘେନି ଅଇଶ୍ଵର୍ଯ୍ୟ ଭୋଗ ।

ନିଶଃଙ୍କ ଯାଦବେ କିଛି ନାହିଁ ପୁଣି ଚିନ୍ତା

ବେଦଶାସ୍ତ୍ର ପଢ଼ି ସର୍ବେ ଜ୍ଞାନମାର୍ଗେ ରତା ।

କିଛିମାତ୍ର ପାପ ନାହିଁ ସର୍ବେ ପୁଣ୍ୟଦେହୀ

ପରଧନ ପରନାରୀ ନ ହରନ୍ତି କେହି ।

ନିଜ ଧର୍ମ ବ୍ୟତ୍ରକେ ସେ ଆନ ନ ଜାଣନ୍ତି

ସାବିତ୍ରୀ ସମାନ ତାଙ୍କ ନାରୀ ମହାସତୀ ।

ନର ନାରୀଏ ସମସ୍ତେ ବିଶୁଦ୍ଧ ଅଟନ୍ତି

ସୁବର୍ଣ୍ଣ କଳସମାନ ପୀଢ଼ାରେ ବସାନ୍ତି ।

ନେତ ପାଟପତନୀ ଯେ ଉଡ଼େ ଫରହର

ଇନ୍ଦ୍ର ଭୁବନ ତାହାକୁ ନୋହେ ପଟାନ୍ତର ।

ସବୁକାଳେ ସେ ଭୁବନେ ବହଇ ବସନ୍ତ

ସେ ରାଜାର ମହିମା କେ କରିପାରେ ଅନ୍ତ ।

ଯେତେବେଳେ ଇଚ୍ଛାକରେ ସେହି ଯେଉଁ ଦ୍ରବ୍ୟ

ଅକସ୍ମାତେ ସେ ରାଜାକୁ ମିଳେ ଆସି ସର୍ବ ।

ବ୍ରାହ୍ମଣ ବୈଶ୍ୟ କ୍ଷତ୍ରିୟ ଶୂଦ୍ର ଜାତି ଚାରି

ତାଙ୍କୁ ମୂଳକରି ତହିଁ ସର୍ବେ ଛନ୍ତି ପୂରି ।

କୁଳ ଅକୁଳ ସତ୍କୁଳ କୋଟି ଯେ ଛପନ

ଏହାଙ୍କ ମୂଳେ ବସଇ ମଥୁରା ରାଜନ ।

ଯେ ଯାହାର ଆଖିରେ ସେ ଥାଆନ୍ତି ସକଳ

ଅନୁକ୍ଷଣେ ଧର୍ମକଥା ବିଚାର ମଙ୍ଗଳ ।

ଦଶଲକ୍ଷ  ଘର ତହିଁ ବସେ ଜନପ୍ରଜା

ସୁଚିତ୍ତରେ ପ୍ରଜାପାଳେ ଉଗ୍ରେସେନ ରାଜା ।

ରାଜାଙ୍କର ଗଉରବ ପାଇ ତହିଁ ଲୋକେ

ଦେଶ ଘୋର ବରତନ ନ ଘେନନ୍ତି ଥୋକେ ।

କେ ରାଉତ କେ ମାହୁନ୍ତ କେବା ମନ୍ତ୍ରୀହୋନ୍ତି

କେ ଅଟେ ସାମନ୍ତ କେହି ଅଟେ ମହାରଥୀ ।

କେ ଖଟଣୀ କେ ପାହାରୀ କେହି ବା ପଦାତି

ଡଗରା ହୋଇ ନିଶାରେ କେହି ବା ବୁଲନ୍ତି ।

ସାତବଂଶ ଯାଦବ ଯେ ରାଜାଙ୍କ ବିଗ୍ରହ

ଉଗ୍ରସେନ ରାଜା ତାଙ୍କୁ କରୁଥାଇ ସ୍ନେହ ।

ଶତ୍ରାଜିତ ଅନାଧୃଷ୍ଟ ଉଦ୍ଧବ ସାତ୍ୟକି

ବସୁଦେବ କୃତଦେବ ଷଡ଼ଜଣ ଲେଖି ।

ରାଜାର ସଙ୍ଗେ ଏମାନେ ରାଜ୍ୟକୁ କାରେଣୀ

ଲଙ୍ଘି ନ ପାରଇ ଉଗ୍ରସେନ ତାଙ୍କ ବାଣୀ ।

ହାରି ଗୁହାରି ବିଚାର ଯେତେ ରାଜ୍ୟ ବିଧି

ରାଜା ସନ୍ନିଧିରେ ଥାଇ କରୁଥାନ୍ତି ସିଦ୍ଧି ।

ପରରାଷ୍ଟ୍ର ନିବାରଣେ ସଂଗ୍ରାମେ ଶକତା

ବିଶ୍ୱାସୀ ଲୋକେ ଜାଣନ୍ତି ହାନିଲାଭ କଥା ।

ପ୍ରତାପୀ ଯେ ତେଜୋମୟ ଉଗ୍ରସେନ ରାୟ

ପରମବ୍ରହ୍ମ ପୁରୁଷ ଅଟେ ପୁଣ୍ୟମୟ ।

ରାଜ ପାଟବଂଶୀ ଇନ୍ଦୁମତୀ ରାଜଜେମା

ଅତି ବୁଦ୍ଧିମତୀ ସତୀ ସାଗର ଗାରିମା ।

ନଅର ଭିତରେ ଛନ୍ତି ଯେତେକ ରମଣୀ

ସବୁଠାରୁ ଗୁଣ ରୂପବତୀ ସେ ଘରଣୀ ।

ସବୁଙ୍କ ସମ ଦେଖଇ ରାଜଚକ୍ରବର୍ତ୍ତୀ

ଲକ୍ଷ ଲକ୍ଷ ତୁରଙ୍ଗମ ମାତଙ୍ଗ ଅଟନ୍ତି ।

ସେ ମଣ୍ଡଳେ ପ୍ରଧାନ ସେ ଉଗ୍ରସେନ ରାଜା

ଅଇରିବଳ କରନ୍ତି ତାର ପାଦପୂଜା ।

ଅପୂର୍ବ ସୁନ୍ଦର ସେହି ପୁରଲୋକେ ଜାଣ

ଅପୂର୍ବ ବାଣୀ କହନ୍ତି ପୁରସ୍ତୀରିଗଣ ।

ସେ କଟକ ଆୟତନ ଯେ ପାଞ୍ଚ ଯୋଜନ

ଅମର ବିଦ୍ୟାଧରଙ୍କ ପ୍ରାୟ ସର୍ବ ଜନ ।

ହାଟ ପାଟଣା ଦାଣ୍ଡ ଯେ ଦିଶଇ ସୁନ୍ଦର

ଅପୂର୍ବ ମେଢ଼ ମଣ୍ଡପ ଧବଳ ପ୍ରକାର ।

ନିରତେ ଚନ୍ଦ୍ର କି ତହିଁ ହୁଅଇ ଉଦୟ

ତେସନ ଧବଳମୟ ପୁର ଶୋଭାମୟ ।

ସୁନ୍ଦର ମଥୁରା ଗଡ଼ ପୁରଦେଶ ଗ୍ରାମ

ତହିଁକି ଅମରପୁର ଅଟେ ଅନୁପମ ।

ଗୋବିନ୍ଦ ଜନମ ହେବେ ଆଗହୁଁ ତା ଜାଣି

ଯତ୍ନେ ତାକୁ ବିଶ୍ୱକର୍ମା ଅଛଇ ନିର୍ମାଣି ।

ଅକଣ୍ଟକ ରାଜ୍ୟ କରେ ଉଗ୍ରସେନ ରାୟ

ସୁନାସ କଂସ ଏ ବେନି ତାହାର ତନୟ ।

ସୁନାସ ବୋଲି ତାହାର ଯେବଣ ହିଁ ପୁତ୍ର

ଉଗ୍ରସେନ ବୀର୍ଯ୍ୟେ ଜାତି ଅଛି କୁଳଗୋତ୍ର ।

କଂସାସୁର ବୋଲି ଯହୁଁ ପୁତ୍ର ଉପୁଜିଲା

କପଟେ ଦୃମିଳାସୁର ତାକୁ ଜୟ କଲା ।

ତେଣୁ ସେ ଅସୁରାଧିପ ହେଲା କଂସବୀର

ଅବିଘ୍ନ ପୃଥ୍ଵୀ ଗୋଟାକୁ ହୋଇଲାତ ଭାର ।

ଧନୁ ଶୁକ୍ଲଦଶମୀ ଯେ ବୃହସ୍ପତି ବାର

ପାକାସ୍ପରଶନ ଇନ୍ଦୁମତୀ ସେ ଦିନର ।

କୃତ୍ତିକା ନାମେ ନକ୍ଷତ୍ର ବିଷ୍ଟି ଯେ କରଣ

ଇନ୍ଦୁମତୀ ଯମୁନାରେ କରିବାକୁ ସ୍ନାନ ।

ନବଯୁବା ମହାଦେଈ ଅଟେ ଶୁଦ୍ଧଶାଳୀ

ଶୁଦ୍ଧ ସ୍ନାନାର୍ଥେ ଯାଇଣ ପତିପାଶେ ବାଳୀ ।

ଆଜ୍ଞା ଦେଲେ ଯିବି ମୁହିଁ ସ୍ନାନ କରିବାରେ

କର ଯୋଡ଼ି ବାଳୀ କହେ ସ୍ଵାମୀର ଛାମୁରେ ।

ରାଜା ବୋଇଲେ ରାଣୀ ଗୋ ଆମ୍ଭେ ପଛେଯିବୁ

ମକର ସ୍ନାନ କାଳିନ୍ଦୀ ହ୍ରଦରେ କରିବୁଁ ।

ରାତ୍ର ଥାଉଁ ତୁମ୍ଭେ ଆଗ ସ୍ନାନକର ଯାଇ

ତୁମ୍ଭ ପଛେ ପଛେ ଚାଲ ଯାଉଅଛି ମୁହିଁ ।

ଏହା ଶୁଣି ହାନ୍ଦୋଳାରେ ରାଣୀ ବିଜେ କଲେ

ସମଦଣ୍ଡ ଚଳ ବୋଲି ଶ୍ରୀମୁଖେ ବୋଇଲେ ।

ନିତ୍ୟକର୍ମ ସାରିବାରୁ ଉଛୁର ଯେ ବେଳ

ସଧୀରେ ଚଳନ୍ତି ମହାଦେଈ ପ୍ରାତଃକାଳ ।

ରାଜାଙ୍କର ଯିବାରେ ତ ହୋଇବଟି ହେଳ

ଆମ୍ଭେ ଚାଲ ଆଗ ଯିବା ହୋଇଣ ତତ୍କାଳ ।

ହାନ୍ଦୋଳା ଲାଗିହୋଇ ସେ ରାଜାର ବଲ୍ଲଭୀ

ନବରୁ ବାହାର ହେଲେ ରାତ୍ରିଥାଉଁ ଦେବୀ ।

ଚାଙ୍ଗଡ଼ା ମୃଦୁସୁଲୀ ଯେ ଧାଈ ପରିବାରୀ

ବାହାର ହେଲେ ପୋଇଲୀ ଟେରାବାଡ଼ ଧରି ।

ପଲାଣିଆ ଥାଟ ଚଳେ ଯୋଗାଣିଆ ମୂଳେ

ସଧୀରେ ଚଳନ୍ତି ମହାଦେଈ ପ୍ରାତଃକାଳେ ।

ରାତି ଥାଉଁ ମିଳିଲେ ସେ ଯମୁନାର କୂଳେ

ପଡ଼ିହାରୀ ରହିଲେ ଯେ ଖଞ୍ଜାମୁଳେ ମେଳେ ।

ନଦୀର କୂଳେ ମିଳିଣ ରଚିଲେ ମଣ୍ଡୁଆ

ଟେରାବାଡ଼ ପକାଇଲେ ଟାଙ୍ଗିଲେ ଚାନ୍ଦୁଆ ।

ଯେସନେକ ଶାସ୍ତ୍ରବିଧି ଅଛି ପୂର୍ବମତେ

ସେବକେ ସମ୍ପାଦି ଦେଲେ ଯେ ଯାହା ମତେ ।

ବାହ୍ୟକ୍ରିୟା ସାରି ଦେବୀ ଘେନେ ଦାନ୍ତକାଠି

ତିଳ ଅଏଁଳା ମର୍ଦ୍ଦନ କରେ ଅଙ୍ଗଯାଠି ।

ମହାବାକ୍ୟ ଉଚ୍ଚାରିଣ ସ୍ନାନକଲେ ଜଳେ

ସ୍ନାନସାରି ଆସି ଉଭା ହେଲେ ନଦୀକୂଳେ ।

ଦେବାଙ୍ଗ ରଙ୍ଗ ବସନ ଲାଗି ହେଲେ ଅଙ୍ଗେ

କର୍ପୂରଗନ୍ଧ ଚନ୍ଦନ ଲେପି ହେଲେ ବେଗେ ।

ନବ ରତନର ହାର ଗଳେ ଲମ୍ଵାଇଲେ

ନାନା ସୁଗନ୍ଧ ଘେନି ଶ୍ରୀଅଙ୍ଗ ଶାମଳିଲେ ।

ସୁବାସ କୁସୁମ ଘେନି ଖୋସିଲେ ଯେ ଖୋଷା

ନିଷ୍କଳଙ୍କ ଚନ୍ଦ୍ରମା କି ତାରାଗଣେ ମିଶା ।

ଯୁକତେ ଇନ୍ଦୁମତୀ ଯେ ଅପୂର୍ବ ସୁନ୍ଦରୀ

ରମ୍ଭା ଉର୍ବଶୀ ମେନକା ରତି ନୋହେ ସରି ।

କୂଳେ ବେଶଭୂଷା ହୋଇ ସଧୀରେ ଗମଇ

ଗଗନେ ଚନ୍ଦ୍ରମା କିବା ଆସେ ରଦେ ହୋଇ ।

ସହସ୍ରେକ ପରବାରୀ ଅଛନ୍ତି ଯେ ଘେରି

ଧୂପ ଦୀପ ଚାମର କେ ଅଛି କରେ ଧରି ।

ଏହି ସମୟେ ପ୍ରବେଶ ଦୃମିଳ ଦାନବ

ସ୍ଵର୍ଗମଣ୍ଡଳର ସେହି ଅଟଇ ଗନ୍ଧର୍ବ ।

ନନ୍ଦନବନ ତୋଟାରେ ଥିଲା ଅଧିକାରୀ

ମଞ୍ଚେ ଜନମ ହୋଇଲା ଇନ୍ଦ୍ର ଶାପ ଧରି ।

ଯମୁନା କୂଳରେ ଅଛି ଜୟ ନାମେ ଦେଶ

ତହିଁରେ ରାଜ୍ୟ କରଇ ଦୃମିଳ ରାକ୍ଷସ ।

ମୃଗୟା ଆସିଲା ସେହିଦିନ ଏକାହୋଇ

ଯମୁନାକୂଳରେ ଇନ୍ଦୁମତୀକି ଭେଟଇ ।

କେଶ ବାସ ଅସମ୍ଭାଳେ ଚାହିଁ ଚଉକତି

ମଦନ ଆରତେ ଛନ୍ନ ଛନ୍ନ ତାର ମତି ।

ଇନ୍ଦୁମତୀକି ଦେଖିଲା ଆକାଶରେ ଥାଇ

ନିଶ୍ଚଳ ହୋଇ ରହିଲା ରୂପକୁ ଅନାଇଁ ।

କନ୍ୟାର ସୁନ୍ଦର ରୂପ ଦେଖି ମହାବଳୀ

ସ୍ତମ୍ଭୀଭୂତେ ରହିଲା ନ ପାରିଲା ସେ ଚଳି ।

ମଦନରେ ଅଶକତ ହୋଇଲା ତା ଅଙ୍ଗ

ଭେଦିଲାକ ପଞ୍ଚଶର ପୀଡ଼ିଲା ଅନଙ୍ଗ ।

ଲୋମମୂଳ ଝାଳକଣ୍ଟି ଗଳେ ଅବହେଳେ

ନୟନରୁ ଅଶ୍ରୁଜଳ ବହଇ ବିକଳେ ।

ବେଳକୁ ବେଳ ଲାଗିଲା ଅଙ୍ଗେ କାମଜ୍ଵାଳା

ଇନ୍ଦୁମତୀ ରୂପ ତାର ହେଲା ଜପାମାଳା ।

କେବଣ ବାଗେ ଏହାକୁ କରିବି ରମଣ

ଏତେକ ଭାଳି ବିମାନୁ ଉତୁରି ତକ୍ଷଣ ।

ଅସୁର କାମରୂପୀ ସେ ଜାଣେ କୂଟମାୟା

ଧାତିକାରେ ଧଇଲା ସେ ଉଗ୍ରସେନ କାୟା ।

ଇନ୍ଦୁମତୀ ଆଗେ ଯାଇ ହୋଇଲାକ ଉଭା

କାମଦେବ ପ୍ରାୟ ସେହି ହୋଇ ନବଯୁବା ।

ହସ୍ତେ ଖଣ୍ଡା ପଳା ଧରି ମିଳେ ଆଗସରି

ସକଳ ପରିବାରୀଏ ଗଲେ ଅପସରି ।

ଉଗ୍ରସେନ ରାଜା ବୋଲି ଆଡ଼ ହୋଇଗଲେ

ସେ ଅସୁର ମାୟା କେହି ଜାଣି ନ ପାରିଲେ ।

ପତିବ୍ରତା ସ୍ତିରୀ ସେହି ଇନ୍ଦୁମତୀ ରାଣୀ

ଏ କଥା କପଟ ବୋଲି ନ ପାରିଲା ଜାଣି ।

ପତିପ୍ରାୟ ବୁଝି ସେହି ନିଉଛାଳି କଲା

କରପତ୍ର ଯୋଡ଼ି ତାର ଛାମୁରେ ରହିଲା ।

ଦୃମିଳ ବୋଇଲା ସଖି ପାଖକୁ ମୋ ଆସ

ତୁହି ମୋର ପଞ୍ଚଭୂତ ଆତ୍ମାର ବିଶ୍ଵାସ ।

ତୁମ୍ଭ ବିନା ନାହିଁ ମୋର କାହାକୁ ଯେ ଆଶା

ପଣ୍ଡୁରେ କାରିଣୀ ମୋର ଅଟୁ ଗୋ ଭରସା ।

ଏତେବୋଲି ରାଣୀକି ସେ ବସାଇଣ କାଳେ

ମୁଖରେ ଚୁମ୍ବନ ଦେଲା ବଦନ ବିଭୋଳେ ।

ତାହାରି ଆରତ ଦେଖି ରାଣୀବୋଲେ ଗିର

ଏ କାଳରେ ନୁହଇ ଏ ଉଚିତ ବେଭାର ।

ବେଭାରେ ତ ନଦୀକୂଳ ଚଉକତି ଲୋକ

ରଜନୀର ଶେଷକାଳ ଘେନ ମୋର ବାକ୍ୟ ।

ଉଚିତ ଚାଲ ହେ ନାଥ ନବରକୁ ଯିବା

ମୁଁ ତୁମ୍ଭର ଦାସୀ ମୋର ବଚନ ଘେନିବା ।

ଶାସ୍ତ୍ରର ନିଷେଧ କଥା କରିବି କେମନ୍ତେ

ବଳ ଆୟୁଷ ତୁଟଇ ରମିଲେ ପ୍ରଭାତେ ।

ରାଣୀର ମୁଖୁ ଦାନବ ଏ ବଚନ ଶୁଣି

ହସି ହସି ଧୀରେ ଧୀରେ କହେ ମୃଦୁବାଣୀ ।

ଏ ଅପୂର୍ବ ସ୍ଥାନ ସଖି ପାଇଥାଇ ଆଜ

ଟେରାବାଡ଼ ପଡ଼ିଅଛି ନ ପାଅ ଗୋ ଲାଜ ।

ବେଭାରେ ମୁଁ ନବଯୁବା ତୋର ରୂପ ଦେଖି

କେମନ୍ତେ ଏ ରମ୍ୟସ୍ଥାନ ମରୁଛିବି ସଖି ।

ଆଗୋ ସଖି ଲାଗିଅଛି ମୋତେ କାମବାଧା

ନ ଭାଙ୍ଗ ସୁନ୍ଦରୀ ତୁ ଗୋ ମୋହର ଶରଧା ।

ଭାଙ୍ଗିଲେ ଦଶଦଶା ଘୋଟିବ ଗୋ ମୋତେ

ପତିବ୍ରତା ହୋଇ ଏହା କରିବୁ କେମନ୍ତେ ।

କପଟ ରାଜାର ବାଣୀ ଶୁଣି ଇନ୍ଦୁମତୀ

ମଉନ ରହିଲା ସ୍ଵାମୀ ମନେକରି ସତୀ ।

ଆପଣାର ସ୍ଵାମୀ ଭାଳି ସନମତ କଲା

ପତିବ୍ରତା ପତି କଥା ଭାଙ୍ଗି ନ ପାରିଲା ।

ରାଜା ରାଣୀ ମିଶି ଦୁହେଁ ଏକାନ୍ତ ହୋଇଲେ

ପରିଜନମାନେ ଜାଣି ଦୂର ହୋଇଗଲେ ।

ପଡ଼ିଲାକ ଟେରାବାଡ଼ ଦୂର ହେଲେ ଲୋକେ

ପଦ୍ମବନ ଗଜମୁର୍ଖ ଭାଙ୍ଗେ କି ନିଶଃଙ୍କେ ।

ରାକ୍ଷସର ସଙ୍ଗେ କାହିଁ ମାନବର ସଙ୍ଗ

ମୂର୍ଚ୍ଛାଗଲା ରାଣୀ ତାର ସର୍ବାଙ୍ଗ ବିଭଙ୍ଗ ।

ଘଡ଼ିକର ଅନ୍ତେ ସତୀ ଚେତନା ପାଇଲା

ଦାନବ ମୁଖକୁ ଆଖି ମେଲିଣ ଚାହିଁଲା ।

ଧଡ଼ଧଡ଼ ହୋଇ ଉଠି ବସିଲା ସୁନ୍ଦରୀ

ବୋଇଲା ପାମର ତୁରେ ନୋହୁ ଦଣ୍ଡଧାରୀ ।

ଉଗ୍ରସେନ ରାଜା ଚିହ୍ନ ତୋର ଦେହେ ନାହିଁ

ସର୍ବଗୁଣେ ସୁଲକ୍ଷଣ ସେ ରାଜା ଅଟଇ ।

ଆରେ ଆରେ ପାମର ତୁ ନୋହୁ ମୋର ନାହା

କେବଣ ପାପିଷ୍ଠ କୂଟରୂପେ କଲୁ ଏହା ।

ସ୍ଵାମୀର ରୂପ ମୋହର ଧଇଲୁ କପଟେ

ବଳେ ବିଡ଼ମ୍ଵନା ମୋତେ କଲୁ ଜଳଘାଟେ ।

ଭୋ ଧର୍ମଦେବତା ପୂର୍ବେ ଏହା ଅର୍ଜିଥିଲି

ଦଇବ କଷଣ ଯୋଗୁଁ ଜାଣି ନ ପାରିଲି ।

ରାଜାର ବଲ୍ଲଭୀ ମୁହିଁ ରାଜାର ଦୁହିତା

ଜାତିରେ ପଦ୍ମିନୀ ମୁହିଁ ନାରୀ ପତିବ୍ରତା ।

ରାଜା ଉଗ୍ରସେନର ମୁଁ ନୟନସଙ୍ଖାଳି

ପବିତ୍ର ଅଙ୍ଗରେ ମୋର ଲଗାଇଲୁ କାଳି ।

ପୂର୍ବେ ଅର୍ଜିଥିଲୁ ତୁହି ସାଧି କେଉଁ ଯୋଗ

ସଂହି ଘରଣୀ ଶୃଗାଳ ହୋଇ କଲୁ ଭୋଗ ।

ଆହୋ ଦଶଦିଗପାଳେ ତୁମ୍ଭେ ସବୁ ଜାଣ

ଭୋଜବଂଶୀ ରାଣୀ ହୋଇ ହେଲି ଅକାରଣ ।

ଅଜ୍ଞାନ ପାମର ମୂଢ଼ ଏହି ମୂର୍ଖଜାତି

ଧର୍ମକୁ ଝାଙ୍ଗାସି ମୋତେ ଏତେ ଦେଲା ଶାସ୍ତି ।

ଭାଙ୍ଗିଲା ପ୍ରଭୁର ମୋର ପତିବ୍ରତା ସେବା

ଆଉ ପତିବ୍ରତାପଣ ଥାଇ କି କରିବା ।

ମନେ ପରପୁରୁଷକୁ ମୋର ଆଶା ନାହିଁ

ଏଡ଼େ ବଡ଼ ଧର୍ମ ମୋର ନାଶିଲୁ କିପାଇଁ ।

ଆରେ ଦୁରାଚାର କହ ତୋ ସ୍ଵରୂପ ମୋତେ

ଏହିକ୍ଷଣି ଭକ୍ଷ୍ମରାଶି କରିବି ମୁଁ ତୋତେ ।

କେବଣ କୁଳେ ତୁ ଜାତ ନାମ ତୋର କିସ

କିପାଇଁ ମୋହର କୁଳଧର୍ମ କଲୁ ନାଶ ।

ଉଗ୍ରସେନେ ରାଜାର ମୁଁ ଅଟେ ପାଟରାଣୀ

ମହାପାତକ ସମୁଦ୍ରେ ଭସାଇଲୁ ଆଣି ।

ଦେବ କି ଦାନବ ତୁ ରେ ସ୍ଵରୂପ ତା କହ

ଏହିକ୍ଷଣି ଭସ୍ମରାଶି କରିବି ତୋ ଦେହ ।

ଏତେ ବୋଲି ମହାଦେଈ କୋପଭର ହୋଇ

କହନ୍ତି ସେ ଦାନବର ବଦନକୁ ଚାହିଁ ।

ନୋହୁ ତୁ ତ ଉଗ୍ରସେନ ରାଜାର ପାମର

ଗୁପତ ସଙ୍କେତମାନ ନାହିଁ ତୋ ଶରୀର ।

କପଟେ ତୁ ମୋର ସତୀପଣ କଲୁ ନାଶ

ନିଶ୍ଚେଁ କୋପାନଳେ ତୋତେ କରିବି ପାଉଁଶ ।

କହୁଁ କହୁଁ ବହ୍ନି ତୁଲ୍ୟ ଦିଶିଲା ପ୍ରଚଣ୍ଡ

ଅଧର କମ୍ପାଇ କହେ ବଚନ ବିଖଣ୍ଡ ।

ଦେଖିଣ ଦାନବ ମହାଭୟ ଯେ ପାଇଲା

କରପତ୍ର ଯୋଡ଼ି ତାର ଛାମୁରେ ରହିଲା ।

କାର୍ପଣ୍ୟ ହୋଇଣ ପୁଣି ବୋଲେ ମହାବଳୀ

ସାବଧାନ ହୋଇ ଶୁଣ ଉଗ୍ରେସେନ ନାରୀ ।

ସ୍ଵର୍ଗ ବିଦ୍ୟାଧର ମୁଁ ଗୋ ଇନ୍ଦ୍ରବନେ ଥିଲି

ସୁରପତି ପାଦରେ ମୁଁ ଦୋଷ ଅରଜିଲି ।

ବାସବର ଶାପେ ମୁଁ ଗୋ ହୋଇଲି ରାକ୍ଷସ

ରକ୍ଷ ଦାନବର ମୁହିଁ ଅଟଇ ଯେ ଶିଷ୍ୟ ।

ଅତି ପରିମଳ ଗୋଟା ଅଟଇ ଏ ଭୂଇଁ

ତିନିଯୁଗ ହେଲା ଏଥେ ରହିଅଛି ମୁହିଁ ।

ଏ ତୋହର ଦିବ୍ୟ ରୂପ ଲୋଚନେ ଦେଖିଲି

ମଦନର ଶରାଘାତ ସହି ନ ପାରିଲି ।

କାମରୂପୀ ଅସୁର ମୁଁ ଜାଣେ ନାନା ମାୟା

ତୋତେ ଭେଟିଲି ମୁଁ ଧରି ଉଗ୍ରେସେନ କାୟା ।

ଯୁକତେ ପଦ୍ମିନୀ ଜାତି ଅଟୁ ମହାସତୀ

ସ୍ଵର୍ଗନାୟିକା ତୁମ୍ଭଙ୍କୁ ସମାନ ନୁହନ୍ତି ।

ପୁରୁଷ ହୋଇ ଧଇର୍ଯ୍ୟ ଧରି ରହିବ କି

ପାଷାଣ ହେଲେ ତରଳି ଯିବ ରୂପ ଦେଖି ।

ମରୁଛି ନ ପାରି କଲି ଏସନକ ରୀତି

ସତ୍ୟବଚନ କହିଲି ଆଗୋ ମହାସତୀ ।

ସାକ୍ଷାତେ ସାଧବୀ ତୋର ନିଷ୍କଳଙ୍କ କାୟା

ଦୋଷ ଅପରାଧ କ୍ଷମା କର କରି ଦୟା ।

ତୋହର ଗର୍ଭରୁ ଜାତ ହେବ ଯେଉଁ ବଳା

ସ୍ଵର୍ଗ ମର୍ତ୍ତ୍ୟ ପାତାଳେ ସେ ହେବ ଅନର୍ଗଳା ।

ମହାବଳବନ୍ତ ପୁତ୍ର ରହିଲା ତୋ ଗର୍ଭେ

ଅତି ଯତନେ ପାଳିବ ଅସୁର ସ୍ଵଭାବେ ।

ସତ୍ୟ ସ୍ଵରୂପ ଅଟଇ ଜାଣ ମୋର ବାଣୀ

ସଚରାବର ଭୂମିକି ହୋଇବ କାରେଣୀ ।

କୋଟିଏ ଇନ୍ଦ୍ର ହେଲେ ଗୋ ନ ପାରିବ ଜିଣି

ତାହାର ପାଦ ଭାଗରେ କମ୍ପିବ ଧରଣୀ ।

ଚଉଦ ଭୁବନେ ସେହି କ୍ଷତ୍ରୀ ବୋଲାଇବ

ଡରେ ଆସି ସେବା ତାକୁ କରିବ ବାସବ ।

ଭୂଜବଳେ ଅର୍ଜିବ ସେ ଅନେକ ସମ୍ପଦ

ଯୁଦ୍ଧରେ ସରି ନୋହିବେ ତାକୁ ସଦାନନ୍ଦ ।

ଜାରକ ତନୟ ବୋଲି ନ କରିବୁ ହେଳ

ବିପୁଳ ସୁଖ ଭୁଞ୍ଜିବୁ ଏହା ପ୍ରତିପାଳ ।

ଦାନବର ସୁଖୁ ଶୁଣି ଏସନକ ବାଣୀ

ଗତଆତ୍ମା ପ୍ରାୟ ହେଲା ଇନ୍ଦୁମତୀ ରାଣୀ ।

ବିକଳେ ସେ ମହାଦେଈ ଉଚ୍ଚରେ ରୋଦିଲେ

ଆକାଶକୁ ଚାହିଁ ଦେବୀ ଧର୍ମ ସାକ୍ଷୀ କଲେ ।

ନୟନରୁ ଅଶ୍ରୁଜଳ ପୋଛଇ ଅଞ୍ଚଳେ

କ୍ରୋଧଭରେ କ୍ରୋଟ ଅଗ୍ନି ନୟନରେ ଜଳେ ।

ଦାନବର ବଦନକୁ ଚାହିଁଣ ନିରେଖି

ଧର୍ମ ଦେବତାକୁ ସାକ୍ଷୀ କରି ଚନ୍ଦ୍ରମୁଖୀ ।

ଆହେ ଦଶଦିଗପାଳେ ଥାଅ ତୁମ୍ଭେ ଜାଣି

ଏ ଭୋଜବଂଶରେ ମୁହିଁ ଅଟଇ କାରିଣୀ ।

ଭୋ ବିହନ୍ତା ପୁରୁଷ ତୁ ହୋଇଥାଅ ସାକ୍ଷୀ

ପଶ୍ଚାତେ ମୋତେ ନ ବୋଲ ଅବିଗୁଣ ବାଛି ।

ମନଜ୍ଞାନେ ନାହିଁ ପରପୁରୁଷେ ମୋ ଆଶ

ଏ ହୀନ ପାମର ମୋତେ କଲା ଏ ଭବିଷ୍ୟ ।

ଧର୍ମ ବିନେ ମୋର ଆନ ସାକ୍ଷୀ କେହି ନାହିଁ

କୁଳସ୍ତିରୀ ପଣୁ ଗଲି ନ କହିବା କାହିଁ ।

ଇନ୍ଦୁମତୀ ବୋଲେ ଆରେ ଅଜ୍ଞାନ ପାମର

ଧର୍ମ ଲଙ୍ଘି କିପାଁ ତୁ ରେ କଲୁ ପରଦାର ।

ଜାଣୁ ଜାଣୁ ଅର୍ଜିଲୁ ରେ କିପାଁ ଏଡ଼େ ପାପ

ଦୋଷ ଅନୁରୂପେ ଘେନ ତୁ ମୋହର ଶାପ ।

ତୁହି ଯେଣୁ ପତିବ୍ରତ ଭାଙ୍ଗିଲୁ ମୋହର

ଯେବଣ ପୁତ୍ର ମୋ ଗର୍ଭେ ରହିଲା ପାମର ।

ଏହି ପୁତ୍ର ହସ୍ତେ ତୁହି ଯିବୁ ପ୍ରାଣେ ନାଶ

ଅଳପ ଦିନେ ତୁଟିବ ତୋହର ଆୟୁଷ ।

ଶାପ ଦେଇ ଇନ୍ଦୁମତୀ ଧର୍ମ ସାକ୍ଷୀ କଲେ

ହାନ୍ଦୋଳାରେ ବସି ଦେବୀ ନିଜପୁରେ ଗଲେ ।

ମୁଦୁସୁଲୀମାନେ ସର୍ବେ ଆଡ଼େ ହୋଇଥିଲେ

ଅସୁରର ମାୟା କିଛି ଜାଣି ନ ପାରିଲେ ।

ପ୍ରତ୍ୟକ୍ଷେ ଦେଖିଲେ ଯହୁଁ ଉଗ୍ରସେନ ମୁଖ

ଆଡ଼ ହୋଇ ରହିଥିଲେ ପାଇ ମହାସୁଖ ।

ଦୃମିଳ ଦଇତ ଗଲା ବିମାନ ଆରୋହି

ଆପଣାର ନିଜ ଦେଶେ ପ୍ରବେଶିଲା ଯାଇ ।

ସତୀର ଶାପକୁ ସେ ଯେ ବହୁତ ଡରିଲା

ଦିବାରାତ୍ର ମରଣକୁ ବସିଣ ଝୁରିଲା ।

ଏଥୁ ଅନନ୍ତରେ କେତେ ଦିନ ବହିଗଲା

ଉଗ୍ରସେନ ପାଟରାଣୀ ଗର୍ଭବତୀ ହେଲା ।

ଦିନେ ଦିନେ ମହାଭାରା ପାଇଲା ସେ ନାରୀ

ବେଶବସନ ଅଙ୍ଗରେ ନ ରହେ ତାହାରି ।

ଚାଲନ୍ତେ ଚରଣ ବେନି ନ ପଡ଼ଇ ତଳେ

ନିରତେ ତାର ଶରୀର ଶ୍ରମଝାଳ ଗଳେ ।

ଦିବସେ ଆହାର ନାହିଁ ନିଦ୍ରା ନାହିଁ ରାତ୍ରେ

କର୍ପୁର ଅଗୁର ଗନ୍ଧ ବିଲେପନ୍ତି ଗାତ୍ରେ ।

ସେହୁ କଂସାସୁର ହେବ ମର୍ତ୍ତ୍ୟେ ମହାବଳୀ

ଦେହ ବହି ସହିବ କେ ତାହାର ଆର୍ଦ୍ଦୋଳି ।

ପୃଥ୍ଵୀଦେବୀ ଯାହା ଭାର ନ ପାରିବ ସହି

ବିକଳେ କାନ୍ଦି ଗୁହାରି କରିବ ସେ ଯାଇ ।

ପିମ୍ପୁଡ଼ିର ଶକ୍ତି କାହିଁ ପର୍ବତ ବହିବ

ଏହା ଭରା ଇନ୍ଦୁମତୀ କାହୁଁ ଯେ ସହିବ ।

ଦିନକୁ ଦିନ ବିକଳ ହୁଅଇ ସେ ବାଳୀ

ପିନ୍ଧିଲା ବସନ ତାର ନ ପାରେ ସମ୍ଭାଳି ।

ନୟନ ବୁଜିଣ ରାମ ନିରତେ ଉଚ୍ଚାଟ

ଉଠଇ ବସଇ କ୍ଷଣେ ହୁଏ ଛଟପଟ ।

ପ୍ରଥମ ମକର ମାସେ ହେଲା ଗର୍ଭବାସ

ଭାଦ୍ର ପ୍ରବେଶ ହୋଇଲା ତାର ଅଷ୍ଟମାସ ।

ସିଂହ ଶୁକଳ ଦଶମୀ ତିଥି ଶୁକ୍ରବାର

ଉତ୍ତରାଷାଢ଼ା ନକ୍ଷତ୍ର ଅଟେ ସେ ଦିନର ।

ବେଳ ପାଞ୍ଚ ଘଡ଼ିରେ ସେ ଶୁଭନାମେ ଯୋଗ

ବାଣିଜ୍ୟ ନାମେ କରଣ ଦଶଦଣ୍ଡ ଭୋଗ ।

ସିଂହ ସଂକ୍ରାନ୍ତି ଚବିଶ ତିଥି ରାତିଶେଷେ

ପୁତ୍ର ଏକ ଉପୁଜିଲା ପୂର୍ଣ୍ଣ ଆଠମାସେ ।

କୁମର ଜନମ ଦେଖି ରାଜା ଉଗ୍ରସେନ

ଅନେକ ସାନନ୍ଦ ହେଲା ତାର ପଞ୍ଚମନ ।

ନଗର ଉତ୍ସବ କରି ଭଣ୍ଡାର ମେଲିଲା

ହାଟ ବାଟ ଦାଣ୍ଡ ପେଣ୍ଠ ସବୁ ଜୂର କଲା ।

ବନ୍ଦୀମାନଙ୍କୁ ବନ୍ଦିରୁ ଦେଲା ମୁକ୍ତ କରି

ଦରିଦ୍ର ଲୋକଙ୍କୁ ଅନ୍ନ ଦେଲା ଦଣ୍ଡଧାରୀ ।

ଯେ ଯାହା ରୂପେ ବସାଣ ଶାଢ଼ୀ ଚିହ୍ନି ନେଲା

ଲକ୍ଷେକ ପୋରୁହ ବୋଦା ଦେବୀ ଆଗେ ଦେଲା

ଲକ୍ଷେକ ମାଢ଼ ସୁବର୍ଣ୍ଣ ଶମ୍ଭୁ ଶିରେ ଦେଇ

ଲକ୍ଷେ ବ୍ରାହ୍ମଣ ଭୋଜନ ଗୃହରେ କରାଇ ।

ଗୁରୁ ଦ୍ଵିଜ ଦେବଋଷି ସୁଜ୍ଞଜନେ ବରି

କଂସର ଦୋଳି ଶୁଆଣୀ ଶୁଭଲଗ୍ନ ଧରି ।

ମହାଭୟଙ୍କର ବାଳ କୁମର ମୁରତି

ଅସୁରଗୁଣ ଘେନି ସେ ହେଲା ଉତପତ୍ତି ।

କାଳାନଳ ଜିଣି ତାର ଜ୍ୟୋତି ପ୍ରକାଶଇ

ତାମ୍ରବର୍ଣ୍ଣ ପ୍ରାୟ ତାର ଦେହ ବିରାଜଇ ।

ଅସୁର ରେତରେ ଯେଣୁ ପୁତ୍ର ହେଲା ଜାତ

ଅମଳାନ ଭୋଜବଂଶୀ ଇନ୍ଦୁମତୀ ମାତ ।

କେତେ ଦିନାନ୍ତରେ ତାର ପୁଣ ପୁତ୍ର ହୋଇ

ସାକ୍ଷାତେ ସେ ଉଗ୍ରସେନ ପରାୟ ଦିଶଇ ।

ବେନିପୁତ୍ର ପାଇଲେକ ରାଜା ଉଗ୍ରସେନ

ହରଷେ ଉସତ ତାର ଆନନ୍ଦିତ ମନ ।

ଆଗରୁ ତ ଦୁଇଗୋଟି ହୋଇଛି ଦୁହିତ

ଦେବକୀ ଦେବକୀ ଦୁଇ ନାମରେ ସେ ଖ୍ୟାତ ।

ସୁନ୍ଦରୀ ସୁକୁମାରୀ ସେ ତ୍ରିପୁର ମୋହିନୀ

ନାହିଁ ପଟାନ୍ତର ତାଙ୍କୁ ସକଳ ମେଦିନୀ ।

ବେନିପୁତ୍ର ଦୁହିତାଙ୍କୁ ପାଇ ନରପତି

ମଥୁରା ଦେଶରେ ରହି ସୁଖେ ବିଳସନ୍ତି ।

ନିଶ୍ଚିନ୍ତେ ଇନ୍ଦୁମତୀର କୁମରେ ବଢ଼ିଲେ

ଶସ୍ତ୍ର ଶାସ୍ତ୍ରଆଦି ବିଦ୍ୟା ସକଳ ଶିଖିଲେ ।

ସୁନାସ ନାମେ କଂସର ଅଟେ ସାନଭାଇ

ନିରତେ ସେହି କଂସକୁ ସେବା କରୁଥାଇ ।

ହାଟ ଦାଣ୍ଡ ପରିମଳ ଆସନ୍ତେ ସେ ଦୁଇ

ପଛରେ ସଇନ୍ୟମାନେ ତାହାର ଗୋଡ଼ାଇ ।

ରଥ ଗଜ ଅଶ୍ଵଆଦି ସାଧି ସର୍ବବିଦ୍ୟା

ପାଞ୍ଚବରଷ ଭିତରେ ହୋଇଲେ ସୁସିଦ୍ଧା ।

ପୁତ୍ରଙ୍କୁ ଦେଖିଣ ସେହି ଉଗ୍ରସେନ ରାୟ

ସାନନ୍ଦରେ ଉଲ୍ଲସିତ ବିକସିତ କାୟ ।

ପାତ୍ର ମନ୍ତ୍ରୀ ବନ୍ଧୁବର୍ଗ ଅମାତ୍ୟ ବସାଇ

ଗଉରବ କଲା ତାଙ୍କୁ ପାଶେ ହକରାଇ ।

ସମସ୍ତଙ୍କୁ ଚାହିଁ ପୁଣି କହେ ମହୀପତି

ପୁତ୍ର ମୋର ମଥୁରାରେ ହୋଇବ ନୃପତି ।

ରାଜ୍ୟର ସେ ଭଲମନ୍ଦ ପରରାଷ୍ଟ୍ର ବିଧି

ସୁନାସକୁ ଘେନି କଂସ କରୁ ସର୍ବସିଦ୍ଧି ।

ସମସ୍ତଙ୍କୁ କହିଲା ସେ ଉଗ୍ରସେନ ରାଜା

ଯଦୁବୀରେ କରନ୍ତୁ ଯେ ଏହା ପାଦପୂଜା ।

ଏମନ୍ତ ବୋଲି ପାଟେକ ବାନ୍ଧିଲା ରାଜନ

ଆନ ବୋଲିବାକୁ କେହି ନାହିଁ ସଭାଜନ ।

ରାଜାର ବଚନେ ସର୍ବେ କଲେ ସନମତ

ହେଉ ହେଉ କହି ଟେକିଦେଲେ ବେନିହସ୍ତ ।

କଂସକୁ ସେବାକରି ସେ ଥାନ୍ତେ ଅନୁକ୍ଷଣେ

କେହି ତାହାର ଆଜ୍ଞାକୁ ନ ଭାଙ୍ଗନ୍ତି ଜଣେ ।

ତିନି ରଥ ଗଜ ଅଶ୍ଵ ପଦାତିକ ଘେନି

ମୃଗୟା ବେଣ୍ଟ ବିନୋଦେ ଯାନ୍ତି ଭାଇ ବେନି ।

ପ୍ରତାପୀ ତେଜୋବନ୍ତ ସେ ଉଗ୍ରସେନ ବତ୍ସ

ସାତବଂଶ ହନ୍ତକାର ଜାତ କାଳ ଦକ୍ଷ ।

ଯୁକତେ ଅସୁର ପରାକ୍ରମେ ସେ ଉଗୁଳି

ତାହାର କାହାକୁ ଶଙ୍କା ନାହିଁ ମହାବଳୀ ।

ଦେବ ଦାନବ ମାନବ କାହାକୁ ନ ଗଣେ

ଯଦୁ ଭୋଜବଂଶକୁ ସେ ତୁଛପ୍ରାୟ ମଣେ ।

ସାମାନ୍ୟ ନୁହେ କାହାକୁ ନାହିଁ ତାର ଶଙ୍କା

ଅନିବାରଣ ଯୋଦ୍ଧା ସେ ଅଟେ ରଣରଙ୍କା ।

ଏମନ୍ତ ସେ ସାତବଂଶ ଯାଦବ ସାଧିଲା

ଏକଦିନେ କଂସକୁ ସେ ସୁନାସ କହିଲା ।

ମୃଗୟା ବିନୋଦେ ଚାଲ ଯିବା ଭାଇ ବେନି

ହରିଣ ବରାହ ମାରି ଆସିବାକ ଘେନି ।

ଏହା ଶୁଣି କଂସରାଜା ବେଗେ ଉଠିଗଲା

ସୈନ୍ୟ ସାଜ ସାଜ ବୋଲି ଡଗରା କହିଲା ।

ମୃଗୟା ବିନୋଦେ ଆଜି ଯିବେ ନୃପମଣି

ସୈନ୍ୟ ପଦାତି ଗହଣ ସଙ୍ଗେ ଯିବେ ଘେନି ।

ରାଜା ଆଜ୍ଞାରେ ସଜାଡ଼ି ହେଲେ ଯଦୁବଳ

ସିନ୍ଧୁଘୋଷ ପ୍ରାୟେ ଶୁଭେ ମୁଖର ଚହଳ ।

ମାର ମାର ଧର ଧର ଉଚ୍ଚେ ଡାକଦେଇ

କଂସ ଛାମୁରେ ମିଳିଲେ ଯଦୁବୀର ଯାଇ ।

କେ ବୋଲଇ ଆସ ଆହେ ବେଗ ହୋଇଯିବା

ରାଜା ଛାମୁରେ ଜୀବନ୍ତା ଜୀବ ନେଇ ଦେବା ।

ଆଗୁଆଣି ଦଣ୍ଡକୁ ସେ କଂସ ଆଜ୍ଞା ଦେଲେ

ସୈନ୍ୟ ଆଗହୋଇ ଯାଉ ସୁନାସ କହିଲେ ।

ଚତୁରଙ୍ଗ ବଳ ରଥ ଗଜ ଯେ ପଦାତି

ଯମୁନା ନଦୀକୁ ପାରହୋଇ ଦଳ ଯାନ୍ତି ।

ନବଖଣ୍ଡ ମେଦିନୀ ଯେ କମ୍ପେ ପାଦଘାତେ

ଧର ଧର ମାର ମାର ଶୁଭେ ଅନୁବ୍ରତେ ।

ପାତାଳେ ବାସୁକି ରାଜା ନ ଟେକଇ ଫେଣି

ପାଦ ରେଣୁରେ ଅଦୃଶ୍ୟ ହେଲେ ଦିନମଣି ।

ସମସ୍ତେ ପଶିଲେ ଯାଇ ବନସ୍ତ ଭିତରେ

ଚାରିପାଖେ ବନଜୀବ ଖୋଜନ୍ତି ବନରେ ।

ଗୋମତୀକୂଳରେ ଗୋମତ ନାମେ ଅଛି ଗିରି

କଂସ ସୁନାସ ଏ ଦୁହେଁ ଗଲେ ମୃଗମାରି ।

ଯମୁନା ନଦୀର କୂଳେ ଗୋପପୁର ଲାଗେ

ସୈନ୍ୟ ଘେନି ବେନିଭାଇ ମିଳିଲେକ ବେଗେ ।

ଗୋମତ ଋଷିଙ୍କୁ ତହିଁ ଭେଟିଲେ ସେ ଯାଇ

ଦେଖିଲେ ସେ ମହାମୁନି ଯୋଗମାର୍ଗେ ରହି ।

ଜଟା କଷା ବାସ ହସ୍ତେ ତ୍ରିଦଣ୍ଡ ବିଭୂତି

ତମ୍ଵାର କୁଣ୍ଡଳ କର୍ଣ୍ଣେ ସୂର୍ଯ୍ୟପ୍ରାୟ ଜ୍ୟୋତି ।

କଟିରେ କାଛଟା ଡୋର କଉପନି ଚିତା

ରୁଦ୍ରାକ୍ଷମାଳା କନ୍ଧରେ ପଡ଼ିଛି ପଇତା ।

କୃଷ୍ଣାଜିନ ଛାଲଗୋଟି ବସିଛନ୍ତି ମାଡ଼ି

ଛାମୁରେ ତ ଆଶା ବାଡ଼ି ପୋଥି ଶୁଶବିଡ଼ି ।

ଶାଳଗ୍ରାମ ଶିଳା ତମ୍ଵା ପାତ୍ରେ ରଖି ଥାପି

ଚକ୍ଷୁ ବୁଜି ବସିଛନ୍ତି ଋଷି ମନ୍ତ୍ର ଜପି ।

ଏମନ୍ତ ବେଳେ ମିଳଇ ଯାଇ କଂସାସୁର

କରପତ୍ର ଯୋଡ଼ି ନୃପ କରେ ନମସ୍କାର ।

କଲ୍ୟାଣ କଲେ ଗୋମତ ଋଷି କହି ସ୍ୱସ୍ତି

ବହାର କଲେ ଅଧର ଭିତରୁ ବିଭୂତି ।

ମୃଗଛାଲ ଗୋଟି ତାକୁ ବସିବାକୁ ଦେଲେ

କନ୍ଦମୂଳ ଗୁଡ଼ା ଆଣି ବେଗେ କୁଢ଼ାଇଲେ ।

ମୁନିଙ୍କର ଗଉରବ ଦେଖି କଂସ ବୀର

ପୁଣ ପୁଣ ନମସ୍କାର କରଇ ଛାମୁର ।

କଂସ ତୁଲେ ମୁନି କଥା ହୁଅନ୍ତେଣ ରହି

ମୁନି ଗଣ୍ଡା ଗୋଟି ଆସି ମିଳିଲାକ ତହିଁ ।

ବନସ୍ତ ଭିତରେ ଗଣ୍ଡା ଯାଇଥିଲା ଚରି

ଜନରବ ଶୁଣି ଫେରି ଅଇଲା ସେ ଡରି ।

କଂସର ଦୃଷ୍ଟି ପଡ଼ିଲା କୁଟିରେ ପଶିଲା

ଅପୂର୍ବ ଶୋଭାବନ୍ତ ସେ ସୁନ୍ଦର ଦିଶିଲା ।

କଂସରାଜା ବୋଇଲେ ହେ ମୁନି ମୁଖ ଚାହିଁ

ଏ ଗଣ୍ଡାଗୋଟି ପାଇଲ କହ ମୁନି କାହିଁ ।

ମୁନି ବୋଇଲେ ଶବରେ ଆଣିଦେଲେ ଧରି

ବାଳକାଳୁ ପୋଷିଅଛି ଆମ୍ଭେ ଯତ୍ନ କରି ।

ଏ ଗଣ୍ଡା ମାରି ପିତୃଙ୍କ ଶ୍ରାଦ୍ଧ ଯେ କରିବୁ

ଏଥିପାଇଁ ଯତ୍ନେ ଆମ୍ଭେ ଏହାକୁ ରଖିବୁ ।

କଂସ ବୋଇଲା ମୁନି ଏ ଗଣ୍ଡା ନେବି ମୁହିଁ

ଶୁଦ୍ଧ ପଦାର୍ଥ ନେବାକୁ କହିଲ କିପାଇଁ ।

କଂସ ବୋଇଲେ ଯଦ୍ୟପି ମାଗିଲେ ନ ଦେବ

ବଳେ ଘେନିଗଲେ ଋଷି କା ଆଗେ କହିବ ।

ଜନନୀ ଯେବେ ପୁତ୍ରକୁ ବିଷ ଖୁଆଇବେ

ରାଜା ହୋଇଣ ପ୍ରଜାର ସର୍ବସ୍ଵ ହରିବେ ।

ପିତା ହୋଇଣ ବିକିବ ଯେବେ ପୁତ୍ରଗୋଟି

ଦେବତା ହୋଇଣ ଯେବେ ନ ପାଳିବେ ସୃଷ୍ଟି ।

ଉଦଯୋଗ କରୁ ଯେବେ ହେବ କାର୍ଯ୍ୟହାନି

ଧର୍ମକୁ କହିବା ସିନା ବୋଇଲେକ ମୁନି ।

ଋଷି କହିବା ନ ଶୁଣେ କଂସାସୁର ବୀର

ଭୋଗବନ୍ତ ହୋଇ ପରଦ୍ରବ୍ୟେ ଲୋଭକର ।

ରାଜା ହୋଇ କଲ ତୁମ୍ଭେ ଋଷିଦ୍ରବ୍ୟେ ଆଶ

ଆପଣା ପାଳିଲା ଜନ୍ତୁ ଆପେ କର ନାଶ ।

ବିଦ୍ୟାବନ୍ତ ହୋଇ ଯେବେ ଛାଡ଼େ ଧର୍ମ ଆଶ

କ୍ଷତ୍ରୀ ହୋଇ ସଂଗ୍ରାମକୁ ପାଇ ଯେବେ ତ୍ରାସ ।

ଧନବନ୍ତ ହୋଇ ଯେବେ ନୋହିଲା ସେ ସନ୍ଥ

ଏହାଙ୍କୁ ପ୍ରାପତ କାହୁଁ ହେବ ଧର୍ମ ପଥ ।

ମାଗନ୍ତା ଲୋକଙ୍କୁ ଯେହୁ କରଇ ବିମୁଖ

ଇହ ପରଲୋକେ ତାଙ୍କୁ ନାହିଁ କେଭେ ସୁଖ ।

ତୁମ୍ଭେ ମହାଋଷି ପୁଣ ପୋଷିଅଛ ଯାହା

ଧର୍ମକୁ ଲଙ୍ଘି କେମନ୍ତେ ମାରିବଟି ତାହା ।

କେମନ୍ତେ କରିବ ଜାଣୁ ଜାଣୁ ଜୀବହତ୍ୟା

ଲୋକେ ଅପକୀର୍ତ୍ତି ଅର୍ଜି ପାଇବ ନା ବ୍ୟଥା ।

ଆମ୍ଭେ ଏ ଗଣ୍ଡା ଜୀବକୁ ମଥୁରାକୁ ନେବା

ଆମ୍ଭ କଟକେ ଏହାକୁ ଯତେନେ ରଖିବା ।

ଏମନ୍ତେ କଂସ ଉପ୍ରୋଧ ଛାଡ଼ିଣ କହିଲା

ଗଣ୍ଡାଜୀବକୁ ମଥୁରା କଟକକୁ ନେଲା ।

ମୁନି ବୋଲେ ରାଜା ହୋଇ ଅନୀତି ତ କଲ

ଆମ୍ଭ ଗଣ୍ଡା ଗୋଟି ତୁମ୍ଭେ ବଳାତ୍କାରେ ନେଲ ।

ଆମ୍ଭେ କୋପକଲେ ଯିବ ତ୍ରଇଲୋକ୍ୟ ଜଳି

ଏଡ଼େ କର୍ମ କଲ କିପାଁ ତୁମ୍ଭ ପରା ଭଳି ।

କିଞ୍ଚିତ କଥାକୁ କିପାଂ ତୋତେ ଦେବି ଶାପ

ଅବିଚାରରେ ଆମ୍ଭଙ୍କୁ ଲାଗିବ ଯେ ପାପ ।

ଦୋଷ ଅନୁରୂପ ତୋତେ ଦେବି ସିନା ଶାସ୍ତି

ଅସୁର ପ୍ରକୃତି ତୁହି ଅଟୁ ମନ୍ଦ ଜାତି ।

ଗୋପକୁ ଆଉ ବେଳେ ତୁ ଆସିଲେ ଲେଉଟି

ଏ ଭୂମି ମାଡ଼ିଲେ ତୋ ମୁର୍ଦ୍ଧନା ଯିବ ଫାଟି ।

ଆମ୍ଭ ଗଣ୍ଡା ତୁହି ଯେଣୁ କଲୁ ରେ ହରଣ

ଏ ଗୋପନଗ୍ର ମାଡ଼ିଲେ ଛାଡ଼ିବ ତୋ ପ୍ରାଣ ।

ଏ ଶାପ ଗୋମତ ଋଷିଠାରୁ ସେ ପାଇଲ

ଆଉବେଳେ କଂସ ଗୋପପୁରକୁ ନଇଲା ।

ମୃଗୟା ବିନୋଦ ଶେଷ କରି କଂସ ବୀର

ପ୍ରବେଶ ହୋଇଲା ଯାଇ ମଥୁରା ନଗର ।

ପିତା ଆଗରେ କହିଲେ ଯାଇଁ ସବୁ କଥା

ଶୁଣି ଉଗ୍ରସେନ ମନେ ପାଇଲାକ ବ୍ୟଥା ।

ଶୁଣ ହେ ପରିକ୍ଷ ରାଜା କହେ ଶୁକମୁନି

ଇତିଶ୍ରୀ ପୁରାଣ ହରିବଂଶ ପୁଣ୍ୟଧ୍ଵନି ।

ଏକମନା ହୋଇ ଯେହୁ ଶୁଣେ ମହାରାୟେ

ଧର୍ମ ଅର୍ଥ କାମ ମୋକ୍ଷ ଚଉବର୍ଗ ପାଏ ।

ନୀଳଗିରି ଜଗନ୍ନାଥ ଚରଣେ ମୋ ସେବା

ଅଚ୍ୟୁତ ଦାସ ମୁଁ ମୋତେ ଗତିମୁକ୍ତି ଦେବା ।

ତୁମ୍ଭେ ବାମନ ଅନନ୍ତ ତୁମ୍ଭେ ବିଶ୍ଵମୁର୍ତ୍ତି

ବାଉନ ଅଙ୍ଗୁଳ ତୁମ୍ଭ କଳେବର ପ୍ରତି ।

ଧବଳଜ୍ୟୋତି କାଖେ ତୋ ପୋଥି ଛତାପୀଢ଼

ଦକ୍ଷ ଅଙ୍ଗୁଷ୍ଠିରେ ବଟୁବାମେ କୁଶବିଡ଼ା ।

ଦୋହରା ଛତା ଭସ୍ମ ତୋ ଅଙ୍ଗେ ଦିଶେଫୁଟି

ସ୍ଵାହାପ୍ରୋକ୍ଷଣୀ ତୋ ବାମେ ତମ୍ଵାପାତ୍ରି ଗୋଟି ।

ଲମ୍ଵିତ ଜୂଡ଼ା ପଇତା ପଡ଼ିଅଛି କନ୍ଧେ

କଷାବସ୍ତ୍ର ପରିଧାନ ଧୋତି ଛନ୍ଦବନ୍ଧେ ।

ତମ୍ଵାର କୁଣ୍ଡଳ ବେନିକର୍ଣ୍ଣେ ପାଏ ଶୋଭା

ନୀଳେନ୍ଦିବର ସୁନ୍ଦର ରୂପ ଜ୍ୟୋତି ପ୍ରଭା ।

ଅପୂର୍ବ ରୂପ ସ୍ଵାମୀର ଦିଶଇ ସୁସଞ୍ଚ

ମାପନ୍ତେ ହେଲା ବାଉନ ଅଙ୍ଗୁଳ ଯେ ଉଚ୍ଚ ।

ଏସନକ ରୂପେ ସ୍ଵାମୀ ଦିବ୍ୟ ବେଶ ହୋଇ

ବଳିରାଜା ସିଂହ ଦ୍ଵାରେ ମିଳିଲେ ଗୋସାଇଁ ।

ଭିକ୍ଷୁରୂପେ ସ୍ଵାମୀ କରେ ତମ୍ଵାପାତ୍ରି ଘେନି

ଦ୍ଵାରେ ଉଭା ହୋଇ ଧୀରେ କରେ ବେଦଧ୍ଵନି ।

ଋକ ଯଜୁ ସାମବେଦ ଅଥର୍ବ ଏ ଚାରି

ପଢ଼ନ୍ତି ପଞ୍ଚମସ୍ଵରେ ତାଳ ମାନ ଧରି ।

ଝିଙ୍କାରି କୋକିଳ ପ୍ରାୟ ସୁସ୍ଵର ମଧୁର

ଶୁଭଇ ସେହି ସେ ବ୍ରହ୍ମବିଦ୍ୟାର ହୁଙ୍କାର ।

ଅତ୍ୟନ୍ତ ସୁନ୍ଦର ଧ୍ଵନି କର୍ଣ୍ଣକୁ ସୁସଞ୍ଚ

ପୁରିଲା ସପ୍ତ ପାତାଳ ପୁର ସ୍ଵର୍ଗ ମଞ୍ଚ ।

ଯୁକତେ ବ୍ରାହ୍ମଣ ପୁଣି ପୃଥୁଳ ମୁରତି

ବାଉନ ଅଙ୍ଗୁଳ ଉଚ୍ଚ ଦିବ୍ୟରୂପ କାନ୍ତି ।

ଏସନ ଅପୂର୍ବ ରୂପ ଦେଖି ନର ନାରୀ

ବେଢ଼ିଲେ ସହସ୍ରେ ପୁର କରି ପାଖ ଚାରି ।

ମହାମନ୍ତ୍ର ଶୁଣି ସର୍ବେ ହୋଇଲେ ଉଚ୍ଚାଟ

ଧାମନ୍ତେ ପୁରିଲା ରାଜଦାଣ୍ଡ ଘାଟବାଟ ।

ସମସ୍ତଙ୍କ ସଙ୍ଗେ ସ୍ଵାମୀ ଲଗାଇଲେ ମୋହ

ଅପୂର୍ବ ପ୍ରାୟ ଦେଖିଲେ ବାମନର ଦେହ ।

କେହି ଜନେ ବୋଲନ୍ତି ଏ ଆଗୋଚର ମାୟା

ସଂସାର ଜନକୁ ସିନା ଅଭିନବ କାୟା ।

ଯେତେ ଜନ ଏ ସଂସାରେ ଛନ୍ତି ଜାତହୋଇ

ଏ ଅପୂର୍ବ ରୂପଗୋଟି କାହିଁ ଦେଖା ନାହିଁ ।

ଆଣ୍ଠୁ ଗଣ୍ଠି ପାଦ କର ହୃଦ କନ୍ଧ ମୁଣ୍ଡ

ଶରୀରଯାକ ସବୁ ତ ଦିଶେ ଏକଖଣ୍ଡ ।

ବେଗେ ଚାଲନ୍ତେ ଚଉକେ ମାତ୍ର ପଡ଼େଭେଡ଼ା

କାନ୍ଧରୁ କଟିରଯାଏ ପାଏ ହସ୍ତ ଯୋଡ଼ା ।

କେ ବୋଇଲେ ଦିବ୍ୟା ଗୁଣ ଏହାଙ୍କର ଯେତେ

ବୟସ ଅଳପ ଆମ୍ଭେ ଦେଖୁଛି ତ ନେତ୍ରେ ।

କେବଣ ଗୁରୁ ଏହାକୁ ପଢ଼ାଇଲା ପାଠ

ସଂପୂର୍ଣ୍ଣ ରୂପେ ଜାଣଇ ବେଦମନ୍ତ୍ର ବାଟ ।

କେ ବୋଲେ ପୂର୍ବ ଅଭ୍ୟାସ ବଳରୁ ଏ କଥା

କେ ବୋଇଲେ ଏହାକୁ ହୋ ପ୍ରସନ୍ନ ଦେବତା ।

ଅନନ୍ତ କୋଟି ବିଦ୍ୟା ଏ ବଖାଣନ୍ତି ମୁଖେ

କହି ଶୁଣି ବଢ଼ିବାକୁ ନାହିଁ ତ୍ରଇଲୋକ୍ୟେ ।

ଝକମକ ପଥରରେ ଲୁଚିଥିବା ବହ୍ନି

ଦଣ୍ଡେକେ ଦହି ପାରଇ ସକଳ ମେଦିନୀ ।

ଅଶ୍ରୁତ ଅମୃତ କଥା କହୁଛନ୍ତି ପୁଣି

ଦେବ ମାନବଙ୍କୁ ଏହା ଅଗୋଚର ଶୁଣି ।

କେ ବୋଲେ ରାଜାଛାମୁକୁ ଏହାଙ୍କୁ ହୋନେବା

ଛାମୁରେ କହିଣ ଧନ ବସ୍ତ୍ର ଦିଆଇବା ।

କେ ବୋଲେ ଏହାଙ୍କର ବେଦମନ୍ତ୍ର ଶୁଣି

ଆପଣା ଇଚ୍ଛାରେ ଶାଢ଼ୀଦେବେ ନୃପମଣି ।

କେ ବୋଲେ ଛାମୁକୁ ଆମ୍ଭେ ଘେନି ଯିବା ନାହିଁ

ଠାକୁରେ ଜାଣିଲେ ନେବେ ଲୋକ ବରଗାଇ ।

ଯଦ୍ୟପି ଏହାର ଗୁଣ ଜାଣିବେଟି ରାଏ

ଏହାର ବଂଶ ଦରିଦ୍ର ବାଧା ଯିବ କ୍ଷୟେ ।

ତ୍ରୈଲୋକ୍ୟର ଦାନୀ ଏକା ବଳି ମହାରାଜା

ଏହାକୁ ଦେଖି କରିବ କୋଟି ପାଦପୂଜା ।

ଏ ବିପ୍ରର ଦୁଃଖ ଆଜୁ ଗଲା ନିଶ୍ଚେଁ ନାଶ

ଥୋକେ ବୋଇଲେ ରାଜାକୁ ଜଣାଇବା ଆସ ।

ଏସନକ ନଗ୍ରଲୋକେ କରନ୍ତେ ବିଚାର

ଉଚ୍ଚସ୍ଵରେ ସାମଗାନ କଲେ ବିପ୍ରବର ।

ସାମ ଯଦୁ ଅଥର୍ବ ଯେ ଋକବେଦ ବାଣୀ

ପଢ଼ନ୍ତି ହୁଙ୍କାର ଧ୍ଵନି କରି ଚକ୍ରପାଣି ।

ମହାଯଜ୍ଞଶାଳେ ବଳିରାଜ ବସିଥିଲା

ବାମନର ବେଦଧ୍ଵନି ଶୁଣି ମୋହଗଲା ।

ବେଳକୁବେଳ ରାଜାର ଆତ୍ମାକୁ ଆକର୍ଷି

ଯଜ୍ଞଶାଳେ ମହାରାଜା ନ ପାରିଲେ ବସି ।

ମନକୁ ଯହୁଁ ଉଚ୍ଚାଟ ଲାଗିଲା ତାହାର

ଧାତିକାରେ ମିଳିଲା ସେ ବାମନ ଛାମୁର ।

ରୂପକୁ ଦେଖି ସନ୍ତୋଷ ହେଲେ ନୃପବର

ଦେଖି ଚମତ୍କାର ହେଲେ ବାମନ ଶରୀର ।

ଏ କଥା ଗୋଟିକ ମୋତେ ଲାଗେ ଆନୁ ଆନ

ଏମନ୍ତ ରୂପ ତ ଦେଖି ନାହିଁ ମୋୟନ ।

ବେଦଶାସ୍ତ୍ର ପୁରାଣ ଏ ପଢ଼ୁଅଛି ଯେତେ

କାହିଁଥାଇ ଏତେ ବିଦ୍ୟା ଶିଖିଲେ କେମନ୍ତେ ।

କେବଣ ପୁରୁଷଠାରୁ ଶିଖିଲେ ଏ ପାଠ

ମୋହଭଳି ଲୋକକୁ ଏ କଲାକ ଉଚ୍ଚାଟ ।

ବାମନକୁ ଚାହିଁ ବଳି ବୋଇଲେ ବଚନ

କାହୁଁ ଏଠାକୁ ଅଇଲ ତୁମ୍ଭେ ବିଦ୍ଵଜ୍ଜନ ।

ଅପୂର୍ବ ପରାୟ ମୁହିଁ ମଣୁଅଛି ତୋତେ

ଦୁର୍ବାଦଳ ଶ୍ୟାମଲତା ରୂପ ଦିଶେ ମୋତେ ।

ଦରହସିତ ବଦନ ହୋଇ ନୃପସାଇଁ

ବୋଇଲେ ଏଦେହେ ଏତେ ଗୁଣେ ହୋ ଗୋସାଇଁ

ବଳିରାଜାର ବଚନେ ବାମନ ବୋଇଲେ

ଦେହ ସାନବୋଲି ସାନ ବିଦ୍ୟା କି ଦେଖିଲେ ।

ନିର୍ବଳ ହେଉ ପଛକେ ଗୁଣିକ ପୁରୁଷ

ଜାଣୁ ଜାଣୁ ବ୍ରହ୍ମନିନ୍ଦା କଲୁ ତୁ ନରେଶ ।

ବହ୍ନି ଦେବତା ବ୍ରାହ୍ମଣ ଆଦି ସର୍ପ ନୃପ

ଦେହେ ସାନହେଲେ ହରି ପାରନ୍ତି ଏ ଦର୍ପ ।

ଏମାନଙ୍କୁ ସାନବୋଲି ନ ବୋଲିବ କେହି

ଯମରାଜା ଧର୍ମ ଆଦି ଦେବାତାଙ୍କ ଦେହୀ ।

ଏମାନେ କୋପିଲେ ଯାଇ ଏ ସଂସାର ନାଶ

ଅଗ୍ନି ଜାଣ ସାନ ହେଲେ ଦହେ ଦଶଦିଶ ।

ବୈଶ୍ଵାନର ଦେବତାକୁ ବିପ୍ର ପାରେ ମୋହି

ଆମ୍ଭଙ୍କୁ ସାନ କିପାଇଁ ବୋଲ ପୁଣ୍ୟଦେହି ।

ରାଜା ସାନ ହୋଇଲେ ତା ଆଜ୍ଞା ଅପ୍ରମାଣ

ସର୍ପ ସାନ ହେଲେ ତାର ବିଷ ଯମ ଜାଣ ।

ସାନ ଦେବତା ପ୍ରସନ୍ନ ହେଲେ ଯାଇ କରି

ସାନ ବିଦ୍ୟା ବ୍ରାହ୍ମଣକୁ କେହି ନୁହେଁ ସରି ।

ବଳି ବୋଇଲେ ପଣ୍ଡା ହେ ବିଦ୍ୟାବନ୍ତ ଏଡ଼େ

ଶରୀର କିପାଁ ତୁମ୍ଭର ଖର୍ବ ଯେ ନ ବଢ଼େ ।

ଏହା ନ ବିଚାରି ମନେ ପାଅ ଅମରଷ

ବିନୟ ଭକତି ଘେନି ନ ଧରିବା ଦୋଷ ।

ବାଳକରୂପ ପରାୟ ଦିଶେ ତୁମ୍ଭ ଦେହି

କେତେଦିନ ବିଦ୍ୟା ତୁମ୍ଭେ ଶିଖିଲ ହୋ କାହିଁ ।

ବଳିର ବଚନ ପୁଣି ବାମନ ବୋଇଲେ

ଅକସ୍ମାତେ ବିଦ୍ୟା ମୋତେ ପ୍ରାପତ ହୋଇଲେ ।

ମୋର ପରା ପୁରୁଷକୁ ଶିଖା ଏବେ ପାଠ

ମୁହିଁ ଯେ ମୋହର ଗୁରୁ ମୁହିଁ ମୋର ଚାଟ ।

ପୁଣି ଯେ ବଳି ବୋଇଲା ବାମନକୁ ଚାହିଁ

କେଉଁ କୁଳେ ଜାତ ତୁମ୍ଭ ପିତାମାତା କେହି ।

ବାମନ ବୋଲେ ମୁଁ ବେଳୁଁ ଛେଉଣ୍ଡ ହୋଇଲି

କେ ଆମ୍ଭର ପିତାମାତା ଜାଣି ନ ପାରିଲି ।

ଜାତହେଲା ଦିନୁ ମୁହିଁ ନିରନ୍ତର ଦୁଃଖୀ

ପିଅର ଜନନୀ ମୋର ନୟନେ ନ ଦେଖି ।

ମୋର ପିତାମାତା ମୋତେ ଜାତ କରି ମଲେ

ଆବାଲ୍ୟକାଳୁ ମୋତେ ସେ ମୂର୍ଚ୍ଛିକରି ଗଲେ ।

ବାମନର ଏ ବଚନେ ବୋଲେ ବଳିରାଜା

ପଣ୍ଡାଏ ବିଭା ହେଲେଣି ଅଛି ନା ଭାରିଯା ।

ବାମନ ବୋଇଲେ ମୋର ପତ୍ନୀ ଅଟେ ବାଇ

ଚଣ୍ଡାଳୁ ବ୍ରାହ୍ମଣ ଯାଏ ଦ୍ଵାରେ ଦ୍ଵାରେ ଥାଇ ।

ତେଣୁ ତାର ନାମ ଅଟେ ଚଞ୍ଚଳା ଭାର୍ଗବୀ

ମୋ ବିନୁ ଆନେ ଚିତ୍ତ ନ ବଳାଏ ବଲ୍ଲଭୀ ।

ସତୀମାନଙ୍କ ଉପରେ ଅଟେ ମହାସତୀ

ଶୁଣ ତୁ ହୋ ବଳିରାଜା ଏ ମୋହର ଗତି ।

ସେହି ମହା ସତୀର ଯେ ପରାପର ନାହିଁ

ଇନ୍ଦ୍ରପଦ ଆଦି କରି ପାରଇ ସେ ଦେଇ ।

ସବୁଦ୍ଵାରେ ବୁଲେ ଘରେ ନ ରହଇ ଦଣ୍ଡେ

ଅନୁକ୍ଷଣେ ବୁଲୁଥାଏ ସପତ ବ୍ରହ୍ମାଣ୍ଡେ ।

ବଳି ବୋଲେ ପଣ୍ଡା ଗୃହେ ଏ ଘରଣୀ ଥିଲେ

କେତେବେଳେ ତୁମ୍ଭ ଗୃହେ ନ ଯିବଟି ଭଲେ ।

ଆଉ କଥାଏ ତୁମ୍ଭଙ୍କୁ କହିବା ବିଶ୍ଵାସ

ବୟସ କେତେ ତୁମ୍ଭର ନାମ ଅଟେ କିସ ।

ବାମନ ବୋଲେ ଯେବେଳେ ହୋଇଲି ଜନମ

ଏହି ଚରାଚର ଭୂମି ହୋଇଥିଲା ଶୂନ୍ୟ ।

ଜନ୍ମରୁ ମୋହର ଜାଣ ପିତାମାତା ନାହିଁ

ଆପେ ଆପେ ନିର୍ମାଣ ମୋ ହୋଇଲା ଏ ଦେହୀ

ତେଣୁକରି ନାମ ମୋର ଅଟେ ଅନାହତ

ଯାହା ପୁଚ୍ଛାକଲ ତୁମ୍ଭେ ଶୁଣ ଦୈତ୍ୟନାଥ ।

ବଳି ବୋଇଲା ସ୍ଵରୂପ କହ ପଣ୍ଡା ମୋତେ

ପୁତ୍ର ଦୁହିତା କୁଟୁମ୍ଵ ଘରବାଡ଼ି କେତେ ।

ବାମନ ବୋଇଲେ ମୋର ପୁତ୍ର ଅଗଣିତା

ଅପାର ଲୋକଙ୍କର ଯେ ଅଟଇ ମୁଁ ପିତା ।

ସମସ୍ତଙ୍କୁ ଅନ୍ନବସ୍ତ୍ର ଦେଉଥାଏ ବାଣ୍ଟି

ଯେ ଯାହାର ଅନୁରୂପେ ଯାକୁ ଯେତେ ଅଣ୍ଟି ।

କେବଳ ଜାଣ ସାଧନା ଅଟେ ମୋ ନିଜର

ଆମ୍ଭପୂଜା ପଞ୍ଚାଶତ ବର୍ଣ୍ଣ ଭେଦ ସାର ।

ଏହା କହି ଦେଶକାଳ ବାକ୍ୟ ଗୋଟି ପଢ଼ି

ବଳି ଛାମୁରେ ବସିଲେ ପ୍ରଭୁ ପୀଢ଼ା ମାଡ଼ି ।

ମହାବାକ୍ୟ ଉଚ୍ଚାରିଲେ ବଳିମୁଖ ଚାହିଁ

ଧର୍ମକୁ ଯେ ସାକ୍ଷୀଦେଲେ ଊର୍ଦ୍ଧ୍ଵମୁଖ ହୋଇ ।

ଚନ୍ଦ୍ର ସୂର୍ଯ୍ୟ ଦିଗପାଳେ ତୁମ୍ଭେ ଥାଅ ସାକ୍ଷୀ

ସତ୍ୟେ ବଳିରାଜା ମୋତେ ଦାନ ଦେଉଅଛି ।

ତଳହସ୍ତ, କରିଣ ମୁଁ ମାଗୁଅଛି ଯାହା

ଉପର ହସ୍ତରେ ବଳି ଦେଉ କିନା ତାହା ।

ବଳି ବୋଲେ ଆହେ ଦ୍ଵିଜ କେତେ ମୋତେ କହ

କୁଟୁମ୍ଵ ସହିତେ ବିକ୍ରି ହେଲା ମୋର ଦେହ ।

ଦୃଢ଼ ମୋତେ କହେ ଯହୁଁ ଏସନକ ବାଣୀ

ଶୁକ୍ର ମନ୍ତ୍ରୀ ଯେ ନିଷେଧ କଲା ଏହା ଶୁଣି ।

ମନ୍ତ୍ରୀ ବୋଲେ ମହାରାଜା ଜ୍ଞାନଧ୍ଵଂସୀ ହେଲୁ

ମାୟାବୀ ଦ୍ଵିଜକୁ ଦାନଦେବା ସତ୍ୟକଲୁ ।

ତୁମ୍ଭେ ପରା ଜ୍ଞାନବନ୍ତ ଅଟ ନରନାହା

ସ୍ଵରୂପ ଦେଖିକି ପାଇଁ ରାଜା କଲୁ ଏହା ।

ଏହି ସତ୍ୟରେ ସମ୍ପଦ ନାଶିବେ ତୁମ୍ଭର

ଗୁପତରେ ଆସିଛନ୍ତି କମଳାର ବର ।

ବାହୁଡ଼ିଣ ଯାଉ ଏହି ମାୟା ଦ୍ଵିଜଗୋଟି

ପାଣି ଶଙ୍ଖ ତଳେ ରଖ ବିପ୍ରଯାଉ ଉଠି ।

ଏତେ ବୋଲି ଶୁକ୍ରମନ୍ତ୍ରୀ ଧରେ ବଳିହସ୍ତ

ଧାତିକାରେ ଉଠି ଆସ ତୁମ୍ଭେ ନରନାଥ ।

ବଳି ବୋଲେ ଗୁରୁ ତୁମ୍ଭେ ପିଣ୍ଡ ବୋଲାଇ

ତୁମ୍ଭ ପରା ମନ୍ତ୍ରୀ ଏହା କହିଲ କିପାଇଁ ।

ପୁରୁଷଙ୍କ ବଚନ ଯେ ପାଷାଣର ରେଖା

ପୁତ୍ର ଭାରିଯା ଏ ଧନ ସମ୍ପଦ ଅଲେଖା ।

କହୁ କହୁ ଏ ପିଣ୍ଡରୁ ପ୍ରାଣ ଛାଡ଼ିଗଲେ

ରାଜ୍ୟଭୋଗ କରିବ କେ ଆପେ ନାଶଗଲେ ।

ଜୀବ ଥିବାଯାଏ ଆପେ ଦେଉଥିବି ଯାହା

ଅବସାନ ବେଳେ ଲୋଡ଼ି ପାଇବି କି ତାହା ।

ଏ ଜନମେ ହାତେ ବାକ୍ୟେ ଯାହାଯାହା ଦେବ

ଏ ଦେହ ଛାଡ଼ିଲେ ସୁଖେ ସ୍ଵର୍ଗରେ ବସିବି ।

ଯେବେ ବୋଲେ ନାରାୟଣ ଏରୂପେ ଅଇଲା

ସତେ ହିଁ କି ମୋର ପୁଣ୍ୟ ପୂର୍ବର ଦିଶିଲା ।

ଯାବତ ଯାଗ ଯଜ୍ଞାଦି ବ୍ରତ ତାର୍ଥ କର୍ମ

ବିଷ୍ଣୁଙ୍କୁ ଯେ ସମର୍ପିଲେ ଶ୍ରେଷ୍ଠ ସର୍ବ ଧର୍ମ ।

ସେ ଯେବେ ସ୍ଵହସ୍ତେ ନେବେ ମୋ ହସ୍ତରୁ ଦାନ

ପୂର୍ବଜନ୍ମେ ତେବେ ମୁହିଁ କରିଥିବି ପୁଣ୍ୟ ।

ଯୋଗିଜନେ ଯାକୁ ଧ୍ୟାନେ କରୁଥାନ୍ତି ଲୟେ

ମୋର ପୂର୍ବ ପୁଣ୍ୟ ଥିଲେ ଦେଖିବି ଏ କାୟେ ।

ଶୁକ୍ର ବୋଇଲେ ଗୋ ରାଜା ଏ ବ୍ରାହ୍ମଣଗୋଟି

ପ୍ରତ୍ୟକ୍ଷେ ଏ ନାରାୟଣ ତ୍ରିଇଲୋକ୍ୟ ଘୋଟି ।

ବଳି ବୋଇଲା ଏ କଥା ସତ୍ୟ ହେବ ଯେବେ

ଏଥୁ ଆଉ ବଡ଼ ପୁଣ୍ୟ ଅରଜିବି କେବେ ।

ବିପ୍ର ହେଉ ବିଷ୍ଣୁ ହେଉ ଦେବି ନିଶ୍ଚେ ଦାନ

ଅନ୍ତଃକାଳେ ପାଇବଇଁ ବଇକୁଣ୍ଠେ ସ୍ଥାନ ।

ଏ କଥା ବିରୋଧ ଗୁରୁ ନ କର ହୋ ତୁମ୍ଭେ

ସତ୍ୟଭଗ୍ନ ନୋହିବ ହେ ପ୍ରାଣଦେବୁ ଆମ୍ଭେ ।

ଏ କଥାରେ ବିରୋଧ ତୁ ନର ଯେ ଆଉ

ସତ୍ୟ ନ ଲଙ୍ଘିବି ମୋର ପ୍ରାଣ ପଛେ ଯାଉ ।

ବଳି ବୋଇଲା ପଣ୍ଡାଏ ଘେନ ଘେନ ଦାନ

ଶିରକମଳ ଦେବଇଁ ସତ୍ୟ ଏ ବଚନ ।

ଅନେକ ପ୍ରକାରେ ଶୁକ୍ର କହେ ନାସ୍ତିବାଣୀ

ତହିଁରେ ସନମତ ନ କଲା ନୃପମଣି ।

ବାମନର ହସ୍ତେ ବଳି ଦ୍ୟନ୍ତେ ଶଙ୍ଖଜଳ

ଗୁପତେ ଶୁକ୍ର ପଶିଲେ ଯାଇ ଶଙ୍ଖନାଳ ।

ବଳି ଢାଳନ୍ତେ ସେ ପାଣି ନ ପଡ଼ିଲା ବେଗେ

କୁଶବଟୁରେ ବାମନ ଖେଞ୍ଚି ଦେଲେ ରାଗେ ।

ସେ କୁଶମୂଳ ବାଜିଲା ଶୁକ୍ର ଚକ୍ଷୁରେଟି

ତତକ୍ଷଣେ ଶୁକ୍ରଙ୍କର ଚକ୍ଷୁ ଗଲା ଫୁଟି ।

ବଳିରାଜା ନ ଜାଣଇ ଶୁକ୍ର ହେଲେ କାଣ

ବାମନ ଦେଖି ରାଜାର ହରଷିତ ମନ ।

ଡାହାଣାବର୍ତ୍ତକ ଶଙ୍ଖେ ଜଳତିଳ ଭରି

ମହାବାକ୍ୟ କରାନ୍ତି ସେ ତ୍ରୈଲୋକ୍ୟ ବିହାରି ।

ଦକ୍ଷିଣ ହସ୍ତ ପାତିଲେ ତଳପଟେ ପୁଣି

ଉପର ହସ୍ତରେ ବଳି ଦେଲା ମନ୍ତ୍ରପାଣି ।

ବଳି ବୋଇଲା ଶୁଣ ହେ ତୁମ୍ଭେ ବିପ୍ରବର

ଯାହା ମାଗିବ ତା ଦେବୁଁ ସତ୍ୟ ଏ ଆମ୍ଭର ।

ବାମନ ବୋଇଲେ ମୋର  ଆନେ କାର୍ଯ୍ୟ ନାହିଁ

ଭୂମି ତିନି ପାଦ ମୋତେ ଦେବୁ ନରସାଇଁ ।

ଏ ମୋର ତିନି ପାଦରେ ପାଇଲେ ମେଦିନୀ

ଘରକରି ରହିବି ମୁଁ କୁଟୁମ୍ଵଙ୍କୁ ଘେନି ।

ଶୁଣି ବଳି ଊର୍ଦ୍ଧ୍ଵମୁଖେ ଧର୍ମକୁ ଚାହିଁଲା

ନିଶ୍ଚେ ବ୍ରାହ୍ମଣ ବାଳୁତ ଭାବକୁ ବହିଲା ।

ଆହୋ ବ୍ରାହ୍ମଣ ତୁମ୍ଭେତ ବାଳୁତ ଯୁକତେ

ଭୂମି ତିନିପାଦ କିପାଁ ମାଗ ଅନିମିତ୍ତେ ।

କ୍ଷୀର ସମୁଦ୍ରେ ପଶି ନ ତିନ୍ତିଲା ଚରଣ

ସପତନିଧି ଆବୋରି ହେଲ ଅକାରଣ ।

ଏତେ ବିଦ୍ୟା ପଢ଼ି ତୁମ୍ଭେ ଲକ୍ଷ୍ମୀଠାରେ ଦୋଷୀ

ପୁତ୍ର ଭାରିଯା କୁଟୁମ୍ଵ ପାରିବ କି ପୋଷି ।

କେଡ଼େ ହୀନ ଦ୍ରବ୍ୟ ମୋତେ ମାଗ ଦ୍ଵିଜବର

ବିଚାରିଥିଲି ମାଗିବ ମୋତେ ରାଜ୍ୟଭାର ।

ଶିର କମଳ ମୁଁ ଦେବି ଭାବିଥିଲି ଚିତ୍ତେ

ମହାଦାନୀପଣେ କାଳି ଦେଲୁ ସିନା ଏତେ ।

ଯେତେ ଅନ୍ନ ବସ୍ତ୍ର ତୁମ୍ଭ କୁଟୁମ୍ଵେ ଲାଗିବ

ଭଲ ଭଲ ଗ୍ରାମ କିପାଁ ନ ମାଗିଲ ଦେବ ।

ସ୍ଵର୍ଗ ମଞ୍ଚ ପାତାଳ ମୁଁ ଦେଇପାରେ ତୋତେ

କୁବେର ଭଣ୍ଡାର ଆଦି ଅଛି ମୋର ହାତେ ।

ବାମନ ବୋଇଲେ ତୁମ୍ଭେ ଶୁଣ ଦଣ୍ଡଧାରୀ

ସତ୍ୟେ ତିନିପାଦ ଭୂମି ଦିଅ ଦୟାକରି ।

ଦାତା ଗ୍ରହୀତା ଏ ଦୁହେଁ ନୋହିଲେ ସୁଚିତ୍ତ

ସପ୍ତଦ୍ଵୀପା ପୃଥୀ ହେଲେ ନୁହଇ ପ୍ରାପତ ।

ତୁମ୍ଭେ ମହାରାଜ ମନେ ନ ବିଚାର କିଛି

ତିନିପାଦ ଭୂମିରେ ଯେ ଆମ୍ଭ କାର୍ଯ୍ୟ ଅଛି ।

ତୋଷେ ଏକଦେଲେ ରାଜା ହୁଅଇ ସେ ଲକ୍ଷେ

ଅସନ୍ତୋଷେ ଲକ୍ଷେ ଦେଲେ ହୁଅଇ ସେ ଏତେ ।

ଲୋଭେ ବହୁତ ଘେନିବା ତୁମ୍ଭଠାରୁ ଦାନ

ପରିଗ୍ରହ କରିବାକୁ ନୁହେଁ ମୁଁ ରାଜନ ।

ଆହେ ମହାରାଜ ତିନିପାଦ ଭୂମିଦିଅ

ବେଳୁ ବେଳ ସ୍ଵାମୀଙ୍କର ବଢ଼ିଲାକ କୋହ ।

ବଳି ବୋଇଲା ହେ ତୁମ୍ଭେ ଶୁଣ ବିପ୍ରଜନ

ଗଙ୍ଗା କୂଳୁଁ ତିନିପାଦ ଦେଲି ଭୂମିଦାନ ।

ଧାତିକାରେ ତହିଁ ସ୍ଵାମୀ ରଚିଲେକ ମାୟା

ମନ ସଂଯୋଗେ ପ୍ରକୃତି ବଢ଼ିଲାକ କାୟା ।

ଆକାଶ ମଣ୍ଡଳେ ଶିର ଲାଗିଲାକ ଯାଇ

ବଳି ନୃପତି ଆଶ୍ଚର୍ଯ୍ୟ ହେଲା ତାହା ଚାହିଁ ।

ଶଙ୍ଖ ଚକ୍ର ଗଦା ପଦ୍ମ ଘେନି ଚତୁର୍ଭୁଜ

ସପତଶିଖା ମୁକୁଟ ବିରାଜଇ ତେଜ ।

ହୃଦରେ ମଣିର ହାର କର୍ଣ୍ଣରେ କୁଣ୍ଡଳ

ଯେସନେ ମଧ୍ୟାହ୍ନେ ଦିଶେ ଆଦିତ୍ୟ ମଣ୍ଡଳ ।

ଶ୍ରୀବତ୍ସଲଞ୍ଚ୍ଥନ ହୃଦେ ନବରତ୍ନ ହାର

ହୀରା ଜଡ଼ିତ ସୁବର୍ଣ୍ଣ ବଳୟ ହସ୍ତର ।

ଭୂମଣ୍ଡଳଠାରୁ ଧ୍ରୁବମଣ୍ଡଳ ପର୍ଯନ୍ତେ

ଘୋଟିଛନ୍ତି ଚରାଚର ପୃଥିବୀ କିଞ୍ଚିତେ ।

ଜଳ ସ୍ଥଳ କନ୍ଦର ସେ ସପତ ପାତାଳ

ସପତ ବ୍ରାହ୍ମାଣ୍ଡ ଅଛି ପାଦପଦ୍ମ ତଳ ।

ସେ ପାଦଗୋଟି ବଢ଼ାଇ ଦେଲେ ବନମାଳୀ

ଅଛିଦ୍ର ହୋଇ ଢାଙ୍କିଲା ଛାର ମହୀସ୍ଥଳୀ ।

ନାରାୟଣ ଆଜ୍ଞାଦେଲେ ବଳିମୁଖ ଚାହିଁ

ଆଉ ବେନି ପାଦକୁ ତେ ଭୂମି ଅଛି କାହିଁ ।

ସତ୍ୟ ମନାଇଲା ବେଳେ ବୋଲିଅଛୁ ଯାହା

ଦେବୁ କି ନ ଦେବୁ ଆହୋ କହ ଦୈତ୍ୟନାହା ।

ବଳି ଯେ ବୋଇଲା ଶୁଣ ବାମନର ବାଣୀ

ଆର ପାଦକୁ ମୋ ସ୍ଵର୍ଗ ଅଛି ଦ୍ଵିଜମଣି ।

ମୁହିଁ ମହାଦାନୀ ମୋର ନାହିଁ କିଛି ଡର

ପିଣ୍ଡେ ପ୍ରାଣ ଥିଲେ ଦେବି ସତ୍ୟ ଏ ମୋହର ।

ମହତଜନ ବଚନ ନୋହ କେଭେ ଆନ

ଦେଲି ଆର ପାଦକୁ ତୋ ସ୍ଵର୍ଗପୁର ଘେନ ।

ବଳିରାଜଠାରୁ ବିପ୍ର ଏ ବଚନ ଶୁଣି

ସ୍ଵର୍ଗକୁ ବଢ଼ାଇ ଦେଲେ ପାଦ ଚକ୍ରପାଣି ।

ବ୍ରହ୍ମଲୋକ ପରିଯନ୍ତେ ବଢ଼ିଲା ପୟର

ସତ୍ୟଲୋକେ ଜାଣିଲେ ତା ଥାଇ ଦେବବର ।

ଚଉରାଶୀ କାଠି ଗଙ୍ଗା ଗଙ୍ଗା କମଣ୍ଡଳେ ଥୋଇ

ସ୍ଵାମୀଙ୍କ ଚରଣ ବେଗେ ପଖାଳିଲେ ନେଇ ।

ଚଉରାଶୀ କାଠି ଗଙ୍ଗା ନଖକୋଣେ ପଶି

ହସ୍ତ ପ୍ରସାରିଣ ବ୍ରହ୍ମା ତଳେ ଛନ୍ତି ବସି ।

ପାଦୋଦକ ନ ପଡ଼ିଲା ବ୍ରହ୍ମା ଯେ ନିରାଶ

ନଖକୋଣେ ରହେ ଗଙ୍ଗା ନ ପାଇଁଣ ଲେଶ ।

ବାମନ ବୋଇଲେ ରାଜା ଆଉ ପାଦେ ଦିଅ

ଦେଇ ନ ପାରିବୁ ଯେବେ ତାହା ମୋତେ କହ ।

ତା ସତ୍ୟ ବୁଝିବା ପାଇଁ ବୋଇଲେକ ସ୍ଵାମୀ

ସ୍ଵର୍ଗ ମର୍ତ୍ତ୍ୟ ନେଇ ରାଜା ସରିଲା ତ ଭୂମି ।

ବଳି ବୋଲେ କାହିଁ ଦେବ ଭୁଲାଇବୁ ମୋତେ

ମୁଁ ଯାହା ବାଞ୍ଛିଲି ତାହା ମିଳେ ଅନିମିତ୍ତେ ।

ଏ ତୁମ୍ଭର ବିଶ୍ଵରୂପ ଦେଖିଲଇଁ ଆଜ

ମୁହିଁ ଯାହା କହୁଅଛି ଶୁଣ ଆହୋ ଦ୍ଵିଜ ।

ଆରେକ ପାଦକୁ ମୋର ଠାବ ଅଛି ରହି

ତୁମ୍ଭର ଆରେକ ପାଦ କାହିଁ ହେ ଗୋସାଇଁ ।

ଆରେକ ପାଦ ନାଭିରୁ କାଢ଼ିଲେ ଶ୍ରୀଧର

ମୁଖେ ବୋଲନ୍ତି ଯେ ଦାନ ଦିଅ ନୃପବର ।

ବିରୋଚନ ପୁତ୍ର ବୋଲି ଶୁଣ ଜଗନ୍ନାଥ

ଏ ପାଦ ଗୋଟିକି ଭୂମି ଅଛି ମୋର ମାଥ ।

ଏତେ ବୋଲି ଶିର ପାତିଦେଲେ ରାଜା ନେଇ

ପାତାଳକୁ ଚାପିଲେ ଯେ ବ୍ରହ୍ମାଣ୍ଡ ଗୋସାଇଁ ।

ପାତାଳପୁର ସୁତଳପୁର ମହାତଳ

ବିତଳ ଅତଳ ରସାତଳ ତଳାତଳ ।

ଏହିପରି ତଳକୁ ଯେ ସାତତାଳ ପୁର

ଚାପନ୍ତେ ବଳିରାଜନ ପଶଇ ଭିତର ।

ପାତାଳ ବୈକୁଣ୍ଠେ ବଳି ରହେ ପାଦ ଧ୍ୟାୟି

ଏ ଦେହେ ଭୋଗ କରିବ ଇନ୍ଦ୍ରପଦ ପାଇ ।

ବଳିରାଜା ତୁଲେ ଥିଲେ ପ୍ରଚଣ୍ଡ ହେ ମାଲ

ବାଉନ କୋଟି ଯେ ଏକୁଁ ଏକ ଅନର୍ଗଳ ।

ବଳିରାଜାକୁ ପାତାଳେ ଚାପିବାର ବେଳେ

ରହିଲେ ବାଉନ କୋଟି ମାଲ ପାଦତଳେ ।

ଚରଣ ଚାଳି ଯେ ରୋମ ଦେଲେ ଟାଙ୍କୁରାଇ

ଅନେକ ଦୂରେ ପଡ଼ିଲେ ବୀରେ ଉଡ଼ିଯାଇ ।

ନବହସ୍ତୀ ବଳ ଏକ ଏକ ମାଲ ଧରେ

ସେ ମାଲ ପଡ଼ିଲେ ଯାଇ ସାଗର ଭିତରେ ।

ଏମନ୍ତ ସ୍ଵରୂପ ଦେଖି ସୁରପୁରବାସୀ

କର ଯୋଡ଼ି ଉଭା ହେଲେ ଛାମୁରେ ସେ ଆସି ।

ଗନ୍ଧର୍ବଗଣ ଆଦି ଯେ ସୁର ସିଦ୍ଧ ମୁନି

ବ୍ରହ୍ମା ସହିତରେ ଆସି କଲେ ବେଦଧ୍ଵନି ।

ନମସ୍ତେ ମାଧବ ଆହେ କମଳାର ବର

ଜୟ ଜୟ ବାମନ ହେ ଜୟ ବିଶ୍ଵମ୍ଭର ।

ନମସ୍ତେ ବାମନ ଜୀବ ସକଳର ଆତ୍ମା

ନମସ୍ତେ ବାମନ ନିରଞ୍ଜନ ମହାତମା ।

ଜୟ ବାମନ ଯୋଗୀଙ୍କ ଯୋଗା ରୂଢ଼ ନିଧି

ନମସ୍ତେ ବାମନ ଅଷ୍ଟ ଅଇଶ୍ଵର୍ଯ୍ୟ ସିଦ୍ଧି ।

ନମସ୍ତେ ବାମନ ତୁ ଯେ ପାପତମ ଧ୍ଵଂସୀ

ନମସ୍ତେ ବାମନ ତୁ ଯେ କୃପାଜଳ ରାଶି ।

ନମସ୍ତେ ବାମନ ମନବାଞ୍ଛା କରୁ ସିଦ୍ଧି

ଧ୍ୟାନକୁ ଧାରଣା ତୁହି ମନକୁ ଯେ ବୁଦ୍ଧି ।

ସେହି ବାମନ ପାଦରେ ମୋର ଅଟେ ସେବା

ଅଚ୍ୟୁତ ଦାସ କବିକି ଗତି ମୁକ୍ତି ଦେବା ।

 

ହରିବଂଶ (ପ୍ରଥମ ଖଣ୍ଡ)

ଦେବକୀ ଓ ଦୈବକୀ ବିଭା

ଏଥୁ ଅନନ୍ତରେ ଶୁଣ ପରୀକ୍ଷିତ ରାଜା

ଶୁକ ମୁନିଙ୍କ ଚରଣେ କଲେ ଦିବ୍ୟପୂଜା ।

ଭୋ ମୁନି ଆଦ୍ୟଖଣ୍ଡ ଏ ହରିବଂଶ ବାଣୀ

ପାପକ୍ଷୟ ହୋଇଯିବ ତବମୁଖୁଁ ଶୁଣି ।

କଂସ ରାଜା ଯେ ଗୋମତ ଋଷି ଶାପ ପାଇ

ତେଣୁ ସେ ଗୋପନଗ୍ରକୁ ନ ପାରଇ ଯାଇ ।

ଏଥୁ ଅନନ୍ତରେ କଥା ହେଲା କିସ ପୁଣ

ସଂକ୍ଷେପି କହିବା ମୋତେ ବ୍ୟାସଙ୍କ ନନ୍ଦନ ।

ଶୁକ ମୁନି ବୋଲେ ଶୁଣ ଅଭିମନ୍ୟୁ ସୁତ

ପ୍ରତ୍ୟକ୍ଷେ ଏ ହରିବଂଶ ମୁକ୍ତି ଗତି ପଥ ।

ବନୟୀ ହୋଇ ତୁ ରାଜା ପଚାରିଲୁ ମୋତେ

ଶୁଣ ପରୀକ୍ଷିତ ଫେଡ଼ି କହିବା ତଦନ୍ତେ ।

କଂସର ଅନୀତି ଦେଖି ଉଗ୍ରସେନ ରାୟେ

ଧର୍ମ ବିଚାରି ପାପକୁ କଲା ମହାଭୟେ ।

ଏହି ପରକାରେ ତହିଁ କେତେ ଦିନ ଯାନ୍ତେ

ବେନି ପୁତ୍ରଙ୍କୁ ବସାଇ ଶିଖାଇ ଏକାନ୍ତେ ।

 

ସନ୍ନିଧିରେ ବସାଇ ସେ ରାଜା ଉଗ୍ରସେନ

ଆଶ୍ଵାସନା କରି ତାଙ୍କୁ କହଇ ବଚନ ।

ଦଯୁବଂଶକୁ କାରଣ ଅଟ ବେନି ଗୋଟି

ମହାରାଜା ହୋଇ ତୁମ୍ଭେ ପାଳ ନବସୃଷ୍ଟି ।

ସାତବଂଶ ଲୋକଙ୍କର ଅଟ ତୁମ୍ଭେ ଚକ୍ଷୁ

ଅତି ମନ୍ଦକର୍ମ ତୁମ୍ଭେ କରୁଛ ବୋଲୁଛୁ ।

ମୁଁ ତୁମ୍ଭର ପିତା ବାବୁ ତିଆରୁଛି ଏତେ

ଗୋରୁ ବିପ୍ର ପୀଡ଼ା ବାବୁ ନ କର କିଞ୍ଚିତେ ।

ଭାଗ୍ୟବନ୍ତ ସନ୍ନ୍ୟାସୀ ଯେ ତପୀ ବ୍ରହ୍ମଚାରୀ

ଏମାନଙ୍କୁ ପୀଡ଼ା ଦେଲେ ଆୟୁ ଥାଉଁ ମରି ।

ଶିକ୍ଷାଗୁରୁ ନିନ୍ଦା କଲେ ବିଦ୍ୟା ନୋହେ ସିଦ୍ଧି

ଔଷଧ ନିନ୍ଦିଲେ ଜନ୍ମେ ଜନ୍ମେ ପାଇ ବ୍ୟାଧି ।

ବିପ୍ରନିନ୍ଦା କଲେ ଯାଇ ସୃକୃତ ଯେ କ୍ଷୟ

ଶସ୍ତ୍ର ନିନ୍ଦା କଲେ ନୋହେ ସଂଗ୍ରାମରେ ଜୟ।

ବେଦନିନ୍ଦା କଲେ ବାବୁ ହୁଅନ୍ତି ଯେ ମୂର୍ଖ

ଶତେ ଜନ୍ମ ଯାଏ ତାର ନାହିଁ ବିଦ୍ୟା ସୁଖ ।

ରତ୍ନ ନିନ୍ଦାକଲେ ହୋଇ ଦରିଦ୍ର ଯେ ଜନ

ପୃଥିବୀ ନିନ୍ଦିଲେ ଶସ୍ୟ ନ ପାଇ ସେ ପୁଣ ।

ଦେବତା ନିନ୍ଦିଲେ ଯାଇ ଅଳପକେ ନାଶ

ପରପୁଣ୍ୟ ନିନ୍ଦାକଲେ ନର୍କେ ଯାଏ ବାସ ।

ପତ୍ନୀନିନ୍ଦା କଲେ ତାକୁ ଲକ୍ଷ୍ମୀ ଛାଡ଼ିଯାଇ

ସୁପୁତ୍ରକୁ ନିନ୍ଦାକଲେ କୁସଙ୍ଗ ସେ ପାଇ ।

ମାତା ପିତା ନିନ୍ଦା କଲେ ନରକରେର ବାସ

ଶତେ ଜନ୍ମ ପରିଯନ୍ତେ ନୁହଇ ମନୁଷ୍ୟ ।

ଜଳ ନିନ୍ଦାକଲା ପ୍ରାଣୀ ଜଳକା ହୁଅଇ

ମନ୍ତ୍ରୀକି ନିନ୍ଦିଲେ ରାଜା ରାଜ୍ୟସୁଖ ଯାଇ ।

ରାଜାକୁ ନିନ୍ଦା କଲେଟି ହୁଏ ଶିରଚ୍ଛେଦ

ମନ୍ଦକର୍ମ କଲେ ଲୋକ ବୋଲନ୍ତି ଯେ ମନ୍ଦ ।

ଧର୍ମ ଏକା ଏ ସଂସାର ଜଳକୁ ନଉକା

ଅନ୍ତଃକାଳେ ଜାଣ ଏକା ଧର୍ମ ଅଟେ ସଖା ।

ଧର୍ମକୁ ଆଶ୍ରେ କଲେ ନ ଥାଇ କିଛି ଭୟ

ଗ୍ରହପୀଡ଼ା ନ ଥାଇଟି ସଂଗ୍ରାମରେ ଜୟ ।

ଏମନ୍ତ ଯେ ତିଆରିଲା ରାଜା ଉଗ୍ରସେନ

କଂସରାଜା ନ ଶୁଣଇ ପିତାର ବଚନ ।

କଂସ ବୋଲେ ପିତା ଜାଣେ ମୁଁ ସର୍ବ ବ୍ୟାଖ୍ୟାନ

ମୁଁ ଯାହା କହୁଛି ଏବେ ଶୁଣ ମୋ ବଚନ ।

ଯେବଣ ଦଇବ ମୋତେ ଦେଇଅଛି ଜାତ

ସଦମାର୍ଗ ବୁଦ୍ଧି ମୋତେ ନ ଦେଲା କିଞ୍ଚିତ ।

ଅମାର୍ଗ ଦୁରାଚାର ଯେ ଦୁର୍ଜନ କୁସଙ୍ଗ

ଏହା ବିନେ ଆନେ ମୋର ନାହିଁ ଅନୁରାଗ ।

ଉଗ୍ରସେନ ବୋଲେ ପୁତ୍ର ଅଛି ମୋର କର୍ମ

ଯେଉଁ ବିଧାତା କରିଛି ତୁମ୍ଭଙ୍କୁ ଜନମ ।

ସେ ସିନା ଜାଣିବ ପୁତ୍ର ତୁମ୍ଭ ଲାଭ ହାନି

ଏତେବୋଲି ରାଜା ତହୁଁ ହୋଇଲେକ ତୁନି ।

ଏଥୁ ଅନନ୍ତରେ ତହିଁ କେତେ ଦିନ ଗଲା

ନିଅବକାଶେ ରାଜାକୁ ରାଣୀ ଜଣାଇଲା ।

ଦେବକୀ ଦୈବକୀ ବେନି ଦୁହିତା ତୁମ୍ଭର

ଏମାନଙ୍କ ବିଭା ପ୍ରଭୁ ମନରେ ବିଚାର ।

ସୁକୁମାରୀ ସୁନ୍ଦରୀ ଏ ହେଲେ ନବଯୁବା

ରୂପ ଅନୁରୂପେ ବର ଆଣି କର ବିଭା ।

ଜାତି କୁଳ ଗୋତ୍ର ରୂପ ଗୁଣଜ୍ଞ ବିଚାରି

ପ୍ରଦାନ କର ଭୋ ପ୍ରଭୁ ଏ ବେନି କୁମାରୀ ।

ଏ କଥା ଗୋଟିକେ ଦେବ ନକର ଅଳସ

କୁଳକୁ କଳଙ୍କ ହେଲେ ଧର୍ମ ଯାଇ ନାଶ ।

ରାଣୀର ବଚନ ଶୁଣି ରାଜା ଉଗ୍ରସେନ

ବିଶ୍ଵାସୀ ଲୋକମାନଙ୍କୁ ହକାରି ବହନ ।

ମନ୍ତ୍ରୀ ଅମାତ୍ୟ ଯେ ଗୁରୁ ପୁରୋହିତ ରାଇ

ରଣରାଜ ପୁତ୍ରଙ୍କୁ ସେ ପାଖରେ ବସାଇ ।

ବୋଲେ ଆମ୍ଭ ବେନି କନ୍ୟା ହେଲେ ନବଯୁବା

ରୂପ ଅନୁରୂପ ବର ବାଛି କର ବିଭା ।

ଏମନ୍ତ ଶୁଣି ସମସ୍ତେ ବିଚାରିଲେ ବସି

ବସୁଦେବକୁ ଦେବକୀ ଦୁହିତା ଦିଅସି ।

ଦମଘୋଷକୁ ଯେ ଦିଅ ଆରେକ କୁମାରୀ

ଏ ଦୁଇ ବର ବୋଇଲେ ସମସ୍ତେ ବିଚାରୀ ।

କୁମ୍ଭ ଶୁକ୍ଲ ତ୍ରୟୋଦଶୀ ତିଥି ଗୁରୁବାର

ମଘା ନାମରେ ନକ୍ଷତ୍ର ଅଟେ ସେ ଦିନର ।

ସିଂହ ବାଳବକରଣ ଚନ୍ଦ୍ର ନାମେ ଯୋଗ

କୁମ୍ଭ ସଂକ୍ରାନ୍ତିର ଊନବିଂଶ ଦିନ ଭୋଗ ।

ବୃହସ୍ପତିଙ୍କ ବେଳାରେ ବିଭାର ବିଚାର

ଜଉତିଷେ ଶୁଭଲଗ୍ନେ ଧଇଲେ ଆବର ।

ସେ ଦିନ ବସୁଦେବକୁ ଆଣିଗଲେ ବରି ।

ବରି ଆଣିଲେ ତାହାକୁ ବରବେଶ କରି ।

ଡାହାଣାବର୍ତ୍ତକ ଶଙ୍ଖେ ଗଙ୍ଗାଜଳ ଦେଲେ

ବର କନ୍ୟା ନାମ ଧରି ଶିରେ ନହୁଡ଼ିଲେ ।

ଦେବକୀ ବସୁଦେବକୁ ବିଭା ଯେ କରାନ୍ତି

ଶଙ୍ଖେ ପାଣି ଧରି ଆଣି ଯଉତୁକ ଦ୍ୟନ୍ତି ।

ରଥ ଗଜ ତୁରଙ୍ଗମ ଦାସୀ ଆଦି କରି

ଗୋରୁ ମଇଁଷି ଭଣ୍ଡାର ଧନ ଦେଇ କରି ।

ପୂର୍ବ ବିଧିମତେ ଯଉତୁକମାନ ଦେଲେ

ମଙ୍ଗଳ ଉତ୍ସବେ ଅତି ଯତ୍ନେ ବିଭାକଲେ ।

ବସୁଦେବଙ୍କୁ ଦେବକୀ କନ୍ୟା ବିଭା କରି

ବାଜଇ ଦମା ଟମକ ଶଙ୍ଖ ଢୋଲ ଭେରୀ ।

କଡ଼ା ମର୍ଦ୍ଦଳ ବାଜଇ ବାଜେ ବୀରଘୋଷ

ନାନାଦି ବୀରବାଦ୍ୟରେ ପୁରେ ଦଶଦିଶ ।

ଉଭୟକୁଳ ଉଚ୍ଚାରି ସପତ ପୁରୁଷ

ବର କନ୍ୟା ହସ୍ତେ ନେଇ ବାନ୍ଧିଲେକ କୁଶ ।

ଯୁବତୀଗଣେ ଗାବନ୍ତି ମଙ୍ଗଳ ଯେ ଗୀତା

ଆପେ ଉଗ୍ରସେନ କୋଳେ ବସାଇ ଦୁହିତା ।

ସନ୍ତୋଷ ହୋଇଣ ଉଗ୍ରସେନ ଯେ ରାଜନ

ଯଉତୁକ ଦେଲା ଲକ୍ଷମାଢ଼ ଯେ ସୁବର୍ଣ୍ଣ ।

ବେନିସସ୍ର ରଥ ଚାରିସସ୍ର ଲାଜ ଚାରୁ

ଦଶସସ୍ର ପଦାତିକ ଆଠ ସସ୍ର ବାରୁ ।

ପୁଣିହିଁ ରାଜନ ଶଙ୍ଖେ ଜଳତିଳ ଭରି

କୋଟି ରତ୍ନ ଦେଲା ମନେ ଶ୍ରୀକୃଷ୍ଣ ସୁମରି ।

ଦାସୀ ପରିବାରୀ ଦେଲେ ଗୋରୁ ଦାନମଳେ

ଅନେକ ଯଉତୁକ ସେ ଦେଲେ ବିଭାବେଳେ ।

ଆରେକ ଦୁହିତା ନାମ ଦଇବକୀ ବାଳୀ

ଦମଘୋଷ ନୃପତି ଦେଲେ ସତ୍ୟ ପାଳି ।

ବିଧିମତେ କଲେ ଗଜତୁରଙ୍ଗମ ଦାନ

ରଥ ଆଦି କରି ନାନାବିଧ ଦ୍ରବ୍ୟମାନ ।

ଚଉଠି ସପ୍ତମଙ୍ଗଳା ସାରିଲେ ଯେ ବିଧି

ଉଗ୍ରସେନ ଘରେ ଯେଉଁଦିନ ଯେଉଁ ସିଦ୍ଧି ।

ବିବାହବିଧି ସାରିଣ ଜାମାତା ସେ ବେନି

ଯେ ଯାହା ମନ୍ଦିରେ ଗଲେ ନିଜକନ୍ୟା ଘେନି ।

ବିଷ୍ଣୁ ବଂଶେ ଜାତ ସେ ଯେ ବସୁଦେବ ନାମା

ଦେବକୀ ନାମେ ଯେ କନ୍ୟା ରୂପେ ଅନୁପମା ।

ସୁଘୋଷର ପୁତ୍ର ଅଟେ ଦମଘୋଷ ବୀର

ଦଇବକୀ ନାମେ କନ୍ୟା ହୋଇଲା ତାହାର ।

ମଧୁରାରେ ବସୁଦେବ ଦେବକୀ ରହିଲେ

ଦମଘୋଷ ଦଇବକୀ କନ୍ୟା ଘେନିଗଲେ ।

ଚେଦିନାମେ ଦେଶରେ ସେ ହୋଇଲା ପ୍ରବେଶ

ନଗ୍ରେ ପଶନ୍ତେ ଶୁଭଇ ମଙ୍ଗଳ ସୁଘୋଷ ।

ଶେଷ ହୋଇଲା ଦେବକୀ ଦଇବକୀ ବିଭା

ଅଚ୍ୟୁତାନନ୍ଦ ଦାସକୁ ମୁକ୍ତିଗତି ଦେବା ।

 

କଂସ ନାରଦଙ୍କ ମନ୍ତ୍ରଣା ଓ ଅଷ୍ଟମଲ୍ଲଙ୍କ ସଙ୍ଗେ କଂସର ଭେଟ

ଶୁକମୁନି ବୋଲେ ଶୁଣ ପରୀକ୍ଷିତ ରାୟେ

ଏ ଆଦ୍ୟ ଖଣ୍ଡ ଶୁଣନ୍ତେ ପାପ କ୍ଷୟ ହୁଏ ।

କେତେକ ଦିନେ ନାରଦ ନାମେ ମହାମୁନି

ମିଳିଲେ ଆସି ମଥୁରାପୁର ରାଜଧାନୀ ।

ହସ୍ତେ ବ୍ରହ୍ମାବୀଣା ଶୋହେ ପିଙ୍ଗଳ ମୁରତି

ନିର୍ଧୂମ ଅଗ୍ନି ପରାୟ ଦିଶେ ତାଙ୍କ ଜ୍ୟୋତି ।

ମନପବନ ଦଣ୍ଡରେ ଚଢ଼ି ହରି ରଟି

ସ୍ଫଟିକମଳି ହସ୍ତେରେ କଟିରେ ଲେଙ୍ଗୁଟି ।

କୃଷ୍ଣାଜିନ ଉତ୍ତରୀୟ କନ୍ଧରେ ପଇତା

ଦ୍ଵାଦଶ ଟିପା ଅଙ୍ଗରେ ହରିନାମ ଚିତା ।

ଗଳେ ତୁଳସୀ କୁଣ୍ଡଳ ରତ୍ନ କର୍ଣ୍ଣେ ଶୋହେ

ଗଙ୍ଗାଜଳ କମଣ୍ଡଳ କରେ ଶୋଭାପାଏ ।

କଳି ଧୁକୁଡ଼ି କାଖରେ ଦେବକାଣ୍ଡ ଘେନି

କଟୀରେ ବେଢ଼ାଇଛନ୍ତି କଉପୁନି ମୁନି ।

ଦେବପତିର ସମାନ ଅଟନ୍ତି ସେ ଯତି

ଅଦ୍ଭୁତେ ଆକାଶେ ପଥୁଁ ଖସିଣ ଆସନ୍ତି ।

 

ମୁନିଙ୍କ ଦେଖିଣ କଂସ ନିସ୍ତରିଲି କହେ

ଆସ୍ଥାନ ତେଜିଣ ରାଏ ପାଏ ପଡ଼ି ଶୋଏ ।

ପ୍ରମାଣ କରିଣ ସେହି ଯୋଡ଼େ ବେନି କର

ଭୋ ମୁନି ଜୀବନ ଆଜ ସଫଳ ମୋହର ।

ଧନ୍ୟ ଧନ୍ୟ ଧାତା ମୋତେ କଲା ଏଥି ଜନ୍ମ

ତୁମ୍ଭଙ୍କୁ ଦେଖିଲି ମୁନି ସଫଳ ମୋ ଦିନ ।

ଏତେ ବୋଲି କଂସ ମୁନି ଚରଣ ଧଇଲା

ପାଦୋଦକ ହସ୍ତେ ନେଇ ଗର୍ଭକୁ କ୍ଷେପିଲା ।

କଂସର ନିର୍ମଳ ଭକ୍ତି ଯେହୁଁ ସେ ଦେଖିଲେ

ମହାମନ୍ତ୍ର ପଢ଼ି ମୁନି କଲ୍ୟାଣ ବାଞ୍ଛିଲେ ।

କଂସ ବୋଇଲା ମୁନି ହେ ପଥଶ୍ରାନ୍ତ ହୋଇ

ମୋ ପୁରେ ଆଜି ବିଜୟ କଲ କିସ ପାଇଁ ।

ନାରଦ ବୋଇଲେ ରାଜା ଦୟା ଯହୁଁ ତୋତେ

ଶ୍ରଦ୍ଧାରେ ଅଇଲି ତେଣୁ ଦେଖିବା ନିମନ୍ତେ ।

ତେଜେ ବଳବନ୍ତ ତୁହି ଅଟୁ ସାମରଥା

ତ୍ରିଇଲୋକେ ବିଖ୍ୟାତ ହୋଏ ତବ କଥା ।

ସ୍ଵର୍ଗ ମଞ୍ଚ ପାତାଳେ ତୁ ହୋଇବୁ କାରେଣୀ

ରାଜାମାନଙ୍କୁ ଧ୍ଵଂସିବୁ ତୁ ହୋ ବୀରମଣି ।

ତୋତେରେ ନୋହିବେ ସମ ରବିତଳେ କେହି

ଅନେକ ବାର ଜନ୍ମିଲୁ ତୁହି ଦେହବହି ।

ଯେ ତୋହର ଶତ୍ରୁତାକୁ ନ ଜାଣୁ ନ ଚିହ୍ନୁ

କାଳ କବଳରେ ପଡ଼ି କିଛି ନ ପ୍ରମାଣୁ ।

କରିବୁ ଯେବେ ସଂଗ୍ରାମ ତୁ ହୋ ଅଙ୍ଗଛଳେ

କୋଟି ଇନ୍ଦ୍ର ହେଲେ ଜିଣି ପାରିବୁ ତୁ ବଳେ ।

ମଞ୍ଚପୁରେ ରାଜା କେହି ନୋହିବାକୁ ସମ

ଶୂରବର ସୁନ୍ଦର ତୁ ଶତ୍ରୁ କାଳଯମ ।

ବୀରଙ୍କ ଉପରେ ତୋର ବିଖାତ ଗାରିମା

ସଂଗ୍ରାମେ ଶତ୍ରୁକୁ ଜିଣି ରଖାଇଲୁ ସୀମା ।

ବ୍ରହ୍ମକ୍ଷତ୍ରୀ ବୈଶ୍ୟ ଶୁଦ୍ର ଜାତି ଯେ ଅଟନ୍ତି

ଏ ଚାରିଙ୍କି ଚାରି କର୍ମ ବିହି ଦେଇଛନ୍ତି ।

ବ୍ରହ୍ମ ଷଟ୍‌କର୍ମ ଅଟେ ଯେ ଯଜନ ଯାଜନ ।

ଦାନ ପ୍ରତିଗ୍ରହ ଅଧ୍ୟୟନ ଅଧ୍ୟାପନ ।

କ୍ଷତ୍ରିଙ୍କ କର୍ମ ସଂଗ୍ରାମ ଦାନ ଏହି ବେନି

ବାହୁଦର୍ପେ ସାଧନ୍ତି ସେ ସକଳ ମେଦିନୀ ।

ବାହୁବଳେ ଚରାଚର ମେଦିନୀ ଘେନିବ

ଶତ୍ରୁ ଆଗତ ହୋଇଲେ ନାରାଚ ମାରିବ ।

ପରରାଷ୍ଟ୍ରକୁ ସଂଗ୍ରାମ କରି ବେଗେ ମାରି

ସହସ୍ରେକ ଅଶ୍ଵମେଧ ତାକୁ ନୋହେ ସରି ।

ପିଣ୍ଡେ ପ୍ରାଣ ଥାଉ କରେ ଯେ ସଂଗ୍ରାମେ ଭୟ

କୁମ୍ଭୀପାକ ନରକରେ ପଡ଼େ ତାର କାୟ ।

ଆରେ କଂସରାଜା ତୁହି ଶୁଣ ଆମ୍ଭ ବୋଲ

ଏ ଦ୍ୱାପରଯୁଗର ଯେ ଅଟୁ ମହାମଲ୍ଲ ।

ପୂର୍ବଜନ୍ମ କଥା ତୁହି ପାସୋରିଲୁ ବେଗେ

କାଳନେମି ଅବତାର ହେଲୁ ସତ୍ୟଯୁଗେ ।

ଯୁଗାନ୍ତର ରୂପ ଦେଖୁ ଦେଖୁ ତୁ ଧଇଲୁ

ଚଉରାସୀ ଯୁଗଯାଏ ନରକେ ପଡ଼ିଲୁ ।

କାଳନେମି ଅବତାରେ ଦେବ ହୃଷିକେଶ

ତିଳପ୍ରମାଣେ କାଟିଲେ ଏ ତୋହର ମାଂସ ।

ହାଡ଼ ଗୋଡ଼ ରକତକୁ ମେଦି ଏକ କରି

ଅନେକ ଅବସ୍ଥା ତୋତେ ଦେଲେ ନରହରି ।

ବଡ଼ବାନଳେ ଧଇଲୁ ତୁ ଅନେକ ଦେହ

ଅନେକ ପ୍ରକାରେ ଦଗ୍‌ଧ ନୋହିଲା ତୋକାୟ ।

ଚଉଦ ମନୁ ଯାଏ ସେ ସୁଝିଲେ ତୋ ସଙ୍ଗେ

ନ କାଟିଲା ସୁଦର୍ଶନ ଚକ୍ର ତୋର ଅଙ୍ଗେ ।

ସଂଗ୍ରାମ କଲେ ଗରୁଡ଼ ଉପରେ ସେ ଚଢ଼ି

ତୋ ନିଃଶ୍ୱାସରେ ଗଲେ ଶତ୍ରୁ ଶୂନ୍ୟେ ଉଡ଼ି ।

କୌଣସି ପ୍ରକାରେ ତୋତେ ନ ପାରିଲେ ଜିଣି

ବିଶ୍ଵକୂଟ ମାୟାକଲେ ପ୍ରଭୁ ଚକ୍ରପାଣି ।

ହୟଗ୍ରୀବ ରୂପ ତହୁଁ ଧରି ନାରାୟଣ

ତୋର ମୁର୍ଦ୍ଧନା ବିଦାରି ଘେନିଲେ ତୋ ପ୍ରାଣ ।

ଅନେକ ପ୍ରକାରେ ତୁହି ମାୟାରୂପ ଧରି

ସେ ଜନ୍ମେ ଗୋବିନ୍ଦହସ୍ତେ ତୁହି ଥିଲୁ ମରି ।

ଏବେ କଂସ ରୂପେ ଆସି ଅବତାର ହେଲୁ

ଉଗ୍ରସେନ ନୃପତିର ପୁତ୍ର ବୋଲାଇଲୁ ।

ଆବର ହସ୍ତରେ ତୋର ମରଣ ତ ନାହିଁ

ନାରାୟଣ ହିଁ ମାରିବେ ତୋତେ ଦେହବହି ।

ଏ କଥା ଗୋଟି ତୁ ତଥ୍ୟ କରି ଜାଣିଥିବୁ

ଗୋବିନ୍ଦର ହସ୍ତରେ ତୁ ନିଶ୍ଚୟ ମରିବୁ ।

ତୁ ଯହୁଁ ଆମ୍ଭଙ୍କୁ ଜନ୍ମେ ଜନ୍ମେ ଥାଉ ସେବି

ଜାଣି ଏ କଥା କେମନ୍ତ ତୋତେ ନ କହିବି ।

ଏହା ଶୁଣି କଂସରାଜା ସ୍ତମ୍ଭୀଭୂତ ହେଲା

କରପତ୍ର ଯୋଡ଼ି ମୁନିଆଗେ ଜମାଇଲା ।

ଭୋ ମୁନି ବଡ଼ ସନ୍ଦେହ ଲାଗିଲା ତ ମୋତେ

ଭୀତିକି ପାଇଲି ଦକା ଲଗାଇଲ ଚିତ୍ତେ ।

ଏ ମୋହର ମନଜ୍ଞାନେ ପ୍ରତେ ଯାଉନାହିଁ

ନୟନେ ଦେଖିଲେ ସିନା ପ୍ରତେ ଯିବି ମୁହିଁ ।

ନାରଦ ବୋଇଲେ ଆମ୍ଭେ ନ କହୁ ଯେ ମିଛ

ଶ୍ରଦ୍ଧାହେଲେ ଦେଖାଇବା ତୋତେରେ ପ୍ରତ୍ୟକ୍ଷ ।

କାଳନେମି ଅବତାରେ ଯେବଣହିଁ କାଳେ

ପାଦ ନ ତିନ୍ତିଲା ତୋର ପ୍ରଳୟର ଜଳେ ।

ତୋହର ଅଟନ୍ତି ଅଷ୍ଟମଲ୍ଲେ ପ୍ରାଣସଖା

ବୀଜମନ୍ତ୍ର ପଢ଼ିଲେ ସେ ଦେବେ ଆସି ଦେଖା ।

ଗୁପତ କଥା ଗୋଟିଏ ପୂର୍ବସନ୍ଧି ବାଟ

ଏ ମନ୍ତ୍ରଗୋଟି ପଢ଼ିଲେ ଲାଗିବ ଉଚ୍ଚାଟ ।

ଏକାଶରୀରୁ ତୁମ୍ଭେ ଯେ ଦଶବର୍ଣ୍ଣ ହୋଇ

ସର୍ବଦା କାଳରେ ତୁମ୍ଭେ ଥାଅ ଦେହବହି ।

ଅନେକ ଦୂରରେ ଯେବେ ଥିବ ତୁମ୍ଭ ପିଣ୍ଡ

ଏକ୍ଷଣି ହୋଇବେ ଆସି ଦେଖୁ ଦେଖୁ ରୁଣ୍ଡ ।

ମେରୁ ଉତ୍ତର ଭଗରେ ବିଜୟ ଯେ ବନ

ଅଙ୍ଗିରା ନାମେ ନଦୀ ଯେ ତଥି ବିତପନ ।

କୁଣ୍ଡଳୀ ନାମେ ପର୍ବତ ଅଛି ସେ ନିକଟେ

ତହିଁ ଦର୍ପିଷ୍ଠେ ଯେସନେ ଲୁଚିଥାନ୍ତି ଖଣ୍ଟେ ।

ସୁଖେ ବିହରନ୍ତି ସେହି କାମରୂପୀ ହୋଇ

ତାଙ୍କ ଡରେ ଜୀବଜନ୍ତୁ ଗମ୍ୟାଗମ୍ୟ ନୋହି ।

ଅନେକ କାଳରୁ ସେହି ଲୋଡ଼ୁଛନ୍ତି ତୋତେ

ଜାତ ହୋଇଅଛନ୍ତି ସେ ତୋହର ନିମନ୍ତେ ।

ସେ ତୋର ପ୍ରାଣବନ୍ଧବ ଏହା ଭଲେ ଜାଣ

ଗଉରବ କରି ବେଗେ ପାଶକୁ ତୁ ଆଣ ।

ତାଙ୍କ ଥାନ୍ତେ ବାବୁ କିଛି ନାହିଁ ତୋର ଭୟ

କୋଟି ସିଂହ ଇନ୍ଦ୍ର କରି ନ ପାରନ୍ତି ଜୟ ।

ତାହାଙ୍କ ସଙ୍ଗେ ତୁ ରହ ହୋଇ ଏକ ଗୋଷ୍ଠି

ସଖା ସହୋଦର ହୋଇଥିବେ ପାଦେ ଖଟି ।

ସେମାନେ ତୋତେ ନ ଦେଖି ହୋଇଛନ୍ତି କଷ୍ଟୀ

ଗୁପତ କଥା ଶୁଣିଣ କଂସ ହେଲା ତୁଷ୍ଟି ।

ଏଥେ ତୁମ୍ଭେ ଅଛ ବୋଲି ନ ଜାଣନ୍ତି ସେହି

ଏ ମନ୍ତ୍ର ଗୋଟି ମନରେ ବସି ତୁହି ଧ୍ୟାୟି ।

ଏତେ ବୋଲିଣ ନାରଦ ଦେଲେ ମନ୍ତ୍ରଗୋଟି

ଗୁପତ ମନ୍ତ୍ର ପାଇଣ କଂସ ମନ ତୁଷ୍ଟି ।

ସୋଦର ଭେଟ ପାଇବି ଦିଅ ମୁନି ଦୀକ୍ଷା

କଂସ ବଚନେ ନାରଦ ମନ୍ତ୍ର ଦେଲେ ଶିକ୍ଷା ।

ଓଁ ଐଁ ହ୍ଲୀଁ ସ୍ଵାହା ଗନ୍ଧର୍ବ ନର ଯକ୍ଷ

ଏ ମନ୍ତ୍ର ପଢ଼ି ଚାହିଁଲେ ବଶ ସୁରରକ୍ଷ ।

ସୋଦରମାନେ ତୋହର ଗନ୍ଧର୍ବଙ୍କ ସଖା

ଏ ମନ୍ତ୍ର ପଢ଼ି ଚାହିଁଲେ ଆସି ଦେବେ ଦେଖା ।

ସ୍ତିରୀ ସୁରମନ୍ତେ ହୋନ୍ତି ପୁରୁଷେ ଯେ ବାଇ

ପୁରୁଷେ ସୁମରନ୍ତେ ସ୍ତ୍ରୀ ପଛରେ ଗୋଡ଼ାଇ ।

ଏ ମନ୍ତ୍ର ପଢ଼ି ରାଜାର ଛାମୁକୁ ଯେ ଯାଇ

ଦ୍ରୋହ କରିଥିଲେ ମଧ୍ୟ ଦଣ୍ଡ ସେ ନ ପାଇ ।

ଏ ମନ୍ତ୍ର ସୁମରି ଯେହୁ ସଭା ସୃଷ୍ଟିକରି

ସଭାରେ ସେହୁ ଜିଣଇ ବାଦୀ ଯାଏ ହାରି ।

ଏହି ମନ୍ତ୍ର ପଢ଼ି ଯେବେ ଦେଶାନ୍ତର କରି

ପର ଆପଣା ବାନ୍ଧବ ସଙ୍ଗେ ହୋନ୍ତି ସରି ।

ସଂଗ୍ରାମେ ପଶି ପଢ଼ିବ ଯେବେ ମନ୍ତ୍ର ଗୋଟି

ଉଚ୍ଚାଟ ହୁଅନ୍ତି ବୀରେ ଖସେ ଶସ୍ତ୍ରମୁଷ୍ଟି ।

ଏ ମନ୍ତ୍ର ଗୋଟି ଜପିଲେ ପୂର୍ବେ ଦେବୀ ଉମା

ସଦାଶିବଙ୍କର ପ୍ରିୟା ହେଲେ ଆଦି ବାମା ।

ପୂର୍ବେ କମଳା ଦେବୀ ଏ ମନ୍ତ୍ର ଜପିଥିଲେ

ତେଣୁ ସେହି ବସିଛନ୍ତି ବିଷ୍ଣୁ ବକ୍ଷସ୍ଥଳେ ।

ଏ ମନ୍ତ୍ରଗୋଟି ମହିମା ଜାଣ ଯେତେ ଅଛି

କହିବାକୁ କାଳ ନାହିଁ ଗୁଣମାନ ଲେଖି ।

ଯେତେବେଳେ ସେ ନାରଦ କହିଲେ ଏ ମନ୍ତ୍ର

କହିବା ମାତ୍ରକେ କଂସ ଜାଣିଲା ସମସ୍ତ ।

ଭୂତ ବବିଷ୍ୟତ ବର୍ତ୍ତମାନ ବରଦାତା

ମନ୍ତ୍ର ପଢ଼ିବା ମାତ୍ରକେ ଜାଣେ ସବୁ କଥା ।

ମାନବ ଜନ୍ମେ ପାସୋରି ଥିଲା ଯାହା ଯାହା

ମନ୍ତ୍ରବଳେ ଏବେ ସବୁ ଜାଣିଲାକ ତାହା ।

ପୁଣି ନାରଦେ ବୋଇଲେ କଂସମୁଖ ଚାହିଁ

ଆଉ କଥାଏ କହିବା ଶୁଣ ଭୋଜସାଇଁ ।

ଯାଦବ ବଂଶକୁ ତୁହି କରୁଅଛୁ ପୂଜା

ତୋହର ପିତା ନୁହଇ ଉଗ୍ରସେନ ରାଜା ।

ତୋହର ପିତା ଯେ କିଏ ତାହା ତୁ ନ ଜାଣୁ

ଆମ୍ଭର କହିଲେ ତୁହି ମିଛ ପ୍ରାୟେ ମଣୁ ।

କଂସ ବୋଇଲେ ମୁନି ହୋ ଏହା ମୋତେ କହ

ତୁମ୍ଭ ମୁଖରୁ ଶୁଣିଲେ ଫିଟିବ ସନ୍ଦେହ ।

ଭୋ ମୁନି ମୋହର ପିତା ଉଗ୍ରସେନ ରାଜା

ଛପନ କୋଟି ଯାଦବ କରନ୍ତି ଯା ପୂଜା ।

ପବିତ୍ର ଭୋଜବଂଶର ଶିରୋମଣି ଅଟେ

ସାତବଂଶ ଯାଦବ ଯା ପରିଚାରେ ଖଟେ ।

ଉଗ୍ରସେନ ରାଜାର ମୁଁ ଅଟେ ଜ୍ୟେଷ୍ଠପୁତ୍ର

ମଥୁରା କାରେଣି ଭୋଜବଂଶରେ ପବିତ୍ର ।

ପିତା ମାତାର ମୋହର ନିରନ୍ତରେ ସେବା

ଉଗ୍ରସେନହୁଁ ଆନ ମୁଁ ନ ଜାଣଇ ଦେବା ।

ମନଜ୍ଞାନେ ପିତାଠାରେ ଯେବେ ଥିବା ମାୟା

ଗଉରବ ନରକରେ ପଡ଼ିବ ମୋ କାୟା ।

ନାରଦ ବୋଇଲେ ତୁ ନ ଜାଣୁ ପୂର୍ବବାଣୀ

ଆମ୍ଭଙ୍କୁ ତୁ କୋପି ନିକି କରୁ ନୃପମଣି ।

ଏ ତୋର ଜନମ କଥା ଜାଣନ୍ତା କେ ନାହିଁ

ଅତି ଗୁପତ କଥା କେ ଜାଣିପାରେ କାହିଁ ।

ତୁମ୍ଭେ ଯାହା ବୀର୍ଯ୍ୟେ ଜାତ ଜାଣେ ତୁମ୍ଭ ମାତା

ଆମ୍ଭେ ଜାଣିପାରୁ ଭୂତ ଭବିଷ୍ୟତ ଜ୍ଞାତା ।

କଂସ ବୋଇଲା ମୁନି ହେ ଏ ଗୁପତ କଥା

ଉଁକାରି ନ କହିଲେ ତ ମନେ ବଡ଼ ବ୍ୟଥା ।

ନାରଦ ବୋଇଲେ କଂସ ସାବଧାନେ ଶୁଣ

ରକ୍ଷ ଭକ୍ଷ ବୋଲି ବେନି ଅସୁର ଯେ ଜାଣ ।

ରକ୍ଷର ନନ୍ଦନ ହେଲା ଦୃମିଳ ଦାନବ

ଲୋହବକ୍ଷା ନାମେ ଭକ୍ଷ ବୀଜରୁ ସମ୍ଭବ ।

ତାର ପୁତ୍ର ଲୋହୋଦର ବଜ୍ରଅଙ୍ଗ ହେଲା

ମହିମାନ ନାମେ ପୁତ୍ର ତାର ଜନମିଲା ।

ମହିମାନର ନନ୍ଦନ ମହାଶୂର ବୀର

ତାହାର ନନ୍ଦନ ଦେବ ଅନ୍ତକ ଅସୁର ।

ଦେବ ଅନ୍ତକର ପୁତ୍ର ହୋଇଲା ତ୍ରିଧାର

ତ୍ରିଧାର ପୁତ୍ର ଅଘୋଷ ନାମେ ମହାବୀର ।

ଅଘୋଷ ନନ୍ଦନ ହେଲା ରକ୍ଷ ଅମ୍ଵରୀଷ

ଅମ୍ଵରୀଷର ନନ୍ଦନ ହେଲା ସୁରଘୋଷ ।

ସୁରଘୋଷର ନନ୍ଦନ ମଧୁଦୈତ୍ୟ ହେଲା

ଏହି ମଥୁରା ଦେଶକୁ ସେହି ଭିଆଇଲା ।

ମଧୁଦୈତ୍ୟର ନନ୍ଦନ ଲବଣ ଅସୁର

ରୁଦ୍ରଶୂଳ ଥାଇ ଯେବେ ତାହାର ହସ୍ତର ।

ଦିଗପାଳ ହେଲେ ତାକୁ ରଣେ ଯିବେ ହାରି

ସେହି ଏ ମଥୁରା ପୁରେ ଥିଲା ଦଣ୍ଡଧାରୀ ।

ତ୍ରେତାଯୁଗେ ଶ୍ରୀରାମର ଭାଇ ଶତ୍ରୁଘନ

ଦଣ୍ଡ ଘେନି ଲୁଚି ରହି ରାତ୍ରେ ଏ ଭୁବନ ।

ଲବଣର କରେ ଶୂଳ ନ ଥିବା ସମୟେ

ଲବଣକୁ ବଧକରି ଶତ୍ରୁଘନ ରାୟେ ।

ଏ ମଥୁରାପୁରେ ରାଜା ହେଲା ଶତ୍ରୁଘନ

ଅସୁରେ ଡରେ ଛାଡ଼ିଣ ଗଲେ ଏ ଭୁବନ ।

ସେ ଦିନୁ ମାନବେ ଆସି କଲେ ଏଥେ ବାସ

ରକ୍ଷ ଅସୁର ନନ୍ଦନ ଦୃମିଳ ରାକ୍ଷସ ।

ପ୍ରଚଣ୍ଡ ଦାନବ ସେହି ଅଟେ ରଣରଙ୍କା

ବ୍ରହ୍ମା ଇନ୍ଦ୍ର ରୁଦ୍ରକୁ ଯେ ନାହିଁ ତାଙ୍କ ଶଙ୍କା ।

ପୂର୍ବଜନ୍ମେ ଗନ୍ଧର୍ବ ସେ ଅଟଇ ସ୍ଵର୍ଗର

ଇନ୍ଦ୍ର ଶାପ ପାଇବାରୁ ହୋଇଲା ଅସୁର ।

ଅନେକ ମାୟାମନ୍ତ୍ର ସେ ଜାଣେ କାମରୂପୀ

ସ୍ୱର୍ଗ ମଞ୍ଚ ପାତାଳ ସେ କ୍ଷଣେ ପାରେ ବ୍ୟାପୀ ।

ଗୋମତୀନଦୀର ପାରେ ଗୋମତ ଯେ ଦେଶ

ତହିଁ ଏକାଳେ ବିହରେ ଦୃମିଳ ରାକ୍ଷସ ।

ନୃପତିପଣକୁ ସେହି ମହାଭୟ ପାଇ

ଅନେକକାଳୁ ଅଛଇ ଜନ ତହିଁ ନାହିଁ ।

ଯେତେବେଳେ ଶାପ ତାକୁ ଦେଲେ ପୁରନ୍ଦର

ବହୁତ ବିନୟେ କହେ ଶାପୁ ମୁକ୍ତ କର ।

ଇନ୍ଦ୍ର ବୋଇଲେ ତୁ ଥିବୁ ଗୋମତ ଦେଶରେ

ପୁତ୍ର ଉପୁଜାଇଲେ ତୁ ମାନବୀ ଗର୍ଭରେ ।

ମହାପ୍ରତାପୀ ହୋଇବ ତୋହର କୁମର

ତା ହସ୍ତେ ମଲେ ଆସିବୁ ପୁଣି ସ୍ଵର୍ଗପୁର ।

ଇନ୍ଦ୍ର ବୋଲେ କାମରୂପୀ ହୋଇ ଭ୍ରମୁଥାଇ

ମୃଗୟା ବିନୋଦେ ଦିନକାଳ ହରୁଥାଇ ।

ଦୃମିଳ ରାକ୍ଷସ ଦିନେ ମୃଗୟାକୁ ଗଲା

ଯମୁନା ନଦୀକୂଳରେ ତୋ ମାତାକୁ ଦେଖିଲା ।

ସ୍ଵର୍ଗ ଅପସରାଠାରୁ ଅଧିକ ସୁନ୍ଦରୀ

ଦେଖି ରାକ୍ଷସର ଦେହେ କାମଶର ଘାରି ।

କପଟେ ସେ ଉଗ୍ରସେନ ରୂପକୁ ଧଇଲା

ସ୍ନାନ ସାରି ବାଳୀ ଝୀନବାସ ପିନ୍ଧୁଥିଲା ।

ବେଶହୋଇ ଯିବାବେଳେ ଭେଟିଲା ରାକ୍ଷସ

ସାକ୍ଷାତେ ଦିଶଇ ଉଗ୍ରସେନର ସଦୃଶ ।

ମଦନ ଶରେ ତାହାର ଶରୀର ଅସ୍ଥିର

ରଜନୀ ଅଛି ଅଳପ ପାହାନ୍ତା ପହର ।

ଦାସୀ ପରିବାରୀ ଦେଖି ଆଡ଼ ହୋଇଗଲେ

ରାଜାର ଆତୁର ଦେଖି ରାଣୀ ଅଙ୍ଗ ହେଲେ ।

ରହିଲେ ତହିଁ ସେ ବେନି ଟେରାବାଡ଼ ପରି

ନ ସହି ଅଚେତା ହେଲା ଇନ୍ଦୁମତୀ ନାରୀ ।

ଚେତି ପୁଣି ଚାହିଁ ରାଣୀ ବୋଇଲ ବଚନ

କପଟେ ମୋ ଧର୍ମ ନାଶ କଲୁ ରେ ଦୁର୍ଜ୍ଜନ ।

ନୋହୁ ତୁ ରେ ଉଗ୍ରସେନ ରାଜା ମୋର ପତି

କେବଣ ପାମର କଲୁ ଏମନ୍ତ ଅନୀତି ।

କୋପଭରେ ରାଣୀ ତାକୁ ଦେଲା ବେଗେଶାପ

ନିଲକ୍ଷଣ ପାମରରେ କଲୁ ଏଡ଼େ ପାପ ।

କପଟ ଭାବେ ତୁ ମୋତେ କଲୁ ଗର୍ଭବାସ

ଏ ପୁତ୍ର ହାତେ ତୋ ପ୍ରାଣ ଯିବରେ ଅବଶ୍ୟ ।

ଶୁଣିଲୁ ତ କଂସରାୟେ ତୋ ଜନ୍ମବାଣୀ

ଦୃମିଳ ନନ୍ଦନ ତୁ ଯେ ବୀର ଚୂଡାମଣି ।

ଏମନ୍ତ ଲକ୍ଷଣେ ତୁ ଯେ ହୋଇଅଛୁ ଜାତ

ଆଉ କେହି ନ ଜାଣନ୍ତି ଜାଣେ ତୋର ମାତ ।

ତୁ ଯହୁଁ କଲୁ ଆମ୍ଭଙ୍କୁ ବହୁତର ସେବା

ତେଣୁ ଏ ଗୁପତ କଥା କହିଲୁରେ ବାବା ।

ଉଗ୍ରସେନ ସହିତରେ ନ ଜାଣନ୍ତି କେହି

ଦାସୀଏ ଜାଣନ୍ତି ରାଜା ରାଣୀ ଭେଟ ହୋଇ ।

ନାରଦେ କହିଲେ ଯହୁଁ ଏସନକ ବାଣୀ

କଂସ ନୃପତି ବିସ୍ମୟ ହେଲା ତାହା ଶୁଣି ।

ଚେତନା ପାଇଣ କଂସ ଭାଳେ ମନେ ମନ

ନୟନରୁ ଅଶ୍ରୁଜଳ ବହେ ଘନ ଘନ ।

ଏ ପବିତ୍ର ଭୋଜବଂଶେ ହୋଇଲି ଜନମ

ଦଇବ ବିହିଲା ଆଣି ଏସନ ବଚନ ।

ଲୋକରେ ଅପକୀରତି ଚାହିଁବି କା ମୁଖ

କୁଳକୁ କଳଙ୍କ ମୋତେ ବିହିଲା ଏ ଦୁଃଖ ।

ଧନ ବିଦ୍ୟା ତପ ମୋର ସବୁ ନାଶ ଗଲା

ଇହ ପର ଲୋକରେ ତ ଲଜ୍ଜା ଉପୁଜିଲା ।

ବିଧାତା କଲା ତ ମୋତେ ଏସନ ଜିଙ୍ଘାସ

ଏବେ ତ ଶୋଚନାକଲେ ହେବ ପୁଣ କିସ ।

ମନେ ବିଚାରଇ ଅଷ୍ଟମଲ୍ଲଙ୍କୁ ଆଣିବି

ତିନିପୁର ଲୋକଙ୍କୁ ମୁଁ ପାଦେ ଖଟାଇବି ।

ନାରଦ ବୋଇଲେ ଶୁଣ ବୀର କଂସ ସେନା

ଗଲା କଥାମାନ ତୁ ହୋ ନକର ଶୋଚନା ।

ରଜନରାଣୀର ପତି ଅଟଇ ଶଶାଙ୍କ

ତେଡ଼େ ବଡ଼ ଲୋକ ଦେହେ ଲାଗିଛି କଳଙ୍କ ।

ଇନ୍ଦ୍ର ଦେବତା ଗୁପତେ ଅହଲ୍ୟା ହରିଲା

ଗୈତମଶାପେ ସହସ୍ର ଯୋନି ବୋଲାଇଲା ।

ଭୂତ ଭବିଷ୍ୟତଜ୍ଞାତା ବ୍ୟାସ ମହାମୁନି

କେଉଟୁଣୀ ଗର୍ଭୁଜାତ ହୋଇଲେ ସେ ପୁଣି ।

ବିଶ୍ଵଭାରାଭର ଅଛି ବାସୁକି ଯେ ବହି

କଣ୍ଠରେ କାଳ ଗରଳ ପୁଣି ସର୍ପ ଦେହୀ ।

କୋଟି ବ୍ରହ୍ମାଣ୍ଡ ନାୟକ ଦେବ କାଶୀବାସୀ

ବ୍ରହ୍ମହତ୍ୟା ମହାପାପେ ହୋଇଲେ ଯେ ଦୋଷୀ ।

ସପତ ସାଗର ଏହି ପୃଥ୍ଵୀକି କାରଣ

ତାହାର ଜଳ ଅଭକ୍ଷ ଲାଗନ୍ତେ ଲବଣ ।

ଅଷ୍ଟାଙ୍ଗ ଯୋଗକରତା ବିଶ୍ୱାମିତ୍ର ମୁନି

ମେନକାକୁ ହରି ଦୋଷୀହେଲେ ତେଡ଼େଜ୍ଞାନୀ ।

କୀଟପତଙ୍ଗ ଆଦି ଯେ ବ୍ରହ୍ମଲୋକ ଯାଏ

ବାଛିଲେ ତ ଦୋଷ ଅଛି ସବୁଙ୍କରି କାୟେ ।

ଏଥକୁ ଶୋଚନା ମନେ ନ କର ତୁ କଂସ

ଗୁଣ ପ୍ରକାଶ ହୋଇଲେ ନାଶ ଯାଏ ଦୋଷ ।

ପୁରୁଷ ଉତ୍ତମ ତୁହି ଅଟୁ ମହାବଳୀ

ଏ କଥା ଗୋଟାକୁ କିପାଁ ମନରେ ତୁ ଭାଳି ।

ଜାଣୁ ଜାଣୁ ତୁହି କିପାଁ ହେଉଅଛୁ ବଣା

ଆପଣାର କଥା ବାବୁ ଆପଣାକୁ ଊଣା ।

ଆବର କଥାଏ ତୋତେ କହିବି ବିଶ୍ଵାସ

ଭଣଜାର ହସ୍ତେ ତୁହି ଯିବୁ ପ୍ରାଣେ ନାଶ ।

ତୋହର ସୋଦର ଯେହୁ ଦେବକୀ ବହେଣୀ

ଆଠଗୋଟି ପୁତ୍ର ଜାତ କରିବ ସେ ପୁଣି ।

ତାହାର ଅଷ୍ଟମ ଗର୍ଭେ ହେବ ଯେଉଁ ବାଳ

ସେହି ଭଣଜା ହସ୍ତରେ ପୁରିବ ତୋ କାଳ ।

ନିରାଧାର କଥା ତୋତେ କହିଲୁ ତୁ ଜାଣ

ଏ କଥା ବିଚାରିଥିବୁ କଂସ ନୃପରାଣ ।

ନାନାପ୍ରକାରେ ଏକ କଥା କର ହୋ ନିର୍ବନ୍ଧ

ଅତୁଟ ହୋଇବ ଯୁଗେ ଯୁଗେ ତୋର କନ୍ଧ ।

ଉପାୟ କରି ଭଣଜା ପାରୁ ଯେବେ ମାରି

ରବିତଳେ ଜଣିବାକୁ କେହି ନାହିଁ ସରି ।

ଅଷ୍ଟ ପୁତ୍ରଯାଏ ତୁହି ଉପ୍ରୋଧ ଛାଡ଼ିବୁ

ଭଣଜା ବୋଲି କଦାପି ଦୟା ନ କରିବୁ ।

ରାତ୍ର ଦିବସ ପ୍ରହରୀମାନେ ଜଗିଥିବେ

ଜନ୍ମ ହେବାମାତ୍ରେ ଆସି ତୋତେ ଯେ କହିବେ ।

ବାରତା ପାଇଲେ ବେଗେ ଯିବୁ ତୁହି ଧାଇଁ

କ୍ଷଣେ ନ ରଖି ତୁ ଶିଳେ କଛାଡ଼ିବୁ ନେଇ ।

ଏ କଥାରେ ହେଳା ତୁ ନ କର ବୀର କଂସ

ଏଡ଼େ ଅଇଶ୍ଵର୍ଯ୍ୟ ବାବୁ କ୍ଷଣେ ଯିବ ନାଶ ।

ଏ କଥ କଲେ ପୃଥିବୀ କରିବୁ ତୁ ଭୋଗ

ନୋହିଲେ ସଂଗ୍ରାମେ ତୋର ନିଶ୍ଚେ ମୃତ୍ୟୁଯୋଗ ।

ଚନ୍ଦ୍ର ସୂର୍ଯ୍ୟ ଇନ୍ଦ୍ର ରୁଦ୍ର ନୈର୍ଋତ ବରୁଣ

ଦିଗପାଳ ସହିତରେ ଯେତେ ଦେବଗଣ ।

ସମସ୍ତ ଜିଣିବୁ ବାବୁ ତୁ ହିଁ ଭୁଜବଳେ

ସଂଗ୍ରାମେ ସରି ନୋହିବେ କେହି ରବିତଳେ ।

ଏ କଥାରେ ଅଳପକେ ହେବ ତୋର ଯଶ

କିନ୍ତୁ ଭଣଜା ହସ୍ତରେ ଯିବୁ ପ୍ରାଣେ ନାଶ ।

ନାନାଦି ଉପାୟ କରି ଭଣଜା ତୁ ମାର

ଚଉଦ ଭୁବନଯାକ ଏକା ଭୋଗକର ।

ଯଦ୍ୟପି ଭଣଜା ଏକ ଯିବଟି ଉବୁରି

ପାଞ୍ଚରାତ୍ର ପୂରିଲେ ନ ପାରିବୁ ତୁ ମାରି ।

ଏଥୁ ଉତୁରିଲେ ତୋତେ ଆନ ମୃତ୍ୟୁ ନାହିଁ

ଅନ୍ତର୍ଦ୍ଧାନେ ଗଲେ ମୁନି କଂସକୁ ଯେ କହି ।

ଶୁଣି କଂସାସୁର ମନେ ବିଷାଦ ପାଇଲା

କେବଣ ବିଧାତା ମୋତେ ଏମନ୍ତ କରିଲା ।

ପବିତ୍ର ଭୋଜବଂଶରେ ହୋଇଲି ମୁଁ ଜାତ

ଏଥକୁ ବିଧାତା ତୁ ରେ କଲୁ ଏଡ଼େ କୃତ୍ୟ ।

ନାରଦ ମୁନି କହିଲେ ଯେତେ ଯେତେ କଥା

ନିରାଧାର ବଚନ ସେ ନୋହିବ ଅନ୍ୟଥା ।

ସୋଦର ଭଣଜା ବଧ କରିବି କେମନ୍ତେ

ଏ ମହାପାପ ଘୋଟିଲା ସିନା ଆସି ମୋତେ ।

ଭଣଜାକୁ ନ ମାଇଲେ ଆପେ ଯିବି ନାଶ

ସଙ୍କଟ ପଡ଼ିଲା ଏବେ କରିବି ମୁଁ କିସ ?

ପୁଣି ହିଁ ସେ ବିଚାରିଲା ଆପଣାର ପାଇଁ

ସୋଦର ବଧ କଲେ ଯେ କିଛି ଦୋଷ ନାହିଁ ।

ପ୍ରାଣ ଥିଲେ ଦାନ ଧ୍ୟାନ କରି ଉବୁରିବି

ସମୟ ଭୋଗ କରିଣ ତୀର୍ଥ ମୁଁ କରିବି ।

ନୋହିଲେ ସଂଗ୍ରାମ ଯିବି ପଛେ ନାଶ

ତା ନୋହିଲେ ବ୍ରହ୍ମବିଦ୍ୟା ସାଧିବି ଅବଶ୍ୟ ।

ଆପଣାର ଆତ୍ମା ଗଲେ ପୁଣି କି ତା ପାଇ

ମାରିବି ଭଣଜା ମୋର ପାପେ ଭୟ ନାହିଁ ।

ପ୍ରତ୍ୟେକ୍ଷେ ଦେବ ନାରଦ ମୁନି ବ୍ରହ୍ମଚାରୀ

ତାଙ୍କ ବଚନ ଅବଜ୍ଞା କେହି କରିପାରି ।

ମୁନିଙ୍କର ନ ଥାଇ ତ ଚିତ୍ତେ ମାୟା ମିଛ

ଅଷ୍ଟମଲ୍ଲ ଅଇଲେ ତା ଜାଣିବା ପ୍ରତ୍ୟକ୍ଷ ।

ଏତେ ବୋଲି କଂସରାଜା ସିଂହାସନ ଛାଡ଼ି

ଖଣ୍ଡେ ଦୂରେ ବସିଲା ସେ ମୃଗଛାଲ ମାଡ଼ି ।

ଦେଶ କାଳ ବାକ୍ୟ ପଢ଼ି ଜପାମାଳ ଘେନି

ଶତେ ଅଷ୍ଟୋତ୍ତର ଜପକଲା ଉଗ୍ରସେନି ।

ଚକ୍ଷୁ ବୁଜି ଧ୍ୟାନ କଲା ହୃଦେ ମନ୍ତ୍ର ଗୁଣି

ଅଧିଷ୍ଠାନ ମନ୍ତ୍ର କଂସ ପଡ଼େ ପୁଣି ପୁଣି ।

ଅଷ୍ଟମଲ୍ଲ ରୂପ ମୁନି କହିଥିଲେ ଯାହା

ହେତୁ ମତି ଏ କରି ଜପେ କଂସ ତାହା ।

ଷଣ୍ଢା ଶକଟା ଧେନୁକା ବକା ଗଜ ଅଶ୍ଵ

ତ୍ରୋଣାବ୍ୟୋମାଆଠେ ତୁମ୍ଭେ ବେଗେ ଉଠିଆସ ।

ଅଘା ଅସୁର ସହିତେ ମନେ ଧ୍ୟାନ କରି

ପୂର୍ବଗୁଣ ମନ୍ତ୍ରମାନ ହୃଦରେ ସୁମରି ।

ଥିଲେ ସେ ଅଙ୍ଗିରା ନଦୀ ପୂର୍ବଭାଗ ତଟେ

କୁଣ୍ଡଳ ବନ ପର୍ବତେ ମେରୁର ନିକଟେ ।

ବିଜୟା ନାମେ ବନରେ ଅଷ୍ଟମଲ୍ଲ ଥିଲେ

କଂସ ସୁମରନ୍ତେ ସେହି ଉଚ୍ଚାଟ ହୋଇଲେ ।

ଏକକୁ ଆରେକ ବସି ବିଚାରନ୍ତି ତହିଁ

ଏସନ ଉଚ୍ଚାଟ ଲାଗେ କହ କାହିଁପାଇଁ ।

ବିଚାର କେମନ୍ତ ପ୍ରାୟ ଏ କଥାକୁ ମଣ

ତଦନ୍ତେ କାର୍ଯ୍ୟ କରିବା ସିନା ବିଚାରିଣ ।

ଅନେକ କାଳୁ ଆମ୍ଭେ ଏ ବନେ ଥିଲୁ ରହି

ଏପରି ଉଚ୍ଚାଟ ଦିନେ କେଭେ ନ ଲାଗଇ ।

ଭଲ ମନ୍ଦ ବୋଲି କଥା କେମନ୍ତେ ଜାଣିମା

ସବୁରି ବିଚାରେ ପୂର୍ବେ ହେତୁକୁ ମଣିବା ।

ପୂର୍ବେ ଯେ ଆମ୍ଭର ସଖା କାଳନେମି ଥିଲା

ବିଷ୍ଣୁ ସଙ୍ଗେ ଯୁଦ୍ଧ କରି ଚକ୍ରେ ପ୍ରାଣ ଦେଲା ।

କାଳନେମି ଅବତାର ହୋଇଲା କି ଆସି

ଆମ୍ଭନ୍ତ ପାସୋରିଲା ନରଦେହେ ପଶି ।

ଆମ୍ଭର ଯୋନିଜ ମନ୍ତ୍ର ଗୁପତ ବାରତା

ଆନକୁ ତା ଅଗୋଚର ଅଟଇ ସେ କଥା ।

ନିଶ୍ଚେ ଜାଣ କାଳନେମି ଅବତାର ହେଲା

ପୂର୍ବକଥାକୁ ସୁମରି ଆମ୍ଭଙ୍କୁ ଖୋଜିଲା ।

ଏହାର ବିନା ଆମ୍ଭର ଆନ ଗତି ନାହିଁ

କାଳନେମିର ଶରୀରୁ ଅଛୁ ଜାତ ହୋଇ ।

ଏକକୁ ଆରେକ ଆମ୍ଭେ ନୋହୁ ଭିନ୍ନା ଭିନ୍ନ

ଜନ୍ମାନ୍ତର କଥାମାନ ପଡ଼ୁଅଛି ମନ ।

ନୋହିଲେ କାହୁଁ ଏସନ ଉଚ୍ଚାଟ ଲାଗିଲା

ଆମ୍ଭର ଯେ ମନଭ୍ରାନ୍ତି ଆଜହୁଁ ଫିଟିଲା ।

ଆମ୍ଭଙ୍କୁ ନ ପାଇ ସେହି ହୋଇଅଛି ଏକା

ବେଗେ ହୋ ଚାଲ ଦେଖିବା ଯାଇ ଆମ୍ଭ ସଖା ।

ଆଗହୁଁ ଆମ୍ଭଙ୍କୁ କାଳନେମି ଅଛି କହି

ମଥୁରା କଟକେ ଜାତ ହୋଇବ ମୁଁ ଯାଇ ।

ଏହି ଶଙ୍କୁନେ ଆମ୍ଭର ହୋଇପାରେ ଭେଟ

ବେଳକୁବେଳ ଆମ୍ଭଙ୍କୁ ଲାଗିଲା ଉଚ୍ଚାଟ ।

ସେ ଆମ୍ଭର ପଞ୍ଚଭୂତ ଆତ୍ମାର ଧାରଣା

ତାହାର ପ୍ରସାଦେ ଆମ୍ଭେ ଜଗତ କାରଣ ।

ବିଳମ୍ଵ ନ କରି ଚାଲ ଦେଖିବା ତା ମୁଖ

ଆକହୁଁ ସରିଲା ଜନ୍ମ ଜନ୍ମାନ୍ତର ଦୁଃଖ ।

ଏତେ ବୋଲି ସେ ଅଙ୍ଗିରା ନଦୀ ପୂର୍ବ କୂଳେ

ଆଠଜଣେ ଗମିଲେ ସେ ଆକାଶ ମଣ୍ଡଳେ ।

ଚଳନ୍ତି ଗମନମାର୍ଗେ ପବନହୁଁ ବେଗେ

ଧାତିକରେ ମିଳିଲେ ସେ ମଧୁ ପୁର ଲାଗେ ।

ଯୁକତେ ଅସୁର ସେହି ପୁଣି କାମରୂପୀ

ସ୍ଵର୍ଗ ମଞ୍ଚ ପାତଳାକୁ କ୍ଷଣକରେ ବ୍ୟାପି ।

ଜାଣନ୍ତି କୂଟ କପଟ ଛନ୍ଦ ସବୁ ମାୟା

ମନ କଲେ ତାହାଙ୍କର ବଢ଼ିଯାଏ କାୟା ।

କଂସ ସୁମରିବା ମାତ୍ରେ ପ୍ରବେଶ ନଗରେ

ତୁରିତେ ମିଳିଲେ ଯାଇ କଂସର ଛାମୁରେ ।

ଅଷ୍ଟମଲ୍ଲ ଆସନ୍ତେଣ ଦେଖି କଂସବୀର

ଆସ୍ଥାନ ତେଜି ଉଠିଲା କହୁ ଧାତିକାରେ ।

ଅନେକ ସାନନ୍ଦ ରାଜା ହେଲା ତୋଷମତି

ରୋମ ଟାଙ୍କୁରଇ ଆତ୍ମା ପୁଲକିତ ଅତି ।

କୋଳ ସମ୍ଭୀଷଣ ଆଦି କରିଣ ଆଦର

ଧାତିକାରେ ପୁଷ୍ପମାଳା ଲମ୍ବାଇ ଗଳାର ।

ଅନେକ ପୂଜାବିଧିରେ ଗଉରବ କଲା

ଭୁଜ ଧରି ଆସ୍ଥାନରେ ନେଇ ବସାଇଲା ।

କଂସ ବୋଇଲା ଆଜହୁଁ ମୁହିଁ ନିସ୍ତରିଲି

ପ୍ରାଣର ସୋଦରଙ୍କୁ ମୁଁ ନୟନେ ଦେଖିଲି ।

ଜନମ ସଫଳ ମୋର ହୋଇଲାକ ଆଜ

ଲଭିଲେ ପରମଗତି ପାଇଲି ଐଶ୍ଵର୍ଯ୍ୟ ।

ତୁମ୍ଭଙ୍କୁ ନ ଦେଖି ମୁହିଁ ହୋଇଥିଲି କଷ୍ଟୀ

ଆଜଠାରୁ ଆତ୍ମା ମୋର ହୋଇଲାକ ତୁଷ୍ଟି ।

ବଳବୀର୍ଯ୍ୟ ପରାକ୍ରମ ଲୁଚାଇଲେ ଦୁଃଖେ

ମହୀଭୋଗ ଏବେ ଆମ୍ଭେ କରିବାକ ସୁଖେ ।

ଏହା କହି ଅଷ୍ଟମଲ୍ଲ ସଙ୍ଗତରେ ଘେନି

ନିଜପୁରେ ପ୍ରବେଶିଲା ଯାଇ ଉଗ୍ରସେନି ।

ନବର ଭିତରେ ରାୟେ ନିତ୍ୟକର୍ମ ସାରି

ଅଷ୍ଟମଲ୍ଲ ସଙ୍ଗେ ଘେନି ମଣୋହି ସେ କରି ।

ଷଡ଼ରସର ବ୍ୟଞ୍ଜନ ଅନ୍ନ ପାକଦ୍ରବ୍ୟ

ଅମୃତ ମଣୋହି କଲେ ସରାଗରେ ସବ ।

ଅପୂର୍ବ ଦ୍ରବ୍ୟ ଖାଇଣ ହେଲେ ସର୍ବେ ତୁଷ୍ଟି

ଦିନକୁ ଦିନ ଶରୀର ହେଲା ବଳପୁଷ୍ଟି ।

ସଙ୍ଗେ ଥାନ୍ତି ଅଷ୍ଟମଲ୍ଲ ନାହିଁ ଭିନ୍ନା ଭିନ୍ନ

ମନ ବଚନ କଳ୍ପନା ସବୁ ଏକସ୍ଥାନ ।

ନିଦ୍ରା ଆହାର ମୈଥୁନ କ୍ଷଣେ ଛଡ଼ା ନାହିଁ

ସନ୍ତୋଷ ଲଭିଲା କଂସ ଅଷ୍ଟମଲ୍ଲ ପାଇ ।

ମଥୁରା ନଗର ଲୋକେ ଅଷ୍ଟମଲ୍ଲ ଦେଖି

ଭୟେ ପଳାଇଲେ ଗୃହ ସମ୍ପଦ ଉପେକ୍ଷି ।

ଦାନବର ସଙ୍ଗେ କାହିଁ ମାନବର ମେଳ

ସମରାଜ୍ୟଯାକ ତହିଁ ହେଲା ମହାଗୋଳ ।

ବନ୍ଦ କରାଇଲେ ହାଟ ବାଟ ଘାଟପେଣ୍ଠ

ସମସ୍ତ ଲୋକ ହୋଇଲେ ଭୟରେ ଉଚ୍ଚାଟ ।

ଦାନବେ ଅନୀତି କଲେ ରାଜ୍ୟେ ରାଜ୍ୟେ ପଶି

ମଥୁରାରେ ଯଦୁବୀରେ ହୋଇଲେ ବିଧ୍ଵଂସି ।

କେହି କିଛି ତାଙ୍କୁ କହି ନ ପାରଇ ଡରେ

ପୃଥିବୀ କମ୍ପିଲା ଅସୁରଙ୍କ ପାଦଭରେ ।

ଯେ ଅବା ଯାଇ ରାଜରେ କରନ୍ତି ଗୁହାରି

ପ୍ରାଣେ ମାରନ୍ତି ତାହାର ବଂଶ ଆଦିକରି ।

ସ୍ଵର୍ଗ ମଞ୍ଚ ପାତାଳ ଯେ ସବୁ କଲେ ଜୟ

ମଥୁରା ଲୋକମାନଙ୍କୁ ତାଙ୍କର କି ଭୟ ।

ରାଜା ବୋଲିଣ ସେ ଅଛି ନ ବୋଲନ୍ତି କେହି

ଅନୁବ୍ରତେ ହିଂସାକର୍ମ କରେ ଦୁଷ୍ଟଦେହୀ ।

ନାନା ପାପକର୍ମ କରେ ଅଷ୍ଟମଲ୍ଲ ଘେନି

କ୍ଷଣେମାତ୍ର ଛାଡ଼ ନାହିଁ ତାଙ୍କୁ ଉଗ୍ରସେନି ।

ଛାୟାରମଣ ଚରଣେ ରହୁ ମୋର ସେବା

ଭକତି ଘେନି ଅଚ୍ୟୁତ ଦାସେ ମୁକ୍ତି ଦେବା ।

 

ହରିବଂଶ (ପ୍ରଥମ ଖଣ୍ଡ)

କଂସ ଓ ଅଷ୍ଟମଲ୍ଲର ପୂର୍ବଜନ୍ମ ବୃତ୍ତାନ୍ତ

ପରୀକ୍ଷ ଆଗରେ ଶୁକ ମୁନି ଯେ କହିଲେ

ଏହିରୂପେ ଅଷ୍ଟମଲ୍ଲ ମଥୁରା ଅଇଲେ ।

ପୂର୍ବ କାଳନେମି ଦୈତ୍ୟ ଏବେ କଂସହେଲା

ସେ ଜନ୍ମର ଅଷ୍ଟମଲ୍ଲ ଏ ଜନ୍ମେ ପାଇଲା ।

ଏକାତ୍ମା ସେ ଭିନ୍ନ ଭିନ୍ନ ନୁହନ୍ତି ନା କେହି

ଏକ କଥା କରନ୍ତି ସେ ଭିନ୍ନ ଭିନ୍ନ ଦେହୀ ।

ସକଳ ଯୁଗେ ଏମାନେ ଏକାତ୍ମା ଅଟନ୍ତି

ଏହା ଶୁଣି ପରୀକ୍ଷିତ ଶୁକେ ପଚାରନ୍ତି ।

ଭୋ ମୁନି ଏ କଥା ମୋତେ ସଂଶୟ ଲାଗିଲା

ପୂର୍ବଜନ୍ମେ କଂସ କାଳନେମି ହୋଇଥିଲା ।

କେଉଁ ପ୍ରକାରେ ଏମାନେ କାହିଁ କିସ କଲେ

ମନ୍ତ୍ର ଉଚ୍ଚାରିବା ମାତ୍ରେ କି ରୂପେ ଅଇଲେ ।

ନ ଜାଣି ନ ଶୁଣ ପୁଣି ହେଲେ ଏକମେଳ

ଅଚିହ୍ନା ଲୋକ ଅଟଇ କଂସ ମହୀପାଳ ।

ପୂର୍ବ ଜନ୍ମରେ ଏମାନେ ହୋଇଥିଲେ କିସ

ଏହା ସଂକ୍ଷେପି କହିବା ମୋତେ ବ୍ୟାସଶିଷ୍ୟ ।

ରାଜା ବଚନେ କହନ୍ତି ଶୁକ ମହାମୁନି

ସାବଧାନେ ଶୁଣ ନୃପ ଏ ଅମୃତବାଣୀ ।

ସ୍ଵାରୋଚିଷ ମନୁ ଏକସ୍ତରୀ ଯୁଗ ଅନ୍ତେ

ସ୍ଵାୟମ୍ଭୁବ ମନୁ ପୁଣି ଅଧିକାର ପାନ୍ତେ ।

ନବ ମେଖଳ ବ୍ରହ୍ମାକୁ ସହସ୍ରେ ବରଷ

ମଧୁ ମାସରେ ବତ୍ସର ଅନ୍ତେ ପାଞ୍ଚମାସ ।

ବ୍ରହ୍ମାଣ୍ଡ ପୁରାଣେ ଅଷ୍ଟ ଅଧ୍ୟାୟେ ପ୍ରକାଶ

ଦେବବ୍ୟାସ ମୁଖୁଁ ଶୁଣିଅଛୁ ଦିବ୍ୟରସ ।

ଏ ଦିବ୍ୟ ରୀତି ସନ୍ଦେଶ ଶୁଣ ମହୀପତି

ଆସ୍ଥାନ କରି ବସିଲା ସ୍ଵର୍ଗେ ସୁରପତି ।

ଅତି ସମାରୋହେ ତହିଁ ବସି ସୁରସାଇଁ

ସମସ୍ତ ଦେବତାମାନେ ବସିଛନ୍ତି ତହିଁ ।

ବ୍ରହ୍ମାଋଷି ରାଜଋଷି ଦେବର୍ଷି ସକଳ

ଚାରମ ଗନ୍ଧର୍ବଗଣ ଦଶଦିଗପାଳ ।

ଯମ ନଇର୍ଋତ ଆଦି ବରୁଣ କୁବେର

ପବନ ଆବର ଚନ୍ଦ୍ରସୂର୍ଯ୍ୟ ବୈଶ୍ୱନର ।

ତାର ବାର କରଣ ହିଁ ପନ୍ଦର ଯେ ତିଥି

ବୁଧ ଶୁକ୍ର ଶେନିଶ୍ଚର ଭୈରବ ପ୍ରଭୃତି ।

ବ୍ରହ୍ମା ବିଷ୍ଣୁ ବେତାଳ ଯେ ରୁଦ୍ରଗଣ ଘେନି

ସୁଧର୍ମା ସଭାରେ ବିଜେକଲେ ସସ୍ରଯୋନି ।

ଅମରେ ସିଂହାସନେ ସେ ବେହରଣେ ବସି

ଗନ୍ଧର୍ବୀଙ୍କୁ ଆଜ୍ଞାଦେଲେ ନୃତ୍ୟକର ଆସି ।

ଶୁଣିଣ ସେ ବିଦ୍ୟାଧାରୀ ବେଶଭୂଷା ହୋଇ

ଇନ୍ଦ୍ର ଦେବତା ଛାମୁରେ ପ୍ରବେଶିଲେ ଯାଇ ।

ଚଉଷଠି କୋଟି ସେ ଯେ ଅପୂର୍ବ ସୁନ୍ଦରୀ

ସମସ୍ତେ ଜାତି ପଦ୍ମନୀ ରତି ପଟାନ୍ତରୀ ।

ସ୍ଵର୍ଗନାୟିକା ସେମାନେ ମହାପୁଣ୍ୟ ଦେହୀ

ଜଣ ଜଣକେ ପାରନ୍ତି ହର ବ୍ରହ୍ମା ମୋହି ।

ଅଶୀକୋଟି ଗନ୍ଧର୍ବ ଯେ ସଦା ନବଯୁବା

କାମବେଦ ପଟାନ୍ତର କି ଅବା ମଘବା ।

ସମୁଦ୍ର ସନ୍ଥନ କାଳେ ହୋଇଛନ୍ତି ଜାତ

ଜନମ ମରଣ ବାଧା ନ ଲାଗେ ଏହାନ୍ତ ।

କୋଟିଏ ଇନ୍ଦ୍ର ଜାଣ ହେବେ ଯେବେ କ୍ଷୟେ

ମରଣ ବାଧା ତାଙ୍କର ନାହିଁ ଯେ ପ୍ରଳୟେ ।

ଅନେକ ଇନ୍ଦ୍ର ହୁଅନ୍ତି ସ୍ଵର୍ଗେ ଯେବେ ଲୀନ

ସବୁଦିନେ ରହିଥାନ୍ତି ଏ ଗନ୍ଧର୍ବୀଗଣ ।

ଯାହାକୁ ଦିଅନ୍ତି ଇନ୍ଦ୍ରପଦ ଦେବ ହରି

ବିଦ୍ୟାଧରୀ ଅପସରୀ ତାର ସେବା କରି ।

ସ୍ଵର୍ଗମଣ୍ଡଳରେ ସେହି କାରିଣୀ ଅଟନ୍ତି

ଯେ ହୁଏ ସ୍ଵର୍ଗରେ ଇନ୍ଦ୍ର ତାହାଙ୍କୁ ଖଟାନ୍ତି ।

ବିଷ୍ଣୁର କୋଠଲୋକ ସେ ଥାନ୍ତି ସ୍ଵର୍ଗପୁରୀ

ସେବା ସେ କରନ୍ତି ଆସି ହୋଇ ଅଧିକାରୀ ।

ସ୍ଵର୍ଗମଣ୍ଡଳେ ଅଟନ୍ତି ସଦା ଅଧିକାରୀ

ସେ ଗନ୍ଧର୍ବ ବିଦ୍ୟାଧରୀ ବେଶ ହୋଇକରି ।

ସୁରପତି ଛାମୁରେ ସେ ଉଭାହେଲେ ଯାଇ

ବିବିଧ ଯନ୍ତ୍ର ତାଙ୍କର କରେ ଶୋଭାପାଇ ।

ତାଳ କଂସାଳ ମୃଦଙ୍ଗ ବିପଞ୍ଚୀ ଯେ ବୀଣା

ତାନମାନରେ ସେ ଏକୁ ଏକ ଯନ୍ତ୍ର ଜିଣା ।

କୁଣ୍ଡଳି ଡମ୍ପ ଚାଙ୍ଗୁକା ଆଦି ବାଦ୍ୟ ଘେନି

ନୃତ୍ୟଗୀତରେ ଖଟନ୍ତି ସ୍ଵର୍ଗ ବିଳାସିନୀ ।

ଚିତ୍ରସେନ ଗନ୍ଧର୍ବ ଯେ ତାଳ ଧରି ଗାଇ

ବିଶ୍ଵାବସୁ ଗନ୍ଧର୍ବ ଯେ ମୃଦଙ୍ଗ ବଜାଇ ।

ନାରଦ ମୁନି ଯେ ବୀଣା ବଜାନ୍ତି ସୁରଙ୍ଗେ

ଶୁରସେନର କଂସାଳ ବାଜେ ଅତି ରଙ୍ଗେ ।

ସୁସ୍ଵର ଗନ୍ଧର୍ବ ତହିଁ କରେ ବେଣୁନାଦ

ଜୟସେନ ଗନ୍ଧର୍ବର ଅଳାବେଣୀ ଶବ୍ଦ ।

ବିଦ୍ୟାଧାରୀମାନଙ୍କୁ ସେ ସଙ୍ଗେତେ ଆବେରି

ଗାନ୍ଧାର ସ୍ଵର ଶବଦେ ଗୀତକୁ ଉଙ୍କାରି ।

ସୁସ୍ଵର ମଧୁର ଧ୍ଵନି ଅଳାବେଣୀ ସଙ୍ଗେ

ଚଞ୍ଚପୁଟ ଚାଞ୍ଚପୁଟ ଉଦ୍‌ଗୀତ ତରଙ୍ଗେ ।

ଚୌଷଠି ଚିହାଣ ବୟାଳିଶ ଅଙ୍ଗଝଳି

ବାଆସ୍ତରି ମୁଦ୍ରାମୂଳେ ଅଭ୍ୟସି ତା ବାଳୀ ।

ଛତିଶ କଳା ଗୁଣରେ ମୂର୍ତ୍ତି ପଞ୍ଚ ଧାତୁ

ଏକୋଇଶ ବଶ୍ୟମୂଳେ ବୟାଳିଶ ତତ୍ତ୍ଵ ।

ବାସ୍ତରି କାଛେଣି ତାଳ ବତିଶ ଯେ ବାଟ

ଚଉସ୍ତରି ବିଭ୍ରମ ଯେ ବାଆସ୍ତରି ନାଟ ।

ଏଥିର ବାହାରେ ଅଛି ଲକ୍ଷେ ଗ୍ରନ୍ଥବିଦ୍ୟା

ନବତ୍ରିଂଶ ଭର ହର ଅଶୀଖଣ୍ଡ ସିଦ୍ଧା ।

ଅତିଭରେ ଭରହରନ ଜାଣନ୍ତି କେହି

ଦିଗପାଳ ଦେବାତଏ ନ ପାରନ୍ତି ବହି ।

ଏକା ଈଶ୍ଵର ଜାଣନ୍ତି ତାଣ୍ଡବ ଯେ କରି

ବ୍ରହ୍ମା ମର୍ଦ୍ଦଳ ବଜାନ୍ତି ବିଷ୍ଣୁ ତାଳ ଧରି ।

ଅନ୍ୟଲୋକ ସମର୍ଥ ଯେ ନୁହନ୍ତି ଏଥିକି

ଏଥିରୁ ଥୋକାଏ ବିଦ୍ୟା ଗନ୍ଧେର୍ବେ ଯେ ଶିଖି ।

ଏଥି ଘେନି ଇନ୍ଦ୍ରଙ୍କୁ ସେ କରିଥାନ୍ତି ସେବା

ତେଣୁକରି ଦୟା ତାଙ୍କୁ କରନ୍ତି ମଘବା ।

ଗୀତ ବାଦ୍ୟ ନାଟ ସେହି ନାନା ପରିବନ୍ଧ

ଗନ୍ଧର୍ବେ ଧରି ଖଟନ୍ତି ନାନା ବିଦ୍ୟା ଛନ୍ଦ ।

ଯୁକତେ ସୁନ୍ଦରୀ ସେହି ସୁଧର୍ମା ଯେ ସଭା

ବୃଦ୍ଧା ନୁହନ୍ତି ସେମାନେ ସର୍ବେ ନବଯୁବା ।

ଯେ ସୁଧର୍ମା ସଭା ମଧ୍ୟେ ଉର୍ବଶୀର ନାଟ

ତାନମାନ ମୁଦ୍ରା ତହିଁ ହୋଇ ଏକଭେଟ ।

ଏହିପରି ନୃତ୍ୟମାନ ଦେଖି ସୁରପତି

ଆନନ୍ଦେ ଉଲ୍ଲାସ ହୋଏ ବାସବର ମତି ।

ସବୁ ଦେବତା ଆସ୍ଥାନେ ଅଛନ୍ତି ଯେ ବସି

ନୃତ୍ୟ ଦେଖିଣ ସମସ୍ତେ ହେଉଛନ୍ତି ଖୁସି ।

ଯଦି ରାଜଦଣ୍ଡ ପୁତ୍ରକଷ୍ଟ ହୋଇଥିବ

ସେ ସଭା ନୃତ୍ୟ ଦେଖିଲେ ସବୁ ପାସୋରିବ ।

ବୃଦ୍ଧ ଅବସ୍ଥାକୁ ପାଇଥିବ ଯାର ଅଙ୍ଗ

ସେ ନୃତ୍ୟ ଦେଖିଲେ ଭେଦେ ତନୁରେ ଅନଙ୍ଗ

ନୃତ୍ୟ ଦେଖୁଛନ୍ତି ବସି ସକଳ ଦେବତା

ପାସୋରିଲେ ନିତ୍ୟକର୍ମ ଯାହାର ଯେ କଥା ।

ଯେତେ ଦେବତା ଆସ୍ଥାନେ ବସିଛନ୍ତି ଯାଇ

ଉଠି ଆସିବାକୁ ମନ କାହାରି ଯେ ନାହିଁ ।

ନୟନ ନିଶ୍ଚଳ କରି ଦେଖନ୍ତି ସକଳେ

ପଶିବାକୁ ବାଟ ନାହିଁ ଥୋକେ ଛନ୍ତି ତଳେ ।

ପାବଚ୍ଛରେ ଉଠି କେହୁ ଦେଖେ ଚାଳ ଧରି

ଏକକୁ ଆରେକ ପେଲି ପଶେ ଆଗ କରି ।

ବ୍ରହ୍ମା ବିଷ୍ଣୁ ଆଦି କରି ଯେତେ ଛନ୍ତି ଜନ

ଦିଗପାଳମାନଙ୍କର ତହିଁ ଏକ ମନ ।

ଏସନ ନୃତ୍ୟ କରାନ୍ତେ ସଭାରେ ବାସବ

ଆସ୍ଥାନ ତଳେ ମିଳିଲେ ଯାଇ କାମଦେବ ।

କରେ ଧରି ପଞ୍ଚବାଣ କାମ ଫୁଲଧନୁ

ରସାଣିଲା ସୁନା ପ୍ରାୟ ବିରାଜଇ ତନୁ ।

ରୁପିଲା ମର୍କତ ପ୍ରାୟ କର୍ଣ୍ଣରେ କୁଣ୍ଡଳ

ନାନା ପୁଷ୍ପେ ଗଭା ସାଜେ ଶିରେ ଦିବ୍ୟଚୂଳ ।

ନବରତ୍ନ ହାର ଶୋହେ କଣ୍ଠେ କଣ୍ଠିମାଳ

ଏମନ୍ତ ଦିଶଇ କାମଦେବ ସେ ସୁଢ଼ଳ ।

ସରଳ ତୋଡ଼ର ହସ୍ତେ କଙ୍କଣ ଯେ ମୁଦି

ହେମଭାନୁ ଜ୍ୟୋତି ଯହ୍ନେ ଗଗନ ଆଚ୍ଛାଦି ।

ନିର୍ମଳ ଗଗନ ମଧ୍ୟେ ଯେହ୍ନେ ଦିନକର

କାମଦେବ ରୂପକୁ କି ଅଛି ପଟାନ୍ତର ।

ଯତନରେ ବିଶ୍ଵକର୍ମା ନିର୍ମାଣିଲା ବାଛି

ତାର ରୂପ ବର୍ଣ୍ଣିବାକୁ ସମର୍ଥ କେ ଅଛି ।

ବ୍ରହ୍ମା ଆଦି ଯେତେ ଛନ୍ତି ଉତ୍ତମ ପୁରୁଷ

ସର୍ବପରେ ସୁଲକ୍ଷଣ କାମ ଅଟେ ଈଶ ।

ଅଧର ତାର ବଧୁଲୀଫୁଲ ପ୍ରାୟ ଜ୍ୟୋତି

ସୁନ୍ଦର ମଣ୍ଡିଅଛି କି ଗଜମୁକ୍ତା ମୋତି ।

ସୁଲଳିତ ଭୁଜଦଣ୍ଡ କପୋଳ ସୁସଞ୍ଚ

ତିଳପୁଷ୍ପ ନାସା ନେତ୍ର କମଳ ବିଚକ ।

ମତ୍ତ ମାତ୍ତଙ୍ଗ ପରାୟ ଗମନ ବିଚିତ୍ର

ଅଶୋକ କୁସୁମପ୍ରାୟ ଦିଶେ କରପତ୍ର ।

ତୁଳନା ଦେବାକୁ ତାକୁ ନାହିଁ ତ୍ରିଭୁବନ

ଘଟନ କହି ନୋହିବ କାମର ସମାନ ।

ଅଖିଳଜନ ମରମଭେଦୀ କାମସଷ୍ଟି

ବିଶ୍ଵକର୍ମା କଲା ତାକୁ ଅତି ପରିପାଟୀ ।

ହସ୍ତୀହସ୍ତ ପ୍ରାୟ ତାର ବେନି ଭୁଜଦଣ୍ଡ

କି ସୁନ୍ଦର କଣ୍ଠି ଶିର ବଳିନ ଚାଖଣ୍ଡ ।

ଚମ୍ପାକଢ଼ୀ ପ୍ରାୟ ତାର ହସ୍ତର ଅଙ୍ଗୁଳି

ବ୍ରହ୍ମଜାତି ହୀରା ପ୍ରାୟ ନଖମାନ ଝଳି ।

ସଂକୀର୍ଣ୍ଣ ମଝା ତା ହର ଡମ୍ଵରୁକୁ ଜିଣି

ଅନେକ ଯତନେ ଧାତା ନିର୍ମାଣିଲା ଆଣି ।

କହନ୍ତେ ଯେ ନ ସରଇ କାମର ମହିମା

ଅତିଯତ୍ନେ ଗଢ଼ିଅଛି ଯାହା ବେଦବ୍ରହ୍ମା ।

ଯୁକତେ ସୁନ୍ଦର ପୁଣି ଦିବ୍ୟ ବେଶହୋଇ

ସୁଧର୍ମା ସଭା ମଧ୍ୟରେ ପ୍ରବେଶିଲା ଯାଇ ।

ପୁଷ୍ପଧନୁ କରେ ଧରି ଚଢ଼ାଇଛି ଗୁଣ

ବିରହ ଯନ୍ତ୍ର ଯେ ବେନି କନ୍ଧେ ଭିଡ଼ି ତ୍ରୋଣ ।

ପାବଚ୍ଛ ତଳେ ସେ ଯାଇ ହୋଇଲାକ ଉଭା

ତାରାଗଣ ମଧ୍ୟେ ଯେହ୍ନେ ଚନ୍ଦ୍ର ପାଏ ଶୋଭା ।

ଆସ୍ଥାନ ଉପରେ ଯେତେ ଦେବ ଥିଲେ ବସି

ନୃତ୍ୟରଙ୍ଗ ଦେଖି ସର୍ବେ ହେଉଛନ୍ତି ଖୁସି ।

ଲେଉଟି ଯେ ଚାହିଁବାକୁ କାର ଶକ୍ତି ନାହିଁ

ସର୍ବେ ସ୍ତମ୍ଭୀଭୂତ ହେଲେ ଉର୍ବଶୀକି ଚାହିଁ ।

ତିଳେ ସ୍ଥାନ ନାହିଁ ସର୍ବେ ହୋଇଛନ୍ତି ଉଭା

ଉଠିବାକୁ ବାଟ ନାହିଁ କାହୁଁ ଯିବେ ଅବା ।

ପାବଚ୍ଛ ତଳେ ଯେ ଥିଲେ ଗଲେ ପେଲି ଉଠି

ପଶି ନ ପାରିଲେ ଯହୁଁ ରହିଲେ ପାଲଟି ।

ତିନି ପ୍ରହର ଯେ ଆସି ହୋଇଲାକ ବେଳ

ଆଦିତ୍ୟର ତେଜ ଲାଗି ବହେ ଦେହୁଁ ଝାଳ ।

ରାଜେ ବାହୁଡ଼ି ଯିବାକୁ ନ ବଳଇ ମତି

କେହି ଆସିବାକୁ ମନ ନ କରନ୍ତି ତିଥି ।

କାମଦେବ ଆସି ବିଜେ ନ ଜାଣନ୍ତି କେହି

ଉର୍ବଶୀ ନୃତ୍ୟକୁ ସର୍ବେ ଛନ୍ତି ଦୃଷ୍ଟି ଦେଇ ।

ତ୍ରିପିଣ୍ଡ ହୋଇଣ ଝାଳ ଯାଉଅଛି ବହି

ଖରାତେଜେ ଅନ୍ତରାଳ ହୋଇ ତାର ଦେହୀ ।

ନିଜ ଅଞ୍ଚଳେ ତାହାରି ପୋଚ୍ଛେ ଶ୍ରମଝାଳ

ବେଳୁଁ ବେଳ ସୂର୍ଯ୍ୟତାପେ ହେଲା ଅନ୍ତରାଳ ।

ବେଳୁବେଳ ରତିପତି ଦେହେ ତାପ ପାଇ

ମହାରୋଷ ବହିଲା ସେ ଭାନୁକୁ ହିଁ ଚାହିଁ ।

କାମଦେବ ବୋଇଲା ହେ ଜାଣିବା କେମନ୍ତେ

ବସ ବୋଲି ଜଣେ କେହି ନ ବୋଇଲେ ମୋତେ ।

ଇନ୍ଦ୍ରଦେବତା ଅଟନ୍ତି ସ୍ଵର୍ଗର କାରେଣି

ତିନିପୁର ଲୋକ ପରେ ଅଟନ୍ତି ଅଗ୍ରଣୀ ।

ସବୁ ପ୍ରାଣୀଙ୍କର ସେହି ମୂଳ ବୀଜଦାତା

ଏତେ ଲାଜ ମୋତେ ଦେଲା ସେ ଇନ୍ଦ୍ର ଦେବତା ।

ଏମାନଙ୍କର ଅବା ମୁଁ କଲି କେଉଁ ଦୋଷ

ବରଣ କରି କିପାଇଁ କଲେ ମୋତେ ରୋଷ ।

ଏ ପରା ଅଟଇ ପୁଣି ଜଗତର ପିତା

ଦେବତାଙ୍କ ଉପରେ ଏ ଇଷ୍ଟ ଯେ ଦେବତା ।

ଅମର ଭୋଗ ଦିଅନ୍ତି ଦେବେ ଯାକୁ ତୋଷି

ସେ କିପାଁ ବସ ନ ବୋଲେ ଏ ସଭାରେ ବସି ।

ବ୍ରହ୍ମାଙ୍କ ସନ୍ନିଧ୍ୟେ ବସି ଅଛନ୍ତି ଈଶ୍ଵର

ପାର୍ବତୀଙ୍କ ପତି ଏ ଯେ ସ୍ଵୟଂ ନିରାକାର ।

ଅଷ୍ଟାଙ୍ଗ ଯୋଗରେ ସଦା ଲୟ ଯାର ମତି

ଇନ୍ଦ୍ର ଦେବତା ଅବଜ୍ଞା ନ କରେ ଯା ଉକ୍ତି ।

ଯାର ଆଜ୍ଞାକାରୀ ପୁଣି ସକଳ ଦେବତା

ସେ କିପାଇଁ ପଦେ ମୋତେ ନ କହିଲେ କଥା ।

ଏ ଆସ ବୋଲିବେ ମୋତେ ଅବା କାହିଁ

ଉର୍ବଶୀ ନୃତ୍ୟରେ ସର୍ବେ ହୋଇଛନ୍ତି ବାଇ ।

ଏହାଙ୍କ ପାରୁଶେ ଚନ୍ଦ୍ର ସୂର୍ଯ୍ୟ ଛନ୍ତି ବସି

ରାତ୍ରିଦିବା କରନ୍ତି ଏ ପୁରେ ପୁରେ ପଶି ।

ପରମବ୍ରହ୍ମ ଏ ପୁଣି ଠୁଳ ଶୂନ୍ୟରୂପୀ

ସଚରାଚର ପୃଥିବୀ ଦେହେ ଥାନ୍ତି ବ୍ୟାପୀ ।

ଅକ୍ଷୟ ଅଜରାମର ଅଟନ୍ତି ଜଗତେ

ସେ କିପାଇଁ ବସବୋଲି ବୋଲିବେଟି ମୋତେ ।

ଦଶ ଦିଗପାଳେ ଛନ୍ତି ଏହାଙ୍କର ସଙ୍ଗେ

ସକଳ ଦେବ କାରଣ ଥାଇ ଏହା ଅଙ୍ଗେ ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଏ ଘେନି

ବିଶ୍ଵକର୍ମା ସରଜନା କରେ ଚାରିଖାନି ।

ଏହାଙ୍କର ଭିଆଣ ତ ଏ ସୁଧର୍ମା ସଭା

ବସବୋଲି ବୋଲିବେ ସେ କିପାଁ ମୋତେ ଅବା ।

ଆବର ଦେବତାମାନେ ଛନ୍ତି ବିଜେକରି

ଏହାଙ୍କର ଗୁଣ କେତେ କହିବି ବିସ୍ତାରି ।

ସ୍ଵର୍ଗ ମଞ୍ଚ ପାତାଳରେ ଖ୍ୟାତ ୟାଙ୍କ କଥା

ଜଣ ଜଣକେ ଅଟନ୍ତି ଏହୁ ସାମରଥା ।

ଅମର ମଣ୍ଡଳେ ଥାଇ ସବୁ ପୁଣ୍ୟମୟ

ଜରା ମୃତ୍ୟୁ ନାହିଁ ଖାଇ ଅଛନ୍ତି ଅମିୟ ।

ମହାପ୍ରଳୟେ ୟାଙ୍କର ନାହିଁ କିଛି ଭୟେ

ଅରିଷ୍ଟ ପ୍ରଳୟ ୟାଙ୍କୁ ଯୁଗେ ଯୁଗେ ନୋହେ ।

ଏମାନେ ବସ ବୋଲିବେ ଅବା ମୋତେ କାହିଁ

ଉର୍ବଶୀ ମୋହି ଅଛଇ ସମସ୍ତଙ୍କ ଦେହୀ ।

ଯଦ୍ୟପି ଏଥୁ ଲେଉଟି ଯିବି ମୁହିଁ ଆଜ

ଜନମୁଖେ ହୋଇବ ଯେ ମୋତେ ବଡ଼ଲାଜ ।

ତିନି ପ୍ରହର ତ ଉଭାହେଲି ଏଥେ ଆସି

ବସ ବୋଲି ସଭା ମଧ୍ୟେ କେହି ତ ନ ଭାଷି ।

ଏତେ ବୋଲି କାମଦେବ କୋପଭର ହେଲେ

ଦକ୍ଷିଣ ମୁଖରେ ଚାହିଁ ବ୍ରହ୍ମାଙ୍କୁ କହିଲେ ।

ଏ ଦେବତାମାନେ ମନେ ହେଲେ ମତ୍ତଗର୍ବ

ଉର୍ବଶୀର ରୂପ ଚାହିଁ ମୋହିତ ଏ ସର୍ବ ।

ଯୁକତେ ବୁଦ୍ଧ ୟାଙ୍କର କାମେ ଶ୍ରଦ୍ଧା ନାହିଁ

କିପାଇଁ ମୋହେ ପଡ଼ିଲେ ଉର୍ବଶୀକି ଚାହିଁ ।

ମଦନର ମିଛମାୟା କାମ ଲୋଭ କୋପ

ଏ ପାଞ୍ଚ ଗୁଣୁ ବାହାର ଏହାଙ୍କର ରୂପ ।

ଏ କିପାଁ ଆସ୍ଥାନେ ମୋତେ ନ ବୋଇଲେ ବସ

ନିଶ୍ଚେ ଜାଣିଲି ବ୍ରହ୍ମାର ଅଟେ ବଡ଼ ଦୋଷ ।

ଏହି ମୋତେ ଗଉରବ ନ କଲେ ତ ଆଜ

ବୁଢ଼ାଦିନେ ଉର୍ବଶୀକି ଚାହେଁ ନାହିଁ ଲାଜ ।

ଏତେ ବୋଲିଣ ଉପ୍ରୋଧ ଛାଡ଼ି ରତିପତି

କରେ ପୁଷ୍ପଧନୁ ଶର ଧରି ଶୀଘ୍ର ଗତି ।

ଆକର୍ଷିଣ ପଞ୍ଚବାଣ ପୁରାଇଲା ଆଣି

ମନ୍ତ୍ର ପଢ଼ି ଉପରକୁ ବିନ୍ଧିଲାକ ଟାଣି ।

ବିଧାତା ଅଙ୍ଗେ ଭେଦିଲା ଯାଇ ପଞ୍ଚଶର

ତତକ୍ଷଣେ ଧାତା ହେଲେ କାମ ମତ୍ତଭର ।

ଛାଡ଼ିଲେକ ଧାତା ବ୍ରହ୍ମକର୍ମ ବିଦ୍ୟା ଲଜ୍ଜା

ମହାମନ୍ତ୍ର ସହିତରେ ସବୁ କଲେ ତେଜ୍ୟା ।

ସ୍ଵାହା ପ୍ରୋକ୍ଷଣୀ ଯେ ଦଣ୍ଡକମଣ୍ଡଳ ଛାଡ଼ି

କୃଷ୍ଣାଜିନ ଛାଲ ଧୋତି ପାତ୍ରିକୁଶବିଡ଼ି ।

ଆସ୍ଥାନ ଉପେକ୍ଷି ତହୁଁ ଉଠି ଦେବବର

କାମଭରେ ଅଙ୍ଗୁରେତ ଝରେ ଝର ଝର ।

ବଳେ କୋଳେ ଉର୍ବଶୀକି ଧଇଲେ ସେ ଯାଇ

କାମଭରେ ଦେବପତି ଅଙ୍ଗେ ଜ୍ଞାନ ନାହିଁ ।

ସଭା ଭାଙ୍ଗିଲା ସମସ୍ତେ ଲାଜେ ଗଲେ ଉଠି

ଦେବଗଣ ରୁଦ୍ରଗଣ କଲେ ତହିଁ ପିଠି

ଯେ ଯାହା ପୁରକୁ ଗଲେ କରି ଉପହାସ

ଚବିଶ ଯୂଣ ଉର୍ବଶୀ ବ୍ରହ୍ମା ସହବାସ  

ପୁତ୍ର ଏକ ତହୁଁ ଜାତ ହେଲା ମହାବଳୀ

ପୁତ୍ରକୁ ଦେଖିଣ ବ୍ରହ୍ମା ମନେ ମନେ ଭାଳି ।

ଜଗତରେ ପିତା ହୋଇ ସଭାରେ ୟା କଲି

ଜନମୁଖେ ଏଡ଼େ ବଡ଼ ଲଜ୍ଜାକୁ ପାଇଲି ।

ଈଶ୍ଵର ଦେବ ଥୋକାଏ ଦୂରେର ଥିଲେ ରହି

ଏ କଥା ଦେଖି ହସିଲେ କରତାଳି ଦେଇ ।

ଈଶ୍ଵର ବୋଇଲେ ବ୍ରହ୍ମା ତୁମ୍ଭଭଳି ଲୋକ

ଏଡ଼େ ବଡ଼ ସଭାମଧ୍ୟେ ହେଲେ ଅବିବେକ ।

ଦେବଗଣ ମଧ୍ୟେ ତୁମ୍ଭେ ବୋଲାଅ ଅଗ୍ରଣୀ

ଏଡ଼େକ ଅକର୍ମ କଲ ତୁମ୍ଭେ କୁଶପାଣି ।

ମୋହର ଯେ ଧର୍ମଅଙ୍ଗ ଅଟେ ଦେବୀ ଉମା

ତା ରମଣେ ଉପହାସ କର ମୋତେ ବ୍ରହ୍ମା ।

ଦେବସଭାରେ ଉର୍ବଶୀ ସଙ୍ଗେ କଲ ପ୍ରୀତି

ଏଡ଼େ ଅଲାଜୁକ ତୁମ୍ଭେ ହେଲ ବେଦପତି ।

ଏତେକ କହି ହସିଲେ ଟହ ଟହ ହୋଇ

ଅତି ଉଚ୍ଚରେ ଯେ ପୁଣି କରତାଳି ଦେଇ ।

ଅଦୃଷ୍ଟ ଅଶ୍ରୂତ ଏ ଯେ ଅସମ୍ଭବ କଥା

ଏଡ଼େ ଲୋକ ହୋଇ ଧର୍ମ ଲଙ୍ଘ ଚଉମଥା ।

ଲଜ୍ଜାଥିଲା ପ୍ରାଣୀକି ଯେ ବାଧେ ଉପହାସ

ଲଜ୍ଜା ଛାଡ଼ିଲେ ପ୍ରାଣୀର ଧର୍ମ ଯାଏ ନାଶ ।

ଧର୍ମ ନାଶ ଗଲେ ପ୍ରାଣୀ ଦରିଦ୍ର ହୁଅନ୍ତି

ଦରିଦ୍ର ହେଲେ ପୁରାଣ ଧର୍ମ ନ ଶୁଣନ୍ତି ।

ଆପେ ହେଲେ ପାପାଚାରୀ ନୋହି ପୁଣ୍ୟ ସଙ୍ଗ

ପୁଣ ପୁଣ ନର୍କେ ଯାଇ ପଡ଼େ ତାର ଅଙ୍ଗ ।

ସକଳ ଦେବଙ୍କ ପରେ ଇନ୍ଦ୍ର ମହାରାଜା

ଉପହାସ କଲେ ତୋର ଛାଡ଼ି ପାଦପୂଜା ।

ବିଧାତା ବୋଇଲେ ଆମ୍ଭେ କଲୁ ପାପ କର୍ମ

ଏ ବେଦ ସଭାରେ କଲୁ ଏଡ଼େକ ଅଧର୍ମ ।

ଜାତି କୁଳ ମହତ ହିଁ ବିଦ୍ୟାବନ୍ତ ଗୁଣ

ଏହାନ୍ତ ନାଶି ଛାଡ଼ିଲି ଏଡେ ବଡ଼ପଣ ।

ଏକା କାମଦେବ ସିନା କଲା ଏଡ଼େ କଥା

ଯୁଗେ ଯୁଗେ ରହିଲା ସେ ନୋହିଲା ଅନ୍ୟଥା ।

ଆମ୍ଭ ବଡ଼ପଣ ଗୋଟା ହରାଇଲୁ ଆମ୍ଭେ

ଆମ୍ଭଙ୍କୁ ବାଛିଲ ଗଉରବ ଲୋକ ତୁମ୍ଭେ ।

ଏଡ଼େ ମହିମା ମୋ ଭାଙ୍ଗି ଦେଲା କାମଦେବ

କି ଦୋଷେ ଦେଲା ଆମ୍ଭଙ୍କୁ ଏଡ଼େ ପରାଭବ ।

ଏହା କହି ପିତାମହ ଗଲେ ପାଇ ତାପ

ବୋଇଲେରେ କାମଦେବ ଘେନ ମୋର ଶାପ ।

ଅକାରଣେ ଆମ୍ଭଙ୍କୁ ରେ କଲୁ ଗରୁ କୋହ

ସହସ୍ର ଯୁଗ ପର୍ଯ୍ୟନ୍ତ ଅସୁର ତୁ ହୁଅ ।

ପୁଷ୍ପଧନୁ ତୃଣ ତୋର ପାଞ୍ଚଗୋଟି ବାଣ

ଏହା ଘେନି ଆମ୍ଭଙ୍କୁ ତୁ ଦେଲୁ ଏ କଷଣ ।

ବିମାନ କେତନ ପଞ୍ଚଶର ଆଦି କରି

ସମସ୍ତ ଘେନି ଜନମ ତୁ ଅସୁରପୁରୀ ।

ଏସନକ ଶାପ ଯହୁଁ ଦେଲେ ଦେବପତି

ସେହି ଶାପକୁ ଜାଣିଲେ ଧ୍ୟାନେ ଦେବି ରତି ।

କେଶବାସ ଅସମ୍ଭାଳେ ବାହାର ସେ ହୋଇ

ପିତାମହର ଛାମୁରେ ପ୍ରବେଶିଲେ ଯାଇ ।

ନିରନ୍ତର ନୟନରୁ ଗଳେ ଅଶ୍ରୁଜଳ

ପ୍ରଣମିତ ହେଲେ ପିତାମହ ପାଦତଳ ।

ଶୋକଭରେ କାନ୍ଦି ରତି କରୁଛନ୍ତି ସ୍ତୁତି

ନମସ୍ତେ ତୁ ପିତାମହ ଆଦ୍ୟ ଯୁଗପତି ।

ଅଲେଖ ଅଗାଧ ଧୂତି ଅଶ୍ରୁତି ଯା ଅଙ୍ଗ

ଜୟ ସୃଷ୍ଟି କରତା ତୁ ପରମାତ୍ମା ରଙ୍ଗ ।

ଦେବଙ୍କ ଉପରେ ତୁହି ଦେବ ଶିରୋମଣି

ଜୟ ତୁ ଦେବ ସଂସାର ଜନର କାରେଣି ।

ସକଳ ଦେବ ପୁରାଣେ ଶ୍ରୁତ ଯାର ଶ୍ରୁତି

ଜୟ ଜୟ ଦେବ ନାଥ ଆଦି ଯୁଗପତି ।

ଅଷ୍ଟାଙ୍କ ଯୋଗର ମୂଳେ ଚଉରାଶୀ ଜ୍ଞାନ

ଆଦିଅନ୍ତ ପୁରୁଷ ତୁ ପରଂବ୍ରହ୍ମେ ଲୀନ ।

ସତ୍ତ୍ଵ ରଜ ତମ ତିନି ଗୁଣେ ନାହୁଁ ମିଶି

ପଞ୍ଚଭୂତ ଆତ୍ମା ତୁହି ଅଟୁ ଶୂନ୍ୟବାସୀ ।

ଋକ ଯଦୁ ଅଥର୍ବ ଯେ ସାମବେଦ ଚାରି

ଏହାଙ୍କୁ ଘେନିଣ ତୁହିଁ ହେଲୁ ବେଦଧାରୀ ।

ଜନମ ମରଣ ବାଧା ନ ଲାଗେ ତୋ ଅଙ୍ଗେ

ପ୍ରାନ୍ତକାଳେ ନ ଥାଇ ଯେ କେହି କାହା ସଙ୍ଗେ ।

ତୋହର ମହିମା ଦେବ ତୁହି ଯେ ଜାଣନ୍ତା

ତୁହି ସିନା ଅଟୁ ଦେବ ସର୍ବଲୋକ ପିତା ।

ବେଦର ତୁ ଶାଖା ଅଟୁ ଦେବ ତୋର ଆତ୍ମା

ସଂସାର ଭିତରେ ତୋତେ ନାହିଁ ନା ଉପମା ।

ଜୟ ତୁହି ସୃଷ୍ଟି କର୍ତ୍ତା ଅନାଦି ମହାତ୍ମା

ସୃଷ୍ଟିର ମହିମା ତୁହି ଜାଣୁ ବିପ୍ରୋତ୍ତମା ।

ସପତଦ୍ଵୀପା ପୃଥିବୀ ଅଛୁ ତୁହି ବ୍ୟାପି

ତୋର ସଞ୍ଚିଲା ଜଗତଗୋଟା ଅଛୁ ଥାପି ।

ବେଦଶାସ୍ତ୍ର ଆଦିକରି ସର୍ବଧର୍ମ ସାଧି

ତ୍ରୈଲୋକ୍ୟ ମଧ୍ୟରେ ଦେବ ନାଗ ମନୁଷ୍ୟାଦି ।

ତୋର ମନ୍ତ୍ରରେ ପାଷାଣ ଜୀବ ହୋଇପାରି

ତେଣୁ ସକଳ ଦେବତା ସିନା ଦେହଧାରୀ ।

ପୃଥ୍ଵୀ ଆପ ତେଜ ବାୟୁ ଆକାଶ ସଞ୍ଚିଲୁ

ମନ୍ତ୍ର ଯନ୍ତ୍ର ତନ୍ତ୍ରବିଦ୍ୟା ହୃଦୁ ଜାତକଲୁ ।

ଅଜପା ଅଣୁଅକ୍ଷର ତୁ ତ ଅଷ୍ଟନିଧି

ତୁହି ଅଟୁ ସମସ୍ତଙ୍କ ପୂଜାମନ୍ତ୍ର ବିଧି ।

ଭୋ ତାତ ତୋହର ଯେଉଁ ମନ୍ତ୍ରେପୂଜା ହୋଇ

ସେହି ମନ୍ତ୍ର ନ ଜାଣନ୍ତି ଦିଗପାଳ କେହି ।

ତେଣୁକରି ତୁମ୍ଭଙ୍କୁ ଯେ କେହି ନ ପୂଜନ୍ତି

ଅପୂଜା ବ୍ରହ୍ମା ତୁମ୍ଭଙ୍କୁ ଜଗତେ ବୋଲନ୍ତି ।

କାହୁ ସେ ପୂଜିବେ ତୁମ୍ଭେ ନୁହଁ ଦେହଧାରୀ

ତୁମ୍ଭେ ସକଳ ଜୀବର ଅଟ ଅଧିକାରୀ ।

କଳପାଣାରୁ ସଂସାର କର ଉତପତ୍ତି

ତୁମ୍ଭର ସଞ୍ଚିତ ଦେବେ ହୋଇଛନ୍ତି ସ୍ଥିତି ।

ଅଜ୍ଞାନୀଜନ ତୁମ୍ଭଙ୍କୁ ନ ଜାଣନ୍ତି କେବେ

ଅପୂଜା ବ୍ରହ୍ମା ବୋଲିଣ ବୋଲନ୍ତି ଏ ଭବେ ।

କେ ତୁମ୍ଭଙ୍କୁ କିସ ଘେନି ପୂଜିବ ବା କାହିଁ

ସୃଷ୍ଟି ପୂଜା ଭିଆଇଲ ତୁମ୍ଭ ପୂଜା ନାହିଁ ।

ଚାରିଖାନି ଚଉରାଶୀ ଜୀବ କଲ ଜନ୍ମ

ତୁମ୍ଭଙ୍କୁ ପୂଜିବାକୁ କେ ନୋହିଲେ ଭାଜନ ।

ଅପାର ମହିମା କେହୁ ପାରେ ଅନ୍ତକରି

ତୁମ୍ଭେ ଏ ସକଳ ଘଟେ ଅଛ ସିନା ପୂରି ।

ଅଦେହ ଅଣାକାର ତୁ ଅବର୍ଣ୍ଣ ତୋ ମୂର୍ତ୍ତି ।

ତୁମ୍ଭେ ସଞ୍ଚିଲ ତୁମ୍ଭଙ୍କୁ କେହି ନ ଜାଣନ୍ତି ।

ତୁମ୍ଭର ମହିମା କହିବାକୁ ଶକ୍ୟ ନାହିଁ

ମୁଁ କିସ କହିବି ଅବା ସ୍ତିରୀଦେହ ବହି ।

ମାୟା ମୋହ ସଂସାର ଏ ଅନିତ୍ୟ ସର୍ବଥା

ଏହା ମନେ ବିଚାରି ମୁଁ ପାଉଅଛି ବ୍ୟଥା ।

ଦିବ୍ୟ ହେତୁ ପାସୋରିଲେ କର୍ମ ଜଡ଼ ଲାଗି

ପୂର୍ବ ହେତୁ ଆଉ ମୁହିଁ ନ ପାରିଲି ଜାଗି ।

ଅପାର ଭୟ ଭୋ ସ୍ଵାମି ଲାଗିଲାକ ମୋତେ

ମୁକତି ମାର୍ଗକୁ ମୋତେ ଦେବ ଦେବନାଥେ ।

ତୁମ୍ଭ ପଦ୍ମପାଦେ ପ୍ରଭୁ କହୁଛି ପ୍ରଣମି

ନନମଭୂମି ପ୍ରାପତ ନ କରି ଭୋ ସ୍ଵାମୀ ।

ଅଚ୍ୟୁତଦାସ ଭକତି କରେ ଚତୁର୍ମୁଖେ

ଏ ଭବସାଗରୁ ସ୍ଵାମୀ ପାରି କର ମୋତେ ।

ଏସନକ ସ୍ତୁତି ଯହୁଁ କଲେ ଦେବୀ ରତି

ପ୍ରସନ୍ନେ ତାହାକୁ ଆଜ୍ଞାଦେଲେ ଦେବପତି ।

ବରମାଗ ମାଗୋ ଦେବି ଯେ ତୋହର ଇଚ୍ଛା

ସତ୍ୟ କଲି ପୁରାଇବି ତୋର ମନବାଞ୍ଚ୍ଥା ।

ସୁଲକ୍ଷଣୀ ପୁତ୍ରବତୀ ହୁଅ ପତି ଭକ୍ତା

ସଉଭାଗ୍ୟବତୀ ହୋଇ ଥାଅ ତୁ ସର୍ବଥା ।

ପ୍ରସନ୍ନ ହୋଇ ତୋତେ ଗୋ ହେଲୁ ଅବଧାନ

ଯାହା ଇଚ୍ଛା ତାହା ମାଗ ଯେମନ୍ତ ବିଧାନ ।

ଏହା ଶୁଣି ରତିଦେବୀ ସନ୍ତୋଷ ହୋଇଲେ

ଭୋ ପିତା ଏ ଚାରି କଥା କହିଲ ବୋଇଲେ ।

ପତିବ୍ରତା ହୁଅ ବୋଲି ମୋତେ ଆଜ୍ଞା ଦେଲ ।

କେମନ୍ତେ ଦେବ ମୋହର ପତି ନାଶ କଲ

କନ୍ଦର୍ପ ବିନୁ ଆନେ ନ ବଳେ ମୋର ମତି

କେମନ୍ତେ ପତିବ୍ରତା ମୁଁ ହେବି ମହାସତୀ ।

ଏଡ଼େ ବଡ଼ ବର ମୋର ହେଲା ଅକାରଣ

ତୁମ୍ଭଙ୍କୁ କି ବୋଲିବି ମୋ ପୂର୍ବରୁ କଷଣ ।

ତୁମ୍ଭର ପରା ପିତା ମୁଁ ପାଇଲଇଁ ଅବା

ଜାତକର ଲକ୍ଷଣରେ ହୋଇଲି ବିଧବା ।

ବ୍ରହ୍ମାପରି ପିତା ଯାର ସାବିତ୍ରୀ ଯା ମାତା

କୁଳ କଳଙ୍କିନୀ ହେଲି କି ପରିବି ପିତା ।

ନିଶ୍ଚେଁ ଯେବେ ଅନୁଗ୍ରହ କଲ ଦେବବର

କାମକୁ ଦେଇ କରିବା ମୋତେ ପ୍ରତିକାର ।

ବ୍ରହ୍ମା ବୋଇଲେଗୋ ଆମ୍ଭେ ଦେଲୁ ତାକୁ ଶାପ

କେବେ ଅନ୍ୟନଥା ନୋହିବ ନ କର ବିଳାପ ।

ଯାବତ ଚନ୍ଦ୍ର ସୂର୍ଯ୍ୟ ଗୋ ପଶ୍ଚିମେ ଉଦୟେ

ସମୁଦ୍ର ଯେ ଶୁଖିଯାଇ ହେବ ଅଗ୍ନିମୟେ ।

ସ୍ଵର୍ଗପାତାଳ ଯେବେ ଗୋ ହେବ ଏକସ୍ଥାନ

ତଥାପି ଆନ ନୋହିବ ମୋହର ବଚନ ।

ଏହା ଶୁଣି ରତିଦେବୀ ହୋଇଲେ ବିନୟୀ

ଭୋ ପିତା ଅସାର ହେଲି ଦୁହିତା ମୁଁ ହୋଇ

ଲୋକେ ଅପଖ୍ୟାତି ଜନମୁଖରେ ଦୁଷଣ

ଆହେ ଦେବବର ଲାଜ ପାଇବ ଆପଣ ।

ନିର୍ମଳ ଯେ ନିର୍ବିକଳ୍ପ ଅଟେ ଯାର ଅଙ୍ଗ

ସର୍ବଭୂତ ଆତ୍ମା ତୁ ଯେ ପରମ ତୋ ସଙ୍ଗ ।

ତୁମ୍ଭେ କୋପ କଲେ ଆନ କେ ପାରଇ ରଖି

ବିହନ୍ତା ପୁରୁଷ ତୁମ୍ଭେ ଯମ ଧର୍ମ ସାକ୍ଷୀ ।

ତୁମ୍ଭ କଲା କର୍ମ ଆନ କେ କରି ପାରିବ

ଜୀବ ଆତ୍ମା ଜ୍ୟୋତି ପରମାତ୍ମା ସଙ୍ଗେ ଭାବ ।

ଅନେକ ବିନୟେ ଯହୁଁ କହିଲେକ ରତି

ସାନନ୍ଦେ ପ୍ରସନ୍ନ ହେଲେ ଶୁଣି ବେଦପତି ।

କାମଦେବ ଶରୀରକୁ ବେନିଭାଗ କଲେ

ଅଙ୍ଗୁ ଜାତକରି ନାମ ଅନଙ୍ଗ ଯେ ଦେଲେ ।

ଏକ ଦେହ ଧାତିକାରେ କଲେ ବେନିକାୟା

ମୃତସଞ୍ଜୀବନୀ ମନ୍ତ୍ରେ କୀଆଇଲେ ତାହା ।

ଅନା ଅଙ୍ଗ ରତି ଆଣି ରତିଆଗେ ଦେଲେ

ଦେଖି ତାକୁ ରତିଦେବୀ ଆନନ୍ଦ ହୋଇଲେ ।

ଅଙ୍ଗର ଭିତରୁ ଯହୁଁ କାଢ଼ିଲେ ଅନଙ୍ଗ

ଅନଙ୍ଗ ତା ନାମ ଦେଲେ ନ ଥିବାରୁ ଅଙ୍ଗ ।

ତେଣୁ ସେ ଅନଙ୍ଗ ନାମ ଜଗତେ ବିଖ୍ୟାତ

ଅନଙ୍ଗ ନିର୍ମାଣ ଯହୁଁ କଲେ ଉଚମାଥ ।

ଦୋଷ ଅନୁରୂପେ ସେ ଯେ ଶାପ ଦେଇଥିଲେ

ଦୁହିତା ବିକଳ ଦେଖି ପ୍ରସନ୍ନ ହୋଇଲେ ।

ବେନି କୁଳକୁ ସଙ୍କଟ ଗୋଟା ପଡ଼ିଥିଲା

ଏକ ଅଙ୍ଗୁ ବେନିରୂପ ପୁନରପି ହେଲା ।

ଆବର ଗଢ଼ିଲେ ଅର୍ଦ୍ଧଅଙ୍ଗ ବେଦବର

ଶାପ ଅନୁକ୍ରମେ ତାକୁ କଲେକ ଅସୁର ।

ପ୍ରଥମେ ଯେ କାମରୂପ ଦଗ୍‌ଧ ହୋଇଥିଲା

ଦ୍ଵିତୀୟ ଜନମେ କାଳନେମି ସେ ହୋଇଲା ।

ଏକ କରେ ଧନୁ ଏକ କରେ ପଞ୍ଚସର

ଏବେ କଂସାସୁର ନାମେ ହୋଇଲା ଅସୁର ।

କାମର ପୁଷ୍ପଧନୁ ସେ ବାମେଣ ବହିଲା

ବସନ୍ତ ନାମେ ଯେ ତାର ସଖା ହୋଇଥିଲା ।

ପୂର୍ବେ କାମଦେବର ଯେ ଥିଲେ ପଞ୍ଚସର

କାମଦେବର ଶରୀରୁ ହେଲେ ଅବତାର ।

ଧାତର ଶାପେ ଏମାନେ ହୋଇଲେ ଅସୁର

କୃଣାବର୍ତ୍ତ ବୀର ନାମ ହୋଇଲା ତାଙ୍କର ।

ପୂର୍ବେ ସେ କାମଦେବର ଥିଲା ଯେଉଁ ରଥ

ଶକଟାସୁର ରୂପେ ସେ ହୋଇଲା ସମ୍ଭୁତ ।

ସେହି ରଥବରେ ଥିଲେ ଯେଉଁ ଅଶ୍ଵ ଚାରି

ସେମାନେ ଅସୁର ଦେହ ଧରି ଅବତରି ।

ଚାଣୁର ମୁଷ୍ଟିକ ବ୍ୟୋମା ବତ୍ସା ଚାରି ନାମ

ମହାବଳୀ ଅସୁର ଏ ପ୍ରତ୍ୟକ୍ଷରେ ଯମ ।

ତେଣୁ ସେ ଅସୁର ଯୋଧୀ ମହାତେଜୋମୟ

କୋଟି କୋଟି ଇନ୍ଦ୍ରଙ୍କୁ ସେ ନ କରନ୍ତି ଭୟ ।

ଏ ଯେ ସେହି କାମଦେବଅଂଶୀ କଂସ ବୀର

ପୂର୍ବେ ଥିଲା କାଳନେମି ନାମରେ ଅସୁର ।

ସବୁ ଦିନେ କାଳନେମି ଏହାଙ୍କର ସଖା

ଅଭେଦ ସଖା ଅଟନ୍ତି ଏହି ରଣରଙ୍କା ।

ରଥୀ ଯେ ସାରଥି ଧନୁ ସଖା ପଞ୍ଚବାଣ

କାମଦେବର ଶରାରୁ ଏମାନେ ନିର୍ମାଣ ।

ଶକଟା ଯେ ତୃଣ ବତ୍ସା ବକାସୁର ମେଳେ

ଅଘାଧେନୁକା ଯେ ବ୍ୟୋମକେଶି ଦୈତ୍ୟମୁଳେ ।

ଏ ଯେ ଅଷ୍ଟମଲ୍ଲ ଜାଣ ଅଟନ୍ତି ଯୁକତେ

ଚାଣୂର ମୁଷ୍ଟିକ ଆଦି ପୂତନା ସହିତେ ।

କୁବଳୟା ଗଜ ଆଦି ଆବର ଯେ ମଲ୍ଲ

ଧାତାର ଶାପେ ହୋଇଲା ଏ ଅସୁର ପଲ ।

ଶୁକମୁନି କହନ୍ତି ଯେ ପରୀକ୍ଷ ଅଗ୍ରତେ

ଅସୁରଙ୍କ ପୂର୍ବଜନ୍ମ କହିଲି ମୁଁ ତୋତେ ।

ଜୟ ଜୟ ଜଗନ୍ନାଥ ଜଗତର କରତା

ଚତୁର୍ଦ୍ଧାମୁରତି ତୁ ଯେ ଚଉବର୍ଗଦାତା ।

ନୀଳଗିରି ଜଗନ୍ନାଥ ଚରଣେ ଶରଣ

କବି ଅଚ୍ୟୁତର ଭବଭୟ ନିବାରଣ ।

 

ରକ୍ଷ ଭକ୍ଷ ଯୁଦ୍ଧ

ଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜା

ଶୁକମୁନିର ଚରଣେ କଲେ ଦିବ୍ୟପୂଜା ।

ଭୋ ମୁନି କହିବା ଏଥୁଅନ୍ତେ ଯେଉଁ କଥା

ତବମୁଖୁ ଶୁଣି ତୁଟିଯିବ ଭବବ୍ୟଥା ।

ଭୋ ମୁନି ଧାତାର ବୀର୍ଯ୍ୟେ ରହିଲା ଯେ ଗର୍ଭ

କେମନ୍ତେ ହେଲା ତା କହ ହେ ମୁନିପୁଙ୍ଗବ ।

ସେ ପୁତ୍ର ଗୋଟି କେମନ୍ତେ କଲା ପୁରୁଷାର୍ଥ

ସେ କଥା ବିଶେଷି ମୋତେ କହ ତପୋବନ୍ତ ।

ଇଦଂ ରାଜା ପ୍ରତିବାକ୍ୟ କହନ୍ତି ସେ ଯତି

ସାବଧାନେ ଶୁଣ ତୁ ହୋ ଅର୍ଜ୍ଜୁନର ନାତି ।

ଧାତାର ବୀର୍ଯ୍ୟେ ଯେବଣ ପୁତ୍ର ଅତି ଦକ୍ଷ

ପ୍ରଚଣ୍ଡ ମହାବଳୀ ସେ ନାମ ତାର ରକ୍ଷ ।

ଯେତେବେଳେ ଜାତ ହୋଇ ପଡ଼େ ମହୀତଳ

ରୋଦନ୍ତେ ସେ ମଞ୍ଚପୁରେ କମ୍ପେ ଆଖଣ୍ଡଳ ।

ସେ ପୁତ୍ରଗୋଟି ଧଇଲେ ଧାତା ଶ୍ରଦ୍ଧେକୋଳେ

ଆକର୍ଷି ଧରନ୍ତେ ପଡ଼ିଗଲେ ମହୀତଳେ ।

 

ସେ ପୁତ୍ର ବୋଇଲା ତୁ ହୋ ଶୁଣିମା ପିଅର

କ୍ଷୁଧା ଲାଗୁଅଛି ମୋତେ ଦିଅ ତୁ ଆହାର ।

ଯଦ୍ୟପି ଆହାର ପିତା ନ ଦେବୁ ତୁ ମୋତେ

ନ ଦେଲେ ତୁ ଏହିକ୍ଷଣି ଗିଳିବି ମୁଁ ତୋତେ ।

ଏତେ ବୋଲି ଆକର୍ଷିଣ ଧରେ ପିତାମୁଣ୍ଡ

ବେକଧରି ମୋଡ଼ି ବସେ ଦୁର୍ଦ୍ଦଷ ପ୍ରଚଣ୍ଡ ।

ଦେଖିଣ ପାଇଲେ ପିତାମହ ମହାଭୟ

ବୋଇଲେ କେମନ୍ତେ ଆଜି ରଖିବି ମୋ କାୟ ।

କ୍ଷଣିକ ସୁଖକୁ ଆମ୍ଭେ ଅର୍ଜ୍ଜି ଏଡ଼େ ବୃଥା

ଆପଣା ଦେହକୁ ଆମ୍ଭେ କରାଇଲୁ ବ୍ୟଥା ।

ଦାନବର ମହାକୋପ ଦେବଗଣ ଦେଖି

ଯେ ଯାହାରେ ପଳାଇଲେ ଭୁବନ ଉପେକ୍ଷି ।

ବାରସ୍ଵତି ଭୁବନକୁ ଛାଡ଼ି ସୁରପତି

ଅନ୍ତରୀକ୍ଷେ ଲୁଚିଲା ସେ କରି ମହାଭୀତି ।

ଗୃହ ଛାଡ଼ି ଶୂନ୍ୟମାର୍ଗେ ପଳାଇ ଗନ୍ଧେର୍ବେ

ବୃଷଭ ଆରୋହୀ ଏକା ଛନ୍ତି ମହାଦେବେ ।

ବିଧାତା ବୋଇଲେ ଆରେ ଶୁଣ ପୁତ୍ର ଗୋଟି

ଈଶ୍ଵରଙ୍କୁ ଭକ୍ଷିଣ ତୁ ଆତ୍ମା କରି ତୁଷ୍ଟି ।

ଧାତାଙ୍କୁ ଈଶ୍ଵର ଉପହାସ କରୁଥିଲେ

ତେଣୁ କୋପେ ଈଶ୍ଵରଙ୍କୁ ଦାତା ଦେଖାଇଲେ ।

ଧାତାର ବଚନେ ପୁତ୍ର ଉଠେ ଗଳଗାଜି

ମନ୍ଦର ପର୍ବତ କିବା ପଡୁଅଛି ଭାଜି ।

ଈଶ୍ଵରଙ୍କ ଛାମୁରେ ସେ ପ୍ରବେଶିଲା ଯାଇ

ଧରୁ  ଧରୁ ପଳାଇଲେ ପାର୍ବତୀଙ୍କ ସାଇଁ ।

ବୃଷଭ ଚଢ଼ି ପଳାଇଯାନ୍ତି ପଶୁପତି

କଟାଳି ଗୋଡ଼ାଇ ରକ୍ଷ ଲାଗେ ପଛ କତି ।

ସ୍ଵର୍ଗ ମଞ୍ଚ ପାତାଳ ଯେ ତିନିପୁରେ ପଶି

ଦୈତ୍ୟର ଭୟେ ପଳାଇଯାନ୍ତି କାଶୀବାସୀ ।

ପଛରେ ଦାନବ କୋପେ ଅଛଇ ଗୋଡ଼ାଇ

ଧରନ୍ତେ ସ୍ଵାମୀ ଛଡ଼ାଇ ଯାଆନ୍ତି ପଳାଇ ।

ଗୁପତେଣ ସଦାଶିବ ଲୁଚି ଯହିଁ ତହିଁ

ନିଃଶ୍ୱାସକେ ବେଗେ ଧାଇଁ ଯାଇ ସେ ଭେଟଇ ।

ଏମନ୍ତେ ଈଶ୍ଵର ବହୁଦୂର ପଳାଇଲେ

ପାତାଳେ ବୈକୁଣ୍ଠପୁରେ ବିଷ୍ଣୁଙ୍କୁ ଭେଟିଲେ ।

ବିକଳେ ସେ ସଦାଶିବ ଉଚ୍ଚେ ଡାକଦେଲେ

ନାରାୟଣ ମୋତେ ତ୍ରାହି କରସି ବୋଇଲେ ।

ବିଷ୍ଣୁ କହିଲେ କାହାକୁ ଭୟ ତୋର ଶିବ

ରୁଦ୍ର ବୋଇଲେ ଗୋଡ଼ାଇ ଅଛଇ ଦାନବ ।

ଶରଣ ପଶିଲି ମୋତେ ରଖ ବନମାଳି

ଶୁଣି ନାରାୟଣ ଭୁଜଗୋଟି ଦେଲେ ତୋଳି ।

ରଖିଲି ରଖିଲି ଶିବ ନ କର ତୁ ଭୟ ।

ବଢ଼ାଇ ଦେଲେ ଅସୁର ଯାଏ ବାହୁ ଦ୍ଵୟ ।

ଅସୁରକୁ ଧଇଲେ ସେ ନ ପାରିଲା ଚଳି

ବିଶ୍ରାମ କଲେ ନିର୍ଭୟେ ସେ ଚନ୍ଦ୍ର ମଉଳି ।

ନ ଚଳି ପାରି ଅସୁର କୋପେ ଗୁରୁତର

ନଖ ବଢ଼ାଇ ଚିରିଲା ଶ୍ରୀବିଷ୍ଣୁର ଉର ।

ବିଷ୍ଣୁ ହୃଦୁ ବାହାରିଲା ଯେବଣ ରୁଧିର

କମଣ୍ଡଳୁ ଦେଖାଇଲେ ରୁଦ୍ର ଧାତିକାର ।

ଆପଣା ଅଙ୍ଗୁ ବିଭୂତି ତକ୍ଷଣେ କାଢ଼ିଲେ

ଅତି ଯତନରେ ମେଦି ପିତୁଳା ଗଢ଼ିଲେ ।

ମୃତସଞ୍ଜୀବନୀ ମନ୍ତ୍ର ପଢ଼ି ଦେବରାଜ

ଜୀବଦାନ ଦେଲେ ତାର ଉଗୁଳିଲା ତେଜ ।

ମହାବଳବନ୍ତ ପୁତ୍ର ହୋଇଲାକ ସେହି

ବ୍ରହ୍ମପୁତ୍ରହୁଁ ଉଗୁଳି ତେଜ ଅଛି ବହି ।

ଶ୍ରୀହରିର ମୁଖ ଚାହିଁ ମାଗିଲା ଆହାର

ଶ୍ରୀହରି ବୋଇଲେ ଭକ୍ଷ ରକ୍ଷ ଭକ୍ଷକର ।

ଚଳିଲା ସେ ଭକ୍ଷ ନାରାୟଣ ଆଜ୍ଞାପାଇ

ରକ୍ଷ ରାକ୍ଷସ ପାଶରେ ମିଳିଲାକ ଯାଇ ।

ରେରେକାର କରି ବାଟ ଓଗାଳିଲା ଆଗେ

ତାକୁ ଦେଖି ରକ୍ଷବୀର ଧାଇଁଲାକ ବେଗେ ।

ବେନି ମହାବୀର ତହିଁ ହୋଇଲେକ ଭେଟ

ଅଇରାବତ ଯେସନେ ମେରୁର ନିକଟ ।

ଆକଷିଁ ଧରନ୍ତେ ଭକ୍ଷ ପେଲି ପକାଇଲା

ଦଶସସ୍ର ଯୋଜନେ ଯେ ରକ୍ଷ ପଡ଼ିଲା ।

ପୁଷ୍ପମୁଣ୍ଡା ପ୍ରାୟ ସେହି ତଳେ ନ ପଡ଼ିଲା

ଚୂର୍ଣ୍ଣ ନ ହୋଇ ଆକାଶମାର୍ଗେ ଉଡ଼ିଗଲା ।

ପୁଣି ସେ ବେନି ପର୍ବତ ଘେନି ବେନି ହସ୍ତେ

ବୁଲାଇ କୋପେ ପିଟିଲା ରକ୍ଷବୀର ଗାତ୍ରେ ।

ଦେଖିଣ ସେ ରକ୍ଷବୀର ପାତିଲାକ ମୁଣ୍ଡ

ପର୍ବତ ପଡ଼ି ତା ମୁଣ୍ଡେ ହେଲା ଖଣ୍ଡ ଖଣ୍ଡ ।

ପୁଣି ସେ ବେନି ପର୍ବତ ମାଇଲା ଯେ ଆଣି

ପର୍ବତ ଆସନ୍ତେ ଭକ୍ଷ ପାତି ଶିର ପୁଣି ।

ନର୍ଘାତ ଶବଦ କରି ପଡ଼ି ହୃଦଭାଗେ

ଧୂଳି ହୋଇ ଉଠିଗଲା ଦେଖୁ ଚଉଦିଗେ ।

ମହାବଳବନ୍ତ ଦୁଇ ବୀର ରକ୍ଷ ଭକ୍ଷ

ଏକକୁ ଆରେକ କେହି ନୁହନ୍ତି ନିରେଖ ।

ମହାବଳୀ ଅସୁର ସେ କରି ନାନା ମାୟା

ମେରୁ ମନ୍ଦର ପରାୟ ଦିଶେ ତାଙ୍କ କାୟା ।

ଆକାଶରେ ଲାଗେ ଯାଇ ତାଙ୍କ ଶିର ବେନି

ଦେଖି ଡରେ ଦେବଗଣ ଯାନ୍ତି ପ୍ରାଣ ଘେନି ।

ରେରେକାର ଶବଦ ଯେ ଛାଡ଼ି ଘୋର ଧ୍ଵନି

ପାଦଭରେ କମ୍ପମାନ ହୁଅଇ ମେଦିନୀ ।

ବିନ୍ଧାଣ ଗତି କରିଣ ମାଲବିନ୍ଧା ସନ୍ଧି

ଭୁଜେ ଭୁଜେ ଛନ୍ଦି ପାଦେ ପାଦ ଦେଇ ବାନ୍ଧି ।

ମୁଣ୍ଡକୁ ମୁଣ୍ଡ ହୁଅନ୍ତି କୋପେ କୋଡ଼ାକୋଡ଼ି

ବିଧାଘାତରେ ପର୍ବତ ଶୃଙ୍ଗ ପଡ଼େ ଝଡ଼ି ।

ଗଡ଼ାଗଡ଼ି ପଡ଼ାପଡ଼ି ମାରି ବଜ୍ରମୁଷ୍ଟି

ପାଦଭରେ କମ୍ପମାନ ହୁଏ ନବସୃଷ୍ଟି ।

ପଡ଼ନ୍ତି ଉଠନ୍ତି ବେଗେ ବସନ୍ତି ସେ ମାଡ଼ି

ଦିଅନ୍ତି ସେ ମହାକୋପେ ଭୟଙ୍କର ରଡ଼ି ।

ରୁଧିରରେ ବିଲେପନ ଦୁହିଁଙ୍କର ଅଙ୍ଗ

କ୍ଷଣହେଁ ସେ ନ ଛାଡ଼ନ୍ତି ବେନି ରଣରଙ୍ଗ ।

ଗଡ଼ାଗଡ଼ି ଘାତେ ବେନି ବୀର ଦେହ ଲାଗି

ଶିଳାମାନ ଚୂର୍ଣ୍ଣ ହୁଏ ଗିରି ପଡ଼େ ଭାଙ୍ଗି ।

କ୍ଷଣକେ ବସନ୍ତି କ୍ଷଣେ ଲୋଟନ୍ତି ଧରଣୀ

କେହି ଯେ କାହାକୁ ଯୁଦ୍ଧେ ନ ପାରନ୍ତି ଜିଣି ।

ସକଳ ଦେବତା ସ୍ଵର୍ଗ ଭୁବନରେ ଥାଇ

ଏକ ଦୃଷ୍ଟିରେ ଦୁହିଁଙ୍କି ଅଛନ୍ତି ଅନାଇଁ ।

ବ୍ରହ୍ମା ବିଷ୍ଣୁ ରୁଦ୍ର ଅଙ୍ଗୁ ଜାତ ବେନି ଅଙ୍ଗ

କ୍ଷଣେ ନ ଛାଡ଼ି  କରନ୍ତି ଦୁହେଁ ରଣରଙ୍ଗ ।

ଛାୟାଶୋଇ ସହସ୍ରେକ ବରଷ ଯୁଝିଲେ

କେହି ଯେ କାହାକୁ ପୁଣି ଜିଣି ନ ପାରିଲେ ।

ହସ୍ତ ପ୍ରସାରିଣ ତହିଁ ସକଳ ଦେବତା

ସେ ଦୁଇ ବୀରଙ୍କ ଡରେ କହିଲେ ଏ କଥା ।

ଏଡ଼େ ବଡ଼ ସଂଗ୍ରାମ ତ ଆରମ୍ଭିଲ ଆଣି

ଏ ଯୁଦ୍ଧେ କେହି କାହାକୁ ନ ପାରିଲି ଜିଣି ।

ଅକାରଣେ ଗଞ୍ଜି ନୁହ ଦୁହେଁ ଥାଅ ରହି

କିଛି କାର୍ଯ୍ୟ ନୋହିବ ନ ମର ଦୁଃଖପାଇ ।

ସଂଗ୍ରାମରେ ବେନି ବୀର ଅଟ ସମସରି

ଏକରେ ଆରେକ କେହି ନୋହିବ ସଂହାରି ।

ଅନିମତ୍ତେ ଶଣୀରେ ନ ପାଅ ତୁମ୍ଭେ ବ୍ୟଥା

ପୁରାଣର ବାଣୀ ଏ ସେ ଅଟେ ପୂର୍ବ କଥା ।

ଦୈବସ୍ଵତ ମନୁ ଯେ ଷାଠିଏ ଯୁଗ ଯିବ

ଏ ତଦନ୍ତେ ସାରମନ୍ୟୁ ପ୍ରବେଶ ହୋଇବ ।

ଆରଣ୍ୟକ ନାମେ ଯେଉଁ ସତ୍ୟଯୁଗ ହେବ

ଗ୍ରହରୂପେ ତୁମ୍ଭେ କେତୁ ମଙ୍ଗଳ ହୋଇବ ।

ଘୋର ସଂଗ୍ରାମ କରି ବକୁଶଦ୍ଵୀପେ ରହି

ଦେବଲୋକଠାରୁ ତୁମ୍ଭେ ବ୍ରହ୍ମଲୋକ ଯାଇ ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ପୁରିଥିବ କାୟେ

ଦେବ ବରଷେ ଯୁଝିବ ସସ୍ରବର୍ଷ ଯାଏ ।

ଫୁଟି ଯେ ରହିବ ତୁମ୍ଭେ ନୋହିବ ବିନାଶ

ପୁଣ ତୁମ୍ଭେ ତ୍ରେତାଯୁଗେ ପାଇବ ପ୍ରକାଶ ।

ସେ ଯୁଗରେ ଅବତାର ହେବ ତୁମ୍ଭେ ପୁଣି

ଗଉତମ ପିତା ହେବେ ଅହଲ୍ୟା ଜନନୀ ।

ପରପୁରୁଷ ସଙ୍ଗମେ ଅଞ୍ଜନାର କୋପେ

ମର୍କଟ ହେବ ଗୈତମ ଋଷିଙ୍କର ଶାପେ ।

ତାହାଙ୍କର ପତ୍ନୀ ନାମ ଅହଲ୍ୟା ସୁନ୍ଦରୀ

ଅପୂର୍ବ ରୂପବତୀ ସେ ସୁର ମନୋହରୀ ।

ଇନ୍ଦ୍ର ସୂର୍ଯ୍ୟ ଦୁହେଁ ତାକୁ କପଟେ ହରିବେ

ସେ ଦୁହିଁଙ୍କ ବୀର୍ଯ୍ୟେ ଜାତହେବ ବେନି ତୁମ୍ଭେ ।

ବାଳି ସୁଗ୍ରୀବ ହୋଇବ ଜାଣ ତୁମ୍ଭ ନାମ

ସେ ଯୁଗେ କରିବ ତୁମ୍ଭେ ପୁଣି ହିଁ ସଂଗ୍ରାମ ।

ବାନର ରୂପ ତୁମ୍ଭର ହେବ ବେନି ଅଙ୍ଗ

ଅପ୍ରମିତ ଶସ୍ତ୍ର ଭେଦ ମୁଦ୍ରା ରଣରଙ୍ଗ ।

ମିତ୍ରଛଳେ ରାଘବ ବାଳୀକି ବଧ କରି

ସୁଗ୍ରୀକି ରାଜ୍ୟଦେବେ କିସ୍କିନ୍ଧ୍ୟା ନାମେ ପୁରୀ ।

ତୁମ୍ଭ ରୁଧିରେ କର୍ଦ୍ଦମ ହୋଇବ ଧରଣୀ

ପଦଧୂଳିରେ ଅଦୃଶ୍ୟ ହେବେ ଦିନମଣି ।

ତଦନ୍ତେ ଦ୍ଵାପର ଯୁଗ ହୋଇବ ପ୍ରବେଶ

ଭାରତ ଯୁଦ୍ଧେ ସମର କରିବ ବିଶେଷ ।

ପ୍ରଥମରେ ଭୀଷ୍ମଦେବ ସଂଗ୍ରାମ କରିବେ

ଦଶଦିନେ ଭୀଷ୍ମ ଶରଶଯ୍ୟାରେ ରହିବେ ।

ତଦନ୍ତେ ଦ୍ରୋଣଗୁରୁ ଯେ ସେନାପତି ହେବେ

ପାଞ୍ଚଦିନଯାଏ ଦ୍ରୋଣ ସମର କରିବେ ।

ଅଢ଼ାଇ ଦିନ କର୍ଣ୍ଣ ଯେ ସେନାପତି ହେବ

ଆଉ ଓଳିକେ ଅରିଷ୍ଟ ସର୍ବ ନାଶଯିବ ।

ଏମନ୍ତ ଭାରତ ଯୁଦ୍ଧେ ହେବ ରଣଭଣ

ପାଣ୍ଡବ ଆଡ଼ୁ ରହିବେ ସର୍ବେ ତେର ଜଣ ।

ସେ ଯୁଗ କର୍ଣ୍ଣ ଅର୍ଜ୍ଜୁନ ରୂପରେ ସମର

ଏ ଯୁଗ ଯୁଦ୍ଧେ ତୁମ୍ଭର ନାହିଁ ଅପହାର ।

ଦ୍ଵାପରଯୁଗେ ହୋଇବ ତୁମ୍ଭେ ମହାରଥୀ

ସ୍ଵୟଂ ବାସୁଦେବ ହେବେ ଅର୍ଜ୍ଜୁନ ସାରଥି ।

କର୍ଣ୍ଣ ରଥର ସାରଥି ଶଲ୍ୟରାୟ ଦେବ

ମହାଘୋର ସଂଗ୍ରାମ ସେ ଯୁଗରେ କରି.ବ ।

ଏ କଥା ଗୋଟି ଅନ୍ୟଥା ନୋହିବ ହୋଜାଣ

ପୁରାଣର ବାଣୀ ନିରାଧାର ଏ ବଚନ ।

ଅକାରଣେ ଦୁଃଖ ତୁମ୍ଭେ ପାଇ ହୋ ନ ମର

ଯୁଗେ ଯୁଗେ ରହି ତୁମ୍ଭେ କର ହୋ ସମର ।

ଏତେ ବୋଲି ଅନ୍ତର୍ଦ୍ଧାନେ ଗଲେ ଦେବଗଣ

ବ୍ରହ୍ମା ସହିତେ ସକଳ ଦେବ ସୁରଗଣ ।

ଶୁଣି ରକ୍ଷ ଭକ୍ଷ ଦୁହେଁ ସଂଗ୍ରାମକୁ ତେଜି

ଦୁହେଁ ଉଭାହେଲେ ତହିଁ ଶାନ୍ତମୂର୍ତ୍ତି ଭଜି ।

ବିଚାରିଲେ ଅକାରଣେ କାହିଁକି ମରିବା

ଦେବତାଙ୍କ କଥା କିପାଁ ଅନ୍ୟଥା କରିବା ।

ସମୟେକ ପରେ ପୁଣି ଯୁଝିବା ବିଚାରି

ଏତେ ବୋଲି ଦୁହେଁ ଗଲେ ଋଣ ତ୍ୟାଗକରି ।

ମନ ଶାନ୍ତିକରି ଦୁହେଁ ରହିଲେ ନିଶ୍ଚିନ୍ତେ

ହରିବଂଶର ସମସ୍ୟା ଅଟଇ ଏମନ୍ତେ ।

ଶୁକ ମୁନି ବୋଇଲେ ତୁ ଶୁଣ ହୋ ପରୀକ୍ଷ

ଏମନ୍ତେ ସଂଗ୍ରାମ ତେଜି ଗଲେ ରକ୍ଷ ଭକ୍ଷ ।

ପ୍ରଥମ ଅବତାରେ ସେ ରକ୍ଷ ଭକ୍ଷ ହେଲେ

ଦ୍ଵିତୀୟେ କେତୁ ମଙ୍ଗଳ ପୁଣି ବୋଲାଇଲେ ।

ତୃତୀୟ ଅବତାରେ ସେ ବାଳୀ ସୁଗ୍ରୀ ବୀର

ଚତୁର୍ଥେ କର୍ଣ୍ଣ ଅର୍ଜ୍ଜୁନ ନାମ ତାହାଙ୍କର ।

ଗୋବିନ୍ଦ ଭିଆଇ ମହାଭାରତ ଯେ ଯୁଦ୍ଧ

ତାକୁ କହିବାକୁ ରାଜା କାହାର ବା ସାଧ୍ୟ ।

ଅସଂଖ୍ୟା ଅଗୋଚର ସେ ଭାରତ ମହିମା

ତଦନ୍ତ କରି ନ ପାରେ ଯାହା ଦେବବ୍ରହ୍ମା ।

କହିବ ମାନବ ମାତ୍ର କେବା ଦେହ ଧରି

ସୂଚିର ମୂନେ ପର୍ବତ କେହୁ ଟାଳିପାରି ।

ନ ପଢ଼ିଲି କାବ୍ୟ ଗ୍ରନ୍ଥ ପୁରାଣ ବାଟ

କେବଳ ମୋ ପୂର୍ବ ଭାଗ୍ୟେ ହେଲା ଜ୍ଞାନଭେଟ ।

ଚଞ୍ଚଳ ଚିତ୍ତ ମୋହର ବାଳଭାବ ବୁଦ୍ଧି

ପଣ୍ଡିତ ସଙ୍ଗେ ବସିବା ପାଇଁ ନାହିଁ ସିଦ୍ଧି ।

ଗତଜନ୍ମ ବାସନାକୁ କରିଛି ଭରସା

ହରିବଂଶ କହିବାକୁ ବଳିଲା ମନୀଷା ।

ନୁହଁଇ ମୁଁ ସାମରଥ ଜାଣିବାକୁ ଏହା

ଦେବବର ନନ୍ଦିନୀ ଯେ ହେଲେ ମୋତେ ସାହା ।

ସେ ଯାହା ପ୍ରସନ୍ନେ ମୋତେ କହିବେ ତା ସିଦ୍ଧି

ଶାରଦା ଦେବୀ ପ୍ରସନ୍ନେ ସ୍ଫୁରେ ମୋରବୁଦ୍ଧି ।

ଜ୍ଞାନୀ ପଣ୍ଡିତଙ୍କୁ ମୋର ବହୁତ ବିନୟ

ତାଙ୍କ ପ୍ରସନ୍ନେ ଉଦିତ ସିନା ପୁଣ୍ୟଚୟ ।

ବାଳକ ବୁଦ୍ଧି ମୋହର ନ ଘେନିବା ଦୋଷ

ଶୁଣି ନରଙ୍କ ପାତକ ସିନା ହେବ ଧ୍ଵଂସ ।

ଶ୍ରୀଜଗନ୍ନାଥଙ୍କ ରଙ୍ଗା ଶ୍ରୀଚରମ ଭାବି

ଭଗବତ ପାଦ ସେବେ ଅଚ୍ୟୁତ ଯେ କବି ।

 

ହରିବଂଶ (ପ୍ରଥମ ଖଣ୍ଡ)

କଂସର ରାଜ୍ୟାଭିଷେକ

ଏ କଥା ଶୁଣିଣ ପୁଣି ବୋଇଲେ ପରୀକ୍ଷ

କଂସ ପୂର୍ବଜନ୍ମ ଶୁଣି ହୋଇଲି ମୁଁ ମୋକ୍ଷ ।

ଏଥୁ ଉତ୍ତାରେ ଯେ ପୁଣି ହୋଇଲାକ କିସ

ସେ କଥା କହି ମୋ ଆଗେ ଫେଡ଼ିବା ସନ୍ଦେଶ

ରାଜା ବଚନେ ବୋଲନ୍ତି ଶୁକ ମହାଯତି

ଶୁଣ ଆହେ ମହାରାଜା କଂସର ଅନୀତି ।

ଅଷ୍ଟମଲ୍ଲ ଆଦି ଯେତେ ଅସୁରେ ଅଇଲେ

ପରପଞ୍ଚ କରି ନାନା ବୁଦ୍ଧି ଶିଖାଇଲେ ।

ଏକଦିନେ କଂସ ଅଷ୍ଟମଲ୍ଲଙ୍କୁ ଯେ ଘେନି

ନଗ୍ର ଭିତରେ ପଶିଲା ରାଜା ଉଗ୍ରସେନି ।

ରାତ୍ର ଘଡ଼ିକେ ସମସ୍ତେ ଏକସ୍ଥାନ ହୋଇ

ଅନ୍ତର ଲୋକମାନଙ୍କୁ କତିରୁ ଛଡ଼ାଇ ।

ଏକାନ୍ତ ଭାଳେଣି ବସି ଭାଳେ କଂସବୀର

ଏକମାତ୍ର ଅଷ୍ଟମଲ୍ଲ ଅଛନ୍ତି ସଙ୍ଗର ।

ଷଣ୍ଢା ଶକଟା ଚାଣୁର ବତ୍ସା ବକା କେଶୀ

ମୁଷ୍ଟିକ ଧେନୁକା ମୁଳେ ଅଷ୍ଟବୀର ବସି ।

ଏହାଙ୍କୁ ବସାଇ କଂସ କହିଲା ବାରତା

କାମଦେବ କାଳନେମି ହେବା ଯେତେ କଥା ।

କହିଲା ସଂକ୍ଷେପି ସବୁ ପୂର୍ବ ଜନ୍ମବାଣୀ

ଅଷ୍ଟମଲ୍ଲ ଯେ ସନ୍ତୋଷ ହେଲେ ତାହା ଶୁଣି ।

ଆପଣାର ପୂର୍ବକର୍ମ ବଳଦନ୍ତ ପଣ

କାଳନେମି ଅବତାରେ ଯେତେ କଲା କର୍ମ ।

ନାରଦ ମୁନିଙ୍କ ଆଜ୍ଞା ଜାଣି ମନଯୋଗେ

ସକଳ ବସି କହିଲା ସଖାଙ୍କର ଆଗେ ।

ଶୁଣି ଅଷ୍ଟମଲ୍ଲ ଭଜି ପରମ ଯେ ଶାନ୍ତି

ବୋଇଲେ ତୁ ଭୋଗକର ସାଧିଣ ଏ ପୃଥ୍ଵୀ ।

ତୁମ୍ଭେ ଆମ୍ଭ ପଞ୍ଚଭୂତ ଆତ୍ମାର କାରେଣୀ

ଏତେକାଳେ ବିଧାତା ଯେ ଭେଟାଇଲା ଆଣି ।

କେଶୀ ବୋଇଲା ଭୋଦେବ କହିଲ ଯେ କଥା

ବଳବୀର୍ଯ୍ୟ ଥାଉଁ କିପାଁ ପାଇବା ହୀନସ୍ତା ।

ସ୍ଵର୍ଗ ମଞ୍ଚ ପାତାଳକୁ ଜିଣି ଭୁଜବଳେ

ଯେ ଅମାନ୍ୟ ହେବ ତାଙ୍କୁ ନାଶି ଅବହେଳେ ।

ସମଦଣ୍ଡ ଚଳାଇବା ବିଜୟୀ ହୋଇବା

ସମସ୍ତ ରାଜାଗଣଙ୍କୁ ସମରେ ଜିଣିବା ।

ପ୍ରଥମେ ସ୍ଵର୍ଗକୁ ଚାଲ ଯିବା ବିଜେକରି

ଦୁର୍ଦ୍ଦଣ୍ଡ ଦେବଗଣକୁ ପକାଇବା ମାରି ।

ସଚରାଚର ପୃଥ୍ଵୀରେ ଅଛନ୍ତି ଯେ ରାଜା

ସନ୍ଧାନ ଦେଇ ଆମ୍ଭଙ୍କୁ କରିବେ କି ପୂଜା ।

ଯାଦବ ବଂଶ ଘେନିବା ମଥୁରା ଯେ ପୁରୀ

ଏମାନେ ମଣି ଅଛନ୍ତି ସମ ପ୍ରାୟ କରି ।

ଆମ୍ଭର ଯେ ବଳବୀର୍ଯ୍ୟ ନ ଜାଣନ୍ତି କେହି

ନିଲକ୍ଷଣ ଅଟନ୍ତି ଏ ହୀନ ନରଦେହୀ ।

ଉଗ୍ରସେନ ହୋଇଅଛି ମଥୁରାରେ ରାଜା

ଏହାଙ୍କୁ କିପାଁ କରିବା ଆମ୍ଭେ ପାଦପୂଜା ।

ବଳେ ଚାଲ ରାଜ୍ୟଯାକ ବସିବାକ ମାଡ଼ି

ପ୍ରାଣେ ନ ମାରି ରାଜ୍ୟରୁ ଦେବାକ ଘଉଡ଼ି ।

ଯଦ୍ୟପି ଯାଦବ ଘେନି କରିବେକ ମେଳି

ଉଗ୍ରସେନ ଦୁଇଆଖି ପକାଇବା ଖୋଳି ।

ତୁମ୍ଭର ଥାଆନ୍ତେ କିପାଁ ତାର ରାଜପଣ

ରଖି ନ ପାରିବେ ଆସି ତାକୁ ଦେବଗଣ ।

ସୁବୁଦ୍ଧି ବିଚାରି ଯେବେ ଶାନ୍ତମୂର୍ତ୍ତି ହେବ

ପୁତ୍ର ରାଜା ହେଲେ ରାଜପିତା ବୋଲାଇବ ।

ଏବେ ତୁମ୍ଭେ ମଥୁରାରେ ହୋଇଛ କାରେଣୀ

ଆପଣ ହୁଅ ମଥୁରା ରାଜ୍ୟଶିରୋମଣି ।

ଇନ୍ଦ୍ରକୁ ଘଉଡ଼ି ଦେବା ଆହେ କଂସରାଜା

ନିରନ୍ତରେ ଆମ୍ଭେ ତୋତେ କରିଥିବୁ ପୂଜା ।

ତେବେ ବଡ଼ପଣ ତୋର ହେବ ଭୋଗରାଜା

ପିତା ସ୍ନେହ କଲେ ପଛେ ପାଇବୁ ତୁ ଲଜ୍ଜା ।

କେଶୀର ବଚନ ଶୁଣି କଂସ ଯେ ବୋଇଲା

ତୁମ୍ଭେ ଯାହା ବୋଇଲ ତା ମୋତେ ଯୋଗାଇଲା ।

ଏବେ ଯେ ସେ କଥାଗୋଟି ବୁଝ ତୁମ୍ଭେ ସର୍ବେ

ପିତାର ଥାଆନ୍ତେ ରାଜା ହୋଇଛି କେ ପୂର୍ବେ ।

ଏ ବଚନ ଶୁଣି କେଶୀ ବାଣୀ ପ୍ରକାଶିଲା

ପୂର୍ବେ ଦଶରଥ ରାଜା ସୂର୍ଯ୍ୟବଂଶେ ଥିଲା ।

ଆପେ ପ୍ରାଣେ ଥାନ୍ତେ ପୁଣି ପୁତ୍ରେ ରାଜ୍ୟ ଦେଲା

ତାଠାରୁ କି ଉଗ୍ରସେନ ଜାଣିବାର ହେଲା ।

ସ୍ଵର୍ଗ ମଞ୍ଚପୁରେ ନାହିଁ ଏହାଙ୍କର ବୃର୍ତ୍ତି

ପରବୃତ୍ତି ହରିବାର ଏହାଙ୍କ ପ୍ରକୃତି ।

ପର ରାଜ୍ୟରେ ଧରାଏ ଯେ ଧବଳ ଛତ୍ର

ମୂଷାକୁ ଭକ୍ଷିଣ ସର୍ପ ଆଶ୍ରା କରେ ଗର୍ତ୍ତ ।

ଯେବଣ ବୃକ୍ଷ ଉପରେ ଘୋଟଇ ତମାଳ

ଫଳପୁଷ୍ପ ସହିତରେ ନାଶ ଯାଇ ଡାଳ ।

ଏ କଥା ନ ବିଚାରି ଯେ ଧର୍ମ କରେ ନାଶ

କନ୍ଧୁ ତାର ଲକ୍ଷ୍ମୀ ଛାଡ଼ି ଶିରେ କରେ ବାସ ।

ନୃପତି ହୋଇଣ ଯେବେ ସନ୍ତୋଷ ହୁଅଇ

ବିପ୍ର ଅସନ୍ତୋଷ ହୋଇ ସର୍ବଦା ମାଗଇ ।

ନାରୀ ବେଶ୍ୟାହୋଇ ଯେବେ ହେଲା ଲଜ୍ଜାବତୀ

କୁଳସ୍ତିରୀ ହୋଇ ଲଜ୍ଜା ଛାଡ଼ି ପରେ ରତି ।

ଧନବନ୍ତ ହୋଇ ଯେବେ ବିବାଦକୁ ଆଶ

ନିଶ୍ଚୟ ଜାଣିବ ଏହି ପାଞ୍ଚ ଯାନ୍ତି ନାଶ ।

ଯୁକତେ ରାଜକୁମାର ଅଟୁ ବଳବନ୍ତ

ପ୍ରାପତ ହେଲା ଲକ୍ଷ୍ମୀକୁ ପାଦେ ପେଲୁଛ ତ ।

କଂସ ବୋଇଲା ଦେଖିବା ରାଜାଙ୍କ ବିଚାର

ସତେ କି ମୋର ବିପକ୍ଷ ହେବେ ନୃପବର ।

କେଶୀ ବୋଇଲା ତୁ କଂସ ହୋଇଲୁ କି ବାଇ

ଆପଣାର ଭକ୍ଷ କି କେ ପରେ ଯାଚି ଦେଇ ।

ଆଡ଼େ ଅବିଚାରୀ ଏହି ସଂସାରେ କେ ନାହିଁ

ଆପଣାର ଧନ ନେଇ ପରେ ଯାଚି ଦେଇ ।

ହେବକି ନ ହେବ ଏବେ ବେଳକେ ଦେଖିବା

ନାସ୍ତି କଲେ ପଛେ ଆମ୍ଭେ ଆନ ବିଚାରିବା ।

ଏମନ୍ତ କହି ସେ କଂସ ବୋଧ ହେଲା ଯହୁଁ

ତୁନି ହୋଇ ଅଷ୍ଟମଲ୍ଲ ରହିଲେକ ତହୁଁ ।

ଏଥୁ ଅନନ୍ତରେ ପୁଣି କେତେ ଦିନ ଅନ୍ତେ

ଉଦ୍ଧବକୁ ଅଷ୍ଟମଲ୍ଲେ ରାଇଲେ ଏକାନ୍ତେ ।

ଆହେ ଉଦ୍ଧବ ତୁମ୍ଭେ ତ ମଥୁରା କାରେଣୀ

ସବୁ ମନ୍ତ୍ରୀଙ୍କ ପରେ ତୁ ମନ୍ତ୍ରୀ ଶିରୋମଣି ।

ଧାର୍ମିକ ବିବେକବନ୍ତ ଅଟୁ ଗୁଣବନ୍ତ

ଏ ସମ ରାଜ୍ୟରେ ତୁହି ରାଜାଙ୍କର ପାତ୍ର ।

ତୁମ୍ଭ ବୁଦ୍ଧି ବଳେ ସିନା ଉଗ୍ରସେନ ରାଜା

ଏ ସମ ରାଜ୍ୟରେ ତୁମ୍ଭେ ପାଅ ପାଦପୂଜା ।

ଉଗ୍ରସେନ ରାଜାଠାରୁ ଏହିକ୍ଷଣି ଯିବ

ଆମ୍ଭର କହିଲା ବୋଲି ରାଜାକୁ କହିବ ।

ଜଗତେ ବିଖ୍ୟାତ ହେଲା ତୁମ୍ଭ ପୁତ୍ର ଜେନା

ମଥୁରାରେ ତାକୁ ରାଜାକର ତୁମ୍ଭେ କିନା ।

ଅନିତ୍ୟ ସଂସାରେ ଏଥେଁ ଦେଖୁ ଦେଖୁ ସରି

ରାଜ୍ୟଶିରୀ ସମ୍ପତ୍ତି ଏ ନୁହଇ କାହାରି ।

ତାଙ୍କ ଥାନ୍ତେ ଯେବେ ପୁତ୍ରେ କରିପାରି ରାଜା

ଦିଗପାଳେ ଯେ କରିବେ ତାଙ୍କ ପାଦପୂଜା ।

ଯଦ୍ୟପି ନାସ୍ତି କରିବେ ଏ କଥା ଗୋଟାକୁ

ଆମ୍ଭେ ବଳେ ନେଇ ରାଜା କରିବୁ କଂସକୁ ।

ଏ କଥାକୁ କହ ଯାଇ ଉଗ୍ରସେନ ଆଗେ

ଆସ୍ତି ନାସ୍ତି ବାରତାକୁ ଆଣିଦେବୁ ବେଗେ ।

ଚଳିଲା ଉଦ୍ଧବ ଅଷ୍ଟମଲ୍ଲ ବୋଲ ଶୁଣି

ଉଗ୍ରସେନର ଛାମୁରେ ମିଳି ମନ୍ତ୍ରିମଣି ।

ନମସ୍କାର କରି ହେଲା ଛାମୁରେ ସେ ଉଭା

ରାଜା ପୁଚ୍ଛେ ଶୁଖିଅଛି କିପାଁ ମୁଖଆଭା ।

ଉଦ୍ଧବ ବୋଇଲେ ତୁମ୍ଭେ ଶୁଣ ଭୋଜରାୟେ

କିସ କହିବି ଭୋ ଦେବ ଲାଗେ ବଡ଼ଭୟେ ।

ଉଗ୍ରସେନ ବୋଇଲା ତୁ ମୋର ପ୍ରାଣସଖା

ମନ୍ତ୍ରୀ ଚୂଡ଼ାମଣି କରୁ ତାହାକୁ ତୁ ଶଙ୍କା ।

କି କଥା କହିବୁ ତୁରେ କହ ମୋର ଆଗ

ତୋ ବଚନ ଶୁଣିବାକୁ ବଡ଼ ମୋ ସରାଗ ।

ଉଦ୍ଧବ ବୋଇଲେ ତୁମ୍ଭେ ଶୁଣ ନରନାହା

କର୍ମ ଅବଳକୁ ଆସି ହୋଇଲାଟି ଏହା ।

ଏ ତୁମ୍ଭ ପୁତ୍ର ଯେ ଅଟେ କଂସାସୁର ଜେନା

ଦୁର୍ବାର ଯେ ଅଷ୍ଟମଲ୍ଲ ହୋଇଲେ ତା ସେନା ।

ଅସୁର ସ୍ଵଭାବେ ସଦା ଅହନ୍ତା ସେ ବହି

ଅହର୍ନିଶି ଅକୀର୍ତ୍ତି ତା ଚିତ୍ତେ ଦୟା ନାହିଁ ।

ପରନାରୀ ପରଧନେ ନିରନ୍ତରେ ଆଶ

ଧର୍ମ ଆଶ୍ରିତ ପ୍ରାଣୀକୁ କରଇ ବିନାଶ ।

ମଥୁରା ଦେଶକୁ ଛାଡ଼ି ପଳାଇଲେ ଲୋକେ

ଏ ତୋର ଦୟାରେ ଏଥେ ରହିଛନ୍ତି ଥୋକେ ।

କାହାକୁ ଘେନି ତୁ ରାଜ୍ୟ କରିବୁ ଭୋ ସ୍ଵାମି

ଅନେକ ଯାଦବେ ଡରେ ହେଲେ ବନଗାମୀ ।

କାହୁଁ ଆସି ଅଷ୍ଟମଲ୍ଲେ ମିଳିଲେ ତା ପାଶ

ଏ ମଥୁରା ତୋର ପୁତ୍ରଯୋଗୁଁ ଗଲା ନାଶ ।

ଅର୍ଜିଲୁ ଏଡ଼େ ଅଧର୍ମୀ ପୁତ୍ର ନୃପନିଧି

କୁଲୋକ ସଙ୍ଗେ ବସି ସେ ପାଇଲା କୁବୁଦ୍ଧି ।

ଆହୁରି କଥା ଏ ଦେବ କହିଲେ ସେ ରାଇ

ଶ୍ରୀଛାମୁରେ ଜଣାଇଲେ କୋପିବ ଗୋସାଇଁ ।

ଉଗ୍ରସେନ ବୋଇଲେ ହୋ ତୋର କିସ ଦୋଷ

ଉଦ୍ଧବ ବୋଇଲା ତୁମ୍ଭେ ଶୁଣ ନରଈଶ ।

ଅଷ୍ଟମଲ୍ଲେ ଯାହା ଯାହା କହିଲେ ଗୋସାଇଁ

ବିଶ୍ଵାସ କରି କହିଲେ ପାଖରେ ବସାଇ ।

ଠାକୁର ଛାମୁରେ ତୁହୋ କହ ବେଗେ ଯାଇ

ଯେମନ୍ତେ ଏ ସଦଭାବ କଥାଟା ରହଇ ।

ଜଗତେ ବିଖ୍ୟାତ ହେଲା କଂସ ମହାଜେନା

ଏ ମଥୁରା ରାଜ୍ୟେ ତାକୁ ରାଜାକର ସିନା ।

ଏ କଥାରେ ନାସ୍ତି ଯେବେ କରିବ ସେ ବଳେ

କଂସକୁ ରାଜା କରିବୁ ଆମ୍ଭେ ବାହୁବଳେ ।

ଉଦ୍ଧବ ବୋଇଲା ତୁହୋ ଶୁଣ ଭୋଜସାଇଁ

ରାଜ୍ୟେ ଆଶା କଲେ ପ୍ରାଣ ପାଇବା ଯେ ନାହିଁ

ପ୍ରାଣ ଥିଲେ ସିନା ରାଜ୍ୟେ ଧନ ଅର୍ଜିପାରି

ଆପେ ନାଶଗଲେ କେହି ନୁହନ୍ତି କାହାରି ।

ଆପଦେ ପଡ଼ିଲେ ପ୍ରାଣ ଆପଦୁଁ ରଖିବା

ଭାରିଯା ଆପଦେ ଗ୍ରହ ଶାନ୍ତି କରାଇବା ।

ଆପଣା ଆତ୍ମାକୁ ଯେବେ ପ୍ରମାଦ ପଡ଼ିବ

ରାଜ୍ୟ ଧନ ହିଁ ସମ୍ପଦ ସବୁ ଉପେକ୍ଷିବ ।

ଉଦ୍ଧବ କହିଲା ଯହୁଁ ଏସନକ ବାଣୀ

ଉଗ୍ରସେନ ସନମତ କଲା ତାହା ଶୁଣି ।

ଉଦ୍ଧବଙ୍କୁ ଉଗ୍ରେସେନ ପାଶରେ ବସାଇ

ବୋଇଲା କଂସ ଆଗରେ କହ ତୁହୋ ଯାଇ ।

ସେ ମୋହର ଜ୍ୟେଷ୍ଠ ପୁତ୍ର ଅଟେ କୁଳ ଚନ୍ଦ୍ର

ସେହିରାଜା ହେଲେ ମୋତେ ବୋଲିବେ କିମନ୍ଦ

ଜ୍ୟେଷ୍ଠ ପୁତ୍ରର ସମ୍ପଦ ନୟନେ ଦେଖିବି

ସୂର୍ଯ୍ୟ ଉଦେହେଲା ପଦ୍ମ ପ୍ରାୟେକ ହୋଇବି ।

ପିତା ଥାଉଁ ଥାଉଁ ଯେବେ ପୁତ୍ର ରାଜା ହୁଏ

ଶିଷ୍ୟ ହୋଇକରି ଯେବେ ସେବେ ଗୁରୁପାଏ ।

ମନ୍ତ୍ରୀ ହୋଇଣ ରାଜାର ହୁଏ ହିତକାରୀ

ଶସ୍ୟବତୀ ହୁଅଇ ଯେ ସଦା ବସୁନ୍ଧରୀ ।

ପତିବ୍ରତା ସ୍ତିରୀ ଯେବେ ହୁଏ ପୁତ୍ରବତୀ

ପୁଣ୍ୟର ଉପରେ ପୁଣ୍ୟ ସେବିଲେ ଅତିଥି ।

ଏହି ପରକାରେ କଥା କହିବୁ କଂସକୁ

ଅନୁଗ୍ରହ କରିଥିବ ଏ ଯଦୁବୀରଙ୍କୁ ।

ଅନ୍ନ ବସ୍ତ୍ରରେ ଯେ ଚିନ୍ତା ନ ପାଇବେ କେହି

ଏଥିରେ ଦୁଃଖ ନ ଦେଲେ ବୋଲି ପୁଣ୍ୟଦେହୀ

ଗୁରୁ ପିତାମହ ବିପ୍ରପାଦ କରୁ ପୂଜା

ସମସ୍ତଙ୍କ ବିଚାରରେ କଂସ ହେଉ ରାଜା ।

ଯାଅ ତୁ ଉଦ୍ଧବ ବେଗେ କହ କଂସ ଆଗେ

ଶୁଭଲଗ୍ନ ବୁଝି ରାଜା କର ଶୁଭଯୋଗେ ।

ଏସନକ ଆଜ୍ଞା ଯହୁଁ ଦେଲେ ଉଗ୍ରସେନ

ଧାତିକାରେ ସେ ଉଦ୍ଧବ କଲାକ ଗମନ ।

କଂସର ମୂଳେ ଅଷ୍ଟମଲ୍ଲଙ୍କୁ ବସାଇ

ଉଗ୍ରସେନ କଥାଯାକ କହିଲା ମଣ୍ଡାଇ ।

ଶୁଣିଣ ସେ ଅଷ୍ଟମଲ୍ଲେ ହୋଇଲେ ସନ୍ତୋଷ

କଂସକୁ ବୋଇଲେ ଆଉ ବିଚାରୁ ତୁ କିସ ।

ମଳୁକୁ ରୁଚିବା କଥା କହେ ବୈଦ୍ୟରାଜ

ଦଇବ ଦେଲାଣି ଯେବେ ସୁଖେ କର ରାଜ୍ୟ ।

ବିଳମ୍ଵ ନ କରି ଏବେ ଶୁଭଲଗ୍ନ ଘେନ

କ୍ଷଣକ କଥା କ୍ଷଣକେ ହୋଇପାରେ ଆନ ।

ତାମ୍ଵୁଳ ଚନ୍ଦନ ଗନ୍ଧାପୁଷ୍ପ ରାଜ ବିଧି

ବେଦଶାସ୍ତ୍ର ପୁରାଣରେ ଅଛି ଯେଉଁ ବିଧି ।

ଯୁକତେ ପିତାର ତୁହି ଅଟୁ ଜ୍ୟେଷ୍ଠପୁତ୍ର

ସନ୍ତୋଷେ ସେ ରାଜ୍ୟ ଦେଲେ ଧର ଦଣ୍ଡଛତ୍ର ।

କଂସ ଯେ ବୋଇଲା କେଶୀ ତୋର ବୁଦ୍ଧିବଳେ

ଦିଶିଲା ମୋହର ପୁଣ୍ୟବଳ ଏତେକାଳେ ।

ଶୁଭଲଗ୍ନ ଦେଖି ଅନୁକୁଳ କରି ଯିବା

ରାଜାଙ୍କୁ ନିମନ୍ତ୍ରି ସିଂହାସନରେ ବସିବା ।

ଗ୍ରହପୁତ୍ରଙ୍କୁ ହକାରି ଖୋଜି ଅନୁକୁଳ

ପବିତ୍ର ଲଗ୍ନ ବେଳାକୁ କରିବା ନାମୂଳ ।

ବୈଶାଖ ଶୁକ୍ଲ ଦ୍ଵିତୀୟା ତିଥି ଚନ୍ଦ୍ରବାର

ରୋହିଣୀ ନକ୍ଷତ୍ର ହୋଇଥିବ ସେ ଦିନର ।

ବୃଷନାମେ ଲଗ୍ନ କ୍ଷମଙ୍କର ନାମେ ଯୋଗ

ତୈତିଳ କରଣ ଦଣ୍ଡ ଅଠାଇଶ ଭୋଗ ।

ମେଷ ସଂକ୍ରାନ୍ତି ପଚିଶ ଦିନ ଭୋଗ ଯିବ

ସେ ଦିନ ଜାଣ ମୂର୍ଦ୍ଧନାଭିଷେକୀ ହୋଇବ ।

ବେଦଶାସ୍ତ୍ର ପ୍ରମାଣରେ ଯେତେ ଯେତେ ଦ୍ରବ୍ୟ

ଖୋଜି ଆଣିଣ ଭିଆଣ କର ତାହା ସର୍ବ ।

ଶୁଦ୍ଧ ସୁବର୍ଣ୍ଣର ମାଳା ଛତିଶ ପ୍ରକାର

ସମସ୍ତ ଯୋଗାଡ଼ ବୋଲେ ଗ୍ରହବିପ୍ରବର ।

ତହୁଁ ଅଷ୍ଟମଲ୍ଲ ସହ ମିଳି ଯଦୁଗଣ

ଅଭିଷେକର ସାମଗ୍ରୀ କରିଲେ ଭିଆଣ ।

ବହୁଜାତି ହୀରା ତହିଁ ସ୍ଫୁଟିକ ଲଗାଇ

ମଣ୍ଡପ କଲେ ଆକାଶ ମଣ୍ଡଳ ବ୍ୟାପଇ ।

ଦଶସହସ୍ର ବଖରା ଛାମୁଣ୍ଡିଆ କଲେ

ଅମଳାନ ବସ୍ତ୍ର ତହିଁ ଉପରାଣ ଦେଲେ ।

ରନରତ୍ନରେ ମଣ୍ଡିଲେ ପୂର୍ବ ଚାରିସ୍ତମ୍ଭ

ଉପରେ ଉଭାରିଲେ ଯେ ଚାନ୍ଦୁଆ ଆଲମ୍ବ ।

ନେତର ପାଟପତନୀ ସିନ୍ଦୁରେ ମଣ୍ଡିତ

ଉଭାରି କ୍ରୋଣା ମଣ୍ଡଣି କଲେ ତହିଁ ଶ୍ଵେତ ।

ଚଉପାଶରେ ରୋପିଲେ ରମ୍ଭାତରୁମାନ

କଂସରାଜା ବସିବ ସେ ରାଜସିଂହାସନ ।

ବେଦବାକ୍ୟର ପ୍ରମାଣେ ସବୁ ନିର୍ଭାକରି

ଅନେକ ଯତ୍ନେ ମଣ୍ଡିଲେ ଗଡ଼ର ପାଚେରି ।

ମଲ୍ଲୀ ଚମ୍ପା କୁରୁବେଲୀ ସେବତୀ ବକୁଳ

ସୁଗନ୍ଧରାଜ କୁସୁମ ଧଣ୍ଡା ମାଳ ମାଳ ।

ଅଷ୍ଟଦିଗେ ଅଷ୍ଟଦେବୀ ମଧ୍ୟେ ରତ୍ନଦେବୀ

ଅମର ବାରସ୍ଵତୀକୁ ଗଙ୍ଗାନଦୀ ଭେଦି ।

ଦ୍ଵାଦଶ ବିମ୍ଵରେ ନବଗ୍ରହେ ଯେ ଉଦିତ

ମଧ୍ୟରେ ସ୍ଥାପିଲେ ନେଇ ଦେବୀ ଦୁର୍ଗାମାତ ।

ସ୍ଥାପିଲେ ମଧ୍ୟ ପୀଢ଼ାରେ ବସିଲେ ପାଲଟି

ଏହିରୂପେ କଂସ ରାଜା ସିଂହାସନ ଗୋଟି ।

ଦେବୀ ମଧ୍ୟେ ଥାପି ଅଷ୍ଟକୁଳା ନାଗ ବରି

ବେନିକୋଟି ଯେ ବ୍ରାହ୍ମଣ ଦେବ ଧ୍ଵନିକରି ।

ଗଙ୍ଗା ଯମୁନା ନର୍ମଦା ନଦୀ ଗୋଦାବରୀ

ସରସ୍ଵତୀ ଭାନୁମତୀ ସରଯୂ ସୌଭରୀ ।

ମଣିକର୍ଣ୍ଣିକା ପୁଷ୍କର ଚନ୍ଦ୍ରଭାଗା ରେବା

ଏ ଦ୍ଵାଦଶ ତୀର୍ଥଜଳ ସମ୍ପାଦି ଭୁଦେବା ।

ଶାସ୍ତ୍ର ପ୍ରଣାମେ ଯେତେକ ଅଭିଷେକ ବିଧି

ବ୍ରାହ୍ମଣମାନେ ଯେ ବସି ସକଳ ସମ୍ପାଦି ।

ଉତ୍ତମ ରୂପରେ ବୀରଦେଶ କଂସ ହୋଇ

ବିଜେ କଲା ସିଂହାସନେ ଯାଇ ନୃପସାଇଁ ।

ପାଟଗଜ ପାଟଅଶ୍ଵ ପାଟ ମହାଦେଈ

ପାଟ ଜଉତିଷ ପାଟ ଲମ୍ଵହତା ଭୋଇ ।

ଏ ବିଧିରେ ପାଟଦଣ୍ଡ ବହୁତ ଆଣିଲେ

ରାଜାଙ୍କ ଉପରେ ଶ୍ଵେତ ଚାମର ଢାଳିଲେ ।

ବିଧି ପ୍ରମାଣେ ବରିଲା ଅଷ୍ଟପାଟ କଂସ

ଆସ୍ଥାନରେ ବସାଇଲା ଯଦୁ ଭୋଜବଂଶ ।

ଦେଶକାଳ ମହାବାକ୍ୟ ଉଚ୍ଚାରି ବ୍ରହ୍ମାଣ୍ଡେ

ପ୍ରଥମ ମନ୍ତ୍ର ପଢ଼ିଲେ ପ୍ରଥମ ସ୍ନାହାନେ ।

ଦ୍ଵିତୀୟରେ ପଞ୍ଚାମୃତ ନିହୁଡ଼ିଲେ ନେଇ

କୋଟି ତୀର୍ଥଜଳ ସ୍ଵର୍ଣ୍ଣ ଘଟିରେ ପୁରାଇ ।

ସହସ୍ର ଧାରା ପାତ୍ରରେ ଅଭିଷେକ କଲେ

ମୂର୍ଦ୍ଧା ଅଭିଷେକୀ ଦଣ୍ଡଛତ୍ର ଧରାଇଲେ ।

ସୁବର୍ଣ୍ଣ ସିଂହାସନରେ ବିଜେ କଲା କଂସ

ଧନରତ୍ନ ପାଇ ଦୁଃଖୀଜନେ ହେଲେ ତୋଷ ।

ମଙ୍ଗଳାରୋପଣ କଲେ ଅହିଅ କାମିନୀ

ଛାମୁରେ ସେ ବନ୍ଦାଇଲେ ଯେତେ ସୁଲକ୍ଷଣୀ ।

ବୀର ଢୋଲ କାହାଳି ଯେ ବଜାଇ ମୃଦଙ୍ଗ

ଶଙ୍ଖ କମ ମହୁରୀ ଯେ ଦୋଷରୀ ଭୁଜଙ୍ଗ ।

ଟମକ ନିଶାଣ ଦମା ଢୋଲ ବିଜିଘୋଷ

ବୀର ତୂରର ଶବଦ ଶୁଭେ ଚଉପାଶ ।

ଅଭିଷେକ ବିଧିମାନ ସାରି କଂସରାୟେ

ବଡ଼ ଅବକାଶେ ଯାଇ କଲାକ ବିଜୟେ ।

ଅଷ୍ଟମଲ୍ଲେ ଛନ୍ତି ବାମ ଡାହାଣ ଆବୋରି

ତୀର କମାଣ ଯେ କାତି ଛୁରୀ ଖଣ୍ଡା ଧରି ।

ପାତ୍ର ଅମାତ୍ୟ ଖୁଣ୍ଟିଆ ଜେନା ପଡ଼ିହାରୀ ।

ରାଉତ ମାହୁନ୍ତ ପଦାତିକ ଆଦି କରି ।

ଦରଶନ କରନ୍ତି ସେ ଆସି ଯେ ଯାହାର

ଅନୁକ୍ଷଣେ ଦେଉଛନ୍ତି ଶାଢ଼ୀ ନୃପବର ।

ଦାସୀ ପରିବାରୀଙ୍କି ଯେ ଗଉରବ କରି

ଜଣ ଜଣକରେ ଶାଢ଼ୀ ଦିଏ ବାଛି କରି ।

ଅନେକ ସମାରୋହେ ସେ କଂସାସୁର ରାୟେ

ମଥୁରା କଟକ ମଧ୍ୟେ ଉତ୍ସବ କରାଏ ।

ବିଳାସନୀଏ କରନ୍ତି ଆଗେ ନୃତ୍ୟ ଗୀତ

ଅତି ଆନନ୍ଦେ ହରନ୍ତି କଂସରାଜ ଚିତ୍ତ ।

ଅଦୃଷ୍ଟି ଅଶ୍ରୁତି ସେହି କଂସର ସମ୍ପଦ

ଆକାଶ ପୂରି ଉଚ୍ଛୁଳେ ବୀରତୂର ନାଦ ।

ଢୋଲ ଦମା ବିଜିଘୋଷ ଟମକ ନିଶାଣ

ଶବଦ ଯେ ଭୟଙ୍କର ଶୁଭେ ଘନ ଘନ ।

ଯୁକତେ ସେ ବୀରବାଦ୍ୟ ଉଠେ ଅନ୍ତରାଳ

ନବଖଣ୍ଡ ମହୀଗୋଟା ହେଲା ଟଳମଳ ।

ସୁରଲୋକ ପରିଯନ୍ତେ ଉଠିଲା ସେ ଧ୍ଵନି

ଅଦ୍ଭୁତେ ସ୍ଵର୍ଗ କମ୍ପିଲେ ସୁର ସୁରମୁନି ।

ସଭାକରି ବସିଥିଲେ ଇନ୍ଦ୍ର ଦେବରାୟ

ଶବଦ ଶୁଣି ଲାଗିଲା ତାଙ୍କୁ ବଡ଼ ଭୟ ।

ବେଳୁ ବେଳ ଯହୁଁ ତାଙ୍କୁ ଲାଗିଲା ଉଚ୍ଚାଟ

ପୁଚ୍ଛିଲେ ବୃହସ୍ପତିଙ୍କି ଚାହିଁ ସୁରଶ୍ରେଷ୍ଠ ।

ବୋଇଲେ ଗୁରୁ ହେ ଏତ ବିପରୀତ କଥା

ଅକାରଣେ ଲାଗିଲା ତ ମନେ ବଡ଼ ବ୍ୟଥା ।

ଏସନ ଉଚ୍ଚାଟ କେବେ ନ ଥିଲା ତ ହୋଇ

ଅମର ଭୁବନ ଆଜି କମ୍ପେ କାହିଁପାଇଁ ।

କେବଣ ଦାନବ ଅବା ସ୍ଵର୍ଗକୁ ବାହିଲା

କିବା ନାରାୟଣ ଇନ୍ଦ୍ରପଦ ମୋ ଫେଡ଼ିଲା ।

କିବା ମୋର ଦାସଦାସୀ ହୋଇଲେ ନିହତ

କି ଅବା କେଉଁ କନ୍ଦଳ ଏଥେ ହେବ ଜାତ ।

ଏ କଥା ଗୁରୁ ହେ ମୋତେ ସଂକ୍ଷେପିଣ କହ

ତେବେ ମୋ ମନରୁ ଆଜି ଫିଟିବ ସନ୍ଦେହ ।

ବୋଲନ୍ତି ଯେ ବୃହସ୍ପତି ଇନ୍ଦ୍ରମୁଖ ଚାହିଁ

କାଳନେମି ଜାତ ହେଲା କଂସରୁପ ହୋଇ ।

ମଥୁରାରେ ଅଭିଷେକ ହେଲା ରାୟେ କଂସ

ଆଝୁ ସପ୍ତଦ୍ଵୀପା ପୃଥ୍ଵୀ ଗଲା ଜାଣ ନାଶ ।

କଂସର ଭାରା କେମନ୍ତେ ସହିବ ଏ ପୃଥ୍ଵୀ

ଦୁଷ୍ଟପଣେ ସାଧିବ ସେ ସକଳ ନୃପତି ।

ସକଳ ଦେବତା ତୁମ୍ଭେ ହେବ ବଡ଼ ଦୁଃଖୀ

ସ୍ଵର୍ଗ ମଞ୍ଚ ପାତାଳ କେ ନ ପାରିବେ ରଖି ।

ଦୁର୍ବାର ଦାନବ ସେହି ସମସ୍ତ ଗଞ୍ଚବ

ଅମର ବାରସ୍ଵତୀକି ସେ ଭୋଗ କରିବ ।

ସପତଦ୍ଵୀପା ପୃଥ୍ଵୀରେ ହେବ ଦଣ୍ଡଧାରୀ

ପାଦତଳେ ଖଟାଇବ ସବୁ ସାଧ୍ୟ କରି ।

ଅସାଧ୍ୟ ସାଧ୍ୟ କରିବ ସେହି କଂସବୀର

ଚରଣେ ତାର ଖଟିବେ ସବୁ ଦଣ୍ଡଧର ।

ସକଳ ଦେବଗଣଙ୍କୁ ଜିଣିବ ସେ ରଣେ

ଚରାଚର ପୃଥ୍ଵୀ ନାଶ କରିବ ସେ ତେଣେ ।

ଶୁଣ ହୋ ଇନ୍ଦ୍ର କହିଲୁ ତୋତେ ସିଦ୍ଧକଥା

ତେଣୁ ତୁମ୍ଭର ମନକୁ ଲାଗିଲା ଏ ବ୍ୟଥା ।

ବୃହସ୍ପତିର ବଚନେ କହିଲେ ସେ ଶୁକ୍ର

ଭୋ ଗୁରୁ ବିଷ୍ଣୁ ପ୍ରସାଦେ ମୁହିଁ ଦେବ ଚକ୍ର ।

ଅଟନ୍ତି ସେ ଅନୁଗ୍ରନାଥ ଦେବ ସ୍ଵାମୀ

ବେଳେ ବେଳେ ରଖନ୍ତି ସେ ଏ ଅମରଭୂମି ।

ସବୁକାଳେ ଅସୁରେ ତ ଏ ପୃଥ୍ଵୀରେ ଜାତ

ବେଳେ ବେଳେ ନାରାୟଣ କରୁଥାନ୍ତି ହତ ।

ପ୍ରଳୟ କାଳରେ ବ୍ରହ୍ମା ବେଦପୋଥି ଚୋରୀ

କପଟେ ଶଙ୍ଖେ ଅସୁର ନେଲା ତାହା ହରି ।

ନାରାୟଣ ଆଗେ ବ୍ରହ୍ମା ଜଣାଇଲେ ଯାଇଁ

ଶୁଣିଣ ପ୍ରତିଜ୍ଞା କଲେ କମଳାର ସାଇଁ ।

ତକ୍ଷଣେ ମତ୍ସ୍ୟ ରୂପକୁ ଧରି ଦେଇ ହରି

ବ୍ରହ୍ମାଙ୍କର ବେଦପୋଥି ଆଣିଲେ ଉଦ୍ଧରି ।

କଶ୍ୟପଋଷି ନନ୍ଦନ ହିରଣ୍ୟାକ୍ଷ ହେଲା

ଶଙ୍ଖାସୁର ଛଳେ ସୃଷ୍ଟି କରେଣ ଧରିଲା ।

ସପତଦ୍ଵୀପା ସାଗର ଚରାଚର ସୃଷ୍ଟି

ବାମହସ୍ତେରେ ଦାନବ ଧରି କଲା ମୁଷ୍ଟି ।

ତହିଁକି ପୁଣି ରଚିଲେ ନାରାୟଣ ମାୟା

ବରାହରୂପରେ ସ୍ଵାମୀ ବିସ୍ତାରିଲେ କାୟା ।

ଦାନବକୁ ଦେବ କୋପେ ମାଇଲେକ ମୁଥେ

ଦୈତ୍ୟକୁ ମାରି ପୃଥିବୀ ଧଇଲେକ ଦନ୍ତେ ।

ହରିଣ୍ୟକଶିପୁର ସେ ଜ୍ୟେଷ୍ଠଭ୍ରାତା ଥିଲା

ଦୁର୍ବାର ଦାନବ ତାର ତେଜ ଅନର୍ଗଳା ।

ଭ୍ରାତୃ ବଇରୀ ବୋଲି ସେ ବିଷ୍ଣୁ ସଙ୍ଗେ ବାଦୀ

ଚଉଦ ଭୁବନଯାକ ସଂଗ୍ରାମରେ ସାଧି ।

ଲକ୍ଷେ ଚଉଷଠି ଯୂଣ ବିସ୍ତାର ତା ଅଙ୍ଗ

ବଜ୍ର ଶକତି ତହିଁରେ ପଡ଼ି ହୁଏ ଭଙ୍ଗ ।

ପ୍ରହଲାଦ ବୋଲି ତାର ପୁତ୍ରେକ ଜନ୍ମିଲା

ପୂର୍ବଜନ୍ମ ହେତୁରୁ ସେ ହରିଙ୍କି ଭଜିଲା ।

ବିଷ୍ଣୁଙ୍କୁ ସେବା କରଇ ସେହି ଯହିଁ ତହିଁ

ହରିଙ୍କି ବିନୁ ତାହାର ଅନ୍ୟ ଗତି ନାହିଁ ।

ତାହା ଦେଖି ପିତା ତାର ଧଇଲା ବିଖଣ୍ଡ

ଅନେକ ଶାସ୍ତି ଦେଲା ସେ କରି ଖଣ୍ଡ ଖଣ୍ଡ ।

ଶିର ଛେଦି ମାଂସ ତାର ତୂଳା ପ୍ରାୟ କରି

ଗୁଆଘୃତ ଭରି ଅଗ୍ନି ମଧ୍ୟରେ ସଂହରି ।

ମଦିରା ସଙ୍ଗତେ ନେଇ ବାଟିଲା ତା ମାଂସ

କେବେହେଁ ପ୍ରହଲାଦର ନୋହିଲା ବିନାଶ ।

ପୁଣିହିଁ ଶତେକ ବାର ମୁଣ୍ଡ ତାର କାଟି

ହାତ ଗୋଡ଼ ମୁଣ୍ଡ ତାର ପକାଇଲା କୁଟି ।

କୁଟିଣ ବାଟିଲା ପାଟ ମୁଗୁନିର ଶିଳେ

ହାଣ୍ଡିରେ ଭରିଣ ମେଲି ଦେଲା ସ୍ରୋତଜଳେ ।

ତଥାପି ସେ ପ୍ରହଲାଦ ବିନାଶ ନୋହିଲା

ହରି ହରି ବୋଲି ପିତା ସନ୍ନିଧେ ମିଳିଲା ।

ଦେଖିଣ ତାକୁ ଦାନବ ସ୍ତମ୍ଭିଭୂତ ହେଲା

ଆଶ୍ଵସନା କରି ପୁତ୍ର କୋଳେ ବସାଇଲା ।

ହରି ହରି ବୋଲି ପୁତ୍ର କହୁ କିସ ପାଇଁ

ହରି ନ ବୋଲ ପୁତ୍ର ତୁ କହୁଅଛି ମୁହିଁ ।

ମୁଖରେ ଚୁମ୍ବନ ଦେଇ ବୋଲେ ମହାବୀର

ବିଷ୍ଣୁଙ୍କୁ ଛାଡ଼ି ଈଶ୍ଵର ଦେବ ସେବା କର ।

ପ୍ରହ୍ଲାଦ ବୋଲେ ପୃଥ୍ଵୀରେ କର୍ତ୍ତା ହରି ଏକା

ଚରାଚର ବ୍ରହ୍ମାଣ୍ଡରେ ବିଷ୍ଣୁ ଏକା ସଖା ।

ଶୁଣିଣ ଦାନବ ବୀର କୋପଭର ହୋଇ

କ୍ରୋଟ ଅନଳ ଅଗ୍ନିରେ ମେଲିଦେଲା ନେଇ ।

ସେହି କାଳାନଳ ଅଗ୍ନି ଜଳଇ ପ୍ରଚଣ୍ଡ

ଚନ୍ଦନ ଶୀତଳ ଲାଗେ ତାର ଦେହଖଣ୍ଡ ।

ବାରଦିନ ଯାଏ କୁଣ୍ଡେ ଭରିଥିଲା ନେଇ

ତେରଦିନ କୁଣ୍ଡ ଜଳେ ଶୀତଳ ଯେ ହୋଇ ।

ତହିଁରେ ରହି ଭକତ ହରି ସୁମରଇ

ମୁଖେ ହରି ହରି ବୋଲି ବାହାର ହୁଅଇ ।

ଏପରି ଅନେକ ଦଣ୍ଡ ଦଣ୍ଡିଲାକ ରାୟେ

କେବେହେଁ ନାଶ ନୋହିଲା ପ୍ରହ୍ଲାଦର କାୟେ ।

କୋପକରି ବୋଲେ ଦୈତ୍ୟ ପ୍ରହ୍ଲାଦକୁ ଚାହିଁ

କହ ପ୍ରହ୍ଲାଦ ତୋର ବିଷ୍ଣୁ ଅଛି କାହିଁ ।

ପ୍ରହ୍ଲାଦ ବୋଲେ ଭୋ ପିତା ବିଷ୍ଣୁସର୍ବ ବ୍ୟାପୀ

କୀଟୁଁ ବ୍ରହ୍ମ ପରିଯନ୍ତେ ଧାତା ଅଛି ବ୍ୟାପୀ ।

ଜୀବ କି ଅଜୀବ ହରି ସବୁ ଦେହେ ଅଛି

ଶୁଣରେ ପାପ ଦେହୀ ଏ ସ୍ତମ୍ଭରେ ପୁରିଛି ।

ଶୁଣି ପ୍ରଚଣ୍ଡ ଦାନବ ହୋଇ କୋପଚିତ୍ତ

ଅଧର କମ୍ପାଇ ସ୍ଵସ୍ତେ ମାରେ ପାଦଘାତ ।

ତକ୍ଷଣେ ସ୍ତମ୍ଭରୁ ହରି କ୍ରୋଧେ ଅବତରି

ବୁକୁ ବିଦାରିଲେ ସରସିଂହ ରୂପ ଧରି ।

ସେ ପ୍ରହଲାଦର ପୁତ୍ର ବୈରୋଚନ ହେଲେ

ସ୍ତିରୀରୂପ ଧରି ତାକୁ ହରି ବିନାଶିଲେ ।

ବଇରୋଚନର ପୁତ୍ର ହେଲା ରାଜା ବଳୀ

ପୃଥ୍ଵୀ ନ ସହିଲା ଜାଣ ତାହାର ଆର୍ଦୋଳି ।

କପଟେ ତାହାକୁ ଦାନ ମାଗି ଜଗନ୍ନାଥ

ତିନିପାଦ ଭୂମି ଘେନି ଚାପିଲେ ଅନନ୍ତ ।

ପର୍ଶୁରାମ ରୂପ ହରି ଧରି ସନ୍ଥହିତେ

ରେଣୁକା ଗର୍ଭରେ ଜାତ ଦୁଷ୍ଟଙ୍କ ନିମନ୍ତେ ।

ଯମଦଗ୍ନି ମୁନି କୁଳେ ହେଲେ ଅବତାର

ପୃଥ୍ଵୀକି ନିକ୍ଷତ୍ରି କଲେ ଏକୋଇଶ ବାର ।

ରାମ ଅବତାରେ ମାରି ରାବଣର ବଂଶ

ସ୍ଵର୍ଣ୍ଣ ଲଙ୍କାପୁର କଲେ କପି ଘେନି ଧ୍ଵଂସ ।

ବେଳେ ବେଳେ ଲାଗଇ ତ ଦାନବଙ୍କ ଭୟ

ଉପାୟ କରିଣ ହରି କରେ ତାଙ୍କୁ କ୍ଷୟ ।

ତାଙ୍କ ପ୍ରସାଦେ କାହାକୁ ଦେବେ ନ ଡରନ୍ତି

ଶୁକ୍ର ବୃହସ୍ପତି ବସି ଏମନ୍ତ ଭାଳନ୍ତି ।

ଏଥୁଅନ୍ତେ ଶୁଣିମା ନା କଥା ଦିବ୍ୟ ବାଣୀ

ସାବଧାନେ ଶୁଣ ତୁ ହୋ ନୃପ ଚୂଡ଼ାମଣି ।

ମୁର୍ଦ୍ଧା ଅଭିଷେକୀ ଯହୁଁ ହେଲା କଂସରାୟେ

ସାତବଂଶ ଯାଦବ ସେ କଂସକୁ ବିନୟେ ।

ନିଜ ରାଷ୍ଟ୍ର ପରରାଷ୍ଟ୍ର ଯହିଁ ଯଥା ବିଧି

ଆସ୍ଥାନରେ ବସି କଂସ କରେ ସର୍ବସିଦ୍ଧି ।

ଛପନ କୋଟି ଯାଦବ ପରିବାରୀ ପଣେ

କଂସ ରାଜା ସନ୍ନିଧ୍ୟାନେ ଥାନ୍ତି ଅନୁକ୍ଷଣେ ।

ରାଜ୍ୟ ସିଂହାସନ ସବୁ କଂସ ହାତେ ଦେଇ

ରହିଲା ସେ ଉଗ୍ରସେନ ଭୟେ ତୁନି ହୋଇ ।

କଂସର ସାନ ସୁନାସ ନାମେ ମହାବୀର

ଅନୁବ୍ରତେ ଖଟିଥାଇ କଂସର ଛାମୁର ।

ପାତ୍ର ଅମାତ୍ୟ ଯେ ଅଷ୍ଟମଲ୍ଲଙ୍କର ମୂଳେ

ମହୀକି ଭୋଗ କରଇ କଂସ ମତିଭୋଳେ ।

ଗୁପ୍ତେ ଚାରଗଣ ରାତ୍ର ଦିବସ ବୁଲନ୍ତି

ସୁନ୍ଦର ଯୁବତୀ ଦେଖି ବଳେଣ ହରନ୍ତି ।

କଂସ ଛାମୁରେ ଦିଅନ୍ତି ନେଇ ଚାରଗଣ

ଗଉରବ ସ୍ତିରୀଙ୍କୁ ସେ କରଇ ରମଣ ।

ଅତି ସୁନ୍ଦର ଦେଖିଲେ ପୁରେ ରଖେ ଧରି

ପର ସ୍ତ୍ରୀ ପାଇ ଆପଣା ସ୍ତିରୀ ପ୍ରାୟ କରି ।

ପରଧନ ପରସ୍ତିରୀ ବଳାତ୍କାରେ ହରି

ଗାଭୀ ଶୃଙ୍ଗାର କରଇ ବଳେ ଧରି କରି ।

ରାଜାଧିରାଜ ପଣେ ସେ ଅଇରି ଗଞ୍ଚଇ

ଭୁଜବଳ ପରାକ୍ରମେ ପାଦରେ ଖଟାଇ ।

ନିର୍ଦ୍ଦୋଷ ଲୋକଙ୍କୁ ଦୋଷ ଦେଇଣ ମାରଇ

ବିଚାର ନ କରି ବିନା ଦୋଷରେ ଦଣ୍ଡଇ ।

ଅନେକ ସମ୍ପଦେ କଂସ ଭୁଞ୍ଜେ ରାଜପଦ

ସଂଗ୍ରାମେ କେ ସରି ନାହିଁ ତିନିପୁର ମଧ୍ୟ ।

ଦୁଷ୍ଟଜନ ନିବାରଣ କର ଦେବହରି

ଅଚ୍ୟୁତାନନ୍ଦ ଦାସ ଯେ ଶରଣ ତୋହରି ।

 

କଂସର ଦିଗ୍‌ବିଜୟ ଓ ଦୃମିଳ ରାକ୍ଷସ ବଧ

ଏଥୁ ଅନନ୍ତରେ ପୁଣି କେତେ ଦିନ ଗଲା

କରପତ୍ର ଯୋଡ଼ି କେଶୀ ଛାମୁରେ କହିଲା ।

ଯଦୁ ଭୋଜବଂଶେ ତୁମ୍ଭେ ଅଟ ମହାମଲ୍ଲ

ରାଜାଧିରାଜ ଈଶ୍ଵର ଅରି ଉର ଶଲ ।

ବଳବୀର୍ଯ୍ୟ ଲୁଚାଇ କି ଏ ପୁରେ ରହିବା

ଦିଗବିଜେ କରି ରାଜାମାନଙ୍କୁ ଜିଣିବା ।

ଆମ୍ଭ ଅମାନିଆମାନଙ୍କୁ ରଖି ରବିତଳେ

ଅମାନିଆଙ୍କୁ ଯେ ବାନ୍ଧି ଆଣି ଭୁଜବଳେ ।

ରାଜାଙ୍କର ରାଜ୍ୟଧନ ଉଜାଡ଼ି ଆଣିମା

ସନ୍ଧାନ ଦେଲେ ଛାଡ଼ିବା ଧନଦ୍ରବ୍ୟ ସୀମା ।

ସଦମାର୍ଗେ ଯେ ଆମ୍ଭଙ୍କୁ କରିବାକ ସେବା

ତାହା ଆୟ ଆମ୍ଭେ ତାଙ୍କୁ ପଛେ ସମର୍ପିବା ।

ଯେ ରାଜା ଆମ୍ଭଙ୍କୁ ଜାଣ ନ ମାନିବ ଢାଳେ

ତା ରାଜ୍ୟ ଧନ ଛଡ଼ାଇ ଆଣିବାକ ବଳେ ।

ସଂଗ୍ରାମେ ଜିଣି କରିବା ଆମ୍ଭେ ମହୀଭୋଗ

କ୍ଷତ୍ରି ବୃତ୍ତି କରିବାକୁ ହୁଅ ଉଦବେଗ ।

ଯେ ଆମ୍ଭର ସଦବିଦ୍ୟା କୁଶଳକୁ ଛାଡ଼ି

ବଳବୀର୍ଯ୍ୟ ଥାଉଁ ଆମ୍ଭେ ଏଥେ କିପାଁ ପଡ଼ି ।

ଏଥକୁ ଭୀତି ତୁମ୍ଭେ ନ କର ଦୈତ୍ୟରାୟେ

ଦିଗବିଜେ କରିଯିବା ମେରୁ ପାଖଯାଏ ।

ଯୁକତେ ହେଉଛି ଦେଖ ଗ୍ରୀଷ୍ମଋତୁ ଶେଷ

ବରଷା ହେଲାଣି ଆସି ପ୍ରଥମ ଯେ ମାସ ।

ଠାବେଠାବେ ଦେବଲୋକେ ଭୋଜି ତୃଣପାଣି

ଚାଉଳ ପରିବା କରି ବଳଦେ ପଲାଣି ।

କେବଣ ରାଜାର ସୀମା ବସିବାକ ମାଡ଼ି

ଧନ ଭଣ୍ଡାର ସହିତେ ଆଣିମା ଉଜାଡ଼ି ।

ସଙ୍ଗେ ଚଳାଇ ବିମାନ ଖଟ ଆଦିକରି

ବାଣ ବଣିଜାର ସଙ୍ଗେ ଥିବାକ ତୁମ୍ଭରି ।

ଏହିମତେ ଦିଗବିଜେ କରି ଦେବରାୟେ

ପ୍ରଭୁ ତେଜ ବିକାଶିବ ବ୍ରହ୍ମଲୋକ ଯାଏ ।

କେଶୀ ବଚନ ଶୁଣିଣ କଂସ ବିଚାରିଲା

ଯିବା ଚାଲ କେଶୀ ବୋଲି ରାଜା ଆଜ୍ଞା ଦେଲା ।

ସାଜ ସାଜ କେଶୀ ଦଣ୍ଡ ସାଜହୋ ବୋଇଲା

ରାଜାର ଆଜ୍ଞାରେ ସମଦଣ୍ଡ ସେ ସାଜିଲା ।

ବୀରତୁର ଶବଦରେ କମ୍ପିଲା ବ୍ରହ୍ମାଣ୍ଡ

ଦଲ ଦଲ ହେଉଅଛି ପୃଥ୍ଵୀ ନବଖଣ୍ଡ ।

ଭେରି ତୁରୀ ଶଙ୍ଖ ଦମା ମଙ୍ଗଳ ମହୁରୀ

ଟମକ ନିଶାଣ ଢୋଲ ମର୍ଦ୍ଦଳ କାହାଣୀ ।

ବିଜିଘୋଷ ଦାଉଣ୍ଡୀ ଯେ ଅଳା କଢ଼ାବେଣୀ

ବଇଁଶୀ ବୀର କାହାଳୀ ବାଜେ ପୁଣି ପୁଣି ।

ଅଶ୍ଵଙ୍କର ହ୍ରେଷାରବ ହସ୍ତୀ କଣ୍ଠଦାନ

ପ୍ରବଳ ତଡ଼ିବଡ଼ି ଯେ ଅପ୍ରମିତ ଶବ୍ଦ ।

ପାତାଳେ କମ୍ପେ ବାସୁକି ଅହି ସସ୍ରଫେଣୀ

ପାଦଭରେ ଟଳମଳ ହୋଇଲା ଧରଣୀ ।

ଯଦୁ ଭୋଜବଳ ସେହି ଅକତିକ ଥାଟ

ଅନ୍ଧକ ଚୁହାଣ ବିଷ୍ଣୁ ଲୋକ ଯେ ମୁରାଟ ।

ଏମନ୍ତେ ଯେ ସାତବଂଶ ଜାଣ ବିଦ୍ୟାମାନ

ଭୋଜବଂଶରେ ଯେ କଂସ ଅଟଇ ରାଜନ ।

ଅତି ବଡ଼ ଯୋଦ୍ଧା ଯଦୁବଳ ଯେ ଅଟନ୍ତି

ସଂଗ୍ରାମେ ପ୍ରାୟେ ପଛକୁ କେହି ନ ଘୁଞ୍ଚନ୍ତି ।

ବଡ଼ ପ୍ରତାପୀ ଛପନ କୋଟି ଯଦୁବଳ

କାହାକୁ ହିଁ ଶଙ୍କା ନାହିଁ ଅତି ଅନର୍ଗଳ ।

ନବକୋଟି ହସ୍ତୀ ତେରକୋଟି ଯେ ପଦାତି

ପାଞ୍ଚଲକ୍ଷ ତୁରଙ୍ଗମ ଅର୍ବୁଦେକ ରଥୀ ।

ଏତେକ କଂସ ରାଜାର ଅଙ୍ଗବଳ ସୈନ୍ୟ

ବୀର ମର୍ଦ୍ଦନ ସେ ତାକୁ ନୁହନ୍ତି କେ ସମ ।

ଅଷ୍ଟ ରତନ ନିର୍ମାଣ ରଥ ଦିବ୍ୟ ଶୋଭା

ମଧ୍ୟାହ୍ନ ଆଦିତ୍ୟ ପ୍ରାୟ ଦାଉ ଦାଉ ପ୍ରଭା ।

ସୁବର୍ଣ୍ଣ କଳଶ ତହିଁ ରଙ୍ଗବର୍ଣ୍ଣ ଧ୍ଵଜ

ନୀଳମେଘ ବିରାଜେ ବି ବିଜୁଳିର ତେଜ ।

ସୁବର୍ଣ୍ଣର ଛାଏଣୀ ଯେ ପିତୁଳା ବିଶାଳ

ଉଡ଼ନ୍ତି ତହିଁ ମୁକୁତା ତ୍ରୋଣା ମାଳ ମାଳ ।

ଅପୂର୍ବ ଦେବାଙ୍ଗବାସ ଝୀନ ଦିବ୍ୟଜ୍ୟୋତି

ହୀରାର କାଠି ଦର୍ପଣ ଦିଶେ ପନ୍ତି ପନ୍ତି ।

ଚମ୍ପା ଯେ ବକୁଳ ଯୁଈ ଯାଈ ନାଗେଶ୍ଵର

ରଙ୍ଗ ପାଟଝୁମ୍ପା ହାର ଲମ୍ବେ ମାଳ ମାଳ ।

ମୁକୁତା ପରାୟ ପୁଷ୍ପ ସୁବର୍ଣ୍ଣର ଘଣ୍ଟି

ନୀଳା ସଙ୍ଗେ ପୋହଳା କି ମୁକ୍ତା ସଙ୍ଗେ କଣ୍ଠୀ ।

ମାରାଗର ଖମ୍ଵୁ ସବୁ ସ୍ଫଟିକର କାଣ୍ଡ

ଗଦା ମୁଦ୍‌ଗର ପରଶୁ ପଖର କୋଦଣ୍ଡ ।

ଅସିପତ୍ର କମାଣ ଯେ ତୂରୀ ଆଦି କରି

ସ୍ନେହ୍ନା ଯମଦାଢ଼ କାତି କନକର ଛୁରୀ ।

ନାନାଦି ଶସ୍ତ୍ର ଧରିଣ ବୀରବେଶ ହୋଇ

ରଥର ଉପରେ କଂସ ବିଜେ କଲା ଯାଇ ।

ବାହେ ବୀରନେତ ଶିରେ ମୁକୁତା ତ୍ରିଶାଖା

ବିଦ ମୁଦି କଙ୍କଣରେ ଦିବ୍ୟ ଚାରୁରେଖା ।

ଅପୂର୍ବ ଅଶ୍ଵ ବାଛିଣ ଯୋଚିଲା ସାରଥୀ

ପବନ ଗତି ପ୍ରମାଣେ ଅଶ୍ଵଙ୍କର ଗତି ।

ହସ୍ତୀଙ୍କ ପୃଷ୍ଠ ଉପରେ ଯୋଡ଼ି ବଜ୍ରସେହ୍ନା

ତମ୍ଵୁ ସାଜରେ ସାଜେଣି ଫରହର ବାନା ।

କର୍ଣ୍ଣରେ ବଳୟ ସେ ଯେ ଅଷ୍ଟରତ୍ନ କମ

ବିଜୁଳିର ଜ୍ୟୋତି ଜିଣି ବିରାଜଇ ହେମ ।

ସକଳ ଦଉଡ଼ି ପାଟ ସୂତାରେ ବାନ୍ଧେଣି

ହୀରା କୁସୁମ କପାଳେ ବିରାଜଇ ପୁଣି ।

ଆଢ଼େଣି ଆଙ୍କୁଶ ଶ୍ଵେତ ଚାମର ସୁବାସ

ବୀରଘଣ୍ଟି ଘାଗୁଡ଼ିରେ ମଣ୍ଡି ଚଉପାଶ ।

ଆଷାଢ଼େ ଯେହ୍ନେ ଦିଶନ୍ତି ପରବତମାଳ

ଆକାଶମାର୍ଗେ ଧାମନ୍ତି ଯେହ୍ନେ ଘନମାଳା ।

ହସ୍ତୀ ଆରୋହୀ ମାହୁନ୍ତେ ତେମନ୍ତ ଦିଶନ୍ତି

ରଥେ ଚଢ଼ି ରଥୀ ଘନ ପରାୟ ଗମନ୍ତି ।

ଉପମା ଦେବାକୁ ବଳେ ଅବଶ୍ୟ ମୋ ମତି

ବଡ଼ ପ୍ରତାପୀ ଅଟଇ ସେ କଂସ ନୃପତି ।

ରାଉତ ମାହୁନ୍ତମାନେ ଅଶ୍ଵ ଗଜ ଚଢ଼ି

ଯିବାର ତଡ଼ବଡ଼ି କି ମେଘ ଘଡ଼ଘଡ଼ି ।

ରଙ୍ଗ ଟୋପାର ଆଢ଼େଣି ବାଖରର ମୂଳେ

ସମୁଦ୍ର ଲହରୀ ଯେହ୍ନେ ଅତି ଅନ୍ତରାଳେ ।

ପାଇକଙ୍କ ହାତେ ଧନୁ ଆଢ଼ଣି ଯେ ଫରୀ

କୁନ୍ତ କାଣ୍ଡ ଖଣ୍ଡା ଦଣ୍ଡା ସାବେଳି ଆବୋରି ।

କଟିର ବୀରଘଣ୍ଟା ଯେ  କୋଳାହଳ ବାଜେ

ବସନ୍ତ ପାଟପତନୀ ଶିର ପରେ ସାଜେ ।

ବିଭୂତି କାଇମାଟିକି ଚକଟିଣ ସାନ୍ଧି

ନେତ ପଦନୀ ସିନ୍ଧୁଆ ପାଟକରେ ବାନ୍ଧି ।

ରଥ ହାତି ପଦାତିକ ମୁଖରାବ କରି

ଖଞ୍ଜାମୂଳେ ରହିଲେ ଯେ ରାଉତେ ଆବୋରି ।

ସୁନାସ ନାମେ ଯେବଣ କଂସର ଅନୁଜ

ଯୁଦ୍ଧର ନିମନ୍ତେ ବୀର ହେଲା ସଜବାଜ ।

କରେଣ କୋଦଣ୍ଡ ଦାଣ୍ଡ ଦିବ୍ୟବେଶ ହୋଇ

କଂସ ଛାମୁରେ ଦର୍ଶନ କଲା ବୀର ଯାଇ ।

ଉଦ୍ଧବ ଅକ୍ରୁର ଅନାଧୁଷ୍ଟ ଶତଧନୁ

ଶତ୍ରାଜିତ ଯେ ପ୍ରସନ୍ନାଜିତ ବୀରଭାନୁ ।

ବୀରବାହୁ ଯେ ଅଜିତ କଣ୍ଠ ବେଲାଉଳ

ବସୁଦେବ ସୁଦେବ ଯେ ବୀର କ୍ଷେତ୍ରପାଳ ।

କୁମୁଦ ଯେ କଉଶିକ ବଂଶ ଆଦିକରି

ଆପେ ବିଜେ କଂସରାଜା ବୀରବେଶ ଧରି ।

ମଉଡ଼ମଣି ମୁକୁଟ ମଥାରେ ବାନ୍ଧଇ

ନବରତ୍ନ କର୍ଣ୍ଣାଞ୍ଚଳ ସୀମନ୍ତେ ଖଞ୍ଜଇ ।

କର୍ଣ୍ଣେ ବୀରମଲ୍ଲୀ କଣ୍ଠେ ମୁକୁତାର ମାଳେ

ଆବର ମୁକୁତା ଝରା ଲମ୍ଵାଇଲେ ଗଳେ ।

ଜଗଦ୍‌ବଳା ବୀରବର ତୋଡ଼ର ବାହୁଟି

ଭୁଜରେ ଶୋଭିତ ତାର ଲୁହାଧନୁ ଗୋଟି ।

ଦେଖି କମ୍ପିଲେ ବିବୁଧେ ପଳାଇ ଗଗନୁ

ତେଜ ବିକାଶେ ଯେସନେ ସହସ୍ରକ ଭାନୁ ।

ଗଦା ମୃଦୁଗର ବେନି ପାରୁଶରେ ଥୋଇ

ମଙ୍ଗଳ ବେଳେ ବସିଲା ବୀର ରଥେ ଯାଇ ।

ଅଷ୍ଟମଲ୍ଲେ ଯେ ଆବୋରିଛନ୍ତି ବେନି ପାଶ

ଜିଣି ନ ପାରିବେ ଇନ୍ଦ୍ର ହେଲେ ହେଁ ସହସ୍ର ।

ଷଣ୍ଢା ବକା ଅଘା କେଶୀ ଚାଣୁର ମୁଷ୍ଟିକ

ଶକଟା ଧେନୁକା ମୁଳେ ଅଷ୍ଟମଲ୍ଲଯାକ ।

ଏ ଆଠବୀରେ ଅଟନ୍ତି ରଣେ ରଣରଙ୍କା

ବେଦ ଦାନବଙ୍କୁ ସେହି ନ କରନ୍ତି ଶଙ୍କା ।

ଏ ବିଧିରେ ହେଲେ ପୁଣି ସମସ୍ତେ ଯେ ସଜ

ରଥ ପାରୁଶେ ରହିଲେ ମଦମତ୍ତ ଗଜ ।

ଗଜ ପାରୁଶେ ରାଉତ ଏହା ମହାଯୋଦ୍ଧୀ

ରାଉତଙ୍କୁ ଆବୋରିଲେ ସର୍ବେ ଏହି ବିଧି ।

ଏହି ବିଧି ସଇନି ଅଷ୍ଟାଦଶପଦ୍ମ ଲେଖା

ସାତବଂଶ ଯାଦବେ ଯେ ରଣେ ରଣରଙ୍କା ।

ଉଦ୍ଦଣ୍ଡ ଆଲମ୍ଵ ଲକ୍ଷ ଲକ୍ଷ ପାଟଛତି

ନେତ ପାଟର ଚିରାଳ ଉଡ଼େ ପନ୍ତି ପନ୍ତି ।

ସିନ୍ଧୁଘୋଷ ଜିଣି ଶୁଭୁଅଛି ମୁଖନାଦ

ନବଖଣ୍ଡ ମେଦିନୀ ଯେ ହୋଇଲା ସ୍ତବଧ ।

ସୈନ୍ୟଙ୍କ ଉତ୍ସୁକେ ଆପେ କଂସାସୁର ରାୟେ

ପୁଲକିତ ରୋମାବଳି ବିହସିତ କାୟେ ।

ଉଗ୍ରସେନଙ୍କୁ ସମ୍ମୁଖେ ରାଇ ଦେଇ ଦୀକ୍ଷା

ଭୋ ପିତା ଆସିବା ଯାଏ ରାଜ୍ୟ କର ରକ୍ଷା ।

ତୁମ୍ଭ ପ୍ରସାଦେ ପିତା ମୁଁ ଦିଗବିଜେ କରିବି

ସ୍ଵର୍ଗ ମଞ୍ଚ ପାତଳ ମୁଁ ସକଳ ସାଧିବି ।

ଆଜ୍ଞାପାଇ ଉଗ୍ରସେନ ରାଜ୍ୟରେ ରହିଲା

ଶୁଭଯୋଗେ ଘେନି କଂସ ଦଣ୍ଡ ଚଳାଇଲା ।

ଆଷାଢ଼ ଶୁକ୍ଲ ଦ୍ଵିତୟା ବୃହସ୍ପତି ବାର

ବାଣିଜ୍ୟ ନାମେ କରଣ ଭୋଗ ସେ ଦିନର ।

ପୁଷ୍ୟାନକ୍ଷତ୍ର କକଡ଼ା ଚନ୍ଦ୍ର ହୁଏ ଭୋଗ

ବୃହସ୍ପତି ବାର ଚନ୍ଦ୍ର ବିଷକୁମ୍ଭ ଯୋଗ ।

ଉଷାବେଳ ଜାଣି ଗଡ଼ୁ ବାହାରିଲା କଂସ

ଅପ୍ରମିତ ସୈନ୍ୟ ସଙ୍ଗେ ଛନ୍ତି ସାତବଂଶ ।

ପାତ୍ର ମନ୍ତ୍ରୀ ଅଷ୍ଟମଲ୍ଲେ ବେଢ଼ିଛନ୍ତି ସଙ୍ଗେ

ଆଧି ଉପାଧି ବାରତା ଜାଣାନ୍ତି ସେ ବେଗେ ।

ସଧୀରେ କଂସ ରାଜନ ସମଦଣ୍ଡ ବାହି

ଉତ୍ତର ମୁଖେ ଯମୁନା ନଦୀ ପାର ହୋଇ ।

ମାର ମାର ଧର ଧର ଶୁଭେ ମୁଖଧ୍ଵନି

ପାଦଭରେ ଦଲଦଲ ହୁଅଇ ମେଦିନୀ ।

ପାତାଳେ ବାସୁକୀ ଟେକି ନ ପାରଇ ଫେଣି

ଧୂଳି ଉଡ଼ନ୍ତେ ଅଦୃଶ୍ୟ ହେଲେ ଦିନମଣି ।

ଯମୁନା କୂଳୁଁ ଥୋକାଏ ଦୂର କଂସ ଗଲା

ଗୋମତୀ ନଦୀରେ ଯାଇ ପ୍ରବେଶ ହୋଇଲା ।

ଚତରଙ୍ଗ ବଳ ତାର ଯାନ୍ତି ଅତି ବେଗେ

ଶୂରବନ୍ତ ସକତା କେ ନ ମିଳଇ ଆଗେ ।

ଏଥୁ ଅନନ୍ତରେ ଶୁଣ ଅପୂର୍ବ ରହସ୍ୟ

ଦୃମିଳ ଦୈତ୍ୟ ସେ ବନେ ଅଟଇ ନରଶେ ।

ଗୋମତ ପର୍ବତଶିଖେ ବସି ବୀରମଣି

ମନେ ଉଚ୍ଚାଟ ପାଇଲା ମୁଖରାବ ଶୁଣି ।

ତଳକୁ ଚାହିଲା ଦୈତ୍ୟ ନେତ୍ର ସ୍ଥିର କରି

ଦେଖିଲା ସେ ସମଦଣ୍ଡ ଆସିଛନ୍ତି ପୁରି ।

ପ୍ରଚଣ୍ଡ ଘୋର ଶବଦ ମୁଖ ପ୍ରତିଧ୍ଵନି

ପଦାଘାତେ କମ୍ପମାନ ସକଳ ମେଦିନୀ ।

ବେଳୁବେଳ ସୈନ୍ୟ ବେଗେ ଆସୁଛନ୍ତି ମାଡ଼ି

ମହା ମେଘରେ ଯେସନେ ଶୁଭେ ଘଡ଼ଘଡ଼ି ।

ତାହା ଦେଖି ଦାନବର କମ୍ପିଲା ସର୍ବାଙ୍ଗ

କୋପାନଳେ ଯିବାକୁ ସେ ହେଲା ଉଦବେଗ ।

ଗଦାବର ବୁଲାଇ ସେ ଧାଏଁ କୋପାନଳେ

ଧାତିକାରେ ମିଳିଲା ସେ ପର୍ବତର ତଳେ ।

ଅସଂଖ୍ୟ ସୈନ୍ୟ ଆସନ୍ତି ଦେଖଇ ସେ ଆଗେ

ରହ ରହ ବୋଲି ବୀର ଓଗାଳିଲା ରାଗେ ।

ବହୁତ ସୈନ୍ୟ ଦେଖିଣ ସେ ଅସୁରମଣି

ସୈନ୍ୟଙ୍କୁ ଚାହିଁ ପଚାରିଲେ ବୀର ପୁଣି ପୁଣି ।

ବାଳକଭାବ ତୁମ୍ଭର ଜାତିରେ ମାନବା

ବାଟ ନ ଜାଣି ଏ ବାଟେ ଅଇଲ କି ବାବା ।

ମୋର ବନସ୍ତକୁ କିପାଁ ପକାଉଛ ଭାଙ୍ଗି

ନିଶ୍ଚୟ ଯମ ପୋଛିଲା ଜାଣ ତୁମ୍ଭ ପାଞ୍ଜି ।

ନ ଜାଣି ଶତ୍ରୁ ତୁମ୍ଭେ ରେ ହେଲ କି ଆରମ୍ଭେ

ଭଲେ କି ଛାଡ଼ିଦେବୁ ତୁମ୍ଭଙ୍କୁ କି ଆମ୍ଭେ ।

କାଳାନଳ ମୂର୍ତ୍ତି ଆଜି ତୁମ୍ଭଙ୍କୁ ଭେଟିଲା

ଏତେବୋଲି ଦୈତ୍ୟମଣି କୋପରେ ଧାଇଁଲା ।

ଆରେ ମୂଢ଼ ମୋ ପ୍ରତିଜ୍ଞା ଶୁଣିଲ କି ନାହିଁ

ଅକଣ୍ଟକ ବନ ମୋର ଭାଙ୍ଗିଲା କିପାଁଇ ।

ଏହିକ୍ଷଣି ସମସ୍ତେ ରେ ଯିବ ପ୍ରାଣେ ନାଶ

ଏହା କହିଣ ଦାନବ ବହିଲାକ ରୋଷ ।

ଗଦାବର ବୁଲାଇଣ ଧାଇଁଗଲା ରାଗେ

ଯୋଦ୍ଧାଙ୍କ ଉପରେ ଗଦା ପିଟିଲାକ ବେଗେ ।

ହୁଂକାର ନାଦ କରିଣ ଛାଡ଼େ ସିଂହରଡ଼ି

ମେରୁ ମନ୍ଦରଗିରି କି ପଡୁଅଛି ଝଡ଼ି ।

ଦନ୍ତେ ଦନ୍ତ ଚାପି ବୀର ମାରେ ବଜ୍ରମୁଷ୍ଟି

ପଡ଼ି ହସ୍ତୀର ଲଲାଟ ପାଟି ଯାଏ ଫାଟି ।

ରଥକୁ ଧରି କଚାଡ଼େ ରଥର ଉପରେ

ଗର୍ଜିଣ ଦାନବମଣି କମ୍ପେ କୋପଭରେ ।

ଚାରି ପାଖ ଖେଦି ମାରେ ବୀର ବଜ୍ରନାତ

ହାତୀ ରଥୀ ପଦାତିକ ପଡ଼ିଲେ ବହୁତ ।

ଅଶ୍ଵଙ୍କ ଉପରେ ନେଇ ଅଶ୍ଵଙ୍କୁ କଛାଡ଼ି

ବାହାନାଦ କରିଣ ସେ ଛାଡ଼େ ସିଂହରଡ଼ି ।

ବାମକରେ ହସ୍ତୀଙ୍କର ଥୋର ହସ୍ତ ଧରି

ଆରେକ କରେ ମାରଇ ରଦା ପିଟିକରି ।

ଅଶ୍ଵ କଦାତିକ ବଳ ପାଦେ ମରଦଇ

ବିଦ୍ୟୁତ ଜ୍ୟୋତି ପରାୟ ଗଗନେ କ୍ଷେପଇ ।

ବେଳକୁ ବେଳ କୋପରେ ଦିଶଇ ଉଜ୍ଜ୍ଵଳ

ଅଧରେ ଦାନ୍ତକୁ ଚାପି ଧାଏଁ ମହାବଳ ।

କାମରୂପୀ ଦଇତ ସେ ଜାଣେ ନାନାମାୟା

ମନ୍ଦର ଗିରି ସମାନେ ବଢ଼ାଇଛି କାୟା ।

ଆକାଶ ମାର୍ଗରେ ତାର ମଥା ଲାଗେ ଯାଇ

ଦେଖି ଦେବେ ସ୍ଵର୍ଗୁ ଡରେ ଗଲେ ଆଡ଼ ହୋଇ ।

ମହାଶାଳତରୁ ପ୍ରାୟ ଦିଶଇ ତା ଭୁଜ

ଦୀର୍ଘରେ ସେ ଚାରିଗୁଣ ଅଙ୍ଗଳିକି ଗୋଜ ।

ଉଡ଼ନ୍ତା ପର୍ବତ ପ୍ରାୟ ଦିଶେ ପାଦବେନି

ଚକ୍ଷୁଦୁଇ ରଙ୍ଗବର୍ଣ୍ଣ ଜଳଇ କି ବହ୍ନି ।

ରଟମଟ ବେନି ପାଟି ଭୟଙ୍କର ଦିଶି

ଯାଦବବଳ ପଳାଇ ଗଲେ ରଣେ ତ୍ରାସି ।

ଲହଲହ ଜିହ୍ଵା ଅତି ଭୟଙ୍କର ମୂର୍ତ୍ତି

ନିର୍ଧୂମ ଅନଳ ପ୍ରାୟ ବିରାଚଇ ଜ୍ୟୋତି ।

ନିଃଶ୍ଵାସର ବାତେ ରଥ ଗଜ ଯେ ଉଡ଼ନ୍ତି

ଅନେକ ଦୂରରେ ଯାଇ ଭୂମିରେ ପଡ଼ନ୍ତି ।

ଅନେକ ସୈନ ମାଇଲା ସେହି କୋପଭରେ

ହାତୀ ରଥୀ ପଦାତିକୁ ମର୍ଦ୍ଦଇ ହସ୍ତରେ ।

ପଦାଘାତରେ କାହାକୁ କରେ ମସିଗୁଣ୍ଡା

ରଣ ଧନ୍ଦୋଳ କରିଣ କମ୍ପାଇ ପ୍ରଚଣ୍ଡା ।

ଭୈରବ ମୁରତି ଧରି ଧାଏଁ ମହାରୋଷେ

ଭୟରେ ଯାଦବ ବଳ ନ କହନ୍ତି ପାଶେ ।

ରକତେ କର୍ଦ୍ଦମ ହେଲା କେଡ଼େ ମହୀସ୍ଥଳି

ନିରନ୍ତରେ ମଡ଼ାପରେ ମଡ଼ା ପଡ଼େ ଢଳି ।

ନିର୍ଦ୍ଦୟ ନରପେକ୍ଷ ସେ ଅସୁରର ଅଙ୍ଗ

ମାରଇ ପଦାଘାତରେ କରି ରଣରଙ୍ଗ ।

ପଳାନ୍ତି ପଛକୁ ଡରେ ନ ଚାହାନ୍ତି କେହି

ଅସମ୍ଭାଳ ହୋଇଲାକ ସବୁଙ୍କରି ଦେହୀ ।

ସୁନାସ ନାମେ ଯେ କଂସବୀର ସାନଭାଇ

ଡାକିଲା ସୈନ୍ୟ ମୁଖକୁ ଚାହିଁ ଶବଦାଇ ।

ରହ ରହ ବୋଲି ବୀର ଓଗାଳିଲା ଯାଇଁ

ଦୈତ୍ୟର ଛାମୁରେ ରଥ ଟେକିଲାକ ନେଇ ।

ଅନର୍ଗଳ ଧନୁଶର ଧରି ଉଗ୍ରସେନି

ଧାତିକାରେ ମାଇଲା ସେ ଶକ୍ତି କରେ ଘେନି ।

ବେନିଶତ ବାଣ ପୁଣି ବସାଇଲା ଗୁଣେ

ଦାନବର ଉପରକୁ ବିନ୍ଧେ ଅତିଟାଣେ ।

ହାତର ଛଟକେ ବୀର ପଞ୍ଚସସ୍ର ବାଣ

ରେରେକାର କରି ଡାକିହାକି ବିନ୍ଧେ ପୁଣ ।

ଅର୍ଦ୍ଧ ନିଶ୍ଵାସକେ ବାଣ ସନ୍ଧି ବିନ୍ଧେ ଲକ୍ଷେ

ବିନ୍ଧନ୍ତେ ବାଣ ତାହାର ଗଲା ଅନ୍ତରୀକ୍ଷେ ।

ଅପ୍ରମିତ୍ର ବାଣ କୋପେ ପେଷି ମହାବଳୀ

ଆକାଶ ଅଦୃଶ୍ୟ ହେଲେ ଦେବ ଅଂଶୁମାଳି ।

ଦେଖିଣ ଦୃମିଳାସୁର ମୃଦ୍‍ଗର ବୁଲାଇ

ବାଣ ଆସନ୍ତେ ସେ ବୁକୁ ପାତିଲାକ ନେଇ ।

ସୁନାସର ବାଣମାନ ଦୈତ୍ୟ ଅଙ୍ଗେ ପଡ଼ି

ଭଇରବ ରୂପ ଧରି ଛାଡ଼େ ସିଂହ ରଡ଼ି ।

ଥୋକାଏ ବାଣ ନିଶ୍ଵାସ ବାତେ ଗଲା ଉଡ଼ି

ଥୋକାଏ ଦଇତ୍ୟ ଦେହେ ବାଜି ପଡ଼େ ଝଡ଼ି ।

ସୁନାସ ଛାମୁରେ ଦୈତ୍ୟ ମିଳିଲାକ ଆସି

ରାହୁଗ୍ରହ ଗ୍ରାସିଲା କି ଆସି ରବି ଶଶୀ ।

ଗଦାବର ବୁଲାଇଣ ପିଟିଲା ପ୍ରଚଣ୍ଡ

ସୁନାସର ରଥ ଭାଙ୍ଗି ଦେଲା ମସିଗଣ୍ଡ ।

ସାରଥି ତାହାର ମଲା ଚାରି ଅଶ୍ଵ ମଲେ

ସୁନାସ ରଥରୁ ଡେଇଁ ଉଭା ଭୂମିତଳେ ।

ବିରଥ ହୋଇଲା ସେହି ଉଗ୍ରସେନ ବଳା

ଧାତିକାରେ ଧରିଲା ସେ ଖଡ଼ଗର ଫଳା ।

ଅସିପତ୍ରକୁ ବୁଲାଇ ଧାଇଁ ଯାଇଁ ବେଗେ

ଦାନବ ଶରୀରେ ବୀର ମାରେ ଅତି ରାଗେ ।

ଦେଖି ଦୃମିଳ ପାତିଲା ନେଇ ତାର ମୁଣ୍ଡ

ଶିରେ ବାଜି ଅସିପତ୍ର ହେଲା ଶତଖଣ୍ଡ ।

ନିସତ ହୋଇଲା କଂସ ଅସୁର ଅନୁଜ

ବାଳ ଧରି କାଖେ ତାକୁ ଯାକିଲା ଦନୁଜ ।

ବକକୁ ଘେନି ଯେସନ ଦିଶଇ ଶାମଳ

ଚଉକତି କ୍ଷେପଇ ସେ ଦୈତ୍ୟ ଅନର୍ଗଳ ।

ଗତଆତ୍ମା ହୋଇ ଉଗ୍ରସେନର ନନ୍ଦନ

ରୁଧିର ବହଇ ନବଦ୍ଵାରୁ ଘନ ଘନ ।

ସୁନାସ ପାଖେ ଯେତେକ ଯଦୁବଳ ଥିଲେ

ରଣେ ଭଙ୍ଗ ପାଇ କଂସ ଛାମୁରେ କହିଲେ ।

ଯଦୁ ଭୋଜବଂଶେ ତୁମ୍ଭେ ଅଟ ଗୁଣନିଧି

ଅଖଡ଼େ ହରାଇ ଦେଲା ଏଡ଼େକ ସମୃଦ୍ଧି ।

ଭାଇ ତୁମ୍ଭର ସୁନାସ ପ୍ରାଣେ ଯିବ ନାଶ

ଜୀବନ୍ତା ବନ୍ଧନ କରି ନେଉଛି ରାକ୍ଷସ ।

ଦେଖ ଦେଖ ବୀରବର ଆସୁଅଛି ମାଡ଼ି

ଦୃଷ୍ଟି ନ ଦେଲେ ଖାଇବ ସବୁ ବେକ ମୋଡ଼ି ।

ବହୁତ ସୈନ୍ୟ ମାରି ସେ ଗୋଡ଼ାଇଛି ରାଗେ

ମହା ମହା ରଥୀ କେହି ନ ରହିଲେ ଆଗେ ।

ଚାଲ ଚାଲ ରାଜନ ହୋ ଏଥୁ ପଳାଇବା

ଅସୁର ଛାମୁରେ ପଡ଼ି କେହି ନ ବର୍ତ୍ତିବା ।

ଦେଖ ହେ ଭୂପାଳ ଆସେ ସେ ରାକ୍ଷସ ମାଡ଼ି

ଚାଲ ଯିବା ଏଥେ ଥିଲେ ଦେବ ଶିରମୋଡ଼ି ।

ଯଦୁ ଭୋଜବଂଶରେ ହେ ଅଟ ଶିରୋମଣି

ମଥୁରାପୁର କଟକେ ତୁମ୍ଭେ ଯେ କାରେଣି ।

ରାଜାଙ୍କର ପୁତ୍ର ତୁମ୍ଭେ ରାଜ୍ୟେ ଅଧିକାରୀ

ପିତ ଥାଉଁ ଥାଉଁ ହେଲ ତୁମ୍ଭେ ଦଣ୍ଡଧାରୀ ।

ଯଦ୍ୟପି ଏଠାରେ ଆଜି ପାଇବା ଅଯଶ

ଉଗ୍ରସେନ ହିଁ ଆମ୍ଭଙ୍କୁ କରିବ ଯେ ନାଶ ।

ଆପଣା ଜୀବନ କେହି ନୁହନ୍ତି କାହାରି

ଦାନବବର ନ ଆସୁ ଯିବା ବେଗ କରି ।

ଏହା ଶୁଣି କେଶୀ ହସେ ନାକେ ହାତଦେଇ

ହସିଣ ଉଠଇ କଂସ ଟହ ଟହ ହୋଇ ।

କଂସ ରାଜା ବୋଲଇ ନ ଜାଣ ତୁମ୍ଭେ କିଛି

ଜାତ ହୋଇଲେ ଅବଶ୍ୟ ଏଥେ ମୃତ୍ୟୁ ଅଛି ।

ଜନମ ମରଣ ଏହି ସଂସାର ବେଭାର

ଦେହ ବହି ମଞ୍ଚେ କେହି ନାହିଁ ଅଜ୍ରାମର ।

କୀଟୁ ବ୍ରହ୍ମ ପରିଯନ୍ତେ ଯେତେ ଜାତ ହୋଇ

ଯେ ଯାହାର ବେଳକାଳ ଜାଣି ସଂହରଇ ।

ଦେବତାର ଭିଆଣ ଏ ସଂସାର କାରଣ

ଜନ୍ମ ହୋଇଲେ ଅବଶ୍ୟ ଲଭଇ ମରଣ ।

ସଂସାରେ ଜାତ ହୋଇ କି ମରଣକୁ ଭୟେ

ନିସତ ହେଲେ କି ହେବ ଅଜ୍ରାମର କାୟେ ।

ଜାତ ହୋଇଲେ ଲୋକରେ ଅବଶ୍ୟ ମରିବା

ଅର୍ଜିଲାର କର୍ମଫଳ କିପାଇଁ ଡରିବା ।

ନିସତେ ବଞ୍ଚିବାର ହୋ କିଛି ନୋହେ ସୁଖ

ନିଶ୍ଚୟ ପଡ଼ିଲା ଯେବେ ଭାଇ ଦୈତ୍ୟ ମୁଖ ।

କ୍ଷତ୍ରୀ ହୋଇଣ ଯଦ୍ୟପି ସଂଗ୍ରାମେ ଡରିବ

ବ୍ରାହ୍ମଣ ହୋଇଣ ଯେବେ ବେଦ ନ ପଢ଼ିବ ।

ରୋଗୀ ହୋଇଣ ବୈଦ୍ୟକୁକରେ ଯେବେ ରୋଷ

ସେବକ ହୋଇ ସ୍ଵାମୀର ଯେବେ ଅବିଶ୍ଵାସ ।

ବୈଷ୍ଣବ ହୋଇଣ ଯେବେ ହେବ କ୍ରୋଧଧାରୀ

କୁଳସ୍ତିରୀ ହୋଇ ଯେବେ ହୋଇବ ଦୋଚାରୀ

ସଭାପଣ୍ଡା ହୋଇ କହେ ସଭାମଧ୍ୟେ ମିଛ

ରାଜା ହୋଇ କରେ ଯେବେ ପ୍ରଜାଙ୍କୁ ଅରକ୍ଷ ।

ଶିଷ୍ୟହୋଇ ଯେବେ ଗୁରୁ ନିନ୍ଦେ ମତିଭୋଳେ

ଏମାନେ ନର୍କେ ପଡ଼ନ୍ତି ଜାଣ ଅନ୍ତଃକାଳେ ।

ଭୋଜବଂଶ କ୍ଷତ୍ରୀ ଆମ୍ଭେ ଅଟୁ ଜଗଜ୍ଜିତା

ମଥୁରାଧିପତି ଉଗ୍ରସେନ ଆମ୍ଭ ପିତା ।

ଆମ୍ଭର ଉପର ବଂଶେ ଯେତେ ରାଜା ଥିଲେ

ଯୁଦ୍ଧେ ପ୍ରାଣ ହରାଇଣ କୀର୍ତ୍ତି ରୁହାଇଲେ ।

ପାଣିର ଭିତରେ ଯେହ୍ନେ ପାଣି ବିମ୍ବ ଫୁଟି

ତେସନ ସଂଜାତ ଏହି ପଞ୍ଚଭୂତ ଗୋଟି ।

ଯଦ୍ୟପି ସଂଗ୍ରାମେ ଆଜ ଦନୁଜ ମାରିବା

ଜମ୍ବୁଦ୍ଵୀପ ଅକଣ୍ଟକ କରିଣ ଭୁଞ୍ଜିବା ।

ଆମ୍ଭେ ଯେବେ ସଂଗ୍ରାମରେ ହେବା ପ୍ରାଣେନାଶ

ରଣଯଜ୍ଞ କରି ସୁଖେ ଯିବା ସ୍ଵର୍ଗବାସ ।

ଏତେ କହି କଂସ ତାର ସୈନ୍ୟ ପଛ କରି

ରଥରେ ସେ ବିଜେ କଲା ଧନୁଶର ଧରି ।

କହୁଁ କହୁଁ କଂସ ଧାଇଁଗଲା ଅତିବେଗେ

ଘୋର ଦାନକରି ଉଭା ହେଲା ଦୈତ୍ୟ ଆଗେ ।

କେତୁ ମଙ୍ଗଳ ପରାୟ ଦିଶେ ତାର ତେଜ

ମେରୁ ଗିରି ଘୋଟିଲା କି ଐରାବତ ଗଜ ।

ରେ ରେ କାର କରି ବୀର ଧାଇଁ ଯାଇବେଗେ

କଂସ ଉପରେ ପିଟିଲା ଗଦା ବଇରାଗେ ।

ଜାଣିଣ ସାରଥି ତାର ରଥ ହେଲା ଚାଳି

ତେଡ଼େ ବଡ଼ ଗଦା ଗଲା ଭୂମିରେ ଯେ ଗଳି ।

କହୁଁ କହୁଁ ଧାଇଁ ଯାଇ ଦୈତ୍ୟ ପଡ଼େ ମାଡ଼ି

ଭୂମିରୁ ଗଦା ତୋଳନ୍ତେ ହସ୍ତୁ ପଡ଼େ ଝଡ଼ି ।

ଗଦା ଭଗ୍ନ ହେବା ଦେଖି ଦୈତ୍ୟ ମହାବଳୀ

ବୃକ୍ଷେକ ଉପାଡ଼ି ବେଗେ ମାଇଲାକ ତୋଳି ।

କଂସ ସାନଭାଇ ଉଗ୍ରସେନ ସାନ ବତ୍ସି

ସେ ସୁନାସକୁ ଦୃମିଳ କାଖେ ଯାକି ଅଛି ।

ଆପଣା ଚକ୍ଷୁରେ ତାହା ଦେଖି କଂସରାୟେ

କ୍ରୋଧେ କମ୍ପିଲା ତାହାର ଶିରୁ ପାଦଯାଏ ।

ଭାଇର ଦୁର୍ଦ୍ଦଶା ଦେଖି କଂସାସୁର ବୀର

ଧାତିକାରେ ଧଇଲାକ ଲୋହ ଧନୁଶର ।

ତିନି ସହସ୍ର ନାରାଚ ଗୁଣରେ ବସାଇ

ମନ୍ତ୍ରବଳେ ବାଣ ଚଳେ ବେଗଗତି ହୋଇ ।

ପୁଣି ପାଞ୍ଚ ଲକ୍ଷ ବାଣ ଘେନି ଏକମୁନା

ପେଷନ୍ତେ ଫୁଟିଲା ଦେତ୍ୟବର ବଜ୍ରସେହ୍ନା ।

ହସ୍ତେ ପୁଣି ଦଶବାଣ ବ୍ୟଗ୍ରକରି ଧରି

ଅଧର ପୃଷ୍ଠ କରିଣ ମାରେ କୋପ କରି ।

ବେଳୁ ବେଳ କୋପଭର ହୋଇ ମହାବଳୀ

ପଞ୍ଚାଶତ ବାଣ ପୁଣି ମାରେ ମନ୍ତ୍ରି କରି ।

ଲକ୍ଷେକ ବାଣ ମାଇଲା ପୁଣି ଗୁଣେ ଯୋଚି

ସହସ୍ରେ ବାଣ ମାଇଲା ଧନୁକୁ ଆମଞ୍ଚି ।

ହୁଂକାର ଧ୍ଵନି କରିଣ ମାରେ ବାରମ୍ବାର

ଗଗନେ ଅଦୃଶ୍ୟ ହେଲେ ଦେବ ଦିନକର ।

କକଡ଼ା ମାସେ ବରଷେ ଯେହ୍ନେ ଜଳଧର

ତେହ୍ନେ ବାଣ ବୃଷ୍ଟିକରେ କଂସ ମହାବୀର ।

ଏକ ନିଶ୍ଵାସେ ସହସ୍ରେ ବାଣ ସେ ସନ୍ଧଇ

ଘୋର ନାଦକରି ବେଗେବେଗେ ସେ ବିନ୍ଧଇ ।

ବଡ଼ ପ୍ରତିଜ୍ଞାବନ୍ତ ସେ ଉଗ୍ରସେନ ବଳା

ସଂଗ୍ରାମ ବୀରଧୂ ଯାର ତେଜ ଅନର୍ଗଳା ।

କୋଟି କୋଟି ବୀରଙ୍କୁ ସେ କୀଟ ପ୍ରାୟେ ମଣେ

ରାକ୍ଷସ ମାତ୍ର କି ସରି ହେବ ତାକୁ ରଣେ ।

ପୂର୍ବର ଶାପ ତାହାକୁ ପାପକର୍ମ ଯୋଗେ

ନିଜ ପୁତ୍ର ହସ୍ତେ ମୃତ୍ୟୁ ଅଛି ତାର ଭାଗ୍ୟେ ।

ପିତା ପୁତ୍ର ବୋଲି ପୁଣି ନ ଜାଣନ୍ତି କେହି

ନିରତେ ଶର ପଡ଼ଇ ଦନବର ଦେହୀ ।

ଅପୂର୍ବ ବୀର କେ ଦୁଇ କଲେ ରଣରଙ୍ଗ

ରକତ ବର୍ଣ୍ଣ ଦିଶଇ ଦୁହିଁଙ୍କର ଅଙ୍ଗ ।

ସୁନାସ କୁମରକୁ ସେ କାଖେ ଯାକିଥିଲା

ସଂଗ୍ରାମ କରନ୍ତେ କଂସ ତାହାକୁ ଦେଖିଲା ।

ବାବଲ ବାଣ ବିନ୍ଧନ୍ତେ କାଖେ ଗଲା ଗଳି

ପୀଡ଼ା ପାଇ ସୁନାସକୁ ଛାଡ଼େ ମହାବଳୀ ।

ଉଗ୍ରସେନର ନନ୍ଦନ ଚଳେ ଧାତିକାରେ

ତୁରିତେ ମିଳିଲା କଂସ ରାଜାଙ୍କ ଛାମୁରେ ।

ବେନି ଭାଇଙ୍କର ଦେଖି ଦେଖି ଏକସଙ୍ଗେ

କୋପଭର ହୋଇ ଦୁହେଁ କଲେ ରଣରଙ୍ଗେ ।

ଅନେକ ନାରାଚ ବିନ୍ଧେ କଂସ ମହାବୀର

ଅଷ୍ଟମଲ୍ଲ ଆଦିକରି ହୋଇଲେ କାତର ।

ଆକାଶେ ଥାଇ ଦେଖନ୍ତି ରଣ ଦେବଗଣ

ପିତା ପୁତ୍ରଙ୍କର ହେଲା ଅସଂକ୍ଷେପ ରଣ ।

ଏସନ ସଂଗ୍ରାମ କାହିଁ ନ ଦେଖି ଦୃମିଳ

ଆନନ୍ଦ ମନେ କହଇ ହୋଇଣ ପ୍ରଫୁଲ୍ଲ ।

କେଉଁ ଭାଗ୍ୟେ ଉଗ୍ରସେନ କଲା ତୋତେ ଜାତ

ଧନ୍ୟ ଧନ୍ୟ ତୋହର ହୋ ଗର୍ଭଧାରୀ ମାତ

ଭୋଜବଂଶରେ ଜାଣଟି ଯେତେ ରାଜା ହେଲେ

ଏଡ଼େ ବିଖ୍ୟାତ ହୋଇ କେ ଏମନ୍ତ ନ କଲେ ।

ନିଶ୍ଚୟ ମଥୁରା ରାଜ୍ୟ ଏଠାରୁ ସରିଲା

କଂସର ପରାଣ ମୋର ହସ୍ତରେ ପଡ଼ିଲା ।

ଏ କଥା ଯହୁଁ ଶୁଣିଲେ ଯଦୁବୀରମାନେ

କୋପାନଳେ ମାଇଲେ ସେ ବାଣ ଅନୁକ୍ଷଣେ ।

ନିଶ୍ଵାସକେ ବାଣ କଂସ ବିନ୍ଧେ କୋଟି କୋଟି

କଥା କହୁ କହୁ ବାଣ ଆସଇ ଯେ ଘୋଟି ।

ନିରନ୍ତରେ ପଡ଼ଇ ସେ ଯେହ୍ନେ ଜ୍ୟୋତିମାଳେ

ପୃଥିବୀଯାକ କମ୍ପିଲା କଂସ ଦର୍ପବଳେ ।

ଏମନ୍ତ ଦେଖି ଦୃମିଳ ଚକିତ ହୋଇଲା

ଧନ୍ୟ ଧନ୍ୟ କ୍ଷତ୍ରି ବୋଲି ବହୁ ପ୍ରଶଂସିଲା ।

କାହାର ନନ୍ଦନ ତୁହି ଅଟୁ କାହା ବଂଶ

ରଣେ କପାଇଁ ତୁ ମୋର ପୁଅ କଲୁ ଧ୍ଵଂସ ।

ଅକସ୍ମାତେ ଶତ୍ରୁହେଲୁ ପୂର୍ବୂ ନୋହୁ ବାଦୀ

ଅକାରଣେ କାହିଁପାଇଁ ହେବୁ ଶିରଚ୍ଛେଦି ।

ଅପୂର୍ବ ବନଗୋଟି ମୋ କଲୁ କିପାଁ ନାଶ

କେବଣ କୁଳରେ ଜାତ କେବଣ ପୁରୁଷ ।

ଅନେକ କାଳରୁ ମୁହିଁ ଏଥେ ଥାଇ ରହି

ଏ ରାଜ୍ୟରେ ପଶିଲୁରେ କହ କାହିଁପାଇଁ ।

ଦୃମିଳ ବାଣୀ ଶୁଣିଣ ବୋଲେ ବୀର କଂସ

ଉଗ୍ରସେନ ରାଜା ଅଟେ ଭୋଜ ଜଦୁବଂଶ ।

ତାହାର ନନ୍ଦନ ମୁହିଁ ଅଟେ ଜଗଜ୍ଜିତା

ପବିତ୍ର ଭୋଜବଂଶୀ ଯେ ଇନ୍ଦୁମତୀ ମାତା ।

ପିତା ଉଗ୍ରସେନ ମୋତେ ରାଜ୍ୟଭାର ଦେଲା

ନବଖଣ୍ଡ ମହୀଭାଗେ ଅଭିଷେକ କଲା ।

ମଥୁରା ରାଜ୍ୟରେ ମୋତେ କଲାକ କାରେଣି

ଛପନ କୋଟି ଯାଦବ ପରେ ଶିରୋମଣି ।

ପିତାର ଆଜ୍ଞାରେ ମୁହିଁ ନୃପତି ହୋଇଲି

ଦେବ ଦାନବ ଜିଣିବା ପାଇଁ ବିଜେ କଲି ।

ସଙ୍ଗତରେ ଅଷ୍ଟମଲ୍ଲ ଅଛନ୍ତି ମୋ ସଖା

ସ୍ଵର୍ଗ ମଞ୍ଚ ପାତାଳ ମୁଁ ଜିଣିପାରେ ଏକା ।

ତୁ କିପାଇଁ ପଥ ମୋତେ ନିରୋଧୁଛୁ ଆସି

ଜାଣି ଗଳାରେ ଲଗାଉଅଛୁ କାଳଫାଶୀ ।

ପ୍ରଥମ ଅନୁକୂଳେ ତୁ କଲୁ ଯେ ବିଖଣ୍ଡ

ଏହିକ୍ଷଣି ତୋର ଛେଦି ପକାଇବି ମୁଣ୍ଡ ।

ଏହା ଶୁଣି ଦାନବ ଯେ ହର୍ହସିତ ହୋଇ

କଂସ ମୁଖ ଚାହିଁ କାନ୍ଦେ ଉଚ୍ଚେ ଶବଦାଇ ।

ଦୃମିଳ ବୋଲଇ ବାବୁ ଶୁଣ ସିଦ୍ଧକଥା

ତୁ ମୋହର ପୁତ୍ର ଅଟୁ ମୁଁ ତୋହର ପିତା ।

ଯେବଣ ପ୍ରକାରେ ତୁହି ହୋଇଲୁରେ ଜାତ

ତଦନ୍ତ କରି ଜାଣଇ ଏହା ତୋର ମାତ ।

ମକର ସଂକ୍ରାନ୍ତି ଦିନ ଶୁଦ୍ଧସ୍ନାନ କାଳେ

ଇନ୍ଦୁମତି ସ୍ନାନକରି ଉଠିଲାକ କୂଳେ ।

ତାର ମୁଖ ଚାହିଁ ଚାହିଁ କାମେ ବଶ ହେଲି

କାମଦେବ ଜ୍ଵାଳାକୁ ଯେ ସହି ନ ପାରିଲି ।

ଜଳନ୍ଧର ଦିବ୍ୟାବେଳେ ଜାଣେ କୂଟମାୟା ।

କପଟରେ ଧରିଲି ମୁଁ ଉଗ୍ରସେନ କାୟା ।

ଜଳଘାଟେ କଲି ତାର ସଙ୍ଗତେ ବିହାର

ସେହି ସଂଯୋଗେ ରହିଲୁ ଗର୍ଭରେ ତାହାର ।

କେହି ନ ଜାଣନ୍ତି ଅତି ଗୁପତ ଏ କଥା

ଏକା ଜାଣଇ ତୋହର ଗର୍ଭଧାତା ମାତା ।

ତୁମ୍ଭେ ମୋର ପୁତ୍ର ବାବୁ ମୁଁ ତୁମ୍ଭ ପିଅର

ଏ ବଚନ ଗୋଟି ବାବୁ ଅଟେ ନିରାଧାର ।

ଯଦି ଉଗ୍ରସେନ ରାଜା ବୀର୍ଯ୍ୟେ ଜାତ ହେଲୁ

ଏଡ଼େ ବଡ଼ ପରାକ୍ରମ କିପରି କହିଲୁ ।

ଏ ମୋହର ରେତେ ଜାତ ହେଲୁ ପୁତ୍ରଗୋଟି

ସଂଗ୍ରାମେ ଜିଣିଲୁ ତେଣୁ ସପ୍ତଦ୍ଵୀପା ସୃଷ୍ଟି ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳ ତୁ କରିବୁ ରେ ସାଧ୍ୟ

ଜିଣନ୍ତା ନୋହିବେ କେହି ଚରାଚର ମଧ୍ୟ ।

ଏ ତୋହର ରୂପ ଦେଖି ହୋଇଲି ମୁଁ ବଶ

ଏ ଜନ୍ମ ଦୃଷ୍କୃତ ମୋର ହେଲା ଆୟୁନାଶ ।

ନ ଜାଣି ପିତା ପୁତ୍ରରେ ହୋଇଲାକ ରଣ

ତୋର ରୂପ ଦେଖି ପୁତ୍ର ପାଇଲି କାରଣ ।

ଦୃମିଳ ବଚନ ଶୁଣି କଂସ ମହାବୀର

ଅଧର କମ୍ପାଇ କୋପେ କରଇ ଉତ୍ତର ।

ପୁଚ୍ଛ ମାଡ଼ିଲେ ଯେସନେ ଗର୍ଜେ କାଳସର୍ପ

କଂସ ବୋଇଲା ତୋହର ହେଲା ଏଡ଼େ ଦର୍ପ ।

ଅସୁର ନିଲକ୍ଷଣତୁ ଅଟୁରେ ପାମର

ଏକ୍ଷଣି ପ୍ରାଣ ଘେନିବି ତୋର ନିଶାଚର ।

ଆଜି ତୋ ପ୍ରାଣେ କେ ଆସି ରଖୁ ରତିଚୋର

ଏକ୍ଷଣି ଘେନିବି ଆରେ ଜୀବନ ତୋହର ।

ଏଡ଼େ ବଡ଼ ଲଜ୍ଜାକଥା କହିଲୁ ରେ ମୋତେ

ଅନେକ ଦଣ୍ଡ ଦେବଇଁ ମାରିବଇଁ ତେତେ ।

ଯଦି ଦିଗପାଳେ ପକ୍ଷ ହେବେ ଚନ୍ଦ୍ର ସୂର୍ଯ୍ୟ

ଇନ୍ଦ୍ର ଆଦିକରି ତୋତେ ମାରିବଇଁ ଆଜ ।

ଦେବ ଗନ୍ଧର୍ବ ସହିତେ ଯେ କରିବ ରକ୍ଷା

ଅବଶ୍ୟ ମାରିବି ତାକୁ ତୋତେ ଏ ମୋ ଦୀକ୍ଷା ।

ଏହା କହିଣ ନାରାଚ ପେଷେ ବୀର କଂସ

ତୋତେ ମାଇଲେରେ ମୋର ନାହିଁ କିଛିଦୋଷ ।

ତିଳ ପ୍ରମାଣ କରି ମୁଁ କାଟିବି ତୋ ମାଂସ

ଦୃମିଳ ବୋଲି ପୁତ୍ର କ୍ଷମାକର ଦୋଷ ।

ମୋହର ରେତରୁ ତୁହି ହୋଇଛୁ ଜନମ

ମୋତେ ନାଶ କଲେ ତୋର ଯିବ ସବୁ ଧର୍ମ ।

କଂସ ବୋଲେ ରେ ପାମର ଅଟୁ ମନ୍ଦଜାତି

ଧର୍ମକୁ ଲଘିଂଲୁ ତୁରେ କଲୁ ଏ ଅନୀତି ।

ଗୋପନରୂପେ ବିଶ୍ଵାସଘାତକତା କଲୁ

ଅସୁର ହୋଇ ଘୋର ଅନୀତି ଆଚରିଲୁ ।

ରାଜପତ୍ନୀ ହରିଲୁରେ କରି କୂଟମାୟା

ସ୍ଵଦେହେ ଭୁଞ୍ଜିବୁ ସିନା ଅର୍ଜିଅଛୁ ଯାହା ।

ଗୁରୁପତ୍ନୀ ହରିଅଛୁ କପଟେ ରାକ୍ଷସ

ତୋତେ ମାଇଲେ ତହିଁରେ କିଛି ନାହିଁ ଦୋଷ ।

ଯେବେ ନ ମାରି ମୁଁ ଛାଡ଼ି ଦେବି ରେ ଦନୁଜ

ଜନମୁଖେ ଉପହାସ ପାଇବିରେ ଆଜ ।

ଆଗହୁଁ ନାରଦ କହିଅଛନ୍ତି ତୋ କଥା

ସେହିଦିନୁ ମୋ ମନରେ ଲାଗିଅଛି ବ୍ୟଥା ।

ଆବର ସତୀରେ ତୋତେ ଦେଇଅଛି ଶାପ

ମୂଢ଼ ନିଲକ୍ଷଣ ତୁ ରେ କଲୁ ମାହାପାପ ।

ଯାହା ଅର୍ଜିଅଛୁ କର୍ମେ ଫଳିବ ନା ତାହା

ନିସତ ହେଉ ତୁ ନିଶ୍ଚେ ଛେଦିବି ତୋ ହିୟା ।

ପିତୃ ମାତୃ ଶତ୍ରୁତୁ ରେ ମୋହର ବଇରି

ପତିବ୍ରତା ସ୍ତିରୀକି ତୁ ବଳାତ୍କାରେ ହରି ।

ବେଦ ଶାସ୍ତ୍ର ନ ବିଚାର କଲୁ ରେ ଅହନ୍ତା

ଧନବନ୍ତ ହୋଇ ଯାର ଧର୍ମେ ନାହିଁ ଚିନ୍ତା ।

ଜଣେ ଦ୍ଵନ୍ଦକରି କରେ ବହୁଲୋକ ମନ୍ଦ

ସହୋଦର ସଙ୍ଗେ ଯେହୁ କରେ କଳିଦ୍ଵନ୍ଦ୍ଵ ।

ଆପଣା ଆତ୍ମାକୁ ଆପେ ମୃତ୍ୟୁହସ୍ତେ ଦେଇ

ଧର୍ମ ଶାସ୍ତ୍ର ପ୍ରମାଣେ ସେ ଆତ୍ମଘାତି ହୋଇ ।

ଶୌର୍ଯ୍ୟବଳ ଥାଉଁ ଶତ୍ରୁ ନ କରେ ଯେ ନାଶ

ଅନ୍ତଃକାଳେ କୁମ୍ଭୀପାକ ନର୍କେ ତାର ବାସ ।

ତୁ ହୀନ ପାମର ବଳେ ହରିଲୁ ମୋ ମାତା

କୁଳକୁ କଳଙ୍କ ମୋତେ ଲାଗେ ବଡ଼ ବ୍ୟଥା ।

ଜାଣି ଶୁଣି ଆଜି ଯେବେ ନ ମାରିବି ତୋତେ

ଇହ ଲୋକେ ଲାଜ ପରଲୋକେ ଦୁଃଖ ମୋତେ

ଏତେ ବୋଲି ଧନୁ ବେଗେ ଧଇଲାକ ତୋଳି

ପ୍ରଳୟ ସମୁଦ୍ର ଜାଣି ଗର୍ଜ୍ଜେ ମହାବଳୀ ।

କାଳାନଳ ପ୍ରାୟେ ଦିଶେ ତାର ବେନି ଆଖି

ପାତ୍ର ମନ୍ତ୍ରୀ ଅଷ୍ଟମଲ୍ଲ ଡରିଲେ ତା ଦେଖି ।

କଂସ ବିଶ୍ଵମୂର୍ତ୍ତି ଦେଖି ଦେବୀ ବସୁନ୍ଧରୀ

ଡରେ ଥରହର ହୋଇ ଗର୍ଜ୍ଜନ ଉଭାରି ।

ଲୌହଧନୁକୁ ଆକର୍ଷି ଧରି ବାମକରେ

ସହସ୍ର ବାଣ ବିନ୍ଧିଲା ଅସୁର ଉପରେ ।

କଙ୍କପକ୍ଷ ତିକ୍ଷ୍‌ଣମୁନା ଦଶସସ୍ର ବାଣ

ଗୁଣେ ବସାଇ ବିନ୍ଧିଲା କରି ଗୁରୁଟାଣ ।

ଆସନ୍ତେ ସେ ବାଣ ତହିଁ ଦିଶଦିଗ ପୂରି

ଚକ୍ଷୁର ଛଟକେ ବାଣ ବିନ୍ଧେ ରୋଷ କରି ।

ଚଳିଲେ ସେ ବାଣମାନ ଶୂନ୍ୟପୁର ଘୋଟି

କୁହୁଡ଼ି ଯେସନେ ଘୋଟି ନବଦ୍ଵୀପା ସୃଷ୍ଟି ।

ବାଣ ଆସନ୍ତେ ଦୂରୁ ତା ଦୃମିଳ ଦେଖିଲା

ସଂଗ୍ରାମରୁ ଅନ୍ତରାଳ ହୋଇଣ ଧାଇଁଲା ।

ଅନିବାରଣ ଯୋଦ୍ଧା ଯେ ଅଟେ କଂସରାୟ

ଝିଙ୍କପକ୍ଷୀ ପ୍ରାୟ ଶର ଭେଦେ ଦୈତ୍ୟକାୟ ।

ଅନେକ ବାଣ ଶରୀରେ ଅଛି ତାର କଣ୍ଟି

ବାଣର ଉପରେ ବାଣ ପଡ଼ି ଦେହ ଫୁଟି ।

ରୋମେ ରୋମେ ରୁଧିର ତା ଦେହଯାକୁ ଗଳି

ହିଙ୍ଗୁଳ ପର୍ବତ ପ୍ରାୟ ଦିଶେ ମହାବଳୀ ।

ବେଳୁବେଳ ବ୍ୟଥା ପାଇ ଅସୁର ଶରୀର

କୋପ ବହି କଂସାସୁର ବିନ୍ଧୁଅଛି ଶର ।

କି କରିବି ବୋଲି ମନେ ବିଚାର କରଇ

କଂସର ଉପରେ ବେଗେ ମାରେ ଗଦାନେଇ ।

ଦେହେ ବାଜି ଗଦା ଭାଙ୍ଗେ ବେନିଖଣ୍ଡ ହୋଇ

ଦେଖି ଦୃମିଳ ଦୈତ୍ୟକୁ କିଛି ନ ସ୍ଫୁରଇ ।

ଗଦା ଭଗ୍ନ ଦେଖିଣ ସେ କଂସ ମହାବୀର

ଅଧାଚନ୍ଦ୍ର ବାଣ ପେଷି ଦେଲା ଧାତିକାର ।

ବାଣ ବାଜନ୍ତେ ତା ବେନି ଭୁଜ ଗଲା ଛିଡ଼ି

ଗଦା ବେନି ଦୁଇ ଭୁଜୁ ଖସି ତଳେ ପଡ଼ି ।

ଭୁଜ ଛିଡ଼ନ୍ତେ ଅସୁର କୋପେ ଅନ୍ତରାଳ

ବୋଇଲା ଆଜ ନିଶ୍ଚୟ ପୁରିଲା ମୋ କାଳ ।

ସତୀ ଶାପ ଏତେଦିନ ହେଲା ମୋତେ ଭୋଗ

ଏହି ପୁତ୍ର ହସ୍ତେ ମୋର ଅଛି ମୃତ୍ୟୁଯୋଗ ।

ଏତେକ ବୋଲି ଦାନବ ଧାଇଁଲା ଗରଜି

ମେରୁ ବା ମନ୍ଦର ଗିରି ପଡ଼ିଲା କି ଭାଜି ।

ଉଦୟ ଗିରି ଯେସନ ଦିଶେ ରଙ୍ଗମୟ

ତେସନ ସଂଜାତ ସେହି ଅସୁରର କାୟ ।

ଯାଦବଙ୍କ ଉପରକୁ ପଡ଼ିଲାକ ମାଡ଼ି

ଦେଖିଣ ଯାଦବବୀରେ ପଳାଇଲେ ଛାଡ଼ି ।

ଏସନକ ରୂପ ତାର ଦେଖେ କଂସାସୁର

ଦେଖୁ ଦେଖୁ ବିସ୍ତାରିଲା ଦୈତ୍ୟ କଳେବର ।

ଲହଲହ ଜିଭ କରେ ବିସ୍ତାର ତା ତୁଣ୍ଡ

ଆକାଶ ମାର୍ଗରେ ଯାଇ ଲାଗିଲାକ ମୁଣ୍ଡ ।

ଦନ୍ତ ରଗଡ଼ି ଛାଡ଼ଇ ମହାଘୋର ରଡ଼ି

ଆଷାଢ଼ ମାସରେ ଯେହ୍ନେ ମେଘ ଘଡ଼ଘଡ଼ି ।

ଖାଙ୍କର କେଶ ତାହାର ବିକରାଳ ମୂର୍ତ୍ତି

ନିର୍ଧୂମ ଅନଳ ଜିଣି ନୟନର ଜ୍ୟୋତି ।

ଭୟଙ୍କର ମୂର୍ତ୍ତିଧରି ମିଳେ କଂସ ଆଗ

ମହାଘୋର ଶଦରେ କମ୍ପେ ଦଶଦିଗ ।

ଏସନ ସଂଜାତ ରୂପ ଦେଖି ଉଗ୍ରସେନି

ବିନ୍ଧେ କତୁରୀ ନାରାଚ ଗୋଟା କରେ ଘେନି ।

ମନ୍ତ୍ରେ ଆଧାନ କରିଣ ପେଷିଲାକ ବାଣ

ଦାନବର କନ୍ଧେ ଯାଇ ପଡ଼ିଲା ତକ୍ଷଣ ।

ବେକଠାରୁ ଛିଡ଼ି ଦୈତ୍ୟ ହେଲା ବେନିଖଣ୍ଡ

ପର୍ବତ ସମାନ ତହିଁ ପଡ଼ିଲା ତା ପିଣ୍ଡ ।

ଦାନବ ନିହତ ଦେଖି ଯାଦବ ସଇନ୍ୟ

ଆନନ୍ଦେ ସର୍ବେ କଂସକୁ କଲେ ଧନ୍ୟ ଧନ୍ୟ ।

ଅଷ୍ଟମଲ୍ଲ ସହିତରେ ଯେତେ ସୈନ୍ୟ ଥିଲେ

ପରମ ଆନନ୍ଦ ହୋଇ ଜୟ ଜୟ କଲେ ।

ଯେତେବେଳେ ସେ ଦାନବ ଭୂମିରେ ପଡ଼ିଲା

ଜାଜ୍ଜ୍ଵଲ୍ୟମାନ ତା ତେଜ ସଂସାରେ ଦିଶିଲା ।

ଅଦ୍ଭୁତ ପୁରୁଷ ଏକ ହେଲା ତହୁଁ ଜାତ

ଅତ୍ୟନ୍ତ ସୁନ୍ଦର କାମଦେବର ସଂଜାତ ।

ପୁଷ୍ପ ବିମାନ ଆରୋହି ଗଲା ଶୂନ୍ୟ ମାର୍ଗେ

କଂସ ଦେଖନ୍ତେ ସେ ଯାଇ ବସିଲାକ ସ୍ଵର୍ଗେ ।

ଝଞ୍ଜାଳ କାହାଳ ବାଜେ ଅଳାବେଣୀ ପୁଣି

ଡରେ ଖଟିଲେ ଛାମୁରେ ସ୍ଵର୍ଗ ବିଳାସିନୀ ।

ପାଟଛତ୍ର ଚାମର ଯେ କରେ ଧୂପକାଠି

ବିଦ୍ୟାଧରେ ଅଇଲେ ଯେ ନେବାକୁ ପାଛୋଟି ।

ସେ ଦୈତ୍ୟ ହୃଦେ ଯେବଣ ପୁରୁଷେକ ଥିଲା

ଅଭିଶାପ ପାଇକରି ସ୍ଵର୍ଗକୁ ଚଳିଲା ।

ଜୟ ଜୟ ଜଗନ୍ନାଥ ଜଗତର ବନ୍ଧୁ

ଭକତଜନ ତାରଣ କୃପାଜଳସିନ୍ଧୁ ।

କରୁଣାସାଗର ହରି ବଇକୁଣ୍ଠବାସୀ

ଅଚ୍ୟୁତାନନ୍ଦ ମୁଁ ତବ ଦାସ ଦିବାନିଶି ।

 

ହରିବଂଶ (ପ୍ରଥମ ଖଣ୍ଡ)

ଦୃମିଳ ରାକ୍ଷସର ପୂର୍ବଜନ୍ମ ବୃତ୍ତାନ୍ତ ଓ ନହୁଷ ରାଜାର ଚରିତ

ଏ କଥା ଶୁଣି ପରୀକ୍ଷ ବିସ୍ମୟ ହୋଇଲେ

ଶୁକମୁନି ଆଗେ ବସି ଏହା ପଚାରିଲେ ।

ଭୋ ମୁନି ବିଚିତ୍ର କଥା କହିଲ ମୋ ଆଗେ

ଅସୁର ଦେବବିମାନେ ପାଇଲା କି ଯୋଗେ ।

ପୂର୍ବଜନ୍ମେ କରିଥିଲା ସେ କେବଣ ଦୋଷ

କେବଣ କାରଣେ କହ ହୋଇଲା ରାକ୍ଷସ ।

ଜାତ କଲା ପୁତ୍ର ସେହି ପିତାକୁ ମାଇଲା

ଏ କଥା ଶୁଣିଣ ମୋତେ ସନ୍ଦେହ ଲାଗିଲା ।

ଏଥିର ତଥ୍ୟ କହିବା ହେଉ ମହାମୁନି

ମନୁ ଭ୍ରାନ୍ତି ଫିଟିଯିବ ଶୁଣି ପୁଣ୍ୟଧ୍ଵନି ।

ଶୁକ ହୋଇଲେ ତୁ ରାଜା ପଚାରିଲୁ ଯାହା

ସାବଧାନେ ଶୁଣ ତୁ ହୋ କହିବା ନା ତାହା ।

ଅନେକ କାଳର କଥା ପୁରାତନ ବାଣୀ

ବଶିଷ୍ଠ ଋଷିଙ୍କ ମୁଖୁ ଆମ୍ଭେ ଅଛୁ ଶୁଣି ।

ସୋମବଂଶୀ ରାଜା ପୁରୁରବା ଦଣ୍ଡଧର

ଉର୍ବଶୀ ନାମେ ଅପ୍‌ସରୀ ପତ୍ନୀ ତାହାଙ୍କର ।

 

ସେ ଉର୍ବଶୀ ଗର୍ଭେ ଏକପୁତ୍ର ଅବତାର

ସପତ ଦ୍ଵୀପରେ ସେହି ହେଲା ଦଣ୍ଡଧର ।

ପୁରରବାଙ୍କର ରାଜ୍ୟ ଅକଣ୍ଟକ ବୋଲି

ଅତିବଳ ବୀର୍ଯ୍ୟବନ୍ତ ରଣେ ମହାବଳୀ ।

ତାହାଙ୍କର ନନ୍ଦନ ଯେ ନହୁଷ ନୃପତି

ତ୍ରିଇଲୋକ୍ୟ ମଧ୍ୟରେ ସେ ହେଲା ଚକ୍ରବର୍ତ୍ତୀ ।

ବାସବକୁ ଜିଣି ସେହି ସ୍ଵର୍ଗେ ଇନ୍ଦ୍ର ହେଲା

ନହୁଷ ଇନ୍ଦ୍ର ବୋଲିଣ ସ୍ଵର୍ଗେ ବୋଲାଇଲା ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳ ସେ ଜିଣିଲାକ ରଣେ

ଦେବ ଦାନବ ଉପରେ ହେଲା ଏକଜଣେ ।

ରଥ ଗଜ ପଦାତିକ ରାଉତ ଯେ ଯୋଧୀ

ଚଉରାଶୀ ଖର୍ବବଳ ଅଗାଧ ପୟୋଧି ।

ନବଦ୍ଵୀପ ସାତସିନ୍ଧୁ ମଧ୍ୟେ ଯେତେ ରାଜା

ସମସ୍ତେ ଆସି ତାହାର କଲେ ପାଦପୂଜା ।

ମେରୁ ଉତ୍ତରେ କମଳକେତନ ଯେ ବନ

ନହୁଷ ବାସ ନିକଟେ ସେହୁ ବିଦ୍ୟମାନ ।

ଚାରିଶତ ଯୋଜନ ଯେ ଅଟେ ଦୀର୍ଘପ୍ରତି

ବେଢ଼ିଛି ଯେ କଂସତୋଳା ଗିରି ଚଉକତି ।

କୁବେର ସମାନ ଧନବନ୍ତ ସେ ଅଟଇ

ଚତୁଷ୍ପାଦେ ଲକ୍ଷ୍ମୀ ଜାଣ ତାହାକୁ ଖଟଇ ।

କହନ୍ତେ ଯେ ନ ସରଇ ନହୁଷ ମହିମା

ଚତୁର୍ଦ୍ଦଶ ବ୍ରହ୍ମାଣ୍ଡରେ ଯାର ନାହିଁ ସୀମା ।

କେବଣ ହିଁ ଦିନେ ସେହୁ ନହୁଷ ନୃପମଣି

ସ୍ଵର୍ଗପୁରକୁ ଚଳିଲା ସମଦଣ୍ଡ ଘେନି ।

ଅନେକ ଯେ ରଥ ଗଜ ପଦାତି ଗହଳ

ସମାରୋହେ ଚଳାଇଲା ଚତୁରଙ୍ଗ ବଳ ।

ଆଲମ୍ବ ବିଲମ୍ବ ପାଟଛତ୍ର ଯେ ଉଦ୍ଦଣ୍ଡ

ବୀରତୂର ଶବଦରେ କମ୍ପଇ ବ୍ରହ୍ମାଣ୍ଡ ।

ଚତୁରଙ୍ଗ ବଳ ଶବ୍ଦେ କମ୍ପଇ ମେଦିନୀ

ନହୁଷ ବାହେ ସ୍ଵର୍ଗକୁ ଅଙ୍ଗବଳ ଘେନି ।

ଆକାଶକୁ ସମଦଣ୍ଡ ଦେଲାକ ଚଳାଇ

ସ୍ଵର୍ଗମଣ୍ଡଳେ ପ୍ରବେଶ ହେଲା ରାଜା ଯାଇ ।

ଅକଳିତ ବଳ ତାର ନ ଯାଇ କଳନା

ସହସ୍ରେ ଯୋଜନ ମାଡ଼ି ଚାଲନ୍ତି ତା ସେନା ।

ନହୁଷ ଆସନ୍ତେ ସ୍ଵର୍ଗ ଡଗରା ଧାଇଁଲା

ଇନ୍ଦ୍ର ଦେବତା ଛାମୁରେ ଯାଇ ଜଣାଇଲା ।

ଭୋ ଦେବ ଅମରପତି ସାବଧାନ ଶୁଣ

ଦେଶାଉର ବାରତା ମୁଁ କହିବି ଏକ୍ଷଣ ।

ମଞ୍ଚମଣ୍ଡଳର ରାଜା ନହୁଷ ଗୋସାଇଁ

ସମଦଣ୍ଡ ଘେନି ସ୍ଵର୍ଗେ ଆସୁଅଛି ବାହି ।

ଏହିକ୍ଷଣି ସ୍ଵର୍ଗପୁର ପକାଇବି ଭାଞ୍ଜି

ଦିଗପାଳଙ୍କର ଦର୍ପ ପକାଇବ ଗଞ୍ଜି ।

ପ୍ରତାପୀ ତେଜବନ୍ତ ସେ ନହୁଷ ନୃପତି

ସମ୍ମୁଖ ସଂଗ୍ରାମେ ତାକୁ ପାରିବ କେ ଜିତି ।

ପାରିଲେ ତୁ ରକ୍ଷା କର ତୋ ସ୍ଵର୍ଗମଣ୍ଡଳ

ନୋହିଲେ ପଳାଇ ଯିବା ଚାଲ ଆଖଣ୍ଡଳ ।

ଯଦ୍ୟପି ସଂଗ୍ରାମ ଆଜ କରିବୁ ତୁ ରହି

କୋଟିଇନ୍ଦ୍ର ହେଲେ ତାକୁ ଜିଣନ୍ତାକେ ନାହିଁ ।

ସକଳ ଦେବତା ଆଜି ରଣେ ଜିଣି କରି

ମର୍ତ୍ତ୍ୟକୁ ଘେନିଣ ଯିବ ସ୍ଵର୍ଗ ଅପସରୀ ।

ଏଡ଼େ ବଡ଼ ଯଶ ସ୍ଵାମୀ ହେଲେ ଯିବ ନାଶ

ନୋହିଲେ ନହୁଷ ପାଦେ ଶରଣ ଯା ପଶ ।

ପାଛୋଟି ଯାଇଣ ତାକୁ ନମସ୍କାର କର

ବିଷ୍ଣୁଙ୍କ ପ୍ରାର୍ଥନା ପ୍ରାୟ କର ଯା ଆବର ।

ଯେବେ ଏହା ନ କରିବ ଆହେ ଶକ୍ରରାୟେ

ଆଜିଠାରୁ ଇନ୍ଦ୍ରପଦ ଯିବ ତୋର କ୍ଷୟେ ।

ତୁମ୍ଭେ ଅବା ବିଚାରିବ ମୁହିଁ ସ୍ଵର୍ଗେ ରାଜା

ଦେବେନ୍ଦ୍ର ହୋଇ କେମନ୍ତେ କରିବି ତା ପୂଜା ।

ଆପଣା କାର୍ଯ୍ୟ ନିମନ୍ତେ ପରକୁ ନିଊନ

ଏଥେ କିଛି ଦୋଷ ନାହିଁ ଜାଣ ହେ ରାଜନ ।

ପାର୍ବତୀଙ୍କ ରମଣ ଯେ ଦେବ ତ୍ରିପୁରାରି

କାର୍ଯ୍ୟର ନିମନ୍ତେ ସେହି ହୋଇଲେ ଭିକାରୀ ।

କୋଟି ଇନ୍ଦ୍ରପଦକୁ ସେ ତୃଣପ୍ରାୟ ମଣି

ସ୍ନେହେ ଗଙ୍ଗାକୁ ବହିଲେ ଶିରପରେ ଆଣି ।

ଦାନବ ବଧ ନିମନ୍ତେ ନାରାୟଣ ସ୍ଵାମୀ

ମାଳତୀ କନ୍ୟା ହୋଇଲେ ପ୍ରଭୁ ଅନ୍ତର୍ଯ୍ୟାମୀ ।

ନିଜେ ବ୍ରହ୍ମା ସୃଷ୍ଟି ଜୀବଜନ୍ତୁ ଜାତ କଲେ

କାର୍ଯ୍ୟର ନିମନ୍ତେ ସେହି ଅପୂଜା ହୋଇଲେ ।

ମହାବ୍ରହ୍ମବେତ୍ତା ପୁଣି ବ୍ୟାସ ମହାଯତି

କାର୍ଯ୍ୟର ନିମନ୍ତେ ଭାଇବୋହୂ ସଙ୍ଗେ ପ୍ରୀତି ।

ଏ କଥାମାନ ବିଚାର କର ଶଚୀସାଇଁ

ଭେଟିବା ଚାଲ ନହୁଷ ନୃପତିକୁ ଯାଇ ।

ଦେବଇନ୍ଦ୍ର କହିଲେ ମୁଁ କରିବି ଉପାୟ

ନାରାୟଣ ସ୍ଵାମୀକୁ ମୁଁ ଏକା କରେ ଭୟ ।

ଯେତେବେଳେ ଇନ୍ଦ୍ର କଲେ କମଳାର ସାଇଁ

ଆଗେ ଓଳଗିଲେ ମୋତେ ଶିରେ କରଦେଇ ।

ଏସନ ପୂଜା ମୁଁ ଘେନି ଅଛଇ ଯେ ପୂର୍ବେ

ମାନବଙ୍କୁ ନମସ୍କାର କରିବି କି ଏବେ ।

ନାରାୟଣ ଜାଣିଲେ ମୁଁ ହେଳେ ଯିବି ନାଶ

ଦେବଙ୍କ ମଧ୍ୟେ ପାଇବି ସିନା ଉପହାସ ।

ଏମନ୍ତ ବିଚାରନ୍ତେ ସେ ଦେବ ଆଖଣ୍ଡଳ

ନିକଟେ ଆସି ମିଳିଲା ନହୁଷ ଭୂପାଳ ।

ଆକାଶରେ ସୈନ୍ୟ ତାର ଆସୁଛନ୍ତି ବାହି

ଦେବତାମାନେ କାତର ହେଲେ ତାହା ଚାହିଁ ।

ପ୍ରଳୟକାଳେ ଯେସନ ଘୋଟେ ମହାଜଳ

ତେସନ ଆସି ଘୋଟିଲା ନହୁଷ ଭୂପାଳ ।

ବନ୍ଧ ଭାଙ୍ଗିଲେ ଯେସନେ ବଢ଼େ ନଦୀଜଳ

ତେସନ ପ୍ରକାର ସ୍ଵର୍ଗେ ନହୁଷର ବଳ ।

ପୃଥ୍ୱୀ ପୂରିଣ ଆସନ୍ତି ନହୁଷର ଥାଟ

ଦେଖି ଦେବତାଙ୍କ ମଧ୍ୟେ ପଡ଼ିଲା ସଙ୍କଟ ।

ସୁଧର୍ମା ସଭାରେ ଥିଲେ ସମସ୍ତେ ଯେ ବସି

ଗୋଟି ଗୋଟି ହୋଇ ସର୍ବେ ପଳାଇଲେ ଖସି ।

ଦିଗପାଳ ଆଦି ଯେତେ ଗନ୍ଧର୍ବ ଦେବତା

ଇନ୍ଦ୍ର ଆଦି ଦେବତାଙ୍କୁ ଲାଗିଲାକ ଚିନ୍ତା ।

ଧାତିକାରେ ଯେ ଯାହାର ବାହନ ଆରୋହି

କପିଳାସ କନ୍ଦରେ ସେ ଲୁଚିଲେକ ଯାଇ ।

ଏକାକୀ ଇନ୍ଦ୍ର ଦେବତା ରହିଲେ ଆରମ୍ଭେ

ସୁଧର୍ମା ସଭାରେ ସେହି ବସିଛନ୍ତି ଦମ୍ଭେ ।

ବୃହସ୍ପତି ଆଦି ପାଖେ ନ ରହିଲେ କେହି

ଭୟକଲେ ଦେବତାଏ ନହୁଷକୁ ଚାହିଁ ।

ଇନ୍ଦ୍ର ବୋଇଲେ ତ ଆମ୍ଭେ ମନ୍ଦକୃତ୍ୟ କଲୁ

ସର୍ବେ ପଳାଇଲେ କିପାଁ ଏକାକୀ ରହିଲୁ ।

ଯଦ୍ୟପି ସଂଗ୍ରାମେ ଦ୍ଵନ୍ଦ୍ଵ ଆରମ୍ଭିବି ମୁହିଁ

ସମ୍ଭାଳି ନେବାକୁ ମୋତେ ଜଣେକେହି ନାହିଁ ।

ସଂଗ୍ରାମ ନ କରି ଯେବେ ସନ୍ଧି ମୁଁ କରିବି

ନମସ୍କାର ନ କଲେ ତ ନିଶ୍ଚେ ନାଶ ଯିବି ।

ଏତେ ଭାବି ଐରାବତ ପିଠିରେ ଆରୋହୀ

ନନ୍ଦନବନ ଭିତରେ ଲୁଚିଲେକ ଯାଇଁ ।

ତିନିସହସ୍ର ଯୋଜନ ସେହି ବନଗୋଟି

ଉଦେଗିରିଠାରୁ ମେରୁ ଗିରିଯାଏ ଘୋଟି ।

ଉତ୍ତରେ ଯେ ଚଉରାଶୀ ଧାର ଗଙ୍ଗା ହୋଇ

ତୋଟା ଚଉପାଶେ ବେଢ଼ି ଆସୁଅଛି ବହି ।

ସେ ତୋଟା ମଧ୍ୟରେ ଅଛି ବସନ୍ତ ନବର

ଗୁପତେ ରହିଲେ ତହିଁ ଯାଇ ପୁରନ୍ଦର ।

ଏସନ ଚରିତ କେହି ନ ଜାଣନ୍ତି ଆନ

ଏକା ଜାଣଇ ଗନ୍ଧର୍ବ ରାଜ ଋତୁପୂର୍ଣ୍ଣ ।

ସେ ଗନ୍ଧର୍ବ ଅଟଇ ସେ ତୋଟା ଜଗୁଆଳ

ଗୁପତେ ଯାଇଁ ରହିଲେ ତହିଁ ଆଖଣ୍ଡଳ ।

ଇନ୍ଦ୍ର ବୋଲେ ଋତୁପୂର୍ଣ୍ଣ ତୁ ମୋର ବିଶ୍ଵାସ

ଗୁପତ କଥାଏ ମୁଁ ଯେ କହିବି ତୋ ପାଶ ।

ନହୁଷ ନୃପତି ଆସେ ସ୍ଵର୍ଗପୁରେ ବାହି

ଦେବତା ଗୋଟିଏ ସ୍ଵର୍ଗେ ନାହାନ୍ତି ତ କେହି ।

ଆମ୍ଭଙ୍କୁ ଛାଡ଼ି ପଳାଇଗଲେ ଦେବଗଣେ

ଆମ୍ଭେ ଯେ ଏକା ହୋଇଣ ରହିଲୁ ଆସ୍ଥନେ ।

ଆମ୍ଭର ସୈନ୍ୟ ନୁହନ୍ତି ତାକୁ ସାମରଥ

ସେଥିପାଇଁ ଲୁଚିବାକୁ ଅଇଲୁ ସେ ଏଥ ।

ଏ ଶରୀରେ ଯେତେବେଳେ ଯାକେ ପ୍ରାଣ ଥିବ

ଦେହ ଧରି କେମନ୍ତେ ଏ ପୁର ମୁରୁଛିବ ।

ଯେ ଯେତେ ଯାହା ଚିନ୍ତଇ ପାଇ ସିନା ତାହା

ଏମନ୍ତ ସୁନ୍ଦର ପୁର ନ ଛାଡ଼ିବି ଏହା ।

ଅଙ୍ଗଭୋଗ କରିବାକୁ ଖୋଜିବି ଯେ ଦ୍ରବ୍ୟ

ଆଗରୁ ଚନ୍ଦନ ଆଦି ଅଛଇ ତ ସର୍ବ ।

ଏତେକ କହି ତହିଁରେ ଲୁଚିଲେକ ଇନ୍ଦ୍ର

ଯାଇ ସ୍ଵର୍ଗେ ବିଜେକଲେ ନହୁଷ ନରେନ୍ଦ୍ର ।

ବୋଇଲା ହକାରି ଆଣ ଇନ୍ଦ୍ର କରୁ ପୂଜା

ନୋହିଲେ ଯେ ସ୍ଵର୍ଗେ ଆମ୍ଭେ ହୋଇଲୁଟି ରାଜା

ଏତେ ବୋଲି ବସିଲା ସେ ସିଂହାସନ ମାଡ଼ି

ବୋଇଲା ସ୍ଵର୍ଗପୁର ନ ଯାଏ ଆଉ ଛାଡ଼ି ।

ନ ଥାଉ ସ୍ଵର୍ଗରେ ଇନ୍ଦ୍ର ବାହାରିଣ ଯାଉ

ନୋହିଲେ ଗୁହାରି କରି କାହା ଆଗେ କହୁ ।

ଅଥବା ସଂଗ୍ରାମେ ମୋତେ ପାରେ ଯେବେ ଜିଣି

ନୋହିଲେ ଦେବତା ଘେନି ଖଟୁ ଏହିକ୍ଷଣି ।

ଆବର ଦେବତା ଯେବେ କରିବେ ବିଖଣ୍ଡ

ଯମ କୁବେର ହେଲେହେଁ ଛେଦିବି ତା ମୁଣ୍ଡ ।

ଦେବତା ଆଦି ଅଛନ୍ତି ଯେତେ ସୁରମୁନି

ନିଶ୍ଚିନ୍ତେ ଥାନ୍ତୁ ସେମାନେ ଯେଝା ପଦ ଘେନି ।

ଯେବଣ ଦେବତା ମୋତେ କରିବେକ ରୋଷ

ପଦ ଛଡ଼ାଇ ତାହାକୁ କରିବି ବିନାଶ ।

ଏକମାତ୍ର ଏ ସ୍ଵର୍ଗେ ନ ଥାଉ ଇନ୍ଦ୍ରରାୟେ

ଆବର ଦେବଙ୍କୁ କହି ନ କରନ୍ତୁ ଭୟେ ।

ଏତେ ବୋଲି ଅଭିଷେକ ହେଲା ଶୁଭବେଳେ

ନହୁଷ ଇନ୍ଦ୍ର ବୋଲି ଯେ କହନ୍ତି ସକଳେ ।

ଇନ୍ଦ୍ର ସମାନ କରଇ କର୍ମ ଯଥାବିଧି

ସଚରାଚର ପାଳଇ ଆପେ ହୋଇ ଯୋଧୀ ।

ଦିଗପାଳଙ୍କୁ ଲୋଡ଼ିଲା ଦେଖ କେହି ନାହିଁ

ଅମର ସିଂହାସନେ ସେ ବସେ ଏକାହୋଇ  

ପୁରେ ପୁରେ ପଶି ଖୋଜି ନ ପାଇଲା କାହିଁ

ଖୋଜୁ ଖୋଜୁ ସେ ଅନଙ୍ଗପନ୍ନଗେ ଦେଖଇ ।

ଶାଢ଼ୀମାଳା ହେଲା ତାକୁ ଗଉରବ କରି

ସ୍ଵର୍ଗ ରକ୍ଷା ପଦ ତାକୁ ଦେଲା ଦଣ୍ଡଧାରୀ ।

ସକଳ ଦେବତାଙ୍କର ଅଛି ଯେଝାବିଧି

ଇନ୍ଦ୍ର ପଦେ ବସିବାର ଅଛି ଯେଉଁ ସିଦ୍ଧି ।

ଦେବ ଭଣ୍ଡାର ସ୍ଵର୍ଗର ନିଧି ଆଦି କର୍ମ

ନହୁଷ ଆଗେ କହିଲା ଅନଙ୍ଗ ସେ ମର୍ମ ।

ଯକ୍ଷ ଗନ୍ଧର୍ବଗଣଙ୍କ ସେବାର ଯେ କଥା

ଭୂଲୋକ ଭୁବଲୋକର ସ୍ଵର୍ଗ ମାର୍ଗ ଯଥା ।

ଅମର ବାରସ୍ଵତୀର ଯେତେ କଥା ମାନ

ସବୁ କହିଲା ଗନ୍ଧର୍ବେ ସେ ପନ୍ନଗସେନ ।

ଶୁଣିଣ ନହୁଷ ରାଜା ହୋଇଲା ସନ୍ତୋଷ

ବୋଇଲା ମୋ ଇନ୍ଦ୍ରପଦ ହୋଇଲା ଅବଶ୍ୟ ।

ଏଥୁ ଅନନ୍ତରେ ପୁଣି କେତେଦିନ ଗଲା

ସଚୀପୁରକୁ ନହୁଷ ଇନ୍ଦ୍ର ବିଜେ କଲା ।

ପଲ୍ୟଙ୍କରେ ଅନ୍ତଃପୁରେ ପ୍ରବେଶିଲା ଯାଇ

ଆଜ୍ଞା ଦେଲା ଶଚୀ ଆସୁ ସଜ ବାଜ ହୋଇ ।

ଚଳିଗଲେ ମୃଦୁସୁଲୀ ତାର ଆଜ୍ଞା ପାଇ

ଏକାନ୍ତ ପୁରୁ ଆଣିଲେ ଶଚୀକି ଡକାଇ ।

ଶଚୀକି ଦେଖି ନହୁଷ ହୋଇଲା ହରଷ

ବୋଇଲା ମୋ ଅଙ୍କେ ସଖି ବହନ ତୁ ବସ ।

ଶଚୀ ବୋଲନ୍ତି ହୋଇଛି ମୁହିଁ ପୁଷ୍ପବତୀ

ଏଥକୁ ଆରତ କିପାଁ ହୁଅ ସୁରପତି ।

ଆବର ପାଞ୍ଚ ଦିବସ ସ୍ଥିର ହୋଇ ରହ

ଶୁଦ୍ଧସ୍ନାନ କଲେ ନାଥ ଛୁଇଁବ ମୋ ଦେହ ।

ହୃଦ ଥିବା ପଦାର୍ଥକୁ ଯେତେବେଳେ ଭୁଞ୍ଜି

ତୁମ୍ଭେ ମୋର ମୁଁ ତୁମ୍ଭର ଧାତା ଲେଖି ପାଞ୍ଜି ।

ଆଜ୍ଞାଭ୍ରଷ୍ଟ ହେଲେ କୋପ କରିବ ପାଞ୍ଚିଲି

ତେଣୁକରି ଥରେ ମୁହିଁ ଛାମୁକୁ ଅଇଲି ।

ଶୁଣିଣ ନହୁଷ ଇନ୍ଦ୍ର ସନ୍ତୋଷ ହୋଇଲେ

ଦୂତ ପଠାଇ ସପତ ଋଷି ଅଣାଇଲେ ।

ଏଥୁଅନ୍ତେ ଏନେ ପାଞ୍ଚି ଶଚୀ ମହାସତୀ

ମହାନିଶାରେ ଗଲେ ସେ ବାସବର କତି ।

ବସନ୍ତ କେଳି ନବରେ ଇନ୍ଦ୍ରଛନ୍ତି ଲୁଚି

ଚିନ୍ତାଭର ହୋଇ ଯାଇଁ ପ୍ରବେଶିଲେ ଶଚୀ ।

କେଶ ବାସ ଅସମ୍ଭାଳ ନେତ୍ରୁ ବହେ ବାରି

ଉଚ୍ଚସ୍ଵରେ ରୋଦନ ସେ ଇନ୍ଦ୍ର ମନୋହାରୀ ।

ଶଚୀ ଦେଖି ଆଚମ୍ବିତ ହେଲେ ସୁରପତି

ଇନ୍ଦ୍ର ବୋଇଲେ କି କାର୍ଯ୍ୟେ ଅଇଲ ଗୋ ସଚୀ ।

ପ୍ରାଣର ବିକଳେ ଆମ୍ଭେ ଲୁଚିଅଛୁ ଡରେ

ଦୁହେଁ ନାଶ ଯିବାଟି ଗୋ ପଡ଼ିଲେ ଛାମୁରେ ।

ଶଚୀ ବୋଇଲେ ତ ତୁମ୍ଭେ ନିଶ୍ଚିନ୍ତେ ରହିଲ

ନହୁଷ ଇନ୍ଦ୍ରକୁ ମୋତେ ବିଳସର ଦେଲ ।

ଅବଶ୍ୟ ବଳେ ସେ ଧରି କରିବ ଆନୀତି

କେବଣ ଉପାୟ ଅଛି କହ ସୁରପତି ।

ବାସବ ବୋଇଲେ ମୁହିଁ ତୁମ୍ଭଠାରୁ ଦୁଃଖୀ

ମୋହର ବଳେ କି ସଖି ପାରଇ ମୁଁ ରଖି ।

ତୁମ୍ଭ ବୁଦ୍ଧିବଳେ ତୁମ୍ଭେ ରଖ ତୁମ୍ଭ ଦେହୀ

ରାଜ ବଳାତ୍କାର କଲେ ରଖିବ କେ ସହି ।

ବିଷ୍ଣୁଙ୍କ ଛାମୁରେ ଯେବେ ପାରିବ ଜଣାଇଁ

ତାଙ୍କ ବିନୁ ମୋତେ ଅନ୍ୟ ଗତି ନିଶୁନାହିଁ ।

ବାସବ କହନ୍ତେ ଶଚୀ ବେଗେ ଚଳିଗଲେ

ନାରାୟଣଙ୍କ ଛାମୁରେ ପ୍ରବେଶ ହୋଇଲେ ।

ପ୍ରଳୟ ବଟପୂଟରେ ସେ ଅନନ୍ତଶାୟୀ

ଯୋଗନିଦ୍ରା ଯାଇଛନ୍ତି ତୈଲୋକ୍ୟ ଗୋସାଇଁ ।

ସନ୍ନିଧିରେ ସରସ୍ଵତୀ ଗାନ୍ଧାର ରାଗରେ

ବୀଣାଯନ୍ତ୍ରେ ଧରି ଗୀତ ଗାବନ୍ତି ସୁସ୍ଵରେ ।

ଦେଖିଲେ କମଳା ପାଦ ମଞ୍ଚାଳନ୍ତି ବସି

ଯୋଗନିଦ୍ରାରେ ଅଚେଷ୍ଟା ପ୍ରଭୁ ବ୍ରହ୍ମରାଶି ।

ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚତୁର୍ଭୁଜ

ବିରାଜନ୍ତି ନୀଳୋତ୍ପଳ ପ୍ରାୟ ଦେବରାଜ ।

ନବରତ୍ନର କୁଣ୍ଡଳ ଶୋଭା ବେନିକର୍ଣ୍ଣେ

ହେମରତ୍ନ ମାଳା ଲମ୍ବି ଅଛି ହୃଦସ୍ଥାନେ ।

ଅନନ୍ତ ସହସ୍ରଫଣା ଛତ୍ରାକାର ହୋଇ

ଅଙ୍ଗାଙ୍ଗ ଯୋଗନିଦ୍ରାରେ ସ୍ଵାମୀ ଛନ୍ତି ରହି ।

ଏମନ୍ତବେଳେ ଭେଟିଲେ ଶଚୀ ମହାମାୟୀ

କରଯୋଡ଼ି ସ୍ତୁତି କଲେ ପାଦପଦ୍ମ ଚାହିଁ ।

ଜୟ ତୁ ନିରଞ୍ଜନ ହେ ଯୋଗେଶ ଦେବତା

ଜୟ ତୁ ଯୋଗେଶ୍ଵର ହେ ସର୍ବଜନ ପିତା ।

ଜୟ ତୁ ଯୋଗେଶ୍ଵର ବଟପୁଟେ ଶୋଉ ସ୍ଵାମୀ

ଜୟ ତୁ ଯୋଗେଶ୍ଵର ହେ ଅଟୁ ଅନ୍ତର୍ଯ୍ୟାମୀ ।

ଜୟ ତୁ ଯୋଗେଶ୍ଵର ହେ ଦେବ ନାରାୟଣ

ଜୟ ତୁ ଯୋଗେଶ୍ଵର ହେ କରଣ କାରଣ ।

ଜଗତର ଭରାଭର ନିବାରଣ ଅର୍ଥେ

ଆପେ ନାନ ଅବତାର ହୁଅ ଶୂନ୍ୟପଥେ ।

ବେଳେବେଳେ ପୃଥ୍ଵୀ ତୁମ୍ଭେ ଉଦ୍ଧାରିଣ ଧର

ସଂସାର ପାଳନ ଅର୍ଥେ ନାନାରୂପ ତୋର ।

ଆରତ ଜନମାନଙ୍କୁ ହୁଅ ତୁମ୍ଭେ ସାହା

ତୁମ୍ଭେ ନ ରଖିଲେ ମୋର କେହି ନାହିଁ ନାହା ।

ଅନାଥର ନାଥ ପ୍ରଭୁ ଦୟା ମୋତେ କର

ସଙ୍କଟ ପଡ଼ିଲା ସ୍ଵାମୀ ଉଦ୍ଧାରୀଣ ଧର ।

ସ୍ଵାମୀ ସକଳ ଜୀବନ ଅଟ ତୁମ୍ଭେ ସାକ୍ଷୀ

ଆଶ୍ରିତ କଳପତରୁ ବୋଲି ଦିଅ ଲେଖି ।

ଜୟ ଜୟ ନାରାୟଣ ଆଦି କଳ୍ପ ଦେହୀ

ତୁମ୍ଭେ ନ ରଖିଲେ ପ୍ରଭୁ ରଖନ୍ତା କେ ନାହିଁ ।

ତୁମ୍ଭର ମହିମା ଦେବ ଅଗୋଚର ମୋତେ

ସ୍ତିରୀ ମୁଁ ପ୍ରାଣ ହାରିବି ହତ୍ୟାଲାଗୁ ତୋତେ ।

ଜଳ ସ୍ଥଳ ଅନଳ ଏ ପ୍ରଭୁ ତୁମ୍ଭ ମାୟା

ଜନ୍ମ ମରଣ ବାଧା ନ ଲାଗେ ତୁମ୍ଭ କାୟା ।

ଅଚ୍ୟୁତ ଦାସ ଶରଣ ମାଗେ ଲକ୍ଷ୍ମୀନାହା

ସଙ୍କଟ ପଡ଼ିଲା ନାଥ ରଖ ଚଉବାହା ।

ଏମନ୍ତେ ଅନେକ ସ୍ତୁତି କଲେକ ଇନ୍ଦ୍ରାଣୀ

ପରମ ଆନନ୍ଦ ହେଲେ ନିରାକାର ଶୁଣି ।

ନାରାୟଣ କହନ୍ତି ତୋ ଚିନ୍ତା କାହିଁ ପାଇଁ

କି ଅବା ବିପତ୍ତି ତୋତେ ପଡ଼ିଲା ଗୋ ତହିଁ ।

ସୁରପତି ବଲ୍ଲଭୀ ତୁ ଅଟୁ ଆଦ୍ୟପାଟ

ଦେବ କନ୍ୟାଙ୍କ ଭିତରେ ଅଟ ତୁମ୍ଭେ ଶ୍ରେଷ୍ଠ ।

ବାସବ ତୁମ୍ଭର ପତି ସ୍ଵର୍ଗପୁର ରାୟେ

ତୈଲୋକ୍ୟ ମଧ୍ୟେ ତୁମ୍ଭର କାହାକୁ ଗୋ ଭୟେ ।

ଶଚୀ ବୋଇଲେ ହେ ଶୁଣ ପ୍ରଭୁ ନାରାୟଣ

ତୁମ୍ଭେ ଠାକୁର ଥାଉଁ ମୁଁ ହେଲି ଅକାରଣ ।

ନହୁଷ ନାମେ ମଞ୍ଚର ଏକଇ ନୃପତି

ସେ ଆସି ସ୍ଵର୍ଗରେ ବସେ ହୋଇ ସୁରପତି ।

ବଳେ ସେ ସୁଧର୍ମାସଭା ବସିଲାକ ମାଡ଼ି

ଡରେ ଦେବବୃନ୍ଦ ସ୍ଵର୍ଗ ପଳାଇଲେ ଛାଡ଼ି ।

ମୋତେ ଆଦିକରି ସ୍ଵର୍ଗ ସମ୍ପଦ ଉପେକ୍ଷି

ନନ୍ଦନ ବନ ମଧ୍ୟରେ ସ୍ଵାମୀ ଲୁଚିଅଛି ।

ନିରେଖ ହୋଇଲି ଦେବ କେହି ନାହିଁ ସଖା

ଅନ୍ତଃପୁର ମଧ୍ୟେ ମୁହିଁ ଥିଲି ପ୍ରଭୁ ଏକା ।

ନହୁଷ ନୃପତି ମୋତେ ନେଉଥିଲା ବଳେ

ଧର୍ମ କଷଣ ପଡ଼ିଲା ମୋତେ ଏତେକାଳେ ।

କେବଳ ପ୍ରକାରେ କୁଳେ ନ ପାଇବି ଲଜ୍ଜା

ବିଚାରିଣ ଆଜ୍ଞା ମୋତେ ଦେବ ଦେବରାଜା ।

ନହୁଷକୁ ଦେଇଛ କି ତୁମ୍ଭେ ଇନ୍ଦ୍ରପଦ

ତୁମ୍ଭ ଇଚ୍ଛା ଅଛି କିନା କହ ମୋତେ ସିଦ୍ଧ ।

ଶଚୀଦେବୀର ମୁଖରୁ ଏସନକ ଶୁଣି

କୋପଭର ହୋଇଲେ ସେ ଦେବ ଚକ୍ରପାଣି ।

ନାରାୟଣ ବୋଇଲେ ତୁ ଶୁଣ ଗୋ ଯୁବତୀ

ଯେତେବେଳେ ସେ ନହୁଷ ଆସିବ ତୋ କତି ।

ବୋଲିବୁ ତାହାକୁ ସ୍ଵର୍ଗେ ଇନ୍ଦ୍ର ଯେ ହୁଅନ୍ତି

ସପତ ଋଷି ତାହାର ହାନ୍ଦୋଳା ବହନ୍ତି ।

ତୁମ୍ଭେ ଯେବେ ସ୍ଵର୍ଗେ ଇନ୍ଦ୍ର ହୋଇବ ନହୁଷ

ସପତ ଋଷିଙ୍କୁ ଘେନି ଏଠାବକୁ ଆସ ।

ତୋହର ହାନ୍ଦୋଳା ତାଙ୍କ କନ୍ଧେ ବୁହାଇବୁ

ତେବେ ସ୍ଵର୍ଗେ ମୋତେ ଘେନି ଇନ୍ଦ୍ର ତୁ ହୋଇବୁ ।

ଏସନ କଥା କହିଲେ ଯହୁଁ ଲକ୍ଷ୍ମୀପତି

ବାହୁଡ଼ି ସ୍ଵର୍ଗକୁ ଆସେ ଶଚୀ ମହାସତୀ ।

ଏମନ୍ତେ ଯେ ସାତଦିନ ସମ୍ପୂର୍ଣ୍ଣ ହୋଇଲା

ଶୁଦ୍ଧସ୍ନାନ ଦିନ ଶଚୀପୁରକୁ ସେ ଗଲା ।

ନହୁଷ ଇନ୍ଦ୍ରକୁ ଦେଖି ବୋଇଲେକ ସଚୀ

ଇନ୍ଦ୍ରର ଯେତେ ବିଧି ନ ଜାଣ ସୁରପତି ।

ଆବର ସ୍ଵର୍ଗରେ ଯେବେ ଇନ୍ଦ୍ର ରାଜା ହେବ

ତହିଁରେ ଯେ ବିଧି ତୁମ୍ଭେ ସେମାନ କରିବ ।

ପୟରେ ବିଜେ କରିବ ତୁମ୍ଭେ କିପାଁ ଏକା

ପୂର୍ବ ବିଧି କଲେ ହେବି ତୁମ୍ଭର ନାୟିକା ।

ଦେବଗୁରୁ ବୃହସ୍ପତି ତୁମ୍ଭ ସଙ୍ଗେ ଥିବେ

ଯେ ବିଧି ଯେଉଁଠାରେ ତା ପ୍ରବର୍ତ୍ତାଇ ଦେବେ ।

ମଞ୍ଚର ରାଜା ତୁମ୍ଭେ ନ ଜାଣ ସ୍ଵର୍ଗଭୋଗ

ଏହା ନ ଜାଣି ଅଇଲ କିପାଁ ଏତେ ବେଗ ।

ଶଚୀର ବଚନ ଶୁଣି ନହୁଷ ବୋଇଲା

ଇନ୍ଦ୍ରପଦ ବିଧି ମୋତେ କେହି ନ କହିଲା ।

କେମନ୍ତେ ବିଧିରେ କହ ସେ ଇନ୍ଦ୍ର ଆସଇ

ସେ କଥା ମହାସତୀ ଗୋ କହିବୁ ମଣାଇ ।

ଶଚୀ ବୋଲେ ଇନ୍ଦ୍ର ବିଧି ଶୁଣ ହୋ ନୃପତି

ଯେମନ୍ତେ ହୋଇ ପୁରୁକୁ ଆସେ ସୁରପତି ।

ରବି ଅସ୍ତକାଳେ କେହି ନ ଥିବେ ସେ ଏକା

ସପତ ଋଷି ବିମାନ ବହିବେ ନିଶାଖା ।

ଭରଦ୍ଵାଜ ଗଉତମ ଅଙ୍ଗିରା ଅଗସ୍ତି

ସନକ ଯେ ସନାତନ ଭୃଗୁ ଏ ବହନ୍ତି ।

ଏ ସପ୍ତଋଷିଙ୍କ କନ୍ଧେ ତୋ ହାନ୍ଦୋଳା ଥିବ

ସେ ହାନ୍ଦୋଳା ଚଢ଼ି ମୋର ପୁରୁକୁ ଆସିବ ।

ଏମନ୍ତ ବିଧିରେ ତୁମ୍ଭେ ଆସ ମୋର ପୁର

ଲଭିବ ମୋତେ ଯେ କଲେ ଇନ୍ଦ୍ରର ବେଭାର ।

ଶୁଣିଣ ନହୁଷ ଇନ୍ଦ୍ର ସନ୍ତୋଷ ହୋଇଲେ

ଦୂତ ପଠାଇ ସପତ ଋଷି ଅଣାଇଲେ ।

ଶାଢ଼ୀ ପ୍ରସାଦ ଦେଇଣ କହିଲେ ସୁଚିତ୍ତେ

ହାନ୍ଦୋଳାର ବହିନେବ ଶଚୀପୁରେ ମୋତେ ।

ଦିବ୍ୟବେଶ ହୋଇ ମୁହିଁ ବସିବି ବିମାନେ

ମୁଖେ ବେଦ ପଢ଼ି କନ୍ଧେ ବହିବ ସୁମନେ ।

ତେବେ ଜାଣ ଇନ୍ଦ୍ରପଦ ହେବ ମୋର ସିଦ୍ଧି

ଶଚୀ ବୋଇଲେ ଏରୂପେ ଇନ୍ଦ୍ରଙ୍କର ବିଧି ।

ନହୁଷ କହିଲେ ଯହୁଁ ଏସନକ ବାଣୀ

ଆତ୍ମା ବିସର୍ଜିଲେ ଶୁଣି ସେ ସପତ ମୁନି ।

ବୋଇଲେ ନହୁଷ ଇନ୍ଦ୍ର ହୋଇ ମନ୍ଦ କଲ

ଋଷିଏ ଦୋଳା ବହିବେ ଏହା ବିଚାରିଲ ।

ସମ୍ପଦରେ ମତ୍ତ ହୋଇ କଲ ଏ ବିଚାର

ଋଷି ଦେଳା ବୁହାଇବା କଥା ଅବେଭାର ।

ଦେଖ ଦେଖ ଶିରୋଗତ ଲକ୍ଷ୍ମୀ ସେ ତୁମ୍ଭର

ଏମନ୍ତ ବିଚାର କିପାଁ କଲ ନୃପବର ।

ଅନୀତି କଥା ଆମ୍ଭର ବହିବା ବମାନ

ଆମ୍ଭେ କେମନ୍ତେ ଜାଣିବୁ ବହିବା ବିଧାନ ।

ଅନୁଭବ ନାହିଁ ଆମ୍ଭେ ଧର୍ମକୁ ଜିଣିମା

ନହୁଷ ବୋଇଲେ ଉଠ ଋଷି ମହାତମା ।

ହାନ୍ଦୋଳା ବହ ହୋ କାନ୍ଧେ ବେଗେ ଯିବା ଚାଲ

ଉଛୁର ହୋଇଲେ ଗଡ଼ିଯିବ ଯୋଗବେଳ ।

ଏହା କହିଣ ନହୁଷ ଆରୋହି ବିମାନ

ଆଜ୍ଞାଦେଲେ ମୁନିମାନେ ଉଠି ବେଗେ ଘେନ ।

ଡରେ ସେ ସପତଋଷି ହାନ୍ଦୋଳା ବହିଲେ

କେ ଧୀରେ ଗମିଲେ କେହି ବେଗେବେଗେ ଗଲେ ।

ଯୁକତେ ସେ ତପଚାରୀ ପୁଣି ହୀନବଳ

କେବଳ ଆହାର କନ୍ଦମୂଳ ବୃକ୍ଷଫଳ ।

କୋମଳ ପତ୍ର ଭକ୍ଷିଣ ଉପାସ କରନ୍ତି

ବନ ବହନ ଫଳ ସେ ଚିପୁଡ଼ି ପିଅନ୍ତି ।

ପାଣି ଗଣ୍ଡୁଷେ ଭକ୍ଷନ୍ତି କରି ଉପବାସ

ଏମନ୍ତ ନିଷ୍ଠାପରର ବଳ ବୀର୍ଯ୍ୟ କିସ ।

ବିମାନ କନ୍ଧେ ମୁଖରୁ ରୁଧିର ଉଦ୍‌ଗାରି

ମୂର୍ଚ୍ଛାଗତ ହେଲେ ମୁଖୁଁ ବଚନ ନ ସ୍ଫୁରି ।

କେବଣ ଋଷି ବିକଳେ ପଡ଼ି ବେଗେ ଉଠି

ପଡ଼ି ଉଠିବାରୁ ଛିଡ଼ିଯାଏ ଆଣ୍ଠୁ ଗଣ୍ଠି ।

ଚାଲି ନ ପାରିଲେ ଋଷି ପଛରେ ରହିଲେ

ଧର୍ମ ସୁମରି ଧାତାକୁ କେହି ସାକ୍ଷୀ ଦେଲେ ।

ଶରୀରକୁ ଶ୍ରମଝାଳ ବହେ ଘନ ଘନ

ଉଠିପଡ଼ି ହୁଅନ୍ତି କେ ଋଷି ଅଚେତନ ।

ଏ ରୀତି ଦେଖି ନହୁଷ କୋପଭର ହେଲା

ଭର୍ତ୍ସନା କରି ବହୁତ ରୂପେ ଗାଳିଦେଲା ।

ମିଛେ ଉଠି ବସି ପୁଣି ହେଉଅଛି ଗେଲ

ବ୍ୟଥା ପାଉଅଛ ଯେବେ ଧୀରେ ଧୀରେ ଚାଲ ।

ମୁନିମାନେ ବୋଇଲେ ତୁ ମୁଢ଼ ମନ୍ଦମତି

ମହାପାତ ଅର୍ଜିଲୁଣି ଲଭିବୁ ଦୁର୍ଗତି ।

ତପୀଙ୍କ କାନ୍ଧେ ହାନ୍ଦୋଳା ଗୋଟା ବୁହାଇଲୁ

ଏହିକ୍ଷଣି ନାଶଯିବୁ କଥା ରୁହାଇଲୁ ।

ମଞ୍ଚର ମାନବ ତୁହି ସ୍ଵର୍ଗେ ଇନ୍ଦ୍ରରାଜା

ଶୃଗାଳ ହୋଇ ଭୁଞ୍ଜୁଛୁ ସିଂହ ବଳିଭୋଜା ।

ବଳବନ୍ତ ପଣେ ସ୍ଵର୍ଗ ବସିଲୁ ତୁ ମାଡ଼ି

ତୋର ଦର୍ପେ ଦେବତାଏ ଗଲେ ସ୍ଵର୍ଗ ଛାଡ଼ି ।

ଆମ୍ଭଙ୍କୁ ଦୋଳା ବୁହାଉ ତୋର ଏଡ଼େ ଦର୍ପ

ସର୍ପ ସର୍ପ ବୋଲୁ ବୋଲୁ ଘେନ ଆମ୍ଭ ଶାପ ।

ଆମ୍ଭଙ୍କୁ ଦୁଃଖ ଦେଲୁ ତୁ ହୁଅ କାଳସର୍ପ

ପବନ ଆହାରୀ ହୁଅ ଭାଙ୍ଗୁ ତୋର ଦର୍ପ ।

ତୋହର ସଙ୍ଗେ ସ୍ଵର୍ଗକୁ ଅଛନ୍ତି ଯେ ଆସି

ସର୍ପ ଦେହ ପାଆନ୍ତୁ ସେ ସମସ୍ତ ତ ଦୋଷୀ ।

ଏସନକ ଶାପ ଯହୁଁ ଦେଲେ ସପ୍ତଋଷି

ଦେଖୁ ଦେଖୁ ସେ ନହୁଷ ସର୍ପ ହୋଇ ଖସି ।

ମୁନି ଶାପ ଦିଅନ୍ତେ ସେ ସ୍ଵର୍ଗ ଛାଡ଼ିଗଲା

ମଞ୍ଚେ ସୈନ୍ଦ୍ରେୟ ପର୍ବତେ ଯାଇ ବାସ କଲା ।

ପର୍ବତ ଉତ୍ସର୍ଗ ଅତି ଅତିହିଁ ସୁସଞ୍ଚ

ଦଶ ସହସ୍ର ଯୋଜନ ଅଟଇ ତା ଉଚ୍ଚ ।

ପର୍ବତର ଶିଖ ଅଟେ ସୁବିସ୍ତାର ଘଞ୍ଚ

ଦୀର୍ଘ ଯେତିକି ତାହାର ପ୍ରତି ସମକଚ୍ଛ ।

ସେ ଅହି ଯାଇ ପ୍ରବେଶ ହେଲା ତହିଁ ତଳେ

ହରିତୁଙ୍ଗ ନଦୀ ବହେ ଅତି ନିରିମଳେ ।

ମହାସର୍ପ ହୋଇ ସେହି ନଦୀରେ ପଡ଼ିଲା

ଜୀବ କାରଣ ଅର୍ଥରେ ଧାତା ସୁମରିଲା ।

ବିରଞ୍ଚି ବୋଇଲେ ସର୍ପ ହୋଇ ଏଥେ ଥିବୁ

ଯୁଧିଷ୍ଠିର ଦରଶନେ ମୁକତି ହୋଇବୁ ।

ନହୁଷର ସୈନ୍ୟବଳ ସ୍ଵର୍ଗେ ଯେତେ ଥିଲେ

ସମସ୍ତେ ସର୍ପ ହୋଇ ସେ ବନରେ ରହିଲେ ।

ଅନେକ ଯେ ଅହି ଏକମେଳ ତହିଁ ହେଲେ

ତେଣୁ ଅହିରାଜ ନାମ ସେ ବନର ଦେଲେ ।

ସର୍ପ ଡରେ ସେ ବନକୁ ନ ପଶନ୍ତି କେହି

ହସ୍ତୀଶୁଣ୍ଢ ପ୍ରମାଣରେ ସର୍ପ ମୋଟା ତହିଁ।

ଅଷ୍ଟଧାତୁ ମୂଳେ ନବ ବଟକ ଯେ ଦ୍ରବ୍ୟ

ଅମର ଔଷଧିମାନ ଅଛି ତହିଁ ସର୍ବ ।

ନହୁଷକୁ ଶାପ ଦେଇ ସପ୍ତଋଷି ଗଲେ

ଯେ ଯାହାର ତପସ୍ଥାନେ ପ୍ରବେଶ ହୋଇଲେ ।

ନହୁଷ ବିଯୋଗ ଦେଖି ସ୍ଵର୍ଗ ପୁରବାସୀ

ଅମର ମଣ୍ଡଳେ ସର୍ବେ ପ୍ରବେଶିଲେ ଆସି ।

ନନ୍ଦନମନେ ଯେ ଇନ୍ଦ୍ର ଲୁଚି ବସିଥିଲେ

ଐରାବତ ଆରୋହିଣ ସ୍ଵର୍ଗପୁରେ ଗଲେ ।

ଯକ୍ଷ ଗନ୍ଧର୍ବ କିନ୍ନର ଆଦି ବିଦ୍ୟାଧର

ସମସ୍ତେ ମିଳିଲେ ଆସି ଯେ ଯାହାର ପୁର ।

ବିଚିତ୍ର ନବରମାନ ଦେଖିଲେକ ଆସି

ସ୍ଵର୍ଗମଣ୍ଡଳ ସମସ୍ତ ହୋଇଅଛି ଧ୍ଵଂସି ।

ସୁଧର୍ମା ସଭାରେ ଯାଇ ବିଜେ ପୁରନ୍ଦର

ସକଳ ଦେବତା ଆସି ପ୍ରବେଶ ସଭାର ।

ବାସବ ବୋଇଲେ ଦେବଗୁରୁ ମୁଖ ଚାହିଁ

ଏତେ ଉପଦ୍ରବ ସ୍ଵର୍ଗେ କେହି କରି ନାହିଁ।

ଅନେକ ଦାନରେ ପୂର୍ବେ ସ୍ବର୍ଗେ ଆସିଥିଲେ

ଏଡେ ବଡ ଉପଦ୍ରବ କେହି ନ କରିଲେ ।

ମାନବ ଇନ୍ଦ୍ର ହୋଇ ସେ ସ୍ଵର୍ଗକୁ ବାହିଲା

ଏଡ଼େ ଛିଦ୍ର କଥାଗୋଟା କେମନ୍ତ ପାଇଲା ।

ଦେବତାଏ ବୋଇଲେ ହୋ ଶୁଣ ଜମ୍ଭଭେଦୀ

ଅନଙ୍ଗସେନ କହିଲା ସ୍ଵର୍ଗର ଯେ ବିଧି ।

ଆମ୍ଭ ଛିଦ୍ର ଜାଣି ଶୁଣି ବହିଲାକ ମାଡ଼ି

ଆମ୍ଭର ଯେ ପ୍ରାଣ ହତ୍ୟା ଏହାଯୋଗୁଁ ପଡ଼ି ।

ବିଶ୍ଵାସୀ ଲୋକ ଅନ୍ତରେ କଲେ ଯେବେମାୟା

ପିତା ହୋଇ ପୁତ୍ରକୁ ନ କରେ ଯେବେ ଦୟା ।

ବୈଦ୍ୟହୋଇ ଔଷଧିରେ ଦେବ ଯେବେ ବିଷ

ଚାଷ କରନ୍ତେ କୃଷିରେ ନୋହେ ଯେବେଶସ୍ୟ ।

ରାଜା ହୋଇଣ ଦଣ୍ଡିବ ଯେବେ ନ ବିଚାରି

ଧର୍ମପତ୍ନୀ ହୋଇ ଯେବେ ହୋଇବ ଦୋଚାରୀ ।

ମନ୍ତ୍ରୀ ହୋଇ ନ କରଇ ଯେବେ ସଦଭାବ

ବୃହସ୍ପତି ହୋଇଲେ ଯେ ନାହିଁ ତାଙ୍କୁ ଠାବ ।

ରାବଣର ଭାଇ ପୂର୍ବେ ବିଭୀଷଣ ଥିଲା

ଲଙ୍କାଛିଦ୍ରମାନ ଯାଇ ରାମଙ୍କୁ କହିଲା ।

ଅସୁରଙ୍କ ଛିଦ୍ର ପାଇ ପ୍ରଭୁ ରଘୁବଂଶୀ

କପି ଘେନି ଲଙ୍କାଗଡ଼ ପକାଇଲେ ଧ୍ଵଂସି ।

ସମୁଦ୍ର ଛିଦ୍ର ଅଗସ୍ତି ମୁନି ଜାଣିଥିଲେ

ଗଣ୍ଡୁଷ କରି ସମୁଦ୍ର ଚଳୁକେ କ୍ଷେପିଲେ ।

ନହୁଷ ଜାଣନ୍ତା କାହୁଁ ଛିଦ୍ର ସ୍ଵର୍ଗ କଥା

ଏହାଯୋଗୁ ଦେବତାଏ ପାଇଲେ ଏ ବ୍ୟଥା ।

ଏକା ଅନଙ୍ଗସେନ ଏ ସ୍ଵର୍ଗ କଲା ନାଶ

ଜ୍ୟେଷ୍ଠପୁତ୍ର ହୋଇ କଲା ଏଡ଼େ ଅବିଶ୍ଵାସ ।

ବୃହସ୍ପତିଙ୍କ ମୁଖରୁ ଏସନକ ଶୁଣି

କୋପେ ପ୍ରଜ୍ବଳିତ ହେଲେ ସୁରପୁରମଣି ।

କୋପଭର ହୋଇ ପୁଣି ବୋଇଲେ ବିଡ଼ୋଜା

ନନ୍ଦନବନୁ ବାହାରି ବହନ ଯାଅ ଯା ।

ବଜ୍ରଶକତି ବୁଲାନ୍ତି ବଇରାଗ ପାଇ

ଯାଅରେ ଅନଙ୍ଗସେନ ନ ଥାଅ ରେ ତୁହି ।

ବିଶ୍ଵାସଘାତକ କଲୁ ମୋଠାରେର ତୁ ମାୟା

ଶତେ ଜନମ ତୁ ଧରି ଅସୁରର କାୟା ।

ପୁତ୍ର ହୋଇ ପିତାଠାରେ କଲୁ ଅବିଶ୍ଵାସ

ତୋ ଜନ୍ମିତ ପୁତ୍ରହସ୍ତେ ହୁଅ ପ୍ରାଣ ନାଶ ।

ଏ ମୋହର ଶାପ ତୋତେ ନୋହିବାରେ ଆନ

ଅସୁର ହୋଇ ମଞ୍ଚରେ ରହ ବହୁଦିନ ।

ଏସନକ ଶାପ ଯହୁଁ ଦେଲେ ସୁରସାଇଁ

ସ୍ଵର୍ଗ ଛାଡ଼ି ବାହାରିଲା ପିତା ଆଜ୍ଞା ପାଇ ।

ଦୃମିଳ ନାମେ ଅସୁର ହୋଇଲା କୁମର

କଂସହସ୍ତେ ପ୍ରାଣ ଦେଇ ଗଲା ସ୍ଵର୍ଗପୁର ।

ଦେବସଭାତରେ ଯାଇ ପ୍ରବେଶ ହୋଇଲା

ନମସ୍କାର କରି ଇନ୍ଦ୍ର ଛାମୁରେ ମିଳିଲା ।

ଦେଖି ତାଙ୍କୁ ସୁରପତି ଆନନ୍ଦ ହୋଇଲେ

ପ୍ରସାଦ ଶାଢ଼ୀ ଚନ୍ଦନ ମାଳା ନେଇ ଦେଲେ ।

ଆଶିଷବାକ୍ୟେ ଆଶିଷ କଲେ ଦେବରାଜା

ନନ୍ଦନବନ ତୋଟାକୁ ପୁତ୍ର ତୁ ଯାଅ ଯା ।

ଚଳିଲା ଅନଙ୍ଗସେନ ଇନ୍ଦ୍ର ଆଜ୍ଞା ପାଇ

ନନ୍ଦନବନ ତୋଟାରେ ମିଳିଲାକ ଯାଇ ।

ଦଶ ଅର୍ବୁଦ ତୋଟାର ଉପରେ ଅଗ୍ରଣୀ

ଇନ୍ଦ୍ରର ଜ୍ୟେଷ୍ଠପୁତ୍ର ସେ ସ୍ଵର୍ଗର କାରେଣୀ ।

ଅଭିଶାପ ପାଇ ମଞ୍ଚେ ଜାତ ହୋଇଥିଲା

କଂସ ହସ୍ତେ ମରି ନିଜ ଭୁବନ ପାଇଲା ।

ଶୁକ ବୋଇଲେ ଶୁଣିଲୁ ତୁହୋ ନୃପରାୟ

ହରିବଂଶ ଆଦ୍ୟଖଣ୍ଡ ଅଟେ ପୁଣ୍ୟମୟ ।

ପବିତ୍ର ଗଙ୍ଗାଜଳ ଏ ବିଷ୍ଣୁ ପୁଣ୍ୟବାଣୀ

ଅନେକ ପାତକ ଧ୍ଵଂସ ହେବ ଏହା ଶୁଣି ।

ଯୋଗବଳେ ଦୃଶ୍ୟ ମୋତେ ହେଲା ଏହିକଥା

ସଂକଳ୍ପ କରି ଶୁଣିବ ହରିବଂଶ ଗାଥା ।

ତୁମ୍ଭେ ପଚାରିଲ ପିତା ପୁତ୍ରଙ୍କର ଯୁଦ୍ଧ

ଯେମନ୍ତ ପ୍ରକାରେ ହେଲା ଦୈତ୍ୟ ପ୍ରାଣବଧ ।

କହିଲି ତୋ ଆଗେ ହରିବଂଶର କାହାଣୀ

ଅଚ୍ୟୁତାନନ୍ଦ ଦାସକୁ ରଖ ଚକ୍ରପାଣି ।

 

କଂସର ସସୈନ୍ୟେ ମଗଧ ଦେଶେ ଯାତ୍ରା, କେଶୀ ସହିତ ଜରାନ୍ଧର ଯୁଦ୍ଧ ଓ ବନ୍ଦୀ ଏବଂ ହେତି ପ୍ରହେତି ବିଭା

ଏଥୁ ଅନନ୍ତରେ ତୁ ହୋ ଶୁଣ ଦଣ୍ଡଧାରୀ

ହରଷ ହୋଇଲା କଂସ ଦୃମିଳାକୁ ମାରି ।

ସଂଗ୍ରାମେ ଜୟ କରିଣ ତୋଜୋବନ୍ତ ହେଲା

ରାତ୍ରି ଉଜାଗରେ ସୈନ୍ୟ ସଜାଇ ରଖିଲା ।

ପ୍ରଭାତେ ଯମୁନା କୂଳେ ଗଲେ ସମଦଣ୍ଡ

ବୀରତୂର ଶବଦରେ କମ୍ପଇ ବ୍ରହ୍ମାଣ୍ଡ ।

ଅନେକ ସମାରୋହରେ ଚଳିଗଲା କଂସ

ଅଷ୍ଟମଲ୍ଲ ସଙ୍ଗତରେ ଘେନି ସାତବଂଶ ।

ହସ୍ତି ଘଣ୍ଟାରବ ସୈନ୍ୟ ସୁଖରାବ ଶୁଣି

ପାତାଳରେ ବାସୁକି ରାଜା ନ ଟେକିଲା ଫେଣୀ ।

ଉଦଣ୍ଡ ଲକ୍ଷେ ଆଲମ୍ବ ଲକ୍ଷ ପନ୍ତି ପନ୍ତି

ବିଳମ୍ବ ଯେ ପାଟଛତ୍ର ଉପରେ ଉଡ଼ନ୍ତି ।

ଆନନ୍ଦରେ ସମଦଣ୍ଡ ଚଳିଗଲେ ବେଗେ

ପ୍ରବେଶ ହେଲେ ବିପୁଳ ବନ ପୂର୍ବଭାଗେ ।

କଉଶିକୀ ନାମେ ନଦୀ ବହେ ପୁଣ୍ୟ ଜଳ

ଉତ୍ତର ମୁଖେ ବହଇ ଅତି ପରିମଳ ।

ମୁକ୍ତେଶ୍ଵର ବୋଲି ଏକ ଲିଙ୍ଗ ତହିଁ ଅଛି

ଆଦ୍ୟରୁ ପୂଜା କରନ୍ତି ଇନ୍ଦ୍ର ହୋଇ ଶୁଚି ।

ସ୍ପଟିକର ପାଦଚ୍ଛ ସେ ନଦୀ ପୂର୍ବଘାଟ

ମଥୁରାକୁ ସେ ଚାରିଶ ଯୋଜନ ଯେ ବାଟ ।

ପ୍ରଥମ ଦିବସେ ଥାଟ ରହିଲେକ ଯାଇ

ରାତ୍ରି କାଟିଲେ ବନ୍ଧନ କରି ତହିଁ ଖାଇ ।

ରଜନୀ ପ୍ରଭାତୁ ଉଠି ତହୁଁ ଚଳିଗଲେ

ଶକୁନ୍ତଳା ନଦୀପାଶେ ସନ୍ଧ୍ୟାରେ ମିଳିଲେ ।

ଗଣ୍ଡୁକୀ ନାମେ ଯେ ନଦୀ ଯାଉଅଛି ବହି

ରମ୍ଭା ଉରୁବଶୀ ତପ କରୁଥିଲେ ତହିଁ ।

ସେ ନଦୀର ତୀରେ ଏକ ପରବତ ଅଛି

ସେ ଗିରିବର ଅତ୍ୟନ୍ତ ଶୋଭା ପ୍ରକାଶୁଛି ।

ଅତି ଉଚ୍ଚ କୁଳାଚଳ ଅଟେ ତାର ନାମ

ବେନି ନଦୀ ବେଢ଼ିଦିଶେ ଶୋଭା ଅନୁପମ ।

ଭୂତ ଭବିଷ୍ୟତ ବୋଲି ଅଛି ଲିଙ୍ଗଗୋଟି

ଚତୁରଙ୍ଗବଳ ଘେନି କଂସ ଯାଇ ଭେଟି ।

ମଣିନାଗ ଗିରିତଳେ କଟକାଇ କରି

ଭୂତ ଭବିଷ୍ୟତ ନାମେ ତହିଁ ଦଣ୍ଡଧାରୀ ।

କଂସର ଦିଗ୍‌ବିଜୟ ବାରତା ପାଇଲା

ଉପହାର ଘେନି ତାର ଛାମୁରେ ମିଳିଲା ।

ସେ ରାଜ୍ୟେ ନୃପତି ମହାଗଉରବ ପାଇ

ଉଷାକାଳେ ତହୁଁ କଲେ ଥାଟ କଟକାଇ ।

ଦିନକୁ ଦିନ ଚାଲନ୍ତି ସୈନ୍ୟ ଅତି ଖରେ

ଚାରିଶତ ଯୋଜନ ସେ ଯାନ୍ତି ଦିନକରେ ।

ଯେବଣ ବାଟେ ଚଳଇ କଂସ ଅଙ୍ଗବଳ

ଶାଳ ଶିଳ ବନ ଭାଙ୍ଗି ହୁଏ ସମତଳ ।

ଚଳଇ ସେ କଂସରାଜା ରାଜଦର୍ପ ଗଞ୍ଜି

ପରରାଷ୍ଟ୍ର ନଗ୍ର ଗ୍ରାମ ପାଟଣାକୁ ଭାଙ୍ଗି ।

ଚଉଦ ଦିନଯାଏ ସେ ସମ୍ଭାରେ ଚଳିଲା

ଶାଖା ନାମେ କଟକରେ ପ୍ରବେଶ ହୋଇଲା ।

ରଣରଙ୍କା ମହାତେଜା ପ୍ରତାପୀ ସେ କଂସ

ବଜ୍ରନାଭ ନାମେ ଅଟେ ତହିଁରେ ନରେଶ ।

ରାଜାର ପ୍ରତାପେ ସେହି ଅକଣ୍ଟକ ଦେଶ

ହୀରାର ପାଚେରୀମାନ ବେଢ଼ା ଚଉପାଶ ।

ଶାଖାନଗ୍ର ପାଖେ କଂସ ସୈନ୍ୟ ରହିଥିଲେ

ଏ ସମୟେ ଡଗରାଏ ରାଜାକୁ କହିଲେ ।

ଭୋ ମଣିମା ସାବଧାନେ ଶୁଣ ରାଜ୍ୟସାଇଁ

ମହାବଳୀ ରାଜା ଏ ତ ଅଇଲାକ କାହିଁ ।

ରଥ ଗଜ ପଦାତିକ ବଳ ସଙ୍ଗେ ଘେନି

ନଗ୍ର ନିକଟରେ ଆସି ରହିଛନ୍ତି ପୁଣି ।

ହାଟ ବାଟ ପାଟରା ସେ ସବୁ ଜୁରକରି

ସାଧୁ ସଜ୍ଜନ ଲୋକଙ୍କ ବିତ୍ତ ନେଲେ ହରି ।

ପଚାରିଲେ ବୋଲନ୍ତି ସେ ଭୋଜ ଯଦୁବଂଶ

ରାଜା ଦିଗବିଜେ କରି ଆସିଛନ୍ତି କଂସ ।

ଆମ୍ଭଙ୍କୁ ବୋଇଲେ କହ ତୁମ୍ଭ ରାଜା ଆଗେ

ଯୁଦ୍ଧ ନ କଲେ ଶରଣ ପଶୁ ଆସି ବେଗେ ।

ଏସନ ବାରତା ଯହୁଁ କହିଲେ ଡଗରେ

ଶୁଣି ବ୍ରଜନାଭ ରାଜା କମ୍ପେ କୋପଭରେ ।

ଆସ୍ଥାନୁ ଡେଇଁ ପଡ଼ିଲା ରାଜା ଧାତିକାରେ

ରେ ରେକାର କରି ଧାଇଁଯାଏ ରୋଷଭରେ ।

ବୀରତୂର ଗଦା ବାମହସ୍ତରେ ଧଇଲା

ଆପେ ଆଗଭର ହୋଇ ଥାଟ ପଛ ଗଲା ।

ବୋଲେ ଗିରି ବା ପଡ଼ିଲା ମେରୁର ଉପରେ

ମେରୁ ପର୍ବତ ଟାଳଇ କେ ସୂଚୀମୁନରେ ।

ପୁଣି ବୋଇଲା କାହାର ଏଡ଼େକ ଭରସା

ଭୋକିଲା ବ୍ୟାଘ୍ରକୁ କିରେ ଖଣ୍ଡିଆଳି ଶଶା ।

ଏ ମୋର ମହିମା ସେ କି ଶୁଣିନାହିଁ କର୍ଣ୍ଣେ

ନ ଜାଣି ପଶିଲା ଆସି ମୋହର ଭୁବନେ ।

କୋଟି ଇନ୍ଦ୍ର ଯେବେ ଆସି ଏକରୁଣ୍ଡ ହୋଇ

ନିଶ୍ଚୟ ପ୍ରାଣ ଘେନିବି ଯିବ ଏବେ କାହିଁ ।

ଏତେବୋଲି ଧାଇଁଲା ସେ ଦୈତ୍ୟ ଅତିବେଗେ

ଧାତିକାରେ ମିଳେ ଯାଇ କଂସ ରାଜା ଆଗେ ।

ଆଗୁଆଣି ଦଣ୍ଡେ ଅଷ୍ଟମଲ୍ଲ ଥିଲେ ରହି

ତାଙ୍କ ଛାମୁରେ ମିଳିଲା କୋପଭର ହୋଇ ।

ବୀରତୂର ଖଡ଼୍‌ଗ ଗଦା କାଖେ ଥିଲା ଯାକି

ଅଷ୍ଟମଲ୍ଲେ ତାଳିମାରି ହସିଲେ ତା ଦେଖି ।

କେଶୀ ବୋଇଲା କାହିଁକି ଅଇଲୁ ତୁ ଧାଇଁ

ବଜ୍ରନାଭ ଯେ ବୋଇଲା ଯୁଝିବାର ପାଇଁ ।

କେଶୀ ବୋଇଲା ତୁ ନୋହୁ ଯୁଝିବାକୁ ସରି

ମରିବା ପାଇଁ ଆସିଛୁ ସିନା ପୌଢ଼ କରି ।

ବାଇପ୍ରାୟ ହୋଇ ତୁ ରେ ଧାଇଅଛୁ ଏକା

ରଥ ଗଜ ପଦାତିକ ସୈନ୍ୟ ନାହିଁ ଶାଖା ।

କେଉଁ ପ୍ରକାରେ ସଂଗ୍ରାମ କରିବୁ ରେ କହ

ଅସ୍ତ୍ର ଶସ୍ତ୍ର ଆଣିନାହୁଁ ରଖିବୁ କି ଦେହ ।

ଅଗ୍ନି ମଧ୍ୟେ ପଶୁ ତୁହି ଆଖି ଥାଉ ଅନ୍ଧ

ଦେଖୁ ଦେଖୁ ବଣା ହେଉ କରିବୁ କି ଯୁଦ୍ଧ ।

କା ସଙ୍ଗେ ଯୁଝିବୁ ତୁ ରେ ବିଚାରି କହନା

କୋଟି ଯୋଦ୍ଧାମଧ୍ୟେ ଯାଇ ବୀରବର ବାନା ।

ଯେ ତୋହର ବିଚାରକୁ ଆସେ ବଳକଛ

ତୋର ସମକକ୍ଷ ଜଣେ ବିଚାରିଣ ବାଛ ।

ନୋହିଲେ ତୋ ବନ୍ଧୁବଳ ଆବର ସଇନି

ବାହୁଡ଼ି ଯାଇ ତୁ ସୁସ୍ଥେ ଆସ ସଙ୍ଗେ ଘେନି ।

ଯେତେ ସୈନ୍ୟ ଆସି ଉଭା ହୋଇଛନ୍ତି ଆଗେ

ଯେ ତୋତେ ଯୋଗ ଏ ବାଛି ଘେନିଆସ ସଙ୍ଗେ ।

ଶୁଣି ବଜ୍ରନାଭ ସ୍ତମ୍ଭୀଭୂତ ଯେ ହୋଇଲା

ମଥାପୋତି ରହି ମହାଲଜ୍ଜା ସେ ପାଇଲା ।

କାଶୀ ବୋଇଲା ଏ ପରା ମହାରାଜା କଂସ

ଉଗ୍ରସେନ ନନ୍ଦନ ଏ ଭୋଜବଂଶ ଶିଷ୍ୟ ।

ମଥୁରା ଠାକୁର ଅଟେ ଏହି ବୀରମଣି

ସପ୍ତଦ୍ଵୀପା ପୃଥିବୀର ଅଟଇ କାରେଣୀ ।

ଦିଗବିଜେ କରିବାକୁ ଅଛି ଦଣ୍ଡ ସାଜି

ଦେବ ଦାନବ ମାନବ ଗଲେ ସର୍ବେ ଭାଜି ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳ ଏ ଜିଣି ତ୍ରିଭୁବନ

ଦୁର୍ଦ୍ଦାନ୍ତ ରାଜାଏ ଆସି ପଶିଲେ ଶରଣ ।

ଆମ୍ଭେ ଅଷ୍ଟମଲ୍ଲ ଅଟୁ ତାହାଙ୍କର ଦେହ

ତୋ ବିଚାରକୁ କି ଆସେ ସ୍ଵରୂପ ତୁ କହ ।

ଯୁଦ୍ଧକୁ ଇଚ୍ଛାକଲେ ତୁ ସୈନ୍ୟ ଘେନିଆସ

ଯୁଦ୍ଧ ନ କଲେ ଶରଣ ଆସି ବେଗେ ପଶ ।

ଶୁଣି ବଜ୍ରନାଭ ମନେ ମହାଭୟ କଲା

ସନ୍ଧାନ ବିଧି ଘେନି ସେ ଛାମୁରେ ମିଳିଲା ।

ବିଶାଶତେ ପାଣିଦ୍ରବ୍ୟ ସହସ୍ରେକ ହସ୍ତୀ

ଦଶସହସ୍ର ଚୋଖାର ସିନ୍ଦୁରର ଜ୍ୟୋତି ।

ସହସ୍ରେକ କନ୍ୟା ଦିବ୍ୟ ବେଶ କରାଇଲା

କଂସରାଜା ପାଦତଳେ ନେଇ ସମର୍ପିଲା ।

କରପତ୍ର ଯୋଡ଼ି ଆଗେ ଶୋଏ ଗଡ଼ଘାଲି

ଶରଣ ପଶିଲି ଦୋଷ ନ ଜାଣି ମୁଁ କଲି ।

ସମୁଦ୍ର ଲଙ୍ଘିଲେ କାହୁଁ କୂଳ ହେବା ରକ୍ଷା

ଦଣ୍ଡମଣ୍ଡ କର ଦେବ ଯେ ତୁମ୍ଭର ଇଚ୍ଛା ।

କଂସ ବୋଇଲା ନ ଜାଣି ହେଲୁ ଯେବେ ଦୋଷୀ

କି ଯଶ ଆମ୍ଭେ ଲଭିବା ଦୋଷୀକି ବିନାଶି ।

ତୁହି ଯେବେ ଛାମୁକୁ ରେ ନ ଆସନ୍ତୁ ଆଜ

ନିଶ୍ଟୟ ତୋତେ ମାରି ମୁଁ ଘେନନ୍ତି ତୋ ରାଜ୍ୟ ।

ତୋହର ସୁଖେ ତୁ ଏବେ ନିଶ୍ଚିନ୍ତରେ ଥିବୁ

ପରରାଷ୍ଟ୍ର ପଡ଼ିଲେ ମୋ ଆଗେ ଜଣାଇବୁ ।

ଯେ ତୋହର ଶତ୍ରୁ ତାକୁ କରିବଇଁ କ୍ଷୟ

ଏତେ ବୋଲି ତହୁଁ ବେଗେ ଚଳେ କଂସରାୟ ।

ଚାରି ଦିନରେ ଯମୁନା ନଦୀ ଛାଡ଼ିଗଲେ

ଦଣ୍ଡ ସୈନ୍ୟ ସରସ୍ଵତୀ କୂଳରେ ରହିଲେ ।

ଭର୍ଗବ ଦେଶେ ଶରବ୍ୟ ନାମେ ଅଛି ବନ

ସାକେତ ନାମେ ପର୍ବତ ତହିଁ ବିଦ୍ୟମାନ ।

ସରସ୍ଵତୀ ନଦୀ ବହେ ପର୍ବତର ତଳ

ନିର୍ମଳ ପାପଦହିନୀ ପବିତ୍ର ତା ଜଳ ।

ସମ୍ବତ୍ସର ବୋଲି ଦେଶ ଅଛି ପୂର୍ବଆଡ଼େ

ଧବଳାଙ୍ଗୀ ନାମେ ନଦୀ ବହେ ଅତି ଗାଢ଼େ ।

ତହିଁରେ ଯାଇ ପ୍ରବେଶ କଂସରାଜା ସୈନ୍ୟ

ସୁସଞ୍ଚ ରମ୍ୟସ୍ଥାନ କି ଅମୂଲ୍ୟ ରତନ ।

ତିନି ଦିବସ ରହିଲା ତହିଁ କଂସରାଜା

ଅନେକ ନୃପତି ଆସି କଲେ ପାଦପୂଜା ।

କେବଣ ରାଜା ଘେନିଣ ଚତୁରଙ୍ଗ ବଳ

ଭୟରେ ଶରଣ ପଶେ କଂସ ପାଦତଳ ।

କେବଣ ରାଜାଏ ଦଣ୍ଡ ସିଂହାସନ ଛାଡ଼ି

ପଳାଇଲେ ଭୟ ପାଇ ଅମଡ଼ା ଯେ ମାଡ଼ି ।

କେବଣ ରାଜା ନ ମାନି ସଂଗ୍ରାମେ ଯେ କଲା

ସକଳ ସମ୍ପଦ ଦେଇ ଆପେ ନାଶଗଲା ।

ଯେସନେ ତାରକା ଦିଗବିଜେ କଲା ପୂର୍ବେ

ତହିଁରୁ ଦଶଗୁଣ ଏ କଂସ କଲା ଏବେ ।

ଅନେକ ରାଜାମାନଙ୍କୁ ସମରେ ଜିଣିଲା

ନିଜ ଭୁଜବଳେ ସବୁ ରାଜ୍ୟ ସାଧ୍ୟକଲା ।

ସମସ୍ତେ ରାଜାଏ ଡରେ ଦେଲେ ଅଙ୍ଗ ବଳ

ପାଦର ଘାତେ ପୃଥୀବି ହେଲା ଟଳମଳ ।

କଂସାସୁର ଭରାପୃଥ୍ୱୀ ନ ପାରିଲା ସହି

ଦିନକୁ ଦିନ ଉଚ୍ଛନ୍ନ ବସୁମତୀ ଦେହୀ ।

ବିକଳେ ରୋଦନ ବସି କରେ ମହାବଳୀ

ମୁଖରୁ ରୁଧିର ତାର ପଡ଼ଇ ନିକିଳି ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳକୁ କଂସ ହେଲା ଭାର

ପ୍ରତ୍ୟେକ୍ଷେ କାଳଯମ କି ହେଲା ଅବତାର ।

କାମ୍ୟକ ପର୍ବତ ତଳେ କଂସ ଅଛି ବସି

ଦେଶାଉରେ ଯେ ବାରତା କହିଲେକ ଆସି ।

ଭୋ ଦେବ ତୁ ଯଦୁବଂଶେ ଅଟୁ ଯେ କାରେଣୀ

ପରରାଷ୍ଟ୍ରର ବାରତା ଅଇଲୁ ତା ଶୁଣି ।

ଭୈରବ ପର୍ବତ ତଳେ ମଗଧ ପାଟଣା

ନବଖଣ୍ଡ ମେଦିନୀକି ଅଟଇ ଧାରଣା ।

ପ୍ରତକ୍ଷେ ଅଳକାପୁର ମଞ୍ଚେ ଅଛି ରହି

ରବିତଳେ ସରିସମ ପଟାନ୍ତର ନାହିଁ ।

ଜରାସନ୍ଧ ନାମେ ରାଜା ତହିଁରେ ଅଛଇ

ଅତି ବଳବନ୍ତ ତାକୁ ଜିଣନ୍ତି କେ ନାହିଁ ।

ରାଜାଙ୍କ ଉପରେ ସେହି ଅଟେ ମହାରାଜା

ଲକ୍ଷେ ନୃପତି କରନ୍ତି ତାର ପାଦପୂଜା ।

ଅସଂଖ୍ୟ ବଳ ତାହାର ନ ଯାଇ କଳନା

ତେଇଶ କ୍ଷଉଣୀ ଅଙ୍ଗବଳ ତା ଗଣନା ।

ଧନେ ସୁରବନ୍ତ ରଣେ ଅଟେ ମହାଯୋଧୀ

ରଥ ଗଜ ଅଶ୍ଵ ତାର ଅନେକ ସମୃଦ୍ଧି ।

ଦ୍ଵିତୀୟ ଇନ୍ଦ୍ର ବୋଲାଇ ସେହି ରବିତଳେ

ଛୟାଣୋଇ ସସ୍ର ରାଜା ଜିଣି ବାହୁବଳେ ।

ବନ୍ଦୀକରି ରଖିଅଛି ରାଜ୍ୟରେ ତାହାରି

ନରମେଧ ଯାଗ ଶେଷେ ବଳିଦେବ ମାରି ।

ଯେବଣ ଦିଗକୁ ସମଦଣ୍ଡ ସେ ସାଜଇ ।

ଶାଳ ଶିଳ ବନ ଗିରି ଦେଶ ଉଜାଡ଼ଇ ।

ଚାରିପାଦ ଲକ୍ଷ୍ମୀ ଜାଣ ସେହି ଦେଶେ ଅଛି

କିଛି ଅବିଗୁଣ ତାର ଦେଶରେ ନ ବାଛି ।

ବଳବନ୍ତ ବୁଦ୍ଧିମନ୍ତ ତେଜୋବନ୍ତ ଅଟେ

ନବଖଣ୍ଡ ମେଦିନୀ ଯେ ତାରପାଦେ ଖଟେ ।

ଏହା ଶୁଣି କଂସ ରାଜା ନିଶେ ହାତ ଦେଲା

ଆଜିରେ ଏ କଥା ମୁହିଁ ଶୁଣିଲି ବୋଇଲା ।

ଏସନକ ରାଜା ଯେବେ ଅଛି ମହୀଭାଗେ

ଆଗରୁ କିପାଇଁ ରେ ନ କହିଲ ମୋ ଆଗେ ।

ନିମିଷକ ମାତ୍ରେ ମୁହିଁ ସଂଗ୍ରାମେ ଜିଣିବି

ଜୀବନ୍ତା ବନ୍ଦୀ କରିଣ ଏକ୍ଷଣି ଆଣିବି ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳ ମୁଁ ଜିଣିପାରେ ଧରି

ମାନବ ରାଜା ସଂଗ୍ରାମେ ମୋତେ କିସ ସରି ।

ସାଜରେ ମୋ ସମଦଣ୍ଡ ଏହିକ୍ଷଣି ଯିବା

ଥୋକାଏ ଦୂର ଯାଈ ରେ ବାଟରେ ରହିବା ।

ଆଜ୍ଞାପାଇ ସମଦଣ୍ଡ ବେଗେ ଚଳିଗଲେ

ଉତ୍ତମ ପ୍ରକାରେ ତହିଁ ସଜବାଜ ହେଲେ ।

ଯେ ଯାହାର ଯାନମାନ ଆରୋହିଲେ ବଳ

ପ୍ରାତଃ ମଧ୍ୟାହ୍ନେ ଖୋଜିଲେ ଶୁଭ ଅନୁକୂଳ ।

ବେଳ ସାତ ଘଡ଼ିଠାରେ ଦଣ୍ଡ କଲେ ସଜ

ପଦାଘାତରେ ଅଦୃଶ୍ୟ ହେଲେ ଗ୍ରହରାଜ ।

କାମ୍ୟକ ପର୍ବତରୁ ସେ ଅତି ବେଗେ ଗଲେ

ସରସ୍ୱତୀ ନଦୀତୀରେ ଯାଇଁ ପ୍ରବେଶିଲେ ।

ଚିତ୍ରକୂଟ ପର୍ବତରୁ ବିଶାଶେ ଯୋଜନ

ପ୍ରଥମ ଦିନେ ରହିଲେ ମେରୁ ଉହାଡ଼େଣ ।

ବୀର ବାହୁକୁ ବୋଲେ ମୋର ସଙ୍ଗେ ଯିବୁ ତୁହି

ସମଦଣ୍ଡ ସାଜ ସବୁ ଆଗରେ ଚଳାଇ ।

ବାଦ୍ୟ ନାଦ ଘାତ ସୈନ୍ୟ ମୁଖରାବ ଗୋଳେ

ଅତ୍ୟନ୍ତ ଉତ୍ସୁକେ ମେରୁ ପର୍ବତ ଉଛୁଳେ ।

ଅଷ୍ଟମଲ୍ଲ ପାଦଘାତେ କମ୍ପଇ ମେଦନୀ

ସ୍ଵର୍ଗମଣ୍ଡଳେ କମ୍ପିଲେ ଥାଇ ସସ୍ରଯୋନି ।

ଶାଳ ଶିଳ ତରୁ ଧରି ଲତା ହୁଏ ଚୂର

ସାତବଂଶ ସୈନ୍ୟ ଘେନି ଚଳେ କଂସବୀର ।

ଅନେକ ରାଜଗଣଙ୍କୁ ବାଟରେ ଭେଟଇ

ସମଦଣ୍ଡ ଘେନି ସେହୁ ସଙ୍ଗରେ ଗୋଡ଼ାଇ ।

ବେଳୁଁ ବେଳ ସୈନ୍ୟ ତହିଁ ହୋଇଲେ ଗହଳ

ଷାଠିଏ ଯୋଜନ ମାଡ଼ି ଚଳେ ତାର ବଳ ।

କାମ୍ୟ ବନକୁ ମଗଧ ତିନିଶ ଯୋଜନ

ଅଠର ଦିନେ ମିଳିଲେ ଯାଇ ତାର ସୈନ୍ୟ ।

ନଗ୍ର ବାହାରେ ରହିଲେ ଛାଡ଼ି ରାଜଧାନୀ

ସିନ୍ଧୁ ଘୋଷ ଜିଣି ଶୁଭେ ମୁଖରାବ ଧ୍ଵନି ।

ଆସ୍ଥାନରେ ବସିଥିଲା ଜରାସନ୍ଧ ବୀର

ଏ ସମୟେ ବାର୍ତ୍ତାଯାଇ କହିଲା ଡଗର ।

ପରରାଷ୍ଟ୍ରର ବାରତା ଅଇଲି ତା ମୁଁ ଘେନି

ସୈନ୍ୟ ଘେନି ରାଜେ ପଶେ କେଉଁ ନୃପମଣି ।

ଅନେକ ବଳ ତାହାର ନ ଯାଇ କଳଣା

ନଗ୍ର ଉପାନ୍ତେ ଆସି ସେ ଜଗାଇଛି ଠଣା ।

ଧର ଧର ମାର ମାର ଶୁଭେ ସିଂହରଡ଼ି

ରଥ ଗଜ ହୟମାନ ବୀରେ ଛନ୍ତି ଚଢ଼ି ।

ସମସ୍ତେ ତ ବୀରବେଶ ଭୟଙ୍କର ମୂର୍ତ୍ତି

ନିର୍ଧୂମ ଅନଳ ଜିଣି ଦିଶେ ତାଙ୍କ ଜ୍ୟୋତି ।

ଅକଳିତ ବଳ ଦେବା କଳି ତ ନ ପାରି

ପଚାରିଲେ ବୋଲନ୍ତି ସେ ଦିଗବିଜେ କରି ।

ସ୍ଵର୍ଗକୁ ଇନ୍ଦ୍ର ଅଇଲା ପ୍ରାୟ ସେ ଦିଶନ୍ତି

ଏସନକ ତଳ ତେଜେ କେ ଦେଖା ନାହାନ୍ତି ।

ଦେଶ ଉଜାଡ଼ି ଭାଙ୍ଗିଣ କରୁଛନ୍ତି ଗୋଳ

ଜନ ପ୍ରଜା ରାଜ୍ୟନାଶ ପାରିଲେ ସମ୍ଭାଳ ।

ଶୁଣିକରି ଜରାସନ୍ଧ କୋପଭର ହେଲା

ବୋଲେ ସମଦଣ୍ଡ କେ ମୋ ରାଜ୍ୟକୁ ବାହିଲା ।

ମୋତେ ଜିଣିବାକୁ କ୍ଷତ୍ରୀ ନାହିଁ ରବିତଳେ ।

କାହାକୁ ମୁଁ ନ ଜିଣିଛି ବାହୁ ରଣବଳେ ।

ଲକ୍ଷେ ରାଜାଙ୍କ ଅଗ୍ରେ ମୁଁ ଶିରୋମଣି ଲେଖା

ବଡ଼ବା ଅନଳେ କାହିଁ କାଠି ହେବ ଯୋଖା ।

ଶରଣ ପଶିବ ବୋଲି ଆସିଅଛି ଅବା

ଏଥିର ସନ୍ଦେଶ ତାକୁ ପଚାର ରେ ବାବା ।

ଏତେ ବୋଲି ଜରାସନ୍ଧ ମଉନେ ରହିଲା

ଆରେକ ଡଗର ଆସି ଛାମୁରେ କହିଲା ।

ଭୋ ଦେବ ରାଜ୍ୟ ତୁମ୍ଭର ହେଲା ଭଗ୍ନବାସ

ସମ୍ପଦ ସରିଲା ଆମ୍ଭେ ସର୍ବେ ଯିବା ନାଶ ।

ମଥୁରାର ନୃପତି ଯେ ଉଗ୍ରସେନ ବାଳା

ବୀରବର ଯୋଦ୍ଧା ସେହି ରଣେ ଅନର୍ଗଳା ।

ବଳବନ୍ତ ଅଟଇ ସେ ଭୋଜବୀର କଂସ

ଲୋହିତ ପିଙ୍ଗଳ ମୂର୍ତ୍ତି ପ୍ରତାପ ଅଶେଷ ।

ଦିଗବିଜେ କରି ଆସିଅଛି ଦଣ୍ଡ ବାହି

ତାର ସଙ୍ଗେ ଯୁଝିବାକୁ କା ଶକ୍ତି ଅଛଇ ।

କୋଟିଇନ୍ଦ୍ର ହେଲେ ଏକା ନ କରଇ ଶଙ୍କା

ପାରୁଶେ ଅଛନ୍ତି ଅଷ୍ଟମଲ୍ଲ ରଣରଙ୍କା ।

ସୁଦେବ ସାତ୍ୟକି ଅନାଧୃଷ୍ଟ ମହାବୀର

ଉଦ୍ଧତ ଶକ୍ରାଜିତ ଯେ ଆବର ଅକ୍ରୂର ।

ସାତବଂଶ ଯାଦବଙ୍କ ତେଜ ଅନର୍ଗଳା

ଅଠର ଲକ୍ଷ ଯେ ଯୋଦ୍ଧା ପାରିଦଣ୍ଡ ଭେଳା ।

ଆବର ଏହାଙ୍କ ମୂଳେ ଲକ୍ଷେ ଦଣ୍ଡଧାରୀ

ପରଥାଟରେ ପଶନ୍ତି ମହାହନ୍ତକାରୀ ।

ଷାଠିଏ ଯୋଜନ ମାଡ଼ି ପୂରିଛନ୍ତି ଥାଟ

ତିଳେମାତ୍ର ପଶିବାକୁ ନାହିଁ ସନ୍ଧିବାଟ ।

ନାରାୟଣ ପୂରିଛନ୍ତି ସବୁଙ୍କରି ଘଟେ

କେମନ୍ତେ ତାହାଙ୍କୁ ଡେଇଁ ଯିବା କେଉଁବାଟେ ।

ନବଖଣ୍ଡ ମେଦିନୀରେ ଯେତେ ରାଜା ସୈନ୍ୟ

ଏକାକେ ଆଣିଛି କଂସ ଅସୁର ରାଜନ ।

ନଗ୍ରର ଉପାନ୍ତେ ସୈନ୍ୟ ଅଛନ୍ତି ନିକଟେ

ଡରେ ଜନ ପ୍ରଜା ଯାଇ ନ ପାରନ୍ତି ବାଟେ ।

ନିଅନ୍ତି ଯେ ହାଟ ବାଟ ଦାଣ୍ଡ ଜୂର କରି

ଯେ ଧନ ନ ଦିଅନ୍ତି ସେ ତାଙ୍କ ପ୍ରାଣ ହରି ।

ଏଡ଼େବଡ଼ ସମ୍ପଦ ତ ହେଳେ ଗଲା ନାଶ

ସ୍ଥିରହୋଇ ବିଚରିଣ କାର୍ଯ୍ୟ କର କିସ ।

ଏହାଙ୍କ ସଙ୍ଗେ ସଂଗ୍ରାମ ଆମ୍ଭେ ନ କରିବା

ରାଜ୍ୟନାଶ ନ କରିବା ସନ୍ଧି ତାଙ୍କୁ ଦେବା ।

ଡଗର ମୁଖରୁ ରାୟେ ଏ ବଚନ ଶୁଣି

କଟାକ୍ଷେ ଚାହିଁଲା ସେହି ମଗଧ ନୃପମଣି ।

ଆସ୍ଥାନ ଉପରୁ ରାଜା ପଡ଼ିଲାକ ଡେଇଁ

ଘୋରନାଦ କରି ଧାଏଁ ଗଦାକୁ ବୁଲାଇ ।

ଅଧରେ ଦନ୍ତ ଚାପି ସେ କୋପଭର ହେଲା

ରଥ ଏକ ଆରୋହିଣ ଆଗଭର ଗଲା ।

ସମଦଣ୍ଡ ସାଜି ଆଣ ଜରା ଆଜ୍ଞାଦେଲା

ତେଇଶି କ୍ଷଉଣି ବଳ ସାଜରେ ବୋଇଲା ।

ସାଜିଲେ ମଗଧ ବଳ ଅତିହିଁ ଗହଳ

ମୁଖରାବ ଶବଦରେ ପଡ଼ିଲା ଚହଳ ।

ସାଗରେକ ରଥ ବେନି ସାଗରେ ସାରଥି

ଚାରିସାଗର ଘୋଟକ ଆଠଲକ୍ଷ ହସ୍ତୀ ।

ଆମାପ ପଦାତିବଳ ରାଉତ ମାହୁନ୍ତ

ସାଜନ୍ତେ ମଗଧବଳ ପୃଥ୍ଵୀ ଚମକିତ ।

ରାଜା ଆଜ୍ଞାପାଇ ସଜହୋଇ ସେ ଅଇଲେ

ରଥୀ ହାତୀ ପଦାତିକ ପଟୋଆର କଲେ ।

ବେଳୁଁ ବେଳ ଜରାବଳ ଗହଳ ହୋଇଲା

ରଥ ଚଢ଼ି ଜରାସନ୍ଧ ଆଗରେର ଧାଇଁଲା ।

ଘୋର ଗର୍ଜ୍ଜନ କରଇ ବୀର ମହାରୋଷେ

ଶୁକ୍ର ମହାମନ୍ତ୍ରୀ ଆସି ମିଳିଲେ ତା ପାଶେ ।

ଜରାସନ୍ଧ ବୋଇଲା ଯେ ମନ୍ତ୍ରୀ ମୁଖ ଚାହିଁ

ଆମ୍ଭ ରାଜ୍ୟେ ପାଶେ କେଉଁ ରାଜା ସୈନ୍ୟ ବାହି ।

ଆମ୍ଭର ଦେଶେ ପଶି ସେ କରୁଅଛି ଡକା

କେବଣ ସ୍ଥାନରେ ଶତ୍ରୁ ମୋତେ ନେଇ ଦେଖା ।

ତମ୍ବାଚକ୍ର ପ୍ରାୟେ ବୁଲେ ତାର ବେନିଆଖି

ଆକାଶରେ ଦେବଗଣ ଡରିଲେ ତା ଦେଖି ।

ବାମେ ଧନୁ ଦକ୍ଷିଣରେ ନାରାଚ ପୂରାଇ

ରେରେକାର କରି ବାଣ ବିନ୍ଧେ ବେଗ ହୋଇ ।

ପଛେ ଗୋଡ଼ାଇ ଅଛନ୍ତି ସଇନି ସକଳ

ଆଗ ହୋଇଅଛି ଜରାସନ୍ଧ ମହୀପାଳ ।

ଟମକ ନିଶାଣ ଭେରୀ ତୂରୀ ଘୋରନାଦ

ଛାମୁରେ ବାଜୁ ଅଛଇ ନାନାବିଧ ବାଦ୍ୟ ।

କୋଟି ପାଟଛତ୍ର କୋଟି ଉଡ଼େ ବୀରନେତ

ମେଘ ଆଡ଼ମ୍ବର ପାଞ୍ଚଲକ୍ଷ ପାଟଛତ୍ର ।

ଆଲମ୍ବ ବିଲମ୍ବ ଲକ୍ଷେ ଉଡ଼ଇ ପତାକା

ଫରହର ଉଡ଼ଇ ଯେ ନେତ ଚିହ୍ନ ରେଖା ।

ଛତ୍ର ଛାଇରେ ଅନ୍ଧାର ଦିଶେ ଦଶଦିଗ

ଅନ୍ଧାରେ ଧାମନ୍ତି ଥାଟ ବାରି ବାଦ୍ୟଘୋଷ ।

ବାଦ୍ୟନାଦ ଶବଦରେ ଉଛୁଲଇ ମହୀ

ଅଶ୍ଵ ହସ୍ତୀ ପାଦଭରେ ଚମକଇ ଏହି ।

ରଥଚକ ପଦାତିଙ୍କ ମୁଖରାବ ଗୋଳ

ସଂଗ୍ରାମକୁ ଜରାସନ୍ଧ ଧାମଇ ଚଞ୍ଚଳ ।

ତେଇଶି କ୍ଷଉଣି ବଳ ଅଛନ୍ତି ତା ସଙ୍ଗେ

ରେରେକାର ଶବଦ ସେ କରୁଛନ୍ତି ରାଗେ ।

କଂସର ଛାମୁରେ ଯାଇ ଗଡ଼ର କହିଲା

ଜରାସନ୍ଧ ସମଦଣ୍ଡ ଘେନିଣ ବାହିଲା

ନ ଯାଇ କଳନା ତାର ଅପ୍ରମିତ ଥାଟ

ସିଦ୍ଧଘୋଷ ଜିଣି ମୁଖରାବ ଯେ କୁହାଟ ।

ବିକ୍ରମସିଂହ ଜାଣିଣ ଆସୁଛନ୍ତି ମାଡ଼ି

ଛାଗଳକୁ ଦେଖି ବ୍ୟାଘ୍ର ଯେହ୍ନେ ଦିଏ ରଡ଼ି ।

କଂସ ବୋଲେ କେଶୀବୀର ଆଗେ କହ ଯାଇ

ଓଗାଳୁ ସେ ବେଗକରି ଅଷ୍ଟମଲ୍ଲ ନେଇ ।

କଂସର ଆଜ୍ଞରେ କୋପେ ଅଷ୍ଟମଲ୍ଲ ଗଲେ

ଜରାସନ୍ଧ ନୃପତିଙ୍କୁ ବାଟ ଓଗାଳିଲେ ।

ଷଣ୍ଢାବକା ତୃଣାସୁର ଶକଟା ଅରିଷ୍ଟି

କୁବଳୟା କେଶୀ ଅଘା ଚାଣୁର ଯେ ମୁଷ୍ଟି ।

ଏକେ ଏକେ ପାରନ୍ତି ସେ ଇନ୍ଦ୍ର ଜୟକରି

ମନବ ରାଜାଙ୍କୁ ଭୟ ନାହିଁ ତାହାଙ୍କରି ।

ସାତବଂଶ ଯାଦବ ଯେ କରେ ଶସ୍ତ୍ର ଘେନି

ମାର ମାର ବୋଲି ବେଗେ ଧାଇଁଲେ ସଇନି ।

ଶତ୍ରାଜିତ ଶତଧନୁ ଉଦ୍ଧବ ଅକ୍ରୁର

ବସୁଦେବ ସାତ୍ୟକି ଏ ସାତ ମହାବୀର ।

ଧାମନ୍ତି ଏ ରାଜା ଆଜ୍ଞାପାଇ ବେଗ ବେଗ

ଏକକୁ ପଛ କରିଣ ହୁଅନ୍ତି ସେ ଆଗ ।

ସକଳ ରାଜାମାନଙ୍କ ସମଦଣ୍ଡ ଘେନି

ପଛିଆଣି ଦଣ୍ଡରେ ଯେ ରାଜା ଉଗ୍ରସେନି ।

ହାତୀ ରଥୀ ପଦାତିକ ଅକଳିତ ଥାଟ

ବୀରବର ବାନା ମୁଖଧ୍ଵନି ରଟମଟ ।

ଏଥୁଅନ୍ତେ ଆସେ ଜରାସନ୍ଧ ସଇନି

ପାଞ୍ଚ ଯୋଜନରୁ ଶୁଭେ ମୃଗରାବ ଧ୍ଵନି ।

ଟମକ ନିଶାଣ ଢୋଲ ମାଦଳ ମହୁରୀ

ଉଡ଼ଙ୍ଗ କାହାଳୀ ବାଜେ ଶଙ୍ଖ ଭେରୀ ତୁରୀ ।

ହସ୍ତୀଙ୍କର ଘଣ୍ଟାରବ ଘୋଡ଼ା ହ୍ରେଷାରବ

ସମୁଦ୍ର ଗର୍ଜ୍ଜନ ପ୍ରାୟ ଶୁଭଇ ଶବଦ ।

ଦିଅନ୍ତି ସେ କୋଳାହଳ କରି ଘୋରରଡ଼ି

ଦେଖୁ ଦେଖୁ ସୈନ୍ୟସବୁ ପଡ଼ୁଛନ୍ତି ମାଡ଼ି ।

ରେଣୁଘାତେ ଅଦୃଶ୍ୟ ଯେ ହେଲେ ଦିନକର

ଗଜ ଜରାସନ୍ଧ ବୀର ଧାଇଁ ତରତର ।

ନିକଟରେ ବେନିସୈନ୍ୟ ହେଲେ ଭେଟାଭେଟି

ମେରୁକୁ ଯାଇ ଯେସନେ ଐରାବତ ଭେଟି ।

ସୈନ୍ୟ ଯାଇ ଜରାସନ୍ଧ ସଙ୍ଗେ ମେଳ ବେଗେ

ସୈନ୍ୟ ପଛକରି ରାଜା ଠିଆ ହେଲା ଆଗେ ।

ଅଷ୍ଟମଲ୍ଲ ଉପରକୁ ବାଣ ଦେଲା ଛାଡ଼ି

ଉପହାସ କଲେ ଶୂନ୍ୟଚିରା ଦେଇ ଉଡ଼ି ।

ଜରାସନ୍ଧ ବୋଇଲା ଏ ଅପୂର୍ବ ବୃତ୍ତାନ୍ତ

କେବଣ ବିଧାତା ଆହେ ଗଢ଼ିଲା ଏହାନ୍ତ ।

ଏପରି ଲୋକ ଜଣେ ମୋ ଦେଖିବାର ନାହିଁ

ସଂସାରରୁ ଭିନ୍ନରୂପ ବହିଛନ୍ତି ଏହି ।

କେମନ୍ତେ ଜାଣିବା ଏବହୁ ଉପୁଜିଲେ କାହିଁ

ଦେଖିବା ଛାଡ଼ି ମୋହର କର୍ଣ୍ଣେ ଶୁଣି ନାହିଁ ।

ଅପାର ଦୁଷ୍ଟ ତ ପୂର୍ବେ ହୋଇଥିଲେ ଜାତ

ଦେଖା ଶୁଣା ନାହିଁ କାହିଁ ଏସନ ସଂଜାତ ।

ହସ୍ତୀ ଘୋଡ଼ା ଷଣ୍ଢାବୀର ଧେନୁକା ଶକଟା

ଯାମଳା ବୃକ୍ଷ ଅପୂର୍ବ ଭୟଙ୍କର ଗୋଟା ।

ଛପନ କୋଟିଙ୍କ ଛଡ଼ା ଅପୂର୍ବ ଏ ଜୀବ

କାହିଁ ଜାତ ହୋଇଲା ଏ ରୂପ ଅସମ୍ଭବ ।

ନବଖଣ୍ଡ ମହୀରୁ ତ ବାହାରି ଏ କାୟା

ଈଶ୍ଵର ମାୟା ପ୍ରାୟେ ତ ଲାଗୁଛି ଏ ମାୟା ।

ଶାର୍ଦ୍ଦୁଳ ଗୋଟିଏ ଅଛି ଏହାଙ୍କର ପାଖେ

ଶ୍ୱାନମୁଣ୍ଡ ଗୋଟିଏ ତ ଲାଗିଅଛି ମୁଖେ ।

ଏହାଙ୍କର ପାଶେ ପୁଣି ପଞ୍ଚବୃକ୍ଷ ଖଞ୍ଜା

ଏସନ ପ୍ରପଞ୍ଚରୂପେ ନାହିଁ କେହି ପ୍ରଜା ।

ଆଠ ଗୋଟି ସେନା ଏ ଯେ ସୈନ୍ୟ ପଛକରି

ଯୁଦ୍ଧକରି ଆସୁଛନ୍ତି କରେ ଅସ୍ତ୍ର ଧରି ।

ଏ ନିଲକ୍ଷଣ ଜୀବ ମୁଁ ସଂଗ୍ରାମେ କି ମାରି

କି ପଉରୁଷ ପାଇବି ସଙ୍ଗେ ଯୁଦ୍ଧକରି ।

ଏ ଛାର ହୀନ ସଂଗ୍ରାମ କରି ମୋର ତୁଲେ

ପର୍ବତକୁ ଟେକିବେ କି ପିମ୍ପୁଡ଼ି ମିଳିଲେ ।

ପ୍ରାଣେ ନ ମାରି ଜୀବନ୍ତା ନେବି ଏହା ଧରି

ନବରେ ରଖିବି ନେଇ ୟାଙ୍କୁ ଯତ୍ନକରି ।

ଦେଖିବାକୁ ଶ୍ରଦ୍ଧା ଜାଣ ଏସନକ ଜୀବ

ରାଜ୍ୟ ଥିଲେ ଲୋଡ଼ା ରୂପ ଅରୁପ ହିଁ ଜୀବ ।

ଅଷ୍ଟମଲ୍ଲଙ୍କୁ ସାକ୍ଷାତ କରି ତହୁଁ ଯାଇ

ଉତ୍ତମ ରଥରେ ରାଜା ଆରୋହି ଅଛଇ ।

ମନ୍ତ୍ରୀକୁ ବୋଲେ କେମନ୍ତ କରି ଏହା ବୁଝ

ଏ ଛାର ଜୀବଙ୍କ ସଙ୍ଗେ କରିବି କି ଯୁଦ୍ଧ ।

ରଜ୍ଜୁରେ ବନ୍ଧନ କରି ନେବା ସବୁ ଧରି

ଯତ୍ନ କରିଣ ରଖିବା ଯନ୍ତ୍ର ମଧ୍ୟେ ଭରି ।

ଜରାସନ୍ଧ କହିଲା ଯେ ଏସନକ ବାଣୀ

କର ଧରି କହନ୍ତି ଯେ ମନ୍ତ୍ରୀ ଚୂଡ଼ାମଣି ।

ଗୁରୁ ବୋଇଲେ ରେ ବାବୁ ଶୁଣ ନରନାହା

ଏ ବଡ଼ ଗୁପୁତ କେହି ନ ଜାଣନ୍ତି ଏହା ।

ବ୍ରହ୍ମାଙ୍କର ଶାପେ ପୂର୍ବେ କାମଦେବ ସ୍ଵାମୀ

ଅର୍ଦ୍ଧାଙ୍ଗ ହୋଇ ଜନ୍ମିଲା ଦୈତ୍ୟ କାଳନେମି ।

କାମଦେବର ଭାରିଯା ଅଟେ ରତିଦେବୀ

ବହୁତ ରୋଦନ କଲା ପିତାପାଦ ସେବି ।

ଦୁହିତା ବିକଳ ଦେଖି ଧାତା କଲେ ଦୟା

ଏକା କାମଦେବକୁ ସେ କଲେ ବେନି କାୟା ।

ଅନଙ୍ଗ ଅନୁରୂପ ସେ ଅଙ୍ଗୁ ଜାତ କଲେ

ତେଣୁ ବିଧାତା ମକରଧ୍ଵଜ ନାମ ଦେଲେ ।

ପ୍ରଥମ ନାମ ତାହାର କାଳନେମି ହେଲା

ନାରାୟଣ ସଙ୍ଗେ ଯୁଦ୍ଧକରି ସେହୁ ମଲା ।

ଦ୍ଵିତୀୟ ଜନ୍ମେ ସେ କଂସରୂପେ ଅବତରି

ଯଦୁ ଭୋଜବଂଶର ସେ ଅଟେ ଅଧିକାରୀ ।

ମଥୁରାର ରାଜା ଉଗ୍ରସେନ ତାର ପିତା

କପଟେ ଦୃମିଳ ଦୈତ୍ୟ ହରିଲା ତା ମାତା ।

କାମଦେବ ଅବତାର ଯେ ଆୟୁଧ ଥିଲା

ଦୁଇଭାଗ ଅନୁକ୍ରମେ ପ୍ରାପତ ହୋଇଲା ।

ଜାଣିଲେ ସେ କାଳନେମି କଂସରୂପ ହେଲେ

ପ୍ରାଣର ସଖା ହୋଇଣ କଂସକୁ ଖଟିଲେ ।

ରଥଚକମାନ ହେଲା ଶକଟା ଅସୁର

ମହାପ୍ରତାପୀ ଅଟଇ ତୃଣାବର୍ତ୍ତ ବୀର ।

ପୁଷ୍ପଧନୁ ହେଲା ବ୍ୟୋମା ଅସୁର ଯେ ତହିଁ

ରଥର ବାଜ ଏଥିରେ କେଶୀ ନାମ ବହି ।

ସାରଥି ଯେ ହୋଇଥିଲା ହେଲା ବକାସୁର

ଯାମଳା ନାମ ବହିଲା ତାର ରହୁବର ।

କାମଦେବର ଆସନ ଥିଲା ଯେ ରଥରେ

ସେ ଜାଣ ଅରିଷ୍ଟ ନାମ ଅସୁର ଏଥିରେ ।

ହସ୍ତରେ ଥିଲା ତାଙ୍କର ଯେଉଁ ଫୁଲଶର

ମୁଷ୍ଟିକ ବୀର ନାମ ଯେ ହୋଇଲା ତାହାର ।

ଚଞ୍ଚଳ ଅଟେ ତାଙ୍କର ଚାହିଁବାର ଗତି

ଚାଣୁର ନାମ ତାହର ସଂସାରେ ବିଖ୍ୟାତି ।

ଏମନ୍ତ ସେ ଅଷ୍ଟମଲ୍ଲେ କଂସ ପ୍ରାଣସଖା

ଅଷ୍ଟମଲ୍ଲଙ୍କ ଉପରେ କେଶୀ ଅଗ୍ରଲେଖା ।

କାମଦେବ ଜାତ ହେଲା କଂସାସୁର ରୂପେ

ପୂର୍ବସଖା ଅଷ୍ଟମଲ୍ଲ ତାହାର ସମୀପେ ।

ସାମାନ୍ୟ ନୁହଇ ସେହି ରଣେ ବଡ଼ ଗାଢ଼

ପ୍ରାଣକୁ ତୋ ଆଶା ଥିଲେ କୋପମନୁ ଛାଡ଼ ।

ଯେ କାଳନେମି ତ୍ରିଦଶ ଦେବ କରେ ବଶ

ତାତୁଲେ ବାଦ କଲେ ତୁ ପାଇବୁ ଅଯଶ ।

ଏହାଙ୍କର ତୁଲେ ଯେବେ ସଂଗ୍ରାମ କରିବୁ

ରାଜ୍ୟ ଘୋର ନାଶଯିବ ଆପଣେ ମରିବୁ ।

କୋଟିଏ ଇନ୍ଦ୍ର ଆସିବେ ଯେବେ ଦେହ ବହି

ଏହାକୁ ଜିଣନ୍ତା ନାହିଁ ଚରାଚର ମହୀ ।

ପ୍ରତ୍ୟକ୍ଷ କଥା ଏ ତୁହି ବିଚାରିଣ ବୁଝ

ମନ୍ତ୍ରୀର କହିବା କଥାମାନ ମନେ ହେଜ ।

କଂସାସୁର କୋପ କଲେ ସମସ୍ତେ ମରିବା

ଛାଡ଼ି ଦୁଷ୍ଟ ବୁଦ୍ଧି ଚାଲ ସନ୍ଧାନ କରିବା ।

ଜରାସନ୍ଧ ବୋଲେ ଯୁଦ୍ଧ କରିବା ନ ଆଗେ

ଉଦ୍ୟମ କରୁ ଯେବେଟି ଜିଣିପାରେ ଯୋଗେ ।

ଶାସ୍ତ୍ରେ ପୁଣି ବୋଲିଛନ୍ତି ଲେଖିଛନ୍ତି ଯାହା

ଦେବ କି ନ ହେବ ଆଗ ବୁଝିବା ନା ତାହା ।

ନ ପାରିଲେ ପଛେ ଆମ୍ଭେ ସନ୍ଧାନ କରିବା

ବଳବୀର୍ଯ୍ୟେ ଥାଉଁ କିପାଁ ଆଗହୁଁ ଡରିବା ।

ଜରା ବୋଲେ ନ କରିବା ଯେବେ ଗଣଦୀକ୍ଷା

ପରସେବକ ହୋଇ କି ସୁଖମଧ୍ୟେ ଲେଖା ।

ରୋଗୀ ହୋଇଣ ଆହାର ନ କଲେ କି ପୃଷ୍ଟି

ବ୍ରାହ୍ମଣ ହୋଇ ଦାନରେ ନୋହେ ଯେବେ ତଷ୍ଟି ।

ମାଗନ୍ତା ଜନ ଯଦ୍ୟପି ଦାନକୁ ନିନ୍ଦଇ

ଥାଉଁ ଥାଉଁ ଯେଉଁ ଲୋକ ଦାନ ନ ଦିଅଇ ।

ଆପେ ଅର୍ଜି ଯେବେ ଆପେ କରେ ତାହା ନାଶ

ଇହଲୋକେ ଦୁଃଖୀ ପରଲୋକେ ନର୍କବାସ ।

ଏମନ୍ତ କହନ୍ତେ ମନ୍ତ୍ରୀ ମଉନ ହୋଇଲା

ତୁମ୍ଭ ସୁଖେ ଯାହା ଇଚ୍ଛା କର ହୋ ବୋଇଲା ।

ଜରାସନ୍ଧ ବୋଲେ ମୁହିଁ ଜରାଶିରୋମଣି

ଅଙ୍ଗବଳ ଛନ୍ତି ମୋର ତେଇଶ କ୍ଷଉଣୀ ।

ଛୟାଣୋଇ ସସ୍ର ରାଜା ଅଛି ବନ୍ଦୀକରି

ସବୁଙ୍କୁ ହିଁ ରଖିଅଛି ବନ୍ଦୀଘରେ ଭରି ।

ଏଡ଼େ ବଳି ପ୍ରତିଜ୍ଞା ମୋ ବ୍ୟର୍ଥ ହେବ ପୁଣି

ମୋ ଛାମୁରୁ କେ ବରତି ଯିବ ଦେହ ଘେନି ।

ଯେବେ ଦେହ ଘେନି ସାହାହେବେ ତ୍ରିପୁରାରି

କୋଟି ଇନ୍ଦ୍ର ହୋଇଲେ ମୁଁ ପକାଇବି ମାରି ।

ଏତେ ବୋଲି ଜରାସନ୍ଧ ଉଠିଲା ଗରଜି

ଡରେଣ ଯାଦବଦଳ ପଳାଇଲେ ଭାଜି ।

ସାତ୍ୟକି ଉଦ୍ଧବ ଆଦି ବୀର ହେଲେ ଆଗ

ଧାତିକାରେ ଧାଇଁଲେ ସେ ହୋଇ ବେଗବେଗ ।

ବାମରେ ଧନୁ ଡାହାଣେ ତୀକ୍ଷ୍‌ଣ ଶର ଧରି

ଆରଣି ଭିତରେ ବାନ୍ଧି ତାହା ବେଗ କରି ।

କାଳାନ୍ତକ ରୂପଗୋଟି ଧରି ତିନିଜଣ

ଆଗଭର ହୋଇ ବେଗେ ବିନ୍ଧିଲେ ସେ ବାଣ ।

ଦେଖିକରି ଜରାସନ୍ଧ କୋପଭର ହୋଇ

ରଥର ଉପରୁ ବୀର ପଡ଼ିଲାକ ଡେଇଁ ।

ଧନୁକୁ ପକାଇ ରଥେ ଗଦା ଧରି କରେ

ନିର୍ଘାତ ଶବଦ କରି ପିଟେ ରୋଷଭରେ ।

ଗଦାଘାତ ପଡ଼େ ଯାଇ ସାତ୍ୟକି ଉପର

ଉଦ୍ଧବ ଅକ୍ରୂର ଦୁହେଁ ଥିଲେ ତା ସଙ୍ଗର ।

ପୁଣି ଗଦା ଅନ୍ତରାଳେ ଧରି ବୁଲାଇଲା

ଉଦ୍ଧବ ଉପରେ ନେଇ ସେ ଗଦା ପିଟିଲା ।

ଭୈରବ ମୁରତି ଧରି ଜରା ବେଗେ ଧାଇଁ

ଅକ୍ରୂର ଉପରେ ଗଦା ପିଟିଲାକ ନେଇ ।

ଏକା ନିଃଶ୍ଵାସରେ ତିନି ବଳ ସେ ମାଇଲା

ତିନି ଜଣଙ୍କର ରଥ ମସିଗୁଣ୍ଡା କଲା ।

ସେହି ତିନିଜଣ ବୀର ବିରଥୀ ହୋଇଲେ

ସାରଥି ଆବର ତିନିରଥ ସାଜି ଦେଲେ ।

ତାହାଙ୍କ ପଛେ ସୁନାସ ବୀର ରହିଥିଲା

ଗୁଣକୁ ଟଙ୍କାରି ରଥାଗୋଟା ଧୂଆଁଇଲା ।

ରେରେକାର କରି ବୀର ରଥକୁ ଟେକିଲା

ପାଞ୍ଚ ସହସ୍ର ବାଣ ସେ ବେଗେଣ ବିନ୍ଧିଲା ।

ଦେଖିଣ ରାଜା ମଗଧପତି ବେଗେ ଧାଇଁ

ଗଦାଘାତେ ଶାସ୍ତ୍ରମାନ ଦେଲାକ ଉଡ଼ାଇ ।

ମହାକ୍ରୋଧେ ଜରାସନ୍ଧ ଧାଏଁ ଉଦବେଗେ

ସୁନାସ ବୀରର ଭେଟ ହେଲା ଯାଇ ଆଗେ ।

ଆକର୍ଷି ଧଇଲା ତାର ରଥ ଘେନି କରେ

ପିଙ୍ଗିଦେଲା ରଥ ଯାଇ ପଡ଼ିଲାକ ଦୂରେ ।

ବେଳୁବେଳ ସଂଗ୍ରାମ ଯେ ହେଲା ରୋଷଭରି

ପଦାତି ତୁଲେ ପଦାତି ସୈନ୍ୟ ଯୁଦ୍ଧ କରି ।

ପରିଘାଇ ଘୋର ଯୁଦ୍ଧ କଲେ ବେନି ବଳ

ଶିର ଛିଣ୍ଡି ମୁଣ୍ଡ କାର ପଡ଼େ ଯାଇ ତଳ ।

ଶକତି କୋଦଣ୍ଡ ଦଣ୍ଡ ଗଦା ମୃଦୁଗର

କୃପାଣ ଯେ ଅଶୀପତ୍ର ତୀକ୍ଷ୍‌ଣମୁନା ଶର ।

ଯଷ୍ଟି ପ୍ରହାର କରନ୍ତି କୁନ୍ତ ଯେ ସାବେଳି

ଲୌହ କମାଣ କେବଳ ମାରେ ସେହ୍ନାତୋଳି ।

ଅପ୍ରମିତ ଶବଦ ଯେ ଶୁଭେ ଗୁରୁଟାଣ

ବନ୍ଧନ୍ତି ହାବେଳି ଆଉ ତୀକ୍ଷ୍‌ଣମୁନା ବାଣ ।

ଏକକୁ ଆରେକ ଯାନ୍ତି ଅଗଭର ହୋଇ

ନାନାଶାସ୍ତ୍ରମାନ ଧରି ପ୍ରହାରନ୍ତି ନେଇ ।

ରଟମଟ ଶବଦ ଯେ ଶୁଭେ ଘୋର ଧ୍ଵନି

ପାଦଭରେ ଦଲ ଦଲ କମ୍ପନ ମେଦିନୀ ।

କକଡ଼ା ମାସରେ ଯେହ୍ନେ ପଡ଼େ ଜଳଧାର

ତେସନ ସଂଜାତ ହୋଇ ପଡ଼ୁଅଛି ଶର ।

ନାରାଚଘାତେ ଉଡ଼ାଇ ଗଗନରେ ରବି

ରକତେ ପାଦେ କର୍ଦ୍ଦମ ହେଲା ମହୀଦେବୀ ।

ଭାଙ୍ଗିଲେକ ରଥ ରାଜପଦାତିକ ଘୋଡ଼ା

କୋଟି କୋଟି ହୋଇ ତହିଁ ପଡ଼ିଲେକ ମଡ଼ା ।

ମୁଣ୍ଡ ଛିଣ୍ଡିଗଲା କାର ଭାଙ୍ଗିଗଲା ଅଙ୍ଗ

କାହାର ଚରଣ ଛିଡ଼େ କାର ପାଦଭଙ୍ଗ ।

ତୀକ୍ଷ୍‌ଣମୁନା ଶରେ ଛିଡ଼େ କାହାପାଦ ଚୂନା

ମୋହ ହୋଇ ପଡ଼ିଛନ୍ତି ରଣେ କେତେ ସେନା ।

ଗଦା ପଡ଼ି କେଉଁ ଜନ ଶିର ହୁଏ ଚୂର

ଗଦାଘାତ ପାଇ ପଡ଼େ କେ ଭୂମି ଉପର ।

ହସ୍ତିନାରେ ପ୍ରହାରନ୍ତି କେହି ସେଇ ମୁଷ୍ଟି

କୁମ୍ଭସ୍ଥଳ ଫାଟନ୍ତେ କେ ପଡ଼େ ମହୀଲୋଟି ।

କୁତୂହଳେ କରନ୍ତି କେ ଯୁଦ୍ଧ ରସକେଳି

ଚଣ୍ଡୀ ଚାମୁଣ୍ଡା ବାସେଳି ହୋଇ ଏକମେଳି ।

ପିଶାଚ ଭୈରବ ଭୂତ ପ୍ରେତଗଣ ମେଳେ

ରକତ ମାଂସ ଭୁଞ୍ଜନ୍ତି ରହି କୁତୂହଳେ ।

କବନ୍ଧ ନାଚନ୍ତି କୋଟି କୋଟି ରଣରଙ୍ଗେ

ପଡ଼ିଲେ ଅନେକ ସୈନ୍ୟରଥ ଗଜ ସଙ୍ଗେ ।

କାହାର ଗୋଡ଼ ଛିଡ଼ିଛି ହୋଇଛି ଘାଉଆ

ପ୍ରାଣ ଯାଆନ୍ତେ କାହାର ବିଚଳିତ କାୟା ।

ଜରାସନ୍ଧ ମହାବଳୀ ଯୁକତେ ଅଟଇ

ଛାୟାଣୋଇ ସସ୍ରରାଜା ପାଦେ ଯା ଖଟଇ ।

ଯାଦବ ବଳମାନଙ୍କୁ ଲାଗେ ବଡ଼ ଶଙ୍କା

ଭାଙ୍ଗିଲେ ବହୁତ ମଲେ ହୋଇଣ ତାଟକା ।

କ୍ରାସିଲେ ଯାଦବବଳ ଜରା ପାଦଘାତେ

କେହି ନିସତ ହୋଇଲେ ଧରି ତୃଣ ଦନ୍ତେ ।

କେଶ ବାସ ଅସମ୍ଭାଳ ପଛକୁ ନ ଚାହିଁ

ମାଡ଼ଘାଏ ଘୁମାଇଣ ପଡ଼ୁଛନ୍ତି ତହିଁ ।

ନିସତ ହୋଇଲା କେହୁ ପଶନ୍ତି ଶରଣ

ମୁଖେ ହସ୍ତ ଭରି ବୋଲେ ରଖ ମୋର ପ୍ରାଣ ।

କୋପେ ଜରାସନ୍ଧ ସୈନ୍ୟ ମାରନ୍ତି ଗୋଡ଼ାଇ

ପ୍ରାଣ ବିକଳେ ଯାଦବେ ଯାଆନ୍ତି ପଳାଇ ।

ଅଷ୍ଟମଲ୍ଲେ ଦେଖୁଥିଲେ ରହିଣ ସମର

ଯାଦବେ ଭାଙ୍ଗନ୍ତେ ଦେଖି ହେଲେ ଆଗୁସାର ।

ରହ ରହ ବୋଲି ଉଭା ସଂଗ୍ରାମର ମଧ୍ୟେ

ଜାଗିଣ ସେ ଉଗାଳନ୍ତି ପଶି ଘୋର ଯୁଦ୍ଧେ ।

ଛାଗଳ ପଲରେ ବ୍ୟାଘ୍ର ପଶେ ଯେହ୍ନ ପେଲି

ପବନୁ ବ୍ୟଗ୍ରେ ଧାମନ୍ତି ମାର ମାର ବୋଲି ।

ଧାମନ୍ତି ହସ୍ତରେ ଶସ୍ତ୍ର ଧରି ଅଷ୍ଟମଲ୍ଲ

ମଞ୍ଜାରି ଧାମଇଁ ଯେହ୍ନେ ଦେଖି ମୂଷାପଲ ।

ମାର ମାର ବୋଲିଣ ସେ ଗଲେ ପରିଘାଇ

ହସ୍ତୀଙ୍କ ଉପରେ ହସ୍ତୀ କଚାଡ଼ନ୍ତି ନେଇ ।

ଅଶ୍ୱଙ୍କୁ ଧରି ଅଶ୍ୱଙ୍କ ପରେ କଚାଡ଼ନ୍ତି

ରଥ ଉପରେ ରଥକୁ କଚାଡ଼ି ଭାଙ୍ଗନ୍ତି ।

ଜରାସନ୍ଧ ସୈନ୍ୟ ଯୁଦ୍ଧ କରୁଛନ୍ତି ରହି

ତିଳେ ନ ଘୁଞ୍ଚନ୍ତି ଶସ୍ତ୍ର ମାରନ୍ତି ନିଠାଇ ।

ଦନ୍ତ ଧରିଣ ଫିଙ୍ଗନ୍ତି ଗଜ ମଦଦତ୍ତ

ନିର୍ଦ୍ଦୟ ସେ ଅଷ୍ଟମଲ୍ଲେ ମାରନ୍ତି ବହୁତ ।

ଜରାସନ୍ଧର ସୈନ୍ୟଙ୍କୁ ପକାଇଲେ ମନ୍ଥି

ଗୋଡ଼ାଇ ମାରନ୍ତେ ତାଙ୍କୁ କେହି ନ ରଖନ୍ତି ।

ଅଷ୍ଟମଲ୍ଲ ଦେଖି ସୈନ୍ୟ ଭୟେ ପଳାଇଲେ

ଜରାସନ୍ଧ ରାଜାପାଦେ ଶରଣ ପଶିଲେ ।

ଗୋଡ଼ାଇ ଅଷ୍ଟମଲ୍ଲେ ମାରନ୍ତି ଛୈଛାଡ଼େ

ଗଦା ମୁଦୁଗର ଧରି ପିଟନ୍ତେ ସେ ଗାଢ଼େ ।

ଦେଖି ଜରାସନ୍ଧ ରାଜା ହେଲା କୋପମୂର୍ତ୍ତି

ନିର୍ଧୂମ ଅନଳ ଜିଣି ନୟନର ଜ୍ୟୋତି ।

ଅଷ୍ଟମଲ୍ଲ ମୁଖ ଚାହିଁ ବଚନ ବୋଇଲା

ନିଶ୍ଚୟ କାଳ ତୁମ୍ଭର ସମାପତ ହେଲା ।

ମୋ ମହିମା କି ଶୁଣିଲା ନାହିଁରେ ତୁମ୍ଭର

କେଉଁ ଦିଗପାଳ ଜିଣି ନାହିଁ ମୋର କର ।

ଅବିଚାରେ ତୁମ୍ଭେ ଆସି ସର୍ବନାଶ କଲ

ଆଜ ନ ବର୍ତ୍ତି ସଂପୁଡ଼େ ନିଶ୍ଚେ ନାଶଗଲ ।

ତୁମ୍ଭଙ୍କୁ ମାଇଲେ ମୋର ନାହିଁ କିଛି ଯଶ

ରାଜାମାନେ କରିବେ ନା ଶୁଣି ଉପହାସ ।

ସପ୍ତଦ୍ଵୀପ ମଧ୍ୟେ ମୁହିଁ ଅଟଇ କାରେଣୀ

ରାଜାଧିରାଜେଳଶ୍ଵର ମୁଁ ରାଜ ଶିରୋମଣି ।

ଅପ୍ରଚ୍ଛନ୍ନ ଜୀବଙ୍କୁ ରେ ମାଇଲେ କି ଯଶ

ଯଶ ପଉରୁଷ ମୋର ଯିବ ସବୁ ନାଶ ।

ସମାନ ଶତ୍ରୁଙ୍କ ସଙ୍ଗେ ଯୁଦ୍ଧ ଯେବେ କରି

ଲାଭହାନି ନାହିଁ ତହିଁ ଯୁଦ୍ଧେ ଯେବେ ହାରି ।

କେଶୀ ବୋଇଲା କେତେ ତୁ କହୁ ବଡ଼ପଣ

ଆପେ କହିଲେ ସେ କଥା ହୁଏ ଅକାରଣ ।

ଆପଣାର ବଳ ଗୁଣ ଦାନ ଧନ କଥା

ପରମୁଖେ ଶୁଣିଲେ ଯେ ପଉରୁଷ ଯଥା ।

ଇହ ପର ଲୋକ ଜିଣିପାରେ ଭଲେ ତେବେ

ବିଶ୍ଵାସଘାତକ ଲୋକ ବନ୍ଦୀ କରେ ଯେବେ ।

ପଳାନ୍ତେ ଲୋକ ଗୋଡ଼ାଇ ମାରି କରୁ ଟାଣ

ଆଜ ଜାଣିମା ତୋହର କେଡ଼େ ବଡ଼ପଣ ।

ତୁ ଯେବେ ବଳବନ୍ତ ରେ ଜରାସନ୍ଧ ରାୟେ

ଅକାରଣେ ମରାଉଛୁ ସଇନ ଲୋଚାଏ ।

ପ୍ରଥମେ ସମର ତୁ ନ କଲୁ କିସପାଇଁ

ସଂଗ୍ରାମ ମଧ୍ୟେ କରୁଛ କିପାଁ ଶବଦାଇ ।

କ୍ଷତ୍ରୀ ହୋଇଣ ସଂଗ୍ରାମେ କରେ ଯେବେ ଛନ୍ଦ

ମନ୍ତ୍ରୀ ହୋଇଣ ରାଜାରେ ଚିନ୍ତେ ଯେବେ ମନ୍ଦ ।

ଶୁଚିମନ୍ତ ହୋଇ ଯେବେ ଭୁଞ୍ଜି ମଦ୍ୟ ମାଂସ

ରଉରବ ନରକେ ସେ ପଡ଼ି ଅବଶ୍ୟ ।

କେଶୀର ମୁଖରୁ ବାଣୀ ଏସନକ ଶୁଣି

କୋପେ କାଳାନଳ ହେଲା ବୀରଶିରୋଣି ।

ହୋଇଲା ତୁ କହିଲୁ ଯା ନୁହଇ ମିଛ

ଅପ୍ରଛନ୍ନ ଜୀବମୁଖେ ହେଲା ସବୁ ତୁଚ୍ଛ ।

କହିଣ କୋପେ ବିନ୍ଧିଲା ବାଣ କୋଟି କୋଟି

ଶ୍ରାବଣ ମାସରେ ଯେହ୍ନେ ଜଳଧରା ବୃଷ୍ଟି ।

ଗୁଣରେ ବସାଇ ବାଣ ବିନ୍ଧେ ପୁଣ ପୁଣି

ବରଷି ସେ ପ୍ରଳୟକାଳ ମେଘ ଜିଣି ।

ଅନ୍ଧାରେ ଯେସନେ ଜୁଳୁଜୁଳା ପୋକ ଦିଶି

ତେସନକ ବାଣଗଣ ଆକାଶରୁ ଖସି ।

ବାଣ ଆସନ୍ତେ ଦେଖିଲା ଦୂରେ କାଶୀ ଥାଇ

ବୁକୁ ପାତିଲା ସେ ବୀର ଆଗଭର ହୋଇ ।

ଜରାସନ୍ଧ ବାଣ ଆସି କେଶୀହୃଦେ ବାଜି

ମସିଗୁଣ୍ଡା ହୋଇଗଲା ଜରା ହେଲା ଗଞ୍ଜି ।

ଦେଖିଣ ଜରାସନ୍ଧକୁ ନ ସ୍ଫୁରଇ କିଛି

ଭାଳଇ କେଉଁ ଦେବତା ଜାତ ହୋଇଅଛି ।

କ୍ଷଣକେ ମୁଁ ସପ୍ତଦ୍ଵୀପା ପୃଥ୍ଵୀ ପାରେ ଜିଣି

ମହା ମହା ଶସ୍ତ୍ରମାନ ପ୍ରହାରିଲା ଆଣି ।

ଏଡ଼େ ବଡ଼ ଶସ୍ତ୍ର ମୋର ହୋଇଲାକ ଭଙ୍ଗ

ବଜ୍ରହୁଁ କଠିନ ଅଟେ ଏହାର ଯେ ଅଙ୍ଗ ।

କେଶୀ ବୋଲେ ରାଜା ତୋର ନାମ ଜରାସନ୍ଧ

ଆନ ବାଣ ଥିଲେ ମୋତେ ମନ୍ତ୍ରୀ ବେଗେ ବିନ୍ଧ ।

ଏମନ୍ତ ସଂଗ୍ରାମେ କିରେ ମୋତେ ହୋଏ ଜିଣି

ଦେବଶର ଜାଣିଥିଲେ ପ୍ରହାର ତୁ ଆଣି ।

ଜରାସନ୍ଧ ବୋଲେ ଦେବ ପୂଜା ମୋର ନାହିଁ

ପୂର୍ବେ ତପ କରି ନାହିଁ ପାଇବି ମୁଁ କାହିଁ ।

ଏକା ମାଲବିନ୍ଧାଣି ମୁଁ କିଛି ଅଛି ଶିଖି

କେଶୀ ବୋଲେ ଯେବେ ଜାଣ ବିଳମ୍ବ କାହିଁକି ।

ଶୁଣି ଜରାସନ୍ଧ ଧନୁଶରକୁ ଥୋଇଲା

ବାହାନାଦ କରି କେଶୀ ଛାମୁରେ ମିଳିଲା ।

କେଶୀ ବୋଇଲା ଯେ ଆମ୍ଭେ ଉଭା ହୋଇଥିବୁ

କର ଚରଣହିଁ କିଛି ଆହେ ନ ଚାଳିବୁ ।

ତୁମ୍ଭଙ୍କୁ ଇଚ୍ଛା ଯେମନ୍ତେ ପାର ତୁମ୍ଭେ ଲାଗ

ଆମ୍ଭେ ଯେ ତୁମ୍ଭଙ୍କୁ କିଛି ନ ବୋଲିବୁ ଆଗ ।

ଏମନ୍ତ ପ୍ରକାରେ ଯେବେ ନ ପାରିବ ଜିଣି

କର୍ମ ଆଦରି ରହିବ ବୀର ଶିରୋମଣି ।

ଏହା କହି କେଶୀବୀର ତଳେ ହେଲା ଉଭା

ଅତି ବଡ଼ ତରୁବର ଦିଶେ ଯେହ୍ନେ ଶୋଭା ।

କୋପଭରେ ଜରାସନ୍ଧ ଗୁରୁତାପ ପାଇ

ବଜ୍ରସମ ବିଧାଏକ ମାଇଲା ନିଠାଇ ।

ଶରଦକାଳେ ଯେସନେ ମେଘ ଘଡ଼ଘଡ଼ି

ଗରିବର ଉପରେ କି ଗିରିବର ପଡ଼ି ।

ପୁଣି ବଜ୍ର ସମ ବିଧା ମାରେ କୋପଭରେ

ହୁଂକାର ନାଦ କରିଣ ଧରେ ଦୁଇକରେ ।

ଅନେକ ଛଳେ ଜାଣଇ ସେହି ମାଲବନ୍ଧ

ଛତିଶ ବନ୍ଧାଣି ପୁଣି ଚଉଷଠି ଭେଦ ।

ଅନେକ ସଂଗ୍ରାମ କଲା ଜରା ମହାବଳୀ

ତିଳେ ମାତ୍ର କେଶୀକି ସେ ନ ପାରଇ ଚାଳି ।

ବୃକ୍ଷ ଉପରକୁ ଯେହ୍ନେ ଉଠଇ ମର୍କଟ

ଶ୍ରମ ପାଇ ଜରାସନ୍ଧ ସୁଖେ କଣ୍ଠତଟ ।

ଶରୀରୁ ତା ଶ୍ରମଝାଳ ବହେ ନିରନ୍ତର

ମହା ତେଜରେ ନିଃଶ୍ଵାସ ଛାଡ଼ଇ ପ୍ରଖର ।

ଅପାର ପ୍ରକାରେ ତାକୁ ନ ପାରିଲା ଜିଣି

କରଯୋଡ଼ି କହେ ଜରାସନ୍ଧ ନୃପମଣି ।

କେବଣ ଦେବତା ତୁମ୍ଭେ କପଟେ ଅଇଲ

ରାଜାଙ୍କର ଦର୍ପଗଞ୍ଜ ଦିଗବିଜେ କଲ ।

ମୋହଭଳି ରାଜା ଜିଣି ନ ପାରିଲି ବଳେ

ଆଉ କିଏ ଜିଣିବ ବା ଏ ମହୀମଣ୍ଡଳେ ।

ଏତେ ବୋଲି ତୁନି ହୋଇ ନୃପତି ରହିଲା

ଆକର୍ଷିଣ କେଶୀ ଜରାସନ୍ଧକୁ ଧଇଲା ।

ଯେସନେ ଚୋରକୁ ଶାସ୍ତୀ ଦିଏ କଟୁଆଳ

କଂସର ଛାମୁକୁ ଘେନିଗଲା ମହାବଳ ।

ଖଣ୍ଡେ ଦୂର ଯାଇ ସେହି ରହିଲା ନିକଟେ

ବାମକରେ କେଶ ତାର ଧରିଅଛି ଆଣ୍ଟେ ।

ଦେଖି କଂସାସୁର ତାକୁ ନିରେଖି ଚାହିଁଲା

ଛାମୁକୁ ଆଣ ବୋଲି ଶ୍ରୀମୁଖେ ଆଜ୍ଞାଦେଲା ।

କଂସ ବୋଲେ କେଶି ଏହୁଁ କାହିଁର ନରେନ୍ଦ୍ର

କେଶୀ ବୋଇଲା ଏ ପରା ରାଜା ଜରାସନ୍ଧ ।

ମହାଘୋର ସଂଗ୍ରାମ ଏ ଆମ୍ଭ ସଙ୍ଗେ କଲା

ପାତ୍ର ଅମାତ୍ୟ ଥାଉଁ ଏ ଆପେଣେ ଯୁଝିଲା ।

ଅତି ଦୁର୍ଦ୍ଦଣ୍ଡ ଏ ରାଜା ରାଜାଙ୍କ ବଇରୀ

ଆଜ୍ଞାଦେଲେ ଏହାକୁ ମୁଁ ପକାଇବି ମାରି ।

ନୋହିଲେ ଏହାକୁ ଆମ୍ଭ ସଙ୍ଗେ ଯିବା ଘେନି

ମଥୁରା କଟକେ ବଳିଦେବା କାତ୍ୟାୟିନୀ ।

ଏହା ଯୋଗୁଁ ରାଜାଙ୍କର ରାଜ୍ୟ ନାଶକଲା

ଅନେକ ରାଜାଙ୍କୁ ଏହି କପଟେ ମାଇଲା ।

ଯାହା ସେ ଅର୍ଜିଲା ତାହା ପାପେ ଭୋଗକରୁ

ଦ୍ରୋହକର୍ମ କଲା ବନ୍ଦି ପଡ଼ି ଏବେ ମରୁ ।

କଂସ ରାଜା ବୋଲେ ୟାକୁ ରଥତଳେ ବାନ୍ଧ

ଆମ୍ଭ ପାଦତଳେ ଥାଉ ଏହି ଜରାସନ୍ଧ ।

ଆଜ୍ଞା ପ୍ରମାଣରେ କେଶୀ ଧାତିକାରେ ଗଲା

ରଥ ତଳେ ନେଇ ଜରାସନ୍ଧକୁ ବାନ୍ଧିଲା ।

ମଗଧ ଦେଶର ସୈନ୍ୟ ପଳାଇଲେ ଡରେ

କଂସ ଆଜ୍ଞାରେ ରହିଲେ ଯାଇଁ ଯେଝାଘରେ ।

କେଶୀ ବୋଇଲାରେ ତୁମ୍ଭେ କେଣିକି ନ ଯାଅ

ଆମ୍ଭ ରାଜ୍ୟ ହୋଇଲାରେ ସୁସ୍ଥ ହୋଇଯାଅ ।

ଏତେ କହି ସମଦଣ୍ଡ ଦେଲାକ ଚଳାଇ

ଷାଠିଏ ଯୋଜନ ସୈନ୍ୟ ରହିଲେକ ଯାଇ ।

ସରସ୍ଵତୀ ତୀରେ ଗନ୍ଧମାଦନ ପର୍ବତ

ଅଷ୍ଟବସୁ ଗନ୍ଧର୍ବେ ଯେ ହେଲେ ତହିଁ ଜାତ ।

ସୁଗନ୍ଧ ନାମେ ଯେ ବନ ସେ ପର୍ବତ ତଳେ

ବିଦ୍ୟାଧରମାନଙ୍କର କ୍ରୀଡ଼ା ରାତ୍ରକାଳେ ।

ଅପୂର୍ବ ପଦାର୍ଥ ତହିଁ ପଟାନ୍ତର ନାହିଁ

ନାନାଦି ବିଦ୍ୟା ଔଷଧି ଅଛି ତହିଁ ରହି ।

ଲୋମଶ ମହାଋଷିଙ୍କ ଅଟଇ ବିଶ୍ରାମ

ଲିଙ୍ଗେକ ଅଛି ଗନ୍ଧର୍ବେଶ୍ଵର ତାଙ୍କ ନାମ ।

ପର୍ବତରୁ ଝରି ଶିଖେ ପଡ଼େ ପୁଷ୍ପ ଜଳ

ଅମୃତ ସମାନେ ସ୍ଵାଦୁ ସୁଗନ୍ଧ ଶୀତଳ ।

ସେହି ପର୍ବତକୁ କଂସ ବେଗେ ଗଲା ଉଠି

ନମସ୍କାର କଲା ଋଷିପାଦେ ଦେଇ ଦୃଷ୍ଟି ।

ଚରଣ ପଖାଳି ଘେନି ସୁବାସିତ ନୀର

ନିସ୍ତରିଲି ବୋଲି ଶିରେ ଲଗାଇଲା କର ।

ଅଷ୍ଟମଲ୍ଲ ଆଦିକରି ସବୁ ଯଦୁବୀରେ

ମୁନିଙ୍କି ଯେ ନମସ୍କାର କଲେ ଯେ ଯାହାରେ ।

ଅନେକ ପୁଚ୍ଛାକଲା ସେ କଂସ ନରପତି

ମହାମନ୍ତ୍ର ପଢ଼ି ମୁନି କଲ୍ୟାଣ କରନ୍ତି ।

କପାଳେ ବିଭୂତି ଦେଲେ ଝୁଲିରୁ ସେ କାଢ଼ି

କୃଷ୍ଣାଜିନ ଛାଲ ଦେଲେ ବସିବାକୁ ମାଡ଼ି ।

କନ୍ଦମୂଳ ଆଣି ମୁନି ଆଗେ କୁଢ଼ାଇଲେ

ଆଗେ ଉଭାହୋଇ ମୁନି କୃତାଞ୍ଜଳି ହେଲେ ।

କଂସ ବୋଲଇ ବସିବା ହେଉ ମୁନି ବେଗେ

ହାନିଲାଭ କଥା ହେଲେ କହ ମୋତେ ତେବେ ।

ମୁନି ବୋଇଲେ ରାଜା ହୋ ତୁମ୍ଭର ପ୍ରସାଦେ

କାହାକୁ ହିଁ ଡରଭୟ ନାହିଁ ମୋର ହାଦେ ।

ଆଉ କଥାଏ ମାଗିବୁ ରାଜା ଆମ୍ଭେ ଯାହା

ସତ୍ୟକରି ଦେବ ତୁମ୍ଭେ ଆମ୍ଭଙ୍କୁ ସେ ତାହା ।

କ୍ଷତ୍ରୀଙ୍କର ଧର୍ମ ସିନା ଏସନ ସ୍ଵଭାବ

ହାରିବା ଜିଣିବା ରଣ ପାଇଲେ କରିବ ।

ଶରଣ ପଶିବା ଜନ ନ ମାରିବ ରଖି

ବିପ୍ର ଦାନ ମାଗିଲେ ତା ନ ଦେବ ଉପେକ୍ଷି ।

କ୍ଷତ୍ରୀ ହୋଇ ନ କରିବ ଯେବେ ନିଜ କର୍ମ

ଘୋର ନରକେ ପଡ଼ିବ ନାଶଯିବ ଧର୍ମ ।

ଆମ୍ଭେ ଋଷିମାନେ ଅଟୁ ବ୍ରହ୍ମା ପୁତ୍ର ନାତି

ତୋ ବାହୁବଳେ କାହାକୁ ଆମ୍ଭର ଯେ ଭୀତି ।

ଯୁଦ୍ଧ କରିବାକୁ ନୋହୁ ଆମ୍ଭେ ଶସ୍ତ୍ରଧାରୀ

ଦାନେକ ମାଗିବୁ ଦେବୁ ତୁ ନାସ୍ତି ନ କରି ।

କଂସ ବୋଇଲା ମୁନି ହେ ମାଗ ଧାତିକାରେ

କେତେ କଟାଳ କରୁଛ ଦେବି ତା ସତ୍ୱରେ ।

ଯାହା ମାଗିବ ମୁଁ ତାହା ଦେବି ଏହିକ୍ଷଣି

ଏ ମୋର ସତ୍ୟ ସତ୍ୟ ନିରାଧାର ବାଣୀ ।

ତୁମ୍ଭଭଳି ଋଷି ଯେବେ କଲ ଦାନଇଚ୍ଛା

ଦେବଇଁ ଅବଶ୍ୟ ପୂର୍ଣ୍ଣ କରି ମନୋବାଞ୍ଛା ।

ଯଦ୍ୟପି ହେ ମହାମୁନି ଜୀବନ ମାଗିବୁ

ଅବଶ୍ୟ ଶିର କମଳ ଆଦି ଦେବି ସବୁ ।

ମୁନି ବୋଇଲେ ଦେବାକୁ ଅଛି ଯେବେ ଶଧ

ଜରାସନ୍ଧ ନୃପତିକୁ ନ କର ତୁ ବଧ ।

ଦୋଷ ଅପରାଧ କ୍ଷମା କରିବୁ ଏହାର

ବନ୍ଦୀ ମୁକୁଳାଇ ଛାଡ଼ି ଦିଅ ଦଣ୍ଡଧର ।

ସବୁ ରାଜାଙ୍କ ଉପରେ ଏ ମଉଡ଼ମଣି

ନବଖଣ୍ଡ ମହୀରେ କେ ନ ପାରିଲେ ଜିଣି ।

ତୁମ୍ଭେ କାଳନେମି ଜାତ ହେଲ ରବିତଳେ

ଜିଣିଲ ଏ ଜରାସନ୍ଧ ରାଜା ଭୁଜବଳେ ।

ଏ ନବଖଣ୍ଡ ମହୀରେ ଛନ୍ତି ଯେତେ ରାଜା

ସମସ୍ତେ କରନ୍ତି ଆସି ଏହା ପାଦପୂଜା ।

ଏବେ ତୁମ୍ଭେ ଏହାକୁ ଯେ କିଞ୍ଚିତେ ଜିଣିଲ

ପ୍ରାଣେ ନ ମାରିଲ ବାନ୍ଧି ଏଠାକୁ ଆଣିଲ ।

ଏହାର ଯେ ବଡ଼ଭାଗ୍ୟ ଦେଖାହେଲା ମୋର

ଛାଡ଼ିଦେବୁ ମାଗୁଅଛି ତୋତେ ଏହି ବର ।

ଏଡ଼େ ବଡ଼ ରାଜା ଗୋଟା ପାଇଲାଣି ଦୁଃଖ

ତୁମ୍ଭର ହୋଇ ଥାଉ ଏ ସମୟେକ ରଖ ।

ଆବର କଥାଏ ଆମ୍ଭେ କହିବୁ ତୋ ଆଗେ

ଅଶ୍ଵ ଗୋଟିଏ ତୁ ଆଗ ମେଲ ମହୀଭାଗେ ।

ତାରକାସୁର ଏ ବିଧି ଦିଗବିଜେ କଲା

ସ୍ଵର୍ଗ ମର୍ତ୍ତ୍ୟ ପାତାଳକୁ ହେଳେଣ ଜିଣିଲା ।

ଲଙ୍କ ଅଧିପତି ପୂର୍ବେ ରାବଣ ଦଇତ୍ୟ

ଦିଗ ବିହରଣ କଲା ସେ ବିଶ୍ରବ ସୁତ ।

ଡରେ ସକଳ ଦେବତା ହେଲେ ତାର ବଶ

ତେତ୍ରାଯୁଗରେ ଶ୍ରୀରାମବାଣେ ଗଲା ନାଶ ।

ଶ୍ରୀରାମର ବ୍ରହ୍ମଶରେ ମଲା ଦଶଶିରେ

ଦିଗବିଜେ କରିବାର ଏମନ୍ତ ବିଚାର ।

ତୁମ୍ଭେ ଏ ଦ୍ଵାପରଯୁଗେ ଦିଗବିଜେ କଲ

ଯଥାବିଧି ପୂର୍ବପରି ଅଶ୍ଵ ନ ମେଲିଲ ।

ଆଗେ ଅଶ୍ଵ ପଛେ ପଛେ ଥିବ ଯେ ଗୋଡ଼ାଇ

ସେ ଅଶ୍ଵ ଧରିବ ତାକୁ ମାରିବଟି ଯାଇ ।

ଶ୍ଵେତବର୍ଣ୍ଣ ସିନ୍ଧୁଜାତ ହୋଇବ ସେ ଘୋଡ଼ା

ଏମନ୍ତ ଅଶ୍ଵ ଗୋଟିଏ ହେବ ତୁମ୍ଭ ଲୋଡ଼ା ।

ମୁକୁଟ ତା ଶିରେ ବାନ୍ଧି ସୁବେଶ କରାଇ

ନବରତ୍ନ କଣ୍ଠୀମାଳା ଗଳାରେ ଲମ୍ବାଇ ।

ବିଶ୍ଵାସୀ ସେବକ ତାକୁ ନେଉଥିବ ଆଗେ

ସକଳ ସେବକ ଥିବେ ତାର ସଙ୍ଗେ ସଙ୍ଗେ ।

ସେ ଅଶ୍ଵଗୋଟି ଧରିବ ଯେହୁ ବଳ କରି

ପ୍ରାଣେ ନାଶ ରଖିବ ସେ ତୁମ୍ଭର ବଇରୀ ।

ଆଉ କଥାଏ କହିବା ଏବେ ଶୁଣ ତାହା

ଆମ୍ଭ କଥା ପ୍ରତିପାଳିଥିବୁ ନରନାହା ।

ପବିତ୍ର ପାଟବଂଶୀ ଏ ଜରା ନରପତି

ବେନି ଦୁହିତା ଏହାର ପଦ୍ମିନୀ ଯେ ଜାତି ।

ହେତି ପ୍ରହେତି ବୋଲି ସେ ଦୁହିଁଙ୍କର ନାମ

ଅପୂର୍ବ ରୂପବତୀ ସେ ଦୁହେଁ ଅନୁପମ ।

ସେ ବେନି କନ୍ୟା କରିବା ତୁମ୍ଭଙ୍କୁ ଯେ ବିଭା

ଚନ୍ଦ୍ର ରୋହିଣୀ ପରାୟ ଦିଶିବ ନା ଶୋଭା ।

କପିଳା ଶୋପେ ଗଉରୀ ଦେବୀ ମହାସତୀ

ମାନବ ଦେହ ଘେନିଣ ମଞ୍ଚେ ଉତପତ୍ତି ।

ତେସନ ଏ କାମଦେବ ପ୍ରିୟା ରତି ନାରୀ

କାଳନେମି ରୂପେ ତୁମ୍ଭେ ଥିଲ ଅବତରି ।

ଏବେ କଂସରୂପେ ତୁମ୍ଭେ ଜନମ ହୋଇଲ

ଜରାସନ୍ଧ ଦୁହିତାଙ୍କ ରୂପକୁ ଘଟିଲ ।

ତୁମ୍ଭେ ତାଙ୍କ ପତି ବିନୁ ଆନ କେହି ନାହିଁ

ଯତନେ ବିଧାତା ଏହା ଗଢ଼ିଛି ଘଟାଇ ।

ଆବର ବିଶେଷେ ଜରାସନ୍ଧ ମହାରାଜା

ଭୃତ୍ୟପଣେ ଖଟିଥିବ ଦେଇଣ ତନୁଜା ।

ଦଇବେ ତ ଶୁଭଯୋଗେ ଆସି ହେଲା ଭେଟ

ଭୋଜବଂଶ ନୃପତି ତ ତୁମ୍ଭେ ଆଦ୍ୟପାଟ ।

ଇନ୍ଦୁମତୀ ମହାସତୀ ଅଟେ ତୁମ୍ଭ ମାତା

ପଦ୍ମକେଶର ରାଜାର ଅଟଇ ଦୁହିତା ।

ଉଗ୍ରସେନ ନୃପତିର ତୁମ୍ଭେ ଜ୍ୟେଷ୍ଠ ସୁତ

ମଥୁରା ରାଜ୍ୟେ ଧରାଇଅଛି ପାଟଛତ୍ର ।

ତୁମ୍ଭ ଅଜା ଗୁରୁ ଅଟେ ଯଯାତି ଯେ ରାଜା

ବଂଶିକ ଅତି ପବିତ୍ର ସେହି ପୁଣ୍ୟତେଜା ।

ଏ ଜରାସନ୍ଧ କେଶରୀ ବଂଶ ଶିରୋମଣି

ବିଭା କରାଇବୁ ଆମ୍ଭେ ଥାଇ ତହିଁ ପୁଣି ।

ଯତ୍ନେ ମଣାଇ କହିଲେ ନୃପମଣି ଶୁଣ

କନ୍ୟା ବିଭାହେଲେ ଶୋଭା ଦିଶିବ ଦ୍ଵିଗୁଣ ।

ଅନେକ ମତେ କଂସକୁ କହି ମହାମୁନି

ଅଷ୍ଟମଲ୍ଲ ମୁଖ ଚାହିଁ କଂସ ହେଲା ତୁନି ।

ଅଷ୍ଟମଲ୍ଲ ବୋଇଲେ ଭୋ ରାଜନ ଶୁଣିବା

ଜରାସନ୍ଧ ନୃପତିର ଦୋଷ ଉପେକ୍ଷିବା ।

ସତ୍ୟ କରାଇ ମାଗିଲେ ମୁନି ରାଜଦାନ

ଏ କଥା ନ କଲେ ନାଶ ଯିବ ସବୁ ପୁଣ୍ୟ ।

ଆବର ବିଶେଷେ ସେହି ଦେବ ଯେବେ କନ୍ୟା

ଏ ରାଜାର ଦୋଷ ତୁମ୍ଭେ କରିବ ନା କ୍ଷମା ।

ଭୋ ଦେବ ନେଇ ମୁନିଙ୍କି ଜରାସନ୍ଧ ଦେବା

କନ୍ୟା ବେନି ଆଣି ମୁନି କରାଇବେ ବିଭା ।

କଂସ ବୋଲେ କେଶୀ ତୁ ହୋ ଜରାସନ୍ଧ ନିଅ

ରଜ୍ଜୁ ଫିଟାଇ ମୁନିର ପାଶେ ନେଇ ଦିଅ ।

କଂସ ଆଜ୍ଞା ପରମାଣେ ଜରା ଅଣାଇଲେ

ଲୋମଶ ମୁନି ଗୋଚରେ ନେଇ ସମର୍ପିଲେ ।

ବନ୍ଦୀରୁ ମୁକୁଳହେଲା ଜରାସନ୍ଧ ରାଜା

ମୁନି ପାଦତଳେ ପଡ଼ି କଲା ପାଦପୂଜା ।

କଂସକୁ ଯେ ନମସ୍କାର କରି ଉଭା ଆଗେ

ମୁନି ବୋଲନ୍ତି ଦୁହିତା ରାଜା ଆଣ ବେଗେ ।

ଦୂତ ପଠାଇ କନ୍ୟାଙ୍କୁ ଆଣ ନୃପମଣି

ସୁବେଶ କରି ସଙ୍ଗରେ ମୁଦୁସୁଲୀ ଘେନି ।

କନ୍ୟାଙ୍କ ରୂପେ ହାନ୍ଦୋଳା ପାଉଅଛି ଶୋଭା

ଦେଖି କଂସର ବଢ଼ିଲା କାମଦେବା ପ୍ରଭା ।

ମୁନି ବୋଇଲେ ଶୁଣ ତୁ ମଗଧ ନୃପତି

ପିତୃଦତ୍ତ କନ୍ୟା ପୁଣି ରାଜଦତ୍ତ ପୃଥ୍ଵୀ ।

ଗୁରୁଦତ୍ତ ମନ୍ତ୍ର ଜାଣ ଭାଗ୍ୟଦତ୍ତ ଧନ

ପୃଥ୍ଵୀଦତ୍ତ ଶସ୍ୟ ସିନା ଜ୍ଞାନଦତ୍ତ ମନ ।

ଯୁକତେ ଦୁହିତା ତୁମ୍ଭେ କରିଛ ଜନମ

କନ୍ୟାଦାନ କଲେ ହେବ ଯଶ ପୁଣ ଧର୍ମ ।

ସୁପାତ୍ରେ ସୁକନ୍ୟା ଦାନ କର ମାନ ତେଜି

ମୋ କଥାଗୋଟି ଅନ୍ୟଥା ନ କର ତୁ ହେଜି ।

ଶୁଣି ଜରାସନ୍ଧ ରାଜା ସନ୍ତୋଷ ହୋଇଲା

ବିଭାର ଯୋଗାଡ଼ମାନ ସବୁ ଅଣାଇଲା ।

ସରସ୍ଵତୀ ନଦୀତୀରେ ରଚିଲେ ମାଣ୍ଡୁଆ

ସୁବର୍ଣ୍ଣ ବେଦୀ ଉପରେ ଟାଙ୍ଗିଲେ ଚାନ୍ଦୁଆ ।

ମାଣିକ୍ୟ ମୁକୁତା ଖଞ୍ଜା ବଇଦୁର୍ଯ୍ୟ ଝରା

ନେତ ପାଟ ସିଦ୍ଧୁଆ ଯେ ଉଡ଼େ କେରା କେରା ।

ରଙ୍ଗ ଶୁକଳ କାଳିଆ ଧ୍ଵଜା ପନ୍ତି ପନ୍ତି

ନୀଳ ମେଘରେ ବିଜୁଳି ପ୍ରାୟ ଝଟକନ୍ତି ।

ଜରାସନ୍ଧ ନୃପତିକି ଅପୂର୍ବ କି ଅବା

ଛାୟାଣୋଇ ସସ୍ର ରାଜା ବସି କଲେ ସଭା ।

ଶୁଦ୍ଧ ସୁବର୍ଣ୍ଣ କଳସ ଲକ୍ଷେ ତହିଁ ଝଳି

ନାନା ରତ୍ନ ପିତୁଳା ଅଛଇ ଭଳି ଭଳି ।

ଜରାସନ୍ଧର ତେଇଶ ଅକ୍ଷୌହିଣୀବଳ

କନ୍ୟା ବିଭାକାଳେ ଆସି ମିଳିଲେ ସକଳ ।

ଛାୟାଣୋଇଁ ସସ୍ର ରାଜା ସୈନ୍ୟ ଯେତେ ଥିଲେ

ବିଭାର ସମୟ ଜାଣି ସମସ୍ତେ ଅଇଲେ ।

ରଥଗଜ ଅଶ୍ଵ କେତେ କଳନା ନ ଯାଇ

ପଦାତିକ ସୈନ୍ୟବଳ କେ ପାରିବ କହି ।

ନିରତେ ରାନ୍ଧୁ ଅଛନ୍ତି ରହି ସୁପକାରେ

ଅନ୍ନ ବ୍ୟଞ୍ଜନ ଦିଅନ୍ତି ଯାଚି ଯେ ଯାହାରେ ।

ଭୁଞ୍ଜି ସନ୍ତୋଷ ହୁଅନ୍ତି ତହିଁ ସର୍ବ ଜନ

ଆଚମନ କରି ପୁଣି ବସନ୍ତି ଆସ୍ଥାନ ।

ମଙ୍ଗଳ ଉତ୍ସବ ଜରାସନ୍ଧ ଯେ କରଇ

ଢ଼ୋଲ ଦମା ବିଜିଘୋଷ ମହୁରୀ ବଜାଇ ।

ଅପ୍ରମିତ ବାଜଣାର ବୀରତୂର ନାଦେ

ଗଗନ ଉଛୁଳୁଅଛି ଘୋରତର ଶବ୍ଦେ ।

ବନ୍ଦାପନା କରନ୍ତି ସେ ସାତଦୀପ ଘେନି

ମଙ୍ଗଳ ଗୀତ ଗାବନ୍ତି ଅହିୟ କାମିନୀ ।

ବରକନ୍ୟା ବସାଇଲେ ଦେବୀରେ ସେ ମୁନି

ଦଶସସ୍ର ବିପ୍ର ଉଚ୍ଚେ କଲେ ଦେବଧ୍ଵନି ।

ଉଚ୍ଚାରିଣ ଦେଶକାଳ ବାକ୍ୟ ଦ୍ଵିଜମେଳେ

ଗୋତ୍ର ପାଲଟାଇ ରାଜା ହସ୍ତକୁ ଯୋଡ଼ିଲେ ।

ଶଙ୍ଖେ ଭରି ଜଳ ତିଳ ଦେଲେ ଯଉତୁକ

ଦୁଇ କୁଳ ଆନନ୍ଦରେ ହୋଇଲେ ଉତ୍ସୁକ ।

କୋଟି ଏକ ଅଶ୍ଵ ଦେଲେ ବେନିକୋଟି ହସ୍ତୀ

ଚାରିକୋଟି ଅଶ୍ଵାରୋହୀ କୋଟିଏ ପଦାତି ।

ଲକ୍ଷେ ଶ୍ଵେତଛତ୍ର ପାଟଛତ୍ର ଆଦିକରି

କୋଟି ପାଣିଦ୍ରବ୍ୟ ଦେଇ ନିହୁଡ଼ିଲେ ବାରି ।

ଦଶସସ୍ର ପରିବାରୀ ହେଲେ ନବଯୁବା

ଏକ ଏକ କାମିନୀ ଯେ ଏକୁ ଏକ ଶୋଭା ।

ଦଣ୍ଡଛତ୍ର ସିଂହାସନେ ଭୂମିଦାନ ମୂଳେ

ଅନେକ ଦ୍ରବ୍ୟ ଯୌତୁକ ଦେଲେ ମହୀପାଳେ ।

ଆରେକ ଦୁହିତା ବିଭା ସେ ବେଦୀରେ କରି

ହେତି ପ୍ରହେତି ସେ ଦୁଇ ପରମା ସୁନ୍ଦରୀ ।

ଲାଜା ହୋମ ସାରି ବିଭା ବିଧି ଶେଷ କଲେ

ଉଠି ଜରାସନ୍ଧ କର ଦୁଇକି ଯୋଡ଼ିଲେ ।

ଭୋ କଂସରାଜା ତୁ ଯଦୁବଂଶ ଶିରୋମଣି

ଅନେକ ଦୋଷ କଲି ମୁଁ ନ ଚିହ୍ନି ନ ଜାଣି ।

ଜାୟାପିତା ବୋଲିବାକୁ ଭାଜନ ନୁହଇ

ଶରଣ ପଶିଲି ଦୁଇ ଦୁହିତାକୁ ଦେଇ ।

ମୋର ସକଳ ସମ୍ପଦ ଅଟଇ ତୁମ୍ଭର

ଶରଣ ସୋଦର ବାନା ବହୁ କଂସାସୁର ।

ବାରେ ଅନୁଗ୍ରହ କର ମୁଁ ସିନା ତୋହର

ସେବକ ପଣରେ ରଖ ଦୋଷ ମୋ ନ ଧର ।

ପୁତ୍ର ଭାରିଯା ସହିତେ କୁଟୁମ୍ବ ମୋ ଯେତେ

ଶରଣ ପଶୁଛି ଘେନି ଦୁହିତା ସହିତେ ।

ଶୁଭେ ପ୍ରତିପାଳୁଥିବୁ ମୋର ବେନି ଜେମା

ତାହାଙ୍କର ଦଶଦୋଷ କରି ତୁ ଯେ କ୍ଷମା ।

ଅନେକ ବିନୟ କରି କହେ ନରନାହା

ଅସମୟରେ ତୁ ବାବୁ ହେବୁ ମୋତେ ସାହା ।

ଆଜହୁଁ ଏବେ ହୋଇଲି ମୁଁ ତୁମ୍ଭର ବଶ

ଦ୍ରୋହକର୍ମ କଲେ ମୁହିଁ ନ ଧରିବୁ ଦୋଷ ।

କଂସାସୁର ବୋଇଲା ହୋ ବୋଲ ତୁମ୍ଭେ ଯାହା

ମୋ ପଞ୍ଚଭୂତ ଆତ୍ମାର ହେଲ ଏବେ ସାହା ।

ଯେତେ ଦୋଷ କରିଥିଲେ ସବୁ ଉପେକ୍ଷିବୁ

ଦୁହିତା ଦୁଇ ଦେଲାରୁ ଦୋଷ ଗଲା ସବୁ ।

ନ ଜାଣିବା ପଣେ ସିନା କଲ ଅମରିଷ

ସେ କଥାକୁ ବିଚାରିଲେ ହେବ ଆଉ କିସ ।

କେଶୀ କରଯୋଡ଼ି ବୋଲେ ମଗଧ ଈଶ୍ଵର

ପୃଥିବୀରେ ଏକମାତ୍ର ଅଟ ତୁମ୍ଭେ ବୀର ।

କର୍ମ ଅବଳକୁ ସିନା ରଣେ ଗଲ ହାରି

ହାରିବା ଜିଣିବା କ୍ଷତ୍ରି ବେଭାର ଏପରି ।

ସେ କଥା ମନେ ନ ଧର ତୁ ହୋ ନରପତି

ଆମ୍ଭ ତୁମ୍ଭ ଆତ୍ମା ଏକ ଅଭିନ୍ନ ପୀରତି ।

ଏହା କହି ବେନିଜନ ହେଲେ କୋଳାକୋଳି

ଅକ୍ରୁର ଉଦ୍ଧବ ଆଦି ଯଦୁବଳ ମିଳି ।

ଜରାସନ୍ଧ ନୃପତିକୁ କଲେ ପଉରୁଷ

ଚଉଠି ସପ୍ତମଙ୍ଗଳା ବିଧି କଲେ ଶେଷ ।

ଜୟ ତୁ ଜୟ ତୁ ସୃଷ୍ଟି କରତା ବିଧାତା

ଜୟ ତୁ ଜୟ ତୁ ଦେବ ଚଉବର୍ଗଦାତା ।

ଜୟ ତୁ ଜୟ ତୁ ଦେବ ଭିଆଣ ତୋ ଧନ୍ୟ

ଜୟ ତୁ ଜୟ ତୁ ଦେବ ନୁହେଁ ତାହା ଆନ ।

ଯାହା ଲିଭିଥିବୁ ତାହା ଅନ୍ୟଥା ନ ହୋଇ

କାହିଁ ମଥୁରା ମଗଧ ଲୋମଶହିଁ କାହିଁ ।

ଘଟାଇଲୁ ଆଣି ଏଣୁ ବିହି ତୋର ନାମ

ଅଚ୍ୟୁତାନନ୍ଦ ଦାସ ମୁଁ ମୋର କର୍ମ ବାମ ।

ତେଣୁ ହରିବଂଶ ଗ୍ରନ୍ଥ ଲେଖିବାକୁ ମନ

ସାଗରକୁ ଲଙ୍ଘିବାକୁ ମୁହିଁ କି ଭାଜନ ।

ଏଣୁ ଦେବବର କରେ ତବ ପାଦସେବା

ସରସ୍ଵତୀଙ୍କୁ ପଠାଇ ପଦ କହିଦେବା ।

 

ହରିବଂଶ (ପ୍ରଥମ ଖଣ୍ଡ)

ସୌଦାସ ନୃପତି ଏବଂ ବାଣାସୁରର ପରାଜୟ ସ୍ଵୀକାର

ଶୁକମୁନି କହୁଛନ୍ତି ପରୀକ୍ଷ ଶୁଣନ୍ତି

ହରିବଂଶ ପୁରାଣ ଯେ ପବିତ୍ର କୀରତି ।

ସରିଲା ବିଭା ସପତମଙ୍ଗଳା ଚଉଠି

ଆଠଦିନେ ଦିଗବିଜେ କରିବାକୁ ଉଠି ।

ଲୋମଶ ବୋଇଲେ ଶୁଣ କଂସାସୁର ରାୟ

ଆଗେ ଅଶ୍ଵଗୋଟା ମେଲି କର ଦିଗ୍‌ବିଜୟ ।

ମୁନିଙ୍କର ଆଜ୍ଞା ମାନି କଂସାସୁର ବୀର

ଅଶ୍ଵ ଭିତରୁ ଆଣିଲା ବାଛି ହୟବର ।

ନୀଳବର୍ଣ୍ଣ ସେ ବିଶୁଦ୍ଧ ଅଶ୍ଵ ସିନ୍ଧୁଜାତି

ପାଞ୍ଚ ବରଷ ବୟସ ନୀଳରତ୍ନ କାନ୍ତି ।

କପାଳେ ଧବଳ ଚାନ୍ଦ ଉଜ୍ଜ୍ଵଳା ତା ପାଦ

ସର୍ବଗୁଣେ ସୁଲକ୍ଷଣ ନାହିଁ ନା ବିରୋଧ ।

କଂସ ରାଜାର ଛାମୁରେ ଦେଲେ ଅଶ୍ଵ ନେଇ

ଖଞ୍ଜିଲେ ସେ ଅଶ୍ଵଗୋଟି ନବରତ୍ନେ ଛାଇ ।

ମୁକୁଟ ଶିରରେ ମୁଖ ସୁନା କଢ଼ିଆଳ

କଣ୍ଠେ ଲମ୍ବାଇଲେ ଅଷ୍ଟରତ୍ନ ପଦ୍ମମାଳ ।

 

ଦେବାଙ୍ଗ ଝୀନବସନ ପାଟର ସିନ୍ଧୁଆ

ନୀଳମେଘ ପାଟ ଇନ୍ଦ୍ରଗୋବିନ୍ଦ ଚାନ୍ଦୁଆ ।

ବୀରଶୂର ନାଗ ଶ୍ଵେତ ଚାମରେ ସେ ଶୋଭା

ପ୍ରବାଳ ବୈଦୁର୍ଯ୍ୟ ଜ୍ୟୋତି ଦିନକର ପ୍ରଭା ।

ତିନିଶତ ପାଟଛତ୍ର ଚାରିଶ ବିମଳ

ସାତସହସ୍ର ଆଲମ୍ବ ବିଚିତ୍ର କମଳ ।

ଷାଠିସହସ୍ର ଛାମୁରେ ବୀରବାଜା ବାଜେ

ପ୍ରଳୟ କାଳରେ ଯେହ୍ନେ ସିନ୍ଧୁ ଗଳଗାଜେ ।

ଅଶ୍ଵ ଆଗପଛେ ମଣି ମାଣିକ୍ୟରେ କେରୀ

ଦଶଲକ୍ଷ ପଦାତିକ ସୈନ୍ୟ ପଟୁଆରୀ ।

ସୁଲକ୍ଷଣ ସିନ୍ଧୁଜାତି ଅଶ୍ଵ ଚଳାଇଲେ

ବେନିମାସ ଅନ୍ତେ ରାଜା ସଇନି ଚଳିଲେ ।

ପାଛୋଟି ସେ ଜରାସନ୍ଧ ରାଜା ଯାଉଥିଲା

ପାଞ୍ଚ ଯୋଜନରୁ ସେହି ବାହୁଡ଼ି ଅଇଲା ।

ଅନେକ ରାଜାଙ୍କ ସୈନ୍ୟ କଂସ ସଙ୍ଗେ ଚଳି

ନର୍ମଦା ନଦୀର କୂଳେ ସର୍ବେ ଯାଇ ମିଳି ।

ବୀରତୂର ଶବ୍ଦେ ତିନି ବ୍ରହ୍ମାଣ୍ଡ କମ୍ପାଇ

ସେ ଘୋର ଶବଦ ରାଜାମାନଙ୍କୁ ଝାମ୍ପଇ ।

ଜରାସନ୍ଧ ରାଜାଙ୍କୁ ତ କଂସ କଲା ଜୟ

ଶୁଣି ନୃପତିଙ୍କ ମନେ ଜାତ ହେଲା ଭୟ ।

ଧନ ବସ୍ତ୍ର ଅଳଙ୍କାର ଘାସ ଅନ୍ନପାଣି

ସନ୍ଧାନ ଦେଇ ବାଟରେ ଯୋଗାନ୍ତି ତା ଆଣି ।

କାମାକ୍ଷା ଦେଶ ନୃପତି କାମେଶ୍ୱର ରାଜା

ଦଶକୋଟି ରତ୍ନ ଦେଇ କଲା କଂସ ପୂଜା ।

ଉଡ଼ଙ୍ଗ ଦେଶ ନୃପତି ବୀର ବେଲାଉଳ

ପଞ୍ଚସସ୍ର ଅଶ୍ଵ ଦେଇ ସେବେ ପାଦତଳ ।

ବେଳାଳ ଦେଶରେ ହରି ତୁରଙ୍ଗ ଯେ ରାଜା

ଦଶସସ୍ର ସଞ୍ଜା ଘେନି କଲା କଂସ ପୂଜା ।

କନାଉଜ ଦେଶ ରାଜା କଳିଙ୍ଗ ନୃପତି

କଂସକୁ ଦେଲା ସୁନ୍ଦରୀ ଲକ୍ଷେକ ଯୁବତୀ ।

ସହସ୍ରେକ ରଥ ପାଞ୍ଚସହସ୍ର ସାରଥି

ଆଦର ଦେଲା ପଦାତି ଅଶ୍ଵ ମତ୍ତହସ୍ତୀ ।

ବହୁମୂଳ ପର୍ବତରେ ରାଜା ସନ୍ନ୍ୟାସୀଏ

ଦଶସସ୍ର ଅଶ୍ଵ ଘେନି ସେବେ କଂସ ପାଏ ।

ମରହଟ୍ଟ ଦେଶରେ ଯେ ପ୍ରଚଣ୍ଡ ନୃପତି

ଶତଶୃଙ୍ଗେ ବିଜେ ଘେନି ଶତସସ୍ର ହସ୍ତୀ ।

କଂସ ବିଜେ ବାରତା ସେ ଚାର ମୁଖୁ ଶୁଣି

ଦଶସସ୍ର ହସ୍ତୀ ଦେଲା ଛାମୁରେ ସେ ଆଣି ।

ଚାରିଦିଗରେ ଅନେକ ନୃପତି ଅଛନ୍ତି

ଛୟାଣୋଇ ସସ୍ର ତହିଁ ବିଖ୍ୟାତ ନୃପତି ।

ଜମ୍ବୁଦ୍ଵୀପରେ ଅଛନ୍ତି ଯେତେକ ରାଜନ

ଜରାସନ୍ଧକୁ ଖଟନ୍ତି କର ଦେଇ ଧନ ।

ହାରି ଜରାସନ୍ଧ ଦେଲା ଦୁହିତାକୁ ବିଭା

ପୁଣି ଧନ ଥୋଇ କଂସ ଆଗେ ହେଲା ଉଭା ।

ମଣ୍ଡଣି ଅଶ୍ୱକୁ କଂସ ଆଗରେ ଚଳାଇ

ସକଳ ସଇନ୍ୟ ପଛେ ଅଛନ୍ତି ଗୋଡ଼ାଇ ।

ଅତିବେଗେ ସେହି ଅଶ୍ଵ ଗୋଟି ଚଳିଗଲା

ସୌଦସ ନୃପତି ଗଡ଼ ନିକଟେ ମିଳିଲା ।

ପ୍ରତାପୀ ସେ ମହାରାଜା ଅଟଇ ନିର୍ଭୟ

ବ୍ରହ୍ମା ରୁଦ୍ର ଇନ୍ଦ୍ରଙ୍କୁ ଯେ ନାହିଁ ତାର ଭୟ ।

ବାରତା ପାଇ ସୌଦାସ ନୃପତି ଭାଳଇ

ଏମନ୍ତ ସମୟେ ଯାଇ ମନ୍ତ୍ରୀ ତା ଜାଣଇ ।

ମଥୁରା ନୃପତି କଂସ ଦିଗବିଜେ କଲା

ସବୁ ରାଜା ସାଧି ଜରାସନ୍ଧକୁ ଜିଣିଲା ।

ଜରାସନ୍ଧ ଆଦି ଯେତେ ବଳବନ୍ତ ରାଜା

ସମରେ ହାରି ସକଳେ କଲେ କଂସ ପୂଜା ।

ଲକ୍ଷ୍ମଣବନ୍ତ ଅଶ୍ଵେକ ଆଗରେ ଚଳାଇ

ପଛେ ପଛେ ଅଛନ୍ତି ସେ ସମସ୍ତେ ଗୋଡ଼ାଇ ।

ପୃଥ୍ଵୀର ଭିତରେ ଯେତେ ରାଜାଙ୍କର ସୈନ୍ୟ

ସମାରୋହେ ଆସିଛନ୍ତି ସଙ୍ଗେ ଘେନି ଧନ ।

ଚୌରାଶୀ ସହସ୍ର ଯୂଣ ମାଡ଼ିଆସେ ଜଳ

ଧୂଳିଘାତେ ନ ଦିଶଇ ରବିଙ୍କ ମଣ୍ଡଳ ।

ସଙ୍ଗତେ ତା ଅଷ୍ଟମଲ୍ଲ ହୋଇଛନ୍ତି ସଖା

କି ଜାଣି ସେ ଦିଶୁଅଛି ଅନଳର ଶିଖା ।

କୋଟି ଇନ୍ଦ୍ର ହେଲେ ତାଙ୍କୁ ନ ପାରିବେ ଜିଣି

ଶୁଣି ରାଜା ମନ୍ତ୍ରୀବାଣୀ ମନେ ମନେ ଗୁଣି ।

ତୁ ଅଟୁ ମୋହର ମନ୍ତ୍ରୀ ରାଜ୍ୟକୁ କାରଣ

ବିଚାରି ବୁଝି କହିବୁ ସିନା ଏହିକ୍ଷଣ ।

ମନ୍ତ୍ରୀ ବୋଇଲେ ଭୋଦେବ ଦ୍ଵନ୍ଦ୍ଵେ ତୋର ଇଚ୍ଛା

ସନ୍ଧି କରିବା ତା ସଙ୍ଗେ ରାଜ୍ୟ ହେଉ ରକ୍ଷା ।

କଂସାସୁର ସଙ୍ଗେ ବାଦ କଲେ ନାହିଁ ଯଶ

ଏଡ଼େ ସମ୍ପଦ ଅଳପେ ଯିବ ସିନା ନାଶ ।

ମନ୍ତ୍ରୀର ବଚନ ଯେଉଁ ରାଜା କରେ ହେଳ

ନିଶ୍ଚୟ ଜାଣିବ ତାକୁ ଘୋଟେ ଆସି କାଳ ।

ରାଜାଙ୍କୁ ମନ୍ତ୍ରୀ ଯେବେ ନ କହଇ ସୁବୁଦ୍ଧି

ନିଶ୍ଚେଁ ନାଶଯାଇ ତାର ଅର୍ଜିଲା ସମୃଦ୍ଧି ।

ମନ୍ତ୍ରୀ ବୋଲ ରାଜା ମାନି କଲେ ପ୍ରୀତିଯୋଗ

ଅଚଳାଚଳ ଲକ୍ଷ୍ମୀକି ଘେନି କରେ ଭୋଗ ।

ଶୁଣିଣ ରାଜାର ମନ ସନ୍ତୋଷ ହୋଇଲା

ସନ୍ଧାନ ଘେନି କଂସର ପଛେ ଗୋଡ଼ାଇଲା ।

ରାଜାର ବିଳମ୍ବ ଦେଖି କଂସର ସଇନ୍ୟ

ସମସ୍ତେ ଏକ ହୋଇଣ ଚଲାଇଲେ ପୁଣ ।

ସଉଦାସ ପାଣି ଦ୍ରବ୍ୟ ଲକ୍ଷେ ଭାର ସାଜି

ସଙ୍ଗେ ଘେନି ଚଳେ ଦଶସସ୍ର ଚୋଖାବାଜୀ ।

ତିନି ସସ୍ର ମତ୍ତହସ୍ତୀ ଅଳଙ୍କାରେ ରଞ୍ଜି

କରୀକୁମ୍ଭମାନଙ୍କରେ ସ୍ଵର୍ଣ୍ଣ ଅଛି ଖଞ୍ଜି ।

ନେତ ପାଟଇ କାଛେଣି ସବୁଯାକ ନୂଆ

ମଢ଼ିଆଳ ନ୍ୟନ୍ତି ଷାଠିସସ୍ର ଭାବ ବୁହା ।

ଅନେକ ଯେ ଉପହାର ସଙ୍ଗେ ଘେନି ରାୟେ

ଅଧବାଟେ ପୂଜାକଲେ ଯାଇ କଂସପାୟେ ।

ଗଣ୍ଡୁକୀର କୂଳେ ମଣିକୁଣ୍ଡଳୀ ପର୍ବତ

ମଣିଭଦ୍ର ହସ୍ତୀ ତହୁଁ ହୋଇଅଛି ଜାତ ।

ସେହି ପର୍ବତର ତଳେ ସଉଦାସ ରାଜା

ଅଧବାଟେ ଉପହାର ଦେଇ କଲା ପୂଜା ।

ବେଳ ପାଞ୍ଚଘଡ଼ିମାନେ କଂସ ଭେଟ ପାଇ

ଦେଖି କଂସରାଜା ଚିତ୍ତ ଆନନ୍ଦିତ ହୋଇ ।

ସଉଦାସ ସଙ୍ଗେ କଂସ ହୋଇଲା ମଇତ୍ର

ମିତ୍ରପଣେ ବସିଲେ ସେ ହୋଇ ଏକଚିତ୍ତ ।

ଦେଶକାଳ ବାକ୍ୟ ପଢ଼ି ନଦୀରେ ପଶିଲେ

ବେନିଜନେ କୋଳାକୋଳି ସମ୍ଭାଷଣ ହେଲେ ।

ପ୍ରାଣେ ପ୍ରାଣେ ମଜ୍ଜି ଏକ ଆତ୍ମା ସେହି କଲେ

ଆହାର ସାର ସେ ଏକ ପଲ୍ୟଙ୍କେ ଶୁତିଲେ ।

ପାଞ୍ଚ ରାତ୍ର ରହି ତହିଁ କଂସାସୁର ଯାଇ

ଶ୍ରୋଣିତ ନାମ ପର୍ବତେ ପ୍ରବେଶ ହୁଅଇ ।

ବଣାସୁର ନାମେ ତହିଁ ଅସୁର ରାଜନ

ସହସ୍ରେକ ଭୁଜ ଏକ ତନୁ ବଳବାନ ।

ଅଠାଣୋଇ ଅକ୍ଷୌହିଣୀ ବଳ ତା ଅଟଇ

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ଜିଣନ୍ତା କେ ନାହିଁ ।

ତାର ଦେହେ ଅଗ୍ନି ପାଣି ଶସ୍ତ୍ର ନ କାଟଇ

କୁଭାଣ୍ଡକ ନାମେ ମନ୍ତ୍ରୀ ତାହାକୁ ଖଟଇ ।

ଭୂତ ଭବିଷ୍ୟତ ବର୍ତ୍ତମାନ ସେ ଜାଣଇ

ଏ ଘେନି ମନେ କାହକୁ ସେହୁ ନ ଗଣଇ ।

କଂସ ଦିଗବିଜେ ରାଜା ବାରତା ପାଇଲା

ବାଟରୁ ତା ପାଟଅଶ୍ଵ ବାନ୍ଧି ଘେନି ଗଲା ।

ଚାରେ ଆସି ଜଣାଇଲେ କଂସର ଛାମୁର

ତୋର ଦିଗବିଜେ ଅଶ୍ଵ ନେଲା ବାଣାସୁର ।

ଅଶ୍ଵର ସଙ୍ଗେ ଭୋଦେବ ଯେତେ ସୈନ୍ୟଥିଲେ

ଥୋକାଏ ମାରି ଥୋକାଏ ଧରି ଘେନିଗଲେ ।

ଶୁଣି କଂସାସୁର ରାଜା କୋପଭର ହୋଇ

କାଳସର୍ପ ଜିଣିଣସେ ଗର୍ଜିଣ ଉଠଇ ।

ଅଧର ପୃଷ୍ଠ କରିଣ ଛାଡ଼େ ସିଂହରଡ଼ି

ବିନ୍ଧ୍ୟଗିରି ପର୍ବତ କି ପଡ଼ୁଅଛି ଝଡ଼ି ।

କଂସାସୁର ବୋଇଲା ରେ ପୂରିଲା ତୋ କାଳ

ସଂଯମନୀପୁରକୁ ସେ କଲା ଅନୂକୂଳ ।

ଏ ମୋହର ମହିମା କି ଶୁଣ ନାହିଁ କର୍ଣ୍ଣେ

କେଉଁ ବାପୁଡ଼ ଗରବ ବହିଲା ତା ମନେ ।

ତାର ରାଜ୍ୟଯାକ ସବୁ କରିବଇଁ ଧ୍ଵଂସ

ତିଳ ପ୍ରମାଣ କରିଣ କାଟିବି ତା ମାଂସ ।

ଅଷ୍ଟମଲ୍ଲେ କହ କିପାଁ ତୁନି ହୋଇଅଛ

ଡଗର କହିଲା ଯାହା ପ୍ରତ୍ୟକ୍ଷ ଶୁଣୁଛ ।

ତ ରାଜ୍ୟ ଉଜାଡ଼ି ଗଡ଼ ବେଢ଼ ବେଗହୋଇ

ତିଳେ ଉପ୍ରୋଧ ନ କରି ଭଙ୍ଗ ସବୁ ଯାଇ ।

ରଥ ଗଜ ଅଶ୍ଵ ଯାହା ପଡ଼ିବରେ ଆଗେ

କ୍ଷଣେ ନ ରଖି ମାରିବ ଧରି ତୁମ୍ଭେ ବେଗେ ।

ଯେତେକ ଯୋଦ୍ଧା ଦେଖିବ ତାହାଙ୍କୁ ମାରିବ

ଦୟା ଉପ୍ରୋଧ କାହାକୁ ତିଳେ ନ କରିବ ।

ଆଜ୍ଞା ପ୍ରମାଣେ ତାହାର ଅଷ୍ଟମଲ୍ଲେ ଗଲେ

ଶତେପୁର କରି ତାର କଟକ ବେଢ଼ିଲେ ।

ଅଟଳ ମହାରାଜ୍ୟ ସେ ବହୁତ ପାଟଣା

ମଞ୍ଚ ଭୁବନକୁ ସେହି ପୁର ଜଗଜ୍ଜିଣା ।

ସେ ନଗ୍ର ଭିତରେ ଯେତେ ଲୋକ ପୂରିଛନ୍ତି

କାମଦେବ ପ୍ରାୟେ ସେହି ସମସ୍ତେ ଦିଶନ୍ତି ।

ନିଶ୍ଚିନ୍ତରେ ଅଛନ୍ତି ସେ ଦିବ୍ୟସ୍ଥାନ ପାଇ

ରାଜ୍ୟ ଭିତରେ ତାଙ୍କର ଆନ ଭୟ ନାହିଁ ।

କଟକର ଦୀର୍ଘ ପ୍ରତି ନ ମିଳଇ ଅନ୍ତ

ଆପେ ଭିଆଇ ଅଛନ୍ତି ତାହା ଉମାକାନ୍ତ ।

ଅଷ୍ଟାଦଶ ଯୋଜନ ତା ପୁର ଆୟତନ

ଏତେକ ବେଢ଼ି ରହିଲେ କଂସରାଜା ସୈନ୍ୟ ।

ଦ୍ଵାର ନିରୋଧନ୍ତେ ଥାଟ ପଶିଲେ ଭିତରେ

ତିଳେ ଛଡ଼ା ନାହିଁ ଥାଟ ରହିଲେ ନିର୍ଭରେ ।

ଏଡ଼େ ପୁର ଶତେପୁର କରିଣ ବେଢ଼ିଲେ

ଦେହେ ଦେହ ଲଗାଲଗି ହୋଇ ନ ଛାଡ଼ିଲେ ।

ସୁଯୋଗ ବାହାରେ ଯେତେ ସୈନ୍ୟ ରହିଥିଲେ

ସେଠାରେ ଜୀବନ୍ତା ଧରି ତାଙ୍କୁ ଶୂଳୀ ଦେଲେ ।

କଟକେ ପଶିଲେ ଯାଇ ଯଦୁବଳ ବଳେ

ହାଟ ବାଟ ଜୂର କରି ଅନ୍ନ ବସ୍ତ୍ର ନେଲେ ।

କଂସାସୁର ପ୍ରସାଦେ ସେ ଅଟନ୍ତି ନିଃଶଙ୍କା

ଘରେ ଘରେ ପଶି ସବୁ କରାଇଲେ ଡକା ।

କେହୁ ଅନ୍ୟୋଅନି ହୋଇ ବାଟ ଜଗିଥାନ୍ତି

ବାହାର ଗଡ଼ଦ୍ଵାର ସେ ପକାଇଲେ ମନ୍ଥି ।

ତାର ରାଜ୍ୟଯାକ ସବୁ ହେଲା ହାଲହୋଳି

କଟକଯାକ ସବୁରି ପଡ଼ିଲା ବୋବାଳି ।

ବାଣାସୁର ଆଗେ ଯାଇ ଚାଣ ଜଣାଇଲା

ତୋହର ରାଜ୍ୟ ତୁ ଏବେ ସମ୍ଭାଳ ବୋଇଲା ।

ମଥୁରା ଦେଶ ନୃପତି ଉଗ୍ରସେନ ବତ୍ସ

କଂସ ନାମ ତାର ତାକୁ ନାହିଁ ସମକଚ୍ଛ ।

ଅକଳିତ ଯୋଦ୍ଧା ସେହୁ ରଣେ ରଣରଙ୍କା

ବ୍ରହ୍ମା ରୁଦ୍ର ଇନ୍ଦ୍ରକୁ ହିଁ ନାହିଁ ତାର ଶଙ୍କା ।

ଦିଗବିଜେ କରୁଛି ସେ ସମଦଣ୍ଡ ବାହି

ଦବଖଣ୍ଡ ମେଦିନୀରେ ଜିଣନ୍ତା କେ ନାହିଁ ।

ଅଷ୍ଟମଲ୍ଲ ଆଦି କରି ଯେତେକ ସଇନି

ଅନେକ ରାଜାଙ୍କ ସୈନ୍ୟ ସଙ୍ଗତରେ ଘେନି ।

ସହସ୍ରେ ପୁର କରି ତୋ କଟକ ବେଢ଼ିଲେ

ଘର ଦ୍ଵାର ଭାଙ୍ଗିସବୁ ରାଜ୍ୟ ଉଜାଡ଼ିଲେ ।

ଏହି ସଙ୍କଟୁ କିପରି ଆମ୍ଭେ ହେବୁ ରକ୍ଷା

କହିଲୁ ଛାମୁରେ କର ଯେ ତୁମ୍ଭର ଇଚ୍ଛା ।

ଶୁଣି ବାଣାସୁର ରାଜା ପ୍ରଜ୍ଜ୍ଵଳିତ ରାଗେ

ମୋହର ସୈନ୍ୟ ସାଜରେ ବୋଇଲାକ ବେଗେ ।

ରଥ ଗଜ ପଦାତିକ ଅଛନ୍ତି ମୋ ଯେତେ

ସମସ୍ତେ ସଜ ହୁଅନ୍ତୁ ଯେ ଯାହାର ମତେ ।

ପାର୍ବତୀର କାନ୍ତ ମୋତେ ବର ଦେଇଛନ୍ତି

କେବଣ ଶତ୍ରୁକୁ ମୋର ଅଛଇରେ ଭୀତି ।

ହର ପାର୍ବତୀ ଯେ ଦୁହେଁ ମୋତେ ବରଦେଲେ

କରେ ଧନୁ ଦେଇ ପୁତ୍ର ବୋଲିଣ ବୋଇଲେ ।

ଅଲୌକିକ ବର ମୋତେ ଦେଲେ ଦେବରାଜ

ଏକ ଶରୀରେ ମୋ ହେଲା ସହସ୍ରକେ ଭୁଜ ।

ପୁତ୍ର ନାତି କୁଟୁମ୍ବହିଁ ଅଛନ୍ତି ମୋ ଯେତେ

ଅସଂଖ୍ୟ ଆଗୋଚର ତା କହିବଇଁ କେତେ ।

ମନ୍ତ୍ରୀ ବୋଇଲା ଭୋ ଦେବ ମୋର ବୋଲଶୁଣ

ଶିବ ବର ଦେଲେ ତୋତେ ଏ କଥା ପ୍ରମାଣ

ନ ବିଚାରି କିପାଁ ତୁମ୍ଭେ କର ଏଡ଼େ ରୋଷ

ଅବିଚାର ଯୁଦ୍ଧ କଲେ ନାହିଁ ତହିଁ ଯଶ ।

କଂସାସୁର ସଙ୍ଗେ ଯେବେ କରିବୁ ତୁ ଯୁଦ୍ଧ

ଜିଣି ପାରିବୁ କି ରାଜା ଭଲ କରି ବୁଝ ।

ଯେ କାଳନେମି ବ୍ରହ୍ମାଙ୍କୁ କଲା ଦିନେ ମାୟା

ସେ ଜନ୍ମ ହୋଇଛି ଧରି କଂସାସୁର କାୟା ।

ସବୁ ଦେଶରେ ହେଲାଣି ସେହି ଅଧିକାରୀ

ବିଷ୍ଣୁ ବିନା ଆନ କେହି ନ ପାରିବେ ମାରି ।

ତୁମ୍ଭଙ୍କୁ ବର ଦେଇଛି ଯେଉଁ ଶୂଳପାଣି

ତାହାଙ୍କ ବରେ କି କଂସ ନୃପତିକି ଜିଣି ।

ପୁଣ ଅଷ୍ଟମଲ୍ଲେ ତାର ହୋଇଛନ୍ତି ସଖା

କୋଟିଇନ୍ଦ୍ର ହେଲେ ଜିଣିପାରିବେ ସେ ଏକା ।

ସ୍ଵର୍ଗପୁରେ ସୁରପତି ପାତାଳେ ବାସୁକି

କାହାରି ହସ୍ତରେ କଂସ କେବେ ମରଇ କି ।

ଅଟନ୍ତି ଯେବଣ ଅଷ୍ଟମଲ୍ଲେ ରଣରଙ୍କା

ଚନ୍ଦ୍ର ସୂର୍ଯ୍ୟ ରୁଦ୍ର ଇନ୍ଦ୍ର ରଣରେ ନିଶଙ୍କା ।

ସାତବଂଶ ଯାଦବହିଁ ଅଛନ୍ତି ତା ସଙ୍ଗେ

ଇନ୍ଦ୍ର ବଜ୍ର ନ କାଟଇ ସେମାନଙ୍କ ଅଙ୍ଗେ ।

ନବଦ୍ଵୀପ ମଧ୍ୟେ ଯେତେ ରାଜାଙ୍କ ସଇନ୍ୟ

ସଂଗ୍ରାମେ ଜୟ କଲାଣି ସେ କଂସ ରାଜନ ।

ରଥ ଗଜ ଅଶ୍ଵ ଘେନି ସଙ୍ଗେ ସବୁ ରାୟେ

ଭୋ ଦେବ ତୁମ୍ଭ ବଳେ କି ତାକୁ କରି ଜୟେ ।

ହୁତାଶନ ମଧ୍ୟେ ତୁମ୍ଭେ ପଶି କିସ ପାଇଁ

ସମାଧି କରିବା କିପାଁ ସଇନି ମରାଇ ।

ନିଶ୍ଟୟ କହୁଛି ମୁଁ ଯା ଜାଣିଥା ଗୋସାଇଁ

ମୋ କଥା ନ କଲେ ଯଶ ତୁମ୍ଭର ଯେ ନାହିଁ ।

ମୋ ବୋଲ ତୁମ୍ଭଙ୍କୁ ଯେବେ ନ ପାଇ ଭୋନାଥ

ଲୋକମୁଖେ ଲଜ୍ଜା ନିଶ୍ଚେ ପାଇବ ପଶ୍ଚାତ ।

ବାଣା ବୋଲଇ ଈଶ୍ଵର ଦେଇଛନ୍ତି ବର

ସଦାଶିବ ପରସାଦେ କାହାକୁ ମୋ ଡର ।

ପାର୍ବତୀଙ୍କଠାରୁ ମୁହିଁ କ୍ଷୀର ପାନ କଲି

ତେଣୁ ଯେ ମୁଁ ଅଜର ଅମର ହୋଇଲି ।

ବିଶ୍ଵନାଥ ମହାପ୍ରଭୁ ଆଜ୍ଞା ଦେଇଛନ୍ତି

ମୋର ଅଙ୍ଗେ ଶସ୍ତ୍ରମାନ ନ ଭେଦିବ କ୍ରାନ୍ତି ।

ମନ୍ତ୍ରୀ ବୋଇଲା ଭୋ ଦେବ କହିଲ ଯେ କଥା

ସମର ଭୂମିରେ କାଳେ ହୁଅଇ ଅନ୍ୟଥା ।

ଅସଦମାର୍ଗେ କି ଦେଖୁ ଦେଖୁ ପ୍ରାଣ ଯିବ

ଆଜ୍ଞା ଅବଜ୍ଞା ହେଲେ କି ଦେବଙ୍କୁ କହିବ ।

ତୁମ୍ଭେ ଯେ ବୋଇଲ ନୋହେ ସମରେ ମୁଁ ବଧ

ଈଶ୍ଵର ବରେ ଏ କଥା ହୁଅଇ କି ସାଧ୍ୟ ।

ଅଛନ୍ତି ଯେ ତୁମ୍ଭ ପୁତ୍ର ନାତି ପ୍ରାଣସଖା

ଏମାନେ ମଲେ ତୁମ୍ଭଙ୍କୁ କେ କରିବ ରକ୍ଷା ।

ରଥ ଗଜ ପଦାତିକ ହେଲେ ନିସୂଦନ

ଏକ ଜଣେ ଥାଇ କିସ କରିବ ରାଜନ ।

ଆବର କଥାଏ ରାଜା କହିବା ମଣାଇ

କେ କେ ନାଶ ଯାଇଛନ୍ତି ଶିବ ବର ପାଇ ।

ପୂର୍ବେ ଲବଣ ଈଶ୍ଵର ବର ପାଇଥିଲା

ଶତ୍ରୁଘ୍ନ ରୂପେ ତାହାକୁ ଶ୍ରୀହରି ମାଇଲା ।

ଅନ୍ୟଥା ହୋଇଲା ତେଡ଼େ ବଡ଼ ବର ପୁଣି

ବାଳକରୂପେ ମାଇଲେ ତାକୁ ଚକ୍ରପାଣି ।

ତାରକାସୁରକୁ ବର ଦେଲେକ ଈଶ୍ଵର

ସେ ବର ଅନ୍ୟଥା କଲା କାର୍ତ୍ତିକ କୁମାର ।

ସଦାଶିବ ବର ଦେଲେ ଶମ୍ଭୁ ନିଶମ୍ଭୁଙ୍କୁ

ବିନାଯୁଦ୍ଧରେ ଶ୍ରୀହରି ମାଇଲେ ତାହାଙ୍କୁ ।

ମହିଷାସୁରକୁ ବର ଦେଲେ ତ୍ରିପୁରାରି

ତାହାକୁ ମାଇଲେ ଦୁର୍ଗା ଘୋର ଯୁଦ୍ଧ କରି ।

ବଇଲୋଚନକୁ ବର ଦେଲେ କାଶୀବାସୀ

ମାଇଲେ ମାଳତୀ କନ୍ୟାରୂପେ ବ୍ରହ୍ମାରାଶି ।

ବିଶ୍ରବା ଋଷିର ପୁତ୍ର ରାବଣ ଅସୁର

ଈଶ୍ଵର ସେବି ପାଇଲା ଅଭୟ ଯେ ବର ।

ଛପନ ଗଣ୍ଡା ଯୁଗକୁ ବର ଦେଲେ ଧାତା

ରାଜରାଜେଶ୍ଵର ହୋଇଥିଲା ଦଶମଥା ।

ଏଡ଼େବଡ଼ ବର ଗଲା ଅଳପକେ ନାଶ

ମଧ୍ୟରେ ଗଡ଼ ସମୁଦ୍ର ଖାଇ ଚଉପାଶ ।

ଲଙ୍କା ବିଧ୍ଵଂସି ମାଇଲେ ତାକୁ ରାମରାୟେ

ଛପନ ଗଣ୍ଡା ଯୁଗର ଆୟୁ ଗଲା କ୍ଷୟେ ।

ଅତି ଉଗ୍ର ହୁଅନ୍ତେ ସେ ଧର୍ମ ନ ସହିଲା

ବିଷ୍ଣୁଦେବତା ତାହାକୁ ଅଖଡ଼େ ମାଇଲା ।

ନମ୍ରତା ଗୁଣ ଥିଲେଟି ନାହିଁ କେଭେ ନାଶ

ଇହ ପରଲୋକେ ଯଶ ଅନ୍ତେ ସ୍ଵର୍ଗବାସ ।

ଧନବନ୍ତ ପ୍ରାଣୀ ଯେବେ ନମ୍ରତା ହୁଅଇ

ଅଚଳାଚଳ ଲକ୍ଷ୍ମୀ ସେ ସୁଲଭେ ଭୁଞ୍ଜଇ ।

ଇହଲୋକେ ତୃପ୍ତିତାର ପରେ କ୍ଷୟ ନାହିଁ

ଜୀବ ଥିବା ଯାକେ ତାର ଅଇଶ୍ଵର୍ଯ୍ୟ ଥାଇ ।

କେହି ରିପୁ ବିନାଶ ନ କରଇ ତା ଦେହ

ଭୋ ଦେବ ତୁ ପୁଣ୍ୟବନ୍ତ ବାରେ ଏହା ସହ ।

ଆପଣାର ଅନ୍ତର୍ଗତେ ବିଚାର ତୁ ଏହା

ଦୀନବନ୍ଧୁଙ୍କର ଥାଏ ତାଠାରେ ସୁଦୟା ।

ନ ବୁଝି କାର୍ଯ୍ୟ କଲେଟି ହେବ ସର୍ବନାଶ

ତୁମ୍ଭର ତ ମହାଭାଗ୍ୟ ଅଟେ ହେ ନରେଶ ।

କଂସ ଅଶ୍ଵ ସନ୍ନିଧିକୁ ଅଣାଅ ଆବର

ଅଷ୍ଟରତ୍ନ ଅଶ୍ଵ ହସ୍ତୀ ଦିଅ ଉପହାର ।

ପଣ୍ଡିତ ହୋଇ ଆମ୍ଭେ ଯେ ନ୍ୟାୟପଥେ ଥିବ

ଅନ୍ୟାୟ କରି ସମ୍ପଦ କିପାଁ ହରାଇବ ।

ବାଣାସୁର ବୋଇଲା ମୁଁ କରିଅଛି ଦୋଷ

ଛାମୁକୁ ଗଲେ କରିବ ନିକି ମୋତେ ରୋଷ ।

ଦିଗବିଜେ ପାଟଘୋଡ଼ା ଅଣାଇଲି ଧରି

ଅଶ୍ଵଶାଳେ ବନ୍ଧାଇଲି ଅତି ଯତ୍ନ କରି ।

ତାଙ୍କ ପାଖକୁ ଯିବାକୁ ମୋର ମୁହଁ ନାହିଁ

ଧନ ରତ୍ନ ଅଶ୍ଵ ନେଇ ସନ୍ଧି କର ଯାଇ ।

ମନ୍ତ୍ରୀଶିରୋମଣି ତୁ ଯେ ଅଟୁ ପୂଣ୍ୟମୟ

ତୋର ବୁଦ୍ଧିବଳେ ମୋର ରାଜ୍ୟ ଯେ ଅଜେୟ ।

ଅଇଶ୍ଵର୍ଯ୍ୟ ଭୋଗକରି ଥିବଇଁ ନିଶ୍ଚିନ୍ତେ

ରାଜ୍ୟ ହାନି ଲାଭ ଭାର ଦେଇ ତୋର ହସ୍ତେ ।

ରାଜାହୋଇ ଯେବେ ମନ୍ତ୍ରୀ କଥାକୁ ନ ଶୁଣି

ମନ୍ତ୍ରୀ ହୋଇଣ ଭାଙ୍ଗଇ ଯେବେ ରାଜବାଣୀ ।

ଧନବନ୍ତ ହୋଇ ଯେବେ ବାଦେ କରେଇଚ୍ଛା

ସେବକ ହୋଇ ଭାଙ୍ଗଇ ଯେବେ ସ୍ଵାମୀ ଶିକ୍ଷା ।

ଅହନ୍ତାଭାବେ ପରକୁ କରଇ ଯେ ନାଶ

କୋଟି କୋଟି ଲକ୍ଷ୍ମୀ ଥିଲେ ଅଳପକେ ଧ୍ଵଂସ ।

ତୁହି ମହାମନ୍ତ୍ରୀ ମୋର ରାଜ୍ୟର କରତା

ତୋତେ ନ ପଚାରି ମୋର ଅଛି କେଉଁକଥା ।

ତୋହର ମନକୁ ଯାହା ଆସଇ ତା କର

ସେ କଥାରେ ବିରୋଧ ଯେ ନାହିଁଟି ମୋହର ।

ରାଜାର ବଚନେ ସେହି ମନ୍ତ୍ରୀ ଯେ କୁଭାଣ୍ଡ

ପ୍ରବୋଧ କରି ରଖାଇ ନିଜ ସମଦଣ୍ଡ ।

ଅନେକ ହାତୀ ରଥୀଙ୍କି ଘେନି ସଙ୍ଗତର

ଦିବ୍ୟ ଯୁବତୀରତନ ଧନ ଶତେଭାର

ଦଣ୍ଡ ସିଂହାସନ ଦେବଅଙ୍ଗ ବସ୍ତ୍ର ଘେନି

ଉପହାର କରି ନେଲେ ଅର୍ବୁଦେ ସଇନି ।

ଧନ ରତ୍ନ ଘେନି ଚଳିଯାଏ ମନ୍ତ୍ରୀ ବେଗେ

ବାଗ ଧରି ଅଶ୍ଵକୁ ସେ ଚଳାଇଲା ଆଗେ ।

କଂସର ଛାମୁରେ ନେଇ ସବୁ ଦ୍ରବ୍ୟ ଦେଲା

ବିନୟ ହୋଇ ତା ପ୍ରାୟେ ପଡ଼ିଣ ଶୋଇଲା ।

କୃତାଞ୍ଜଳି ହୋଇ ପୁଣି ବିନୟରେ କହି

ବାଣାସୁରକୁ ଶରଣ ରଖ ନରସାଇଁ ।

ଗୁଣବନ୍ତ ମନ୍ତ୍ରୀ ଏହି ବଚନ ବୋଇଲା

ମନ୍ତ୍ରୀର ବଚନେ କଂସ ପ୍ରବୋଧ ହୋଇଲା ।

କଂସ ବୋଇଲା କେବଣ ରାଜ୍ୟ ରାଜା ଏହି

କେଶୀ ବୋଲେ ବାଣାସୁର ମନ୍ତ୍ରୀ ଏ ଅଟଇ ।

ବାଣାସୁର ରାଜା ଜାଣି ଦୋରେହା ହୋଇଲା

ତେଣୁ ସେ ତୁମ୍ଭେ ଛାମୁକୁ ଡରେ ନ ଅଇଲା ।

ମନ୍ତ୍ରୀକି ବରଗିଲା ସେ ସମାଧାନ ପାଇଁ

ଆଜ୍ଞା ଦେବା ଆମ୍ଭେ ଏବେ ଆସୁ ନରସାଇଁ ।

କଂସାସୁର ବୋଲେ ଯେବେ ମନ୍ତ୍ରୀଯୋଗ୍ୟ ଥିବ

ସେ ରାଜ୍ୟକୁ କାହିଁକି ଯେ ପ୍ରମାଦ ପଡ଼ିବ ।

ମନ୍ତ୍ରୀର ବଚନେ ଆମ୍ଭେ ଛାଡ଼ିଲୁ ପ୍ରମାଦ

ସୁଖେ ଥାଉ ବାଣାସୁର ନ ପାଉ ବିଶାଦ ।

ଏତେକ ବୋଲି ଅଶ୍ଵକୁ ଦେଲାକ ମଲାଇ

ଧାତିକାରେ କଂସ ଦେଲା ଦଣ୍ଡକୁ ଚଳାଇ ।

ଜୟ ଦିନକର ଜୟ ଗଗନର ଲିଙ୍ଗ

ଜୟ ତୁ ଦେବ ସହସ୍ର କିରଣ ତୋ ଅଙ୍ଗ ।

ସପ୍ତାଂଶୁ ମୁକୁଟ ତୋର ଉଠେ ସପ୍ତଶିଖା

ଅନନ୍ତ ବ୍ରହ୍ମାଣ୍ଡ ମଧ୍ୟେ ପୂରିଅଛି ରେଖା ।

ଅଲେଖ ଅବ୍ୟାହତ ତୁ ବ୍ରହ୍ମାଣ୍ଡର ସ୍ଵାମୀ

କୀଟୁଁବ୍ରହ୍ମ ପରିଯନ୍ତେ ତୁ ଅନ୍ତର୍ଯ୍ୟାମୀ ।

ନବକୋଟି ପାଖୁଡ଼ାରେ ଶୋଭା ପଦ୍ମଦଣ୍ଡ

ନିମିଷକେ ବୁଲୁ ନାଥ କୋଟିଏ ବ୍ରହ୍ମାଣ୍ଡ ।

ସକଳ ଜୀବର ତୁହି ଅଟୁ ଚକ୍ଷୁଦାନୀ

ବିହନ୍ତା ପୁରୁଷ ତୁହି କରୁ ଲାଭହାନି ।

କାଳାନ୍ତକ ଯୁଗନ୍ତକ ପ୍ରଳୟ ଗୋ କର୍ମ

ତୋର କର ନାଥ ବେଦ ମନ୍ତ୍ର ଧ୍ୟାନ ଧର୍ମ ।

ଏକ ଏକ ରଥ ଚାଲି ଶେଭା ନବସୃଷ୍ଟି

ତୋହର ଆହ୍ଲାଦେ ଥାନ୍ତି ଜୀବ କୋଟି କୋଟି ।

ସମୁଦ୍ର ମନ୍ଥନୁ ସପ୍ତ ଅଶ୍ଵ ଉପୁଜିଲେ

ତୋର ରଥେ ଥାଇ ସପ୍ତ ବ୍ରହ୍ମାଣ୍ଡେ ଭ୍ରମିଲେ ।

ଛାୟା ମାୟା କାନ୍ତ ନାଥ ତୁ ଅତି ନିର୍ମଳ

ତୋର ବଳବନ୍ତ ତେଜ ଶଶାଙ୍କ ମଣ୍ଡଳ ।

ପ୍ରଚଣ୍ଡ ଚଣ୍ଡ ତୋ ଜ୍ୟୋତି ଅତ୍ୟନ୍ତ ଚପଳ

କ୍ଷଣକରେ ଭ୍ରମିପାରୁ ତୁ ମେରୁ ମେଖଳ ।

ସେ ସପତ ଅଶ୍ଵ ତୋର ରଥେ ଥାଉ ଯୋଚି

ଜନମ ମରଣ ବାଧା ନ ଜାଣନ୍ତି କିଛି ।

ଜଳ ସ୍ଥଳ ଅନଳର ନାଥ ତୁ କାରେଣି

ନିରାଧାର ପୁରୁଷତୁ ଦେବ ଅନ୍ତର୍ଯ୍ୟାମୀ ।

ବିନତାନନ୍ଦନ ବୀର ସାରଥି ତୋ ରଥେ

ନିମିଷକେ ଭ୍ରମୁ ନାଥ ତୁ ଯେ ଶୂନ୍ୟପଥେ ।

ତୁହି ଯେବେ ନାଥ ଉଦେ ନୋହିବୁ ଗଗନ

ବ୍ରହ୍ମାର ସୃଷ୍ଟି ସରିବ ନ ପାଇ ଜୀବନ ।

ତୁମ୍ଭେ ଯେବେ ଗଗନରେ ଉଦେ ନ ହୁଅନ୍ତ

ରାତି ବିନା ଦିନ ଆଉ ହୁଅନ୍ତା କେମନ୍ତ ।

ତୁ ଉଦେ ନୋହିଲେ ଦେବ ସଂସାର ଅନ୍ଧାର

ନିରଞ୍ଜନ ଦେବତା ତୁ ନିତ୍ୟ ନିରାକାର ।

ଦେବଙ୍କ ଉପରେ ଅଟୁ ତୁହି ଦେବ ସ୍ଵାମୀ

ତୋର ମହିମା ଅଜଣା ତୁହି ଅନ୍ତର୍ଯ୍ୟାମୀ ।

ଅକାରଣ କାରଣ ତୁ ଅନାଥର ନାଥ

ପବନହୁଁ ବ୍ୟଗ୍ର ତୋର ଏକଚକ୍ର ରଥ ।

ତୋ ଅଶ୍ଵକୁ ଏକଭେଡ଼ା ଷାଠିସସ୍ର ଯୂଣ

ପ୍ରଥମରେ ଅଷ୍ଟକୋଟି ଉଦେ ତୋ କିରଣ ।

ସେ କିରଣ ଜ୍ଵାଳା ଦେବେ ନ ପାରିଲେ ସହି

ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ଲୋକେ ହେଲେ ଦହି ।

ଜୀବଜନ୍ତୁମାନେ ଯେତେ ସବୁ ଗଲେ କ୍ଷୟ

ସପତ ସମୁଦ୍ରଯାକ ହେଲା ଅଗ୍ନି ମୟ ।

ବ୍ରହ୍ମା ବିଷ୍ଣୁ ଈଶ୍ଵର ଯେ କଲେ ତୋତେ ସ୍ତୁତି

ପ୍ରସନ୍ନ ହୋଇଲୁ ତୁହି ଧରି ଶାନ୍ତମୂର୍ତ୍ତି ।

ସଂସାର ରଖିବା ପାଇଁ କଲୁ ତୁହି ଦୟା

ତୁହି ଯେ ଛେଦନ କଲୁ ଆପଣାର କାୟା ।

କୁନ୍ଦରେ ବସି କିରଣମାନ କଟାଇଲୁ

ସକଳ ଜୀବଜନ୍ତୁଙ୍କୁ ସ୍ଵାମୀ ତୁ ରଖିଲୁ ।

ସହସ୍ରେ ହରିଣ ଷଡ଼ଭାଗ କରି ବାଣ୍ଟି

ଷଡ଼ଋତୁ ଆତଯାତ କରି ନବସୃଷ୍ଟି ।

ବସନ୍ତ ଶରତ ଶୀତ ହିମ ଗ୍ରୀଷ୍ମ ବର୍ଷା

ଏ ଷଡ଼ ଋତୁରେ ସବୁ କିରଣ ତୋ ମିଶା ।

ଶରତ ଋତୁରେ ଦୁଇଶତ ତୋ କିରଣ

ହିମଋତୁରେ ଯେ ଶତେ ବାଆସ୍ତରି ଜାଣ ।

ଶିଶିରେ ତୋ କିରଣ ଶତ ପଞ୍ଚବିଂଶ

ବସନ୍ତେ କିରଣ ତୋର ବିଶାଶେ ପ୍ରକାଶ ।

ଗ୍ରୀଷ୍ମେ ଦୁଇଶ ସତୁରି କିରଣ ହୁଅଇ

ବରଷାରେ ଦୁଇଶତ ଦଶ ବିକାଶଇ ।

ଏମନ୍ତେ ଏ ଷଡ଼ଋତୁ କିରଣ ବିଭାଗ

ଦିବସେ ଭ୍ରମଣି ତୋର ମୁହୁର୍ତ୍ତେକ ରାଗ ।

ଅଶେଷ ମହିମା ନାଥ କହନ୍ତେ ନ ସରେ

ସୁଧାରସଭୋଗୀ ତୁହି ନିରନ୍ତେ ସଂସାରେ ।

ଅନ୍ଧକୁଷ୍ଠ ଦରିଦ୍ର ଯେ ତୁହି ଧ୍ୱଂସିପାରୁ

ଉତ୍ପତ୍ତି ଧାରଣ ତୁହି ବାଞ୍ଛା କଳ୍ପତରୁ ।

ତିଳ ତଣ୍ଡୁଳ ଦେଇ ଯେ କରେ ତୋର ପୂଜା

ସପ୍ତଦ୍ଵୀପା ପୃଥିବୀରେ ହୁଅଇ ସେ ରାଜା ।

ମନବାକ୍ୟେ ସ୍ମରଣ ଯେ କରେ ତୋର ନାମ

ଧନ ପୁତ୍ର ଲଭଇ ସେ ପୁରାଉ ତା କାମ ।

ସ୍ତୁତି କରୁଅଛି ଉଭାହୋଇ ତୋ ଛାମୁରେ

ଦୟିନୀ ହେଉଛି ରଖ ଛାୟାସାଇଁ ବାରେ ।

ମୋହର ନାମ ଅଚ୍ୟୁତ ମୁଁ ଅତି ପାମର

କେବଳ ଭରସା କରିଅଛି ତୋ ପୟର ।

 

କଂସର ଦକ୍ଷିଣ ଦିଗବିଜୟ ନାରକାସୁରକୁ ପରାସ୍ତ

ଇଦଂ ପ୍ରତିବାକ୍ୟ ଶୁକ ଯତି ଯେ କହନ୍ତି

ଶୁଣ ତୁମ୍ଭେ ସାବଧାନେ ଅର୍ଜ୍ଜୁନର ନାତି ।

ବାଣାସୁର ମନ୍ତ୍ରୀଠାରୁ ସମାଧାନ ଘେନି

ମନରେ ଆନନ୍ଦ ଅତି ହେଲା ଉଗ୍ରସେନି ।

ଣୋଣିତପୁର ଛାଡ଼ିଣ ସଇନି ଚଳିଲେ

ବାରୁଣା ପର୍ବତେ ଯାଇ ପ୍ରବେଶ ହୋଇଲେ ।

ବାରୁଣା ପର୍ବତେ ସର୍ବେ ରହିଲେକ ଯାଇ

ବାରୁଣା ଋଷି ଯେ ତପ କରୁଥିଲେ ତହିଁ ।

ଉତ୍ତରବାହିନୀ ହୋଇ ନର୍ମଦା ବହଇ

ଗଙ୍ଗାର ସମାନ ନଦୀ ନିର୍ମଳା ଅଟଇ ।

ପବିତ୍ର ସ୍ଥାନ ଦେଖିଣ ଦିନେ ତହିଁ ରହି

ପ୍ରଭାତ ସମୟେ ସମଦଣ୍ଡ ପୁଣି ବାହି ।

ଦକ୍ଷିଣ ମୂରତି ହୋଇ ଗଲେ ତହୁଁ ଦଣ୍ଡ

ବୀରତୂର ଶବଦରେ କମ୍ପଇ ବ୍ରହ୍ମାଣ୍ଡ ।

ବଡ଼ ସମାରୋହେ ଚଳିଯାଏ ସମଦଣ୍ଡ

ପାଦଭାଗରେ ମେଦିନୀ ହୁଏ ଖଣ୍ଡ ଖଣ୍ଡ ।

 

କଂସ ଦିଗବିଜେ ଶୁଣି ରାଜାଗଣମାନେ

ଯେ ଯାହାରେ ତୋଷକଲେ ଭେଟିଦ୍ରବ ଧନେ

ଦିବ୍ୟରତ୍ନମାନ ଦିବ୍ୟରମଣୀ ରତନ

ହାତୀ ରଥୀ ଦେଇ ଦିବ୍ୟ ଉପହାରମାନ ।

କଂସ ଦିଗବିଜେ ଶୁଣି ଯେତେ ମହାରାଜା

ସମସ୍ତେ ଡରେ କରିଲେ ଆସି ପାଦପୂଜା ।

ଅମାନିଆ ହୁଅନ୍ତି ତ ଯେବଣ ନୃପତି

ତା ରାଜ୍ୟ ଉଜାଡ଼ି ଧନ ଭଣ୍ଡାର ନିଅନ୍ତି ।

ନୀଳ ପରବତ ତଳେ ବେଲାଳ ନଗରୀ

ଗୋସିଂହ ନାମେ ଦଇତ ତହିଁ ଦଣ୍ଡଧାରୀ ।

କଂସର ଦିଗବିଜୟ ବାରତା ପାଇଲା

ଗୁପତେ ରଥ ଚଢ଼ିଣ ସୈନ୍ୟ ଦେଖିଗଲା ।

ଆକାଶମାର୍ଗେ ସାରଥି ରଥ ନେଲା ବାହି

କାତର ହେଲା ସେ କଂସାସୁର ସୈନ୍ୟ ଚାହିଁ ।

ଅଠର ଲକ୍ଷ ରାଉତ ରଣଯୋଦ୍ଧା ବଳେ

ଛପନକୋଟି ଯାଦବ ଏହାଙ୍କର ମୂଳେ ।

ଏମାନେ ଅଟନ୍ତି ଜଣେ ଜଣେ ରଣଣଙ୍କା

ଦେବ ଦାନବ ମାନବେ ନାହିଁ କିଛି ଶଙ୍କା ।

ଯେତେକ ରାଜା ସମସ୍ତେ କଂସ ଅଙ୍ଗବଳ

କଂସ ସଙ୍ଗରେ ଗୋଡ଼ାଇ ଅଛନ୍ତି ସକଳ ।

ସମୁଦ୍ର ପରି ଦିଶନ୍ତି ଅସୁର ସଇନ୍ୟ

ମୁଖରାବ ଶବଦରେ କମ୍ପେ ତ୍ରିଭୁବନ ।

ନବକୋଶ ମାନି ସୈନ୍ୟ ଆସୁଛନ୍ତି ଘୋଟି

ମଞ୍ଚରେ ପାଦ ଆକାଶେ ଥାଇ ମଥାଗୋଟି ।

ପାଦଭରେ ଦଲଦଲ ହେଉଛି ମେଦିନୀ

ନ ସହି ବସୁନ୍ଧରାର ଫାଟଇ ମୁର୍ଦ୍ଧନି ।

ଥାଟକୁ ଦେଖି ଗୋସିଂହ ତରସ୍ତ ହୋଇଲା

ସୈନ୍ୟଙ୍କ ବିଶ୍ଵମୁରତି ଦେଖି ଭୟ କଲା ।

ସାରଥିକୁ ବୋଲେ ଦେଖ ଅଗୋଚର ଥାଟ

ଏ ସୈନ୍ୟଙ୍କୁ ଦେଖି ମୋତେ ନ ଦିଶଇ ବାଟ ।

ଧାତିକାରେ ରଥଗୋଟା ଲେଉଟାଇ ନେଲା

ମନ୍ତ୍ରୀଙ୍କୁ ଘେନିଣ ରାୟେ ବସି ବିଚାରିଲା ।

ଅନେକ ପାଣିଦ୍ରବ୍ୟ ସେ ରଥରେ ପୂରାଇ

ସହସ୍ରେକ ମତ୍ତହସ୍ତୀ ଅଙ୍କୁଶ ଲଗାଇ ।

ଚାରି ସହସ୍ରେକ ଅଶ୍ଵ ସହସ୍ରେ ତରୁଣୀ

କଂସାସୁର ଛାମୁରେ ସେ ସମର୍ପିଲା ଆଣି ।

ସନ୍ଧି କରିବାକୁ କଂସ ଛାମୁରେ ମିଳିଲା

କୃତାଞ୍ଜଳି ହୋ ତାର ଆଗେ ଉଭାହେଲା ।

ଅନେକ ପୁରଃସରି ସେ କହଇ ବଚନ

ଛାମୁକୁ ଅଇଲି ଦିଗବିଜୟ ଶୁଣିଣ ।

ଏହା କହିଣ କଂସକୁ କଲା ବହୁ ପୂଜା

ଆନନ୍ଦ ହୋଇ ବାହୁଡ଼େ କଂସାସୁର ରାଜା ।

ଗୋସିଂହ ରାଜାର ସୈନ୍ୟ ଚଳିଲେ ତା ସଙ୍ଗେ

ମିଳିଲେ ଯାଇ ଗାନ୍ଧାରସେନ ରାଜ୍ୟ ଲାଗେ ।

ଗାନ୍ଧାରସେନ କଂସର ବାରତା ପାଇଲା

ଶତେଭାର ଦ୍ରବ୍ୟ ଘେନି କଂସକୁ ପୂଜିଲା ।

ସନ୍ଧାନ ଘେନି ଛାମୁରେ ଯାଇ ଉଭା ହୋଇ

କର ଯୋଡ଼ିଣ କହଇ ହୋଇଣ ବିନୟୀ ।

ଶତେକ ମତ୍ତହସ୍ତୀ ଯେ ବେନିଶତ ନାରୀ

ଛାମୁରେ ଦେଇ କହଇ ବହୁ ପୁରଃସରି ।

ତହୁଁ କଂସାସୁର ସମଦଣ୍ଡ ଚଳାଇଲା

ସିଂହନାଦ ପର୍ବତରେ ପ୍ରବେଶ ହୋଇଲା ।

ସିଂହନାଦ ନାମେ ତହିଁ ଅଛଇ ନୃପତି

କଂସକୁ ସେ ଆଣି ଦେଲା ତିନିଶତ ହସ୍ତୀ ।

ତହୁଁ କଂସରାଜା ଚଳି ଯାଇ ଅତି ବେଗେ

ସମ୍ଭ୍ରମେ ମିଳିଲା ଯାଇ ସଉରାଷ୍ଟ୍ର ଆଗେ ।

ତ୍ରିଗର୍ତ୍ତେଶ୍ଵର ବୋଲି ଯେ ତହିଁର ନୃପତି

ସେ ନେଇ କଂସକୁ ଦେଲା ଚାରିଶତ ହସ୍ତୀ

ସନ୍ଧାନମାନ ତ୍ରିଗର୍ତ୍ତେରଠାରୁ ଘେନି

ପଞ୍ଚବନ ପରବତେ ପ୍ରବେଶିଲା ପୁଣି ।

ତହିଁର ନୃପ ନାରାକାସୁର ମହାରାୟ

ଅତିବଡ଼ ରାଜା ସେହି ପୃଥିରେ ଅଜେୟ ।

ଅପ୍ରମିତ ବଳ ତାର ନ ଯାଏ କଳଣା

ଚବିଶ କ୍ଷଉଣୀ ବଳ ଅଟେ ଅକଳଣା ।

ଗର୍ନ୍ଧବ ରାକ୍ଷସ ଆଦି ତାର ଭୟ ନାହିଁ

ବଧିଲା ଅନେକ ରାଜାଗଣ ନରସାଇଁ ।

ରାଜାମାନଙ୍କ ଦୁହିତା ବଳାତ୍କାରେ ନେଲା

ଆପଣାର ନବରେ ସେ ସବୁ ଠୁଳ କଲା ।

ଅଟନ୍ତି ରାଜାମାନଙ୍କ ଜେମା ନବଯୁବା

ଏକାବେଳେ ଆଉ ଆଣି ସବୁ ହେବ ବିଭା ।

ସଂକଳ୍ପ କରିଛି ଏକଦିନେ କରି ସଭା

ଲକ୍ଷେକ ରାଣୀ ଆଣିଲେ ହୋଇବ ସେ ବିଭା

ତେଣୁକରି ରାଜଜେମା ସବୁଠାରୁ ଆଣି

ଅନ୍ତଃପୁରେ ରଖିଅଛି ଯତ୍ନେ ନୃପମଣି ।

ଅତି ବଳବନ୍ତା ଅଟେ ସେ ଅସୁରରାୟ

ଦେବ ଦାନବ ମାନବେ ନାହିଁ ତାର ଭୟ ।

ସେ ରାଜା ରାଜ୍ୟେ ମିଳିଲା ଯାଇ କଂସାସୁର

ଅନ୍ତଃପୁରେ ସେ ନାରକା ଶୁଣି ବୀରତୂର ।

ବାହାରେ ଆସି ମନ୍ତ୍ରୀକି ବୋଲେ ନୃପସାଇଁ

କାହିଁର ବୀରତୂର ତୁ ପଚାର ହୋ ଯାଇ ।

ଏଡ଼େ ଭରସା ରସାରେ କାହାର ହୋଇଲା

ମୋହର ରାଜ୍ୟେ କେ ବୀରତୂର ବଜାଇଲା ।

ମନ୍ତ୍ରୀ ବୋଇଲା ଭୋ ଦେବ ଅପୂର୍ବ କଥାଏ

ଯେବଣ ଦେଶର ସେହି ଅଟେ ମହାରାୟେ ।

ସାବଧାନେ ଶୁଣ ଦେବ ବୁଝିଅଛି ଯାହା

ଉଗ୍ରସେନ ରାଜା ପୁତ୍ର କଂସ ନରନାହା ।

ମହାବଳୀ ଅଷ୍ଟମଲ୍ଲ ଅଛନ୍ତି ତା ସଙ୍ଗେ

ଜଣକେ ଜିଣିପାରନ୍ତି ପୃଥ୍ୱୀ ରଣରଙ୍ଗେ ।

ଛପନକୋଟି ଯାଦବ ସର୍ବେ ରଣରଙ୍କା

ମହାଘୋର ସଂଗ୍ରାମକୁ ନ କରନ୍ତି ଶଙ୍କା ।

ଦାସଦମନ ଯେ ବାଣ ଜରା ନୃପମଣି

ବଜ୍ରନାଭ ଆଦି କେହି ନ ପାରିଲେ ଜିଣି ।

ସମସରି ରାଜାମାନେ ରଣେ ଗଲେ ହାରି

ସହସ୍ର ରାଜା ଅଛନ୍ତି ତାର ସେବାକରି ।

ପ୍ରତାପୀ ମହାରାଜା ସେ ଅତି ବଳବନ୍ତା

ଏ ତିନିପୁରେ ତାହାକୁ ନାହିଁ ନା ଜିଣନ୍ତା ।

ଯଦ୍ୟପି ଆପେ ଆସିବେ ଦେବ ତ୍ରିପୁରାରି

କଂସ ସଙ୍ଗେ ସଂଗ୍ରାମରେ ନିଶ୍ଚେଁ ଯିବେ ହାରି

ମନ୍ତ୍ରୀର ବଚନ ଶୁଣି ନାରକା ବୋଇଲା

ଏ କଥାରେ ମୋତେ ମନ୍ତ୍ରୀ ସନ୍ଦେହ ଲାଗିଲା ।

କଂସାସୁରରାୟେ ବୋଲି କହିଲ ମୋ ଆଗେ

ଏଡେ଼ ବଳବୀର୍ଯ୍ୟ ତାର ହେଲା କେଉଁ ବାଗେ

କେବଣ ଦେବତା ତାକୁ ହୋଇଅଛି ସାହା

ମାନବେ କେ ଏଡ଼େ ଯୋଦ୍ଧା ଶୁଣିନାହିଁ ଏହା ।

ମୋହଭଳି ଲୋକ ସଙ୍ଗେ ଯୁଝି ଆସିଅଛି

ନିଶ୍ଚୟ ଜାଣିଲି ସେହୁ ନ ଜାଣଇ କିଛି ।

ଯମଭୁବନ ପ୍ରାର୍ଥନା କରୁଅଛି ଆସି

ଆପଣା ଗଳେ ଲଗାଉଅଛି କାଳଫାଶି ।

ଦେହ ବହୀ ଜୀବନକୁ ଛାଡ଼େ କିପାଁ ଆଶ

ନିଶ୍ଚୟ ଜାଣ ସେ ମୂଢ଼ ଏଥେ ଯିବ ନାଶ ।

କୋଟିଇନ୍ଦ୍ର ସମ ହେଲେ ଜିଣିବି ମୁଁ ଧରି

ମାନବ ମାତ୍ର ସିନା ସେ କାହୁଁ ମୋତେ ସରି ।

ଆଚମ୍ବିତ ହୋଇ ରାଜା କୋପେ ପ୍ରଜ୍ଜ୍ଵଳିଲା

ମନ୍ତ୍ରୀର ବଚନ ଶୁଣି ଆସନୁ ଉଠିଲା ।

ଏକ୍ଷଣି ତାକୁ ଜୀବନ୍ତା ଆଣିବଇଁ ଧରି

ଯାଦବବଳ ସହିତେ ଅଷ୍ଟମଲ୍ଲ ମାରି ।

ମହାରାଜା ଆଜ୍ଞା ଦେଲା ସୈନ୍ୟ ବେଗେ ସାଜ

ଶୁଣି ମାହୁନ୍ତେ ସାଜିଲେ ଅସଂଖ୍ୟ ଯେ ଗଜ ।

ସତୁରି ସସ୍ର ତୁରଗ ଆଣିଲେକ ବାଛି

ଆଠଲକ୍ଷ ମାହୁନ୍ତଙ୍କ କରେ କୁନ୍ତ ଅଛି ।

ନବଲକ୍ଷ ରଥ ମଣ୍ଡିଅଛି ଅତି ରାଗେ ।

ସମଦଣ୍ଡ ସଜ କରି ଚଳିଗଲେ ବେଗେ ।

ଆପେ ଯାଏ ମହାରାଜା ଦିବ୍ୟବେଶ ହୋଇ

ସମରେ ସେ ବିଜେକଲା ରଥେକ ଆରୋହି ।

ବେନିକୋଟି ରଥ ସାଜେ ତିନିକୋଟି ଗଜ

ଅସଂଖ୍ୟ ପଦାତି ରଣେ ହୋଇଲେକ ସଜ ।

ଶବଦରେ କମ୍ପୁଅଛି ବ୍ରହ୍ମାଣ୍ଡ ସପତ

ଆକାଶେ ଅଦୃଶ୍ୟ ହେଲେ ଛାୟାଦେବୀ କାନ୍ତ

ହାତୀ ରଥୀ ପଦାତିକ ବୀର ରଣଯୋଧୀ

ସାଜିଲେ ସଂଗ୍ରାମେ ସମଦଣ୍ଡର ଯେ ବିଧି ।

ପୁତ୍ର ଭଗଦତ୍ତ ଆମେ ହସ୍ତୀଏ ଆରୋହି

ଆଗୁଆଣି ଦଣ୍ଡେ ସେହି ଗଲାକ ଚଳାଇ ।

ଆଲମ୍ବ ଲକ୍ଷେକ ମେଘ ଡମ୍ବରୁ ଯେ ଛତା

ଉଦଣ୍ଡ ଲକ୍ଷେ ଉଡ଼ାଇ ଯାଏ ବଳବନ୍ତା ।

ନାରକାସୁର ଅନେକ ସମାରୋହେ ଗଲା

ନଗର ବାହାରେ ଥାଟ ପଟୁଆର କଲା ।

ବିଜିଘୋଷ ବୀରତୂର ବାଜେ ଗରୁ ଟାଣ

ଶଙ୍ଖ ମହୁରୀ ଘୁମୁରା ବାଜେ ଅପ୍ରମାଣ ।

କଂସାସୁର ଆଗେ ଯାଇ ଡଗର କହିଲା

ସମଦଣ୍ଡ ଘେନି ବୀର ନାରକା ଅଇଲା ।

ବଳ ଅପ୍ରମିତ ତାର ଚତୁରଙ୍ଗ ସୈନ୍ୟ

ଯାହାର ବାହାନ୍ତେ କମ୍ପେ ଏ ତିନି ଭୁବନ ।

ଭଗଦତ୍ତ ବୋଲି ପୁତ୍ର ଅଟେ ରଣରଙ୍କା

ଆଗୁଆଣି ଦଣ୍ଡେ ଅଛି ନାହିଁ ତାର ଶଙ୍କା ।

ଆମ୍ଭଙ୍କୁ ଦେଖିଣ ବେଗେ ଧାଇଁଲା ସେ ରାଗେ

ବେନିଥାଟ ଅହୋମୁଖେ ଗୁରୁକ୍ରୁଦ୍ଧ ଲାଗେ ।

ଡଗରମୁଖୁ ଏସନ ବାରତା ପାଇଲା

ଅଷ୍ଟମଲ୍ଲଙ୍କୁ ପାଶକୁ ଡକାଇ କହିଲା ।

ଶୁଣ କେଶୀ ବୀର ଚାର କହେ ଯାହାଯାହା

ସାବଧାନ ହୋଇ ତୁମ୍ଭେ ଶୁଣିଛ କି ତାହା ।

ନାରକାସୁର ଯେ ଆଜ କରିବ ଆରେଣି

କାହା ବିଚାରକୁ କିସ ଆସେ ବୀରମଣି ।

ବଳବନ୍ତ ଯୋଦ୍ଧା ଅଟେ ସେ ଅସୁର ରାୟ

ଦିଗପାଳମାନେ ତାକୁ କରନ୍ତି ଯେ ଭୟ ।

ଯୁକତେ ପୃଥିବୀ ଦେବୀ ଜାତ କଲା ତାକୁ

ମଞ୍ଚରେ ସମାନ ଯୋଦ୍ଧା ଅଛି କେ ଏହାକୁ ।

ରାଜା ଯେ କହିଲା ତାଙ୍କୁ ଏସନକ ବାଣୀ

ଦର୍ହସିତ ହେଲେ ଅଷ୍ଟମଲ୍ଲେ ତାହା ଶୁଣି ।

କେଶୀ ବୋଲଇ ଆମ୍ଭର ଅଛି କିଏ ଭାଗ୍ୟ

କଥାଏ ମାଗିବୁ ଯେବେ ନ କରିବ ରାଗ ।

ସବୁ ରାଜାଙ୍କ ସଙ୍ଗତେ ଆପେ ଆପେ ଯୁଝି

ଆଜର ସଂଗ୍ରାମେ ଆମ୍ଭେ ବଳବୀର୍ଯ୍ୟ ବୁଝି ।

ଏ କଥାରେ ସନମତ କଲେ ବୀରମଣି

ଆମ୍ଭ ସଂଗ୍ରାମେ ତାହାକୁ ଧରିନେବୁ ଆଣି ।

ଆଜର ସଂଗ୍ରାମେ ତୁମ୍ଭେ ଶସ୍ତ୍ର ନ ଧରିବ

ଆମ୍ଭେ ନ ପାରିଲେ ପଛେ ତୁମ୍ଭେ ଆବୋରିବ

କଂସ ବୋଇଲା ହୋ ଆମ୍ଭେ ସନମତ କଲୁ

ନାରକାସୁର ସମର ଗୋଟା ସମର୍ପିଲୁ ।

ନାରକା ସଂଗ୍ରାମେ ତୁମ୍ଭେ ସମସ୍ତେ ହୋ ରହ

ନ ପାରିଲେ ଆସି ପଛେ ମୋ ଆଗରେ କହ ।

ଯାଦବଙ୍କୁ ରାଇ ଆଜ୍ଞା ଦେଲା କଂସଦେବ

ସୈନ୍ୟ ଘେନି ତୁମ୍ଭେ ଅଷ୍ଟମଲ୍ଲ ସଙ୍ଗେ ଥିବ ।

କଂସ ମୁଖରୁ ଏସନ ଦୃଢ଼ବାକ୍ୟ ଶୁଣି

ମହା ମହା ବୀରମାନେ ଉଠିଲେ ତକ୍ଷଣି ।

ରେରେକାର କରି ଥାଟ ପଡ଼ିଲେକ ମାଡ଼ି

ହୁକାର ଧ୍ଵନି କରିଣ ଛାଡ଼ି ସିଂହରଡ଼ି ।

ଏକକୁ ଆରେକ ତହିଁ ଉପ୍ରୋଧ ଛାଡ଼ିଲେ

ଗଦା ମୃଦୁଗର ଛେଲ କୁନ୍ତ ପହୁଡ଼ିଲେ ।

ମାରନ୍ତି ଅଧରେ ଦନ୍ତ ଚାପି ବଜ୍ରମୁଷ୍ଟି

ଏକ ଉପରେ ଆରେକ ପହୁଡ଼ିଲେ ଯଷ୍ଟି ।

ରଥ ଗଜ ଅଶ୍ଵ ଚଢ଼ି ହେଲେ ଆଗୁଁ ସରି

କୋଟି କୋଟି ନାରାଚ ସେ ରୋଷଭରେ ମାରି

ରକତରେ କରମଦ ହେଲା ମହୀସ୍ଥଳୀ

ମେଦ ମାଂସକୁ ଭୁଞ୍ଜନ୍ତି ଦେବୀମାନେ ମିଳି ।

କିଳିକିଳା ନାଦ କରି ଧାମନ୍ତି ସେ ରଙ୍ଗେ

ରକତ ବିଲୋପନ ସେ ଭଇରବୀ ଅଙ୍ଗେ ।

ଶୂଳ ପାଶ ଅଙ୍କୁଶ ଯେ କରେଣ ତ୍ରିଦଣ୍ଡୀ

ରଣ ରଙ୍ଗେ ବିହରନ୍ତି ପିଶାଚୁଣୀ ଚଣ୍ଡୀ ।

ଗଡ଼ନ୍ତି ପଡ଼ନ୍ତି ବୀରେକରି ରଣରଙ୍ଗ

ଖଣ୍ଡା ଶାବଳ ଯେ କୁନ୍ତ ଲାଗିଅଛି ଅଙ୍ଗ ।

ଆପାର ଘୋର ସଂଗ୍ରାମ କଲାକ ନାରକା

ଦେଖିଣ ଯାଦବ ବଳ ହୋଇଲେ ତାଟକା ।

ରଣଭଙ୍ଗ ହୋଇ ବୀରେ ପଳାଇଲେ ଡରେ

ପଳାନ୍ତେ ନାରାଚମାନ ପଡ଼ଇ ପିଠିରେ ।

ମହାଘୋର ସଂଗ୍ରାମ ଯେ ହେଲା ଅନ୍ୟୋଅନି

ପର କେ ଆପଣା ବୋଲି ନ ପାରିଲେ ଚିହ୍ନି ।

ଏକର ହସ୍ତରୁ ନିଏ ଆରେକ ଉଛୁଡ଼ି

ତରସ୍ତେ ଯାଦବବଳ ଘୋର ରଣ ଛାଡ଼ି ।

ଧାଇଁଗଲେ ଅଷ୍ଟମଲ୍ଲେ ହୋଇ ଆଗବଢ଼ି

ନାରକାସୁରର ଚାରିପାଖ ଘେରି ବଢ଼ି ।

ଅଖ ଚକ ଫଳି ଝରାଡ଼ିହମାନ ମାରି

କଚାଡ଼ନ୍ତି ବଳେ କାର ବେନିପାଦ ଧରି ।

ହାତୀ ରଥୀ ପଦାତିକ ଅଶ୍ଵଙ୍କ ଉପରେ

ପର୍ବତ ପରାୟେ ମାଡ଼ି ପଡ଼ନ୍ତି ସତ୍ଵରେ ।

କାହାର ବେକରେ ନେଇ ପ୍ରହାରନ୍ତି ଖଣ୍ଡା

ହସ୍ତୀଙ୍କ ମସ୍ତକପରେ କଚାଡ଼ନ୍ତି ଦଣ୍ଡା ।

ଅଖ ଚକ ସହିତରେ ରଥ ଭାଙ୍ଗିପଡ଼ି

ଶବଦ ଶୁଭଇ ଯେହ୍ନେ ମେଘ ଘଡ଼ଘଡ଼ି ।

ଉଠି ପଡ଼ଇ ବେଗେ ଉପରକୁ ଡେଇଁ

କାହାକୁ ଧରିଣ କାହା ଉପରେ ଛେଚଇ ।

ମାଡ଼ିଯାନ୍ତେ ଶତ୍ରୁଙ୍କର ଅଙ୍ଗ ହୁଏ ଧୂଳି

ଏମନ୍ତେ ଶକଟାସୁର କଲା ରଣକେଳି ।

ଶଗଡ଼ର ନିକଟରେ ଷଣ୍ଢାସୁର ଥିଲା

ଖାରି ମାରି କୋପଭର ହୋଇ ସେ ଧାଇଲା ।

କାହାକୁ ପାଦରେ ମର୍ଦ୍ଦିଧାମେ ପରଚଣ୍ଡ

ଶିଙ୍ଗ ମାରି କାହା ଦେହ କଲା ଖଣ୍ଡ ଖଣ୍ଡ ।

କାହାକୁ ଲାଙ୍ଗୁଡ଼େ ଛନ୍ଦି କଚାଡ଼ିଲା ଆଣି

ଖୂରିଘାତେ କାହା ମୁଣ୍ଡ ପକାଇଲା ହାଣି ।

ରଥକୁ ରଥୀକି ଧରି କଚାଡ଼ିଲା ରାଗେ

ଆଣ୍ଠୁଭରା ଦେଇ କେହୁ ପଳାବନ୍ତି ବେଗେ ।

ମାଡ଼ିପଡ଼ି ଚୂର୍ଣ୍ଣକଲା କେତେ ଯୋଦ୍ଧାପିଣ୍ଡ

କାହାକୁ ଫିଙ୍ଗିଲା ଦୂରେ ପ୍ରହାରିଣ ତୁଣ୍ଡ ।

କାମରୂପୀ ଷଣ୍ଢାସୁର କରେ ରଣରଙ୍ଗ

ମନ୍ଦର ପର୍ବତ ପ୍ରାୟ ଦିଶଇ ତା ଅଙ୍ଗ ।

ଶରଦ କାଳରେ ଯେହ୍ନେ ଦିଶେ ମେଘମାଳ

ଦେଖୁ ଦେଖୁ ତେମନ୍ତେ ସେ ଦିଶିଲା କରାଳ ।

ସୈନ୍ୟର ଉପରେ ଷଣ୍ଢା ଆକ୍ରୋଶି ଉଡ଼ଇ

ହାତୀ ରଥୀ ଘୋଡ଼ା ମଲେ କୁଢ଼ କୁଢ଼ ହୋଇ ।

ଏମନ୍ତ ସମୟେ ବକା ଧେନୁକା ଏ ବେନି

ଶତ୍ରୁ ସୈନ୍ୟ ସଂହାରିଲେ କରେ ଶସ୍ତ୍ର ଘେନି ।

ଭୟଙ୍କର ରୂପେ ଦୁହେଁ ବଢ଼ାଇଲେ ଓଜ

ତା ଦେଖି ଧାଇଁଲେ କୋପେ କୁବଳୟା ଗଜ ।

ରୋଷଭରେ ଗରଜନ କରି ସେ ଧାମନ୍ତେ

ପୃଥ୍ଵୀ ତୁଲେ ବନଗିରି କମ୍ପିଲା ତରସ୍ତେ ।

ଥୋର ହସ୍ତେ ଦରାଣ୍ଡିଣ ଧରି ଅତି ବେଗେ

ରଥର ଉପରେ ରଥ କଚାଡ଼ିଲା ରାଗେ ।

ନିର୍ଘାତ ପଡ଼ିଲା ପ୍ରାୟ କଲା ଘୋରନାଦ

ପୃଥ୍ୱୀ ଫାଟିଗଲା ପ୍ରାୟ ଶୁଭଇ ଶବଦ ।

ଉଡ଼ନ୍ତା ପର୍ବତ ଯେହ୍ନେ ଆସୁଥାଇ ଘୋଟି

ଚାରିପାଦେ ସୈନ୍ୟ ତେହ୍ନେ ମାରଇ ଚହଟି ।

କାହାକୁ ଲାଞ୍ଜରେ ବାନ୍ଧି ମାରଇ କଚାଡ଼ି

ନିଃଶ୍ଵାସ ପବନଘାତେ କେତେ ଯାନ୍ତି ଉଡ଼ି ।

କୁରାଳଚକ୍ର ପରାୟେ ଧାମେ ଚଉକତି

ନିଧୂମ ଅନଳ ଜିଣି ବିରାଜଇ ଜ୍ୟୋତି ।

ଅନେକ ସମର କୋପେ କରେ କୁବଳୟା

ଯୁକତେ ସେ ଗଜମୂର୍ଖ ଜୀବେ ନାହିଁ ଦୟା ।

କୁବଳୟା ରଣ ଦେଖି ଧାଇଁଲା ଯାମଳା

ଆକାଶରୁ ଖସିଲା କି ପରବତ ମାଳା ।

ଭୟଙ୍କର ବୃକ୍ଷ ବେନି ଗଗନରୁ ପଡ଼ି

ଅନ୍ତରାଳ କରି ସୈନ୍ୟ ମାରନ୍ତି କଚାଡ଼ି ।

ଯେବଣ ଠାବରେ ମାଡ଼ିପଡ଼େ ବୃକ୍ଷମୂଳ

ରଥ ଅଶ୍ଵ ହାତୀ ନାଶ କରନ୍ତି ସକଳ ।

ଯାମଳା ଅର୍ଜ୍ଜୁନ ବୃକ୍ଷ ସୈନ୍ୟଯାକ ଘୋଟି

କ୍ଷଣକେ ପଡ଼ଇ ତଳେ ପୁଣି ଯାଏ ଉଠି ।

ଅରିଷ୍ଟି ପୂତନା କେଶୀ ପଛେ ଥିଲେ ରହି

ଘୋଟିଲେ ଗର୍ଜ୍ଜନ କରି ଏକାମୁଖ ହୋଇ ।

ଭୟଙ୍କର ତିନିମୂର୍ତ୍ତି ଧରି ରଣମଧ୍ୟେ

ଯେ ଆଗେ ପଡ଼ଇ ତାକୁ ପ୍ରହାରନ୍ତି କ୍ରୋଧେ ।

କାହାକୁ ପାଦରେ ମର୍ଦ୍ଦିଫିଙ୍ଗି ଦ୍ୟନ୍ତି ଦୂରେ

ପିଟନ୍ତି ଏକକୁ ଧରି ଆରେକ ଉପରେ ।

ମତ୍ତହସ୍ତୀ ମସ୍ତକରେ ବସନ୍ତି କେ ଡେଇଁ

ମୁଣ୍ଡ ମୋଡ଼ି ମାହୁନ୍ତକୁ ଦ୍ୟନ୍ତି ଫୋପଡ଼ାଇ ।

ମହାବୀର ଅଷ୍ଟମଲ୍ଲେ ସଂଗ୍ରାମେ ଶକତା

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ କେ ନାହିଁ ଜିଣନ୍ତା ।

ପାଦଘାତେ ଥରହର କମ୍ପେ ବସୁମତୀ

ନାମ ଶୁଣି ଭୟକରେ ସ୍ଵର୍ଗେ ସୁରପତି ।

ପରିଘାଇ ସମର ସେ କରେ ଅଙ୍ଗଛଳେ

ମର୍ଦ୍ଦିଲେ ନାରକାସୁର ସୈନ୍ୟ ଅନ୍ତରାଳେ ।

ରଥୀ ମହରଥୀ ସେନା ପଡ଼ିଲେକ ଲୋଟି

ଚରଣ ଭାଙ୍ଗିଲା କାର ପିଠି ଗଲା ଫାଟି ।

ଛିଡ଼ିଲା କାହାର ମୁଣ୍ଡ ଭାଙ୍ଗିଲା କା ଅଙ୍ଗ

ଶସ୍ତ୍ର ଆଘାତରେ କାର ଜାନୁ ହେଲା ଭଙ୍ଗ ।

ଅଧାପ୍ରାଣ ହୋଇ କେତେ ଲୋଟିଲେ ଧରଣୀ

କାଠଖଣ୍ଡା ଶାବେଳିରେ କେ ହୋଇଲେ ହାଣି

ପଡ଼ିଲେ ଅନେକ ରଥୀ ହାତୀ ଯୋଦ୍ଧା ଘୋଡ଼ା

ବେନିତାଳ ଉଚ୍ଚମାନେ ପୂର୍ଣ୍ଣ ହେଲା ମଡ଼ା ।

ଶୁଷ୍କ କାଷ୍ଠପ୍ରାୟେ ମଡ଼ାମାନଙ୍କୁ ଭସାଇ

ବହିଲା ରକତନଦୀ ଖରତର ହୋଇ ।

ବାୟସ ଜମ୍ବୁକ ଗୃଦ୍ର ମିଳି ରଣସ୍ଥାନେ

ମାଂସ ଖାଇ ରକ୍ତପାନ କଲେ ତୋଷମନେ ।

ପଡ଼ିଲେ ନାରକାସୁର ସୈନ୍ୟ ଅପ୍ରମିତ

ରଣ ଛାଡ଼ି ପଳାଇଲେ କେ ହୋଇ ତରସ୍ତ ।

କରପତ୍ର ଯୋଡ଼ି କେତେ ପଶିଲେ ଶରଣ

କେ ମୁଖେ ଅଙ୍ଗୁଳି ଭରେ ଦନ୍ତରେ ତିରଣ ।

ତ୍ରାହି କର ବୋଲି କେତେ ପଡ଼ିଲେକ ପାଏ

ମଡ଼ାଙ୍କ ଭିତରେ ପଶି କେ ଲୁଚଇ ଭୟେ ।

କେଶବାସ ଅସମ୍ଭାଳେ ଶସ୍ତ୍ରମାନ ଛାଡ଼ି

ପଳାଇଲେ କେତେ ସେନା ବିକଳେ ଦଉଡ଼ି ।

ଏମନ୍ତେ ନାରକାସୁର ସୈନ୍ୟ ଭାଜିଯାନ୍ତେ

ଗୋଡ଼ାଇଲେ ଅଷ୍ଟମଲ୍ଲ ତାଙ୍କର ପାଶ୍ଚାତେ ।

ତାହା ଦେଖି କଂସାସୁର କରତାଳି ଦେଇ

ହସିଲା ଆନନ୍ଦ ମନେ ଖଣ୍ଡଦୂରେ ଥାଇ ।

ବିଚାରି ବୋଇଲେ ମୋର ଅଷ୍ଟମଲ୍ଲେ ଧନ୍ୟ

କ୍ଷଣକରେ ଭଗ୍ନ କଲେ ଏଡ଼େ ବଡ଼ ସୈନ୍ୟ ।

ଯେବଣ ନାରକାସୁର ଇନ୍ଦ୍ରକୁ ନ ଡରେ

ତା ସୈନ୍ୟକୁ ଜୟ କଲେ କିଞ୍ଚିତ ସମରେ ।

ଆକାଶ ମାର୍ଗରେ ଥାଇ ଦେଖନ୍ତି ବିବୁଧ

ଅଷ୍ଟଭଲ୍ଲେ କରୁଛନ୍ତି ଭୟଙ୍କର ଯୁଦ୍ଧ ।

ଭାଜିଲେ ନାରକାସୁର ସେନା ରଣ ଛାଡ଼ି

ଗୋଡ଼ାଇଲେ ଅଷ୍ଟମଲ୍ଲେ ପଛେ ପଛେ ବେଢ଼ି

ତା ଦେଖି ନାରକାସୁର ସୁତ ଭଗବତ୍ତ

ଗରଜନ କରି କୋପେ ଧାଇଁଲା ତ୍ଵରିତ ।

ଅୟୁତେ ମର୍ବୁଦ ଗଜ ସଙ୍ଗରେ ଚଳଇ

ରହ ରହ ବୋଲି ଡାକେ ଅଧର କିମ୍ପାଇ ।

ବିନ୍ଧ୍ୟ ପର୍ବତର ଚଉପାଶେ ଗିରିମାଳ

ବେଢ଼ି ଦିଶୁଥାନ୍ତି ଯେହ୍ନେ ଅତ୍ୟନ୍ତ ଗହଳ ।

ତେସନକ ଶୋଭାପାଏ ଭଗଦତ୍ତ ବୀର

ଚଉପାଶେ ବେଢ଼ିଛନ୍ତି ଅସଂଖ୍ୟ କୁଞ୍ଜର ।

ଅଷ୍ଟମଲ୍ଲମାନଙ୍କୁ ସେ ଦେଖି ବିଚାରଇ

ଏସନକ ଜନ୍ତୁମାନେ ଜନ୍ମ ହେଲେ କାହିଁ ।

ଧେନୁ ହସ୍ତା ଯୁବତୀ ଯେ ଷଣ୍ଢାବୃଷ ମୋଡ଼ା

ମାନବ ଶରୀର ପୁଣି ମୁଖ ଅଟେ ଘୋଡ଼ା ।

ଏମାନେ ତ ମହାଯୋଦ୍ଧା ଏକୁ ଏକ ଟାଣ

ଶୁଣିବାକୁ ଅସମ୍ଭବ ରୂପ ବିଡ଼ମ୍ବନ ।

କେମନ୍ତ ପ୍ରକାରେ କାହୁଁ ହୋଇଛନ୍ତି ଜାତ

ଦେଖିଲା ଶୁଣିଲା ନାହିଁ ଏସନ ସଂଜାତ ।

ଏତେ ଚିନ୍ତି ଭଗଦତ୍ତ ଚଳାଇଣ ହସ୍ତୀ

ଗରଜି ଧାଇଁଲା ଅଷ୍ଟମଲ୍ଲଙ୍କର କତି ।

ଶକଟା ଷଣ୍ଢା ଏ ଦୁହେଁ ଆଗେ ଥିଲେ ରହି

ହସ୍ତୀ ଦଣ୍ଡ ଦେଖି ଗଲେ ସିଂହପ୍ରାୟ ଧାଇଁ ।

ଗରଜନେ ପୂରାଇଲେ ଆକାଶମଣ୍ଡଳ

ଦୁରୁ ଡେଇଁ ବିଦାରନ୍ତି ହସ୍ତୀ ଗଣ୍ଡସ୍ଥଳ ।

ଏକକୁ ଆରେକ ପରେ ଟେକି କଚାଡ଼ନ୍ତି

କେବଣ ହସ୍ତୀର ଦନ୍ତ ଭିଡ଼ି ଉପାଡ଼ନ୍ତି ।

ବ୍ରଜ ସମ ମୁଷ୍ଟି ମାରି କେତେ ହସ୍ତୀଙ୍କର

ହାତ ଗୋଡ଼ ସହିତରେ ଭାଙ୍ଗି କଲେ ଚୂର ।

କେତେମାରି କେତେ ଦୂରେ ଫୋପଡ଼ାଇ ଦେଲେ

ଲାଞ୍ଜ ଧରି କେତେ ଗଜ ପିଟି ବଧ କଲେ ।

ଏହିରୂପେ ଅଷ୍ଟମଲ୍ଲେ କରି ମହାରଣ

ଭଗଦତ୍ତ ହସ୍ତୀସେନା କଲେ ରଣଭଣ ।

ତାହା ଦେଖି ଭଗଦତ୍ତ କରେ ଧନୁ ଧରି

କୋପେ ଶର ବୃଷ୍ଟି କଲା ଦ୍ରୋଣମେଘ ପରି ।

ଶୂଳ ଶକ୍ତି ପରଶ୍ଵଧ ପରିଘ ମୂଷଳ

ପ୍ରହାରିଣ ଆଚ୍ଛାଦିଲା ଗଗନମଣ୍ଡଳ ।

ଅଷ୍ଟମଲ୍ଲ ଅଙ୍ଗରେ ସେ ଶସ୍ତ୍ରମାନ ବାଜି

ଭେଦି ନ ପାରିଣ ତଳେ ପଡ଼ିଗଲେ ଭାଜି ।

ଯୁକତରେ ବଳବନ୍ତ ଅଟନ୍ତି ସେ ମଲ୍ଲେ

ଆଠଗୋଟା ଗିରି ପ୍ରାୟ କାୟା ବଢ଼ାଇଲେ ।

ହସ୍ତୀସେନା ଉପରକୁ ଆସିଲେ ଗରଜି

ପର୍ବତ ଉପରେ ମେଘ ପଡ଼ିଲା କି ଭାଜି ।

ଦରାଣ୍ଡି ମାରନ୍ତେ ଅଷ୍ଟମଲ୍ଲେ ମହାରୋଷେ

କେତେ ଗଜ ମଲେ କେତେ ପଳାଇଲେ ତ୍ରାସେ ।

ସୈନ୍ୟର ଭାଙ୍ଗୁଡ଼ି ଦେଖି ଭୟେ ଭଗଦତ୍ତ

ପିତାର ଛାମୁରେ ଯାଇ ମିଳିଲେ ତ୍ଵରିତ ।

ନିଜ ସୈନ୍ୟ ହତ ହେବା ଦେଖି ନୟନରେ

କମ୍ପଇ ନାରକାସୁର ଅତି କୋପଭରେ ।

ସାରଥିର ମୁଖ ଚାହିଁ ବୋଲେ ରଥ ବାହା

ଭାଜିଲେ ସଇନ ମୋର ନ ପାଇଣ ସାହା ।

ଏହିକ୍ଷଣି ଶତ୍ରୁବଳ ପକାଇବି ମନ୍ଥି

ପ୍ରାଣ ଘେନି ମୋ ଆଗରୁ ନ ଯିବେ ବରତି ।

ଏତେ ବୋଲି କରେ ଧରି ମହତ କୋଦଣ୍ଡ

ବିନ୍ଧିଲା ସେ ଏକାବେଳେ ତିନିସସ୍ର କାଣ୍ଡ ।

ପୁଣି ସହସ୍ରେକ ବାଣ ବିନ୍ଧିଲାକ ରୋଷେ

ପକ୍ଷୀପରି ଶରମାନେ ଗମିଲେ ଆକାଶେ ।

ପଞ୍ଚାଶ ସହସ୍ର ବାଣ ବିନ୍ଧିଲା ସେ ପୁଣି

ବାହାନାଦ କରି ଗୁଣ ଝିଙ୍କି ବୀରମଣି ।

ନିମିଷମାତ୍ରକେ ଶର ବିନ୍ଧେ କୋଟି କୋଟି

ପୂରିଲେ ସେ ବାଣମାନ ଦଶଦିଗ ଘୋଟି ।

ନ ପଡ଼ିଲା ଦିନକର ତେଜ ମହୀତଳେ

ଅନ୍ଧାର ଘୋଟିଲା ଭୟେ କମ୍ପିଲେ ସକଳେ ।

ନୀଳମେଘେ ଚହଟଇ ଯେସନେ ବିଜୁଳି

ଆକାଶମଣ୍ଡଳେ ତେହ୍ନେ ଦିଶେ ବାଣ ଝଳି ।

କୋଟି ବଜ୍ର ସମ ଧ୍ଵନି ଶୁଭେ ପରଚଣ୍ଡ

ବ୍ରହ୍ମାଣ୍ଡ ପୂରିଲା ଏକା ନାରକାର କାଣ୍ଡ ।

ନାରାଚ ଆସନ୍ତେ ଦୂରୁ ଦେଖି ଅଷ୍ଟମଲ୍ଲେ

ନିର୍ଭୟରେ ଯେ ଯାହାର ଅଙ୍ଗ ପାତିଦେଲେ ।

ନ ଭେଦିଲା ତାଙ୍କ ଦେହେ ବାଣଗଣ ପଡ଼ି

ନିଃଶ୍ଵାସଘାତରେ ଥୋକେ ପଳାଇଲେ ଉଡ଼ି ।

ନାରକା ବିନ୍ଧିଲା ପୁଣି ବଜ୍ରବାଣ ଶତେ

ନାରାଚ ଆସନ୍ତେ କେଶୀ ଧରେ ବାମହସ୍ତେ ।

କତୁରି ନାରାଚ ପୁଣି ମାଇଲା ପ୍ରଚଣ୍ଡ

ଦେଖିଲା ମାତ୍ରକେ କେଶୀ ପାତିଦେଲା ମୁଣ୍ଡ ।

କେଶୀ ମୁଣ୍ଡେ ପଡ଼ି ବାଣ ଶତେ ଖଣ୍ଡ ହେଲା

ତାହା ଦେଖି ଷଣ୍ଢାସୁର କୁହାଟି ହସିଲା ।

ଆବର ଶତେକ ବାଣ ବିନ୍ଧିଲା ନାରକା

କେଶୀ ତାହା ଗିଳିଦେଲା ନ କରିଣ ଶଙ୍କା ।

ବାୟବ୍ୟାସ୍ତ ପବନାସ୍ତ୍ର ମେଘାଶର ଯେତେ

ନାରକା ବିନ୍ଧଇ କେଶୀ ନିବାରେ କିଞ୍ଚିତେ ।

ବେଳୁବେଳ ଦୈତରାଜା କୋପଭର ହୋଇ

ଅନେକ ପ୍ରକାର ବାଣ ବିନ୍ଧିଲା ତୁହାଇ ।

କୌଣସି ପ୍ରକାରେ କେଶୀଅଙ୍ଗେ ନ ଭେଦିଲା

ତା ଦେଖି ନାରକାସୁର ବିଷାଦ ଲଭିଲା ।

ଧନୁ ଅସ୍ତ୍ର ଛାଡ଼ି ବୀର ରଥର ଉପରେ

ନିଃଶ୍ଵାସ ଫାନ୍ଦିଣ ଫୁଟି ରହିଲା ନିର୍ଭରେ ।

କେଶୀ ସିଂହନାଦ କରି ବୋଲେ ତାକୁ ଚାହିଁ

ବୀର ବୋଲି ଅହଙ୍କାରେ ଆସିଥିଲୁ ଧାଇଁ ।

ସମସ୍ତେ ବୋଲନ୍ତି ତୋତେ ମହାବଳୀୟାର

ଆପେ ବାଣ ବିନ୍ଧୁ ବିନ୍ଧୁ ହୋଇଲୁ କାତର ।

ତୁ ପରା ଈଶ୍ଵରପାଦେ କରିଥିଲୁ ସେବା

ତୋଷେ ବର ଦେଇଥିଲେ ତୋତେ ମହାଦେବା ।

ସାମାନ୍ୟ ସମର ପାଇଁ ନାହିଁ ତୋର ବଳ

ଆମ୍ଭ ଯୁଦ୍ଧ ଦେଖିକରି ଏ ଘାନ୍ତି ସମ୍ଭାଳ ।

ତୋ ଦେହ ସମ୍ଭାଳି ଏବେ ରଖ ତୁ ଯତ୍ନରେ

ନୋହିଲେ ଏକ୍ଷଣି ଯିବୁ ସଂଯମନୀପୁରେ ।

ଏତେ ବୋଲି ତା ରଥରେ ଉଠି ବୀର କେଶୀ

ବାମକରେ କେଶପାଶ ଧଇଲା ଆକ୍ରୋଶି ।

ସକଳ ସଇନମାନେ ଦେଖନ୍ତି ପ୍ରତ୍ୟକ୍ଷେ

କଂସର ଛାମୁକୁ ବୋହି ନେଲା ଅନ୍ତରୀକ୍ଷେ ।

ବାମକରେ କେଶପାଶ ଧରିଅଛି ଟାଣି

କଂସକୁ ବୋଇଲା ୟାକୁ ପକାଇବି ହାଣି ।

କଂସ ପୁଣି ବୋଲେ ଆରେ ନାରକା ପାମର

ଶରଣ ପଶିବା ଛାଡ଼ି କଲୁତୁ ସମର ।

ଜ୍ଵଳନ୍ତା ଅନଳେ କିପାଁ ଆସି ଦେଲୁ ଝାସ

ଏକ୍ଷଣି ସଗୋତ୍ରେ ତୋତେ କରନ୍ତି ବିନାଶ ।

କିନ୍ତୁ ତୋତେ ବଧକଲେ ପଉରୁଷ ନାହିଁ

ତୋର ଏତେ ସୈନ୍ୟନାଶ ହୋଇଲେ କିପାଇଁ

ଯମଦେବ ସଙ୍ଗେରେ ତୁ ବିବାଦୀ ହୋଇଲୁ

ଆପଣାର ଗଳେ ଆପେ କାଳଫାଶ ଦେଲୁ ।

କଂସମୁଖୁ ଏହା ଯହୁଁ ନାରକା ଶୁଣିଲା

ମସ୍ତକରେ କରଯୋଡ଼ି ବିନୟେ କହିଲା ।

କିଙ୍କର ପ୍ରାୟେକ ହୋଇ ବୋଲେ ଆହେ ଦେବ

ହାରିବା ଜିଣିବା ଅଟେ କ୍ଷତ୍ରିଙ୍କ ସ୍ଵଭାବ ।

ନ ଜାଣି ଦୁର୍ବୁଦ୍ଧି ପଣେ କଲି ମୁହିଁ ଦୋଷ

ବାରେ କ୍ଷମାକର ତୁମ୍ଭେ ଧାର୍ମିକ ପୁରୁଷ ।

ଯମ ଧର୍ମ ବିଚାରରେ ପ୍ରଭୁ ଅଟୁ ତୁହି

ତୁ କୋପିଲେ ମୋତେ ରକ୍ଷା କରନ୍ତା କେ ନାହିଁ ।

ଯଦୁ ଭୋଜବଂଶକୁ ତୁ ଅଟୁ ଯେ କାରେଣି

ସ୍ଵର୍ଗ ମର୍ତ୍ତ୍ୟ ଆଦି ତିନି ଭୁବନେ ବରଣି ।

ବାହୁବଳେ ସମସ୍ତଙ୍କୁ ପାରିବୁ ତୁ ସାଧି

ମୁଁ ଛାର ନ ଜାଣି ହେଲି ତୋ ସଙ୍ଗେ ବିବାଦୀ ।

ଯେତେ ଦୋଷ କଲି ତାହା ବାରେ କ୍ଷମାକର

ଜୀବ ଥିବାଯାକ ହୋଇଥିବି ମୁଁ ତୋହର ।

ଏହାଶୁଣି କେଶୀମୁଖ ଚାହିଁ କଂସ ବୋଲେ

ଅନେକ ସଇନ୍ୟ ମୋର ଏହା ଯୋଗୁଁ ମଲେ ।

ସେ କଥା ବିଚାର କଲେ ଅଛି ଆଉ କିସ

ଶରଣ ପଶିବାଠାରୁ ଗଲା ସବୁ ଦୋଷ ।

ପୁରୁଣା ନୃପତିଟାଏ ନ ମାରିବା ଥାଉ

ଛାଡ଼ିଦିଅ ୟାର କେଶ ପ୍ରାଣ ଘେନି ଯାଉ ।

କଂସକଥା  ମାନି  କେଶୀ କେଶ ଦେଲା ଛାଡ଼ି

ତା ରାଜ୍ୟରେ ତିନିଦିନ ବସିଲେକ ମାଡ଼ି ।

ନାରକା  ମୁକୁଳିଯାନ୍ତେ  ମନେ ପାଇ ଲଜ୍ଜା

ପୁତ୍ରଭାର୍ଯ୍ୟା ଘେନି କଲା କଂସପାଦେ ପୂଜା ।

ପୂର୍ବରୁ ଅରଜି ଯେତେ ଦ୍ରବ୍ୟ ରଖିଥିଲା

ଭଣ୍ଡାରରୁ ବାଛି ଆଣି କଂସକୁ  ତା ଦେଲା ।

ରଥ ଗଜ  ତୁରଙ୍ଗମ  ଚତୁରଙ୍ଗ ସେନା

ଦାସଦାସୀ  ସହିତରେ ଦେଲା ଅକଳନା ।

ନାନାବିଧ ଅଳଙ୍କାର ରତ୍ନ ବସ୍ତ୍ର ଦେଇ

ବିନୟେ  ନାରକା ବୋଲେ କୃତାଞ୍ଜଳି ହୋଇ ।

ନ ଜାଣିବା ପଣେ ମୁହିଁ  ଅରଜିଛି ଦୋଷ

ନ ପୁଣ ମୋଠାରେ ସ୍ୱାମୀ କରିବାକ ରୋଷ ।

କଂସ ବୋଲେ ସୁଖେ ରାଜ୍ୟ ପାଳିଣ ତୁ ଥିବୁ

ବାର୍ଷିକ ବସାଣ ନେଇ ଆମ୍ଭପାଶେ ଦେବୁ ।

ଏତେ ବୋଲି ବୀରତୂର ବାଜଣା ବଜାଇ

ବାୟବ୍ୟ  କୋଣକୁ  ଗଲା ସମଦଣ୍ଡ ବାହି ।

ସର୍ବାଲକ୍ଷ ପର୍ବତର ଦକ୍ଷିଣ ଭାଗରେ

ଚାଲିଯାଇ ପହଞ୍ଚିଲେ ଗଣ୍ଡୁକୀର ତୀରେ ।

କୁଞ୍ଜଗଳ ଦେଶ  ଯାଇ ମିଳିଲେ  ତା ସୈନ୍ୟ

ହସ୍ତିଙ୍କର ଘଣ୍ଟାରବ ପଦାତି ଗର୍ଜ୍ଜନ ।

ରଥଙ୍କର ଚକ୍ରଘୋଷ ଅଶ୍ୱ ହ୍ରେଷାରବ

ଓଟଙ୍କର  ଘୋରଧ୍ୱନି ଶୁଭେ ଅସମ୍ଭବ ।

ପାଦଘାତେ ଭାଙ୍ଗି ଚୂନା ହୋଏ ଶାଳ ଶିଳ

ମୁଖରବ ଶବ୍ଦ ଯେହ୍ନେ ସିନ୍ଧୁର ଚହଳ ।

ଏକ  ଚଳନ୍ତେ ଆରେକ ରଥଯାଏ ଜିଣି

ବିବିଧ ଛନ୍ଦେ ବାଜଇ ବାଦ୍ୟ ଘୋର ଧ୍ୱନି ।

ଗଣ୍ଡୁକୀ ନଦୀର କୂଳୁ ତିନି ଯୂଣ ଗଲେ

ଖଣ୍ଡଗିରି ତଳେ ସମଦଣ୍ଡ ଯେ ରହିଲେ ।

ବିଶାଶଏ ଯୋଜନ ସେ ପର୍ବତର ଉଚ୍ଚ

ବତିଶ କୋଷ ଓସାର ଅଟଇ ସୁସଞ୍ଚ ।

ପର୍ବତ  ତଳ ଉପର ନୀଳବର୍ଣ୍ଣ ଜ୍ୟୋତି

ମୁକୁତେଶ୍ୱର ଲିଙ୍ଗ ଯେ ତହିଁ ଏକମୂର୍ତ୍ତି ।

କୋଳାହଳ ନାମେ ବନ ପର୍ବତର ତଳେ

ଶାଳଗ୍ରାମ ଉପୁଜି ତହୁଁ କାଳେ କାଳେ ।

ତିନିକ୍ରୋଶ ଉତ୍ସର୍ଗ ଯେ ପର୍ବତର ତଳି

ବଜ୍ର କୀଟମାନେ ତହିଁ କରୁଥାନ୍ତି କେଳି ।

ସେ ସ୍ଥାନେ ପ୍ରବେଶ ହେଲା କଂସ ନରପତି

ବହୁତ ପୋକ ଚରନ୍ତି ତହିଁ ଦିବାରାତି ।

ଦିଶନ୍ତି ଯେ ଗୋଟି ଗୋଟି କୀଟ ନାନାବର୍ଣ୍ଣ

କର ଚରଣ ଅଙ୍ଗୁଳି ଦିଶେ ଭିନ୍ନ ଭିନ୍ନ ।

କି ଅବା କହିବା ସେହି ପୋକଙ୍କ ମହିମା

ଆପେ ନିର୍ମାଣ ହୁଅନ୍ତି ବିଷ୍ଣୁ ମହତମା ।

ପ୍ରତ୍ୟକ୍ଷେ ବିଷ୍ଣୁ ମୁରତି ଅଟେ କୀଟ ଗୋଟି

ହରିହର ବ୍ରହ୍ମା ରୂପେ କୀଟ କୋଟି କୋଟି ।

ଚାରିମୁଣ୍ଡ ଆଠ ଆଖି ଅଠଚାଳିଶ ଗୋଡ଼

ଛୟାଣୋଇ ବର୍ଣ୍ଣ ଯବ ଅଙ୍ଗୁଳି ପ୍ରଗାଡ଼ ।

ଦନ୍ତ ହୀରାପରି ଟାଣ ଓଠ ହେମକାନ୍ତି

ପିଠି ରଙ୍ଗ ବର୍ଣ୍ଣ ପେଟ ଶୁକ୍ଳବର୍ଣ୍ଣ ଜ୍ୟୋତି ।

ନାସିକା ଯେ ନୀଳବର୍ଣ୍ଣ ଚକ୍ଷୁ ସୂର୍ଯ୍ୟପରି

ଊର୍ଣ୍ଣନାଭି ସୂତ୍ରକୁ ଯେ ନାନାଅଗ୍ର ସରି ।

ନଖ ଗୋକ୍ଷୀର ବର୍ଣ୍ଣ ଯେ ତାମ୍ରବର୍ଣ୍ଣ ମୁଣ୍ଡ

କପୋଳ କାଚବର୍ଣ୍ଣ ଯେ ଅଗ୍ନି କର୍ଣ୍ଣ ତୁଣ୍ଡ ।

ଯବେକ ପ୍ରମାଣେ ପୋକ ବ୍ରଜ ଆଣ୍ଟ କାୟା

ଶେଷ ଦେବର ସେ ରୂପ ବିଷ୍ଣୁ  କୂଟ ମାୟା ।

ଶସ୍ତ୍ର କାଣ୍ଡ ଖଣ୍ଡାମାନ ନ କାଟଇ ଦେହୀ

ପଞ୍ଚଭୂତ ପଞ୍ଚଆତ୍ମା ତାର ମାୟାମୟୀ ।

ଅଗ୍ନିର ଭିତରେ ପଡ଼ି  ନ ପୋଡ଼େ  ତା ଅଙ୍ଗ

କେତେବେଳେ ସେହି ଜୀବ ନୁହି ବିହଙ୍ଗ ।

କାଳାନ୍ତକ ଯୁଗାନ୍ତକ ଯେ ପ୍ରଳୟାନ୍ତକ

ତେସନ ମୂରତି ଦିଶେ ସେହି ବଜ୍ରପୋକ ।

ସହସ୍ରେ ବରଷେ ଏକ ଶିଳା ଯେ କାଟଇ

କାଟି ଶିଳାଗୋଟି ଚିହ୍ନମାନ ଭେଦ ଦେଇ  

ଶଙ୍ଖ ଚକ୍ର ଅଙ୍କିତ ଯେ ନାରାୟଣ ମୂର୍ତ୍ତି

ମତ୍ସ କୂର୍ମ ବରାହ ନୃସିଂହ ହଳପତି ।

ବାମନ ପରଶୁରାମ ରାମ ଅବତାର

ହଳରାମ ବଳରାମ ଯଶୋଦା କୁମର ।

ବଉଦ୍ଧ କଳକି ଦଶ ଅବତାର ମୂଳେ

ବଜ୍ରକୀଟେ ଯେ କାଟନ୍ତି ଏହା କରି ଠୁଳେ ।

ଦାମୋଦର ମୂର୍ତ୍ତି ଆଦି ଶିଳା କୋଟି କୋଟି

ବିଷ୍ଣୁ ଅବତାରମାନ କରି ପରିପାଟୀ ।

ବର୍ତ୍ତୁଳକରି ପର୍ବତୁ ପଥରକୁ କାଟି

ଏସନକ ପ୍ରକାରେ ସେ ବଜ୍ରକୀଟ ଗୋଟି ।

ବିଶୁଦ୍ଧ ପବିତ୍ର ଶାଳଗ୍ରାମ ପୁଣ୍ୟମୟ

ପାଦୋଦକ ପାନେ ଗୋରୁ ବ୍ରହ୍ମହତ୍ୟା କ୍ଷୟ ।

ଖଣ୍ଡଗିରି ପର୍ବତ ଯେ ନାଗେଶ୍ୱର ପୋକ

ଗଣ୍ଡୁକୀ ନଦୀର ପାଣି ଏ ତିନିହେଁ ଏକ ।

ଖଣ୍ଡଗିରି ପର୍ବତରୁ ସସ୍ରେ ବରଷରେ

ଶାଳଗ୍ରାମ ଉପୁଜଇ ଗଣ୍ଡୁକୀର ତୀରେ ।

ଖଣ୍ଡଗିରି ପାହାଡ଼ରୁ ସୋହତୀରେ ଆସି

ଶାଳଗ୍ରାମ ଦେଶେ ଲାଗି ଜାଲେ ପଡ଼ି ଖସି ।

ଜାଲ ପାତିଣ ତାହାଙ୍କୁ ଧରନ୍ତି ସେ ଯହୁଁ

ଶାଳଗ୍ରାମ ଦେଶ ବୋଲି ବୋଲାଇଲା ତହୁଁ।

ପ୍ରତ୍ୟକ୍ଷେ ବିଷ୍ଣୁ ଅଟନ୍ତି ସେହୁ ପୁଣ୍ୟଦେହା

ସୁର ସିଦ୍ଧ ମୁନି ପୂଜା କରନ୍ତିଟି ଯାହା ।

ସେ ନଦୀକୂଳେ ରହିଲେ  କଂସାସୁର ସୈନ୍ୟ

ଅନେକ ରାଜା ଭେଟିଲେ ଘେନି  ସୈନ୍ୟ ଧନ

କେବଣ ରାଜା ହସ୍ତୀ କେ ଘେନିଣ ଯୁବତୀ

କେହି ସିଂହାସନେ ଦଣ୍ଡଛତ୍ର କେ ଦିଅନ୍ତି  

କେବଣ ରାଜା ଦିଅନ୍ତି ରତନ ଭଣ୍ଡାର

କେବଣ ରାଜା କରନ୍ତି ଆସି ନମସ୍କାର ।

ଦର୍ପିଷ୍ଠ  ଦାନବ ସେହି ଉଗ୍ରସେନ ବଳା

ଅନିବାର ଯୋଦ୍ଧା ଯୁଦ୍ଧକାଳେ ଅନର୍ଗଳା ।

ବ୍ରହ୍ମା ଇନ୍ଦ୍ର ରୁଦ୍ରଙ୍କୁ ଯେ ନାହିଁ ତାର ଭୀତି

ଆକ୍ରୋଶି ଚାଲନ୍ତେ ଭୟେ କମ୍ପେ ବସୁମତୀ ।

କଂସ ଭାରା ସହି ନ ପାରଇ ପୃଥ୍ୱୀ

ଟଳମଳ ହୋଇ କରେ ସେ ରୁଧିର ବାନ୍ତି ।

ଦିନୁଦିନ କ୍ଷୀଣ ଚିନ୍ତାଭର ମହୀଦେବୀ

ନିଶିଦିବସ ରୋଦନ କରଇ ପୃଥିବୀ ।

ରୁଧୀର ତା ନବଦ୍ୱାରେ ବହେ ଖଳ ଖଳ

ସହି ନ ପାରିଣ ଦେବୀ ହୁଅନ୍ତି ବିକଳ ।

ଉଭାହୋଇ ସେ ଯେଣିକି ଦିଏ କୋପ ଦୃଷ୍ଟି

କାଳାନଳ ଅଗ୍ନି ସେହି ଦିଶେ ଜଳି ଉଠି  

ନିରତେ ରୋଦନ କରେ ବସୁମତୀ ବସି

ଦିବସରେ କ୍ଷୁଧା ନାହିଁ  ନିଦ୍ରା ନାହିଁ ନିଶି ।

ଅନେକ ଭାଗ ସେ କଂସ ପୃଥ୍ୱିୀକି ଦେଇଛି

ଇନ୍ଦ୍ର ଆଦି ଦେବତାଙ୍କୁ ଭୟ ନାହିଁ କିଛି ।

ଦୁରାନ୍ତକ କାଳନେମି  କଂସ ଅବତାର

ଅତିବଳେ ବଳବନ୍ତା ମହାବଳୀ ବୀର ।

ସେହି କାଳନେମି ଦୈତ୍ୟ କଂସ ରୂପ ହେଲା

ଭୋଜବଂଶେ ଉଗ୍ରସେନ ପୁତ୍ର ବୋଲାଇଲା ।

ଏଣୁ ଏହାକୁ ତ୍ରିଦଶେ କରନ୍ତି ଯେ ଭୟ

ମହା ପ୍ରତାପୀ ଅସୁର କଂସାସୁର ରାୟ ।

ଜୟ ଦୁର୍ଗା ମାଗୋ ତ୍ରିଭୁବନ ନିବାସିନୀ

ଅନାଦି ହିଙ୍ଗୁଳା ମାଗୋ ଦାରିଦ୍ର୍ୟ ଧ୍ୱଂସିନୀ ।

ଚରାଚର ଜୀବ ମାଗୋ ତୁହି କରୁ ଜାତ

ଦେବଲୋକ ନର ନାଗ ଲୋକରେ ପୂଜିତ ।

ଅଯୋନିସମ୍ଭୂତା ମାଗୋ ହୋଇଲା ତୋ ଦେହୀ

ଆଗ ଜାତ ହେଲୁ ଜାତ କେହି କରି ନାହିଁ ।

ଚତୁର୍ବେଦ ଜାତ ମାଗୋ ହୋଇଛି ତୋକାୟେ

ବ୍ରହ୍ମା ବିଷ୍ଣୁ ମହେଶଙ୍କୁ ଅଗୋଚର ହୁଏ ।

ଅଭୟା ଅପର୍ଣ୍ଣା ମାଗୋ ତିନିକାଳ ଜ୍ଞାତା

ମୁକ୍ତି ଗତିଦାୟିନୀ ମା ପ୍ରଳୟ ରଖନ୍ତା ।

ଖଡ଼୍‌ଗ କୃପାଣ ତ୍ରିଶୂଳ ଡମ୍ବରୁ  ଶକତି

ପାଶ ଅଙ୍କୁଶ ପିନାକ ଧନୁ ସୂର୍ଯ୍ୟଜ୍ୟୋତି ।

କୋଟିଏ ଆୟୁଧେ ଶୋଭାପାଏ ଭୁଜଦଣ୍ଡ

ମଧ୍ୟାହ୍ନ ଆଦିତ୍ୟ ଜ୍ୱଳାବଳୀ ଯେ ପ୍ରଚଣ୍ଡ ।

ଶୁମ୍ଭ ନିଶୁମ୍ଭ ମହିଷାସୁର ମହାବୀର

ରକ୍ତବୀର୍ଯ୍ୟ ଚଣ୍ଡମୁଣ୍ଡ ଆଦି ଯେ ଅସୁର ।

ବୀରଘଣ୍ଟ ଯମଘଣ୍ଟ ଚାମର ଦେମାଳେ

ଋଣରଙ୍ଗ କରି ବଧ କଲୁ କୁତୂହଳେ ।

ଅନନ୍ତ କୋଟି ବ୍ରହ୍ମାଣ୍ଡେ ଅଛୁ ତୁ ଗୋ ବ୍ୟାପି

ସଚରାଚର ବ୍ରହ୍ମାଣ୍ଡ ତୁହି ସିନା ସ୍ଥାପି ।

ଖାଙ୍କର  କେଶ ବିକଟ ତୋର ଦନ୍ତପତି

କାଳାନକ ପ୍ରାୟେ ଦିଶେ ନୟନର ଜ୍ୟୋତି ।

ରୁଧିର ବିଲେପନ ତୋ ଭୟଙ୍କର ଅଙ୍ଗ

ସିନ୍ଦୂରବର୍ଣ୍ଣ ବିଚିତ୍ର ତୋର ତନୁ ରଙ୍ଗ ।

ରଙ୍ଗ ଝୀନବାସ ତୋର ହସ୍ତେ ରଙ୍ଗ ରହି

କପାଳକୁ ତୋର ରଙ୍ଗ ଚିତା ଶୋଭାପାଇ ।

ରଙ୍ଗ ଅଳତା ତୋହର ମାଗୋ ରଙ୍ଗପାୟେ

ରଙ୍ଗକାଚ ରଙ୍ଗପାଟ ଓଡ଼ିଆଣୀ ଶୋହେ ।

ରଙ୍ଗ ଧନୁ ରଙ୍ଗ ଶର ଖରେ ଯେ କାତି

ନୀଳମେଘରେ ବିଜୁଳି ଯେହ୍ନେ ଝଟକନ୍ତି ।

ହୀରାମଣି ମାଣିକ୍ୟ ଯେ କଣ୍ଠେ ରତ୍ନହାର

ଲୋହିତ ପିଙ୍ଗଳ ଦିଶେ ସୁବର୍ଣ୍ଣ ଆକାର ।

ଅଷ୍ଟରତନ ଜଡ଼ିତ ବର୍ଣ୍ଣେ ଶୋହେ କାପ

ଦେଖିବା ମାତ୍ରେ ହରଇ ସୁର ନର ଦର୍ପ  

ନିଶାରେ ଉଦୟ ଯେହ୍ନେ ଚନ୍ଦ୍ରମା ମଣ୍ଡଳ

ଶ୍ରୀମୁଖମଣ୍ଡଳ ସୁଧକର ହୁଁ ଉଜ୍ଜ୍ୱଳ ।

ମଙ୍ଗଳଦାୟିନୀ ମାଗୋ ତୁ ଅଟୁ ଭବାନି

ହିମବନ୍ତ ନନ୍ଦିନୀ ତୁ ଆଦି ଠାକୁରାଣୀ ।

ପୃଥିବୀର ଭାରାଭର ତୁହି ଉଦ୍ଧାରନ୍ତା

ସବୁକାଳେ ଜଗତର କରୁ ହିତ ଚିନ୍ତା ।

ଅଭୟା ହିଙ୍ଗୁଳା ମାଗୋ ଅଟୁ ହରପ୍ରିୟା

ନିରାକାର ସଂଭୂତା ତୁ ହେଲୁ ମାହାମାୟା ।

ଶତ ମୁକ୍ତି ବିଧାୟିନୀ ଅନ୍ନପୂର୍ଣ୍ଣା ଚଣ୍ଡୀ

ତୋତେ ଆଶ୍ରାକଲେ ଯମ ନ ପାରଇ ଦଣ୍ଡି ।

ଯୋଗବଳେ ଚରାଚର ସୃଷ୍ଟି କଲୁ ଜାତ

ସନ୍ତୋଷେ ପ୍ରସନ୍ନ ମୋତେ ହୁଅ ଜଗନ୍ନାଥ ।

ରକ୍ଷଣୀ ଭକ୍ଷଣୀ ତୋର ନାମ ଭଦ୍ରକାଳୀ

ଚାମୁଣ୍ଡା ଯେ ଚଣ୍ଡୀରୂପୀ ଭୈରବୀ ବାସେଳୀ ।

ଅନନ୍ତକୋଟି ଯୋଗିନୀ ତୋ ଶରୀରୁ ଜାତ

ତୋ ଆଜ୍ଞାକୁ ମାନି ସର୍ବେ ହୋନ୍ତି ଆତଯାତ ।

କାହାଳୀ ମର୍ଦ୍ଦଳ ବଂଶୀ ତାଳ ଅଳାବେଣୀ

ବଜାଇ ଖଟନ୍ତି ତୋତେ ସ୍ୱର୍ଗ ବିଳାସିନୀ  

ଖେଚରୀ ଭୂଚରୀଗଣ ଭୈରବୀଙ୍କ ସଙ୍ଗେ

ସେବନ୍ତି ସର୍ବଦା ତୋତେ ନୃତ୍ୟକରି ରଙ୍ଗେ ।

କିଳିକିଳା କୁହୁ କୁହୁ ଭୟଙ୍କର ନାଦ

ଟହ ଟହ ଅଟ୍ଟହାସେ ପୂରିତ ଶବଦ ।

ମେଦମେଦା ମାଂସେ ମାଗୋ ସଦା ତୋର ପ୍ରୀତି

ଶ୍ମଶାନରେ ନିରନ୍ତର ବୁଲୁ ନିଶାରାତି ।

ମହାବଳୀ ସିଂହ ତୋର ବାହନ ଅଟଇ

ଏହା ନିଃଶ୍ୱାସେ କୋଟି ବ୍ରହ୍ମାଣ୍ଡ ଘୋଟଇ  

ଅଷ୍ଟାଙ୍ଗ ଯୋଗରେ ପୂର୍ଣ୍ଣ ଅଟେ ତୋର କାୟା

ନ ଜାଣନ୍ତି ବ୍ରହ୍ମା ବିଷ୍ଣୁ ଶଙ୍କର ତୋ ମାୟା ।

ଅଷ୍ଟାଦଶ ବିଦ୍ୟା ନବ ନାଟକ ଯେ ବିଧି

କିଞ୍ଚିତ ଦୟାରେ ମାତ କରୁ ସର୍ବ ସିଦ୍ଧି ।

ଦେବତାଙ୍କ ଉପରେ ତୁ ଅଟ ଅଗ୍ରଲେଖା

ଅଶେଷ ମହିମା ତୋର କେ କରିବ ସଂଖ୍ୟା ।

ତୁହି ସେ ଜାଣୁ ଗୋ ମାତା ତୋହର ମହିମା

ଶଙ୍କର ଘରଣୀ ବାରେ ତ୍ରାହିକର ଉମା ।

ମାନବ ଜନ୍ମରେ ପଡ଼ି ପାଉଛି କଷଣ

ତୋ ବିନା ଜଗତେ ମୋର ନାହିଁ ପରିତ୍ରାଣ ।

କିଞ୍ଚିତେ ସୁଦୟା ମୋତେ କର ଜଗଦ୍ଧାତ୍ରୀ

ଖଣ୍ଡିବି ପୂର୍ବର ଦୋଷ ପାଇବି ସଦ୍‌ଗତି ।

ମାଗୋ ସେବା କରିବାକୁ ମୁଁ ନୋହେ ଭାଜନ

ସ୍ମରଣ କରୁଛି ମାତ୍ର ଚିତ୍ତେ ତୋର ନାମ ।

ଗିରିରାଜସୁତା ବାରେ କର ମୋତେ ଦୟା

କଳିକାଳ କଳମଷ ନ ପଶୁ ମୋ କାୟା ।

ଅଭୟ ଚରଣେ ତୋର କରୁଛି ବିନୟେ

ସନ୍ତୋଷରେ ଅନୁଗ୍ରହ କରସି ଗୋ ମାଏ ।

ଜନ୍ମଜନ୍ମାନ୍ତରେ ମୋର ତୋ ଚରଣେ ସେବା

ହରିବଂଶ କହିବଇଁ ଆଜ୍ଞା ମୋତେ ଦେବା ।

ଏତିକି ସୁଦୟା ମୋତେ କର ଠାକୁରାଣୀ

ମୋ କଣ୍ଠରେ ଆଭରଣ ହୁଅ ଗୋସାମଣି ।

ଶ୍ରୀଦୁର୍ଗା ଅଭୟ ପାଦେ ଅହର୍ନିଶି ସେବି

ମୁଁ ଦୀନ ଅଚ୍ୟୁତ ଦାସ ବୋଲାଉଛି କବି ।

 

ହରିବଂଶ (ପ୍ରଥମ ଖଣ୍ଡ)

କଂସର ସ୍ୱର୍ଗପୁର ଆକ୍ରମଣ ଓ ଦେବାତାମାନଙ୍କର ସରସ୍ୱତୀ ସ୍ତୁତି

ଶୁଣ ଆହେ ମୁନିବର କହେ ନରନାହା

ବିସ୍ତାରି କହିବା ମୋତେ ମାଗୁଅଛି ଏହା ।

କଂସ ଦିଗବିଜେ ମୋତେ କହିବଟି ଯାହା

ତୁମ୍ଭ ମୁଖରୁ ଶୁଣିଣ ନିସ୍ତରିଲି ତାହା ।

ପବିତ୍ର ପୁରାଣ ହରିବଂଶ ୟା ଉପାଧି

ଏଥି ଉତ୍ତାରୁ ସେ କଂସ କଲା କେଉଁ ବିଧି ।

ପୁରାଣେ ଅତି ପବିତ୍ର ଏହି ହରିବଂଶ

ସଂକ୍ଷେପି କହିବା ମୋତେ ବ୍ୟାସଦେବ ଶିଷ୍ୟ ।

ଏତେ ବୋଲିଣ ସେ ରାଜା କରପତ୍ର ଯୋଡ଼ି

ପ୍ରଣାମ କରି ଶୋଇଲା ମୁନିପାୟେ ପଡ଼ି ।

ରାଜାର ନିର୍ମଳ ଭକ୍ତିଭାବ ମୁନି ଦେଖି

ପ୍ରସନ୍ନେ କରନ୍ତି ଧ୍ୟାନ ଧାରଣାକୁ ରଖି ।

କହନ୍ତି ଯେ ଶୁକଯତି ଶୁଣ ତୁ ହୋ ରାୟ

ହରିବଂଶ ଶୁଣି ତୁମ୍ଭେ ପାପ କର କ୍ଷୟ ।

ରହିଲା ଗଣ୍ଡୁକୀ ନଦୀଜଳେ କଂସରାଜା

ଅନେକ ନୃପତି ତାକୁ କଲେ ପାଦପୂଜା ।

 

ରାଜ୍ୟଭାର ସିଂହାସନ ଦଣ୍ଡଛତ୍ର ମୂଳେ

ସନ୍ଧାନ ଦେଇଣ ପୂଜା କରନ୍ତି ସକଳେ ।

ନଉଯୂଣ ମାଡ଼ି ରହିଅଛନ୍ତି ଯେ ଥାଟ

ମୁଖରାବ ଧ୍ୱନି ଭାଙ୍ଗେ ସିନ୍ଧୁର ମୁରାଟ ।

ବେଳୁଁ ବେଳ ଥାଟ ତାର ହୋଇଲେ ଗହଳ

କଳନା ନ ଯାଇ ତାର ଅକଳିତ ବଳ ।

ଖଣ୍ଡଗିରି ତଳେ ସୈନ୍ୟ ଅଛନ୍ତି ଯେ ରହି

ନାରଦ ଋଷି ସେଠାରେ ପ୍ରବେଶିଲେ ଯାଇ ।

ସୁବର୍ଣ୍ଣ ବର୍ଣ୍ଣ ପରାୟେ ବିରାଜଇ ଜ୍ୟୋତି

ବିଭୂତି ଲେପନ ତନୁ ନିନ୍ଦେ ଚନ୍ଦ୍ରକାନ୍ତି ।

କାଖରେ କଳି ଧୁକୁଡ଼ି ହସ୍ତେ ତମ୍ବାପାତ୍ରୀ

ବ୍ରହ୍ମାଙ୍କ ସମାନ ମୁନି ବିରାଜଇ ମୂର୍ତ୍ତି ।

ବୃହତ ସାମ ଗାୟନ କରନ୍ତି ସେ ମୁନି

ସୈନ୍ୟ ମଧ୍ୟେ ପ୍ରବେଶିଲେ କରି ହରିଧ୍ୱନି ।

ନାରଦ ଆସନ୍ତେ କଂସ ଦୂରହୁଁ ଦେଖିଲା

ଉଠିଆସି ପାଛୋଟି ସେ ନମସ୍କାର କଲା ।

ସୁବର୍ଣ୍ଣର ପାତ୍ରେ ଗଙ୍ଗାଜଳକୁ ପୁରାଇ

ମୁନିଙ୍କ ଚରଣ ବେଗେ ପଖାଳିଲା ନେଇ ।

ପରମ ସାନନ୍ଦ ହୋଇ କଂସାସୁର ବୀର

ପାଦୋଦକ ନିହୁଡ଼ାଇ ଆପଣାର ଶିର ।

ଗର୍ଭକୁ କ୍ଷେପିଲା କିଛି ଆପଣାର କରେ ।

ଆସନ ଦେଇ ବୋଲଇ ବ୍ରହ୍ମାଙ୍କ କୁମରେ ।

ଦୁର୍ବା ତଣ୍ଡୁଳ ଆସନ ପାଦାସନ ଦେଇ

କରପତ୍ର ଯୋଡ଼ି ପୁଣି ମୁନିଙ୍କି ବୋଲଇ ।

କାହିଁଥିଲ ମୁନି ତୁମ୍ଭେ ଅଇଲ ଯେ ଏଥେ

ସିଦ୍ଧ ବାରତା ମୁନି ହେ କହିବାକୁ ମୋତେ ।

କୃତାର୍ଥ ହେଲି ତୁମ୍ଭଙ୍କୁ ଦେଖି ମୁହିଁ ଆଜ

ଲଭିଲି ପରମଗତି ସଫଳ ମୋ କାର୍ଯ୍ୟ ।

ନାରଦ ବୋଇଲେ ଥିଲୁ ଅମର ଭୁବନେ

ଦିଗବିଜେ ବାର୍ତ୍ତା ପାଇ ଅଇଲୁ ଏ ସ୍ଥାନେ ।

କଂସ ବୋଲେ ଦିଗବିଜେ କରି ମୁଁ ଅଇଲି

ପୃଥିବୀ ରାଜାମାନଙ୍କୁ  ସମରେ ଜିଣିଲି ।

ଏଥକୁ ଜଗତେ ମୋତେ ବୋଲୁଛନ୍ତି କିସ

ଏଥିର ସମସ୍ୟା ମୋତେ କହ ବ୍ରହ୍ମାଶିଷ୍ୟ ।

ମେରୁ ପ୍ରଦକ୍ଷିଣେ ମୋର ଅଛି ମନଇଚ୍ଛା

ସବୁ ରାଜାଙ୍କୁ ଜିଣିବି ଦିଅ ମୋତେ ଦୀକ୍ଷା ।

ନାରଦ ବୋଇଲେ ତୁହି ଶୁଣ କଂସରାୟ

ସଂଗ୍ରାମେ ସକଳ ରାଜା କଲୁ ଏବେ ଜୟ ।

ଏକ ରାଜା ମଞ୍ଚପୁରେ ଅଛି ବଡ଼ ଦୁଷ୍ଟ

ବିଚକ୍ଷଣ ଅଟେ ତାର ନାମ ଜମାଗୋଷ୍ଠ ।

ତାହାକୁ ଛାଡ଼ିଣ ଏକା ସମସ୍ତ ଜିଣିବୁ

ଏସନକ ବାରତା ମୁଁ କହିଲି ରେ ବାବୁ ।

କଂସର ଆଗେ ନାରଦ ବୋଇଲେ ଏ ବାଣୀ

ବଡ଼ ବିଷାଦ ପାଇଲା ବୀର କଂସ ଶୁଣି ।

ନୋହୁ ଦିଗବିଜେ ପଛେ ଉଠିବି ଏକ୍ଷଣି

କହ ମହାମୁନି ତାକୁ କେମନ୍ତେ ମୁଁ ଜିଣି ।

ନାରଦ ବୋଇଲେ ଯେବେ କୃପାବ୍ରହ୍ମା ଆଣି

ତାହାବଳେ ଜମାଗୋଷ୍ଠ ରାଜା ପାରୁ ଜିଣି ।

ସେ କୃପବ୍ରହ୍ମାକୁ ଆଣ ଗଉରବ କରି

ଅମରପୁରେ ମାନ୍ତ୍ରୀକ ନାହିଁ ତାକୁ ସରି ।

ଗଉରବ କରନ୍ତି ସେ ତାକୁ ବଜ୍ରପାଣି

କଂସ ନୃପତି ହରଷ ହୋଇଲା ତା ଶୁଣି ।

ଗୁପତେ ପୁଣି ନାରଦ କଂସକୁ କହିଲେ

ଆହୁରି କଥାଏ ଆମ୍ଭେ ଜାଣିଅଛୁ ଭଲେ ।

ତୁହି ଆମ୍ଭଙ୍କୁ କରିଛୁ ଯେଣୁ ବହୁ ସେବା

ଏଡ଼େ ଉପାୟ ବାରତା କେହ୍ନ ନ କହିବା ।

କଂସ ବୋଇଲା ମୁନି ହେ ଥାଇ ତୁମ୍ଭ ଦୟା

ତେଣୁ ମୁଁ ଜାଣେ ତୁମ୍ଭର ନାହିଁ ମୋତେମାୟା ।

ଏମନ୍ତ ଶୁଣିଣ ମୁନି ହସ ହସ ହେଲେ

ଦରହସତି ବଦନେ  କଂସକୁ କହିଲେ ।

ତୁ ହୋ କଂସରାୟେ ହାନି ଲାଭ ତ ନ ଜାଣୁ

ଏହି ନିର୍ଦ୍ଧନୀ ନୃପତିମାନଙ୍କୁ ତୁ ଜିଣୁ ।

ଏହାଙ୍କୁ ଜିଣିଲେ ଯଶ ପଉରୁଷ ନାହିଁ

ଏପରି ଦୃଢ଼ବାକ୍ୟ ଯେ ନାରଦ କହଇ ।

ତୁହି କଂସରାଜା ସବୁ ସ୍ଥାନେ ମହାରଥା

ବେଦପୁରାଣେ ରହିଣ ଥିବ ତୋର କଥା ।

ମଞ୍ଚ ରାଜାମାନେ ସାଧ୍ୟ ହେଲେ ତୋତେ ସିନା

ଏହି ବେଶେ ସ୍ୱର୍ଗକୁ ତୁ ରଥ ବାହୁ କି ନା ।

ଆଣିବୁ ଅନେକ ଧନ ଜିଣି ସୂରପତି

ଶୁଣି ସନ୍ତୋଷ ହୋଇଲା କଂସ ନରପତି ।

ଯେଉଁଦିନ ଦିଗବିଜେ କଲୁ ଭୋଜସାଇଁ

ମାତଳି ବାରତା କହେ ଇନ୍ଦ୍ର ଆଗେ ଯାଇଁ ।

ଅମରପୁରେ ତୋ କଥା ପଡ଼ିଥାଇ ବାବୁ

ବୃହସ୍ପତିଙ୍କି ପୁଚ୍ଛିଲେ ଦେବଗଣ ସବୁ ।

ବୃହସ୍ପତି କହିଲେକ  ପାଞ୍ଜିଗୋଟା ଫେଡ଼ି

ବୋଇଲେ ସ୍ୱର୍ଗକୁ କଂସରାଜା ଦେବ ଧାଡ଼ି ।

ଅନେକ ଉପଦ୍ରବ ସେ ନିକଟେ କରିବ

ସଂଗ୍ରାମ କରି ଲୋଡ଼ିଲେ ଅବଶ୍ୟ ମରିବ ।

ସୁଧର୍ମା ସଭାରେ ଆମ୍ଭେ ଏତେକ ଶୁଣିଲୁ

ସେ କଥା ଗୋଟି ଆସି ତୋ ଆଗେ କହିଲୁ ।

ତୁହି ନ ଯାଉଁ ସ୍ୱର୍ଗରେ ଲାଗେ ବଡ଼ ଭୟେ

ଅଷ୍ଟମଲ୍ଲ ଘେନିଯାଅ ତହି ତହିଁ ଯାଏ ।

ଏତେ କହିଣ ନାରଦ ଅନ୍ତର୍ଦ୍ଧାନେ ଗଲେ

ତହିଁ କଂସାସୁର ରାୟ ମନେ ମନେ ଭାଳେ ।

ନାରଦ ବଚନ କଂସ ହେତୁ କଲା ମନ

ଦୂତକୁ ଡାକି କହିଲା ଶୁଣ ମୋ ବଚନ ।

ଏହିକ୍ଷଣି ଯିବୁ ତୁହି ଅମର ପୁରକୁ

ଗୌରବ କରି ଆଣିବୁ ସେ କୃପବ୍ରହ୍ମାକୁ ।

ମନ୍ତ୍ର ବିଧାନରେ ସେହି ପୂଜାବିଧି କଲେ

ସମର କରିବା ସିନା ଜମାଗୋଷ୍ଠ ତୁଲେ ।

କଂସ ଆଜ୍ଞାରେ ଅମରପୁରେ ଗଲା ଦୂତ

କୃପବ୍ରହ୍ମାର ମନ୍ଦିରେ ମିଳିଲା ତୁରିତ ।

କଂସ  ନୃପତିର ଆଜ୍ଞା କହିଲା ବୁଝାଇ

କଂସଦୂତଠାରୁ ସେହି ଗଉରବ ପାଇ ।

ମନେ ବିଚାରଇ ମୁହିଁ ନ ଯିବଇଁ ଯେବେ

ଅସୁର ଆସିଣ ବଳେ ଧରି ଘେନିଯିବେ ।

ଆପଣାର ମାନ ଆପେ କିପାଁ ହରାଇବି

ଏହାର ସଙ୍ଗତେ ଯାଇ କଂସକୁ ଭେଟିବି  

ଏମନ୍ତ ଭାଳି ସେ ଦୂତ ସଙ୍ଗତେ ଅଇଲା

କଂସ ନୃପତି ଦେଖିଣ ଗଉରବ କଲା ।

ଆସନ ପଦାସନ ସେ ଦେଇ କଲା ପୂଜା

ଗ୍ରାମପାଟଣା ଦେଇଣ  ଦେଇଣ  କଲା ତାକୁ ରାଜା ।

ପରୀକ୍ଷଆଗେ କହିଲେ ଶୁକ ମହାଯତି

ଏଥୁଅନନ୍ତରେ କଥା ଶୁଣି ଦିବ୍ୟ ରୀତି ।

ଅଷ୍ଟମଲ୍ଲଙ୍କୁ ରାଇଣ କଂସ ନରସାଇଁ

ଗତାଗତ କଥାଯାକ ବୁଝାଇ କହଇ ।

ଜମାଗୋଷ୍ଠ ଉପରକୁ ସୈନ୍ୟ ଏବେ ସାଜ

ତାର ରାଜ୍ୟ ଭାଙ୍ଗି ଆମ୍ଭେ ଉପାଡ଼ିବା ଆଜ ।

ଯାହାର ନାମ ଲେଖି ସେ ପକାଇବ ପୋଛି

ହରିହର ବ୍ରହ୍ମା ତାକୁ ନ ପାରନ୍ତି ରଖି ।

ମନ୍ତ୍ରବଳେ କୃପବ୍ରହ୍ମା ରଖିପାରେ ଏକା

ଏଣୁ ଆମ୍ଭର ମନରେ ନାହିଁ କିଛି ଦକା ।

ଏପରି ଆଜ୍ଞା ଯହୁଁ ସେ ଦେଲାକ ନରେଶ

ଶୁଣିଣ କେଶୀ ବୀର ଯେ ହୋଇଲା ହରଷ ।

ଏ ସମୟେ ଜମାଗୋଷ୍ଠ ଡଗର ଯେ ଥିଲା

କଂସର ବିଚାରଯାକ ସବୁ ସେ ଜାଣିଲା ।

ବେଗେ ଯାଇ ଜଣାଇଲା ନୃପତି ଛାମୁରେ

ସାବଧାନ ହୋଇ ତୁମ୍ଭେ ଶୁଣ ନୃପବରେ ।

କଂସବୀର ରହିଥିଲା ଗଣ୍ଡୁକୀର ତୀରେ

ନାରଦ ମୁନି ମିଳିଲେ ଆସିଣ ସେଠାରେ ।

ନାରଦଙ୍କୁ ଦେଖି କଂସ ପୂଜାବିଧି କଲା

ସବୁ ରାଜାମାନଙ୍କର ବୃତ୍ତାନ୍ତ କହିଲା ।

ନାରଦ ବୋଇଲେ ଶୁଣ କଂସାସୁର ରାୟ

ଏକ ରାଜା ଅଛି ମହାଦୁର୍ବାର ଅଜେୟ ।

ସମସ୍ତ ରାଜା ହୋଇଲେ ତୋର ବଶବର୍ତ୍ତୀ

ଜିଣି ନ ପାରିବୁ ଜମାଗୋଷ୍ଠ ନରପତି ।

ଏସନ ବାରତା ଯହୁଁ ନାରଦ କହିଲେ

ମୁନିଙ୍କର ମୁଖ ଚାହିଁ କଂସ ନୃପ ବୋଲେ ।

ଜମାଗୋଷ୍ଠ ରାଜା ଯେବେ ଜିଣି ନ ପାରିଲି

କେମନ୍ତେ ମୁଁ ଦିଗବିଜେ ବାନା ଉଡ଼ାଇଲି ।

ଏମନ୍ତ ଶୁଣି ନାରଦ ବୋଇଲେ ବଚନ

ତାହାକୁ ଯେ ଜିଣିବାକୁ ଅଛି ଏକଜଣ ।

କୃପବ୍ରହ୍ମାକୁ ସ୍ୱର୍ଗରୁ ବେଗେ ଘେନି ଆସ

ତାର ମନ୍ତ୍ରେ ଜମାଗୋଷ୍ଠ ଦର୍ପ ହେବ ଧ୍ୱଂସ ।

ତାହା ଶୁଣି କଂସାସୁର ଆନନ୍ଦ ହୋଇଲା

ଅମର ଭୁବନୁ କୃପବ୍ରହ୍ମା ଅଣାଇଲା ।

ଆମ୍ଭ ପଛେ ପଛେ ଦଣ୍ଡ ଆସୁଅଛି ଲାଗି

ଭୋ ଦେବ ଉଦ୍ୟମ କର ହୋଇ ବେଗି ବେଗି ।

ଡଗର ମୁଖରୁ ବାର୍ତ୍ତା ଏସନକ ପାଇ

ମନ୍ତ୍ରୀମୁଖକୁ ଚାହିଁଲା ଭାଳି ନୃପସାଇଁ ।

ବୁଝିଲ କି ମନ୍ତ୍ରୀ ଆହୋ ଚାରଗଣ ବାର୍ତ୍ତା

ଫେଡ଼ିକରି କହ ମୋତେ ଏ ବିଷମ କଥା ।

ରାଜା ବଚନେ ହୋଇଲା ମନ୍ତ୍ରୀ ଚୂଡ଼ାମଣି

ସାବଧାନେ ଶୁଣ ତୁ ହୋ ନୃପ ଶିରୋମଣି  

ସନ୍ଧାନ ଦେଇ ତୋଷିବା ଆମ୍ଭେ କଂସରାୟେ

ନୋହିଲେ ଆମ୍ଭେ ଏଥିରେ ପାଇବା ଅଜୟେ ।

ଅବଶ୍ୟ ଆସିବ ଏଥେ ସମଦଣ୍ଡ ସାଜି

କୃପବ୍ରହ୍ମା ହସ୍ତେ ତୋତେ ମାରିବନା ଗଞ୍ଜି ।

ନାରଦ ମହାମୁନି ତ କହିଦେଲେ ତାକୁ

ନୋହିଲେ କେବା ସମରେ ଜିଣନ୍ତା ତୁମ୍ଭଙ୍କୁ ।

ମନ୍ତ୍ରୀର ବଚନେ ରାଜା ସନମତ କଲା

ତୋର ବିଚାରକୁ ମନ୍ତ୍ରୀ ଯେମନ୍ତେ ଆସିଲା ।

ରାଜାର ବଚନେ ସେହି ମନ୍ତ୍ରୀ ଚୂଡ଼ାମଣି

ରାଜ୍ୟୁ ବାହାର ହୋଇଲା ଥାଟ ସଙ୍ଗେ ଘେନି ।

ଶ୍ୱେତ ରଥେ ପୂରାଇଲା ଦେଖା ଦରଶନୀ

ଶତେକ ନବଯୁବତୀ ବେଶକରି ଘେନି ।

ସହସ୍ରେ ଅଶ୍ୱ ଚୋଖାର ବେଗେ ମହାତେଜ

ଏତେକ ଘେନି ସଙ୍ଗତେ ଚଳେ ମନ୍ତ୍ରୀରାଜ ।

ଦର୍ଶନ କଲାକ ଯାଇ କଂସର ଛାମୁର

ଭେଟାଇଲା ଦରଶନୀ ସ୍ତିରୀରତ୍ନ ସାର ।

ଦେଖିଣ କଂସ ରାଜନ ସୁପ୍ରସନ୍ନ ହୋଇ

ବୋଇଲା ସେ କେଶୀ ଦୈତ୍ୟ ମୁଖକୁ ଅନାଇ ।

ଦର୍ଶନ କଲା ଏ  କେଉଁ ଦେଶ ରାଜା ଆସି

କରପତ୍ର ଯୋଡ଼ି ଆଗେ ଜଣାଇଲା କେଶୀ ।

ଭୋ ଦେବ ଏ ଜମାଗୋଷ୍ଠ ନୃପତିର ମନ୍ତ୍ରୀ

ଶୁଣି କଂସାସୁର ହେଲା ପରମ ଯେ ଶାନ୍ତି ।

ଆହୋ ମନ୍ତ୍ରୀବର ତୋତେ ଦେଖିଲି ସୁବୁଦ୍ଧି

ଯେଣୁ ଦରଶନ କଲୁ ମେତେ ଦେଇ ନିଧି ।

ଏତେବୋଲି କଂସ ଅଷ୍ଟମଲ୍ଲଙ୍କୁ ଚାହିଁଲା

ଯାବତ କଥାମାନ ସେ ମଣାଇ କହିଲା ।

ଏବେ ହୋ ଯିବା ସ୍ୱର୍ଗକୁ ରଥ ଗଜ ସାଜ

ଆଣିମା ଅନେକ ଧନ ଜିଣି ସୁରରାଜ ।

ଆବର ବୋଇଲା ସମଦଣ୍ଡ ଏଥି ଥାଉ

ଆମ୍ଭ ସଙ୍ଗେ ହାତୀ ରଥୀ ଗୋଟିଏ ନ ଯାଉ ।

ଏତେକ ବୋଲି ଆସ୍ଥାନେ ଯାଇ ବିଜେକଲା

ସକଳ ସୈନ୍ୟ ଛାମୁକୁ ଡକାଇ ଆଣିଲା ।

ଏକକୁ ଆରେକ ତହିଁ ହେଲେ ସର୍ବେ ସଜ

ମଣ୍ଡିଲେ ରଥ ଆବର ସେନା ଅଶ୍ୱଗଜ ।

ରଣରାଜ ପୁତ୍ରେ ଦେଲେ ଅଶ୍ୱ ସଜକରି

ନାନାଦି ଶସ୍ତ୍ର ସେ ଦେଲେ ଆଗସରି ।

କୋଦଣ୍ଡ କାଣ୍ଡ ଧରିଛି କେହି ଖଡ଼୍‌ଗଫଳା

ଧାମନ୍ତି କେ ବୀରମୁର୍ତ୍ତି ହୋଇ ଅନର୍ଗଳା ।

ଅଗାଧ ସଇନ୍ୟ ତାର କେ କରେ କଳନା

ମଧ୍ୟାହ୍ନ ଆଦିତ୍ୟ ପ୍ରାୟ ରଥ ଜଗଜ୍ଜିଣା ।

ସ୍ୱର୍ଣ୍ଣ କଳସ  ପତାକା ନେତ ମାଳ ମାଳ

ବିଜୁଳି ତେଜେ ଯେସନ ଦିଶେ ନିଶାକାଳ ।

ପୋହଳା ମାଣିକ୍ୟ ହୀରା ନୀଳା  ମୋତି ଗୁନ୍ଥା

ମରକତ ବଇଦୁର୍ଯ୍ୟ ମାରାଗ ମୁକୁତା ।

ବର୍ତ୍ତୁଳ ମୋତିମାଳ ଯେ ରଙ୍ଗପାଟ ଗୁନ୍ଥି

ଗଜଦନ୍ତର ପିତୁଳାମାନ ପନ୍ତି ପନ୍ତି ।

ଝଲକେ ହୀରାପଗଡ଼ି  ପାତିଆର  କମ

କଣକାଣ୍ଡର ଉପରେ ଖଞ୍ଜା ଶୁଦ୍ଧ ହେମ  

ନବରତନରେ ସ୍ତମ୍ଭ ପାବଚ୍ଛ ବଇଠୀ

ହୀରାପାତିଆ ଝଲକି ଦିଶେ ପରିପାଟୀ ।

ଏମନ୍ତେ ଅପୂର୍ବ ରଥ ସାଜିଲେ ସାରଥି

ରଥ ଆବୋରି ଆସିଲେ ତା ଉପରେ ରଥୀ ।

ଅଶ୍ୱମାନଙ୍କୁ  ଯୋଚିଲେ କରେ ଧରି ବାଗ

ରଥକୁ ଧରି ସାରଥି  ବାହେ ବେଗ ବେଗ ।

ଦୁନ୍ଦୁଭି  ଆଦି ଯେ ବାଦ୍ୟ ରଥୀଆଗେ ବାଜେ

ଆଲମ୍ବ ମେଘାଡ଼ମ୍ବରୁ ପାଟେ ଲକ୍ଷ  ସାଜେ ।

କେବଣ ରଥରେ  ବ୍ୟାଘ୍ର କେଉଁ ରଥେ ସିଂହ

କେଉଁ ରଥେ ବାହୁଟିଆ କେଉଁ ରଥେ ଖଗ ।

ଶୁଭ ମଙ୍ଗଳବେଳାରେ ଦିବ୍ୟବେଶ ହେଲେ

କଂସ ସମଦଣ୍ଡ ଶୁଭ ଅନୁକୂଳ କଲେ ।

ଆକାଶ ମାର୍ଗରେ ରଥ ଉର୍ଦ୍ଧ୍ୱରେ ଚଳଇ

ବୀର ତୂରଘାତେ ସ୍ୱର୍ଗପୁର ଉଚ୍ଛୁଳଇ ।

ପବନଘାତେ ଟଳିଲା ମେରୁର ମଣ୍ଡଳ

ଅନିବାର ଯୋଦ୍ଧା ତାର ଚତୁରଙ୍ଗ ବଳ ।

ନାରଦ ବଚନ କଂସ ହୃଦମଧ୍ୟେ ଘେନି

ଆନନ୍ଦେ ଥାଟକୁ ଘେନି ଚଳେ ଉଗ୍ରସେନି ।

ମାର ମାର ଧର ଧର ଶବଦ ତରାସେ

ନବଖଣ୍ଡ ମେଦିନୀ ଯେ କମ୍ପେ ମହାରୋଷେ ।

ମେରୁର  ବାୟବ୍ୟକୋଣୁ ଦକ୍ଷିଣ ମୁଖରେ

ମହାକ୍ରୋଧେ କଂସ ଯାଏ ସୈନ୍ୟ ସଙ୍ଗତରେ ।

ସମାରୋହେ କଂସାସୁର ବାହିଲା ସ୍ୱର୍ଗକୁ

ରଥମାନ ଉଠି ଉଠି ଯାଏ ଉପରକୁ ।

ଅର୍ଦ୍ଧ ଆକାଶେ ଗନ୍ଧର୍ବମାନେ ରହିଥିଲେ

କଂସ ସ୍ୱର୍ଗ ଆସିବାର ବାରତା ପାଇଲେ  

କଂସ ଯିବାର ବାଟରେ ଗନ୍ଧର୍ବେ ଭେଟିଲେ

ଲେଉଟି ଯାଇ ବାସବ ଛାମୁରେ କହିଲେ ।

ସୁଧର୍ମା ସଭାରେ  ଯାଇ ମାତଳି କହିଲା

କଂସ ଦିବବିଜେ କରି ସ୍ୱର୍ଗକୁ ବାହିଲା ।

ମଞ୍ଚପୁର ନୃପତିଙ୍କୁ ବଳେ ବନ୍ଦୀ କଲା

ଗଣ୍ଡୁକୀ ନଦୀର କୂଳେ ଥାଟକୁ ରଖିଲା ।

ବଳବନ୍ତ ଅସୁରଙ୍କୁ ଘେନି ଆସେ ବାହି

ପବନହୁଁ ବେଗେ ସେହି ଆସୁଛନ୍ତି ଧାଇଁ ।

ଏହିକ୍ଷଣି ଘୋଟିବେ ସେ ଆସି ସ୍ୱର୍ଗପୁର

ନିକଟ ହେଲେଣି ଏବେ ସମ୍ଭାଳ ତୋ ପୁର ।

ପୃଥ୍ୱୀ ନ ଦିଶଇ ତାର ଅକଳିତ ସୈନ୍ୟ

ଦୁର୍ବାର ଅଷ୍ଟମଲ୍ଲଙ୍କୁ ଘେନି ସଙ୍ଗତେଣ ।

ଜଣେ ଜଣେ ସ୍ୱର୍ଗ କରି ପାରନ୍ତି ସେ ଜୟ

ନିଶ୍ଚୟ ଦେବ ତାହାଙ୍କୁ ହେଲା ପ୍ରାଣେ ଭୟ ।

ଏ କଥା ବିଚାର ବେଗେ କର ଦେବରାଜ

ନିଶ୍ଚୟ ଅମରପୁର ନାଶ ଯିବ ଆଜ ।

ଏତେ କହିଣ ମାତଳି ହୋଇଲାକ ତୁନି

ବୃହସ୍ପତିଙ୍କୁ ଅନାଇ ପୁଚ୍ଛେ ସସ୍ରଯୋନି ।

ଭୋ ଗୁରୁ ତୁମ୍ଭେ ତ ଭୂତ ଭବିଷ୍ୟଜ୍ଞାତା

ଗତାଗତ ହାନିଲାଭ ଜାଣ ସବୁକଥା ।

ତୁମ୍ଭର ମନ୍ତ୍ରଣାବଳେ ସବୁ କାର୍ଯ୍ୟସିଦ୍ଧି

ସ୍ୱର୍ଗରକ୍ଷା କରିବାକୁ ଅଛିଟି କି ବୁଦ୍ଧି ।

ବୃହସ୍ପତି ବୋଇଲେ ହୋ ଶୁଣ ସୁରପତି

ଏ କଥା ଶୁଣିଣ ଆମ୍ଭେ କଲୁ ବଡ଼ ଭୀତି ।

ବିଧାତା ଶାପେ କନ୍ଦର୍ପ କାଳନେମି ହେଲା

ଏ ଜନ୍ମରେ ଆସି କଂସାସୁର ବୋଲାଇଲା ।

ଉଗ୍ରସେନର ନନ୍ଦନ ପ୍ରତାପୀ ସେ ବୀର

ପୃଥ୍ୱୀଦେବୀ ନ ସହଇ ତାର ପାଦଭାର ।

କ୍ରୋଧଲୋଚନେ ଯେଣିକି ଦିଅଇ ସେ ଦୃଷ୍ଟି

ଦଲ ଦଲ ହୋଇ କମ୍ପେ ନବଖଣ୍ଡ ସୃଷ୍ଟି ।

ବ୍ରହ୍ମା ରୁଦ୍ର ଆଦିକରି ଆପେ ବଜ୍ର ଧାରି

କାହାରି ହସ୍ତରେ ସେହି କଂସ ଯେ ନ ମରି ।

କାଳନେମି ରୂପ ହୋଇଥିଲା ଯେତେବେଳେ

ପାଦ ତାର ନ ତିନ୍ତିଲା ପ୍ରଳୟର ଜଳେ ।

ପାତାଳପୁରଠାରୁ ଏ ସ୍ୱର୍ଗପୁର ଯାଏ

ସଚରାଚର ପୂରିଲା ତାର ମହାକାୟେ ।

ଡରେ ଚନ୍ଦ୍ର ସୂର୍ଯ୍ୟ ଉଦେ ଅସ୍ତ ଯେ ନୋହିଲେ

ପାତାଳ ବୈକୁଣ୍ଠ ପୁରେ ବିଷ୍ଣୁଙ୍କୁ କହିଲେ ।

ସୁରଙ୍କ ବଚନେ ଧାଇଁ ଅଇଲେକ ସ୍ୱାମୀ

ଅଶୀସସ୍ର ବର୍ଷ ଯୁଦ୍ଧ କଲା କାଳନେମି ।

ସେ କାଳନେମି ଧଇଲା ଏବେ କଂସଦେହୀ

ତାର ମହାଭାରା କାହିଁ ଆନ ବଳେ ସହି ।

ବୋଇଲେକ ବୃହସ୍ପତି ଶୁଣ ସୁରରାୟ

ବିଷ୍ଣୁ ବ୍ୟତିରେକେ କଂସ ଆନେ ନୁହେ କ୍ଷୟ ।

ତୋହର ପ୍ରାୟେ କୋଟିଏ ଇନ୍ଦ୍ରଯେବେ ହେବ

ତଥାପି ସେହି କଂସକୁ ଜିଣି ନ ପାରିବ ।

ଅକାରଣେ ଗଞ୍ଜି ନୁହ ସନ୍ଧି ବେଗେ ଦେବା

ଚାର ପଠାଇ ବିଷ୍ଣୁଙ୍କୁ ପଛେ ଅଣାଇବା ।

ବିଷ୍ଣୁ ଯେ ଅନନ୍ତକୋଟି ବ୍ରହ୍ମାଣ୍ଡ କାରେଣି

ତାହାଙ୍କୁ ଜଣାଇଲେ ସେ ବିଚାରିବେ ପୁଣି ।

ସବୁକାଳେ ମଞ୍ଚେ ଆସି ହୁଅନ୍ତି ସେ ଜାତ

ସମୟେ ସମୟେ ହୁଏ ସ୍ୱର୍ଗେ ଉତପାତ ।

ଏଥିକି ଆମ୍ଭେମାନେ ଯେ କରିଥିବା ଭୟ

ଅବଶ୍ୟ କରି ପାରନ୍ତି ହରି ତାକୁ ଜୟ ।

ଇନ୍ଦ୍ର ବୋଇଲେ ଗୁରୁ ହେ ବିଷ୍ଣୁଛନ୍ତି କାହିଁ

ସମସ୍ତେ ରୁଣ୍ଡ ହୋଇଣ କହିବାକ ଯାଇ ।

ଆହୋ ଦେବ ଇନ୍ଦ୍ର କିପାଁ ବାଇ ପ୍ରାୟ କହୁ

ଅଗ୍ନି ପାଖରେ ତରଳି ଯାଏ ଯେହ୍ନେ ଜଉ ।

କଂସର ତୋହର ପୁଣି ଦେଖା ଦେଖି ନାହିଁ

ଆଗରୁ ଏଡ଼େ ଆରତ ଦେଉଛୁ କିପାଇଁ ।

ଯେତେବେଳେ ଇନ୍ଦ୍ର ତୁହି ଦୁଃଖହେବୁ କଷ୍ଟୀ

ତେବେ ବିଷ୍ଣୁଠାକୁ ନେବା ବୋଇଲେ ଗୁରୁଟି ।

ଏବେ ସ୍ଥିର ହୋଇ କିଛିକାଳ ରହିଥିବୁ

କଂସର ଉପଦ୍ରବ ତୁ ସମେୟ ସହିବୁ ।

ମହାକଟାଳ ଯେବେ ସେ କରିବ ଅବଧି

ଧର୍ମକୁ ଜିଣିଲେ ସିନା ହେବ କାର୍ଯ୍ୟସିଦ୍ଧି ।

ଆପଣା ବୁଦ୍ଧିରେ ଯେବେ ସିଦ୍ଧ ହେବ କାର୍ଯ୍ୟ

ପଣ୍ଡିତଜନ ବେଭାର ଶୁଣ ଦେବରାଜ ।

ଦେବଗୁରୁ ବଚନରେ ଇନ୍ଦ୍ର ହେଲେ ତୋଷ

ସୁଧର୍ମା ସଭାରେ ବସି କଶ୍ୟପଙ୍କ ଶିଷ୍ୟ ।

ବରୁଣ ପବନ ଚନ୍ଦ୍ର ସୂର୍ଯ୍ୟ ସାତବାର

ଅଷ୍ଟବସୁ ମୂଳେ ଯମ ନୈର୍ଋତ କୁବେର ।

ବୈଶ୍ୱାନର ନାମେ ଯେଉଁ ଅଗ୍ନି ଦଇବତ

ନକ୍ଷତ୍ର କରଣ ଯୋଗ ତିଥି ସର୍ବେ ସ୍ଥିତ ।

ଆବର୍ତ୍ତ ସମ୍ବର୍ତ୍ତ ଦ୍ରୋଣ ପୁଷ୍କର ଯେ ମେଘ

ବିଷକୁମ୍ଭ ଶିବମୂଳେ ସତାଇଶ ଯୋଗ ।

କାଳ ଯେ ବିକାଳ ଚିତ୍ରଗୁପତ କରଣ

ବ୍ରହ୍ମଋଷି ଦେବଋଷି ରାଜଋଷିଗଣ ।

ଯକ୍ଷ ରକ୍ଷ ଗନ୍ଧର୍ବ ଯେ ବିଦ୍ୟାଧର ବଳ

ନୃତ୍ୟରଙ୍ଗ କରନ୍ତି ସେ ଆସ୍ଥାନର ତଳ ।

ଅନେକ ସମ୍ଭାର ଘେନି ବିଜେ ସୁରସାଇଁ

ନିକଟେ ଦେଖିଲେ କଂସ ଆସୁଅଛି ବାହି ।

ଆଦିତ୍ୟର ତେଜ ଜିଣି ଦିଶଇ ତା ରଥ

ମେଘ ଯେସନେ ଆବୋରି ଥାନ୍ତି ଶୂନ୍ୟପଥ ।

ରଥଙ୍କ ଉପରେ ନେତ ପତାକା ଉଡ଼ନ୍ତି

ନୀଳ ମେଘରେ ବିଜୁଳି ଯେହ୍ନେ ଛଟକନ୍ତି ।

ବୀରତୂର ଶବ୍ଦ ବିଜିଘୋଷ ମହାଘୋର

ଶୁଣିଣ ଦେବ ଲୋକେ ଯେ ହୋଇଲେ କାତର ।

ବୃହସ୍ପତି ବୋଇଲେ ତୁ ଶୁଣ ଶଚୀସାଇଁ

କଂସ ସନ୍ଧାନ ନ ଦେଲେ ପରିତ୍ରାଣ ନାହିଁ ।

ପ୍ରଚଣ୍ଡରେ ମହାତେଜ ଦିଶେ କଂସ ରାଜା

ଖଣ୍ଡେ ଦୂର ଯାଇ ତାକୁ କରିବା ନା ପୂଜା ।

ଯେବେ ତୁମ୍ଭେମାନେ ବଳେ ଯିବ ତାର ପାଶ

ତୁମ୍ଭେ ସକଳ ଦେବତା ଯିବ ପ୍ରାଣେ ନାଶ ।

ସାମାନ୍ୟ ଜନ ପ୍ରାୟେ କି ତାକୁ ମଣିଅଛ

ଏହିକ୍ଷଣି ତାରକଥା ବୁଝିବ ପ୍ରତ୍ୟକ୍ଷ ।

ତୁମ୍ଭେମାନେ କଂସକୁ ଯେ ସାମାନ୍ୟ ନ ମଣ

ବିଚାରିଲେ ତୁମ୍ଭଠାରୁ ବଡ଼ ବୋଲି ଜାଣ ।

ପୂର୍ବେ କାମଦେବ କାଳନେମି ହୋଇଥିଲା

ଯଦୁ ଭୋଜବଂଶେ ଏବେ କଂସ ବୋଲାଇଲା ।

କାମଦେବ ଅବତାର ଜାଣ ଦେବରାଜା

ଆସ୍ଥାନେ ବସାଇ ତାକୁ କର ପାଦ ପୂଜା ।

ଅସୁର ଜନମ ପାଇ ପାସୋରିଲା ତାହା

ଗତକଥା ତାର କି ନ ଜାଣୁ ଶଚୀନାହା ।

ଯୁକତେ ଏ କାମଦେବ ତୋର ପୁତ୍ର ପୂର୍ବେ

ଅସୁର ସ୍ୱଭାବେ ତାହା ପାସୋରିଲା ଏବେ ।

ଆବର ବିଶେଷ ସେହି ଭାଗ୍ୟବନ୍ତ ରାଜା

ଲକ୍ଷେ ନୃପତି କରନ୍ତି ତାର ପାଦ ପୂଜା  

ଏବେ  ସେ ଆସି ହୋଇଲା ମଞ୍ଚପୁରେ ଜନ୍ମ

ଆଗହୁ ଏ କଥା ଆମ୍ଭେ ଜାଣିଅଛୁ ପୁଣ ।

ତାହାକୁ ଯେ ନ ମାନିଲେ ଭଲଗତି ନାହିଁ

କଂସ କୋପ କଲେ ଆମ୍ଭେ ବର୍ତ୍ତିବା କି ନାହିଁ ।

ଏହା ନ ବିଚାରି ଯେବେ କରିବାକ ରଣ

ଜିଣି ନ ପାରିବା ସବୁ ଯିବ ଅକାରଣ ।

କେବଳ ଅରିଷ୍ଟି ମେଣ୍ଟି ଜିବା ବୃଦ୍ଧି ଯୋଗେ

ସମ୍ଭାଳି ହେଲେ କହିବା ପଛେ ବିଷ୍ଣୁ ଆଗେ ।

ଏମନ୍ତ ବିଚାର କରୁ କରୁ ଦେବେ ସ୍ୱର୍ଗେ

କହୁ କହୁ କଂସ ଆସି ମିଳିଲାକ ଆଗେ ।

କଂସ ଦେଖି ଦେବଲୋକେ ଆସନୁ ଓହ୍ଲାଇ

ବେହରଣ  ଛାଡ଼ି ଉଭା ହେଲେ ତଳେ ଯାଇ ।

ବୃହସ୍ପତି ଆଦିକରି ଚନ୍ଦ୍ର ସୂର୍ଯ୍ୟ ମେଳେ

ଡରେଣ ଉଭା ହୋଇଲେ ଆସ୍ଥାନର ତଳେ ।

ଦେଖିଣ କଂସ ରାଜନ ରଥରୁ ଓହ୍ଲାଇ

ଇନ୍ଦ୍ର ସିଂହାସନ ମାଡ଼ି ବସିଲାକ ଯାଇ ।

ଦେବତାମାନେ ପାଖରେ କେହି ନ ବସିଲେ

କଂସର ତେଜ ଦେଖିଣ ଭୟେ ଓହ୍ଲାଇଲେ ।

ଉପରକୁ ଉଠିବାକୁ ନାହିଁ  କାର କ୍ଷମ

ପ୍ରଚଣ୍ଡ ତେଜେ ଉଗୁଳି ଅଇଲା କି ଯମ ।

ନିର୍ଧୂମ ଅଗ୍ନିକି ଜିଣି ବିରାଜଇ ତେଜ

ଲୋହିତ ପିଙ୍ଗଳ ବର୍ଣ୍ଣ ଦିଶଇ ଦନୁଜ ।

ପିନାକ ସମାନ ଧନୁ ଧରିଅଛି କରେ

ଛାମୁରେ ଦେବତାମାନେ ନ ରହିଲେ ଡରେ ।

ସାତ୍ୟକି ଅକ୍ରୁର ଅନାଧୃତି ଯେ ଉଦ୍ଧବ

ବସୁଦେବ ଶକ୍ରାଜିତ ସକଳ ଯାଦବ ।

ଅରିଷ୍ଟ ଯେ ଜପାସୁର ଯାମଳା ଶକଟ

ଷଣ୍ଢା ଧେନୁକା କୁବଳ ଅର୍ଘା ଆଦି ଆଠ ।

ଷଡ଼ ମନ୍ତ୍ରୀ ଅଷ୍ଟମଲ୍ଲେ କଂସ ଆଜ୍ଞା ପାଇ

ଆସ୍ଥାନ ଉପରେ ଉଠି ବସିଲେକ ଯାଇ ।

ଚଉଦସେନାଙ୍କୁ ଘେନି ବସିଲା ଆସ୍ଥାନେ

ତଳେ ଉଭା ହେଲେ ଇନ୍ଦ୍ର ଆଦି ସୁରଗଣେ ।

ଉପରେ କଂସରାଜନ କରିଅଛି ସଭା

ଛାମୁରେଣ ଦେବଗଣ ହୋଇଛନ୍ତି ଉଭା ।

ଇନ୍ଦ୍ର ବଦନକୁ ଚାହିଁ କହେ କଂସରାଜା

ଏ ସ୍ୱର୍ଗମଣ୍ଡଳେ  ଆମ୍ଭେ ହେଲୁ ସୁରରାଜା ।

ନହୁଷ ପିତାମହର ଅଟଇ ଏ ବୃତ୍ତି

ସମୟେ ଭୋଗକଲୁ ତୁ ଆସି ଆମ୍ଭ ପୃଥ୍ୱୀ ।

ଜୀବନେ ଆଶା ଥିଲେ ତୁ ସ୍ୱର୍ଗ ଛାଡ଼ ବେଗେ

ନୋହିଲେ ପ୍ରାଣ ତୋହର ଘେନିବି ଖଡ଼ଗେ ।

ଆହେ ଦେବେ ତୁମ୍ଭେ ଯେବେ ନ ଛାଡ଼ ଆକାଶ

ଦେବଗୋତ୍ର ମାତ୍ରେ  ସବୁ ଯିବ ପ୍ରାଣେ ନାଶ ।

ଯମ ନୈର୍ଋତ କୁବେର ଗ୍ରହ ତାରାଗଣ

ଏ ସ୍ୱର୍ଗମଣ୍ଡଳେ ତୁମ୍ଭେ  ଅଛ ଯେତେ ଜଣ ।

ଏ ଅମରପୁରୁ ଆଜି ଏହିକ୍ଷଣି ଯିବ

ଏ କଥା ନ କଲେ କେହି ପ୍ରାଣ ନ ପାଇବ ।

ଯେବେ ଛାଡ଼ି ନ ଯିବ ତା ଉପାୟ କହୁଛି

ସମରେ କର ମୋ ସଙ୍ଗେ ନ ବିଚାର କିଛି ।

ସମରେ ଜିଣିଲେ ପଛେ ସ୍ୱର୍ଗଭୋଗ କର

ଜିଣି ନ ପାରିଲେ ରଣଯଜ୍ଞ କରି ମର ।

ଏତେକ ବୋଲି ସୁଧର୍ମା ସଭା ବସେ ମାଡ଼ି

ଅଷ୍ଟମଲ୍ଲଙ୍କୁ ବୋଇଲା କିପାଁ ଯିବ ଛାଡ଼ି ।

ଆଜହୁଁ ଆମ୍ଭେ ଏ ସ୍ୱର୍ଗେ ହେଲୁ ସୁରସାଇଁ

ଅଷ୍ଟଦିଗପାଳ ତୁମ୍ଭେ ଆଠେ ହୁଅ ଯାଇ ।

ଯେଉଁ ଦେବତା ନ ଦେବ ତାର ଅଧିକାର

ଆମ୍ଭ ଆଜ୍ଞା ଘେନି ତାକୁ ସେହିଠାରେ ମାର ।

ଏସନକ ଆଜ୍ଞା ଯହୁ ଦେଲା କଂସରାୟ

ଗୁଣିଣ ଡରେ କମ୍ପିଲା ଦେବତାଙ୍କ କାୟ ।

ଆସ୍ଥାନ ତଳେ ସମସ୍ତ ଛନ୍ତି ଉଭା ହୋଇ

କଂସକଥା ଶୁଣି ଜ୍ଞାନ କାହାର ଯେ ନାହିଁ ।

ଏକୁ ଆରେକ ଭାଳନ୍ତି କାନେ କାନେ ଲାଗି

କେଉଁ ଦେବତା ବୋଲନ୍ତି ହେବା ପ୍ରାଣତ୍ୟାଗୀ ।

ଧର୍ମକୁ ସୁମରି ଦେବଗଣ ଯେ ସକଳ

ସେ ଯାହା ମତେ ହୁଅନ୍ତି ଅତ୍ୟନ୍ତ ବିକଳ ।

ଏ ବେଳେ  ସେ ଇନ୍ଦ୍ର ବୃହସ୍ପତିଙ୍କୁ ରାଇଲେ

ଧୀରେ ଧୀରେ କରିଣ  ସେ କାନରେ କହିଲେ ।

ଏ କଥା ମୋରେ ସନ୍ଦେହ ଲାଗିଲା ତ ଆସି

ନିଶ୍ଚେ ସ୍ୱର୍ଗ ଛାଡ଼ି ଯିବା ସିନା ସ୍ୱର୍ଗବାସୀ ।

ଏଡ଼େ ସଙ୍କଟରୁ ପାରି ହୋଇବା କେମନ୍ତେ

ଏଥିରୁ କି ପ୍ରତିକାର କହ ଗୁରୁ ମୋତେ ।

କଂସର ବଚନେ ମୋର ସରିଲାକ ବୁଦ୍ଧି

ତ୍ରିଦଶ ଦେବଙ୍କ କାର୍ଯ୍ୟ ନୋହିବାକ ସିଦ୍ଧି ।

ବଳେ ଆସି ସ୍ୱର୍ଗ ମାଡ଼ି ବସିଲାଣି କଂସ

ବାରସ୍ୱତୀ ଭୁବନ ମୋ କ୍ଷଣେ ଗଲା ନାଶ ।

ତୁମ୍ଭର ବୁଦ୍ଧିବଳରେ ପାର ଯେବେ ରଖି

ନୋହିଲେ ସକଳ ଦେବେ ହେଲୁ ବଡ଼ଦୁଃଖି ।

ବୃହସ୍ପତି ବୋଇଲେ ତୁ ଶୁଣ ଶଚୀନାହା

ଆଗହୁଁ ତୋହର ଆଗେ କହିଅଛୁ ଯାହା ।

ଏହି ସେହି କାଳନେମି କଂସ ରୂପଧାରୀ

ପୂର୍ବ ବଳ ବୀର୍ଯ୍ୟ ଘେନି ଅଛି ଅବତରି ।

କେମନ୍ତ ପ୍ରକାରେ ଆମ୍ଭେ ଏଥୁ ରକ୍ଷାହୋଇ

ଅନନ୍ତ ଶେଯେ ବିଷ୍ଣୁଙ୍କୁ ପଚାରିବା ଯାଇ ।

ସେ ବିଷ୍ଣୁଦେବ ଆମ୍ଭଙ୍କୁ ଦେବେ ଯେଉଁ ବୁଦ୍ଧି

ନିଶ୍ଚୟ ଆମ୍ଭର କାର୍ଯ୍ୟ ତେଣେ ହେବ ସିଦ୍ଧି ।

ଇନ୍ଦ୍ର ବୋଇଲେ ଗୁରୁ ହେ ପଛେ ଜଣାଇବା

ଏ ଉପଦ୍ରବ କେମନ୍ତ କହି ମେଣ୍ଟାଇବା ।

ଅମର ସମ୍ପଦ ଘେନିଯିବ ନାନାରଙ୍ଗେ

ରହ  ବୋଲିବା ଭାଜନ ନାହିଁ କେହି ସଙ୍ଗେ ।

କାଷ୍ଠ ପାଷାଣ ହେଲାଣି ସବୁଙ୍କର ଦେହୀ

ଅରକ୍ଷ ହେଲୁ କାହାକୁ କହିବୁ ଯେ ଯାଇ ।

ଦିଗପାଳମାନେ କେତେ ଥିବେ ଦୁଃଖ ସହି

ଏ ଦୁଃଖ ଏବେ କାହାକୁ କହିବା ନା ଯାଇ ।

ନିଶ୍ଚୟ ନାଶଗଲା ଏ ଅମର ମଣ୍ଡଳ

ଦେବଙ୍କର ହେଲା ଆସି ମରଣର କାଳ ।

କାହାରି ବଳେ ଏ ସ୍ୱର୍ଗପୁର ନୁହେ ରଖି

ଧର୍ମଦେବତା କେବଳ ଏଥକୁ ଯେ ସାକ୍ଷୀ ।

ଭୋ ଧର୍ମଦେବତା ମୋତେ ପ୍ରତିକାର କର

ଏହା ନ ବୁଝିଲେ ଠାବ ନାହିଁ ଯେ ଆମ୍ଭର ।

ବ୍ରହ୍ମା ବିଷ୍ଣୁ ମହେଶ୍ୱର ଦେବଙ୍କ ଦେବତା

ସଙ୍କଟ ପଡ଼ିଲା ନାଥ ଛାଡ଼ ମନୋବ୍ୟଥା ।

ଆମ୍ଭଙ୍କୁ ଯେ ଜାତକଲ ଭାରାଭର ଅର୍ଥେ

ଆମ୍ଭେ ନାଶଗଲେ ଭାରା ରହିବ କେମନ୍ତେ ।

ଆମ୍ଭେ ଜନ୍ମିଅଛୁ ଦୁଷ୍ଟ ନିବାରିବା ପାଇଁ

ଆମ୍ଭେ ଗଲେ ଏ ସଂସାର ରହିବ ବା କାହିଁ ।

କଂସ କଣ୍ଠେ ସରସ୍ୱତୀ ଦେବୀ ଗୋ ବସିବ

ତେବେ ଦେବଙ୍କର ଶୁଭାଶୁଭ ଯେ ଦିଶିବ ।

ଏତେ ବୋଲି ଦେବେ ସରସ୍ୱତୀଙ୍କୁ ସୁମରି

ପାୟେ ପଡ଼ି ଶୋଇ ସ୍ତୁତି ଅନେକ ଯେ କରି ।

ଜୟ ତୁ ସାରଦା ମାଗୋ ବିଷ୍ଣୁର ବଲ୍ଲଭୀ

ମହାଯଜ୍ଞୁ ଜାତ କଲେ ବ୍ରହ୍ମା ଏହି ଭୁବି ।

ଅଯୋନି ସମ୍ଭୁତା ମାଗୋ ଅଟେ ତୋର ଦେହୀ

ଆଦି ଅନ୍ତ ମଧ୍ୟ ତୋର ନ ଜାଣନ୍ତି କେହି ।

ଧବଳ ଅଙ୍ଗ ସ୍ପଟିକ ଜିଣି ତୋର କାନ୍ତି

ଜଗଜ୍ଜନ ମୋହିଲୁ ଅପାଙ୍ଗେ ଯୋଗ ଚିନ୍ତି ।

ଅଷ୍ଟରତ୍ନେ ନିର୍ମାଣ ତୋ ଶିରେ ସପ୍ତଶିଖା

ହୀରାକୁଣ୍ଡଳ ଶୋଭିତ ଜିଣି ପଦ୍ମରେଖା ।

ମଣି ମାଣିକ୍ୟ ମର୍କତ ଏହି ତିନି ହେମ

ଉପମା ନୋହି ତୁମ୍ଭର ରୂପ ଅନୁପମ ।

କଣ୍ଠେ ତୁମ୍ଭର ଗୋ ନବରତ୍ନ ଦ୍ୱାର ଶୋହି

ପରମ ମାହେଶ୍ୱରୀ ଗୋ ବିଷ୍ଣୁ ମନମୋହି ।

ସପତସ୍ୱର ଧ୍ୱନି ତୋ କରେ  ବ୍ରହ୍ମବୀଣା

କୁତୁହଳେ କିଣିକିଣି ବାଜେ ଜଗଜ୍ଜିଣା ।

ଗାନ୍ଧାର ରାଗରେ ମାଗୋ ସପ୍ତସ୍ୱର ବାଇ

ଯୋଗନିଦ୍ରା ଗଲେ ବିଷ୍ଣୁ ଜାନୁ ଶିରେ ଦେଇ ।

ଅଳିଆଳି ବେଣୀ ତୋର କୁଣ୍ଡଳୀ ଭୁଜଙ୍ଗ

ସର୍ବଦା କୁଶଳ ତୋର ଅଟଇ ସର୍ବାଙ୍ଗ ।

ଦେବାଙ୍ଗ ଝୀନବାସରେ ଶୋଭିତ ତୋକାୟେ

ମୁନିମାନଙ୍କୁ ତୋ ମାୟା ଅଗୋଚର ହୋଏ ।

କାଶୀଦେଶେ ମାଗୋ ଦକ୍ଷପାଳ ନରପତି

ତୁମ୍ଭ ପାଦପଦ୍ମେ କରୁଥିବାରୁ ଭକତି ।

ଜୀବନ୍ତେ ବିପୁଳ ଲକ୍ଷ୍ମୀ ସେ ସୁଖେ ଭୁଞ୍ଜିବ

ଅନ୍ତଃକାଳେ ଯାଇଁ ବିଷ୍ଣୁ ବୈକୁଣ୍ଠେ  ବସିବ ।

ସକଳ ଜନ ଜନ୍ତୁକୁ କଲ ତୁମ୍ଭେ ବର

ଦେବମତେ ତୁମ୍ଭ ବଶ ସକଳ ତ୍ରିଦଶ ।

ତୁମ୍ଭ ଯୋଗୁ ଏ ସକଳ ଲୋକେ ଜ୍ଞାନ ପାଇ

ଜୀବ ପ୍ରସବଇ ମାଗୋ ତୁମ୍ଭ ପାଦ ଧ୍ୟାୟୀ ।

ଦେବମନ୍ତ୍ର ଧର୍ମ ତତ୍ତ୍ୱ ଆଦି ଉଦ୍ଧାରିଲ

କୀଟୁଁ ବ୍ରହ୍ମ ପରିଯନ୍ତେ ତୁମ୍ଭେ ଭିଆଇଲ ।

ସକଳ ଘଟରେ ଥାଅ ତୁମ୍ଭେ ଗୋ ଭାରତି

ଛପନ କୋଟି ଜୀବ ତୁ କଲୁ ଉତପତ୍ତି ।

ତୁମ୍ଭ ବାକ୍ୟ ପ୍ରମାଣରେ ସ୍ଫୁରେ ସର୍ବତତ୍ତ୍ୱ

ତେଣୁ ତୁ ବୋଲାଉ ବାକ୍ୟଦେବୀ ଆଗୋମାତ ।

ତେତେ ସେବାକଲେ ମାଗୋ ସ୍ଫୁରଇ ସୁବୁଦ୍ଧି

ଯଥା ବୁଦ୍ଧି ତଥା ସିନା ବଖାଣନ୍ତି ସିଦ୍ଧି ।

ମମ କଣ୍ଠ ଆଭରଣ ହୁଅ ମହାମାୟେ

ତୁମ୍ଭ ପ୍ରସାଦେ ଫିଟିବ ଏ ସଂସାର ଭୟେ ।

ହରିବଂଶ ଗ୍ରନ୍ଥ ମାଗୋ କହ ଦେବୀ ମୋତେ

ଅନେକ ଭକତି ମାଗୋ କରୁଅଛି ତୋତେ ।

ତୁହି ଯେବେ ସୁପ୍ରସନ୍ନ ହେବୁ ମହାମାୟେ

କହିବି ଏ ହରିବଂଶ ଅତି ପୂଣ୍ୟମୟେ ।

ସାରଦାଙ୍କ ପାଦପଦ୍ମେ ଥାଉ ମୋର ସେବା

ଅଚ୍ୟୁତ ଦାସ ମୁଁ ମୋତେ ଗତିମୁକ୍ତି ଦେବା ।

ଏମନ୍ତେ ସ୍ତୁତି ଅନେକ କଲେ ଦେବବୃନ୍ଦ

ଶୁଣିଣ ସେ ମହାମାୟା ହୋଇଲେ ଆନନ୍ଦ ।

ବିଷ୍ଣୁ ସୀମସ୍ଥାନେ ବୀଣା ବଜାଉଣ ଥିଲେ

ବିଧାତାଙ୍କ ସ୍ତୁତି ଯୋଗବଳେ ସେ ଜାଣିଲେ ।

ଧାତିକାରେ ସୁପ୍ରସନ୍ନ ହେଲେ ଯୋଗମାୟା

ଶୁନ୍ୟେ ଥାଇ ଦେଖାଇଲେ ଆପଣାର କାୟା ।

ଦରହସିତ ବଦନେ କହନ୍ତି ଯେ ବାଣୀ

କଂସର କଣ୍ଠେ ପ୍ରବେଶ ହେବି ଏହିକ୍ଷଣି ।

ଯେମନ୍ତେ ସେ ଦୁଷ୍ଟକଂସ ଛାଡ଼ିବ ଦୁର୍ବୁଦ୍ଧି

ତେସନ ଉପାୟ କଲେ ହେବ କାର୍ଯ୍ୟସିଦ୍ଧି ।

ଏ କେବଳ ତାର ଧାଡ଼ି ବଞ୍ଚାଇବି ଯୋଗେ

ପୁଣି ଉପଦ୍ରବ କଲେ କହ ବିଷ୍ଣୁ ଆଗେ ।

ଏତେବୋଲି ଧାତିକାରେ ଦେବୀ ବିଜେକଲେ

କଂସରାଜା କଣ୍ଠତଟେ ଯାଇଣ ବସିଲେ ।

ତତକ୍ଷଣେ ସେ ଦାନବ ଦାନବ ହୋଇଲା ବିମୋହ

କୋପ ତାର ଶାନ୍ତ ହେଲା ଉପୁଜିଲା ସ୍ନେହ ।

ସୁବୁଦ୍ଧି ଯେ ପ୍ରସାରିଲା ସଦାମାର୍ଗ ବାଣୀ

ଦୟା ବହି ଧୀରେ କଥା କହେ ନୃପମଣି ।

ଦେବେ ଉଭା ହୋଇଥିଲେ ଆସ୍ଥାନରୁ ତଳେ

ଦରହସିତ ବଦନେ କଂସ ମନେ ଭାଳେ ।

କଂସ ଚାହାଣିକୁ ଦିଗପାଳେ ଡରୁଥିଲେ

ମହାଭୟ ପାଇ ପଛଘୁଞ୍ଚା ଦେଉଥିଲେ ।

ଭୟେ କମ୍ପମାନ ଦେବଗଣଙ୍କର ଦେହୀ

କାତର ହୋଇ ସେ କଥା ନ ପାରନ୍ତି କହି ।

ମାର୍ଜ୍ଜାରୀ ଦେଖି ଇନ୍ଦୁର କରେ ଯେହ୍ନେ ଭୀତି

ତେସନ ଜାଣ ଦେବତା କଂସ ନରପତି ।

ଦେବଙ୍କର ଭୟ କଂସ ନୟନେ ଦେଖିଲା

କୋପ ଛାଡ଼ି କଂସ ଚିତ୍ତେ ଦୟା ଯେ ବସିଲା ।

ଆସ୍ଥାନର ଉପରକୁ ଡାକି ବୃହସ୍ପତି

କହିଲା ଏ ଦେବଗଣ ବସନ୍ତୁ ମୋ କତି ।

କଂସର ଆଜ୍ଞାରେ ବୃହସ୍ପତି ଗଲେ ବେଗେ

କୃତାଞ୍ଜଳୀ ହୋଇ ଉଭା କଂସାସୁର ଆଗେ ।

ଦେବଗୁରୁ ବୋଲି କଂସ ନମସ୍କାର କଲା

ଆଶ୍ୱାସନା କରି ଆଣି ପାଶେ ବସାଇଲା ।

କଂସ ବୋଇଲା ଗୁରୁ ହେ କର ମୋର ବୋଲ

ସ୍ୱର୍ଗେ ସୁଖେ ବସିବାକୁ ଖୋଜ ଦିନ ଭଲ ।

ପାଞ୍ଜି ଧରି ଗୁରୁ ଖୋଜି ସପତାଙ୍ଗେ ଏହା

କେଉଁଦିନେ ସ୍ୱର୍ଗେ ଆମ୍ଭେ ହେବା ସୁରନାହା ।

ଆଣିଣ ସେ ବୃହସ୍ପତି ପେଡ଼ି ପାଞ୍ଜି ମୁଠି

ଦେବଘେନି ଦେଲେ ତହିଁ କୋଷ୍ଠି ଗୋଟାକାଟି ।

ତିଥି ବାର ଋଷ ଯୋଗ କରଣ ମିଶାଇ

ସପତାଙ୍ଗ ଗଣି ନବଗ୍ରହଙ୍କୁ ବସାଇ ।

ଖୋଜିଲେକ ବୃହସ୍ପତି ଶୁଭ ଅନୁକୂଳ

ଏଗାର ବରଷ ଯାଏ ନାହିଁ କିଛି ଭଲ ।

ସନ୍ଧି ଘେନି ସମୟେତ ଯାଇ ରହିଥିବ

ଶୁଭଯୋଗବେଳେ ଇନ୍ଦ୍ର ପଦରେ ବସିବ ।

ବେଦଶାସ୍ତ୍ରମତେ ବୁଝ ଏମନ୍ତ ବିଚାର

ମନକୁ ନ ଯୋଗାଇଲେ ଯାହା ଇଚ୍ଛା କର ।

ଶୁଭବେଳେ କାର୍ଯ୍ୟ କଲେ ହୁଅଇଟି ଭଲ

ଏଗାର ବରଷ ଯାଏ ନାହିଁ ଅନୁକୁଳ ।

ବେଦଶାସ୍ତ୍ର ପ୍ରମାଣେ ଯା କହିଲୁ ସେ ଭଲ

ସ୍ୱର୍ଗ ମଞ୍ଚ ପାତାଳେ ନ ହେବ ଅମଙ୍ଗଳ ।

ଶୁଭଯୋଗେ ଯେବେ ତୁମ୍ଭେ ହେବ ସୁରପତି

ନିଶ୍ଚିନ୍ତେ ଭୋଗ କରିବ ପୁର ବାରସ୍ୱତୀ ।

ଏତେ କହି ଦେବଗୁରୁ ହୋଇଲେ ମଉନ

ଆପଣାର ହୃଦମଧ୍ୟେ ବିଚାରେ ଭାଜନ ।

ଯୁକତେ ତ ସରସ୍ୱତୀ କଣ୍ଠେ ଛନ୍ତି ରହି

ଆବର ବିଶେଷେ ଗୁରୁ କହିଲେ ମନାଇ ।

ଆପଣା ମନେ ବିଚାରି ହେଲା ସେ ସନ୍ତୋଷ

ମନ୍ଦବେଳେ ବସିଲେ ଯେ ହେବ ସର୍ବ ଧ୍ୱଂସ ।

ଏକାଦଶ ବରଷ ତ କହୁଁ କହୁଁ ଯିବ

ସେ କାଳଯାଏ ଏ ଇନ୍ଦ୍ର ଆମ୍ଭର ହୋଇବ ।

ବରଷେ ବରଷେ ମୋତେ ସନ୍ଧି ଦେଉଥିବ

ମଥୁରା କଟକେ ଦେଖା ଦରଶନୀ ଦେବ ।

ବିଯୋଗେ ନହୁଷ ରାଜା ହେଲା ସୁରପତି

କିଞ୍ଚିତରେ ନାଶଗଲା ଏଡ଼େକ ସମ୍ପତ୍ତି ।

ଋଷିଙ୍କୁ ଭାର ବୁହାଇ ହେଲା ସର୍ପଦେହୀ

ଜାଣି ହୁଡ଼ିଲା ତାହାକୁ ରଖନ୍ତା କେ ନାହିଁ ।

ଅଷ୍ଟମଲ୍ଲଙ୍କୁ ବୋଇଲା ତୁମ୍ଭେ କିସ ମଣ

ସେମାନେ ବୋଇଲେ କଥା ଅଟଇ ପ୍ରମାଣ ।

ଧାର୍ମିକ ବିବେକୀ ତୁମ୍ଭେ ଅଟ ଗୁଣନିଧି

ତୁମ୍ଭେ ଯାହା ଆଜ୍ଞା ଦେଲ ଆମ୍ଭର ସେ ସିଦ୍ଧି ।

ଯୁକତେ ଆମ୍ଭର ଇନ୍ଦ୍ରପଦ ହେଲା କିନା

ସନ୍ଧିଦେବ ଆସ୍ଥାନରେ ଇନ୍ଦ୍ରବସେ ସିନା ।

ସମସ୍ତେ  ପଛେ ଆସିବା ପୁଣି ଦଣ୍ଡ ଭିଡ଼ି

ଏକାବେଳେ ଇନ୍ଦ୍ର ପଦ ବସିବାନା ମାଡ଼ି ।

ଏତେକ ବଚନେ କଂସ ହୋଇଲା ସନ୍ତୋଷ

ବିଚାରି ବୋଲେ ବାହୁଡ଼ି ଯିବା ଏଥେ ଆସ ।

ଦେବଙ୍କୁ ବୋଲେ ଛାମୁକୁ ମୋର ଯାଉଥିବା

ଉପହାର ଦେଇ ମୋର ସଭାରେ ବସିବା ।

ଏମନ୍ତ ବଚନ ଯହୁଁ ବୋଲେ କଂସାସୁର

ସବୁ ଦେବତାଙ୍କ ମନ ହୋଇଲା ସୁସ୍ଥିର ।

ସରସ୍ୱତୀଙ୍କୁ ପ୍ରଶଂସା କଲେ ସୁରରାୟେ

ତୋର ପ୍ରସାଦେ ଖଣ୍ଡିଲୁ ସିନା ଅପଚୟେ ।

ଧାତିକାରେ ସୁରପତି ଭଣ୍ଡାରେ ପଶିଲେ

ଅନେକ ଯେ ଧନରତ୍ନ ଆଣି ସମର୍ପିଲେ ।

ନବଶାଖା ମୁକୁଟ ଯେ ଗୁଣଭୂଷା ମଣି

ଶ୍ରୀକରେ କଂସକୁ ଇନ୍ଦ୍ର ଦେବ ଦେଲେ ଆଣି ।

ଶୂରାସେନ ନାମେ ହୟ ସୁନାସ ଯେ ଗଜ

କଂସର ଛାମୁରେ ଆଣିଦେଲେ ସୁରରାଜ ।

ନାନାଦି ନାମା ନିଧିରୁ ଆଠଲକ୍ଷ ଆଣି

କଂସର କରେ ସମର୍ପି ଦେଲେ ବଜ୍ରପାଣି ।

ବାତଗତି ଯାନ କଳ୍ପତରୁ ସିଂହାସନ

ପାଞ୍ଚଲକ୍ଷ ଆଣିଦେଲେ ଅମ୍ଳାନ ବସନ ।

ମୋତିଝରା ଲାଗିଥିବା ଅଷ୍ଟରତ୍ନ ବେଦୀ

କଂସର ଛାମୁରେ ଆଣିଦେଲା ଜମ୍ଭଭେଦୀ ।

କୁବେର ବରୁଣ ଚନ୍ଦ୍ର ସୂର୍ଯ୍ୟ ବୃହସ୍ପତି

ନଇର୍ଋତ ମରୁତ ଯେ ଯମ ବେଦପତି ।

ଯକ୍ଷ ଗନ୍ଧର୍ବର ମୂଳେ ଦେବଗଣ ଯେତେ

ଜଣେ ଜଣେ ଆସି ସନ୍ଧି ଦେଲେ ଯେଝାମତେ ।

ସ୍ୱର୍ଗମଣ୍ଡଳେ କଂସକୁ ଦେବେ କଲେ ପୂଜା

ବୃହସ୍ପତିର ବଚନେ ତୋଷ କଂସରାଜା ।

ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟ

ଶୁଣନ୍ତେ ଲଭଇ ପ୍ରାଣୀ ସବୁଠାରେ ଜୟ ।

ଦୀନହୀନ ଅଚ୍ୟୁତ ମୁଁ ଶ୍ରୀହରିଙ୍କ ଦାସ

ସାଧୁଜନ ହିତେ କଲି ଏ ଗ୍ରନ୍ଥ ପ୍ରକାଶ ।

 

କଂସର ସପ୍ତସାଗର ଭ୍ରମଣ

ଏଥୁଅନ୍ତେ ଶୁକମୁନି ପରୀକ୍ଷିତେ ଚାହିଁ

ବୋଇଲେ କହିବା ନୃପ ଶୁଣ ମନଦେଇ ।

ଅଷ୍ଟମଲ୍ଲଙ୍କୁ ଚାହିଁଣ ବୋଲେ କଂସରାୟ

ଦେବ ଦାନବ ମାନବ ସବୁ କଲି ଜୟ ।

ଏଥୁ ବାହୁଡ଼ିଣ ଚାଲ ମଞ୍ଚପୁର ଯିବା

ନବ ଦିବସେ ସପତ ସାଗର ଭ୍ରମିବା ।

ଅମରପୁରୁ ସେ ଗଲେ ସମଦଣ୍ଡ ନେଇ

ଗଙ୍ଗାନଦୀ ତୀରେ ତୀରେ ସୈନ୍ୟ ଚଳିଯାଇ ।

ପ୍ରବେଶ ହୋଇଲା କଂସ ହରଙ୍କ ଉଦ୍ୟାନେ

ଅନେକ ରାୟେ ମିଳିଲେ ଆସିଣ ସେ ସ୍ଥାନେ ।

ହରଷେ ଚଳିଲା କଂସ  ତିନିଦିନ ରହି

କୋଳାହଳ ବନେ ସୈନ୍ୟ ମିଳିଲେକ ଯାଇ ।

ଡଗରା ଆଗରେ ପଥ କଢ଼ାଇଣ ନେଲା

ମଞ୍ଚରାଜା ସଙ୍ଗେ କଂସ ବାଟ ଚାଲିଗଲା ।

ବେନିବଳ ମିଶିବାରୁ ହୋଇଲା ଗହଳ

ପଞ୍ଚାଣୋଇ ଯୂଣ ମାଡ଼ି ଚଳୁଛନ୍ତି ବଳ ।

 

ଅସଂଖ୍ୟ ବଳ ତାହାର ଅଗୋଚର ଥାଟ

କଂସର ପାଦ ପଡ଼ନ୍ତେ କମ୍ପେ ପୃଥ୍ୱୀପୃଷ୍ଠ ।

ଯେବଣ ଠାବରେ କଂସ ଉଭାହୁଏ ଯାଇ

ଡରେଣ ପୃଥିବୀ ଦେବୀ ତଳକୁ ଲସଇ ।

ତାର ମହାଭାରା ସହି ନ ପାରଇ ମହୀ

ସହି ନ ପାରି ଆଖିରୁ ଲୁହ ପଡ଼େ ବହି ।

ସହି ନ ପାରି ପୃଥିବୀ କଂସ ପାଦଭାର

ନିରତେ ନୀରଲୋଚନ କମ୍ପେ କଳେବର ।

ବିକଳେ ଯାଇ ଗୁହାରି କରେ ବିଧାତାଙ୍କୁ

ଭୋ ଦେବ ବାରେକ ରକ୍ଷା କରିବା ଆମ୍ଭଙ୍କୁ ।

ତୁମ୍ଭେ  ବିଧାତା ସଂସାରଗୋଟା ଭିଆଇଲ

ଏତେ ଗଞ୍ଜଣା କିପାଇଁ କହ ମୋତେ ଦେଲ ।

କଂସର ଭାରାଭର ମୁଁ ନ ପାରଇ ସହି

ଛାଡ଼ିବି ମୁଁ ରସାଗତ ହେଉପଛେ ମହୀ ।

ନୋହିଲେ ଏହାର ପ୍ରତିକାର କର ବିହି

ନିଶ୍ଚେ ଛାଡ଼ିବି ମୁଁ ଆଉ ନ ପାରିବି ବହି ।

ବୀରବର ବାନାଗୋଟା ବହେ କଂସରାୟେ

ଦୂରହୁଁ ଦେଖିଲେ ତାକୁ କମ୍ପଇ ମୋ କାୟେ ।

ଶୁକଦେବ କହିଲେ ହୋ ଶୁଣ ମହାରଥା

କହିବାକୁ ଅଗୋଚର କଂସାସୁର କଥା ।

ପୃଥିବୀ ଭିତରେ ଥିଲେ ଯେତେ ରାଜାମାନେ

ତୋଷିଲେ ଆସି ଯେ ଯାହା ଦରଶନୀ ଧନେ ।

ଦେବଲୋକ ନାଗଲୋକ ନରଲୋକ ଯେତେ

ଭୃତ୍ୟଜନ ପ୍ରାୟ ଆସି ଖଟନ୍ତି ସମସ୍ତେ ।

କଂସନୈନ୍ୟ କହନ୍ତେ ନୋହିବେ ଯେ ଶେଷ

ଅଗୋଚର ଥାଟ ବଳ ଅଶ୍ରୁତି ଅଦୃଶ୍ୟ ।

ପୂର୍ବେ ତାରକା ରାବଣ ଆଦି ବୀର ଥିଲେ

ଅନେକ ସମ୍ଭାର ଘେନି ଦିଗବିଜେ କଲେ ।

ଜିଣି ଅନେକ ରାଜାଙ୍କୁ ଭାଙ୍ଗି ସମରାଷ୍ଟ୍ର

ତହୁଁ ଦଶଗୁଣେ ଏହି କଂସରାଜା ଥାଟ ।

ତଳେ ଉପରେ ନୋହି ନ ଥିବେ ରବିତଳେ

ତ୍ରଇଲୋକ୍ୟ ଜିଣିଲା ସେ ନିଜ ଭୁଜବଳେ ।

ଅନେକ ସମ୍ଭାରେ ଦିଗବିଜେ ସେ କରଇ

ବୀରତୂର ଶବଦରେ ବ୍ରହ୍ମାଣ୍ଡ କମ୍ପଇ ।

ପଶ୍ଚିମ ମୁଖେ ଯେ ରୁଦ୍ରବେଣୀ କୂଳେ ଯାଇ

କପିଳାସ କନ୍ଦରେ ସେ ପ୍ରବେଶ ହୁଅଇ ।

ଧବଳ ବର୍ଣ୍ଣ ପର୍ବତ ଦିଶେ ଜ୍ୟୋତିର୍ମୟୀ

କୋଟିଏ ଚନ୍ଦ୍ରମା କି ସେ ହୋଇଛି ଉଦୟେ ।

ଚଉଦ ଯୋଜନ ଉଚ୍ଚ ସୁସଞ୍ଚ ସେ ଅତି

ଷୋଳସହସ୍ର ଯୋଜନ ଅଟେ ଦୀର୍ଘ ପ୍ରତି ।

ଦୁଇସହସ୍ର ପର୍ବତ ବେଢ଼ି ଚଉକତି

ମଳୟ ପବନ ତହିଁ ବହଇ ଯେ ନିତି ।

ପର୍ବତ ତଳେ ଅଛଇ ହରଙ୍କ ଉଦ୍ୟାନ

ଅମର ମଉଷଧିରେ ସେହି ବିତପନ ।

କହନ୍ତେ ଯେ ନ ସରଇ ପର୍ବତ ମହିମା

ନିରତେ ଶଙ୍କର ଘେନି ବିହରନ୍ତି ଉମା ।

ଯେତେବେଳେ ମନୋବାଞ୍ଛା ଯେ କରିବ ଯାହା

ତକ୍ଷଣେ ତାକୁ ପ୍ରାପତ ହୁଅଇଟି ତାହା ।

ପର୍ବତର ଶୋଭାଗୋଟି ଅତି ବିତପନ

ସମସ୍ତ ବୃକ୍ଷ ତହିଁରେ ଥିବାରୁ ଶୋଭନ ।

ତେଣୁ ସେ ପର୍ବତଶୋଭା ଅଟେ ଅନୁପମ

ମହାପ୍ରଳୟ ନ ଲାଗେ କପିଳାସ ନାମ ।

କୋଟିଏ ସ୍ୱର୍ଗରୁ ଶ୍ରେଷ୍ଠ କପିଳାସ ଭୂମି

ବିଜେ କରିଛନ୍ତି ଯହିଁ ସଦାନନ୍ଦ ସ୍ୱମୀ ।

ଅଛନ୍ତି ଚଉଦ କୋଟି ଶିବ ଚଉପାଶେ

କ୍ରୀଡ଼ା କରନ୍ତି ସେ ଯୋଗପଥେ ନାନା ରସେ ।

ସୃଜନା କରନ୍ତି ବିଶ୍ୱକର୍ମା ତହିଁ ବସି

ତହିଁ ବିଜେ କରିଛନ୍ତି ଦେବ କାଶୀବାସୀ ।

ସେ ପୁର ମହିମା କେତେ କହିବ କେ କିସ

ଜନମ ମରଣ ବାଧା ନ ଲାଗଇ ଲେଶ ।

କୈଳାସ କନ୍ଦରେ କଂସ ଯାଉଥିଲା ପଶି

ଦେଖି ରୁଦ୍ରଗଣ ଆଗେ ଉଗାଳିଲେ ଆସି ।

ଧାଇଁଲେ ବହୁତ ବଳ ଦେଖି ଯୋଗବଳ

ହସ୍ତେ ଭୈରବ କଟାର ଡମ୍ବରୁ ତ୍ରିଶୂଳ ।

ଧାମନ୍ତି ସେ ସିଂହନାଦ କରି ରୋଷଭରେ

ଯାଇ ପ୍ରବେଶ ହୋଇଲେ କଂସର ଛାମୁରେ ।

ବିଭୂତି ଭୂଷଣ ଅଙ୍ଗେ ଶିରେ ଦିବ୍ୟ ଜଟା

ଖେଚର ଭୂଚର ମିଳି ନାଚନ୍ତି ଖେମଟା ।

ସଇନ୍ୟ ଗହଳ ଦେଖି ଆସନ୍ତି ସେ ଧାଇଁ

କଂସ ଅସୁରକୁ ବାଟେ ଓଗାଳିଲେ ଯାଇଁ ।

ଦେଖି କଂସରାୟେ ତାଙ୍କୁ ପଚାରିଲା ବେଗେ

ତପସ୍ୱୀ ଲୁଚାଏ ଆଦି ଓଗାଳନ୍ତି ଆଗେ ।

ଦାନ ଘେନିବାକୁ ଅବା ଅଛନ୍ତି ସେ ଆସି

ଯାଇଣ ପଚାର କିସ କହନ୍ତି ତପସ୍ୱୀ ।

କେଶୀ ବୋଇଲା ଭୋ ଦେବ ଶୁଣ ଉଗ୍ରସେନ

ଦାନୁଆ ବ୍ରହ୍ମାଣ ଜାଣ ନୁହନ୍ତି ଏ ପୁଣ ।

ଈଶ୍ୱରଙ୍କ ଗଣପୁତ୍ରେ କପିଳାସେ ଥାନ୍ତି

କୋଟି ଇନ୍ଦ୍ର ଗଲେ ତିଳ ପରାୟେ ମଣନ୍ତି ।

ପ୍ରଳୟ କାଳରେ ନାହିଁ ଏମାନଙ୍କୁ ମୃତ୍ୟୁ

ଅମର ମହାତ୍ମା ଏ ଯେ ଜାଣି ଦେବତତ୍ତୁ ।

ଜନମ ମରଣ ବାଧା  ଏହୁ ନ ଜାଣନ୍ତି

ପୂର୍ଣ୍ଣବ୍ରହ୍ମରୂପୀ ଏ ଯେ ସଦା ଜୀଇଛନ୍ତି ।

ତୁମ୍ଭ ଦାନକୁ ଯେ ନାହିଁ ଏହାଙ୍କର ଆଶ

ଏହାଙ୍କ ଦିବସେ ସ୍ୱର୍ଗେ ଇନ୍ଦ୍ର ଯାଇ ନାଶ ।

ଏହି ସିନା ରୁଦ୍ରଗଣ ଜାଣ ଦଣ୍ଡଧାରୀ

ଏମାନେ ଯୁଦ୍ଧ କରନ୍ତି ଇନ୍ଦ୍ର ଯମ ପରି ।

ତପେ ଗରିଷ୍ଠ ଏମାନେ ବଳିଷ୍ଠ ସ୍ୱଭାବେ

ଏହାଙ୍କ ସଙ୍ଗତେ ଦ୍ୱନ୍ଦ କରିବା କି ଆମ୍ଭେ ।

ଏଥେ ଅମରଷ କଲେ ଅଯଶ ପାଇବା

ତପୀଙ୍କି ଯେ ଦ୍ରୋହ କଲେ ସମସ୍ତେ ମରିବା ।

ବଡ଼ପଣରେ ନିନ୍ଦନ୍ତି ଯେ ଏହାଙ୍କୁ ଯେ ଅବା

ତାଙ୍କ ମରଣେ ସଂଶୟ କାହିଁକି ଦେଖିବା ।

କେଶୀ କହିଲାକ ଯହୁଁ ଏସନକ ବାଣୀ

ପର୍ବତକୁ ନମସ୍କାର କଂସ କଲା ଶୁଣି ।

କେଶୀ ବୋଇଲା ହେ ଆଣ ବାହୁଡ଼ାଇ ଥାଟ

ଯୋଗୀ ସନ୍ନ୍ୟାସୀ ସଙ୍ଗେ ନ କରିବ ମୁରାଟ ।

ଈଶ୍ୱର ଦେବତା ସଙ୍ଗେ କିପାଁ ଆମ୍ଭ କଳି

ଯାହାର ବଚନେ ଚରାଚର ଯାଇ ଜଳି ।

ଜଳନ୍ତା ଅନଳେ ପଶି ଝାସ କିସ ଦେବ

ସେ ତା ଅନୁଗ୍ରହ କଲେ ଅଜ୍ରାମର ହେବ ।

ତାହାଙ୍କ ସଙ୍ଗେ କିପାଁଇ ଆମ୍ଭ କଳିଦ୍ୱନ୍ଦ

ବାହୁଡ଼ି ନ ଗଲେ ଲୋକେ ବୋଲିବେ ତ ମନ୍ଦ ।

ଆମ୍ଭର ସେ ପିତା ଗୁରୁ ଆମ୍ଭେ ତାଙ୍କ ଶିଷ୍ୟ

ଆମ୍ଭ ବଳେ ତାଙ୍କୁ କରି ପାରିବାଟି କିସ ।

ଦେଖୁଁ ଦେଖୁଁ କେ ଦୁସ୍ତର ସମୁଦ୍ର ଲଘିଂବ

ନିର୍ଧୂମ ଅଗ୍ନିରେ ପଶି କେହୁ ଝାସଦେବ ।

ଏଡ଼େ  ବଡ଼ପଣ କାର୍ଯ୍ୟ ଆମ୍ଭର ତ ନାହିଁ

ବେଢ଼ା ବୁଲି ଯିବା ସୈନ୍ୟ ଆଣ ବାହୁଡ଼ାଇ ।

କଂସକୁ ଘେନିଣ କେଶୀ ବେଗହୋଇ ଗଲା

ସୈନ୍ୟଙ୍କୁ ଲେଉଟାଇ ସେ ବାଟ ଭାଙ୍ଗି ଦେଲା ।

କପିଳାସ ଛାଡ଼ି କାଳରାତ୍ରି ତଳେ ଗଲେ

ତହିଁ ବିସର୍ଜନ ନଦୀ କୂଳରେ ମିଳିଲେ ।

ତହିଁ ଚିତ୍ରାଣୀ ନାମରେ ବହେ ନଦୀଗୋଟି

ନୈର୍ଋତ କୋଣ ଦକ୍ଷିଣ ସମୁଦ୍ରେ ସେ ଫୁଟି ।

ସେ ନଦୀର କୂଳରେ ଯେ କେହି ନ ରହିଲେ

ନୈର୍ଋତ ଛାଡ଼ି ଦକ୍ଷିଣମୁଖ ହୋଇଗଲେ ।

ମେରୁର ଦକ୍ଷିଣଭାଗେ ସଇନି ଚଳଇ

ଦିଗବିଜେ କରି ଚଳେ କଂସ ଭୋଜସାଇଁ ।

ପାତଳେ ବାସୁକି ନାଗ କମ୍ପେ ପାଦଭରେ

ରାଜାଏ ଆସି ଶରଣ ପଶୁଛନ୍ତି ଡରେ ।

କେ ଗଜ ତୁରଙ୍ଗ କେହୁ ଦିଅନ୍ତି ଯୁବତୀ

କେଉଁ ରାଜା ଦଣ୍ଡ ସିଂହାସନ ଆଣି ଦ୍ୟନ୍ତି ।

ଅନେକ ସମ୍ଭାରେ ଚଳେ ଉଗ୍ରସେନ ବତ୍ସ

ସ୍ୱର୍ଗ ମଞ୍ଚ ପାତାଳେ କେ ନାହିଁ ସମକଚ୍ଛ ।

ହରଷେ ବଳ ତାହାର ଯାନ୍ତି ଅତି ବେଗେ

ତୁରିତେ ମିଳିଲେ ଯାଇ ବିନ୍ଧ୍ୟ ଗିରି ଲାଗେ ।

କଂସ ବୋଇଲା ହୋ  କେଶୀ କାହାର ଏ ସୀମା

କେଶୀ ବୋଇଲା ଅଛନ୍ତି ଏଥେ ଦେବୀ ଉମା।

ସତ୍ୟେ ଚଣ୍ଡମୁଣ୍ଡ ରକ୍ତବୀର୍ଯ୍ୟ ନାଶ କଲେ

ମହିଷାସୁରର ଦର୍ପ ଏ ଦେବୀ ମର୍ଦ୍ଦିଲେ ।

ଶୁମ୍ଭ ନିଶୁମ୍ଭ ଆଦି ଏ ଚାମର ବେମାଳ

ଏ ଆଦି ବହୁତ ଥିଲେ ନିଶାଚରବଳ ।

ପୃଥ୍ୱୀ ଭାରାଭର ଅବହେଳେ ଏ ସଂହରି

ରହିଲେ ଏ ବିନ୍ଧ୍ୟଗିରିଶିଖେ ମାହେଶ୍ୱରୀ ।

ଅନାଦି ଅପର୍ଣ୍ଣା ଏ ଯେ ଜଗତର ମାତା

ଏହାଙ୍କର ଏ ସଂସାର ହୋଇଲା ରକ୍ଷିତା ।

ଭାବେଣ ସଦାଶିବଙ୍କୁ ବରି ଦକ୍ଷବୀର

ତେଣୁକରି ବୋଲାଇଲେ ଭବାନିଶଙ୍କର ।

ଏ ମେରୁମେଖଳା ଅଟେ ଏହାଙ୍କ ଆଶ୍ରମ

ମହିଷାକୁ ମାରି କଲେ ଏଠାରେ ବିଶ୍ରାମ ।

ବିନ୍ଧ୍ୟା ନାମରେ ଦଇତ୍ୟ ପୂର୍ବେ ଏଥି ଥିଲା

ଦୁର୍ଗାଙ୍କ ସଙ୍ଗେ ସମର କରି ସେହି ମଲା ।

ବିନ୍ଧ୍ୟ ଦୈତ୍ୟଙ୍କୁ ମାଇଲେ ସେହି ଦେବୀ ଯହୁଁ

ବିନ୍ଧ୍ୟଗିରି ନିବାସିନୀ ବୋଲାଇଲେ ତହୁଁ ।

ଏ ଯେ ଅନାଦି ଶକତି କଲେ ସବୁ ଜାତ

ସର୍ବ ଦେବତାଙ୍କର ଏ ଅଟନ୍ତି ଯେ ମାତ ।

ଈଶ୍ୱରଙ୍କୁ ଭାବେ ଯହୁଁ କଲେ ସେହି ଭର୍ତ୍ତା

ତେଣୁ ସେହି ମହାଦେବ ଜଗତ କରତା ।

ଏହାଙ୍କୁ ଈଶ୍ୱର ଭାବେ ବରିଥିଲେ ବର

ତେଣୁ ସେ ତାହାଙ୍କ ନାମ ଭବାନୀଶଙ୍କର ।

ମରୁମେଖଳ ଅଟଇ ଏହାଙ୍କର ସୀମା

ଦୈତ୍ୟଙ୍କୁ ମାରି ଏଠାରେ ରହିଲେ ସେ ଉମା ।

ଏହିଠାରୁ ଆମ୍ଭେ ଆଉ ତେଣିକି ନ ଯିବା

ଏଠାରୁ ତେଣିକି ଗଲେ ସମସ୍ତେ ମରିବା ।

ମତ୍ତଗର୍ବେ ଦେବୀଙ୍କି ଯେ କରିବ କଟାଳ

ସବୁଙ୍କରି ଏହିଠାରେ ପୂରିଯିବ କାଳ ।

କଂସ ବୋଲେ କେଶୀ ଯେବେ ଏକଥା ପ୍ରମାଣ

ଆପଣେ ଯାଇ ମୋ ସୈନ୍ୟ ବାହୁଡ଼ାଇ ଆଣ ।

ଦେବୀଙ୍କ ସଙ୍ଗେ ଆମ୍ଭର କିସ ଅବା ଦ୍ୱନ୍ଦ

ଏଡ଼େ ବଡ଼ ଯଶ ନାଶି ବୋଲାଇବି ମନ୍ଦ ।

ଏତେ ବୋଲି କଂସ ରାଜା ସୈନ୍ୟ ବାହୁଡ଼ାଇ

ସେ ପର୍ବତ ଛାଡ଼ି ଗଲା ଗହଣ ଲଗାଇ ।

ମନ୍ଦର ପର୍ବତ ତଳେ ମିଳିଲେ ଯାଇଣ

ବିହରନ୍ତି କୁତୂହଳେ ତହିଁ ସେନାଗଣ ।

ସେ ପର୍ବତ  ତରୁଙ୍କର ତଳେ ଲୋଟି ଡାଳ

ଧାଡ଼ି ଧାଡ଼ି ରେଖ ରେଖ ଦିଶଇ ଗହଳ ।

ଅପ୍ରମିତ ବୃକ୍ଷଶୋଭା ଅତି ମନୋହର

ନ ପଡ଼ଇ  ସୂର୍ଯ୍ୟତେଜ ଦିବସେ ଅନ୍ଧାର ।

ଜମ୍ବିଳ କଦଳୀ ଆମ୍ବ ଗୁଆ ନଟିକାଳ

ବୀଜପୁର କରମଙ୍ଗା ଲେମ୍ବୁ ବୃନ୍ଦାହୋଳ ।

କଞ୍ଚନ ଭାଲିଆ କେନ୍ଦୁ ତାଳ ଦେବତାରୁ

ପୁନ୍ନାଗ ପାଟେଳୀ ଅଁଳା ଶାଳ ନାମେ ତରୁ ।

ଚନ୍ଦନ ତମାଳ ନୀପ ଲବଙ୍ଗ ଅଗର

ଅଶୋକ ଚମ୍ପକ ମଲ୍ଲୀ ମାଳତୀ ଆବର ।

ଜାଈ ଯୂଈ ଛୁରୀଅନା କେତକୀ ତରାଟ

ହରିଡ଼ା ବାହାଡ଼ା ନିମ୍ବ ପାଳଧୂଆ ବଟ ।

ପରସ ଧାତୁକୀ ଆଦି ଯେତେ ବୃକ୍ଷ ତହିଁ

ଗୋଟି ଗୋଟି କରି ତାହା କେ ପାରିବ କହି ।

ଫଳପୁଷ୍ପେ ମନୋହର ଦିଶି  ସେ ବନ

ଧୀରଧୀର ହୋଇ ବହେ ଦକ୍ଷିଣ ପବନ ।

ପ୍ରିୟମତୀ ଭାନୁମତୀ ନାମେ ବେନି ନଦୀ

ମେରୁ ମେଖଳାରୁ ବହି ଆସୁଛନ୍ତି ଭେଦି ।

ଅମୃତ ସମାନେ ସ୍ୱାଦୁ ଅଟଇ ସେ ଜଳ

ମୁନିମନଠାରୁ ସ୍ୱଚ୍ଛ ଅତ୍ୟନ୍ତ ଶୀତଳ ।

ରହିଲେ  ସେ ନଦୀକୂଳେ କଂସାସୁର ଥାଟ

ମର୍ତ୍ତରୁ ସ୍ୱର୍ଗକୁ  ତହିଁ ଫିଟିଅଛି  ବାଟ ।

ଥାଟ ଘେନି କଂସାସୁର ଫେରିବାର ଶୁଣି

ଭୟ ପାଇ ରାଜାମାନେ ଭେଟି ଦେଲେ ଆଣି ।

ଅସଂଖ୍ୟ ସମ୍ପଦ କଂସ ଅରଜିଲା ବଳେ

ନାହିଁ କେ ନୋହିବ ଆଉ ଏ ମହୀମଣ୍ଡଳେ ।

ରଥ ଗଜ ସହିତରେ ଚତୁରଙ୍ଗ ଘେନି

ମେରୁ ପ୍ରଦକ୍ଷିଣ କରି ଚଳେ ଉଗ୍ରସେନି ।

ଉତ୍ତର ଦକ୍ଷିଣ ପୃର୍ବ ପଶ୍ଚିମ ଏ ରୀତି

ମେରୁ ଚାରି  ପାରୁଶରେ ଚାରିଦିଗ ପୃଥ୍ୱୀ ।

ଅଗ୍ନିକୋଣ ନଇର୍ଋତ ବାୟବ୍ୟ ଈଶାନ

ଏହିପରି ସୁମେରୁର ଅଛି ଯେତେ ସ୍ଥାନ ।

ମେରୁ ଚାରି ପାରୁଶରେ ଚାରିକୋଶ ଭାଗେ

ସ୍ଫଟିକ ପର୍ବତ ଲକ୍ଷେ  ରହିଅଛି ଆଗେ ।

କୈଳାସ ପର୍ବତ ଅଛି ସୁମେରୁ ଦକ୍ଷିଣେ

ବିନ୍ଧ୍ୟ ହିମବନ୍ତ ଦୁହେଁ ଛନ୍ତି ବାୟକୋଣେ ।

ଚାରିଭାଗ ହୋଇ ଚାରି ଦିଗକୁ ଆବୋରି

ଅଷ୍ଟଦିଗେ ଅଷ୍ଟ ଗିରି ରହିଛନ୍ତି ଘେରି ।

ଶୁକମୁନି ବୋଲନ୍ତି ଯେ ଶୁଣ ମହାରଥା

କହନ୍ତେ ନ ସରେ ମେରୁ ପର୍ବତର କଥା ।

ଠିକ ଠିକ କରି ତୋତେ କହିଲୁ କିଞ୍ଚିତେ

ପଞ୍ଚ ମନ ଥୟ କରି ରଖିଥାଅ ଚିତ୍ତେ ।

ଏଥୁଅନନ୍ତରେ ପୁଣି କଂସର ସଇନୀ

ତର୍ଜ୍ଜନ୍ତି ଗର୍ଜ୍ଜନ୍ତି କରେ ନାନା ଅସ୍ତ୍ର ଘେନି ।

ମକରନ୍ଦ ନାମ ବନେ ରଜନୀ ବଞ୍ଚିଲେ

ପୂର୍ବମୁଖ ହୋଇ ତହୁଁ ପ୍ରଭାତେ ଚଳିଲେ ।

ଟମକ ନିଶାଣ ଭେରି ବୀରତୂର ବାଜେ

ସେନା ସେନାପତି ଘେନି କଂସ କଲା ବିଜେ ।

ବନ ଗିରି ପଥ ମାଡ଼ି ଚଳେ ସମଦଣ୍ଡ

ପଦାଘାତେ ରେଣୁ ଉଡ଼ି ନ ଦିଶେ ମାର୍ତ୍ତଣ୍ଡ ।

କରେ ଶସ୍ତ୍ରମାନ ଧରି ଝମକାନ୍ତି ବେଗେ

ଏକକୁ ଆରେକ ପଛ କରି ଯାଏ ଆଗେ ।

ହାତୀ ରଥୀ ପଦାତିକ ଅଶ୍ୱର ଚହଳ

ଦିନୁଦିନ କଂସ ସୈନ୍ୟ ହୋଇଲା ପ୍ରବଳ ।

ଯେବଣ ଠାବରେ କଂସାସୁର ମିଳେ ଯାଇ

ସେ ଦେଶର ସୈନ୍ୟ ତାର ପଛରେ ଗୋଡ଼ାଇ ।

ସିଂହନାଦ କରି ସର୍ବେ ବୀରତୂର ବାଇ ।

ସମଦଣ୍ଡ ବାହି ସୈନ୍ୟ ନିଅନ୍ତି ଚଳାଇ ।

 

କଂସ ସଙ୍ଗେ ନିବାତ କବଚର ଯୁଦ୍ଧ ଓ ପରାଜୟ

ଏସନ ସମୟେ ବଜ୍ରକବଚର ବାଳ

ନିବାତକବଚ ବୋଲି ତେଜେ ଅନର୍ଗଳ ।

ମୃଗୟାର ବିନୋଦେ ସେ ଆସିଥିଲା ଯୋଗେ

କଂସାସୁର ଥାଟ ଯାଇ ଦେଖିଲା ଯେ ଆଗେ ।

ବୀରତୂର ବାଜାବାଜେ ଶବଦ ପ୍ରଚଣ୍ଡ

ବାଜନ୍ତେ କମ୍ପେ ମେଦିନୀଯାକ ନବଖଣ୍ଡ ।

ଦେବଗଣ ସହିତରେ କଂସ ସର୍ବଜୟୀ

ତେଣୁକରି କାହାରିକି ତାର ଭୟ ନାହିଁ ।

ସଂଗ୍ରାମେ ଶକତା ଧୈର୍ଯ୍ୟ ଅଟଇ ପ୍ରବଳ

ନିବାତକବଚ ଶୁଣି ଏସନ ଚହଳ ।

ବୀରତୂର ନାଦ ଶୁଣି ଧାଏଁ କୋପମୁଖେ

ବଜ୍ରଗଦା ମୃଦୁଗର ଜାକିଅଛି କାଖେ ।

ପର୍ବତ ଉପରେ ଚଢ଼ି ଦୂରେ ଦେଇ ଦୃଷ୍ଟି

ଦେଖିଲା ଅସଂଖ୍ୟ ସେନା ଆସୁଛନ୍ତି ଘୋଟି ।

ତିଳେ ଛିଦ୍ର ନ ଦିଶଇ ନିଘଞ୍ଚଳ ବାଟ

ଶତେ ଯୂଣ ପଥ ମାଡ଼ି ଚଳୁଅଛି ଥାଟ ।

 

କୃତାନ୍ତ ଦିଶଇ ଯେହ୍ନେ ଅତ୍ୟନ୍ତ କରାଳ

ତେସନ ଦିଶନ୍ତି ଆଗେ ରହି ଅଷ୍ଟମଲ୍ଲ ।

ନିର୍ଧୂମ ଅନଳ ଜିଣି ବିରାଜଇ ଜ୍ୟୋତି

ବୀରବେଶ ହୋଇ ଉଗ୍ରମୂର୍ତ୍ତି ଧରିଛନ୍ତି ।

ନିବାତକବଚ ଯହୁଁ ଏମନ୍ତ ଦେଖିଲା

ଆପଣା ମନରେ ବୀର ଆପେ ବିଚାରିଲା ।

କେବଣ ନୃପତି ସଙ୍ଗେ ଚତୁରଙ୍ଗ ସାଜି

ସଂଗ୍ରାମ କରିବା ପାଇଁ ଆସେ ଗଳଗାଜି ।

ଇନ୍ଦ୍ର ଯମ କୁବେର ମୁଁ ଜିଣିଅଛି ବଳେ

ମୋ ତୁଲେ ସମାନ କେବା ଅଛି ରବିତଳେ ।

ମନକଲେ ତ୍ରିଭୁବନ ଜିଣିପାରେ ଏକା

ମାନବ ହୋଇ କେ ମୋତେ ନ କରିବା ଶଙ୍କା ।

ନିଶ୍ଚୟେ ଜାଣିଲି ଏହୁ ଯିବ ଯମପୁର

ଶୋଇଲା ସିଂହର ମୁଖେ ପୂରାଇଲା କର ।

କହୁ କହୁ ଆସି ସୈନ୍ୟ ଆଗରେ ମିଳିଲା

ଦେଖି  ଦୈତ୍ୟବୀର କୋପେ ଦ୍ୱିଗୁଣ ଚଳିଲା ।

ଅଙ୍କୁଶ ବାଜିଲେ ଯେହ୍ନେ ଚଳେ ମତ୍ତହସ୍ତୀ

ଗରଜନ କରି ତେହ୍ନେ ଉଠିଲାକ ଧାତି ।

ରଟମଟ କଟକଟ ଦାନ୍ତ ପାଟି ଚାପି

ପର୍ବତ ସମାନେ ବଢ଼ି ଗଲା କାମରୂପୀ ।

ପ୍ରଚଣ୍ଡ ମୂରତି ତାର ଦିଶେ ଭୟଙ୍କର

ରହ ରହ ଡାକ ଦେଇ ଧାଇଁଲା ସତ୍ୱର ।

ହୁଁକାର ଶବଦ କରି ଧାମଇଁ ଦଇତ

ଆକାଶରୁ ଖସି କିବା ପଡ଼ିଲା ପର୍ବତ ।

ପାଦଘାତେ କମ୍ପଇ ଯେ ଦେବୀ ମହୀସ୍ଥଳୀ

ସୈନ୍ୟ ଓଗାଳି ଗର୍ଜ୍ଜଇ କୋପେ ମହାବଳୀ ।

ବନ୍ଧ ଭାଙ୍ଗିଲେ ଯେସନେ ସୁଅ ବଢ଼ି ପାଣି

ସେହିପରି ଧାଇଁଲା ସେ ଦୈତ୍ୟକୁଳ ମଣି ।

ବ୍ୟାଘ୍ର ଦେଖି ଛେଳିପଲ ଯେସନେ କାତର

ଚଳି ନ ପାରି ରହନ୍ତି ହୋଇ ପଛପର ।

ସେତୁବନ୍ଧ ପ୍ରମାଣେ ସେ ଓଗାଳିଛି ପଥ

ବାଟ ନ ପାଇ ସଇନି ଭୟରେ ନିସତ ।

କୋପାନଳ ହୋଇ ଉଗ୍ରସେନର ନନ୍ଦନ

କେଶୀକି ଚାହିଁ ବୋଲଇ ଏସନ ବଚନ ।

ଆଗୁଆଣି ଦଣ୍ଡ ମୋର ନ ଚଳେ କିପାଇଁ

କେବଣ ବୀର ଆସିଣ ବାଟ ଓଗାଳଇ ।

କେଶୀ ଜଣାଇଲା ଆଗେ କରପତ୍ର ଯୋଡ଼ି

ବୀରେକ ଓଗାଳି ସୈନ୍ୟ ନ ଦିଅଇ ଛାଡ଼ି ।

ହିରଣ୍ୟକବଚ ବୋଲି ଏକଇ ଦଇତ

ନିବାତ କବଚ ବୋଲି ଏ ତାହାର ସୁତ ।

ଶୂରବର ଶକତା ସେ ରଣେ ରଣରଙ୍କା

ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ନ କରଇ ଶଙ୍କା ।

ତିନିପୁର ମଧ୍ୟେ ତାକୁ ଜିଣନ୍ତା କେ ନାହିଁ

ମୃଗୟା ବିନୋଦେ ଆସିଥିଲା ଏକାହୋଇ ।

ଅସୁର କାମରୂପୀ ସେ ଜାଣେ ନାନା ମାୟା

ମନ୍ଦର ଗିରି ପ୍ରମାଣେ ବଢ଼ାଇଛି କାୟା ।

ସେହି ବୀରଗୋଟା ଆସି ଓଗାଳିଛି ଆଗେ

ମାନବ ଥାଟ ଦେଖିଣ ଧାମଇଁ ସେ ବେଗେ ।

କେଶୀର ବଚନେ କଂସ କହେ ଶିର ଝୁଣି

ଉପହାସ କଥା ମୋତେ କହୁଛୁ ନ ଜାଣି ।

ସଂଗ୍ରାମେ ଶକତା  ତୁହି ଅଟୁ ମହାବଳ

ଏକା ଜଣକୁ ଦେଖିଣ ହେଉଛୁ ବିକଳ ।

ତୁମ୍ଭର ବଳ ପ୍ରାକ୍ରମ ତୁମ୍ଭେ ଭଲେ ଜାଣ

ତୁମ୍ଭର ତୁଣ୍ଡେ କିପାଇଁ ଏସନ ବଖାଣ ।

କୋଟିଏ ଇନ୍ଦ୍ରକୁ ତୁମ୍ଭେ କରିପାର ଜୟ

ତୁମ୍ଭଭଳି ଲୋକ ତାକୁ କରୁଅଛ ଭୟ ।

ତୁମ୍ଭଙ୍କୁ କି ଜିଣିପାରେ ଜଣେ ମାତ୍ର ସେହି

ମୋହର ମନକୁ ଏହା ପ୍ରତେ ଯାଉନାହିଁ ।

ସୂଚୀମୁନେ କେହୁ ଅବା ପର୍ବତ ଟାଳିବ

ହସ୍ତେ କେ ଅବା ସମୁଦ୍ରେ ଡିଙ୍ଗର ବାହିବ ।

ସୂର୍ଯ୍ୟର କିରଣ କେହୁ ଉହାଡ଼ିବ ହସ୍ତେ

ବସୁନ୍ଧରା ଛାଡ଼ିଲେ କି ବହିବ କେ ମାଥେ ।

ଏକା ଜଣକେ ଜିଣିବା କେହୁ ଏହି ବଳ

ଏକ ଜଣ ଦେଖି  ତୁମ୍ଭେ ହୋଇଲ ନର୍ବଳ ।

ଆହେ ବୀର କେଶୀ ତୁମ୍ଭେ ଶୁଣ ମୋର ବାଣୀ

ଅଷ୍ଟମଲ୍ଲ ସଙ୍ଗେ ଘେନି ଯୁଦ୍ଧ କର ପୁଣି ।

ସେ ମୋର ଶତ୍ରୁ ଓଗାଳ ଯାଇ ତାକୁ ଆଗେ

ଜୀବନ୍ତା ଧରି ତାହାକୁ ଘେନିଆସ ବେଗେ ।

ଏସନକ ଆଜ୍ଞା ତାକୁ ଦେଲା କଂସାସୁର

ଅଷ୍ଟମଲ୍ଲ ଘେନି କେଶୀ ଧାଏଁ ଆଗୁସାର ।

ପଛରେ ଗୋଡ଼ାଇଛନ୍ତି ସକଳ ସଇନ

ଧାମନ୍ତି ଗର୍ଜନ କରି ସେନାପତିମାନ ।

ମାର ମାର ଧର ଧର ଡାକି ଉଚ୍ଚସ୍ୱରେ

ଧାମନ୍ତି ସେ ଏକମୁଖ ହୋଇ କୋପଭରେ ।

କରେ ଶସ୍ତ୍ର ଘେନି ବୀରେ ଏକମୁଖ ହୋଇ

ଗଦା କୁନ୍ତ ମୁଦୁଗର ମାରନ୍ତି ତୁହାଇ ।

ଛେଲ ଚକ୍ର କାତି ଶକ୍ତି ସାବେଳି ପରିଘ

ରାକ୍ଷସକୁ ମାରନ୍ତି ସେ ବେଢ଼ି ବେଗ ବେଗ ।

ଏକା ନିବାତକବଚ ରହିଅଛି ଆଗେ

ସକଳେ ଶସ୍ତ୍ର ଧରିଣ ମାରୁଛନ୍ତି ରାଗେ ।

କେହି ଶସ୍ତ୍ର ଛାଡ଼ି କେହି ମାରେ ବଜ୍ର ମୁଷ୍ଟି

ଦାନବ ଶରୀରେ ବାଜି ଅଗ୍ନି ଜଳି ଉଠି ।

ଅନେକ ରାଜାଙ୍କ ସୈନ୍ୟ ଚତୁରଙ୍ଗ ବଳ

ପର୍ବତ ଉପରୁ ପଡ଼େ ଯେହ୍ନେ ଜଳଧାର ।

ତେସନ ସଂଜାତ ଶସ୍ତ୍ର ମାରିବାରୁ ବେଢ଼ି

ନିବାତକବଚ ଏକା ଯୁଝେ ଆଗବଢ଼ି ।

ତା ଶରୀରେ ବାଣମାନ ପଡ଼ି ଝମକନ୍ତି

କୋପଭର ହୋଇ ଧାଇଁ ଯାଇ ମହାରଥୀ ।

ବଜ୍ରହୁଁ ଆଣ୍ଟ ଅଟଇ ଅସୁରର ଦେହୀ

ମୁନ ମୋଡ଼ି ହୋଇ ଶସ୍ତ୍ର ଭୂମିରେ ପଡ଼ଇ ।

ରଥୀ ମହାରଥୀ ଯୋଦ୍ଧା ଅନେକ ଯେ ଥିଲେ

କେହି କେହି ଶରମାନ ଯୋଟି ପ୍ରହାରିଲେ ।

କୌଣସି ପ୍ରକାରେ କରି ନ ପାରିଲେ ଜୟ

ଅଷ୍ଟମଲ୍ଲ ଦେଖି ତାକୁ କଲେ ମହାଭୟ ।

ମନେ ବିଚାରନ୍ତି ଏଥେ କରିବା କି ବୁଦ୍ଧି

ଦୁର୍ବାର ଦାନବ ଏହୁ ରଣେ ନୋହେ ସାଧି ।

ୟାକୁ ନ ଜିଣିଲେ ଲୋକେ ପାଇବା ନ ଲାଜ

ପାଇ ଅପକୀର୍ତ୍ତି ନାଶ ଯିବ ବଳବୀର୍ଯ୍ୟ ।

କଂସରାଜା ମୁଖ ଆମ୍ଭେ ଚାହିଁବା କେମନ୍ତେ

ଧିକ ଧିକ ଶବଦ ତ ଶୁଭିବ ଜଗତେ ।

କେଶୀ ବୋଲେ ଆସ ଭାଇ ଘଡ଼ିଏ ଲାଗିବା

ଶକଟାସୁର ବୋଇଲା ସମର ଭାଙ୍ଗିବା ।

ଯାମଳା ବୋଇଲା ତୁମ୍ଭେ ନ ଜାଣ ହୋ କିଛି

ନ ପାରିଲେ ଭାଙ୍ଗି ଯିବା କିସ ଭୟ ଅଛି ।

ଜୟ ଅପଜୟ ବେନି କ୍ଷତ୍ରିଙ୍କର କଥା

ଏଥକୁ କିପାଇଁ ମନେ ଭାଳୁଅଛ ବୃଥା ।

ଅନୁକ୍ଷଣେ ପ୍ରଣୀଙ୍କି କି ମିଳୁଥାଇ ଯଶ

ବ୍ରହ୍ମା ଇନ୍ଦ୍ର ପଦ ଗଲା କରିବେ ସେ କିସ ।

ଯେବଣ କାଳରେ ବ୍ରହ୍ମା ସୃଷ୍ଟି ଭିଆଇଲା

ଲାଭ ପାଖେ ହାନି ପାଖେ ନେଇଣ ଥୋଇଲା ।

ରାତ୍ରେକ ହୋଇଲେ ପୁଣି ହୁଏ ଦିବସେକ

ବିବେକ ଥିବା ଲୋକର ଆସେ ଅବିବେକ ।

ସ୍ତିରୀ ଏକ ହୋଇଲେ ଯେ ପୁରୁଷେ ହୁଅଇ

ଏସନ ପ୍ରକାରେ ବିହି ଲିହି ଯେ ଅଛଇ ।

ପୁଣ୍ୟ ଏକ ହୋଇଲେ ଯେ ପାପେକ ହୁଅଇ

ଆପଣାର ସତ୍ୟ ଥିଲେ ଧର୍ମ ଉପୁଜଇ ।

ସଂସାର ସାଗର ଗୋଟା ଅଟଇ ଅନିତ୍ୟ

ବଢ଼ଇ ଛିଡ଼ଇ ପୁଣି ଚନ୍ଦ୍ର ଜ୍ୟୋତିବତ ।

କ୍ଷତ୍ରିମାନଙ୍କର ଜାଣ ଏସନକ ଭାବ

ହାରିବା ଜିଣିବା ଦୁଇ କ୍ଷତ୍ରିର ସ୍ୱଭାବ ।

ଦ୍ୟୁତ ଯୁଦ୍ଧ କଳି ଦ୍ୱନ୍ଦ ଆଦି ଷଡ଼ ପୀଢ଼

ପଶାପାଲି ଚଉସାର କାଠି ବାକ୍ୟ ଦୃଢ଼ ।

ଏତେକ କଥାରେ ଲୋକ ପୀଢ଼ ବସାଇଲେ

ଅବଶ୍ୟ ଜଣେ ଏଥିରେ ହାରିବ ନ ଭଲେ ।

ଏଥକୁ ଯେ ମାନ କଲେ ଧର୍ମ ହୋଏ ନାଶ

ପାରି ବା ନ ପାରି ଥରେ ଲାଗିବା ହୋ ଆସ ।

ଏତେ ବୋଲି ଆଠେ ଗଲେ ବାହାନାଦ କରି

ଦାନବ ଦେହେ ପିଟିଲେ ଗଦା କରେ ଧରି ।

ଯେସନେ ପକ୍ଷୀ ଉଡ଼ନ୍ତି ଗଗନର ମାର୍ଗେ

ଆଣ୍ଟେ ସେ ଗଦା ପିଟିଲେ ପବନହୁଁ ବେଗେ ।

ଅଷ୍ଟମଲ୍ଲଙ୍କର ରୂପ ଦେଖି ଅସମ୍ଭବ

ନାସିକାରେ ହସ୍ତ ଦେଇ ହସିଲା ଦାନବ ।

ଏମନ୍ତ ଜନ୍ତୁ ଉପୁଜି ରହଥିଲି କାହିଁ

ଜନ୍ମହୁଁ ଏମନ୍ତ ରୂପ ମୋର ଦେଖାନାହିଁ ।

ସଂଗ୍ରାମ କରିବା ପାଇଁ ହୁଅ ସମସରି

କିସ ଜୀବନ ତୁମ୍ଭର ଆଜ ନେବି ଧରି ।

ଏତେ ବୋଲି ସେ ଦନାବ ଦ୍ରହସିତ ହେଲା

ବାମକରେ ଆକର୍ଷି ସେ ଆଠଙ୍କୁ ଧଇଲା ।

କଇବର୍ତ୍ତ ଯେସନେକ ଗୁନ୍ଥେ ମୀନଲେନ୍ତା

କେଶକୁ କେଶ ଧରିଣ ଛନ୍ଦେ ବଳବନ୍ତା ।

ଅଷ୍ଟମଲ୍ଲଙ୍କୁ ଘେନିଣ ଯାଏ ଧୀରେ ଧୀରେ

ଦେଖିଣ ସକଳ ସୈନ୍ୟ ରହିଲେ କାତରେ ।

ବସୁଦେବ ଅନାଧୃଷ୍ଟ ସାତ୍ୟକି ଉଦ୍ଧବ

ଅକ୍ରୂର ଶକ୍ରାଜିତ ଏ ଯେତେକ ଯାଦବ ।

ସବୁ ରାଜାଙ୍କର ଥିଲେ ଯେତେକ ସଇନ୍ୟ

ସେମାନଙ୍କୁ ସଙ୍ଗେ ଘେନି କରନ୍ତି ସଂଗ୍ରାମ ।

ଜୀବନ ନିଆଶାରେ ସେ ବହୁତ ଯୁଝିଲେ

ଶସ୍ତ୍ର ନ କାଟିବା ଦେଖି  ଅପସରି ଗଲେ ।

ଅଷ୍ଟମଲ୍ଲ କେଶ ଧରି ନିବାତକବଚ

ଅବହେଳେ ଚଳେ ଦେହ ଦିଶଇ ସୁସଞ୍ଚ ।

ବଜ୍ରରେ ଯେହ୍ନେ ପର୍ବତମାଳ ଯାନ୍ତି ଛିଡ଼ି

ଡରେ ସକଳ ସଇନି ପଳାଇଲେ ଛାଡ଼ି ।

ଛାମୁରେ ତାହାର କେହି ରହନ୍ତା ଯେ ନାହିଁ

କାଳଦେବତା ପରାୟେ ଆସୁଅଛି ଧାଇଁ ।

କଂସ ଛାମୁରେ ସାତ୍ୟକି ଯାଇଁ ଜଣାଇଲା

କର ଦୁଇକି ଯୋଡ଼ିଣ ବିନୟେ କହିଲା ।

ନିବାତକବଚ ନେଲା ଅଷ୍ଟମଲ୍ଲ ଧରି

ଥାଟଯାକ ଭାଙ୍ଗି ଡରେ ଗଲେ ଅପସରି ।

ଯେସନେକ କଇବର୍ତ୍ତ ଗୁନ୍ଥେ ମୀନମାଳ

ତେସନ ପ୍ରକାରେ ଅଷ୍ଟମଲ୍ଲଙ୍କର ବାଳ ।

ଧରି ମେରୁ ପ୍ରାୟେ ଦୈତ୍ୟ ଯାଉଅଛି ମାଡ଼ି

ସମସ୍ତେ ପଳାଇଗଲେ ଶସ୍ତ୍ରମାନ ଛାଡ଼ି ।

କେବଣ ବିଚାର ଦେବ କରିବା ଏଥିକି

ଏତେକ ବୋଲି ମଉନ ହୋଇଲେ ସାତ୍ୟକି ।

ଏସନ ଶୁଣିଣ କୋପେ କଂସାସୁର ରାୟେ

ପବନରେ ରମ୍ଭା ପ୍ରାୟ କମ୍ପଇ ତା କାୟେ ।

ଧାମଇ ଅଧରେ ଦନ୍ତ ଚାପି ରୋଷଭରେ

ମତ୍ତବ୍ୟାଘ୍ର ଧାମଇଁ କି ଛାଗଳ ପଲରେ ।

ସାରଥିକି ଚାହିଁଲା ସେ କଂସାସୁର ବୀର

ଦୈତ୍ୟ ଛାମକୁରେ ମୋର ବାହ ରହୁବର ।

ଦେଖିବା ନା ସେହି କେଡ଼େ ଅଟେ ବଳୟାର

ସଂଗ୍ରାମ ହୋଇବ ଆଜି ତାହାର ମୋହର ।

ଯେବଣହିଁ ଅଷ୍ଟମଲ୍ଲ ମୋର ପ୍ରାଣସଖା

କେ ତାଙ୍କୁ ଧରି ନେଉଛି ମୋତେ ତାକୁ ଦେଖା ।

ସେମାନେ ମୋର ଜୀବନ୍ତା ବନ୍ଦୀ ହେଲେ ଆଜ

ତାଙ୍କ ଅଭାବେ ମୋର ଏ ଜୀବନେ କି କାର୍ଯ୍ୟ ।

କେ ତାଙ୍କୁ ଧରି ଆଜରେ ବନ୍ଦିକଲା ପୁଣି

ତାକୁ ନେଇ ମୋତେ ବେଗେ ଭେଟା ଏହିକ୍ଷଣି ।

ଶୁଣି ସାରଥି ବାହିଲା ରଥଗୋଟା ବେଗେ

ନେଇ ଭେଟାଏ ନିବାତକବଚର ଆଗେ ।

ବେନି ବୀର ଏକ ମୁଖେ ହୋଇଲେକ ଭେଟ

କେତୁ ମଙ୍ଗଳ ଯେସନେ ମେରୁର ନିକଟ ।

ଅଷ୍ଟମଲ୍ଲଙ୍କ ଦୁର୍ଦ୍ଦଶା କଂସରାଜା ଦେଖି

ସହସ୍ରେ ବାଣ ମାଇଲା ଉପ୍ରୋଧ ଉପେକ୍ଷି ।

କଙ୍କପକ୍ଷମୁନା ବାଶ କଂସ ହସ୍ତେ ଘେନି

ମନ୍ତ୍ର ପଢ଼ିଣ ସନ୍ଧାନ କଲା ଉଗ୍ରସେନି ।

ପୁଣି କୋଟିଏ ନାରାଚ ଗୁଣରେ ବସାଇ

ଦାନବର ଉପରକୁ ବିନ୍ଧିଲା ନିଠାଇ ।

ଦେବଶର ମାଇଲା ସେ ଘେନି ଅତି ବେଗେ

ମାଇଲା ସେ ବାଣ ଅଷ୍ଟମଲ୍ଲଙ୍କର ରାଗେ ।

ପେଷଇ ଅନିବାରଣ ଶର କଂସାସୁର

ଦକ୍ଷିଣ ଭୁଜେ ଧରେ ତା ଆଗସରି ବୀର ।

ଦିରାଣ୍ଡି ଭୁଜେ ଧରିଣ ମସିଗୁଣ୍ଡା କରି

ପାଟି ବିସ୍ତାରି ଗର୍ଭକୁ ଦେଲା ଦୈତ୍ୟ ଭରି ।

ତାହା ଦେଖି କଂସ କୋପେ ଅନ୍ତରାଳ ହୋଇ

ବାବଲ ଶତେକ ଶର ଗୁଣରେ ବସାଇ ।

ମନ୍ତ୍ରୀ ନାରାଚ ପେଷିଲା ଗଲା ଶୂନ୍ୟପଥେ

ପଡ଼ିଲାକ ବାଣ ଯାଇଁ ଦୈତ୍ୟ ବାମହସ୍ତେ ।

ବାମଅଙ୍ଗେ ଯହୁଁ ସେହି ନାରାଚ ବାଜିଲା

ବ୍ୟଥା ପାଇ ଦୈତ୍ୟ ଅଷ୍ଚମଲ୍ଲଙ୍କୁ  ଛାଡ଼ିଲା ।

ବନ୍ଦିରୁ ମୁକତ ଯହୁଁ ହେଲେ ଅଷ୍ଟମଲ୍ଲ

ଗତଆତ୍ମା ପାଇଣ ସେ ଚାହିଁ ବଲବଲ ।

ତହୁଁ ଯାଇ ମିଳିଲେ ସେ କଂସର ଆଗରେ

ଧାଇଁଲେକ ଏକମେଳେ ହୋଇ ରୋଷଭରେ ।

ଏସନ ଯୁଦ୍ଧ ଦେଖିଣ ସୈନ୍ୟ ଗଲେ ଧାଇଁ

ଛେଲ ଚକ୍ର ଗଦା କୁନ୍ତ ପ୍ରହାରିଲେ ନେଇ ।

ଯେବଣ କଂସକୁ ଭୟ ପାଇ ସ୍ୱର୍ଗବାସୀ

ପୂର୍ବ କାଳନେମି ଜନ୍ମ ହୋଇଅଛି ଆସି ।

ଅଷ୍ଟମଲ୍ଲେ ସେ ନିବାତକବଚ ଧଇଲେ

କଠୋର ମାଡ଼ ତାହାକୁ ଅନେକ ମାଇଲେ ।

ବୁକୁ ବିଦାରିଣ କଟୀ ବିସ୍ତାରିଣ ଧରି

କେଶ ଧରି ପକାଇଲେ ତଳେ ଝିଙ୍କିକରି ।

କେଶକୁ ଧରିଣ କେହୁ ଓଟାରି ମାଇଲେ

ତଳେ ପକାଇଣ କେହୁ ମାଡ଼ିଣ ବସିଲେ ।

କେହୁ କନ୍ଧେ କେହୁ ମୁଣ୍ଡେ ବସିଲେକ ଯାଇ

ବୁକୁ ବିଦାରି ପାଟିରେ ହସ୍ତକୁ ପୂରାଇ ।

କେହୁ ବିଦାରି ପକାନ୍ତି ଦାନବର ପିଣ୍ଡ

ସାତ ପାଞ୍ଚ ଘୋଷାରନ୍ତି ଧରି ପିଣ୍ଡ ଖଣ୍ଡ ।

ସକଳ  ଯାଦବ ଶସ୍ତ୍ର ଧରିଣ ମାରନ୍ତି

କେ କୁନ୍ତ ଶାବେଳି କେହି ଖଡ଼୍‌ଗ ପ୍ରହାରନ୍ତି ।

ମୁଖ ମାଡ଼ି ପଡ଼ିଲା ସେ ଅସାଷ୍ଟମ ହୋଇ

ହିଙ୍ଗୁଳ ପର୍ବତ ଜାଣି ଶରୀର ଦିଶଇ ।

ପର୍ବତରୁ ଜଳ ଗଡ଼େ ବରଷିଲେ ଘନ

ଗିରିଶୃଙ୍ଗ ଫୁଟି ଯେହ୍ନେ ରୁଧିର ତେସନ ।

ମୂର୍ଚ୍ଛାଗତ ହୋଇ ବୀର ପଡ଼ିଲା ଭୂମିରେ

କେବଳ ନିଃଶ୍ୱାସମାନ ବହେ ନାସିକାରେ ।

ଅସମ୍ଭବ ସମର ତ କଲା ମହାବୀର

ସକଳ ସୈନ୍ୟ ବେଡ଼ିଲେ ମାଇଲେ ଅପାର ।

ନିବାତକବଚ ଯହୁଁ ଅସାଷ୍ଟମ ହେଲା

କରପତ୍ର ଯୋଡ଼ି କେଶୀ କଂସକୁ କହିଲା ।

ଟେକି ଧରିଣ ଏହାକୁ ନେଇଯିବା ଗଡ଼େ

କଂସ ବୋଇଲା ଯେ ହେଉ ଧର ତାକୁ ଦୃଢ଼େ ।

କଂସର ବଚନେ  କେଶୀ ଆଦି ଯେ ଧଇଲେ

ବାମକରେ ଧରି ଟେକି ନେଇ ବସାଇଲେ ।

କେଶୀ ବୋଇଲାରେ ତୋତେ ଠାକୁରଙ୍କ ଦୟା

ଦୁଷ୍କୃତ ଯିବ ତୁ ଦେଖ କଂସବୀର କାୟା ।

ଦୈତ୍ୟ ବୋଲେ ତୁମ୍ଭ ହସ୍ତେ ମାଡ଼ ଅଛି ଖାଇ

ଉଠି ବସିବାକୁ ମୋର ଶକ୍ତି ଆଉ ନାହିଁ ।

ଛଟପଟ ହେଉଛି ମୋ ଜ୍ଞାନ ନାହିଁ କିଛି

କେବଳ ନାସିକା ରନ୍ଧ୍ରେ ପବନ ଯାଉଛି ।

ଖଣ୍ଡ ଖଣ୍ଡ କରି ମୋର ବିଦାରିଛ ଦେହୀ

ଆୟୁଷ ଥିବାରୁ ସିନା ଜୀବ ଅଛି ରହି ।

ଟେକି କରି ମଥା ମୋର ଚଳି ନ ପାରଇ

ନମସ୍କାର କରିବାକୁ ହସ୍ତ ନ ଚଳଇ ।

ତୁମ୍ଭ ଇଚ୍ଛା ସୁଖେ ଯାହା ତାହା ପାର କରି

ମରଣକୁ ତିଳେ ଡର ନାହିଁ ନା ମୋହରି ।

ବ୍ରହ୍ମା ବିଷ୍ଣୁ ରୁଦ୍ର ଆଦି ଯେତେ ଦେବଗଣ

ଛପନ କୋଟି ଯେ ଜୀବଜନ୍ତୁ ଜନମାନ ।

ଦାନବ ରାକ୍ଷସ ଆଦି ଅସୁର ଯେତେକ

ଯୁଦ୍ଧେ ଜିଣିବାକୁ ନାହିଁ କାହାରି ଯେ ଶକ୍ୟ ।

କାହାର ହସ୍ତରେ ମୃତ୍ୟୁ ନାହିଁ ଯେ ମୋହର

ନାହାନ୍ତି ମୋ ଚତୁରଙ୍ଗବଳ ଯେ ସଙ୍ଗର ।

ଅସ୍ତ୍ର ଶସ୍ତ୍ର ନ ଥିବାରୁ ଯୁଦ୍ଧରେ ହାରିଲି

କଳପୀ ଯୋଦ୍ଧା ମୁଁ ଆଜି ବ୍ୟୁହରେ ପଡ଼ିଲି ।

ନିବାତକବଚ ବୋଲି ନ ଜାଣେ କେ ମୋତେ

ଯାର କାଳକେୟଗଣ ବିଦିତ ଜଗତେ ।

ସେ ବୀରକୁ ବୋଇଲୁ ତୁ ଏମନ୍ତ ବଚନ

ମୋ ଦୁଷ୍କୃତ ଯିବ କଲେ କଂସ ଦରଶନ ।

ଆବର କହିଲୁ ମୋତେ କର ତୁ ପ୍ରଣାମ

ଶୁଣିଲି ସିନା ମୋହର କର୍ମ ହେଲା ବାମ ।

କଂସରାଜ ଉଠି ତାର ଚରଣେ ଲୋଟିଲା

କଲ୍ୟାଣ କର ଭୋ ରାୟେ ମୁହିଁ ଅଟେ ପିଲା ।

ହାରିବା ଜିଣିବା ଜାଣ କ୍ଷତ୍ରିଙ୍କର ବୃତ୍ତି

ନିବାତକବଚ ଶୁଣି ହୋଇଲା ତୃପତି ।

ବୋଇଲା କଂସର ମୁଖ ଚାହିଁ କେଶୀ ବୀର

ମହାବଳୀ ବୀର ନାହିଁ ଏହା ପରକାର ।

ଭାଗ୍ୟବଳେ ଆମ୍ଭେ ସିନା ପାଇଲେକ ଜୟ

ତିନିପୁରେ ଏହିରାଜା ଅଟଇ ଅଜେୟ ।

ଶୁଣି କଂସରାଜା ବହୁ ପୂଜାବିଧି କଲା

ଅନେକ ପ୍ରବୋଧି ତାକୁ ବିନୟୀ ହୋଇଲା ।

ନିବାତକବଚ ତହୁଁ ଗଲା ତାର ପୁରେ

କଂସାସୁର ରାୟ ପୁଣି ଏଥୁ ଅନନ୍ତରେ ।

 

କଂସର ପୂର୍ବଦିଗେ ଯାତ୍ରା

ପୂର୍ବ ଅଭିମୁଖେ ତାର ଚଳାଇଲା ବଳ

ମିଳିଲେ ସେ ଲଘୁ ତୁଙ୍ଗ ପର୍ବତର ତଳ ।

ସେ ପର୍ବତ ତଳେ କଂସରାଜା ବଳ ଥାନ୍ତି

ଦେବ ମାନବ ଦାନବ ସକଳ ସାଧନ୍ତି ।

ଶତଇନ୍ଦ୍ର ହେଲେ ତାକୁ ଜିଣନ୍ତା କେ ନାହିଁ

ପର୍ବତ ଶୃଙ୍ଗରେ ଥିଲେ ଯେତେ ରାୟେ ତହିଁ ।

ଡରେ ପାଣିଦ୍ରବ୍ୟ ଦେଇ ସନ୍ଧି କଲେ ଆସି

ସନ୍ତୋଷ କଂସ ତାହାଙ୍କୁ ବଚନେ ଆଶ୍ୱାସି ।

ଅଦୃଷ୍ଟ ଅଶ୍ରୁତ କଂସ ଦିଗବିଜେ କଥା

କେହି ଜଣେ ତାର ଆଗେ ନୋହେ ସାମରଥା ।

ମାନବେ ଦୁର୍ଲ୍ଲଭ ସେହି ଦେବେ ଅଗୋଚର

ଏହି କଥା କହିବାକୁ ଶକତି କାହାର ।

ଯେତେ ରାଜ୍ୟେ କଂସରାଜା ଦିଗବିଜେ କଲା

ଖାଲ ଖଣା ଠିକର ଯେ ସମତୁଲ ହେଲା  

ଶାରଦା ଦେବୀ ଯେତେକ କହୁଛନ୍ତି ମୋତେ

ତଦନ୍ତ କରି କହିବି ମୁହିଁ  ତାହା କେତେ ।

 

ଶାରଦା ମୁଖରୁ ଯେତେ ପ୍ରମାଣ ପାଇଲି

ଠିକ ଠିକ କରି ହରିବଂଶ ବଖାଣିଲି ।

ବୁଧ ଜନମାନଙ୍କର ଚରଣେ ମୋ ଆଶ

ବାଳକମତି ମୋହର ନ ଧରିବା ଦୋଷ ।

ବେଦବ୍ୟାସଙ୍କ ନନ୍ଦନ ଶୁକଦେବ ଯତି

ସେ ସିନା ଜାଣନ୍ତି ଏହି ହରିବଂଶ ରୀତି ।

ଅକଳିତ ହରିବଂଶ ପୁରାଣ ମହିମା

ତଦନ୍ତ କରି ଜାଣନ୍ତି ଏକା ବେଦବ୍ରହ୍ମା ।

ଏ କଥା ଜାଣି କହିବ କାହାର ସାହସ

ସମସ୍ତେ କରି ତାରିବ ହରିନାମ ଘୋଷ ।

କହନ୍ତି ଯେ ଇଦଂ ପ୍ରତିବାକ୍ୟ ଶୁକ ଯତି

ଶୁଣ ସାବଧାନେ ହୋ ପଣ୍ଡୁ ପଣନାତି ।

ଦୁର୍ବାର ଦାନବ ସେହି କଂସ ମହାବୀର

ପୃଥ୍ୱୀଦେବୀ ନ ସହଇ ତାର ପାଦଭାର ।

ମଧୁକୈଟଭ ତାରକାସୁର ଆଦି ଥିଲେ

ତେଡ଼େ ତେଡ଼େ ରାଜାମାନେ ଦିଗବିଜେ କଲେ ।

ଏପରି ଜଣେ ତ କେହି ଅସାଧ୍ୟ ନ ଥିଲେ ।

କେତେକେତେ ରାଜା ଅବା ପୃଥ୍ୱୀରେ ନ ଥିଲେ ।

ଦେବ ଦାନବ ମାନବ ଜିଣି ମହାରଣେ

ସ୍ୱର୍ଗ ମଞ୍ଚ ପାତାଳରେ ରାମ ନାହିଁ ଜଣେ ।

ଏଡ଼େ ଶକତା ନ ଥିଲେ କେହି ରବି ତଳେ

ମେରୁ ପ୍ରଦକ୍ଷିଣ କରି ନ ଥିଲେ କେ ବଳେ ।

କାଳନେମି ଦୈତ୍ୟ ଅଛି କଂସ ରୂପ ବହି

ତାର ତୁଲେ ସଂଗ୍ରାମ କେ କରିବାକ ରହି ।

ଅଟନ୍ତି ଯେବଣ ଅଷ୍ଟମଲ୍ଲ ତାର ସଖା

କୋଟି ଇନ୍ଦ୍ର ହେଲେ ଜିଣି ପାରନ୍ତି ସେ ଏକା ।

ସକଳ ରାଜାଏ ଡରେ ଅଙ୍ଗବଳ ଘେନି

ଖଟିଲେକ ପରିଚାରପଣେ ଉଗ୍ରସେନି ।

ମହା ମହା ରାଜାମାନେ ଦଣ୍ଡଛତ୍ର ଧରି

ପ୍ରାଣଭୟେ ହୋଇଛନ୍ତି କଂସ ପଟୋଆରୀ ।

ମେରୁର ଉତ୍ତରେ ନୀଳ ନିର୍ମଳ ଯେ ଦ୍ୱୀପ

ବେନିଦ୍ୱୀପେ ଲକ୍ଷେ ରାଜା ଉଣୋଇଶ ଭୂପ ।

ସନ୍ଧାନ ଦେଇ କଂସକୁ କଲେ ସର୍ବେ ପୂଜା

କେହି ଯେ ତାହାରି ତୁଲେ ନ କଲେ ପରିଯା ।

ପ୍ଲକ୍ଷଦ୍ୱୀପେ କୁଶଦ୍ୱୀପ ମେରୁର ପଶ୍ଚିମେ

ଇକ୍ଷୁ ମଧୁ ସମୁଦ୍ର ଯେ ବେଢ଼ିଛି ସୁଷମେ ।

ବେନି ଦ୍ୱୀପେ ଅଠାଣୋଇ ଲକ୍ଷ ସସ୍ରରାଜା

ଅନେକ ସମ୍ପଦେ କଲେ କଂସକୁ ଯେ ପୂଜ୍ୟା ।

ମେରୁ ପୂର୍ବଭାଗରେ ଜମ୍ବୁଦ୍ୱୀପ ବିଶେଷ

କ୍ଷୀରନାମେ ସମୁଦ୍ର ଘୋଟିଛି ଚଉପାଶ ।

ଜମ୍ବୁଦ୍ୱୀପେ ଲକ୍ଷାଧିକ ରାଜା କରି ବାସ

ସର୍ବଦା ନତ ଥାନ୍ତି ସେ ରାଜା କଂସ ପାଶ ।

ଏ ବିଧି ଅନେକ ରାଜା ଘେନି ଚତୁରଙ୍ଗ

ପ୍ରାଣର ବିକଳେ ଆସି ଖଟନ୍ତି ତା ସଙ୍ଗ ।

ଉଦଣ୍ଡ ଲକ୍ଷେକ ପାଟଛତ୍ର ଯେ ବିମଳ

ବିଜୁଳିର ଜ୍ୟୋତି ଜାଣି ପତାକା ଚିରାଳ ।

ହାତୀ ରଥୀ ପଦାତିକ ବଳ ସଙ୍ଗେ ଘେନି

ମେରୁ  ପ୍ରଦକ୍ଷିଣ କରେ ରାଜା ଉଗ୍ରସେନି ।

ଢୋଲ ଦମା ବୀରତୂର ଟମକ ବାଜଇ

ଶରଦ କାଳରେ ଯେହ୍ନେ ମେଘ ଗରଜଇ ।

ପଉରୁଷେ କଂସ ଆସେ ସଇନି ଚଳାଇ

ଦେଖା ଦରଶନୀ ଧନ କହନ୍ତା ନ ଯାଇ ।

ଭଉରବୀ ତୁଙ୍ଗଭଦ୍ରା ବିଜେ ବେଲାବଳୀ

କପାଳୀ କାଳରାତ୍ରି ଯେ ଚିତ୍ରକୂଟ ସ୍ଥଳୀ ।

ନର୍ମଦା ବିଜୟା ସରସ୍ୱତୀ କୃଷ୍ଣବେଣୀ

ସଇନି ରହିଲେ ଯାଇ ଗୋଦାବରୀ ଜିଣି ।

ମରହଟ୍ଟ ମଣ୍ଡଳ ଯେ ତେଲଙ୍ଗ ସଂହଳ

ମାହେନ୍ଦ୍ର କାଞ୍ଚିନଗରୀ ଶିରୀଷ ନେପାଳ ।

ନୀଳ ଉଦଣ୍ଡ ଦୁର୍ଦ୍ଦଣ୍ଡ ନାମ ଯାର ଲଙ୍କା

ବଙ୍ଗଳା କଳିଙ୍ଗ ମାଳପୁର ରାଷ୍ଟ୍ର ଶାଖା ।

ଗଉଡ଼ ଖଞ୍ଜନ ଜ୍ୟୋତିପୁର ଯେ କାଉଁରୀ

ଚମ୍ପାକଢ଼ୀ ହୁଙ୍ଗୁଳାକ୍ଷୀ କାମାକ୍ଷା ନଗରୀ ।

ବିଜୟା ବିରେଖା ଦଣ୍ଡରାଜ୍ୟ ଓଡ଼ରାଷ୍ଟ୍ର

କୁମୁଦ ଯେ କଉଶିକ କାଶୀପୁର ରାଷ୍ଟ୍ର ।

ପାହାଡ଼ ସୁବର୍ଣ୍ଣ ଗିରି ଭଦ୍ରସେନ ଘେନି

ରାଜାଙ୍କ ସଙ୍ଗେ ଅଛନ୍ତି ଅନେକ ସଇନି ।

ଇନ୍ଦ୍ରପ୍ରସ୍ଥ ଯମପ୍ରସ୍ଥ ହସ୍ତିନା ବାରୁଣା

ଏମାନଙ୍କୁ ଘେନିକରି ଜୟନ୍ତି ପାଟଣା ।

ତ୍ରିବୀଜ ହେମକେଦାର ଅଯୋଧ୍ୟା ଯେ ଦେଶ

ମେଦନାପୁର ପାଟଳି ଅବନ୍ତୀ ବିଶେଷ ।

କନାଉଜ ଯୋଗସ୍ତମ୍ଭ ଖପର ଆଲମ୍ବ

ଅନାହତ ଅବନ୍ତୀ ଯେ ଲକ୍ଷଣା ଆରମ୍ଭ ।

ଏମନ୍ତ ଦେଶ ଯେ ଗ୍ରାମ ପୁର ଯେ ପାଟଣା

ତହିଁର ପାଖେ ଦିଶଇ ପୁର ସୂଚୀମୁନା ।

କର୍କୋଟକ କୁଟ ହାଟ ପାଟଣା ପ୍ରଜୟା

ବ୍ରହ୍ମାସଂଭୂତା କୋଠାରୀ ଦେବୀ ମହାମାୟା ।

ଏ ଦେଶମାନଙ୍କରେ ଯେ ପ୍ରଜାମାନେ ଥିଲେ

ପ୍ରାଣ ବିକଳେ ସମସ୍ତେ ଆସି ସେବାକଲେ ।

ଅତି ହର୍ଷେ କଂସ ସମଦଣ୍ଡ ଚଳାଇଲା

ଗିରି କନ୍ଦର ପର୍ବତ ଜିଣି କରିଗଲା ।

କୁନ୍ତଳା ନଦୀ ସୁରେଖା ନଦୀ ପାର ହୋଇ

ଆପଣା ରାଜ୍ୟେ ପ୍ରବେଶ ହେଲେ ସର୍ବେ ଯାଇ ।

କୀର୍ତ୍ତି ଭୂଷଣ ବୋଲି ତହିଁର ମହାରାୟେ

ସେ ଆସି କଂସର ପାଦେ ଗଡ଼ଘାଲି ଶୁଏ ।

ଶତେକ ଯୋଜନ ମାଡ଼ି ଚଳାଇଛି ବଳ

ପାଦଭରେ ହେଉଅଛି ମହୀ ଟଳଟଳ ।

କଂସ ପାଦଭରା ପୃଥ୍ୱୀ ନ ପାରଇ ସହି

ଦିନକୁ ଦିନ ଯେ କ୍ଷୀଣ ବସୁମତୀ ଦେହୀ ।

ବିକଳେ ରୋଦନ କରେ ଦେବୀ ଉଚ୍ଚସ୍ୱରେ

ମୁଖରୁ ରୁଧିର ତାର ବହେ ନିରନ୍ତରେ ।

ବେନି ନୟନରୁ ବହିପଡ଼େ ଅଶ୍ରୁଜଳ

ଶିରକମଳ ପୋତିଣ ହୁଅଇ ବିକଳ ।

ଅଚ୍ୟୁତ ଦାସ ବୋଲଇ ରଖ ନାରାୟଣ

ସେ ଦେବୀ ଅଭୟପାଦେ ପଶଇ ଶରଣ ।

 

ହରିବଂଶ (ପ୍ରଥମ ଖଣ୍ଡ)

କଂସର ନିଜ ରାଜ୍ୟରେ ପ୍ରବେଶ

ବଦନ୍ତି ଯେ ଶୁକ ଶୁଣ ପରୀକ୍ଷ ନୃପବର

ନିଜ ରାଜ୍ୟେ ପ୍ରବେଶିଲା ଆସି କଂସ ବୀର ।

ଶାକଚି ନାମେ ନଗର ଯମୁନାର ତଟେ

ପ୍ରବେଶ ହୋଇଲା ଯାଇ ମଥୁରା ନିକଟେ ।

ଗୋକ୍ଷୀର ନଦୀ ସୁବର୍ଣ୍ଣରେଖା ପାର ହୋଇ

ବର୍ତ୍ତୁଳା ନାମେ ନଗରୀ ଅଟେ ପୁଣ୍ୟମୟୀ ।

ସେଠାବରୁ ମଥୁରା ଯେ ବିଶାଶତେ ଯୂଣ

ତହିଁରେ ଯେ ରାଜା ଥାଇ ବୀରକେଶୀ ନାମ ।

ସେ ଆସି କଂସ ରାଜାର କଲା ପାଦପୂଜା

ମାନ୍ୟ ଧର୍ମ କରି ସନ୍ଧି ଦେଲା ମହାରାଜା ।

ରାଜାର ସଇନମାନେ ଗଉରବ ପାଇ

ସମଦଣ୍ଡ ଘେନି କଂସ ରହିଲାକ ତହିଁ ।

ଏଥୁ ଅନନ୍ତରେ ଦେଶାଉର ଯେ ଡଗରେ

ଜଣାଇଲେ ଉଗ୍ରସେନ ଆସ୍ଥାନ ଛାମୁରେ ।

ପାଦେ ପଡ଼ି ଶିରେ କରଦେଇ ଉଭାହୋଇ

ସାବଧାନ ହୋଇ ତୁମ୍ଭେ ଶୁଣ ନରସାଇଁ ।

 

କାହିଁ ବସି ରାଜା ତୁମ୍ଭେ କଲ କେଉଁ ତପ

କହିବାକୁ ଅଗୋଚର କଂସରାଜା ଦର୍ପ ।

ଏକା ମଥୁରାରେ ତୁମ୍ଭେ ସିନା ମହାରାଜ

ସପତ ଦ୍ୱୀପରେ ରାଜା ତୁମ୍ଭର ତନୁଜ ।

ଶୁଭବେଳେ ଏହିପୁତ୍ର ହୋଇଥିଲା ଜନ୍ମ

ଅକଳିତ ଲକ୍ଷ୍ମୀ ତୋତେ ମିଳିଲା ରାଜନ ।

ଜଗତଯୋଗେ ବିଖ୍ୟାତ ହେଲା କଂସରାୟ

ସ୍ୱର୍ଗମଞ୍ଚ ପାତାଳ ସେ ସବୁ କଲା ଜୟ ।

ମେରୁ ପ୍ରଦକ୍ଷିଣ କରି ପତାକା ଉଡ଼ାଇ

ଦେବ ଦାନବ ମାନବ ଜିଣି ହେଲା ଜୟୀ ।

ଦେଖା ଦରଶନୀ ଧନ ଆଣୁଛନ୍ତି ଯେତେ

କଳନା ନ ଯାଇ ତାହା କହିବୁ ବା କେତେ ।

ଶତେକ ଯୋଜନ ମାଡ଼ି ରହିଛନ୍ତି ଥାଟ

ଯିବା ଆସିବାକୁ ତହିଁ ନ ମିଳଇ ବାଟ ।

ରଥ ଗଜ ପଦାତିକ ଚତୁରଙ୍ଗ ବଳ

ସମସ୍ତେ ଖଟିଅଛନ୍ତି କଂସ ପାଦତଳ ।

ଶୁଣିକରି ଉଗ୍ରସେନ ହୋଇଲା ଆନନ୍ଦ

ମୁଖ ବିକାଶଇ ଯେହ୍ନେ ପୂର୍ଣ୍ଣିମାର ଚାନ୍ଦ ।

ଇନ୍ଦୁମତୀ ରାଣୀ ଆଗେ କହିଲେ ସକଳ

ରାଣୀ ହଂସପୁରେ ଉଠେ ଆନନ୍ଦ ଚହଳ ।

ପୁରଲୋକେ ଶୁଣି ହେଲେ ଆନନ୍ଦ ଅପାର

ସ୍ଥାନେ ସ୍ଥାନେ ବସାଇଲେ ହାଟ ଯେ ବଜାର ।

ବିନ୍ଧାଣୀମାନେ ଯେ ଲାଗି ତୋଳିଦେଲେ ଘର

ଖାଇବା ସାମଗ୍ରୀମାନ ରଖିଲେ ଅପାର ।

ଦାଣ୍ଡ ପହଁରିଣ ଦେଲେ ଚନ୍ଦନର ଛରା

ଲମ୍ବାନ୍ତି ସେ ନାନାପୁଷ୍ପ ଗୁନ୍ଥି କେରାକେରା  

ସୁବାସ କୁସୁମମାନ ଲମ୍ବାଇଲେ ଟାଣି

ଦାଣ୍ଡ ଦ୍ୱାରେ ପକାଇଲେ ଗନ୍ଧ ଛରାପାଣି ।

କର୍ପୂର ଚନ୍ଦନ ଗୋଳି ଅଗଣାରେ ଦେଇ

ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ଉପରେ ଟଣାଇ ।

ବହୁ ଆନନ୍ଦ ମଥୁରାପୁର ନରନାରୀ

ଦେଖିବାକୁ ଶ୍ରଦ୍ଧାକରି ହାଟ ଦାଣ୍ଡ ପୂରି ।

ସୁବର୍ଣ୍ଣ ଥାଳିରେ ଅର୍ଘ୍ୟମାନ ଯେ ପୂରାଇ

ସୁବର୍ଣ୍ଣ ଦୀପେ ବଳିତା ଗୁଆଘୂତ ଦେଇ ।

ବସ୍ତ୍ର ଉପରାଣ ଦେଇ ହୋଇଣ ସୁବେଶ

କୁଳବଧୂମାନେ ଆସି ନବରେ ପ୍ରବେଶ ।

କଂସ ଆସିବାକୁ ବାଟ ଚାହିଁଛନ୍ତି ମିଳି

ଅନେକ ନବବାଳୀଙ୍କ କରେ ଅର୍ଘ୍ୟଥାଳୀ ।

ମଥୁରା ସମ୍ପଦ ଘେନି ଉଗ୍ରସେନ ରାୟେ

ବାଟକୁ ପାଛୋଟିଗଲେ ପାଞ୍ଚଯୂଣଯାଏ ।

ଟମକ ନିଶାଣ ଢୋଲ ମୃଦଙ୍ଗ ବଜାଇ

ବାଟେ କଂସକୁ ଭେଟିଲେ ଉଗ୍ରସେନ ଯାଇ ।

ଦନ୍ତାବଳ ନଦୀକୂଳେ ହେଲେ ଉଗ୍ରସେନ

କଂସ ଆଗରେ ବାରତା ଦେଲେ ସୁରଗଣ ।

ଭୋ ଦେବ ତୁ ସାବଧାନେ ଶୁଣ ଜଗଜ୍ଜେଠି

ପିତା ତୁମ୍ଭର ଅଇଲେ ବାଟକୁ ପାଛୋଟି ।

ଥୋକାଏ ଦୂରେ ଅଛନ୍ତି ଆସି ସେହି ରହି

ଆଜ୍ଞାଦେଲେ ଛାମୁକୁ ସେ ଆସିବେ ଗୋସାଇଁ

କଂସ ବୋଇଲା ପିତାଙ୍କୁ ବେଗେ ଘେନିଆସ

ଚାରେ ତହୁଁ ଯାଇ ଉଗ୍ରସେନ ରାଜାପାଶ ।

ଝୀନ ବସ୍ତ୍ର ଘେନି କଂସ ପାଦ ପୋଛିଦେଲା

ଚରଣରେଣୁ ଆସିଣ ଶିରେ ଲଗାଇଲା ।

କରପତ୍ର ଯୋଡ଼ିକରି ପାଦେ ପଡ଼ି ଶୋଇ

ଉଠି ପୁଣି ଉଭା ହୋଇ ଶିରେ କରଦେଇ ।

ବେନିକର ଯୋଡ଼ି ଉଭା ହୋଇଲା ଛାମୁରେ

ପୁରଃସରି ବଚନ ଯେ କହନ୍ତି ଅନ୍ତରେ ।

ବୋଇଲା ଭୋ ତାତ ଦିଗବିଜେ କରି ଗଲି

ଅନେକ ଅସାଧ୍ୟ ରାଜା ସାଧ୍ୟ ମୁହିଁ କଲି ।

ଅନେକ ଧନରତ୍ନ ମୁଁ ଆଣିଛି ତୋ ଛାମୁ

ସୁଖେ ବିଳସ ଭୋ ତାତ ଭୟ ତେଜି ମନୁ ।

ଅଷ୍ଟମଲ୍ଲ ମୂଳେ ଯେତେ ଯଦୁବୀର ଥିଲେ

ଗଡ଼ଘାଲି ଉଗ୍ରସେନ ପାଦରେ ଶୁତିଲେ ।

ପୁତ୍ରର ସମ୍ପଦ ଦେଖି ନୟନେ ନୃପତି

ଆନନ୍ଦେ ମନ ଉଲ୍ଲାସେ ପ୍ରଫୁଲ ତା ଛାତି ।

ବେନି ପୁତ୍ରଙ୍କୁ ସେ ବେନି ପାରୁଣେ ବସାଇ

ମସ୍ତକ ଆଉଁଷି ଦେଇ ବହୁ ପ୍ରଶଂସଇ ।

ମୁଖେ ଚୁମ୍ବନ ଦେଇ ଆଶ୍ୱାସିଣ କହି

କଂସ ବଦନ ନିରେଖି ପୁଣ ପୁଣ ଚାହିଁ  

ଆନନ୍ଦରେ ଅଶ୍ରୁଜଳ ବହେ ନୟନରୁ

ଏ ମହାଭାରା ବାବୁରେ ତୁହି ବହିପାରୁ ।

ତୁ ମୋହର ବାବୁ ଆରେ କୁଳର ଚନ୍ଦ୍ରମା

ଧନ୍ୟ ଆଶ୍ଚର୍ଯ୍ୟ ଶୁଣିଲି ତୋହର ମହିମା ।

ଧନ୍ୟ ପିତାମାତା ତୋତେ ଧଇଲେ ଯେ କୋଳେ

ଏଡ଼େ ଭାଗ୍ୟବନ୍ତ ପୁତ୍ର ପାଇ ପୁଣ୍ୟଫଳେ ।

ଯଶ କୀରତି ବିଖ୍ୟାତ ହେଲା ରବିତଳ

ଧନ୍ୟ ତୋର ରଥ ଗଜ ଚତୁରଙ୍ଗ ବଳ ।

ମଥୁରା କଟକେ ଆସି ପଶିଲେ ସକଳ

ରାଜାଙ୍କର ଦେଶକୁ ଯେ ଚଳିଗଲେ ବଳ ।

ସିଂହଦ୍ୱାରେ ସମଦଣ୍ଡ ଦେଲେକ ଚଳାଇ

ଆପଣା ନଗରେ ବୀର ପ୍ରବେଶିଲା ଯାଇ ।

ବେନିପୁତ୍ର ଘେନି ରାଜା ନବରେ ପ୍ରବେଶ

ବନ୍ଦାପନା କରିବାକୁ ମିଳି ରାଣୀହଂସ ।

ହେତି ପ୍ରହେତି ବୋଲି ବେନି ମହାଦେଈ

ନବର ଭିତରେ କଂସ ଶିରେ ଅର୍ଘ୍ୟଦେଇ ।

ଜରା ଆଦିକରି ଯେତେ ରାଜା ଆସିଥିଲେ

ରାଜାଙ୍କୁ ଜଣାଇ ସେହି ଯେଝାପୁରେ ଗଲେ ।

ନିଜପୁରେ ରହିଲା ସେ କଂସାସୁର ବୀର

ରାଜାମାନଙ୍କୁ ଡକାଇ ଆଣଇ ଡଗର ।

ଆମ୍ଭ ସଙ୍ଗତେ ଅଇଲ ତୁମ୍ଭେ ସୈନ୍ୟ ଘେନି

ଏବେ ନିଶ୍ଚିନ୍ତେ ଯାଅ ଯା ତୁମ୍ଭ ରାଜଧାନୀ ।

ରାଜା ରାଜାକେ ସେ ଧନ ସନମାନ ଦେଲା

ଆକଟରେ ଦୂତ ଗଲେ ଆସିବ ବୋଇଲା ।

ଆମ୍ଭଙ୍କୁ ଯେ ଷଡ଼ଅଂଶ ଦେଉଥିବ ଆଣି

ଅମାନିଆ ହେଲେ ଶିର ପକାଇବି ହାଣି ।

କାର୍ଯ୍ୟକାଳେ ସମଦଣ୍ଡ ଘେନିଣ ଆସିବ

ଆଜ୍ଞାଭ୍ରଷ୍ଟ ହେଲେ ଜାଣ ନିଶ୍ଚେଁ ନାଶଯିବ ।

ମେଲାଣି ନେଇ ଯେ ଯାହା ରାଜ୍ୟେ ତୁମ୍ଭେ ଯାଅ

ମୋହର ଆଜ୍ଞା ପ୍ରମାଣେ ରାଜ୍ୟ କରୁଥାଅ ।

ରାଜାଏ ବୋଇଲେ ଆମ୍ଭେ ତୁମ୍ଭର ହେଲୁଟି

ଯେତେବେଳେ ବୋଲିବ ସେବେଳେ ଆସିଖଟି ।

ଏତେକ ବୋଲି ମଥାରେ ନେଇ ହସ୍ତ ଦେଲେ

ମେଲାଣି ହୋଇଣ ନିଜ ରାଜ୍ୟେ ଚଳିଗଲେ ।

ନମାମି ଶ୍ରୀନଳଗିରି ହେ ପୁରୁଷୋତ୍ତମ

ସକଳ ବେଦ ପୁରାଣେ ଅଧିକ ତୋ ନାମ ।

ଦେବ ଉପରେ ଦେବାଧିରାଜ ଶିରୋମଣି

ଅଶେଷ ବ୍ରହ୍ମାଣ୍ଡଯାକ ଯାର ନାମ ଗୁଣି ।

ଅବ୍ୟକ୍ତ ନିରାକାର ତୁ ଅନନ୍ତ ତୋ ମାୟା

ଅଲେଖ ଅଶ୍ରୁତି ଯାର ଅଗୋଚର କାୟା ।

କୀଟରୁ ବ୍ରହ୍ମ ପର୍ଯ୍ୟନ୍ତେ ସବୁରି ତୁ ଜୀବ

ପାଦୋଦକ ନ ପାଇଲେ ଯାର ବ୍ରହ୍ମା ଶିବ ।

ଅପାରୁ ଅପାର ତୁହି ମହିମାରେ ମେରୁ

ଭକତଜନ ବାନ୍ଧବ ବାଞ୍ଛା କଳ୍ପତରୁ ।

ତୁହି ଦେବଙ୍କ ଉପରେ ଅଟୁ ଦେବରାଜା

ନିରାକାର ତୁ ଚତୁର୍ଦ୍ଧାରୂପେ ପାଉ ପୂଜା ।

ଭକତ ଜନମାନଙ୍କୁ ମୁକ୍ତି ଗତି ଦେଉ

ସଂସାର ନିସ୍ତାର ପାଇଁ ନୀଳାଚଳେ ରହୁ ।

ନମସ୍ତେ ହେ ନୀଳାଚଳପତି ଜଗନ୍ନାଥ

ତୁମ୍ଭର ପାଦପଦ୍ମରେ ଲୁଳୁ ମୋର ମାଥ ।

ବିନୟ ଭାବେ ଯେ ପଦ୍ମପାଦରେ ଶରଣ

ଶ୍ରୀରାମ ନାମଗୋଟି ଯେ ଜଗତ ତାରଣ ।

ଜଗନ୍ନାଥ ଛାମୁରେ ମୋ ନିରନ୍ତର ସେବା

ଅଚ୍ୟୁତ ଦାସ ମୁଁ ମୋତେ ଗତି ମୁକ୍ତି ଦେବା ।

 

କଂସର ରାଜତ୍ୱ ଓ ଦେବକୀର ପ୍ରଥମ ପୁତ୍ର ବଧ

ଏଥୁ ଅନନ୍ତରେ ଶୁଣ ପରୀକ୍ଷିତ ରାୟ

ଭାଗ୍ୟେ ହରିବଂଶ ଶୁଣି ପାପ କର କ୍ଷୟ ।

ଆଦ୍ୟଖଣ୍ଡରେ ଗହନ କଥା ମହାମେରୁ

ଏ କଥା ସଂକ୍ଷେପି ତୋତେ କେବା କହିପାରୁ ।

ଅଷ୍ଟମଲ୍ଲ ସଙ୍ଗେ ଘେନି ବସେ ବୀର କଂସ

ଖଟନ୍ତି ଯେ ଯାହା ଅନୁରୂପେ ସାତବଂଶ ।

ଶକ୍ରାଜିତ ଅନାଧୃଷ୍ଟ ସାତ୍ୟକି ଉଦ୍ଧବ

ଅକ୍ରୂର ଆବର ଷଷ୍ଠ ମନ୍ତ୍ରୀ ବସୁଦେବ ।

ଏ ସମସ୍ତେ ଭୃତ୍ୟ ପଣେ ଖଟନ୍ତି କଂସକୁ

ବାହ୍ୟେ ଭକ୍ତି ରଖି ହୃଦେ ଜଣାନ୍ତି ଧର୍ମକୁ ।

ଏମନ୍ତବେଳେ ପ୍ରବେଶ ହୋଇଲେ ନାରଦ

ମୁନିଙ୍କୁ ଦେଖିଣ କଂସ ହୋଇଲା ଆନନ୍ଦ ।

ନମସ୍କାର କରି ଆପେ ହସ୍ତ ଧରିନେଲା

ଏକାନ୍ତ ଭବନେ ରାଜା ପ୍ରବେଶ ହୋଇଲା ।

ବିଚିତ୍ର ଆସନେ ତାଙ୍କୁ ବସାଇଣ କଂସ

ଷଡ଼ାର୍ଘ୍ୟରେ ପୂଜାକରି ପୁଚ୍ଛଇ ବିଶ୍ୱାସ ।

 

ନାରଦ ବୋଇଲେ ରାଜା ଦିଗବିଜେ କଲୁ

ସର୍ବଶୁଭେ ବାହୁଡ଼ିଣ ପୁରକୁ ଅଇଲୁ ।

ତ୍ରୈଲୋକ୍ୟର ଈଶ୍ୱର ତୁ ହେଲୁ ଭୋଜପତି

ତୋ ସମାନେ ରାଜା କେହି ନ ଥିଲେ ଏ କ୍ଷିତି ।

ଉଗ୍ରସେନ ପୂର୍ବଭାଗ୍ୟେ ପାଇଲାକ ତୋତେ

ରାଜ୍ୟଦେଇ ଏବେ ସୁଖେ ଥାଉ ସେ ନିଶ୍ଚିନ୍ତେ ।

ପୂର୍ବକାଳେ ଆମ୍ଭେ ତୋତେ ଯାହା ଥିଲୁ କହି

ସେ କଥା ମନରୁ ଭୁଲି ଯାଇଅଛୁ ତୁହି ।

ତୁ ଭଲରେ ଥିଲେ ଆମ୍ଭେ ହେଉଥାଉ ତୋଷ

ତୁ ଯେଣୁ ଆମ୍ଭର ଅଟୁ ପରମ ବିଶ୍ୱାସ ।

ଆମ୍ଭର ବଚନ ଏବେ ମନଦେଇ ଶୁଣ

ଦେବକୀର ଉପୁଜିବ ଯେବଣ ନନ୍ଦନ ।

ତାହାର ହସ୍ତରେ ତୋର ମରଣ ନିୟତ

ଏଥିକି ତୁ ସାବଧାନେ ଥିବୁ ନରନାଥ ।

ଏତେ କହି ମୁନିବର ଶୂନ୍ୟେ ଗଲେ ଚଳି

ନାରଦଙ୍କ କଥା କଂସ ମନେ ମନେ ଭାଳି ।

ନିଜ ସଖା ଅଷ୍ଟମଲ୍ଲମାନଙ୍କୁ ଡକାଇ

ବିଶ୍ୱାସେ ମୁନିଙ୍କ କଥା ତାଙ୍କ ଆଗେ କହି ।

ଆବର ବିଶ୍ୱାସୀ ମୁଦୁସୁଲୀକୁ ହକାରି

ପାଶରେ ବସାଇ ତାକୁ କହିଲା ତିଆରି ।

ବୋଲେ ଆଲୋ ମୁଦୁସୁଲୀ ଶୁଣ ମୋର ବାଣୀ

ନ କହିବୁ କାହା ଆଗେ ଆପେ ଥିବୁ ଜାଣି ।

ମୋ ଜ୍ୟେଷ୍ଠଭଗ୍ନୀ ଦେବକୀ ଅଛି ମୋର ପୁରେ

ତୁ ସର୍ବଦା ଆଖି ରଖିଥିବୁ ତା ଉପରେ ।

ଜାଣିବୁ ସେ ଯେତେବେଳେ ହେବ ଗର୍ଭବାସ

ତକ୍ଷଣେ ତୁ ତାହା ଆସି କହିବୁ ମୋ ପାଶ ।

ଏ କଥା ମନରୁ କେବେ ନ ଦେବୁ ପାସୋରି

ଏତେ କହି ଧନରତ୍ନ ଦେଲା ଦଣ୍ଡଧାରୀ ।

ଯେ ଆଜ୍ଞା କହିଣ ତହୁଁ ମୁଦୁସୁଲୀ ଗଲା

କୋପଭର ହୋଇ କଂସ ମନେ ବିଚାରିଲା ।

ପିତା ଉଗ୍ରସେନ ମୋର ଏଥିର କାରଣ

ଝିଅ ଜନ୍ମ କରିଅଛି ଘେନିବ ମୋ ପ୍ରାଣ ।

ଏମନ୍ତ ବିଚାରି ତହୁଁ ବେଗହୋଇ ଗଲା

ଉଗ୍ରସେନ ପାଶେ ମିଳି ସକ୍ରୋଧେ କହିଲା ।

ତୁ ମୋହର ପିତା ନୋହୁ ଅଟୁ କାଳଶତ୍ରୁ

ଝିଅ ଜନ୍ମ କରିଛୁ ମୁଁ ମରିବି ତା ହେତୁ ।

ଏଣୁ କଟୁଆଳ ପଣ ଦେଲି ଆଜୁଁ ତୋତେ

ଦିବସେ ଗୁହାରିମାନ ବୁଝୁଥିବୁ ନିତ୍ୟେ ।

ରାତିଯାକ ବୁଲୁଥିବୁ ହୋଇ ଉଜାଗର

ଅନ୍ୟଥା କଲେ କାଟିବି ନିଶ୍ଚେଁ ତୋର ଶିର ।

ଏମନ୍ତ କହି ସ୍ୱହସ୍ତେ ଶାଢ଼ୀ ବାନ୍ଧି ଶିରେ

ଦେବକୀକୁ ବୋଇଲା ତୁ ଯାଅ ତୋ ମନ୍ଦିରେ ।

ସୁନାସ ନାମେ ଅଟେ ଯେ କଂସ ସାନଭାଇ

ତାକୁ ସଙ୍ଗତରେ ଘେନି ରାଜ୍ୟ ଚରଚଇ ।

ଅତି ସୁଖେ ରହି ରାଜ୍ୟ କରଇ ସେ ରାୟ

ମହୀମଣ୍ଡଳେ କାହାକୁ ନାହିଁ ତାର ଭୟ ।

ଏଥୁ ଅନନ୍ତରେ ତହୁଁ କେତେଦିନ ଗଲା

ଦିନେ ମୁଦୁସୁଲୀ କଂସ ଆଗରେ କହିଲା ।

ଭୋଦେବ ଦେବକୀ ବୋଲି ବସୁଦେବ ନାରୀ

ଆଦ୍ୟଗର୍ଭ ତିନିମାସ ହୋଇଲା ତାହାରି ।

ଯେବଣ ଆଜ୍ଞା ଭୋ ପୂର୍ବେ ଦେଇଥିଲ ମୋତେ

ଜଣାଇଲି ଆସି ଛାମୁ ଜାଣିବା ନିମନ୍ତେ ।

ଏହା ଶୁଣି  କଂସରାଜା ସ୍ତମ୍ଭୀଭୂତ ହେଲା

କେବଣ ଉପାୟ ଏବେ କରିବି ବୋଇଲା ।

ଏ କଥା ଆଗ ତଦନ୍ତ କରିଣ ଜାଣିବା

ସମାଚାର ଦେବକୀକୁ ପଚାରି ବୁଝିବା ।

ଆଜ୍ଞାଦେଲା କଂସରାଜା ମୁଦୁସୁଲୀ ରାଇ

ମୋ ପାଶକୁ ଦେବକୀକୁ ଡାକିଆଣ ଯାଇ ।

ଆଜ୍ଞାପାଇ ମୁଦୁସୁଲୀ ଧାତିକାରେ ଗଲା

ବସୁଦେବର ଆଗରେ ଯାଇ ଜଣାଇଲା ।

ଦେବକୀ ଆଗେ କହଇ କରି ସଦଭାବ

ରାଜାଙ୍କର ଆଜ୍ଞା ତୁମ୍ଭେ ବେଗହୋଇ ଯିବ ।

ବସଦେବର ସହିତେ ଏହିକ୍ଷଣି ଆସ

ରାଜାଙ୍କର ତୁମ୍ଭ ଯିବାଯାଏ ଅବକାଶ ।

ଏ ବାଣୀ ଶୁଣି ଦେବକୀ ତୁରିତେ ଉଠିଲେ

ବସୁଦେବ ସଙ୍ଗେ କଂସ ଛାମୁକୁ ଅଇଲେ ।

ଭୋଜବଂଶ ରାଜା ବିଜେ କରିଛନ୍ତି ଯହିଁ

ଦେବକୀ ଯେ ବସୁଦେବ ମିଳିଲେକ ତହିଁ ।

ଦେଖା ଦରଶନୀ ଦେଲେ ଶ୍ରୀଛାମୁରେ ଥୋଇ

ନିଉଛାଳି ଉଭାହେଲେ କାଖେ ହସ୍ତ ଦେଇ ।

ଭିଣୋଇ ଭଉଣୀ ଦେଖି କଂସ ମହାରାଜା

ବସ୍ତ୍ର ଅଳଙ୍କାର ଦେଇ  କରେ ତାଙ୍କୁ ପୂଜା ।

କୃତାଞ୍ଜଳି ହୋଇ ତାଙ୍କୁ ବୋଲେ କଂସବୀର

ତୁମ୍ଭେ ଆମ୍ଭର ଭଉଣୀ ଭିଣୋଇ ନିଜର ।

ଦେବକୀ ଦୈବକୀ କଂସ ସୁନାସ ଏ ଚାରି

ଇନ୍ଦୁମତୀ ମହାଦେଈ ଗର୍ଭୁ ଅବତରି ।

ଦଇବର ଘଟସୂତ୍ର କେ କରିବ ଆନ

ବିଧାତା ପୁରୁଷ ଏହା କରିଛି ଭିଆଣ ।

ଦେବକୀ ଦୈବକୀ ତୁମ୍ଭେ ଅଟୁ ଦୁଇଭଗ୍ନୀ

କଂସ ସୁନାସ ଆମ୍ଭେ ଯେ ଅଟୁ ଭାଇ ବେନି ।

ଆମ୍ଭେ ଯେ ଏକ ସୋଦର ନୋହୁ ଭିନ୍ନ ଭିନ୍ନ

କପାଳ ଲେଖନ କଥା କେ କରିବ ଆନ ।

ବିଧାତା ଯୋଗେ ଆମ୍ଭର ହେଲା ଭିନ୍ନ କଥା

ନବଦୀପ ସପ୍ତସିନ୍ଧୁ ମଧ୍ୟେ ମହାରାଥା ।

ଦେବ ଦାନବ ମାନବ କଲେ ମୋତେ ପୂଜା

ତ୍ରିଭୁବନେ ମୁଁ ଦେବାଧିଦେବ ମହାରାଜା ।

ସ୍ୱର୍ଗମଞ୍ଚ ପାତାଳ ମୁଁ ଜିଣିଲଇଁ ସବୁ

ମୁଁ ତୋର ସୋଦର ଯେବେ କଥାଏ ତୁ ଦେବୁ ।

ଆପଣା ସୋଦର ବୋଲି କରିବୁ ନା ଦୟା

ଯୁଗେ ଯୁଗେ ଅଜ୍ରାମର ହେବ ମୋର କାୟା ।

ମୋହ ପରା ଭାଇ ଯେବେ ହୋଇବ ବିନାଶ

ଏଥି  ଉପରେ ଶୁଣ ଗୋ ଅଛି ଆଉ କିସ ।

ଯେତେକାଳ  ପର୍ଯ୍ୟନ୍ତେ ଗୋ ଥିବ ମୋର ଦେହୀ

ଇନ୍ଦ୍ର ପଦ ସମ୍ପଦ ଗୋ ଦେଇପାରେ ମୁହିଁ ।

ଦେବକୀର ବୋଇଲା ବାବୁ ଏହା କିପାଁ କହୁ

ସାତବଂଶକୁ କାରଣ ତୁହି ମହାବାହୁ ।

ମୋତେ କିପାଇଁ ବାବୁରେ ବିନୟୀ ହେଉଛୁ

ଆମ୍ଭେ ଯେ ସମସ୍ତେ ଅନ୍ଧ ତୁହି ଦିବ୍ୟ ଚକ୍ଷୁ ।

ତୋର ଭୁଜବଳେ ବାବୁ ଅର୍ଜିଲୁ ଏ ଶିରୀ

ଇନ୍ଦ୍ରକୁ ନ ଡରୁ ଆମ୍ଭେ ତୋତେ ଆଶ୍ରା କରି ।

କେଉଁ ଛାର କଥାକୁ ଯେ ତୋର ଏତେ ଶଙ୍କା

ଏହା ଦେଖି ହେଉଛି ମୁଁ ବଡ଼ ତାଟକା ।

ସେ କଥା ସଂକ୍ଷେପି କହ ତୁହି ମୋର ଆଗେ

ଦେବକୀ ଯେ ବସୁଦେବ କହନ୍ତି ସରାଗେ ।

ଦେବକୀ ମୁଖରୁ ବାକ୍ୟ ଏସନକ ଶୁଣି

ଭଉଣୀ ମୁଖକୁ ଚାହିଁ କହେ ନୃପମଣି ।

ଯାବତକାଳ ମୁଁ ସେବା କରିଥିବି ତୋତେ

ମୋର ମନୋବାଞ୍ଛା ଯେବେ ଦେଇପାରୁ ମୋତେ ।

ଅନେକ କାକୁସ୍ଥ ଯହୁଁ ହେଲା କଂସରାୟେ

ପରମ ଆନନ୍ଦ ହୋଇ ବସୁଦେବ କହେ ।

ଯେବଣ କଂସକୁ ଦେବେ କରୁଥାନ୍ତି ଭୀତି

ବସୁଦେବ ଦେବକୀ କି ନୋହିବେ ତୃପତି ।

ତୁ ଆମ୍ଭର ପଞ୍ଚଭୂତ ଆତ୍ମାକୁ କାରେଣି

ତୋହର ପ୍ରସାଦେ ଆମ୍ଭେ ଜଗତେ ବରଣି ।

କାହିଁକି ବିନୟୀ ହେଉ କହୁ କିନା ମୋତେ

ସଚରାଚର ଭିତରେ ଅପୂର୍ବ କି ତୋତେ ।

ସ୍ୱର୍ଗ ମଞ୍ଚ ପାତାଳ ତୁ ଜିଣି ଭୁଜବଳେ

ତୁମ୍ଭଙ୍କୁ କି ଅପ୍ରାପତ ହେଲା ରବିତଳେ ।

ବ୍ରହ୍ମା ରୁଦ୍ର ଇନ୍ଦ୍ର ଦେବ ଦାନବ ଯେ ହୋଇ

କେ ତୁମ୍ଭ ଆଜ୍ଞା ଲଘିଂବ ମଞ୍ଚେ ଦେହ ବହି ।

ପଞ୍ଚଭୂତ ଆତ୍ମା ତୁହି ପିଣ୍ଡ ଆମ୍ଭେ ସବୁ

ମୋତେ ତୁ ଏଡ଼େ ବିନୟେ କହୁ କିପାଁ ବାବୁ ।

ଏକା ଗର୍ଭରୁ ଯେ ଆମ୍ଭେ ହୋଇ ଥାଇଁ ଜାତ

ଉଗ୍ରସେନ ଆମ୍ଭ ପିତା ଇନ୍ଦୁମତୀ ମାତ ।

ତାହାର ତହୁଁ ଜନ୍ମିଛୁଁ ଆମ୍ଭେ ସର୍ବେ ସୁଖେ

ରାଜଜେମା ବୋଲାଉଛୁଁ ଆମ୍ଭେ ଜନମୁଖେ ।

ଏଥୁଁ ବଡ଼ପଣ ଆଉ ଅର୍ଜିବୁ ବା କେତେ

ଯାହା ମାଗିବୁ ବାବୁ ଦେବଇଁ ତୁରିତେ ।

କଂସ ବୋଇଲା ଭଗିନୀ ସଙ୍କଟ ଏ କଥା

ତୁମ୍ଭ ମନକୁ ଲାଗିଲା ଏଣେ ବଡ଼ ବ୍ୟଥା ।

ସୁହୃଦରେ ଦ୍ରୋହ ମୁଁ ଯେ କେମନ୍ତେ କରିବି

ସେହିକଥା ନ କଲେ ମୁଁ ନିଶ୍ଚୟ ମରିବି ।

ଦେବକୀ ବୋଇଲା ବାବୁ ତୋର ବର୍ତ୍ତିଥିଲେ

ଆମ୍ଭେ ଇଚ୍ଛା କରିବୁ କି ତୋର ମନ୍ଦ ହେଲେ ।

କଂସ ବୋଲଇ ଭଗିନୀ ମାଗିବି ମୁଁ ଯାହା

ନିଶ୍ଚୟ ମହାତ୍ମାଣି ଗୋ ଦେବୁ ମୋତେ ତାହା ।

ଦେବକୀ ବୋଲେ ଜୀବନ ମାଗିଲେ ମୁଁ ଦେବି

ତୋହପ୍ରାୟ ଭାଇ କେଉଁ ଜନମେ ପାଇବି ।

କଂସ ବୋଲେ ଯତି ତୋର ଦେବାକଥା ସତ

ଧର୍ମସାକ୍ଷୀ କରି କର ତିନିବାର ସତ୍ୟ ।

ଏହା ଶୁଣିଣୀ ଦେବକୀ ଧର୍ମସାକ୍ଷୀ କଲା

କହୁଅଛି ଦେବି ଦେବି ଦେବି ଯେ ବୋଇଲା ।

ଦେବକୀ ମୁଖରୁ କଂସ ଶୁଣି ଦୃଢ଼ବାଣୀ

ବିନୟ ଭାବେ କହଇ କଂସ ବୀରମଣି ।

ନାରଦ ମୁନି ଯେ ମୋତେ ବୋଲିଛନ୍ତି ସତ୍ୟ

ତୋହର ଭଣଜା ହାତେ ତୋ ମୃତ୍ୟୁ ନିୟତ ।

କାହାରି ହିଁ ବଳେ ମୋତେ ନୁହଁଇ ଯେ ମାରି

ତୋହର ପୁତ୍ରର ହସ୍ତେ ନିଶ୍ଚେଁ ମୁହିଁ ମରି ।

ସ୍ୱହସ୍ତେ ବଧ କରିବି ତାକୁ ଆଗେ ମୁହିଁ

ଏ କଥାଗୋଟି ନାରଦ ମୁନି ମୋତେ କହି ।

ଦଶମାସ ପର୍ଯ୍ୟନ୍ତ ମୋ ଅନ୍ତଃପୁରେ ଥିବୁ

ଜନ୍ମ ହେଲେ ପୁତ୍ର ତୋର ମୋତେ  ସମର୍ପିବୁ ।

ତୋହର ସଙ୍ଗେ ମୋହର ଭିଣୋଇ ଯେ ଥିବ

ପ୍ରସବ କରିବା ଯାଏ କାହିଁ ସେ ନ ଯିବ ।

ଏ କଥାକୁ ତୁମ୍ଭେ କେଭେ ନ କରିବ ନାହିଁ

ମୋତେ ନ ଦେଖି ମରିବ ସର୍ବେ କଷ୍ଟପାଇ ।

ପୁତ୍ରଦେଇ ତୁମ୍ଭେ ଦୁଇ ତୃପ୍ତି ମୋତେ କର

ପରିଚାରପଣେ ଥିବି ସର୍ବଦା ଗୋ ତୋର ।

ମୋହ ବର୍ତ୍ତିଥିବା ଯୋଗୁ ଭୋଜବଂଶ ଆଶା

ମୋହର ମଲେ ଗୋ ତୁମ୍ଭେ ହେବ ନିଭରସା ।

ଲୋକେ ଯେ ବୋଲିବେ କଂସ ଆତ୍ମଘାତୀ ହେଲା

ଭାଇର ବଚନେ ଦେବୀ ଦେବକୀ ବୋଇଲା ।

ଆପଣାର ଅନ୍ତରେ ସେ ଭଳି ପୁଣି ପୁଣି

ଦୁଃସହ ସଙ୍କଟ କଂସ ଦେଉଅଛି ଆଣି ।

ଧର୍ମ ବଳେ ସିନା ପୁତ୍ର ପୁତ୍ରୀ ଜାତ କରି

ଶତ୍ରୁ ହସ୍ତେ ଦେବା ଚିତ୍ତ ବଳିବ କାହାରି ।

ଆମ୍ଭର ସୋଦର ପୁଣି ଅଟେ କଂସରାୟ

ବ୍ରହ୍ମା ଇନ୍ଦ୍ର ରୁଦ୍ରକୁ ଯେ ନାହିଁ ତାର ଭୟ ।

ଏହାର ଆଜ୍ଞା ମୁଁ ଭ୍ରଷ୍ଟ କରିବି କେମନ୍ତେ

ଯାର ପ୍ରସାଦେ ବିପୁଳ ଲକ୍ଷ୍ମୀ ଭୋଗ ମୋତେ ।

ଆବର ବିଶେଷ ସେହି ବିନୟେ କହିଲା

ଧର୍ମକୁ ସାକ୍ଷୀ କରିଣ ସତ୍ୟ ମନାଇଲା ।

ନ ଦେବିବୋଲି ଯେ ମୁହିଁ ବୋଲିବି କେମନ୍ତେ

ତିନିବାର ସତ୍ୟ ପୁଣି କରାଇଛି ମୋତେ ।

କଂସକୁ ଛାଡ଼ିଲେ ଧର୍ମ  ନ ଗଚ୍ଛିବ ସତ୍ୟେ

ସେ କୋପକଲେ ରଖିବ ମୋତେ କେ ଜଗତେ

ଯାହାର କୋପ କଲେ ମୁଁ କ୍ଷଣେ ବର୍ତ୍ତି ନାହିଁ

ସ୍ୱର୍ଗ ମଞ୍ଚ ପାତାଳରେ ଠାବ ଅଛି କାହିଁ ।

ଅସନମତ କଲେ ସେ ବନ୍ଦିରେ ରଖିବ

ଅନେକ ଶାସ୍ତି ଦେଇଣ ପ୍ରାଣରେ ମାରିବ ।

ଏକା ମାକତା ଗର୍ଭରୁ ତ ହୋଇଥିଲୁ ଜନ୍ମ

ଦଇବ ବିହିଲା ଆଣି ଏସନକ କର୍ମ ।

ଏମନ୍ତ ଅଛଇ ଯେବେ ପୂର୍ବର ଭବିଷ୍ୟ

ସେ କଥା ଆମ୍ଭେ କହିଲେ ହେବ ଆଉ କିସ ।

ଦିଗପାଳ ସମାନେ ତ ମୋର କଂସ ଭାଇ

ତାହାକୁ ଛାଡ଼ିଲେ ମୋତେ ଧର୍ମ ନ ସହଇ ।

ଦେହ ଥିଲେ ତ ଅର୍ଜିବି ପୁଣ ପୁତ୍ର ମୁହିଁ

ରାଜାର ଆଜ୍ଞା ଅବଜ୍ଞା କରି ନ ପାରଇ ।

ସର୍ବଗୁଣେ ସୁଲକ୍ଷଣ ଅଟେ କଂସକାୟା

ସତେ କି ଛାଡ଼ିବ ମୋତେ ହୃଦରୁ ସେ ଦୟା ।

ଏତେ ଭାଳି ଦେବି ବୋଲି ସନମତ କଲେ

ତୁ ଯାହା ମାଗିଲୁ ତାହା ଦେବଇଁ ବୋଇଲେ ।

ତୁ ସୁସ୍ଥ ଥିଲେ ସକଳ ସୁଖ ଅଛି ମୋତେ

ତୁମ୍ଭ କଥା ନାସ୍ତି ଅବା କରିବି କେମନ୍ତେ ।

କଂସ ବୋଇଲା ତୁମ୍ଭେ ଗୋ ମୋର ପ୍ରାଣସାଇଁ

ସୁଖେ ରାଜ୍ୟେ ଥାଅ ମୋତେ ଅଷ୍ଟପୁତ୍ର ଦେଇ ।

ତୁମ୍ଭଙ୍କୁ ମୋହର ଆଗେ ନିରନ୍ତର ସେବା ।

ଏ କଷ୍ଟରୁ ଭଗିନୀ ତୁ ରଖିପାରୁ ଅବା ।

ଏ ଅନୁକୂଳେ ଗୋ ଅନ୍ତଃପୁରେ ବିଜେ କର

ପୁତ୍ର ଜନ୍ମ ହେଲେ ଆଣି ଦେବୁ ମୋ ହସ୍ତର ।

ଦେବକୀ ଯେ ରାଣୀହଂସପୁରେ ବିଜେକଲେ

ପାଞ୍ଚଲକ୍ଷ ଯେ ପାହାରୀ ତାଙ୍କ ପଛେ ଗଲେ ।

ଧାଇଁ ମୁଦୁସୁଲୀ ଦେଲା ଅନେକ ନାୟିକା

ତାର ମନ ରଞ୍ଜିଣ ଏ ହୋଇଥିବେ ସଖା ।

ନବର ପାରୁଶେ ଆନ ନବର ଭିଆଇ

ଯତ୍ନରେ ଥୋଇଲା ତହିଁ ଭଗିନୀକି ନେଇ ।

ନିବିଡ଼ ରତ୍ନ ପାଷାଣେ ନିର୍ମାଣ ସେ ପୁର

ବଜ୍ରହୁଁ ଆଣ୍ଟ କରିଣ ଗଢ଼ାଇ ଅସୁର ।

ଶଙ୍ଖନାଭ ପାଷାଣରେ ନିର୍ମାଣିଲା ରାୟେ

ଯେ ଦେଖିବ ସେ ଜାଣିବ ପଥର ଗୋଟିଏ ।

ବାଡ଼ ଅନ୍ତରେ ପାହାରୀ ଜଗି ନିରନ୍ତରେ

ଦିନ ଗଣୁଛନ୍ତି ଧରି ଲେଖନ ପତରେ ।

କ୍ଷଣେ ନ ଛାଡ଼ନ୍ତି ରାତିଦିନ ଜଗିଥାନ୍ତି

ଆଦି ଉପାଧି ବାରତା ଛାମୁରେ ଦିଅନ୍ତି ।

ପ୍ରଥମେ  ସେ କନ୍ୟାମାସେ ହେଲେ ଗର୍ଭବତୀ

ମିଥୁନ ପଶନ୍ତେ ପୂର୍ଣ୍ଣ ଦଶମାସ ସ୍ଥିତି ।

ଆଷାଢ଼ ଶୁକ୍ଳ ଦଶମୀ ତିଥି ଗୁରୁବାର

ମଘା ନାମରେ ନକ୍ଷତ୍ର ଅଟେ ସେ ଦିନର ।

ବାଣିଜ୍ୟନାମେ କରଣ ଧୃତି ନାମେ ଯୋଗ

ବିଷ୍ଟିକରଣରୁ ଦଣ୍ଡ ଏକାଦଶ ଭୋଗ ।

ସେଦିନ ଦେବକୀ ଦେବୀ ପୁତ୍ର କଲେ ଜାତ

ଅମଙ୍ଗଳ ମଣିଲେ ସେ ଦେଖି ଉତପାତ ।

ଡଗରାମାନେ ରାଜାଙ୍କୁ ଯାଇ ଜଣାଇଲେ

ଦେବକୀ ଦେବୀର ପୁତ୍ର ହୋଇଲା ବୋଇଲେ ।

ଭୋ ଦେବ ତୁ ସାବଧାନେ ଶୁଣ ଭୋଜନାଥ

ଦେବକୀ ଦେବୀର ପୁତ୍ର ଆଜ ହେଲା ଜାତ ।

ଶୁଣିଣ କଂସ ଆସ୍ଥାନୁ ପଡ଼ିଲାକ ଡେଇଁ

ଦେବକୀର ସନ୍ନିଧିରେ ପ୍ରବେଶିଲା ଯାଇ ।

କେଶବାସ ଅସମ୍ଭାଳ ବହେ ଶ୍ରମଝାଳ

ପ୍ରଚଣ୍ଡ ମୂରତି ଦିଶେ ହୋଇ କୋପାନଳ ।

କରେ ଖଡ଼୍‌ଗ ଧରି ବୀର ଉଭାହେଲା ଆଗେ

ଦେବକୀକୁ ବୋଲେ ଭଗ୍ନୀ ପୁତ୍ର ଦିଅ ବେଗେ ।

ଭାଇକୁ ଦେଖି ଦେବକୀ ଶୋକଭର ହୋଇ

ଧାତାକୁ ସୁମରି ପୁତ୍ର ଦେଲାକ ବଢ଼ାଇ ।

ପୁତ୍ର ନିଧନ ଜାଣି ନେତ୍ରୁ ବହେ ଲୁହ

ଚଳିଣ ପଡ଼ିଲା ତଳେ ଅସାଷ୍ଟମ ଦେହ ।

ଧାଈ ମୁଦୁସୁଲୀ ତାଙ୍କୁ ତୋଳିଣ ଧଇଲେ

ଜଳ ସିଞ୍ଚି କାନ ପୁଙ୍କି ଚେତା କରାଇଲେ ।

ବାଳକକୁ ଘେନି କଂସ ବେଗେ ଚଳିଗଲା

ଦର୍ପଣ ଶିଳା ଉପରେ ନେଇ କଚାଡ଼ିଲା ।

ବେନିପାଦ ଧରି କଂସ ଗରଜନ କରି

ମନ୍ଦରପର୍ବତ ନାଦେ ପଡ଼ିଲା କି ଝଡ଼ି ।

ଯୁକତେ ବାଳକ ସେହି ଜନ୍ମହେଲା ପିଣ୍ଡ

ପାଷାଣ ଉପରେ ପଡ଼ି ହେଲା ଶତଖଣ୍ଡ ।

କର ଚରଣ ତାହାର ହାଡ଼ ମାଂସ ମୂଳେ

ଖଣ୍ଡ ଖଣ୍ଡ ହୋଇ ସବୁ ପଡ଼େ ମହୀତଳେ ।

ରକତ ହାଡ଼ ମାଂସ ଯେ ନ ଦିଶଇ କିଛି

ଧୂଳି ହୋଇଯାଇ ସବୁ ଗଗନେ ଉଡ଼ୁଛି ।

କାଳାନ୍ତକ ବିମାନ ସେ ନିଜପୁରେ ଗଲା

ଯହୁଁ ସେ ଅମରପୁରେ ଅଦୃଶ୍ୟ ହୋଇଲା ।

ଦେବକୀ ଦେବୀ ଅନେକ ମତେ ଶୋକ କଲେ

ବସୁଦେବର ବିକଳ କହନ୍ତେ ନ ସରେ ।

ଘନ ଘନ ନୟନରୁ ବହେ ଅଶ୍ରୁଜଳ

ଦେବକୀ ବସୁଦେବ ଏ ବେନି ଯେ ବିକଳ ।

କେବଳ ବିଧାତା ମୋତେ ଏ କଷଣ ଦେଲା

ବାଳକ ପୁତ୍ର ମୋହର କଂସ କଚାଡ଼ିଲା ।

ମାତୁଳ ହୋଇ ସେ ପୁଣି ଭଣଜା ମାରଇ

ଏମନ୍ତ କହିଣ ଦେବୀ ଢଳିଣ ପଡ଼ଇ ।

ପୁଣି ସଚେତ ହୋଇଣ ସେ ବେନି ପରାଣୀ

ହା ହା ବିଧାତା ରେ ବୋଲି କରନ୍ତି ଭାଳେଣି ।

ଜୟ ଜୟ ଜଗନ୍ନାଥ ଜଗତ ତାରଣ

ଜୟ ଜୟ ଜଗନ୍ନାଥ ପରମ କାରଣ ।

ଜୟ ଜୟ ଜଗନ୍ନାଥ ତୁ ପରମାନନ୍ଦ

ଜୟ ଜୟ ଜଗନ୍ନାଥ ଅଟୁ ଆଦିକନ୍ଦ ।

ଜୟ ଜୟ ଜଗନ୍ନାଥ ଦୀନଜନ ବନ୍ଧୁ

ଜୟ ଜୟ ଜଗନ୍ନାଥ କୃପାଜଳ ସିନ୍ଧୁ ।

ଜୟ ଜୟ ଜଗନ୍ନାଥ କରୁଣା ବାରିଧି

ଜୟ ଜୟ ଜଗନ୍ନାଥ ଅନାଦି ତୁ ଆଦି ।

ଜୟ ଜୟ ଜଗନ୍ନାଥ ପରମ ପୁରୁଷ

ଜୟ ଜୟ ଜଗନ୍ନାଥ କମଳାବିଳାସ ।

ଜୟ ଜୟ ଜଗନ୍ନାଥ ନୀଳଗିରିବାସୀ

ଜୟ ଜୟ ଜଗନ୍ନାଥ ପରଂବ୍ରହ୍ମରାଶି ।

ଜୟ ଜୟ ଜଗନ୍ନାଥ ଚତୁର୍ଦ୍ଧା ମୂରତି

ଅଚ୍ୟୁତାନନ୍ଦ ଦାସ ତୋ ଦାସ ଦିନରାତି ।

 

ଦେବଗଣଙ୍କର ବନ୍ଦୀ

ଏଥୁ ଅନନ୍ତରେ ପୁଣି ପରୀକ୍ଷିତ ରାୟେ

ଦଣ୍ଡବତ ହୋଇ ପଡ଼େ ଶୁକମୁନି ପାୟେ ।

ଭୋ ଦେବ କଂସର ଦିଗବିଜେ ମୁଁ ଶୁଣିଲି

ଦେବଙ୍କ ମୁଖ୍ୟ ବୋଲି ମୁଁ କଂସକୁ ଜାଣିଲି ।

ମଞ୍ଚରାଜା ହୋଇ ବଳେ ସ୍ୱର୍ଗପୁରେ ଗଲା

ଦେବତାମାନଙ୍କୁ ଧରି କେତେ ଦୁଃଖଦେଲା ।

ସ୍ୱର୍ଗମଣ୍ଡଳେ ପଶିଣ ଜିଣି ସୁରପତି

ତାର ପାଦଭାରା କମ୍ପେ ବସୁମତୀ ।

ଏଥକୁ ଦେବତାମାନେ ବିଚାରିଲେ କିସ

ସଂକ୍ଷେପି କହିବା ମୋତେ ବ୍ୟାସମୁନି ଶିଷ୍ୟ ।

ପରୀକ୍ଷିତ ପଚାରନ୍ତେ ଏସନକ ବାଣୀ

ବୋଲନ୍ତି ସେ ଶୁକମୁନି ଶୁଣ ନୃପମଣି ।

ସାବଧାନେ ଶୁଣ ତୁ ହୋ ପରୀକ୍ଷିତ ରାୟେ

ଯେତେବେଳେ କଂସାସୁର ସ୍ୱର୍ଗକଲା ଜୟେ ।

ସୁଧର୍ମା ସଭାରେ ବସିଥିଲେ ସୁରପତି

ତେତିଶକୋଟି ଦେବତା ସ୍ୱର୍ଗରେ ଅଛନ୍ତି ।

 

ଚନ୍ଦ୍ର ସୂର୍ଯ୍ୟ ବୈଶ୍ୱାନର ବରୁଣ କୁବେର

ପବନ ନୈର୍ଋତ ବିଶ୍ୱକର୍ମା ନାଶକର ।

ଗ୍ରହଙ୍କ ମୂଳେ ଅଛନ୍ତି ଗୁରୁ ବୃହସ୍ପତି

ଶିବଗଣ ସଙ୍ଗତରେ ଦେବ ପଶୁପତି ।

ତାର ବାର ଯୋଗମୂଳେ ନକ୍ଷତ୍ର କରଣ

ଅଷ୍ଟବସୁ ବିଦ୍ୟାଧର ସୁର ସିଦ୍ଧ ଜନ ।

ଯକ୍ଷ ଗନ୍ଧର୍ବ କିନ୍ନରଗଣ ବ୍ରହ୍ମବେତ୍ତା

ଦେବଋଷି ବ୍ରହ୍ମଋଷି ଘେନିଣ ବିଧାତା ।

ଆବର୍ତ୍ତକ ସମ୍ବର୍ତ୍ତକ ଦ୍ରୋଣ ଯେ ପୁଷ୍କର

ପନ୍ଦର ତିଥି ଆବର ସପତ ଯେ ବାର ।

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଯେତେ ଦେବୀ ଥିଲେ

ଚଣ୍ଡୀ ଭଇରବୀ ଆସି ସମସ୍ତେ ମିଳିଲେ ।

ଅନନ୍ତ ନାଗ ସହିତେ ବାସୁକୀ ଯେ କ୍ଷିତି

କହନ୍ତି ଯେ ସମସ୍ତଙ୍କୁ ଚାହିଁ ସୁରପତି ।

ସକଳ ଦେବ ଦେବୀଯେ ଶୁଣ ମୋର ବାଣୀ

ଆହେ ଦିଗପାଳେ ତୁମ୍ଭେ ସ୍ୱର୍ଗକୁ କାରେଣୀ ।

ସ୍ୱର୍ଗକୁ ଲାଗିଲା ଏବେ ଆସି ବଡ଼ ଭୟ

ଏଥକୁ କରିବ ତୁମ୍ଭେ କେବଣ ଉପାୟ ।

କେଉଁ ପ୍ରକାରେ ଅମରପୁର ହେବ ରକ୍ଷା

ଏ କଥା ବିଚାରି ସର୍ବେ ଦିଅ ମୋତେ ଶିକ୍ଷା ।

ବୃହସ୍ପତି ବୋଇଲେ ତୁ ସ୍ୱର୍ଗକୁ କାରେଣି

ଦେବଙ୍କ ଉପରେ ଅଟୁ ଦେବ ଶିରୋମଣି ।

ଏ ସ୍ୱର୍ଗ ଭୁବନର ତୁ ସିନା ରକ୍ଷାପାଳ

ଆମ୍ଭଙ୍କୁ କି ବିଚାର ହୋ ମାଗୁ ଆଖଣ୍ଡଳ ।

ତୋର ବିଚାରକୁ ଯାହା ଆସେ ତାହା କର

ଏଥେ ସନମତ ହେଲା ସବୁରି ଆମ୍ଭର ।

ଇନ୍ଦ୍ର ବୋଇଲେ କଂସକୁ ଆମ୍ଭେ ନୋହୁ ସରି

ବୁଦ୍ଧିବଳ ଉପାୟରେ ଅବା ଜିଣିପାରି ।

ସମ୍ମୁଖ ସମରେ ଆମ୍ଭେ ଜିଣି ନ ପାରିବା

କୋଟି କୋଟି ଏକ ହେଲେ କଂସକୁ ହାରିବା ।

ଦୁର୍ବାର ଦାନବ ସେହି କଂସ ମହାମଲ୍ଲ

ତିନି ଭୁବନରେ ହୋଇଅଛି ବଡ଼ ଶଲ ।

ବଳେ ନ ପାରି ବୁଦ୍ଧିରେ ଜିଣିପାରି ତାହା

ଏମନ୍ତ ବୋଲି କହିଲେ ଯହୁଁ ଶଚୀନାହା ।

ଉପାୟ କରି ଈଶ୍ୱର ତ୍ରିପୁର ଜିଣିଲେ

ଉପାୟରେ ଭଗୀରଥ ଗଙ୍ଗା ଘେନିଗଲେ ।

ଉପାୟରେ କ୍ଷେତ୍ରପାଳ ଉଚ୍ଚୈଃଶ୍ରବା ଆଣି

ଉପାୟ କରି କୁବେର ଅଷ୍ଟନିଧି ଜିଣି ।

ମନ୍ତ୍ର ବିଦ୍ୟା ଉଦ୍ୟମରେ ସାଧ୍ୟ ସବୁ କାର୍ଯ୍ୟ

ବୋଲନ୍ତି ଯେ ଏସନକ ବାଣୀ ସୁରରାଜ ।

ବଳରେ ନ ପାରି ଯେବେ ବୁଦ୍ଧିବଳ କରି

ବୁଦ୍ଧିବଳ ଗୋଟାକୁ ଯେ ବଳ ନୋହେ ସରି ।

ଏତେ ବୋଲି ସୁରପତି ଆସ୍ଥାନୁ ଉଠିଲେ

ଶାଢ଼ୀ ଚନ୍ଦନ ଘେନି ଶ୍ରୀମୁଖେ ଆଜ୍ଞା ଦେଲେ ।

ଆହେ ଦେବଗଣ ତୁମ୍ଭେ ଶୁଣ ଆମ୍ଭ ବାଣୀ

ଜଣେ ଜଣେ ଅଟ ତୁମ୍ଭେ ସଂସାର କାରେଣୀ ।

ଆହେ ଚାରିମେଘ ତୁମ୍ଭେ ଦଶଦିଗପାଳେ

କଂସରାଜ୍ୟେ ଜଳବୃଷ୍ଟି ନ କରିବ କାଳେ ।

ଏ ମୋର ବଚନ ତୁମ୍ଭେ ଥିବ ପରିମାଣି

ଏମନ୍ତ ଆଜ୍ଞାଦେଲେ ଯେ ଦେବ ଶିରୋମଣି ।

କଂସକୁ ମାନିଆପଣେ ଖଟେ ଯେତେ ସୃଷ୍ଟି

ତେତେ ଦୂରଯାଏ ତୁମ୍ଭେ ନ କରିବ ବୃଷ୍ଟି ।

ଜାଣି ବା ନ ଜାଣି ଯେବେ ବରଷିଲେ ଜଳ

ପୃଥ୍ୱୀକୁ ବୋଇଲେ ତୁ ନ ଦେବୁ ଶସ୍ୟଫଳ ।

କୃଷିର ନିମନ୍ତେ ଯେବେ କରିବେ ସେ ଚାଷ

ବୁଣିଲେ ସେ ନ ଉଠିବ ସବୁ ଯିବ ନାଶ ।

ବାସୁକୀକି ଚାହିଁ ପୁଣି ବୋଲେ ଦେବରାଜେ

ଯେତେ ଧନ ପୋତିଛନ୍ତି କଂସରାଜା ରାଜ୍ୟେ ।

ସେ ଧନମାନ ତୁମ୍ଭେ ହେ ବଳେ ନିଅ ହରି

ଦ୍ରବ୍ୟହୀନ ହୋଇ ଭାଳି ଥୋକେ ଯିବେ ମରି ।

ଅଗ୍ନିକି ବୋଇଲେ ଯେତେ କରିଥିବେ ସଞ୍ଚା

ରାନ୍ଧିଲା ପାକମାନ ସେ ସବୁ ହେବ କଞ୍ଚା ।

ପବନକୁ ବୋଇଲେ ତୁ ଜୀବନର ମଣି

ପ୍ରଚଣ୍ଡ ହୋଇ ବହିବୁ ରାତ୍ର ଦିବା ଟାଣି ।

ମେଘେ ମାରିବେ ବିଜୁଳିବଜ୍ର ଘଡ଼ଘଡ଼ି

ମେଢ଼ ମଣ୍ଡପ  ଜଗତୀ ପଡୁ ସବୁ ଝଡ଼ି ।

ପାଣିଯାକ ସବୁ ଯେହ୍ନେ ହେବ କଷା ପିତା

ଚନ୍ଦ୍ରକୁ ବୋଇଲେ ତୁ ହୋ କର ମୋର କଥା ।

ଖାଇବା ପଦାର୍ଥ ପିତା ଦରସିଝା ଦେବ

ସୂର୍ଯ୍ୟଙ୍କୁ ବୋଇଲେ ତୁମ୍ଭେ କିରଣ ନ ହେବ ।

ଅଶ୍ୱିନୀକୁମାର ଚାହିଁ ବୋଇଲେ ବିଡ଼ୋଜା

ଚଉଷଠି ରୋଗଯାକ ପେଷିଦିଅ ଯା ଯା ।

ଯମକୁ ବୋଇଲେ କାଳଦେବତାଙ୍କୁ ରାଇ

କହି ପଠାଇବ କଂସରାଜ୍ୟେ ଥିବ ରହି ।

କାଳ ଘୋଟିଲେ ଦିଶିବେ ଥୋକେ ଅଲକ୍ଷଣ

ଶିରୀ ତୁଟିଗଲେ ତନୁ ହୋଇଯିବ କ୍ଷୀଣ ।

ଏହିରୂପେ ବାସବ ଯେ ସମସ୍ତଙ୍କୁ ବନ୍ଦି

ଗଳେ ମାଳ ଦେଇ ଶିରେ ଶାଢ଼ୀ ଦେଲା ବାନ୍ଧି

ସମସ୍ତଙ୍କୁ ବିନୟରେ କହେ ସୁରପତି

ମଥୁରା ଦେଶରେ ତୁମ୍ଭେ କର ଯା ଅନୀତି ।

ଯେପରି କଷ୍ଟ ପାଇବ କଂସରାଜା ଦେଶ

ଏମନ୍ତ ଉପଦ୍ରବରେ ଥୋକେ ଯାନ୍ତୁ ନାଶ ।

କଂସ ଭଲଥିଲେ ଆମ୍ଭେ ମରୁଥିବା ଡରି

ସ୍ୱର୍ଗର ସମ୍ପଦ ବଳେ ନେବ ସିନା ହରି ।

ଏମନ୍ତ ଆଜ୍ଞା ଶ୍ରୀମୁଖେ ସୁରପତି ଦେଲେ

ସଭା ମଉଳିଲା ଗୋଟି ଗୋଟି ଉଠିଗଲେ ।

ସୁରପତିର ଆଜ୍ଞାରେ ମିଳି ଦେବଗଣ

ମଥୁରା କୂଟେ ନାଶିବା ପାଇଁ ଦେଲେ ମନ ।

ଶୁକ ମୁନି ବୋଲନ୍ତି ଯେ ପରୀକ୍ଷ ଶୁଣନ୍ତି

ଚାରିମେଘ ମଥୁରାରେ ବୃଷ୍ଟି ନ କରନ୍ତି ।

ପାଣି ନ ପାଇ ପ୍ରଜାଏ ହୋଇଲେକ ଦହି

ପ୍ରଚଣ୍ଡ ଆଦିତ୍ୟ ତେଜ ନ ପାରନ୍ତି ସହି ।

ଚଉଦିଗେ ଅନ୍ଧକାର ଘୋଟେ ଦିଗଭାଗେ

ମେଘେ ନିର୍ଘାତ ବର୍ଷନ୍ତି ଅମଙ୍ଗଳ ଯୋଗେ ।

ପ୍ରଚଣ୍ଡ ହୋଇ ପବନ ବହଇ ଯେ ଟାଣି

ମେଢ଼ ମଣ୍ଡପ ଭାଙ୍ଗିଣ ପଡ଼ଇ ଧରଣୀ ।

ସବୁବେଳେ ପ୍ରାଣୀଙ୍କର ଦେହେ ରୋଗପୀଡ଼ା

କ୍ଷଣକେ ବିଶ୍ରାମ ନାହିଁ ନିରନ୍ତରେ ମଡ଼ା ।

କେ ବୋଲନ୍ତି ଧନ ଘରୁ କେଉଁ କତି ଗଲା

କେ ବୋଲନ୍ତି ଘରୁ ଚୋର କେଉଁବାଟେ ନେଲା

ଥୋକାଏ ବୋଲନ୍ତି ପୋତିଥିଲି ଯତ୍ନ କରି

କେ ବୋଲଇ ନେଲା ତାହା ବାସୁକି ଯେ ହରି ।

ଏକକୁ ଆରେକ ତହିଁ ବିଚାର କରନ୍ତି

ମଥୁରା ଦେଶେ ହୋଇଲା କହ କି ଅନୀତି ।

ମେଘମାନେ କିପାଇଁ ନ ବରଷନ୍ତି ଜଳ

ଢାଳେ ପୃଥ୍ୱୀଦେବୀ ଯେ ନ ଦିଏ ଶସ୍ୟଫଳ ।

ଦିବାରାତ୍ର ପବନ ତ ବହୁଅଛି ଟାଣି

ତପତ ମରୁତ ବହେ ନିରନ୍ତର ପୁଣି ।

ରାଜ୍ୟଯାକ ତ ଲୋକଙ୍କ ଦେହ ରୋଗମୟ

ଆମ୍ବ ପଣସ ଫଳତ ସବୁ ଗଲା କ୍ଷୟ ।

ଅନେକ ଲୋକ ତ ମଲେ ବଜ୍ରସୂଚୀ ପଡ଼ି

ପୋତିଲା ଧନମାନ ତ ନ ପାଇଲୁଁ ଲୋଡ଼ି ।

ରାଜାଙ୍କର ହାତୀ ଘୋଡ଼ା ମରୁଛନ୍ତି ଯେତେ

ବିଧାତା ଅବଳ ହେଲା ଆସି ଏ ଜଗତେ ।

ସ୍ୱଭାବେ ଏ ଦେଶରେ ତ ଶୋକ ମୋହପୀଡ଼ା

କଂସରାଜାର ଅନେକ ମଲେ ହାତୀ ଘୋଡ଼ା ।

ପୁତ୍ର ସମାନ ଅଟନ୍ତି ତାର ଜନ ପ୍ରଜା

ପ୍ରଜା ନାଶ ଯାନ୍ତି କଲେ ଅନୀତି ଯେ ରାଜା ।

ରାଜା ହୋଇଣ ଅନୀତି କଲେ ଧର୍ମ ହାନି

ନିଶ୍ଚେଁ ନାଶଗଲା ଜାଣ ସକଳ ମେଦିନୀ ।

ଗଛମୂଳ କାଟିଲେ କି ଡାଳ ରହେ ଭଲେ

ପ୍ରଜା କାହୁଁ ରକ୍ଷା ହେବ ରାଜା ମନ୍ଦ କଲେ ।

ରାଜାର ଅଧର୍ମେ ନାଶ ଯାନ୍ତି ପ୍ରଜାଜନ

ଧର୍ମ ଅଧର୍ମ କଥା ତ ଜାଣଇ ରାଜନ ।

ପ୍ରଜା ନ ପାଳିଲେ ନାହିଁ ରାଜାକୁ ତ ଯଶ

କୋଟି କୋଟି ଯାଗ କଲେ ହୋଇବଟି କିସ ।

ମଥୁରା ଦେଶଯାକ ତ ଗଲା ଏବେ କ୍ଷୟ

ଏହା ବିଚାର କିପାଁ ନ କରେ କଂସରାୟ ।

ଏସନ ଭାଳି ହୁଅନ୍ତି ଲୋକେ ହାଲହୋଳି

ସିଂହଦ୍ୱାରେ ପ୍ରଜାମାନେ ପାରନ୍ତି ବୋବାଳି ।

ଜଗତୀପରେ ଥାଇ ତା ଦେଖି କଂସରାଜା

କେଶୀକି କହିଲା କିସ ବୋବାଳି ଶୁଣ ଯା ।

ଆଜ୍ଞା ପ୍ରମାଣରେ କେଶୀ ଧାତିକାରେ ଗଲା

ପ୍ରଜାଙ୍କର ଗୁହାରି ସେ ସକଳ ଶୁଣିଲା ।

ଯାବତ ବେଦନା ପ୍ରଜା କହିଲେ ମଣାଇ

କଂସର ଛାମୁରେ କେଶୀ କହିଲା ବୁଝାଇ ।

କେଶୀ ବୋଇଲେ ଭୋଦେବ ଶୁଣିମା ସନ୍ଦେଶ

ରାଜ୍ୟଯାକ ତୁମ୍ଭର ତ ସବୁ ଗଲା ନାଶ ।

ମେଘମାନେ କାଳରେ ନ ବରଷିଲେ ଜଳ

ପୃଥ୍ୱୀଦେବୀ କେବେହେଁ ନ ଦେଲା ଶସ୍ୟଫଳ

ନିରନ୍ତର ପବନ ତ ବହେ ଅଣଚାଶ

ତୋର ଗଜ ଅଶ୍ୱ ସବୁ ଗଲେଣି ତ ନାଶ ।

ଅଗ୍ନିର ତେଜ ନିଉନ ସୂର୍ଯ୍ୟତେଜ ଜିତା

ତ୍ରାସପାଇ ପ୍ରାଙ୍କର ଅହନିଶି ଚିନ୍ତା ।

ଅଗ୍ନିତେଜେ ପକ୍ୱ ନୋହେ ସିଝା ଦ୍ରବ୍ୟମାନ

ଭକ୍ଷ୍ୟ ନ ପାଇ ମଲେଣି ତୋର ପ୍ରଜାଜନ ।

ତୁମ୍ଭ ପରାୟେ ଠାକୁର ଯେଉଁ ରାଜ୍ୟେ ରାଜା

ସେ ରାଜ୍ୟେ ଯାବତ ଦୁଃଖ ପାଇ ଜନପ୍ରଜା ।

ଆମ୍ଭେ ଅଷ୍ଟମଲ୍ଲେ ଥାଉଁ ତୁମ୍ଭର ଯେ ସଖା

କୋଟି କୋଟି ଇନ୍ଦ୍ର ଜିଣିପାରୁ ଏକା ଏକା ।

ଏଡ଼େବଡ଼ ସମ୍ପଦ ତ ହେଲା ରଣଭଣ

ନିଶ୍ଚେଁ ଜାଣିଲୁଁ ଏହା ତ ଦେବଙ୍କ ଭିଆଣ ।

ଅଧର ପୃଷ୍ଟ କରିଣ କେଶୀ ଯେ କହିଲା

ଦେବତାଏ ନ କଲେ କି ଏସନକ ହେଲା ।

କେଶୀର ବଚନ ଶୁଣି କଂସ ମହାରାୟ

କୋପଭର ହୁଅନ୍ତେ ଯେ କମ୍ପେ ତାର କାୟ ।

ଗରଜଇ କାଳସର୍ପ ଜିଣି କୋପଭରେ

ଲୌହଧନୁ ଗଦା ଶର ଧରିଅଛି କରେ ।

ସାରଥିକି ବୋଇଲାରେ ରଥ ବେଗେ ସଜ

ଆଜ ସ୍ୱର୍ଗପୁରକୁ ମୁଁ କରିବି ଦହିଯ୍ୟ ।

ସକଳ ଦେବଙ୍କୁ ଆଜି ପକାଇବି ମାରି

ନିଶ୍ଚୟ ସ୍ୱର୍ଗେ ମୁଁ ଆଜ ନୂଆ ଇନ୍ଦ୍ର କରି ।

ନ ମାରି ଦୟା କରି ଛାଡ଼ିଥିଲି ପୂର୍ବେ

ସେ ଗୁଣରୁ ସିନା ଦେବ କଲେ ଏହା ଏବେ ।

ଏହିପରି ଆଜ୍ଞା କଂସରାଜାଠାରୁ ଶୁଣି

ଧାତିକାରେ ସାରଥି ସେ ରଥ ଦେଲା ଆଣି ।

ସାଜିଣ ସେ ରହୁବର ରଖିଲା ତା ଆଗେ

ଅଷ୍ଟମଲ୍ଲଙ୍କୁ ଆଣ ଯା ବୋଲେ କଂସ ବେଗେ ।

ଅଷ୍ଟମଲ୍ଲ ସଙ୍ଗେ ଘେନି ରଥେ ବସେ ରାଗେ

ଧନୁଶର ଧରି କଂସ ହୋଇ ଉଦବେଗେ ।

ଆଜଦେବତାଙ୍କର ମୁଁ ଘେନିବଇଁ ପ୍ରାଣ

ମାରିବି ନିଶ୍ଚେଁ ଦେବଙ୍କୁ ଉଗ୍ରସେନ ରାଣ ।

ଏତେ ବୋଲି କଂସ ରଥେ ବିଜେକଲା ଯାଇ

ଶୂନ୍ୟମଣ୍ଡଳେ ସାରଥି ରଥ ନେଲା ବାହି ।

ଥୋକାଏ ଦୂର ସେ ମଞ୍ଚପୁର ଛାଡ଼ିଗଲେ

ଅର୍ଦ୍ଧପଥରେ ସେ ମେଘମାନଙ୍କୁ ଦେଖିଲେ ।

ଆବର୍ତ୍ତକ ସମ୍ବର୍ତ୍ତକ ଦ୍ରୋଣ ଯେ ପୁଷ୍କର

କୋପଭରେ କମ୍ପଇ ସେ ଭୋଜ ନୃପବର ।

ମେଘକୁ ଚାହିଁଣ ବୀର ବୋଲଇ କ୍ରୋଧରେ

ମୋ ରାଜ୍ୟେ ବୃଷ୍ଟି  ନ କର କିପାଁ ଜଳଧରେ ।

ତୁମ୍ଭ ଯୋଗୁ ନାଶ ଗଲା ସିନା ମୋର ସୃଷ୍ଟି

ଜନ ପ୍ରଜାଏ ହୋଇଲେ ସର୍ବେ ମହାକଷ୍ଟୀ ।

ଜାଣୁ ଜାଣୁ ମୋହଠାରେ ଦ୍ରୋହକର୍ମ କଲ

ତୁମ୍ଭର ବୁଦ୍ଧିରେ ସିନା ତୁମ୍ଭେ ନାଶ ଗଲ ।

କଂସ ବୋଲଇ କେଶୀରେ ଧର ତାଙ୍କୁ ଯାଇ

ବନ୍ଧନ କରି ଏହାଙ୍କୁ ସଙ୍ଗେ ଥିବା ନେଇ ।

ଆଜ୍ଞା ପ୍ରମାଣେ ସେ କେଶୀ ମେଘଙ୍କୁ ବାନ୍ଧିଲା

ରଥ ଚାରିଖମ୍ବେ ଚାରି ମେଘ ଖଟାଇଲା ।

ଚାରିମେଘଙ୍କୁ ବନ୍ଧନ କରି କଂସରାୟେ

ରଥ ଚଢ଼ି ସ୍ୱର୍ଗକୁ ସେ କଲାକ ବିଜୟେ ।

ଏକା ରଥ ଚଢ଼ି କଂସ ଆସୁଅଛି ବାହି

ଗଜ ଅଶ୍ୱ ପଦାତିକ ସଙ୍ଗତରେ ନାହିଁ  

ସୂର୍ଯ୍ୟକିରଣକୁ ଜିଣି ଦିଶୁଛି ସେ ରଥ

ଶ୍ୟେନପକ୍ଷୀ ଜିଣି ରଥ ଉଡ଼େ ଶୂନ୍ୟପଥ ।

ପବନହୁଁ ବେଗେ ରଥ ଆସୁଅଛି ଉଡ଼ି

ନିକଟ ହୁଅନ୍ତେ ଇନ୍ଦ୍ର ଯାଏ ସ୍ୱର୍ଗ ଛାଡ଼ି।

ଭୃଗୁ ଅଙ୍ଗିରା ମୂଳେ ଯେ ସୁରସିଦ୍ଧ ମୁନି

କଂସାସୁର ଦେଖି ପୂଜାକଲେ ଅର୍ଘ୍ୟଘେନି ।

ରଥରୁ ଓହ୍ଲାଇଣ ସେ କଂସାସୁର ରାୟେ

ସୁଧର୍ମା ସଭାରେ ଯାଇ କଲାକ ବିଜୟେ ।

ତଳେ ଉଭା ହେଲେ ଦେବେ କାଖେ ହସ୍ତଦେଇ

ଦେବଗଣଙ୍କୁ ଅନାଇ କଂସ ଯେ ବୋଲଇ ।

ମରଣକୁ ତୁମ୍ଭର କି ନାହିଁ ତିଳେ ଭୟ

ଏଡ଼େ କପଟୀ ଅଟଇ ସୁରପୁର ରାୟ ।

କାହା ଭରସାରେ କଲ ମୋଠାରେ କପଟ

ମଥୁରାପୁରେ ମୋହର ସବୁ କଲ ନଷ୍ଟ ।

ନ ଦିଅଇ ମୋ ରାଜ୍ୟରେ ପୃଥ୍ୱୀ ଶସ୍ୟଫଳ

କାଳ ଜାଣି ମେଘେ ବୃଷ୍ଟି ନ କରନ୍ତି ଜଳ ।

ପୋତିଲା ଧନମାନରେ ବାସୁକି ନିଅଇ

ପ୍ରଚଣ୍ଡ ସୂର୍ଯ୍ୟର ତେଜ ପବନ ବହଇ ।

ଅକାଳେ ପ୍ରାଣୀଙ୍କ ଶିରେ ବଜ୍ରସୂଚୀ ପଡ଼ି

ଅନୀତି କରୁଛ ବେଳୁଁ ବେଳ ବଢ଼ି ବଢ଼ି ।

ସକଳ ପ୍ରଜାମାନରେ ହେଲେ ମୋର ରୋଗୀ

ଏମନ୍ତ ଛନ୍ଦ କଲରେ ଦିଗପାଳେ ଲାଗି ।

ତୁମ୍ଭଙ୍କୁ ମୁଁ ଦିଗବିଜେ ବେଳେ ନ ମାଇଲି

ତହିଁର ଗୁଣମାନରେ ଏ ବେଳେ ପାଇଲି ।

ତିଳ ପ୍ରମାଣରେ ମାଂସ କାଟିବି ଏକ୍ଷଣି

ଦେବଇନ୍ଦ୍ର କାହିଁ ଗଲା ଦେଖା ମୋତେ ଆଣି ।

ତୁମ୍ଭେ ପରା ବୃହସ୍ପତି ଅଟ ଦେବଗୁରୁ

ଆଜି କେହୁ ରେ ତୁମ୍ଭଙ୍କୁ ରକ୍ଷା କରିପାରୁ ।

କଂସାସୁର ବୋଇଲାରେ ଆସୁ ଦେବରାଜ

ବୃହସ୍ପତି ଆଣି ଦେଲେ ଦେଖି ଭୋଜରାଜ ।

ଇନ୍ଦ୍ରଙ୍କୁ ଚାହିଁଣ କଂସ ବୋଲଇ ବଚନ

ରାଜ୍ୟ ମୋର ନଷ୍ଟ କଲ କହ କି କାରଣ ।

ମରଣକୁ ନ ଡରରେ ଏତେକ ଭରସା

ଶୋଇବା ସିଂହକୁ କିରେ ଚିଆଁଏ କି ଶଶା ।

ଜଳନ୍ତା ଅଗ୍ନି କିପାଇଁ ହସ୍ତେ ପେଲିଦେଲ

ନିଶ୍ଚୟେ ଦେବେ ରେ ତୁମ୍ଭେ ଆଜି ନାଶଗଲ ।

ଏତେ ବୋଲି କଂସାସୁର କୋପଭର ହୋଇ

ରଥର ଉପରୁ ବୀର ପଡ଼ିଲା ଓହ୍ଲାଇ ।

ଅଷ୍ଟମଲ୍ଲଙ୍କୁ ଚାହିଁଣ ବୋଲେ କଂସାସୁର

ସବୁ ଦେବଙ୍କୁ ଧରରେ ନେବା ନିଜପୁର ।

ଆଜ୍ଞାପାଇ ଅଷ୍ଟମଲ୍ଲେ ଦେବଙ୍କୁ ଧଇଲେ

ଗୋଟି ଗୋଟି କରି ତାଙ୍କୁ ରଥରେ ବାନ୍ଧିଲେ ।

ଯମ ନଇର୍ଋତ ଆଦି ବରୁଣ କୁବେର

ଚନ୍ଦ୍ର ସୂର୍ଯ୍ୟ ବୈଶ୍ୱାନର ଅଶ୍ୱିନୀକୁମାର ।

ବୃହସ୍ପତି ଗନ୍ଧର୍ବ ଏ ଆଦି ସସ୍ରଯୋନି

ଚାରିମେଘ ଗ୍ରହ ତାରା ପବନକୁ ଘେନି ।

ଯକ୍ଷ ବିଦ୍ୟାଧର ଆଦି କ୍ଷେତ୍ରପାଳ ମୂଳେ

କଂସ ଆଜ୍ଞାରେ ବାନ୍ଧିଲେ ଅଷ୍ଟମଲ୍ଲ ବଳେ ।

ପୁଷ୍ପକେତୁ ରଥରେ ସେ ସମସ୍ତ ବସାଇ

ମଞ୍ଚଭୁବନକୁ କଂସ ଅଇଲା ଓହ୍ଲାଇ ।

ଆପଣା କଟକେ ଆସି ପ୍ରବେଶ ହୋଇଲା

କୋପଭରେ ଆକର୍ଷଣ ଦେବଙ୍କୁ ଚାହିଁଲା ।

କେହୁ ତୁମ୍ଭଙ୍କୁରେ ଆଜି ପାରୁ ରକ୍ଷା କରି

ମାରି ପକାଇବି ତୁମ୍ଭେ ମୋହର ବଇରୀ ।

ଏସନ ବୋଇଲା ଯହୁ କଂସାସୁର ରାୟେ

ଶୁଣି ଭୟରେ କମ୍ପିଲେ ସବୁ ଦେବତାଏ ।

ଦେଖିଲେ ଯହୁଁ କଂସର ଭୟଙ୍କର ମୂର୍ତ୍ତି

କହନ୍ତି ଯେ କୃତାଞ୍ଜଳି ହୋଇ ବୃହସ୍ପତି ।

ସାବଧାନ ହୋଇ ତୁମ୍ଭେ ଶୁଣ ନୃପାଧିପ

ଅକାରଣେ ଆମ୍ଭଠାରେ ନ କର ହୋ କୋପ ।

ରାଜାଧିରାଜେଶ୍ୱର ତୁ ନୃପ ଶିରୋମଣି

ସ୍ୱର୍ଗମର୍ତ୍ତ୍ୟ ପାତାଳକୁ ତୁମ୍ଭେ ଯେ କାରେଣି ।

ତୁମ୍ଭେ ସିନା ଆମ୍ଭଙ୍କୁ ଯେ ସ୍ୱର୍ଗେ ଅଛ ଛାଡ଼ି

ତୁମ୍ଭେ ନ ରଖିଲେ ଆମ୍ଭ ବନ୍ଧନ କେ ଫେଡ଼ି ।

ଏ ଦେବଗଣ ତୁମ୍ଭର କଲେ କେଉଁ ଦୋଷ

ଅନିମିତ୍ତେ କାହିଁପାଇଁ କର ଏଡ଼େ ରୋଷ ।

ତୁମ୍ଭେ ଯେବେ ନ ବିଚାରି ଦଣ୍ଡିବ ଗୋସାଇଁ

ତିନି ପୁରେ ଆମ୍ଭଙ୍କୁ କେ ରଖି ନ ପାରଇ ।

ତୁମ୍ଭେ କୋପ କଲେ ଆମ୍ଭେ ପ୍ରାଣ ପାଇନାହିଁ

କେଉଁ ଅପରାଧ ତୋତେ କଲୁ ଭୋଜସାଇଁ ।

ଦୋଷ ବିଚାରିଣ ଦଣ୍ଡ ଦିଅ ନୃପବର

କି କଥାରେ କହ ଦୋଷୀ ହୋଇଲୁଁ ତୁମ୍ଭର ।

କଂସ ବୋଲେ ଦେବତାଏ ଅଟ ବଡ଼ଦୋଷୀ

ତୁମ୍ଭର ବୋଲେ ହୋଇଲି ମୁହିଁ ରାଜ୍ୟଧ୍ୱଂସୀ ।

ଦେବଗଣ ହୋଇ ତୁମ୍ଭେ ଅବିଶ୍ୱାସୀ ହେଲ

ତୁମ୍ଭର ଜୀବନ ଥିଲେ ମୋର କାହିଁ ଭଲ ।

ଏ ଯେ ପୃଥ୍ୱୀ ଦେବୀ ଅଟେ ଜଗତର ମାତ

ମୋର ରାଜ୍ୟରେ କିପାଁ ନ କରେ ଶସ୍ୟ ଜାତ

ପ୍ରଥମେ ପୃଥିବୀ ଦେବୀ କଲେ ମୋତେ ଏହା

ଏ କଥା କି ସ୍ୱରୂପ ହୋ ନୋହେ ଶଚୀନାହା ।

ଏତେ ବୋଲି ଗରଜିଣ କଂସ କୋପଭରେ

ଆକ୍ରୋଶି ବିଧା ମାଇଲା ପୃଥିବୀ ଉପରେ ।

କଂସ ବିଧାଘାତ ପାଇ କମ୍ପି ବସୁନ୍ଧରୀ

ଦଲ ଦଲ ହେଲା ଦେବେ ମହାଭୟ କରି ।

ଟଳଟଳ ହୋଇଲାକ ତେଡ଼େ ମହୀସ୍ଥଳୀ

ନବଦ୍ୱାର ବାଟେ ପଡ଼େ ରୁଧିର ଯେ ଗଳି ।

ବାହାସ୍ପୋଟ ମାରି କଂସ ଆକ୍ରୋଶି ବସିଲା

ଭୟ ପାଇ ବସୁମତୀ ଲହସି ପଡ଼ିଲା ।

ଚାରିମେଘକୁ ଚାହିଁଣ ବୋଲେ ବୀରମଣି

ତୁମ୍ଭେମାନେ ମୋର ଦେଶେ ନ ବରଷ ପାଣି ।

ତୁମ୍ଭ ଯୋଗୁଁ ମୋହର ଏ ରାଜ୍ୟ ଗଲା ନାଶ

ତିଳ ପ୍ରମାଣେ କାଟିବି ଆଜ ଆଜ ତୁମ୍ଭମାଂସ ।

ଆହୋ ଅଗ୍ନିଦେବ ତୁମ୍ଭେ ତେଜ ପାକସଞ୍ଚା

ଅନ୍ନ ବ୍ୟଞ୍ଜନ ହୋଇଲା ସବୁ କିପାଁ କଞ୍ଚା ।

ନ ସିଝିଲା ଦ୍ରବ୍ୟ ସବୁ ପ୍ରଜା ନ ଖାଇଲେ

ଜ୍ୱର ରୋଗୀ ହୋଇ ପୁଣି ସର୍ବେ ନାଶଗଲେ ।

ପବନ ଦେବତା ମୋତେ କି ଅବା ନ କଲା

ରାତ୍ର ଦିବା ଅଣଞ୍ଚାଶ ମୂର୍ତ୍ତିରେ ବହିଲା ।

ମେଢ଼ ମଣ୍ଡପ ଦେଉଳ ମୋର ଦିବ୍ୟପୁର

ଘର ରାଷ୍ଟ୍ର ମୋହର ଯେ ସବୁ ହେଲା ଚୂର ।

ଅନେକ ଦୁଃଖେ ପ୍ରଜାଏ ଅର୍ଜିଥିଲେ ଦ୍ରବ୍ୟ

ମହୁମାଛି ପ୍ରାୟ ସଞ୍ଚି ରଖିଲେ ସର୍ବ ।

ଥୋଇଲାଠାରୁ ବାସୁକି ନେଲା ସବୁ ହରି

ଏହାର ଜୀବନ ମୁହିଁ ନେବି ତେଣୁକରି ।

ପୁଣି ହିଁ ବୋଇଲା କଂସ ଶୁଣ ଆରେ ଯମ

ତୁ ଯେ ପ୍ରତ୍ୟକ୍ଷେ ବୋଲାଉ ଦ୍ୱିତୀ ଯମ ଧର୍ମ ।

ଅକାରଣେ ଅଶ୍ୱ ଗଜ କିପାଁ ପଡ଼ି ମଲେ

ଏମାନ ଅଟଇ ତୁମ୍ଭ କଲା କର୍ମ ଭଲେ ।

ଆରେ ଦେବତାଏ ତୁମ୍ଭେ ଏଡ଼େ କୃତ୍ୟ କଲ

ନିଶ୍ଚେ ଜାଣିଲିରେ ତୁମ୍ଭେ କେହି  ନୁହ ଭଲ ।

ଜଣେ ଜଣେ ମୋର ତୁମ୍ଭେ ସମସ୍ତେ ବଇରୀ

ଅନେକ କଷ୍ଟ ଦେଇ ମୁଁ ପକାଇବି ମାରି ।

ବୃହସ୍ପତି ବୋଲନ୍ତି ତୁ ଗୁଣବନ୍ତ ହୋଇ

କଥା ନ ବିଚାରି କ୍ରୋଧ କରୁ କାହିଁପାଇଁ ।

ତୁମ୍ଭର ଦଣ୍ଡିଲେ ଆଉ ଆନ କେହୁ ରଖି

ତୁମ୍ଭେ ସଭା ନ୍ୟାୟପତି ତୁମ୍ଭେ ଧର୍ମସାକ୍ଷୀ ।

ତୁମ୍ଭେ ଯେବେ ଦେବତାଙ୍କୁ ଦେଉଅଛ ଦୋଷ

ଋତୁ ଯୋଗେ ଭଲ ମନ୍ଦ ସବୁ କାଳବଶ ।

ଏମାନେ ପୁଣ୍ୟ ପୁରୁଷ ଥାନ୍ତି ସ୍ୱର୍ଗପୁରେ

ଏ କର୍ମମାନ ହୋ ରାଜା ନୋହେ ଏହାଙ୍କରେ ।

ଯେତେବେଳେ ଯାହାକୁଟି ହୁଏ ଯେଉଁ ଯୋଗ

ବ୍ରହ୍ମାବିଷ୍ଣୁ ହେଲେ କରେ ଅବଶ୍ୟ ତା ଭୋଗ ।

କର୍ମ ବିନା ପ୍ରାଣୀଙ୍କର ଆନ ନାହିଁ ସଖା

ଯେ ଯାହାର ବେଳେ କର୍ମ ଫଳଇ ଏ ଲେଖା ।

ଯେତେବେଳେ ଯାର ପୁଣି ହୋଇ ଯେଉଁ କଥା

କେବଳ ମାତ୍ର ଯେ ସାକ୍ଷୀ ଅଟନ୍ତି ଦେବତା ।

ଆପଣାର କଲା କର୍ମ ଆପେ ସିନା ଭୁଞ୍ଜି

ଲାଭ ହାନି ଲିଖନହିଁ ଯମରାଜା ପାଞ୍ଜି ।

ଏକେ ତ ପଣ୍ଡିତ ତୁମ୍ଭେ ଦୁଜେ ପୃଥ୍ୱୀପତି

ଯୋଗ ଭୋଗ କହ କିପାଁ ଦେବଙ୍କ ଅନୀତି ।

ତୁମ୍ଭେ ବୋଇଲ କରିବି ଦେବଙ୍କୁ ବିନାଶ

ସୁରଗଣ ନାଶି ତୁମ୍ଭେ ଅର୍ଜିବ କି ଯଶ ।

ଆତ୍ମା ଅବିନାଶୀ ସର୍ବ ଘଟେ ଅଛି ପୂରି

ବିଧାତା ସର୍ଜିଲା ସବୁ ସାନବଡ଼ କରି ।

ଆପେ ଗଢ଼ାଇ ଦେଉଳ ଆପେ ଭଗ୍ନ କଲେ

କେତେ ପାପ ଅର୍ଜି ରୋପି ତରୁଏ କାଟିଲେ ।

ଶତେକ ତରୁ କୁଠାର ଘେନି ଯେବେ କାଟି

ଧର୍ମଶାସ୍ତ୍ରେ ଲେଖି ପାପ ହୁଏ କେତେ କୋଟି ।

ପୋଷିଲା ଜୀବ ଗୋଟିକି କରଇ ଯେ ନାଶ

ସହସ୍ରେ ଚାଲନ୍ତା ଜୀବ ମାରି ତେତେ ଦୋଷ ।

ଦେଖି ଚଣ୍ଡାଳରୁ ଯେବେ ସହସ୍ରେକ ମାରି

ଜଣେ ଶୂଦ୍ରକୁ ମାଇଲେ ତେତେ ପାପ ସରି ।

ସହସ୍ରେ ଶୂଦ୍ର ମାଇଲେ ପାପ ହୋଏ ଯେତେ

ଏକ ବୈଶ୍ୟକୁ ମାଇଲେ ପାପ ହୋଏ ତେତେ

ସହସ୍ରେ ବୈଶ୍ୟ ମାଇଲେ ଲାଗେ ଯେତେ ଦୋଷ

ତେତେ ପାପ ହୁଏ ଜଣେ କ୍ଷତ୍ରୀ କଲେ ନାଶ ।

ଶତେକ କ୍ଷତ୍ରୀ ମାଇଲେ ଯେଉଁ ପରାଭବୀ

ଜଣେ ବିଦ୍ୟାବନ୍ତ ମାରି ତେତେ ପାପ ଲଭି ।

ସସ୍ରେ ବିଦ୍ୟାବନ୍ତ ମାରି ଯେତେ ପାପ ଲେଖି

ଜଣେ ଜ୍ଞାନିକି ମାଇଲେ ତେତେ ପାପ ଲକ୍ଷ୍ୟି ।

ସହସ୍ରେକ ଜ୍ଞାନୀ ଯେବେ କରିବେଟି ବଧ

ତେତେ ପାପ ଜଣେ ଯୋଗୀ ଶୀରକଲେ ଛେଦ ।

ଶତେକ ଯୋଗୀ ମାରିବ ଯେବେ ଅକାରଣେ

ତେତେକ ପାପ ପାଇବ ମାରି ସ୍ତିରୀ ଜଣେ ।

କରିବ ଯେବେ ଶତେକ ସ୍ତିରୀ ପ୍ରାଣନାଶ

ଏକା ଗୁରୁର ବଚନ ଲଘିଂଲେ ସେ ଦୋଷ ।

ଶତେ ଗୁରୁବାକ୍ୟ ଲଘେଂ ଯେଉଁ ମହାପାପୀ

ଏକା ବିଶ୍ୱାସଘାତକୀ ସେହି ପାପରୂପୀ ।

ସସ୍ର ବିଶ୍ୱାସଘାତକ ଯେତେ ପାପ କରି

ଏକା ଗୋରୁହତ୍ୟା ସେହି ମହାପାପ ସରି ।

ଶତେକ ଗୋରୁ ମାଇଲେ ଯେତେକ ପାତକ

ଜଣେ ବ୍ରାହ୍ମଣ ମାଇଲେ ଦୋଷ ହିଁ ତେତେକ ।

ଏ ବିଧିରେ କଲେ କୋଟି ବ୍ରାହ୍ମଣକୁ ବଧ

ଜଣେ ଦେବତା ମାଇଲେ ତେତେ ଅପରାଧ ।

ଆମ୍ଭର ବଚନ ଶୁଣି କର ତୁ ବିଶ୍ୱାସ

ତୁହି ଯେବେ ଦେବତାଙ୍କୁ କରି ଲୋଡ଼ୁନାଶ ।

ଅକ୍ଷୟ ଅଜରାମର ସେହି ପୁଣ୍ୟମୟେ

ଏହାଙ୍କୁ ମରଣ ନାହିଁ ମହାପ୍ରଳେ ଯାଏ  

ଅନେକ ମତେ ତୁ ଯେବେ ସଂଗ୍ରାମ କରିବୁ

ଦେବ ଭଣ୍ଡାର ଆଦି ଯେ ସର୍ବସ୍ୱ ହରିବୁ ।

ଅପସରାଙ୍କୁ କରିବୁ ବଳେ ଯେବେ ଚୋରି

ନନ୍ଦନବନେ ପଶିବୁ ଯେବେ ଦଣ୍ଡଧାରୀ ।

ମର୍ତ୍ତ୍ୟପୁର ଲେଛି ଯେବେ ଲଭି ସ୍ୱର୍ଗବାସ

ଦେବତାମାନଙ୍କୁ ବଳେ କରି ନୋହେ ନାଶ ।

ଯେତେ ଅଖ୍ୟାତି ପାଇବୁ ସେହି ହେବ ସାଧ୍ୟ

ତୋହର ବେଳେ ତ୍ରିଦଶ କରି ନୋହେ ବଧ ।

ଆମ୍ଭେ ତପୋବନ୍ତ ଜାଣୁ ପ୍ରତ୍ୟକ୍ଷରେ ଏହା

ତୋର ଆଗରେ କହିବୁ କିପାଁ ମିଛ ମାୟା ।

ଅତି ବଳେ ବଳୀୟାର ଅଟୁ ମହାଯୋଧୀ

ସ୍ୱର୍ଗମଞ୍ଚ ପାତାଳ ତୁ ଦଣ୍ଡକରେ ସାଧି ।

କୋଟିଏ ଇନ୍ଦ୍ରକୁ ଜିଣିପାରୁ ନିମିଷକେ

ନାହିଁ ନା ଜିଣନ୍ତା କେହି ତୋତେ ତ୍ରୟଲୋକେ

ଆଦ୍ୟେ ସ୍ୱର୍ଗ ଦେଇଛୁ ତୁ ସତ୍ୟେ ଭୋଜନାହା

ଦେବଙ୍କୁ ଜିଙ୍ଘାସି ହେବୁ ସତ୍ୟର ଦୋରେହା ।

ତୋ ବିଚାରକୁ ନ ଆସେ ଯେବେ ସୁରସାଇଁ

ଆନ ଇନ୍ଦ୍ର କରି ସ୍ଥାନ ସ୍ୱର୍ଗପୁରେ ନେଇ ।

ଅନେକମତେ ବୁଝାଇ କହି ବୃହସ୍ପତି

ଶୁଣି ସନ୍ତୋଷ ହୋଇଲା ଭୋଜ ନରପତି ।

ଦହର୍ସିତ ହୋଇ କହେ କଂସାସୁର ରାୟ

ତୁମ୍ଭପରା ମନ୍ତ୍ରୀ ଥାନ୍ତେ ସ୍ୱର୍ଗେ ନାହିଁ ଭୟ ।

ତୁମ୍ଭ ବଚନ ଶୁଣି ମୁଁ ହୋଇଲି ମୋହିତ

ନିଶ୍ଚୟ ଜାଣିଲି ତୁମ୍ଭେ ଅଟ ପୁଣ୍ୟବନ୍ତ ।

ତୁମ୍ଭ ବୋଲେ ଦେବତାଙ୍କୁ ଦେଲି ଏବେ ଛାଡ଼ି

ଆଉ ଦୋଷ କଲେ ସ୍ୱର୍ଗ ବସିବଇଁ ମାଡ଼ି ।

ଏ ମୋହର ସତ୍ୟ ସତ୍ୟ ତିନିବାର ବାଣୀ

ଆନ ଇନ୍ଦ୍ର କରିବି ମୁଁ ତୁମ୍ଭେ ଥାଅ ଜାଣି ।

ଆହେ ବୃହସ୍ପତି ଯେବେ ମୁକୁଳାଇ ନେବ

ଏହି କଥାମାନ ଦେବଗଣଙ୍କୁ କହିବ ।

ପ୍ରଜାଙ୍କର ଲୋଡ଼ାହେଲେ ଦେଉଥିବେ ଜଳ

କାଟିବେ ଶତେ ଭରଣ ହେବ ଶସ୍ୟ ଫଳ ।

ବାରମାସ ମୋର ପୁରେ ରହିବ ବସନ୍ତ

ଯେମନ୍ତ ମୋ ପ୍ରଜାଜନ ହୋଇବେଟି ସୁସ୍ଥ ।

ଯେତେକ ଧନ ବାସୁକୀ ନେଇଅଛି ହରି

ସେଠାବରେ ଥୋଇଦେଉ ଶତେଗୁଣ କରି ।

ଅଶ୍ୱ ଗଜ ପଦାତିକ ମଲେ ଯେତେ ଯହିଁ

ଯେ ଯାହା ସ୍ଥାନମାନଙ୍କେ ଥିବେ ସୁଖେ ରହି ।

ଯେବଣ ଜନେ ବଞ୍ଚିବେ ପୁଣ ପୁଣ ଯାହା

ଅବଶ୍ୟ ସେମାନଙ୍କୁ ହୋ ମିଳୁଥିବ ତାହା ।

ଆମ୍ବ ପଣସ ନଡ଼ିଆ ଗୁଆ ଆଦି ଫଳ

ଷଡ଼ଋତୁ ତରୁ ଫଳ ଫଳିବେ ସକଳ ।

ଜନ୍ମହୁ ନିରୋଗ ହେବେ ମୋର ପ୍ରଜାଜନେ

ସ୍ତିରୀ ପୁରୁଷ ଷୋଡ଼ଶ ଥିବେ ସବୁଦିନେ ।

ଏ କଥାମାନ ଯେବେ ତୁ କହି କରିପାରୁ

ତୁମ୍ଭ ବଚନେ ଦେବଙ୍କୁ ଦେବି ଦେବଗୁରୁ ।

ଏ କଥା ନ କଲେ କେଭେ ନ ଦିଅଇ ଛାଡ଼ି

ନୋହିଲେ ମୁଁ ସ୍ୱର୍ଗପୁର ବସିବଇଁ ମାଡ଼ି ।

ବୃହସ୍ପତି ବୋଇଲେ ତୁ ଆଜ୍ଞାଦେଲୁ ଯାହା

ମୋତେ ଲାଗଇ ଅବଶ୍ୟ କରିବେ ସେ ତାହା ।

ଏଡ଼େ ବଡ଼ ଦଣ୍ଡ ଦେଲୁ ଦେବଙ୍କୁ ତୁ ଆଣି

ଛାଡ଼ିଦିଅ ସ୍ୱର୍ଗକୁ ହେ ଯିବୁ ଏହିକ୍ଷଣି ।

ଶରଣପଞ୍ଜର ବାନା ତୁ ରାଜା ହୋ ବହୁ

ଏଡ଼େବଡ଼ ରାଜା ହୋଇ ଏହା କିପାଁ କହୁ ।

କଂସ ବୋଲଇ ଗୁରୁ ହେ ତୁମ୍ଭ ବଚନକୁ

ଏତେବଡ଼ ଦୋଷୁ ଛାଡ଼ିଦେଲି ଦେବତାଙ୍କୁ ।

ଶୁଭେ ଚଳ ଦେବଗଣ କଂସର ଆଦେଶ

ଯେ ଯାହା ଯାନ ବାହନ ଆବୋରି ତ୍ରିଦଶ ।

ଅନ୍ତରୀକ୍ଷେ ଯାଇ ହେଲେ ସ୍ୱର୍ଗରେ ପ୍ରବେଶ

ଦେବଗଣ ମନେ ମନେ ସମସ୍ତେ ବିରସ ।

ଯେ ଯାହାର ନିଜପୁରେ ପ୍ରବେଶିଲେ ଯାଇ

କାହାର ମନେ ହରଷ କିଛି ମାତ୍ର ନାହିଁ ।

ଯୁକତେ ଶୂନ୍ୟପୁରୁଷ ସ୍ୱର୍ଗ ଦିଗପାଳ

ଦଇବଯୋଗେ ସେ ପାଇଅଛନ୍ତି କଟାଳ ।

ଶୁକମୁନି ବୋଲନ୍ତି ହୋ ଶୁଣ ପରୀକ୍ଷିତ

କଂସର ଡଗର ବୁଲେ ସ୍ୱର୍ଗେ ଅନୁବ୍ରତ ।

ସବୁରି ମନେ ଲାଗିଲା ଚିନ୍ତା ଭୟ ଦକା

ରାତିରେ ତ ନିଦ ନାହିଁ ଦିବସେ ତାଟକା ।

କ୍ଷୁଧା ତୃଷା ନିଦ୍ରା ଜାଣ ନାହିଁ କାହାକୁ ହିଁ

ଚିନ୍ତାଭରେ ଛନ୍ନ ଛନ୍ନ ହେଉଅଛି ଦେହୀ ।

ନ କହି ସ୍ୱର୍ଗପୁର କେ ଛାଡ଼ି ପଳାଇଲେ

କୁଟୁମ୍ବଙ୍କୁ ସଙ୍ଗେ ଘେନି କପିଳାସ ଗଲେ ।

କେବଣ ସୁରେ ହୋଇଲେ ବନେ ବନଚାରୀ

କନ୍ଦରେ ପଶି ନିର୍ଝର ନୀର ଆଶ୍ରା କରି ।

କେବଣ ଦେବେ ଆସ୍ଥାନ ତଳକୁ ଚାହାନ୍ତି

ଭୟ ଲାଗନ୍ତେ ସେ ଯାଇ ମନ୍ଦିରେ ପଶନ୍ତି ।

ରାତ୍ର ଦିବସେ ସ୍ୱର୍ଗରେ ପଡ଼ୁଥାଇ ହୁରି

କେ ବୋଲଇ କଂସାସୁର ଆଜ ଦେବ ଧାଡ଼ି ।

କେ ବୋଲଇ ଚାଲ ଚାଲ ଯିବା ଏଥୁ ବେଗେ

କେ ବୋଲଇ ଯାଉଁ ଯାଉଁ ପଡ଼ିବା ତା ଆଗେ ।

କେ ବୋଲଇ ସ୍ୱର୍ଗପୁର ନିଶ୍ଚେଁ କଲା ନାଶ

ଏତେ କାଳେ ହୋଇଲା ଏ ରାକ୍ଷସଙ୍କ ବାସ ।

ଇନ୍ଦ୍ରଦେବତାଙ୍କୁ ତ ନ କଲେ କେହି ପୂଜା

କେ ବୋଲଇ ସ୍ୱର୍ଗପୁରେ କଂସ ସିନା ରାଜା ।

କହନ୍ତି ଯେ ଇଦଂ ପ୍ରତିବାକ୍ୟ ଶୁକମୁନି

ଶୁଣ ରାଜା ହରିବଂଶ ଗାଥା ପୁଣ୍ୟଧ୍ୱନି ।

ନମୋ ହରିହର ବାସ ପୁଣ୍ୟତୋୟାକୂଳ

ଜୟ ଗଙ୍ଗାଧର ଦୁଇ ଦେବତା ଜଟିଳ ।

କଂସର ଭୟେ ଯେ ଦେବେ ହୋଇଣ ଆରତ

ନମାମି ରୁଦ୍ରଦେବ ହେ ନମାମି ଅଚ୍ୟୁତ ।

ନମାମି ହରିହର ହେ ପଦ୍ମାକ୍ଷ ସୁଢଳ

ଅଧେକ କୃଷ୍ଣବର୍ଣ୍ଣ ହେ ଅଧେ ଅଟ ଶୁକ୍ଳ ।

କରେ ଶଙ୍ଖ ଚକ୍ର ଗଦା ପଦ୍ମ ଯେ ତ୍ରିଶୂଳ

ପକ୍ଷୀ ବୃଷଭବାହନ ତବ ସଦାକାଳ ।

ମହାଆନନ୍ଦେ ଭ୍ରମ ଏ ଚତୁର୍ଦ୍ଦଶପୁର

କିରୀଟ କୁଣ୍ଡଳ କର୍ଣ୍ଣେ ଶିରେ ଅହିବର ।

କପାଳରେ ଅର୍ଦ୍ଧଚନ୍ଦ୍ର କସ୍ତୁରୀ ସୁରଙ୍ଗେ

ଦକ୍ଷିଣେ କମଳା ଉମାଦେବୀ ବାମଅଙ୍ଗେ ।

ଯୋଗାଙ୍ଗ ଧାରମ ତୁମ୍ଭେ ଅଟ ହରିହର

ଗର୍ଭ ତୁମ୍ଭର ଅନନ୍ତ ଗଳେ ଫଣିହାର ।

କୀଟୁ ବ୍ରହ୍ମ ପରିଯନ୍ତେ ପରାପର ନାହିଁ

ଦେବାଧିରାଜ ଯେ ତୁମ୍ଭେ ଏକଦେହୀ ।

ଦେବତତ୍ତ୍ୱ ଜାଣ ସ୍ୱାମି ଦ୍ୱୟ ଏକଆତ୍ମା

ଅନାଦି ନିରାକାର ହେ ତୁମ୍ଭେ ଯୋଗବ୍ରହ୍ମା ।

ଯେଉଁ ନାମ ସୁମରନ୍ତେ କଳୁଷ ବିନାଶ

ତୁଟଇ ଭବବନ୍ଧନ ଫିଟେ କାଳପାଶ ।

ହରିହର ସୁମରନ୍ତେ ପ୍ରାପ୍ତ ସର୍ବବୁଦ୍ଧି

ହରିହରି ସୁମରନ୍ତେ ହୋଏ ବଞ୍ଛାସିଦ୍ଧି ।

ହରିହର ସୁମର ହୋ ଭବୁ ହେବ ପାର

ହରିହର ସୁମର ହୋ କାଟ ନର୍କଘୋର ।

ହରିହର ସ୍ମର ହେବ ଗାତ୍ର ଯେ ପବିତ୍ର

ହରିହର ସ୍ମରି ଲାଭ ଧନ ପୁତ୍ର ପୌତ୍ର ।

ହରିହର ସୁମରନ୍ତେ ଫିଟେ ସର୍ବବାଧା

ହରିହର ସୁମରଣା କର ବହି ଶ୍ରଦ୍ଧା ।

ହରିହର ସ୍ମର ତୁଟିଯିବ କ୍ଷୁଧାତୃଷା

ହରିହର ସ୍ମର ତୁଟିଯିବ ପାପଆଶା ।

ହରିହର ସ୍ମର କୁଳ ହେବ ବର୍ଦ୍ଧମାନ

ହରିହର ସ୍ମର ତୁଟିଯିବ ପାପମାନ ।

ସଂସାର ଭିତରେ ଜାତହୋଇ ଯେତେ ପ୍ରାଣୀ

ହରିହର ନାମ କର ଅଭ୍ୟାସ ହୋ ପୁଣି ।

ହରିହର ନାମ ହେଲେ ହୃଦରେ ପ୍ରକାଶ

ଅଚ୍ୟୁତ ଲେଖଇ ସୁଖେ ଗ୍ରନ୍ଥ ହରିବଂଶ ।

 

ଦେବଗଣଙ୍କର ବିଷ୍ଣୁପୁରେ ଗମନ

ଏଥୁ ଅନନ୍ତରେ ପୁଣି ପରୀକ୍ଷ ନୃପମଣି

ସନ୍ତୋଷ ହୋଇଲେ ହରିହର ନାମ ଶୁଣି ।

କୃତ କୃତ ହୋଇ ମନ ମଧ୍ୟରେ ବିଚାରି

କୃତାଞ୍ଜଳି ହୋଇ ଶୁକ ମୁନିଙ୍କ ପଚାରି ।

ଭୋ ମୁନି ପ୍ରତ୍ୟକ୍ଷେ ତୁହି ପରଂବ୍ରହ୍ମ ହରି

ଅଗାଧ ବ୍ରହ୍ମଧ୍ୟାୟୀ ତୁ ବ୍ରହ୍ମ ସମସରି ।

ଶୁଣିଲି କଂସର ଦିଗବିଜେ ପୁଣ୍ୟବାଣୀ

ଅନେକ ପାପ ଧ୍ୱଂସିଲି ହରିବଂଶ ଶୁଣି ।

ଏଥୁ ଉତ୍ତାରେ ହୋଇଲା କଥା କିସ ଆନ

ସଂକ୍ଷେପି କହିବା ମୋତେ ବ୍ୟାସଙ୍କ ନନ୍ଦନ ।

ଦେବତାମାନଙ୍କୁ ଦୁଃଖ ଅନେକ ଯେ ଦେଲା

ବୃହସ୍ପତିଙ୍କ ବଚନେ ଦେବଙ୍କୁ ଛାଡ଼ିଲା ।

ଏଡ଼େବଡ଼ ଅନ୍ୟାୟ ସେ କଂସାସୁର କଲା

ଦେବତାମାନଙ୍କୁ ରଥେ ବାନ୍ଧିଣ ଆଣିଲା ।

ମଥୁରା ପୁରକୁ ବାହିନେଲା ବୀରମଣି

ଅନେକ ଶାସ୍ତି ଦେଇଣ ଛାଡ଼ିଦେଲା ପୁଣି ।

 

ଏଥୁ ଉତ୍ତାରେ ସେ କଂସ ପୁଣି କଲା କିସ

ଏକଥା ସଂକ୍ଷେପି ମୋତେ କହ ବ୍ୟାସଶିଷ୍ୟ ।

ଅନେକ ମତେ ନୃପତି ବିନୟୀ ହୋଇଲା

ଗଡ଼ଘାଲି ସେ ମୁନିଙ୍କ ଚରଣେ ଶୁତିଲା ।

ରାଜାର ଯେ ଭକ୍ତିଭାବ ଦେଖି ମୁନିମଣି

ବୋଲନ୍ତି ଶୁଣ କହିବା ତୋତେ ଦିବ୍ୟବାଣୀ ।

ସାବଧାନ ହୋଇ ତୁ ହୋ ଶୁଣ ମହୀପତି

କଂସାସୁର ଭୟ ପାଇ କମ୍ପେ ବସୁମତୀ ।

ଏଥୁ ଅନନ୍ତରେ ପୁଣି କେତେଦିନ ଅନ୍ତେ

ସୁଧର୍ମା ସଭାରେ ଦେବେ ବସିଲେ ସମସ୍ତେ ।

ନିଶି ପ୍ରଭାତେ ଯେ ଉଦେ ହୋଇ ଦିବାକର

ନିତ୍ୟକର୍ମମାନ ସାରି ଦେବ ପୁରନ୍ଦର ।

ସୁଧର୍ମା ସଭାରେ ବସି କଲେ ବିହରଣ

ଅଛନ୍ତି ତେତିଶକୋଟି ଦେବଗଣ ଜାଣ ।

ଅନଙ୍ଗସେନ ପନ୍ନର ଇନ୍ଦ୍ରପୁତ୍ର ବେନି

ଛାମୁରେ ଉଭା ହୋଇଲେ ଯୋଡ଼ି ବେନିପାଣି ।

ବିଦ୍ୟାଧର ଗନ୍ଧର୍ବ ଯେ ସୁର ବିଳାସିନୀ

ସୁଧର୍ମା ସଭାରେ ଆସି ମିଳିଲେ ତରୁଣୀ ।

ଯମ ସୋମ ନଇର୍ଋତ ଦେବ ବୈଶ୍ୱାନର

ଆଦିତ୍ୟ ପବନ ଆଦି ବରୁଣ କୁବେର ।

ଶୁକ୍ର ବୃହସ୍ପତି ଆଉ ଶନିଶ୍ଚର ବୁଧ

ଅଷ୍ଟବସୁ ମୂଳେ ଛନ୍ତି ସର୍ବସୁର ସିଦ୍ଧ ।

ବସୁମତୀ ସହିତରେ ଆବର ଗୋ ମାତ

ଅଷ୍ଟ ଅପସରୀ ମୂଳେ ଉର୍ବଶୀ ସହିତ ।

ସତାଇଶ ନକ୍ଷତ୍ର ଯେ ଦଶଦିଗପାଳ

ଯୋଗ କରଣ ଯେ ଯୁଗ ଚାରି ମେଘମାଳ ।

ଦେବଋଷି ରାଜଋଷି ବ୍ରହ୍ମଋଷି ମୂଳେ

ଶଉନକ ବିଶ୍ୱଦେବା ମିଳି ଋଷି କୁଳେ ।

ଡାକିନୀ ପିଶାଚୀଗଣ ଘେନି ଭଇରବୀ

ସ୍ୱର୍ଗମଞ୍ଚ ପାତାଳର ଯେତେ ଦେବଦେବୀ ।

ନନ୍ଦୀ ଭୃକୁଟିର ମୂଳେ ଏକାଦଶ ଦ୍ୱାରୀ

କ୍ଷେତ୍ରପାଳ ବିକାଳ ଯେ କାଳ ଆଦିକରି ।

ବିଷ୍ଣୁଗଣ ରୁଦ୍ରଗଣ ବ୍ରହ୍ମଗଣ ଯେତେ

ଅନନ୍ତ ତକ୍ଷକ ନାଗ କୁଳିତ ସହିତେ ।

ଏ ବିଧି ସଭାରେ ଛନ୍ତି ଦେବତା ଅନେକ

ଶଙ୍ଖ ପଦ୍ମ ମହାପଦ୍ମ ମଣି କର୍କୋଟକ ।

ପୁଷ୍ପବନ୍ତ ହିମବନ୍ତ ପର୍ବତର ପତି

ମନୁ ବିଘ୍ନେଶ୍ୱର ଆଦି ସପ୍ତ ମହାଯତି ।

ତ୍ରଉଞ୍ଚ ମହେନ୍ଦ୍ର ବିନ୍ଧ୍ୟଆଦି ଗିରିନୀଳ

ଅଶ୍ୱିନୀକୁମାର ବିଶ୍ୱାବସୁ ଆଦି ଠୁଳ ।

ଆବର୍ତ୍ତ ସମ୍ବର୍ତ୍ତ ଦ୍ରୋଣ ପୁଷ୍କର ଯେ ମେଘ

ବିଷକୁମ୍ଭ ଶିବମୂଳେ ସତାଇଶ ଯୋଗ ।

କୋଟି ସିଦ୍ଧମୂଳେ ଚିତ୍ରଗୁପତ ଯେ ପୁଣ

ସତାଇଶ ନକ୍ଷତ୍ର ଯେ ଏଗାର କରଣ ।

ସେହି ସଭାର ମହିମା କହିବି ମୁଁ କେତେ

ସଂକ୍ଷେପି କହିବା ବୁଦ୍ଧି ସ୍ପୁରୁନାହିଁ ଚିତ୍ତେ ।

ସ୍ଫଟିକ ଦର୍ପଣମାନ ଦିଶେ ପନ୍ତି ପନ୍ତି

ମଧ୍ୟାହ୍ନ ଆଦିତ୍ୟ ଜିଣି ତାର ତେଜ ଜ୍ୟୋତି ।

ରସାଣିଲା ସୁନାପରି ଶୋଭା ଅଟେ ଶ୍ରେଣୀ

ଧାଡ଼ି ଧାଡ଼ି ନବରତ୍ନ ବିଚିତ୍ର ଖଞ୍ଜଣି ।

ଝୀନପତନୀ ସିନ୍ଧୁଆ ନେତ ପାଟମାନ

ତହିଁରେ ଲାଗି ଅଛଇ ଶୁଦ୍ଧ ଯେ ସୁବର୍ଣ୍ଣ ।

ଭଭା ଖଞ୍ଜା ତ୍ରୋଣମାନ ମାଣିକ୍ୟରେ ହୋଇ

ବଇଦୁର୍ଯ୍ୟ ପୁଞ୍ଜି ପୁଞ୍ଜି ହୋଇ ବସିଛଇଁ ।

କରଣ ଚିତ୍ରଗୁପତ ତହିଁ ଜଗୁଆଳି

ଚଉଦ ମନୁରେ ବିଶ୍ୱକର୍ମା ଅଛି କରି ।

ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ସୂଚିକମ ଜ୍ୟୋତି

ବେଢ଼ାଇ ବାନ୍ଧିଅଛଇ ତାର ଚଉକତି ।

ଚମ୍ପା ନାଗେଶବର ମଲ୍ଲୀ ବକୁଳ ପାଟଳୀ

ସୁବାସ କୁସୁମ ତହିଁ ଲମ୍ବେ ମାଳି ମାଳି ।

ଗଜ ମୁକୁତା ଝରାରେ ମାଣିକ୍ୟ ମିଶାଇ

ଚଉପାଶେ ଲମ୍ବାଇଛି ତାହାକୁ ଯେ ନେଇ ।

ଖଣ୍ଡିତ ଶ୍ୱେତ ଚାମରମାନ ଖଞ୍ଜି ମୂଳେ

ସିଞ୍ଚିଛି ସୁବାସ ପାଣି ଯେ ପନୀର ଜଳେ ।

ଯେବଣ ସଭାରେ ହ୍ୱନ୍ତି ବୃଦ୍ଧେ ନବଯୁବା

ତହିଁରେ ଯେ ପଟାନ୍ତର ଆନ କିସ ଦେବା ।

କ୍ଷୁଧା ତୃଷାମାନ ତହିଁ ବିବର୍ଜିତ ହୋଇ

ଧର୍ମକଥା ବ୍ୟତିରେକେ ଆନ କଥା ନାହିଁ ।

ଦଇବରେ ବିକୃତ ହୋ ଦେଖ ନରପତି

ଏମନ୍ତ ସମୟେ ଉଭା ହୋଇ ବସୁମତୀ ।

କେଶ ବାସ ଅସମ୍ଭାଳ ହୋଇ ବସୁନ୍ଧରୀ

ଉଚ୍ଚରେ ରୋଦନ କରେ ଧର୍ମକୁ ସୁମରି ।

ତା ନବଦ୍ୱାର ରୁଧିର ବହେ ଘନ ଘନ

ଚିନ୍ତାଭରେ ଦେବୀଙ୍କର ମନ ଛନ୍ନ ଛନ୍ନ ।

କ୍ଷଣ କ୍ଷଣ ଲୋଟି ଉଠିପଡ଼ି ମହୀତଳେ

ତ୍ରାହି ବିଧାତା ବୋବାଳି ପାରେ ଅସମ୍ଭାଳେ ।

ଅସାଷ୍ଟାମ ହୋଇ ପୁଣି ହୋଏ ମୋହଗତ

ଅତି କ୍ଷୀଣ ହେବା ଦିଶେ ଜଗତର ମାତ ।

କେବଳ ଶରୀରେ ତାର ନିଶ୍ୱାସ ବହୁଛି

ବଳ ବୀର୍ଯ୍ୟ ପରାକ୍ରମ ନାହିଁ ତାର କିଛି ।

ଦେବସଭାତଳେ ଆସି ପ୍ରବେଶ ହୋଇଲା

ଅତି କ୍ଲେଶେ ସଭାକୁ ସେ ଯାଇଣ ଚାହିଁଲା ।

ଆହୋ ଦେବଗଣ ତୁମ୍ଭେ ସମ୍ଭାଳ ଏ ମହୀ

କଂସାସୁର ପାଦଭରା ନ ପାରଇ ସହି ।

ସମସ୍ତ ଦେବତା ତୁମ୍ଭେ ଦେଖ ମୋ ଅବସ୍ଥା

ତୁମ୍ଭେ ନିଶ୍ଚିନ୍ତେ ରହିଲେ ମୋର ଏଡ଼େ ଚିନ୍ତା ।

ତୁମ୍ଭର ଥାଆନ୍ତେ ମୁଁ ଯେ ହେଲି ବଡ଼କଷ୍ଟୀ

ଆନର ହାତରେ ତୁମ୍ଭେ ଦିଅ ତୁମ୍ଭ ସୃଷ୍ଟି ।

ସୁରଗଣ ରଖିପାର ଯେବେ ଏତେବେଳେ

ଛାଡ଼ିବି ଏ ମହୀଭାରା ପଡ଼ୁ ରସାତଳେ ।

ତାହାର ଯୋଗୁଁ ହୋଇଲା ମୋର ଏତେ ଦୁଃଖ

ତୁମ୍ଭଙ୍କୁ କହିଲି ମୋତେ ପାରିଲେ ହୋ ରଖ ।

ସପତ ଗୋଟା ବ୍ରହ୍ମାଣ୍ଡ ବହିଅଛି ଶିରେ

ସକଳ ରାଜ୍ୟରେ ଚିନ୍ତା ଅଛଇ ମୋଠାରେ ।

ମୋହର ଅଭାବେ କେହି ନ ପାରିବେ ରଖି

ଏ କଥା ପ୍ରମାଣ ଶୁଣୁଥାଅ ଅଷ୍ଟଆଖି ।

ମୁହିଁ ଯେବେ ଶସ୍ୟଜାତ ନ କରିବି ଭଲେ

ହତ୍ୟା କାହାକୁ ଲାଗିବ ପ୍ରଣୀମାନେ ମଲେ ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଏ ଚାରି

ମୋହ ଉପରେ ସଞ୍ଚିଲ ତୁମ୍ଭେ ଦେବ ହରି ।

ବ୍ରହ୍ମଲୋକଠାରୁ କୀଟ ପତଙ୍ଗ ପର୍ଯ୍ୟନ୍ତେ

ମୋର ନ ରଖିଲେ କହ ବର୍ତ୍ତିବେ କେମନ୍ତେ ।

ଚଉରାଶୀ କୋଟି ଜୀବଜନ୍ତୁ ଏ ଯେ ଲେଖା

ଚରାଚର ଜୀବଜନ୍ତୁ ରଖିଛି ମୁଁ ଏକା ।

ହବି ହୋମ ଯାଗ ଯଜ୍ଞ ମୋ ଉପରେ କଲ

ଅନନ୍ତ କୋଟି ବ୍ରହ୍ମାଣ୍ଡ ମୋ ଶିରେ ସ୍ଥାପିଲ ।

ବନ କନ୍ଦର ଆଦି ଯେ ମେରୁ ଅଷ୍ଟଗିରି

ସପତ ସମୁଦ୍ର ନଦୀସବୁ ଅଛି ଧରି ।

କ୍ଷିତିପତି କ୍ଷତ୍ରୀ ଯେତେ ଅଛନ୍ତି ସଂସାରେ

ସମସ୍ତ ଅର୍ଦ୍ଦୋଳି ସିନା ମୋହରି ଉପରେ ।

ତୁମ୍ଭେ ଦେବତାଏ ସିନା ହୋଇଛ ଅଗ୍ରଣୀ

ମୋର ନ ଥିଲେ ସଂସାର ହେବ କେହ୍ନେ ପୁଣି ।

ଏ କଥା ତଦନ୍ତ କରି ବିଚାର ସକଳ

ନିଶ୍ଚେଁ ଜାଣ ରସାତଳେ ପଡ଼ିଲା ଶୟଳ ।

ଏତେବୋଲି ଦେବୀ କାନ୍ଦେ କ୍ରୋଧଭର ହୋଇ

ଉଚ୍ଚେ ରୋଦନ କରଇ ଦେବଗଣ ଚାହିଁ ।

ବସୁଧା ଆକୁଳ ଦେଖି ବୋଲେ ପୁରନ୍ଦର

କଂସର ଧାଡ଼ି ଲାଗିଲା ମାଗୋ ଚରାଚର ।

ମାଗୋ ତୁମ୍ଭ ତହୁ ମୋର ଅଧିକ ବେଦନା

ପ୍ରତକ୍ଷେ ମାଗୋ ଦେବଙ୍କ ଦୁଃଖ ଦେଖୁକିନା ।

ପ୍ରଥମେ କଂସ ଅଇଲା ଦଣ୍ଡଗୋଟା ଭିଡ଼ି

ଅମର ଭୁବନଯାକ ଦେଲାକ ଉଜାଡ଼ି ।

ଦେବଭଣ୍ଡାରମାନ ସେ ସବୁ କଲା ଜୂର

ବାରସ୍ୱତୀ ଭୁବନକୁ କଲା ନାରଖାର ।

ଅଇଲାକ ଏକ ରଥ ଚଢ଼ି ଆରବେଳେ

ମଥୁରାକୁ ଧରି ବାନ୍ଧି ନେଲା ରଥେ ବଳେ ।

ଜିଙ୍ଘାସ କରି ଆମ୍ଭଙ୍କୁ ଦୁଃଖ ଦେଲା ଯେତେ

ଦେହ ବହି ଏ କଷ୍ଟ ଗୋ ସହିବାକ କେତେ ।

ନୁହ ତୁମ୍ଭେ ବିକଳ ଗୋ ସମୟେକ ଧର

ଏ କଷ୍ଟରୁ ନାରାୟଣ କରିବେ ଗୋ ପାର ।

ସବୁକାଳେ ପ୍ରାଣୀଙ୍କର ଦୁଃଖଭରା ନାହିଁ

ଦୁଃଖ ସୁଖ ବେନି ଫଳ ଦେହଅଛି ବହି ।

ଏ କଥା ବିଚାରିଲେ ଗୋ ହୋଇ ପୁଣ କିସ

ଯାହା ଲଲାଟେ ଗୋ ଲିଭିଛନ୍ତି ପୀତବାସ ।

ଏତେକ କହିଲେ ତହିଁ ବିବୁଧର ନାଥ

ନିଃଶ୍ୱାସ ଛାଡ଼ି କପାଳେ ଦେଇ ନିଜ ହାତ ।

ଚିନ୍ତାଭରେ ବୃହସ୍ପତି ମୁଖ ଦେଲେ ଚାହିଁ

ବୋଇଲେ କଷଣୁ ପାରି କରିବାକ କେହି ।

କଂସ ଭୟରୁ କେମନ୍ତେ ହେବା ପାର

ଅମରଗଣେ ହୋ କର ଏଥୁ ବିଚାର ।

ସଂଗ୍ରାମରେ କଂସରାଜା ନୁହେଁ କେବେ ସାଧି

କି କି ଉପାୟ କରିବା କହ ବିବୁଧାଦି ।

ଦୁଇବେଳ ଧାଡ଼ିରୁ ତ କରି ଧର୍ମବଳେ

ଏ ବେଳ ଅଇଲେ ସବୁ ସଂହାରିବ ରୋଳେ ।

ପୋଡ଼ୁ ଏହି ସ୍ୱର୍ଗଭୋଗ ପଳାଇବା ଛାଡ଼ି

ଆମ୍ଭର ଗଲେ ପଛକେ କଂସ ବସୁମାଡ଼ି ।

ଶରୀରେ ତ ପ୍ରାଣଥିଲେ ସବୁ କରିପାରି

ପ୍ରାଣ ଛାଡ଼ିଗଲେ କେହି ନୁହଇ ତାହାରି ।

ସ୍ୱର୍ଗ ନ ଛାଡ଼ିଲେ ପ୍ରାଣ କରି ଆମ୍ଭେ ତେଜ୍ୟା

ଏମନ୍ତ ବୋଲି ବୋଇଲେ ଯହୁଁ ସୁରରାଜା ।

କହନ୍ତି ଯେ ଦେବଇନ୍ଦ୍ର ବାକ୍ୟେ ବୃହସ୍ପତି

କିପାଁ ଏ କଥା କହିଲ ଆହେ ସୁରପତି ।

ଇନ୍ଦ୍ର ବୋଇଲେ ଶରୀରେ ଭୟ ଯେବେ ପଡ଼େ

ପୂର୍ବକାଳରେ ନ ଥିଲେ ବୀର କେଡ଼େ କେଡ଼େ ।

ସ୍ୱର୍ଗପୁରେ ସବୁକାଳେ ଅସୁରଙ୍କ ଭୟ

ବିଧାତାର ବୁଦ୍ଧିବଳେ ହୁଅନ୍ତି ଯେ କ୍ଷୟ ।

ବସୁ ନାମେ ସତ୍ୟଯୁଗେ ମଘବା ଯେ ଇନ୍ଦ୍ର

ଆସ୍ଥାନରେ ବସିଥିଲା ଘେନି ସୁରବୃନ୍ଦ ।

ଏମନ୍ତ ସମୟେ ତହିଁ ତାରକା ବାହିଲା

ଅଯୋଗେ ସବୁ ଦେବଙ୍କ ପରେ ଧାଡ଼ି ଦେଲା ।

ସେନାପତି କାର୍ତ୍ତିକେୟ ତାହାକୁ ମାଇଲା

ତେବେ ଯାଇଁ ଦେବଙ୍କର କଷ୍ଟ ପାରଗଲା ।

ସେ କଥା ତୁମ୍ଭେ ଚକ୍ଷୁରେ ଦେଖିଛ ପ୍ରତ୍ୟକ୍ଷ

ହିରଣ୍ୟକଶିପୁ ତାର ଭାଇ ହିରଣ୍ୟାକ୍ଷ ।

ବଡ଼ ପ୍ରତାପୀ ଦାନବ ବୀର ଦୁଇଭାଇ

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଜିଣନ୍ତା କେ ନାହିଁ ।

ମହା ବରାହ ରୂପରେ ପ୍ରଭୁ ନରହରି

ଦନ୍ତେ ପୃଥିବୀ ଧଇଲେ ହିରଣ୍ୟ ବିଦାରି ।

ଭାଇର ଛଳେ ହିରଣ୍ୟକଶିପୁ ଅସୁର

ବିଷ୍ଣୁର ବଇରୀ ହୋଇ ନାଶିଲା ସଂସାର ।

ପ୍ରହ୍ଲାଦ ନାମେ ତା ପୁତ୍ର ଶ୍ରୀହରି ଭକତ

ମାରିବାପାଇଁ ଉପାୟ କଲା ସେ ବହୁତ ।

ଭକତକୁ ଯହୁ ମାରି ନ ପାରିଲା କୋପେ

ଗୋବିନ୍ଦ ଯେ ବିଦାରିଲା ନରସିଂହ ରୂପେ ।

ପୂର୍ବେ ମଧୁ କଇଟଭ ଦୈତ୍ୟ ଅବତାର

ମହାପ୍ରଳୟ ଜଳକୁ ନାହିଁ ତାଙ୍କ ଡର ।

ପଶନ୍ତେଣ ପାଣି ତାଙ୍କୁ ହୁଏ ଆଣ୍ଠୁଆଣି

ଚକ୍ରେ ତାହାଙ୍କୁ କାଟିଲେ ଦେବ ଚକ୍ରପାଣି ।

ମସୀଗୁଣ୍ଡା କରି ତାଙ୍କୁ ଭାଙ୍ଗି ଶତେବାର

ମେଦ ମେଦାରେ ମେଦିନୀ ସ୍ଥାପି ଚକ୍ରଧର ।

ହିରଣ୍ୟକଶିପୁବଳେ ବଳୀଦୈତ୍ୟ ଥିଲା

କେତେଥର ଏହି ସ୍ୱର୍ଗପୁରକୁ ବାହିଲା ।

ଦେବଭଣ୍ଡାର ଅମୃତ ଆଦି ନେଇ ବହି

ନନ୍ଦନବନ ସହିତେ ବିଳସିଲା ସେହି ।

ସ୍ୱର୍ଗପୁର ଦେବତାଙ୍କୁ ବଳେ ଦେଲା ତଡ଼ି

ନବସହସ୍ର ବରଷ ବସେ ସ୍ୱର୍ଗମାଡ଼ି ।

ଯୁକତେ ଅସୁରାଧିପ ପ୍ରତାପୀ ସେ ବୀର

ଉପାୟ କରି ମାଇଲେ ତାକୁ ଚକ୍ରଧର ।

ବାମନରୂପେ ତାଠାରୁ ଭୂମିଦାନ ଘେନି

ତିନିପାଦେ ଆକ୍ରମିଲେ ତାର ପୁର ତିନି ।

ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ଆଣିଲେ ଛଡ଼ାଇ

ପାତାଳେ ରଖିଲେ ତାକୁ  ପୁରେକ ଭିଆଇ ।

ବିଶ୍ରବାର ନନ୍ଦନ ସେ ପଉଲସ୍ତି ନାତି

ରାବଣ ନାମେ ଅସୁର ଅଟେ ମହାକ୍ଷତ୍ରୀ ।

ଅନେକବାର ସ୍ୱର୍ଗକୁ ଦିଗବିଜେ କଲା

ଲଙ୍କାଗଡ଼କୁ ଦେବଙ୍କୁ ବାନ୍ଧି ଘେନିଗଲା ।

ବ୍ରହ୍ମାଙ୍କର ଅଣନାତି ବୀର ଚୂଡ଼ାମଣି

ସ୍ୱର୍ଗମର୍ତ୍ତ୍ୟ ପାତାଳେ ସେ ହୋଇଲେ କାରେଣି ।

ବ୍ରହ୍ମାଙ୍କ ବରେ ଛପନଗଣ୍ଡା ଯୁଗ ଆୟୁ

ବାଆସ୍ତରି ପୁତ୍ର ତାର ବୀରବର ରାହୁ ।

ତେରଶତ ନାତି ପୁଣି ଅତିହିଁ ଗହଳ

ଏକେ ଏକେ ଜିଣନ୍ତି ସେ ଦଶଦିଗପାଳ ।

ରୁଦ୍ର ବ୍ରହ୍ମା ଆଦି ଜିଣି ନ ପାରନ୍ତି ରଣେ

ଚଉଦ ବ୍ରହ୍ମାଣ୍ଡ ଏକା ସାଧିଲା ସେ ରଣେ ।

ଯେତେବେଳେ ଆସ୍ଥାନରେ ବସଇ ସେ ଯାଇ

ବିଷ୍ଣୁ ବଦଳେ ମୁଁ ତାଳ ଧରି ଗୀତ ଗାଇ ।

ବ୍ରହ୍ମା ମର୍ଦ୍ଦଳ ଧରନ୍ତି ଈଶ୍ୱର ନାଚନ୍ତି

ନାରଦ ବୀଣା ଧରିଣ ତାଣ୍ଡବ କରନ୍ତି ।

ପୁଷ୍ପମାଳ ପାର ଗଳେ ଦିଏ ପୁଣି ମୁହିଁ

ମୁଖ ଦେଖଇ ଦର୍ପଣ ଚନ୍ଦ୍ର ଧରିଥାଇ ।

ଯମ ବୈଦ୍ୟପଣେ ନିତ୍ୟ କରୁଥାଇ ସେବା

ତା ମଢ଼ିଆଳ ଧଇତ କରେ ଅଗ୍ନି ଦେବା ।

ବରୁଣ ଯୋଗାଉ ଥାଇ ବାସପାଣି ନିତ୍ୟ

ଭଣ୍ଡାରର ଅଧିକାରୀ କୁବେର ଦୈବତ ।

ପବନ ଘେନି ବିଞ୍ଚଣି ଆଲଟ ଢାଳନ୍ତି

ନଇର୍ଋତ ଦେବତା ଯେ ମାର୍ଜ୍ଜନା କରନ୍ତି ।

ସହସ୍ରେ କିରଣ ଧରି ଦେବ ଛାୟାପତି

ଦିହୁଡ଼ି ଧରିଣ ଉଭାହୋଇଥାଏ ନିତି ।

ଆବର ଦେବତାମାନେ ଜଗନ୍ତି ପହରା

ରାବଣ ପଥେ ପକାନ୍ତି ଚନ୍ଦନର ଛେରା ।

ଏହି ଅନୁକ୍ରମେ ରାଜା ଦଶାନନ ରାୟେ

ଚଉଦ ବ୍ରହ୍ମାଣ୍ଡେ ତାକୁ ଜିଣନ୍ତା କେ ନୁହେ ।

ଦଶରଥ କୋଳେ ଜନ୍ମି ରାମଚନ୍ଦ୍ର ରାୟ

ଲଙ୍କା ବିଧ୍ୱଂସି ସବଂଶେ କଲେ ତାକୁ କ୍ଷୟ ।

ବନ୍ଧୁବାନ୍ଧବ ସହିତେ ସବୁ ମରାଇଲା

ସୀତାଙ୍କୁ ଚୋରାଇ ଆଣି ଆପେ କ୍ଷୟଗଲା ।

ଦେବଗୁରୁ ବୋଇଲେ ହୋ ଶୁଣ ଶଚୀପତି

ଏଡ଼େ ଏଡ଼େ ବୀରମାନେ ଥିଲେ ଏହି ପୃଥ୍ୱୀ ।

ଏଥିରୁ ବଡ଼ ସଙ୍କଟ ଥିଲା ଜାଣ ପୂର୍ବେ

ଏ ମହାଭାରା ହେଲା କି ତାଙ୍କଠାରୁ ଏବେ ।

ଏ ତୁମ୍ଭଙ୍କୁ ସ୍ୱର୍ଗପୁରେ ଇନ୍ଦ୍ରପଦ ଦେଲା

ସରସ୍ୱତୀ ବସିବାରୁ କଣ୍ଠେ ଦୟାକଲା ।

ବ୍ରହ୍ମା ବିଷ୍ଣୁ ମହେଶ୍ୱର ଏ ତିନିଦେବତା

ଚଉଦ ଭୁବନେ ପୁଣି ଏମାନେ କରତା ।

ସେ ତୁମ୍ଭଙ୍କୁ ଦେଇଛନ୍ତି ସ୍ୱର୍ଗେ ଇନ୍ଦ୍ର ଭୋଗ

ନିହନ୍ତା ବିହନ୍ତା ସେହି ସୁଯୋଗ କୁଯୋଗ ।

ତାହାଙ୍କ ଆଜ୍ଞାରେ ସିନା ଆମ୍ଭେମାନେ ଥାଇ

ଅନନ୍ତ ଶଯ୍ୟାରେ ଶୋଇଅଛନ୍ତି ଗୋସାଇଁ ।

ଅଷ୍ଟକୁଳା ନାଗମାନେ ପ୍ରଣମିତ ହୋଇ

ଅଛନ୍ତି ପାରୁଶେ ଫଣା ଢାଙ୍କୁଣିକି ଦେଇ ।

ତାହାଙ୍କ ଛାମୁରେ ଚାଲ ଜଣାଇବା କଥା

ତେବେ ଆମ୍ଭର ଫିଟିବ ସିନା ମନୋବ୍ୟଥା ।

ତାହାଙ୍କ ବିନୁ ଆମ୍ଭର ନାହିଁ ଅନ୍ୟ ବିଧି

ଏକଥା ହେଲେ ହୋଇବ ସବୁ କାର୍ଯ୍ୟସିଦ୍ଧି ।

ଏ କଥାଯାକ ସକଳ କରେ ଯେହୁ ନାଶ

ଯେ ଯାହାର ମନବାଞ୍ଛା ଲଭଇ ଅବଶ୍ୟ ।

ଏ କଥା ବିଚାର ତୁମ୍ଭେ ନ କର କିପାଇଁ

ତାଙ୍କ ବାହାରେ ଉପାୟ ଆନ କିଛି ନାହିଁ ।

ଏତେ ବିଚାରି ଦେବତାମାନେ ଶୁଭବେଳେ

ଯାନ ବାହନ ଆରୋହି ଗଲେ ଅନୁକୁଳେ ।

ସକଳ ଦେବତା ଆଗେ ବସୁଧାକୁ ଧରି

ବିଧାତାର ପାଖକୁ ଯେ ଗଲେ ଶୋକକରି ।

କୁଶକେତୁଙ୍କ ଛାମୁରେ ମିଳିଲେ ସକଳେ

ସନ୍ଧ୍ୟାସାରି ଆସ୍ଥାନରେ ବସିବାର ବେଳେ ।

ଉତ୍ତରୀ ସୁବର୍ଣ୍ଣ ସୂତା କନ୍ଧେ ଅଛି ପଡ଼ି

ସ୍ରୂଚ ପ୍ରୋକ୍ଷଣୀ ଆବର ସ୍ରୂଚ କୁଶବିଡ଼ି ।

ଦୋହରା ଭସ୍ମ କପାଳେ ହସ୍ତେ ଜପାମାଳି

ବେଦ ମନ୍ତ୍ର ପୁସ୍ତକ ଯେ ଦୃଦେ ଅଛି ଝଳି ।

ବିଶୁଦ୍ଧ ହରିଚନ୍ଦନ ଉତ୍ତରୀ କନ୍ଦରେ

ଶୁକଳ ଦିବ୍ୟବସନ ଶୋଭିତ କଟୀରେ।

କୃଷ୍ଣବର୍ଣ୍ଣ କେଶଜାଳ ଲମ୍ବି ତ ମସ୍ତକେ

ବେଢ଼ି ବସିଛନ୍ତି ବ୍ରହ୍ମଋଷି ଚାରିପାଖେ ।

ବେଦକାଣ୍ଡ ଗୋଟିଏ ତ ଜମ୍ବୁନାଦ ଶୋଭା

ମୁଖପଦ୍ମ ହରିଛି କି ଚନ୍ଦ୍ରମାର ପ୍ରଭା ।

ବକ୍ଷସ୍ଥଳରେ ପଡ଼ିଛି ଦିବ୍ୟ ସରୁ ଦାଢ଼ି

କୃଷ୍ଣାଜିନ ଛାଲଗୋଟି ବସିଛନ୍ତି ମାଡ଼ି ।

ହସ୍ତେ ସ୍ଫଟିକ ତୁଳସୀ ରୁଦ୍ରାକ୍ଷର ମାଳ

ପଦ୍ମପୁଷ୍ପର ଉଦରେ ଶୋଭା ବକ୍ଷସ୍ଥଳ ।

ଅନାଦି ନିରଞ୍ଜନ ସେ ବସି ମହାସୁଖେ

ବୃହତ ସାମଗାୟନ କରି ଚତୁର୍ମୁଖେ ।

ଏହି ସମୟେ ଯାଇ ମିଳି ସୁରଗଣ

ଛାମୁରେ ଯେ ନମସ୍କାର କରନ୍ତି ତକ୍ଷଣ।

ଦେଖା ଦରଶନୀ ଧନ ଆଗେ ଥୋଇଦେଇ

ଛାମୁରେ ଯେ ଏକମୁଖେ ପଡ଼ିଲେକ ଶୋଇ ।

ଶିରେ କରଦେଇ ବୋଲି ତ୍ରାହି ତ୍ରାହି ଗିର

ଭୋ ପିତା ତୁମ୍ଭେ ଯେ ପ୍ରତିକାର କର ।

ନୟନରୁ ଅଶ୍ରୁଜଳ ବହେ ଘନଘନ

ଚିନ୍ତାଭରେ ଆରତ ଯେ ଦେବତାଙ୍କ ମନ ।

ଛାମୁରେ ବସୁଧା ରହି କରପତ୍ର ଯୋଡ଼ି

କ୍ଷଣକେ ଉଭା କ୍ଷଣକେ ଭୂମିତଳେ ପଡ଼ି ।

ଏମନ୍ତ ସେ ଶତବାର ହୋଇଲେ ପ୍ରଣମିତ

ଦେଖିଣ ପ୍ରସନ୍ନ ହେଲେ ଜଗତର ତାତ ।

ବୋଲନ୍ତି ଦେବଗଣଙ୍କୁ ଚାହିଁ ପିତାମହ

କିପାଇଁ ଅମରବୃନ୍ଦ ଅଇଲ ହେ କହ ।

ଅବ୍ୟାହତ ପୁରୁଷ ଯେ ତୁମ୍ଭେ ପୁଣ୍ୟଦେହୀ

ତୁମ୍ଭର ଅମର ସ୍ୱର୍ଗପୁରେ ଭୟ କାହିଁ ।

କ୍ଷୁଧାତୃଷା ବାଧା କିଛି ନାହିଁ ତୁମ୍ଭ ଅଙ୍ଗେ

ପୁଣ୍ୟପୁରୁଷେ ଯେ ଅଛ ପୁଣ୍ୟଗୋଷ୍ଠୀ ସଙ୍ଗେ ।

ଅବିକାର ପୁରୁଷ ଯେ ନିହନ୍ତା ବିହନ୍ତା

ଅମର ଭୁବନେ ଥାଇ ତୁମ୍ଭର କି ଚିନ୍ତା ।

ବିଧାତାର ମୁଖୁଁ ଶୁଣି ଏସନକ ବାଣୀ

କହନ୍ତି ଯେ ଆଗଭର ହୋଇ ସସ୍ରଯୋନି ।

ଭୋ ଦେବ ହେ ପିତାମହ ଶୁଣ ସାବଧାନେ

ଆରକ୍ଷ ହେଲୁଁ ଏଥର ଆମ୍ଭେ ଦେବଗଣେ ।

ଅମର ଭୁବନେ ଯହୁଁ ନ ପାରିଲୁ ରହି

ତେଣୁ ତୁମ୍ଭର ଛାମୁକୁ ଅଇଲୁ ଜଣାଇ ।

କଂସାସୁର ଧାଡ଼ି ଯହୁଁ ସ୍ୱର୍ଗକୁ ଲାଗିଲା

ବାରସ୍ୱତୀ ଭୁବନ ଏ ତୋର ନାଶ ଗଲା ।

ତୁମ୍ଭେ ଅନ୍ତର୍ଯ୍ୟାମୀ ଜାଣ ସର୍ବ ଦୁଃଖ ସୁଖ

କଂସ ଭୟରେ ପାଇଲୁ ଆମ୍ଭେ ବଡ଼ ଦୁଃଖ ।

ସ୍ୱର୍ଗେ ପଶି ଦେବତାଙ୍କୁ ବାନ୍ଧି ଘେନିଗଲା

ଆମ୍ଭଙ୍କୁ ଯେ ନେଇ ବନ୍ଦୀ ମନ୍ଦିରେ ଭରିଲା ।

ଅମରଭୁବନେ ପାଣିଦ୍ରବ୍ୟ ଥିଲା ଯେତେ

ମଥୁରାପୁରେ ଭରିଲା ଆମ୍ଭର ସାକ୍ଷାତେ ।

ଦୋଷୀ ଅପରାଧୀ ଲୋକପରି ବାନ୍ଧିନେଲା

ମଥୁରା ରାଜ୍ୟେ ଆମ୍ଭଙ୍କୁ ବହୁ ଶାସ୍ତି ଦେଲା ।

ଦେବ ଭଣ୍ଡାର ନନ୍ଦନବନ ଗୋଟା ଭାଙ୍ଗି

ସୁସ୍ୱାଦୁ ଫଳ ସକଳ ହେଲା ଦୈତ୍ୟ ଭୋଗୀ ।

ଦେବସ୍ତିରୀ ଭୋଗ କଲା ସୁଧାପ୍ରାୟ ବୁଝି

ଯମ ଦେବତା ହସ୍ତରୁ କାଢ଼ିନେଲା ପାଞ୍ଜି ।

କାହାରି ମନେ ହରଷଭାବ ତିଳେ ନାହିଁ

ସ୍ୱପ୍ନରେ ଦେଖୁଛୁ କଂସ ଆସୁଛି କି ବାହି ।

ଥୋକାଏ ଦେବତା ସ୍ୱର୍ଗପୁର ଛାଡ଼ିଗଲେ

କପିଳାସ କନ୍ଦରେ ସେ ଯାଇଣ ରହିଲେ ।

ତଥାପି ଆମ୍ଭେ ଯେତେକ ସ୍ୱର୍ଗପୁରେ ଥିଲୁ

ଶରୀରେ ଯେ ପ୍ରାଣ ନାହିଁ ସ୍ୱରୂପ କହିଲୁଁ ।

ଭୋ ଦେବ ପିତାମହ ହେ କର ପ୍ରତିକାର

ପାରିଲେ ତୁମ୍ଭର ସ୍ୱର୍ଗପୁର ରକ୍ଷାକର ।

ଛପନ କୋଟି ଜୀବଙ୍କ ଅଟ ତୁମ୍ଭେ ପ୍ରଭୁ

କାରଣ ଧାରଣ ତୁମ୍ଭେ ଉଦ୍ଧାରଣ ବିଭୁ ।

ଏଥିର ତଦନ୍ତ କରି ବୁଦ୍ଧି କହିଦେବା

ଅନୁଗ୍ରହ କରି ଆମ୍ଭ ଭକତି ଘେନିବା ।

ତୁମ୍ଭେ ସେ ସଚରାଚର ସ୍ଥାପିଲ ଧରଣୀ

ଜୀବଜନ୍ତୁ ଆତଯାତ ହେବେ କାହିଁ ପୁଣି ।

ତୁମ୍ଭେ ଯେବେ ଅନୁଗ୍ରହ ନ କରିବ ସ୍ୱାମୀ

ନିଶ୍ଚେ ଆମ୍ଭ ସଙ୍ଗେ ନାଶ ଯିବ ସ୍ୱର୍ଗଭୂମି ।

ଅଗୋଚର ହେଲା ତୁମ୍ଭେ ପ୍ରତ୍ୟକ୍ଷରେ ଦେଖ

ଉପାୟ କରିଣ ଏବେ ସ୍ୱର୍ଗପୁର ରଖ ।

ଅନେକ କାକୁସ୍ଥ ଯହୁଁ ହେଲେ ଦେବଗଣ

ଧାତା ବୋଲନ୍ତି ହେ ତୁମ୍ଭେ ଦେବଗଣ ଶୁଣ ।

ବାସବକୁ ବୋଇଲେ ହୋ ଶୁଣ ଶଚୀନାହା

ପ୍ରତ୍ୟକ୍ଷେ କହିବା ତୁମ୍ଭେ ନ ଜାଣ କି ତାହା ।

ସୃଷ୍ଟି ଭିଆଣର ସିନା ଆମ୍ଭେ ଯେ କରତା

ରଖିବା ଲୋକ ତୁମ୍ଭଙ୍କୁ ଶ୍ରୀବିଷ୍ଣୁ ଦେବତା ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଏ ଚାରି

ଏ ଜୀବ ଜନ୍ତୁଙ୍କୁ ଆମ୍ଭେ ଭିଆଇ ଯେ ପାରି ।

ସୃଷ୍ଟି ଭିଆଇବା କଥା ଲାଗଇ ଆମ୍ଭନ୍ତ

ନାରାୟଣ ବିନା ଆନ ନୁହେଁ ସାମରଥ ।

ଅନାଦି ନିରଞ୍ଜନର ଆମ୍ଭେ ତିନି ଶାଖା

କେବଳ ରୂପ ଯେ ଭିନ୍ନ ସବୁ ଜାଣ ଏକା ।

ଶରୀର ଭିନ୍ନ ଆମ୍ଭର ଆତ୍ମା ଅଟେ ଏକ

ସ୍ୱରୂପ କହୁଛି ମୁହିଁ ଶୁଣ ଦେବଲୋକ ।

ନିରାକାରଠାରୁ ଆମ୍ଭେ ତିନିଭ୍ରାତା ହେଲୁ

ପ୍ରକୃତିକି ଭିନ୍ନ ଭିନ୍ନ କରିଣ ବହିଲୁ ।

ଶୂନ୍ୟବାସୀଠାରୁ ଆମ୍ଭେ ହେଲୁ ଅବତାର

ଅଦଭୂତେ ଶବଦେକ ଶୁଭିଲା ଆବର ।

ଆହୋ ତିନିଭ୍ରାତ ତୁମ୍ଭେ କର ଦେବକର୍ମ

ହରିବ ଯେ ଭାରାଭର ସଞ୍ଚିବ ଯେ ଧର୍ମ ।

ମନ୍ତ୍ର ପୋଥିଗୋଟି ମୋତେ ଶୂନ୍ୟୁ କାଢ଼ି ଦେଲେ

ଏହା ଘେନି ସୃଷ୍ଟି ତୁମ୍ଭେ କର ହେ ବୋଇଲେ ।

ଚଉଦ ଭୁବନେ ଜୀବ ଜନ୍ତୁ ଛନ୍ତି ଯେତେ

ଏ ପୋଥି ଘେନି ଭିଆଅ ଆଜ୍ଞା ଦେଲେ ମୋତେ ।

ନାରାୟଣଙ୍କୁ ବୋଇଲେ ସୃଷ୍ଟି ରକ୍ଷାକର

ଦୁଷ୍ଟ ନାଶି ନିବାରିବ ପୃଥିବୀର ଭାର ।

ଆହେ ବିଷ୍ଣୁ ଦେବତା ପାତ ଦକ୍ଷିଣକର

ଶୁଣି ଦକ୍ଷିଣ ହସ୍ତ ଦେଖାନ୍ତି ଚକ୍ରଧର ।

ଶୂନ୍ୟରେ ଚକ୍ରଦେଲେ ଶ୍ରୀ ବିଷ୍ଣୁ କରେ ତୋଳି

ସେହି ଚକ୍ରେ ପୃଥିବୀ ରଖିବ ପ୍ରତିପାଳି ।

ରୁଦ୍ରଙ୍କୁ ବୋଇଲେ ତୁମ୍ଭେ ଘେନ ଯୋଗଦୀକ୍ଷା

ପ୍ରଳୟେ ଅନ୍ତ କରିବ ଦେବ ଯୋଗ ଶିକ୍ଷା ।

ଏହା ଶୁଣି ଦେବେ କଲେ ଈଶ୍ୱରଙ୍କୁ ଧ୍ୟାନ

କପିଳାସ କନ୍ଦେ ଥାଇ କମ୍ପିଲା ଆସନ ।

ଉମାର ବର ଆସ୍ଥାନ ମାଡ଼ି ବସିଥିଲେ

ଦେବଙ୍କର ଆକୁଳ ଯେ ଧ୍ୟାନରେ ଜାଣିଲେ ।

ପାର୍ବତୀଙ୍କ ମୁଖ ଚାହିଁ ବୋଲନ୍ତି ଶଙ୍କର

ଦେବେ ଯେ ଚିନ୍ତିଲେ ଆମ୍ଭେ ଯିବୁ ଧାତିକାର ।

ଏତେବୋଲି ସଦାଶିବ ବୃଷଭ ଆରୋହି

ଅନ୍ତରୀକ୍ଷେ ନବଲକ୍ଷ ଡମ୍ବରୁ ବଜାଇ ।

ଚୌଦକୋଟି ଶିବଗଣ ଆଗରେ ଚଳାଇ

କାର୍ତ୍ତିକ ନନ୍ଦୀ ଭ୍ରୂକୁଟି ଗହଣରେ ରହି ।

ଖେଚର ଭୂଚର ଆଦି ଭଇରବ ସଙ୍ଗେ

ଦିଗମ୍ବର ଲାଙ୍ଗଟ ଯେ ବିଭୂତି ସର୍ବାଙ୍ଗେ ।

ହିମବନ୍ତର ନନ୍ଦିନୀ ବସିଛନ୍ତି କୋଳେ

ଧାତିକାରେ ବିଜେକଲେ ସୁଢ଼ଳେ କୁଶଳେ ।

କୁଶକେତୁ ବ୍ରହ୍ମାପୁରେ ମିଳିଲେକ ଶିବ

ଦୂରରୁ ଶୁଭିଲା ଯହୁଁ ଡମ୍ବରୁର ରବ ।

ଈଶ୍ୱର ବିଜେ କରିବା ଜାଣି ଦେବତାଏ

ପାଛୋଟି ଗଲେକ ଏକାଦଶ ଯୂଣ ଯାଏ ।

ଦେବଗଣ ସଙ୍ଗେ ଘେନି ଦେବ କାଶୀବାସୀ

ଅନେକ ମତେ ପୂଜନ୍ତି ତହିଁ ସ୍ୱର୍ଗବାସୀ ।

ବିଧାତା ଦୃଷ୍ଟି ଗୋଚରେ ବୃକ୍ଷୁଁ ଓହ୍ଲାଇଲେ

ଧାତି ଦେଖି ସଦାଶିବ ନମସ୍କାର କଲେ ।

ଧାତି ଶିବ ଦୁହେଁ ହେଲେ କୋଳ ସମ୍ଭାଷଣ

ବେନି ଦେବ ବସିଲେ ଯେ ଏକଇ ଆସନ ।

ଈଶ୍ୱରଙ୍କ ସଙ୍ଗରେ ଶିବଗଣ ଥିଲେ

ଧାତାଙ୍କୁ ସେମାନେ ଯାଇ ବେଢ଼ିଣ ବସିଲେ ।

କହନ୍ତି ଯେ ସଦାଶିବ ଧାତା ମୁଖ ଚାହିଁ

ସକଳ ଦେବତା ମେଳ ହେଲେ କାହିଁପାଇଁ ।

ସମସ୍ତଙ୍କ ନୟନରୁ ବହେ ଅଶ୍ରୁଜଳ

ଏତେ ଆକୁଳ କିପାଇଁ ଦଶଦିଗପାଳ ।

କେଉଁ କାରଣେ ଆମ୍ଭଙ୍କୁ ସୁମରିଲେ ଦେବେ

ଏ କଥା ସଂକ୍ଷେପି କହ ଶୁଣି ତାହା ଆମ୍ଭେ ।

ଧାତା ବୋଇଲେ ହୋ ତୁମ୍ଭେ ଶୁଣ ସଦାଶିବ

ତ୍ରିଦଶର ଅଧିପତି ଅଟେ ଆମ୍ଭ ଜୀବ ।

ତୁମ୍ଭେ କି ସେହି କଥା ନ ଜାଣ ସଦାଶିବ

ଦେବ ଆକୁଳ ତୁମ୍ଭଙ୍କୁ ହେଲା ଅସମ୍ଭବ ।

ଭୋଜବଂଶରେ ଜନମି ଉଗ୍ରସେନ ସୁତ

କଂସାସୁର ନାମରେ ସେ ଜଗତେ ବିଖ୍ୟାତ ।

ପ୍ରତିଜ୍ଞା ସାମରଥା ସେ ଅଟେ ମହାମଲ୍ଲ

ଚଉଦ ଭୁବନକୁ ସେ ହୋଇଅଛି ସଲ ।

ସମସ୍ତ ନୃପତିଗଣ ସଂଗ୍ରାମେ ଜିଣିଲା

ମଥୁରାକୁ ଦେବତାଙ୍କୁ ବାନ୍ଧି ଘେନିଗଲା ।

ଅନେକ ଯେ ଉପଦ୍ରବ କରେ କଂସରାୟ

ଦେବ ଦାନବ ମାନବ ସବୁ କଲା ଜୟ ।

ମହାବଳିଷ୍ଠ ଅଟନ୍ତି ଅଷ୍ଟମଲ୍ଲ ସଖା

ଅମର ବାରସ୍ୱତୀରେ ପଶି କଲେ ଡକା ।

କୋଟି ଇନ୍ଦ୍ର ଏକ ହୋଇ ସଂଗ୍ରାମେ ନ ପଶି

ଏକେ ଏକେ ସେହି ସ୍ୱର୍ଗ ପାରନ୍ତି ବିନାଶି ।

ବସୁମତୀ ନ ସହଇ ତାଙ୍କ ମହାଭାର

ନବଦ୍ୱାର ବାଟେ ତାର ବହଇ ରୁଧିର ।

କଂସର ଭୟେ ଦେବତାମାନେ ହେଲେ ଭ୍ରଷ୍ଟ

ଛାଡ଼ିଲେ ସ୍ୱର୍ଗ ଭୁବନ ପାଇଲେ ଯେ କଷ୍ଟ ।

ଆମ୍ଭେ ବ୍ରହ୍ମା ବିଷ୍ଣୁ ରୁଦ୍ର ଅଟୁ ଜଣ ତିନି

ସୃଷ୍ଟିର ଭିଆଣ ସବୁ କରୁଁ ଲାଭ ହାନି ।

ଆମ୍ଭ ଆଶ୍ରିତେ ସମସ୍ତେ ଅଛନ୍ତି ଜଗତେ

ଅମରଗଣ ଯେ ରହିଥାନ୍ତି ସ୍ୱର୍ଗପଥେ ।

ସ୍ୱର୍ଗପୁରେ ଦେବତାଏ ନିଶ୍ଚିନ୍ତରେ ଥାନ୍ତି

ମର୍ତ୍ତ୍ୟମଣ୍ଡଳେ ଦାନବେ ସୁଖେ ବିହରନ୍ତି ।

କେମନ୍ତେ ରକ୍ଷା ହୋଇବ ଏହି ନବସୃଷ୍ଟି

ବିଷ୍ଣୁଙ୍କୁ କହିବା ଚାଲ ସର୍ବେ ହେଲୁ କଷ୍ଟୀ ।

ଆମ୍ଭେମାନେ କଂସକୁ ଯେ ନ ପାରିବୁ ମାରି

ପ୍ରତ୍ୟକ୍ଷରେ କାଳନେମି ଅଛି ଅବତରି ।

ପୃଥ୍ୱୀନାଶ କରୁଛି ସେ କେତେହେଁ ସହିବା

ସମସ୍ତେ ଚାଲ ବିଷ୍ଣୁଙ୍କୁ ଯାଇ ଜଣାଇବା ।

ଅନେକ ଦୈତ୍ୟ ପୃଥ୍ୱୀରେ ହୋଇଥିଲେ ଜାତ

ପୃଥ୍ୱୀଭାର ନିବାରଣେ କରନ୍ତି ନିପାତ ।

ଏଥୁ ବଡ଼ ଦୈତ୍ୟଙ୍କର ଚମତ୍କାର ଭୟ

ସବୁକାଳେ ନାରାୟଣ କରନ୍ତି ତା କ୍ଷୟ ।

ଏବେ ଚାଲ ଯିବା ସର୍ବେ ବସୁଧା ଆବୋରି

ନାରାୟଣ ଅଗ୍ରତରେ କରିବା ଗୁହାରି ।

ଏତେବୋଲି ସୁରଗଣ ହୋଇଲେ ବାହାର

ଯେ ଯାହା ଯାନ ବାହନ ଚଢ଼ି ଧାତିକାର ।

ଦଧି ମାଛ ପୂର୍ଣ୍ଣକୁମ୍ଭ ଶୁଭ ଅନୁକୂଳେ

ଉଷାକାଳେ ଦେବବୃନ୍ଦ ସକଳେ ଚଳିଲେ ।

ଧାତା ବୋଇଲେ ତୁମ୍ଭେ ଯେ ହୁଅ ଆଗୁଁସାର

ତେତିଶକୋଟି ଦେବଙ୍କ ଉପରେ ଠାକୁର ।

ଦେବଋଷି ବ୍ରହ୍ମଋଷି ଘେନି ବେଦବର

ହଂସ ଆରୋହି ହୋଇଲେ ଆପେ ଆଗୁଁସାର ।

ଜଗତ ପିତାମହ ଯେ ଈଶ୍ୱର ଅଛନ୍ତି

ଚଉଦକୋଟି ଗଣଙ୍କ ମଧ୍ୟରେ ଚଳନ୍ତି ।

ସଦାଶିବଙ୍କ ପଛରେ ଦେବ ଆଖଣ୍ଡଳ

ସନ୍ନିଧ୍ୟେ ତେତିଶକୋଟି ଦେବ ଦିଗପାଳ ।

ଅଇରାବତ ଆରୋହି ଅଛି ସସ୍ରଯୋନି

ଅଷ୍ଟବସୁ ଦିଗପାଳମାନ ସଙ୍ଗେ ଘେନି ।

ସୁରପତିର ପଛରେ ଅଛନ୍ତି ବରୁଣ

ମକର ପୃଷ୍ଠେ ଆରୋହୀ କରନ୍ତି ଗମନ ।

ସଞ୍ଜମନୀ ଦେବତା ସେ ଯମ ନଇର୍ଋତ

ମଇଁଷି ବାହନେ ଚଢ଼ିଯାଏ ଜନ୍ତୁନାଥ ।

କାଳ ବିକାଳ ଆଦି ଯେ ଛୟାଣୋଇ ଦୂତେ

ଏକମୁଖ ହୋଇ ହେଲେ ବାହାର ସମସ୍ତେ ।

ବଦନ୍ତି ଯେ ଶୁକମୁନି ଶୁଣ ତୁହୋ ରାୟେ

ଏକଯୋଗେ ଚଳିଗଲେ ସବୁ ଦେବତାଏ ।

ଇଦଂ ମହାକାବ୍ୟ ଏ ଶ୍ରୀହରିଙ୍କର କଥା

ଦେବଗଣଙ୍କ ବାରତା କଂସର ବ୍ୟବସ୍ଥା ।

ପବିତ୍ର ଗଙ୍ଗାଜଳ ଏ ଅଟେ ପୁଣ୍ୟମୟେ

ଦୁଇଅଧ୍ୟା ଭାଗବତ ସମାପତ ହୁଏ ।

ଜୟ ସଦାଶିବ ତୁମ୍ଭେ କପିଳାସବାସୀ

ଅଖିଳ ବ୍ରହ୍ମାଣ୍ଡନାଥ ଠାକୁର ସନ୍ନ୍ୟାସୀ ।

ଦେବାଧି ଦେବରାଜ ଯେ ସୁରପୁ କର୍ତ୍ତା

ପରମ ମହେଶ୍ୱର ହେ ମହାବ୍ରହ୍ମବେତ୍ତା ।

ଅଷ୍ଟାଙ୍ଗ ଯୋଗ ଧାରଣେ ଯାର ଭୋଳମତି

ତ୍ରାହି ଚିନ୍ତାମଣି ତୁମ୍ଭେ ଯୁଗାନ୍ତ ମୂରତି ।

ତୁମ୍ଭ କଳ୍ପନାରୁ ହେଲା ଏ ସଂସାର ଜାତ

ସନାତନ ପୁରୁଷ ତୁ ଜଗତର ତାତ ।

ଅଷ୍ଟାଙ୍ଗ ଯୋଗ ସାଧନେ ସିଦ୍ଧ ଯାର ତନୁ

ଅପୂର୍ବ ଚକ୍ଷୁ ତୁମ୍ଭର ଚନ୍ଦ୍ରାନନ ଭାନୁ ।

ପୃଥିବୀ ଆପ ତେଜ ଯେ ବାୟବ୍ୟ ଆକାଶ

ଏ ପଞ୍ଚଭୂତରେ ତୁମ୍ଭେ କରିଥାଅ ବାସ ।

ନମସ୍ତେ ହେ ସଦାଶିବ ଉମା ପ୍ରାଣବନ୍ଧୁ

ଜୟ ଜୟ ବିଶ୍ୱନାଥ କୃପାଜଳ ସିନ୍ଧୁ ।

ନମସ୍ତେ ସଦାଶିବ ହେ ଆଦିକନ୍ଦ ଯୋଗୀ

ନମସ୍ତେ ସଦାଶିବ ହେ ଅଟ ମହାରାଗୀ ।

ଜୀବଜନ୍ତୁଙ୍କ ବେଦନାମାନ ସବୁ ଜାଣ

ମହାପ୍ରଳୟକୁ ନାଥ ତୁମ୍ଭେ ପରିମାଣ ।

ବାଲୁକାଲିଙ୍ଗ ସ୍ଥାପିଣ ପୂଜନ୍ତି ଯେ ଭାବେ

ଦୁଦୁରା ଅରଖ ବେଲପତ୍ର ଶ୍ୱେତଦୁବେ ।

ପାଆନ୍ତି ଯେ ଇନ୍ଦ୍ରପଦ ଅଚଳ ସମ୍ପଦ

ମହିମା ସାଗର ବେଦ ବେଦାନ୍ତ ତୋ ହୃଦ ।

କରତାଳି ମାରି ତୁମ୍ଭ ଛାମୁରେ ଯେ ନାଚି

ଦିଗପାଳଙ୍କ ସମ୍ପଦ ଦିଅ ତାଙ୍କୁ ଯାଚି ।

ତୁମ୍ଭ ମହିମା ଅନନ୍ତ ତାର ଅନ୍ତ ନାହିଁ

ପଞ୍ଚାଶ ବର୍ଣ୍ଣର ଭେଦ ପାରିବ କେ କହି ।

କିଞ୍ଚିତ ଭକତି ନାଥ ଘେନିବା ମୋହର

ମହାଭୟ ଫେଡ଼ି ମୋର ଦୋଷ କ୍ଷମା କର ।

ସେହି ବିଶ୍ୱନାଥଙ୍କର ଚରଣେ ମୋ ସେବା

ହରିବଂଶ ପଦ କଣ୍ଠେ ବସି କହିଦେବା ।

ଜନ୍ମହୁଁ ମୁରୁଖ ମୁଁ ନ ଜାଣେ ପାଠଶାଠ

ଅଦାନୀ ଅପାତ୍ର ମୁଁ ନ ଜାଣେ ଦିବ୍ୟବାଟ ।

ପୂର୍ବ ତପବଳେ ଜାତ ହେଲା ଯାହା ଚିତ୍ତେ

ତେଣୁ ଭକ୍ତିଯୁକ୍ତ ତୁମ୍ଭ ଚରଣ ଅଗ୍ରତେ ।

ଆହେ ବିଶ୍ୱନାଥ ତୁମ୍ଭେ ସୁଦୟା କରିବ

ଅଚ୍ୟୁତ ଦାସକୁ ହରିବଂଶ କହି ଦେବ ।

 

ହରିବଂଶ (ପ୍ରଥମ ଖଣ୍ଡ)

ଦେବଗଣଙ୍କର ବୈକୁଣ୍ଠେ ପ୍ରବେଶ ଓ ଶାରଦାଙ୍କ ସ୍ତୁତି

ଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜା

ଶୁକମୁନିଙ୍କ ଚରଣେ କଲେ ଦିବ୍ୟପୂଜା ।

ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟେ

ନାରାୟଣଙ୍କ ଛାମୁକୁ ଗଲେ ଦେବତାଏ ।

କେଉଁମତେ ଗଲେ ବ୍ରହ୍ମା ଦେବାଦି ଶଙ୍କର

କହ ମୋତେ ମହାମୁନି ଏହି ପଦ ସାର ।

ମୁନି ବୋଇଲେ ହେ ରାଜା ଶୁଣ ସାବଧାନେ

ଏକମେଳେ ହୋଇ ତହୁଁ ସର୍ବଦେବଗଣେ ।

ପାଦୁକାମନ୍ତ୍ର ସୁମରି ଦ୍ରିଦଶର ସାଇଁ

ଲବଣ ସମୁଦ୍ର ତଟେ ପ୍ରବେଶିଲେ ଯାଇ ।

ଦକ୍ଷିଣ ମୁଖ ହୋଇଲେ ସବୁ ଦେବତାଏ

ଘୋଟିଛି ବାରିଧିଜଳ ରବିବିମ୍ବ ଯାଏ ।

ଜମ୍ବୁଦୀପ  ଗୋଟା ଅଟେ ଲକ୍ଷେକ ଯୋଜନା

ଲବଣ ସମୁଦ୍ର ତାକୁ ବେଢ଼ିଅଛି ଜାଣ ।

ତଦନ୍ତେ ଅଛଇ ପୁଣି ପ୍ଲକ୍ଷନାମେ ଦ୍ବୀପ

ବେନିଲକ୍ଷ ଯୋଜନ ସେ ଦୀର୍ଘପ୍ରତି ମାପ ।

 

ଅପୂର୍ବ ମେଦିନୀ ସେହି ବାୟବ୍ୟର କୋଣେ

ଇକ୍ଷୁ ସମୁଦ୍ର ବେଢ଼ିଛି ତହିଁ ଚାରିଯୂଣେ ।

ତହିଁର ନିକଟେ ଅଛି କୁଶଦ୍ୱୀପ ବୋଲି

ଚାରିଲକ୍ଷ ଯୋଜନ ଯେ ଦୀର୍ଘପ୍ରତି ସ୍ଥଳୀ ।

ତଦନ୍ତେ ଦ୍ୱୀପେକ ଅଛି କ୍ରୈାଞ୍ଚ ତାର ନାମ

ଆଡ଼ ଦୀର୍ଘ ପ୍ରତିରେ ସେ ଆଠ ଲକ୍ଷ ଯୂଣ ।

ସୁରାନାମରେ ସମୁଦ୍ର ଆବୋରିଛି ତାହା

ସାବଧାନ ହୋଇ ତୁହୋ ଶୁଣ ନରନାହା ।

ଷୋଳଲକ୍ଷ ଯୋଜନ ତା ଅଟେ ଦୀର୍ଘ ପ୍ରତି

ଅଠାଇଶ କାଠି ଅଟେ ତା ଗଭୀର ସ୍ଥିତି ।

ତଦନ୍ତେ ଅଛି ଶାକଲ୍ୟ ନାମେ ଏକ ଦ୍ୱୀପ

ଷୋଳଲକ୍ଷ ଯୂଣ ଅଟେ ତହିଁର ଯେ ମାପ ।

ସର୍ପିନାମେ ସମୁଦ୍ର ଯେ ଅଛଇ ଆବୋରି

ନାରାୟଣଙ୍କ ଅନନ୍ତ ତହିଁ ବାସ କରି ।

ବତିଶ ଲକ୍ଷ ଯୋଜନ ସବୁ ପୁଣ୍ୟମୟେ

ତହିଁ ପ୍ରବେଶ ହୋଇଲେ ଯାଇ ଦେବତାଏ ।

କ୍ଷୀରସିନ୍ଧୁ ମଧ୍ୟେ ଅଛି ସୁଧାକର କୁଣ୍ଡ

ଅଶେଷ ବ୍ରହ୍ମାଣ୍ଡ ତହିଁ ହୋଇଅଛି ରୁଣ୍ଡ ।

ବେନିଲକ୍ଷ ଯୋଜନ ସେ କୁଣ୍ଡ ଆୟତନ

ଅଲେଖ ନିରାକାର ଯେ ବିଷ୍ଣୁଙ୍କ ଭୁବନ ।

ଜଳ ଭିତରେ ପୁରେକ ଅଛି ବାରସ୍ୱତୀ

ଆଡ଼ରେ ଲକ୍ଷ ଯୋଜନ ଲକ୍ଷେ ଦୀର୍ଘ ପ୍ରତି ।

କହନ୍ତେ ନ ସରଇ ସେ ଭୁବନ ମହିମା

ନିର୍ମାଣ କରିଛି ଯାହା କୋଟିଯୁଗେ ବ୍ରହ୍ମା ।

ପ୍ରଥମ ସିଂହ ଦୁଆର ଶୁଦ୍ଧ ହେମମୟେ

ପାଚେରୀ ଦଶଯୋଜନ ମାଡ଼ି ବେଢ଼ିଥାଏ ।

ସ୍ଫଟିକ ପାଚେରୀ ଦଶଯୋଜନ ସେ ଉଚ୍ଚ

ଦଶଯୋଜନ ଓସାର ଅଟଇ ସୁସଞ୍ଚ ।

ସୁବର୍ଣ୍ଣମୟ ସେ ପୁର ମୁକୁତାର ଚୂର୍ଣ୍ଣ

ବିଜୁଳିରେ ପ୍ରାୟ ସେହି ଦିଶେ ଛନ୍ନ ଛନ୍ନ ।

ଏସନ ପୁରେ ପ୍ରବେଶ ହୋଇଲେ ତ୍ରିଦଶ

ପୁରକୁ ଦେଖି ସମସ୍ତେ ହୋଇଲେ ସନ୍ତୋଷ ।

ପ୍ରଥମ ଦ୍ୱାରେ ପ୍ରବେଶ ହେଲେ କୁଶଧାରୀ

ବହୁତ ପ୍ରଶଂସା କଲେ ପୁର ଦେଖିକରି ।

ଦୁଇ ସିଂହ ବସିଛନ୍ତି ଦୁଇ ପାରୁଶରେ

ସୁଦର୍ଶନ ଛତ୍ର ଭ୍ରମେ ସିଂହ ଦୁଆରରେ ।

ଦେବଗଣମାନେ ତହିଁ ଧୀରେ ଧୀରେ ଗଲେ

ବଇକୁଣ୍ଠ ପୁରେ ଯାଇ ପ୍ରବେଶ ହୋଇଲେ ।

ସୁଦର୍ଶନ ଚକ୍ର ସିଂହଦ୍ୱାର ଗଲେ ଜିଣି

ପ୍ରବେଶ ହୋଇଲେ ଆର ଦ୍ୱାରେ ଯାଇ ପୁଣି ।

ସେ ଦ୍ୱାର ଜୟ ବିଜୟ ଅଛନ୍ତି ଆବୋରି

ଦେବତାଙ୍କୁ ନିରୋଧିଲେ ନ ଦେଲେ ସେ ଛାଡ଼ି

ବ୍ରହ୍ମା ଆଦି ଦେବଗଣ ରହି ସିଂହଦ୍ୱାରେ

ଦେବତାଙ୍କୁ ବେନି ଦ୍ୱାରୀ କହନ୍ତି କ୍ରୋଧରେ ।

କିପାଁ ଭିତରକୁ ତୁମ୍ଭେ ପଶ ହୋ ଝସାଇ

ଆଜ୍ଞା ଦେଲେ ତୁମ୍ଭେ ଯିବ ଏଥେ ଥାଅ ରହି ।

ଆମ୍ଭେ ଛାମୁରେ ଜଣାଇ ଆସୁ ଯାଇ ବେଗେ

ଜୟ ବିଜୟ କହିଲେ ଦେବତାଙ୍କ ଆଗେ ।

ଦେବତାଏ ଶୁଣିକରି ସନମତ ହେଲେ

ଜଣାଇ ଆସୁ ବୋଲି ସେ ଶୀଘ୍ର ଚଳିଗଲେ ।

ରହିଲେ ଯେ ଦେବଗଣ ଭୟ ମନେ ଘେନି

ଦୂରୁ ଦେଖିଣ କମ୍ପନ୍ତି ସୁର ସିଦ୍ଧ ମୁନି ।

ନାରାୟଣ ଆଗେ ଦ୍ୱାରୀ ଜଣାଇଲେ ଯାଇ

ଶିରରେ କର ଦେଇଣ ପାଏ ପଡ଼ି ଶୋଇ ।

ସାବଧାନେ ଶୁଣିମା ହେ ତ୍ରୈଲୋକ୍ୟ ଗୋସାଇଁ

ତେତିଶକୋଟି ଦେବତା ସିଂହଦ୍ୱାରେ ରହି  

ଆଜ୍ଞା ହୋଇଲେ ତାହାଙ୍କୁ ଆସିବେ ଛାମୁକୁ

କି ଆଜ୍ଞା ହେଉଛି ପ୍ରଭୁ କହିବା ଆମ୍ଭଙ୍କୁ ।

ବ୍ରହ୍ମା ଆଦି ଶଙ୍କର ଯେ ଦଶଦିଗପାଳ

ଚନ୍ଦ୍ର ସୂର୍ଯ୍ୟ ବୈଶ୍ୱାନର ଦେବ ଆଖଣ୍ଡଳ ।

ଯମ ନୈର୍ଋତ ମରୁତ ନିଧି ସିନ୍ଧୁପତି

ଯୋଗ କରଣ ନକ୍ଷତ୍ର ତାରାଗଣ ଛନ୍ତି ।

ଏଥକୁ ଯେ କିସ ଆଜ୍ଞା ହେଉଛି ଗୋସାଇଁ

ସନ୍ଦେଶ ପାଇଲେ ଆମ୍ଭେ କହିବୁ ନା ଯାଇଁ ।

ଦ୍ୱାରୀଙ୍କ ମୁଖରୁ ଦେବ ଏସନକ ଶୁଣି

କହନ୍ତି ଦରହସିତ ମୁଖେ ଚକ୍ରପାଣି ।

କଂସାସୁର ଭୟ ଯହୁଁ ଲାଗିଲା ସ୍ୱର୍ଗକୁ

ତେଣୁ ଦେବେ ଯେ ଅଇଲେ ଆମ୍ଭର ଛାମୁକୁ ।

ଆମ୍ଭେ ଯେ କରିବୁଁ ମହୀଭାରା ନିବାରଣ

କହନ୍ତି ଦରହସିତ ମୁଖେ ନାରାୟଣ ।

ଜୟ ବିଜୟ ବୁଝିବା ସିନା ତା କାରଣ

କହ ଛାମୁକୁ ଆସନ୍ତୁ ଯେତେ ଦେବଗଣ ।

ନାରାୟଣ ଆଜ୍ଞା ପାଇ ଦ୍ୱାରୀ ତହୁଁ ଗଲେ

ଦେବଗଣଙ୍କ ଆଗରେ ଯାଇ ଜଣାଇଲେ ।

ସାବଧାନ ହୋଇ ତୁମ୍ଭେ ଶୁଣ ଦେବଗଣ

ଛାମୁକୁ ଯାଅ ଯା ଆଜ୍ଞା ଦେଲେ ନାରାୟଣ ।

ତାହାଶୁଣି ଦେବଗଣ ହୋଇଲେ ହରଷ

ଗଗନ ନୀରକୁ ଯେହ୍ନେ ଚାତକର ଆଶ ।

ଚନ୍ଦ୍ରକୁ ଦେଖି କୁମୁଦ ଯେହ୍ନେ ବିକଶଇ

ଦିନନାଥ ଦେଖି ଯେହ୍ନେ କମଳ ଫୁଟଇ ।

ଅନ୍ଧ ଚକ୍ଷୁଦାନ ଧନ ଦରିଦ୍ର କି ପାଇ

ଶାଳିଅନ୍ନ କ୍ଷୁଦାତୁର ଜନ କି ଭୁଞ୍ଜଇ ।

ବ୍ରହ୍ମାଙ୍କ ମୁଖ ଫୁଟିଲା କମଳ କି ଜାଣି

ହରଷେ ନୃତ୍ୟ କରନ୍ତି ଦେବ ଶୂଳପାଣି ।

ବୃହତ ସାମ ଗାୟନ କଲେ ବେଦପତି

କିନ୍ନରୀ ବିଦ୍ୟାଧାରୀଏ ହୁଳହୁଳି ଦ୍ୟନ୍ତି ।

ଋଷିଗଣମାନେ ଜୟ ଜୟ ଧ୍ୱନି କରି

ସର୍ବ ଦେବତା ବୋଲନ୍ତି ମୁଖେ ହରି ହରି ।

ଦେବତାଗଣ ସେଠାରେ ପଶିଲେ ଭିତରେ

ଯାଇଣ ମିଳିଲେ ସେହି ଚନ୍ଦ୍ରଶାଳା ପୁରେ ।

ଖଣ୍ଡେଦୂରୁ ଦେଖିଣ ସେ ନାରାୟଣ ରୂପ

ନିସ୍ତରିଲୁ ନିସ୍ତରିଲୁ ବୋଲି କଲେ ଜପ ।

ନିକଟକୁ ବୋଲି ତହୁଁ ଗଲେକ ଡକାଇ

ଦେଖିଲେ ଅନନ୍ତ ଶଯ୍ୟା ପରେ ଭାବଗ୍ରାହୀ ।

ଶ୍ରୀ ବିଷ୍ଣୁର ଭୁବନକୁ କି ଦେବା ଉପମା

ନିର୍ମାଣ କରିଅଛନ୍ତି କୋଟି ବିଶ୍ୱକର୍ମା ।

ମାଣିକ୍ୟର ସ୍ତମ୍ଭ ତହିଁ ମରକତ ଶେଣି

ମାରାଗର ରୁଅ ସୁନା ସୁତାରେ ବାନ୍ଧେଣି ।

ହୀରା ବତାରେ ଖଞ୍ଜଣି ମୁକୁତା ପ୍ରବାଳ

ସୁବର୍ଣ୍ଣର କାନ୍ଥ ତହିଁ କୁରୁବିନ୍ଦ ଚାଳ ।

ମାଣିକ୍ୟ ମୁକୁତାମାଳ ଲମ୍ବେ ପନ୍ତି ପନ୍ତି

ଦର୍ପଣ ଚାମର ଚାରିଦିଗେ ବିରାଜନ୍ତି ।

ପୀତ ଉପରେ ବସିଛି ସୁବର୍ଣ୍ଣ କଳଶ

ନେତର ପତାକାମାନ ଉଡେ ଚଉପାଶ ।

ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ରତନ ପିତୁଳି

ସୁବର୍ଣ୍ଣ କୁମ୍ଭେ ମୁକୁତାମାଳାମାନ ଝଳି ।

କସ୍ତୁରୀ ଗେରୁର ଚିତ୍ର ବିଚିତ୍ର ଲିଖନ

ଅଗରୁ ଧୂପ ଧୂଆଁ ଯେ ମୋହୁଅଛି ମନ ।

କର୍ପୂର କସ୍ତୁରୀ ଗନ୍ଧ ଆମୋଦ ତହିଁରେ

ମଳୟ ପବନ ପୁଣି ବହେ ଧୀରେ ଧୀରେ ।

ଅବସନ୍ତରେ ବସନ୍ତ କୋକିଳର ରବ

ନାନା ତରୁମାନ ହେଉଅଛନ୍ତି ପଲ୍ଲବ ।

ବିଷ୍ଣୁର ଭୁବନଗୋଟି ଦିଶେ ଦିବ୍ୟ ଶୋଭା

ଭାଦ୍ରବ ମାସେ ଯେସନେ ତପନର ପ୍ରଭା ।

ଆପେ ବେଦବ୍ରହ୍ମା ଯତ୍ନେ ନିର୍ମାଣ କରିଛି

ସର୍ବ ସୁଲକ୍ଷଣ ନାହିଁ ଅବିଗୁଣ କିଛି ।

ହୀରା ନୀଳା ନୀଳମଣି ମାଣିକ୍ୟ ଶୋଭନ

ପଟାନ୍ତର ଦେବାକୁ ଯେ ନାହିଁ ତ୍ରିଭୁବନ ।

ଅପୂର୍ବ ମନ୍ଦିର ଆୟତନ ବେନି କ୍ରୋଶ

ହୀରା ପ୍ରାଙ୍ଗଣେ ସୁବର୍ଣ୍ଣ ପୁର ଚଉପାଶ ।

ନୀଳାସ୍ତମ୍ଭରେ ଜଡ଼ିତ ହୀରା ଶତ ଅଂଶା

ତିଳେହେଁ ବକ୍ର ନୋହି ସେ ଘଟଣ ପ୍ରଶଂସା ।

ନବରତନ ଜଡ଼ିତ ରୁଅ ଶେଣି କାଣ୍ଡ

ଗଜଦନ୍ତ ସ୍ତମ୍ଭେ ଶୋହେ ପିତୁଳି ଏରଣ୍ଡ ।

ଉପରେ ଛାଉଣି ଧଳା ଦିଶେ ପନ୍ତି ପନ୍ତି

ମଣ୍ଡଣି ଯେ କ୍ଷୁଦ୍ର ମୋତି ହୀରା ଜଗମୋତି ।

ସୁବର୍ଣ୍ଣ କଳସେ ନେତ ପତାକା ଯେ ଉଡ଼େ

ଆକାଶୁ ଯେହ୍ନେ ବିଜୁଳି ଖସି ଆସି ପଡ଼େ ।

ଉପରେ ଉଭା କ୍ରୋଣ କି ଆକାଶ ମଣ୍ଡଣି

ଚନ୍ଦ୍ରମଣ୍ଡଳ ବେଢ଼ିଛି ନକ୍ଷତ୍ର କି ଜାଣି ।

ନେତର ପାଟ ସିନ୍ଧୁଆ ଧବଳ ମଣ୍ଡିଛି

ନାନା ବର୍ଣ୍ଣର ବସନ୍ତ ପାଟହିଁ ଖଞ୍ଜିଛି ।

ତହିଁ ସୂଚୀକମ ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ

କେତକୀ ମୟୂରକଣ୍ଠା ଦିଶଇ ଯେ ନୂଆ ।

ନାନାବର୍ଣ୍ଣର ବଖରାମାନେ ଝଟକନ୍ତି

ଦୟଣା ଚାମର ତହିଁ ଲମ୍ବେ ପନ୍ତି ପନ୍ତି ।

ବକୁଳ ସେବତୀ କୁନ୍ଦ ଜାଈ ଯୂଈ ମଲ୍ଲୀ

କେତକୀ ନାଗକେଶର ଚମ୍ପା କୁରୁବେଲି ।

ଅଶୋକ ପାରିଜାତକ କଞ୍ଚନ ଦୟଣା

ନୀଳ ଉତ୍ପଳ କୁମୁଦ ପଦ୍ମଗନ୍ଧ ଜିଣା ।

ନାନା ବର୍ଣ୍ଣର କୁସୁମ ଅପୂର୍ବ ସୁବାସ

ପବିତ୍ର ମଣ୍ଡଣିମାନ ଲମ୍ବେ ଚଉପାଶ ।

କର୍ପୂର କସ୍ତୁରୀ ଧୂଆଁ ଘୃତ ଧୂପକାଠି

ସୁଗନ୍ଧ ସୁପରିମଳେ ଆମୋଦ ଚହଟି ।

ଧନ୍ୟ ବିଶ୍ୱକର୍ମା ସେହି ଭୁବନ ସର୍ଜିଲା

ଶୁଚିମନ୍ତ ହୋଇ ସିନା ତାକୁ ନିର୍ଭାକଲା ।

ଅଖଣ୍ଡିତ ପିତୁଳା ଯେ ନାନାରତ୍ନେ କମ

ଝମକେ ହୀରା ପଗଡ଼ି କମ ଶୁଦ୍ଧ ହେମ ।

ବିଚିତ୍ର ହିଙ୍ଗୁଳ କମ ଲେଖା କାନ୍ଥେ ବାଡ଼େ

କମ କାଣ୍ଡମୁଣ୍ଡ କଲା ଶୋଭା ଚାରିଆଡ଼େ ।

କର୍ପୂର କସ୍ତୁରୀ ଗନ୍ଧ ଚନ୍ଦନର ପାଣି

ସିଞ୍ଚା ହୋଇଛି ଚୌଦିଗେ ଜଳବୃଷ୍ଟି ଜାଣି ।

ଅନନ୍ତ ନାଗ ଉପରେ ହଂସୁଲିର ତୂଳି

ଶୟନ ପଲ୍ୟଙ୍କେ ରାଜେ କର୍ପୂରର ଧୂଳି ।

ତହିଁ ଶୟନ ଦେବାଧିଦେବଙ୍କର ରାଜା

ଶିରେ ସରସ୍ୱତୀ ପାଦେ ବରୁଣ ଆତ୍ମଜା ।

ଅନନ୍ତ ନାଗ ଉପରେ ଉତ୍ତାନେ ସେ ଶୋଇ

ଯୋଗନିଦ୍ରା ଯାଇଛନ୍ତି ତ୍ରୈଲୋକ୍ୟ ଗୋସାଇଁ ।

ସୀମସ୍ଥାନେ ସରସ୍ୱତୀ ବୀଣା ଯନ୍ତ୍ର ଧରି

ଗାନ୍ଧାର ରାଗେଣ ଗୀତ ଗାୟନ ସେ କରି ।

ଚରଣ ଚାଳନ୍ତି ଲକ୍ଷ୍ମୀ ବସି ପାଦତଳେ

ସେଠାରେ ମିଳିଲେ ଯାଇ ଦେବତା ସକଳେ ।

ଶଙ୍ଖ ଚକ୍ର ଗଦାପଦ୍ମ ଶୋହେ ଚତୁର୍ଭୁଜେ

ବିରାଜଇ ନୀଳୋତ୍ପଳ ରୂପେ ଦେବରାଜେ ।

ନବରତ୍ନର କୁଣ୍ଡଳ କର୍ଣ୍ଣେ ଦିବ୍ୟରୂପ

ବିରାଜେ ମଣି ମାଣିକ୍ୟ ହୀରା ଶାଖା ସର୍ପ ।

ସହସ୍ର ଫଣା ଉପରେ ଛତ୍ର ପ୍ରାୟ ହୋଇ

ଅଷ୍ଟାଙ୍ଗଯୋଗେ ଅଛନ୍ତି ଯୋଗନିଦ୍ରା ଯାଇ  

ଏମନ୍ତ ସମୟେ ଦେବଗଣ ଯେ ମିଳିଲେ

କରଯୋଡ଼ି ଶାରଦାର ପୂଜା ସ୍ତୁତି କଲେ ।

ଜୟ ତୁ ଶାରଦା ମାଗୋ ବିଷ୍ଣୁର ବଲ୍ଲଭୀ

ମହାଯଜ୍ଞ ଭିତରୁ ତୁ ଅବତାର ଦେବୀ ।

ଅଯୋନିସମ୍ବୂତା ଜନ୍ମେ ଜନ୍ମେ ତୋରକାୟେ

ତୋର ଆଦିଅନ୍ତ କେହି ନ ଜାଣନ୍ତି ମାୟେ ।

ଅନାଦି ଅପର୍ଣ୍ଣା ମାଗେ ଧବଳ ତୋ ଅଙ୍ଗ

ସ୍ଫଟିକବରନ ପ୍ରାୟେ ବିରାଜେ ସର୍ବାଙ୍ଗ ।

କର୍ଣ୍ଣେ ବେନି କାପ ସୂର୍ଯ୍ୟକିରଣର ଲେଖା

କପାଳେ ଶୋହେ ମୁକୁଟମଣି ସପ୍ତଶାଖା ।

ଗଳାରେ ମୁକୁତାମାଳ ଚଉସରି ଶୋହେ

ପରମ ବୈଷ୍ଣବୀ ମାଗୋ ଶ୍ରୀବିଷ୍ଣୁର ପ୍ରିୟେ ।

ଚାମର ଚିକୁରେ ମାଗୋ କବରୀର ଭାର

ତଥି ଉପରେ ମୁକୁତାଜାଣି ରତ୍ନସାର ।

ସୁସ୍ୱର ମଧୁର ମାଗୋ କରେ ବ୍ରହ୍ମବୀଣା

କିଣି କିଣି କୋଳାହଳ ବାଜେ ଜଗଜ୍ଜିଣା ।

ଗାନ୍ଧାର ହୁଁ କାର ମାଗୋ ସପ୍ତସ୍ୱର ଗାଇ

ଜାନୁରେ ବିଷ୍ଣୁ ତୁମ୍ଭର ସୀମସ୍ଥାନ ଦେଇ ।

ସୁରଙ୍ଗ ବିମ୍ବଅଧରେ ବିକାଶେ ଦଶନ

ଡାଳିମ୍ବର ବୀଜପନ୍ତି ପ୍ରାୟ ସେ ଶୋଭନ ।

ଅଳି ଅଳାବେଣୀ ତୋର ସୁରଙ୍ଗ ସାରଙ୍ଗ

ସର୍ବ ବିଦ୍ୟାରେ କୁଶଳ ଅଟଇ ସର୍ବାଙ୍ଗ ।

କର୍ଣ୍ଣେ ବେନି ରତ୍ନକାପ କନକମଣ୍ଡଣି

ସୁଢଳ ଦିଶନ୍ତି ମାଗୋ ଯେହ୍ନେ ଦିନମଣି ।

କାଶୀଦେଶବାସୀ ଦକ୍ଷପାଳ ନରପତି

ତହିଁ ଜୀବଜନ୍ତୁ ଯେତେ ତୋହର ଭକତି ।

ସକଳ କର୍ମମାନ ଗୋ ତୋର ତହୁଁ ଜାତ

ତେଣୁ ବାକ୍ୟଦେବୀ ମାଗୋ ଜଗତେ ବିଖ୍ୟାତ

ଯେବଣ ପ୍ରାଣୀମାନଙ୍କୁ ଆଜ୍ଞା ହେଉ ଯାହା

ଯଥା ଶକତିରେ ନରେ କରୁଥାନ୍ତି ତାହା ।

ଏସନକ ସ୍ତୁତି ଯହିଁ ବିବୁଧାଦି କଲେ

ଶୁଣି ମହାମାୟା ଦେବୀ ପ୍ରସନ୍ନ ହୋଇଲେ ।

ବାକ୍ୟଦେବୀ ବୋଇଲେ ହୋ ଶୁଣ ଦେବଗଣେ

ମୋତେ ସ୍ତୁତି କଲ ତୁମ୍ଭେ କେବଣ କାରଣେ ।

ବିଧାତା ବୋଇଲେ ମାଗୋ ଶୁଣ ମୋରବାଣୀ

କଂସ ପଦାଘାତ ମାଗୋ ନ ସହେ ଧରଣୀ ।

ପତି ଯେ ତୁମ୍ଭର ମାଗୋ ଯୋଗନିଦ୍ରା ଗଲେ

କଂସ ଭାରାରେ ପଡ଼ିବ ପୃଥ୍ୱୀ ରସାତଳେ ।

ଯେହ୍ନେ ଆମ୍ଭଙ୍କୁ ପ୍ରସନ୍ନ ହେବୁ ମହାମାୟେ

ତେବେ ସ୍ୱର୍ଗରେ ରହିବୁ ଆମ୍ଭେ ଦେବତାଏ ।

ଅନେକ ବିନୟେ ମାଗୋ ତୋର ପାଦଗତେ

ହରିବଂଶ ଗ୍ରନ୍ଥ ତୁହି କହିଦେବୁ ମୋତେ ।

ସେ ଶାରଦା ପାଦପଦ୍ମେ ଲାଗୁ ମୋର ସେବା

ଅଚ୍ୟୁତ ଦାସ କବିକି ଗତିମୁକ୍ତି ଦେବା ।

 

ଶାରଦାଙ୍କ ପ୍ରସନ୍ନ ଓ ଦେବତାଙ୍କର ବିଷ୍ଣୁ ସ୍ତୁତି

ଏସନକ ସ୍ତୁତି ଯହୁଁ କଲେ ଦେବବୃନ୍ଦ

ଶୁଣିଣ ଶାରଦାଦେବୀ ପରମ ଆନନ୍ଦ ।

ସୀମସ୍ଥାନେ ବସି ବୀଣା ଯନ୍ତ୍ର ବାଉଥିଲେ

ଗାନ୍ଧାର ରାଗ ଉଦ୍ଧାରି ବିଷ୍ଣୁଙ୍କୁ ମୋହିଲେ ।

ନୟନ ମଳି ତାହାଙ୍କୁ ଚାହିଁ ଦେବରାୟେ

ଉଭା ଛାମୁରେ ତେତିଶକୋଟି ଦେବତାଏ ।

ଅଳପ ହସି ଚାହିଁଲେ ତାଙ୍କୁ ନାରାୟଣ

ଶ୍ରୀଚରଣ ତଳେ ପଡ଼ିଗଲେ ଦେବଗଣ ।

ଉଠି ଉଭାହୋଇ ପୁଣି ଶିରେ କର ଦେଇ

ପୁଣ ପୁଣ ପାଦତଳେ ପଡ଼ନ୍ତି ବିନୟୀ ।

ବୋଇଲେ କୋଟି ଜନ୍ମର ଖଣ୍ଡିଲୁ କଳ୍ମଷ

ଜୟ ଜଗନ୍ନାଥ ସ୍ତୁତି କରନ୍ତି ତ୍ରିଦଶ ।

ଭୋ ମଣିମା ପ୍ରଭୁ ଜୟ ଜୟ ଜଗନ୍ନାଥ

ଅସୁର ମାରି ଆମ୍ଭଙ୍କୁ କରନ୍ତୁ କୃତାର୍ଥ ।

ଦେବ ଇନ୍ଦ୍ର ସହିତେ ଯେ କରପତ୍ର ଯୋଡ଼ି

ପୁଣ ପୁଣ ପାଦତଳେ ପଡ଼ି ସ୍ତୁତି ପଢ଼ି ।

 

ସ୍ତୁତି ବଖାଣନ୍ତି ପାଦେ ପଡ଼ି କରଯୋଡ଼ି

ତୁମ୍ଭେ ନ ରଖିଲେ ଦେବେ ଗଲୁ ଏବେ ସଢ଼ି ।

ସ୍ତୁତିମାନ ପଢ଼ି ଆସି ବ୍ରହ୍ମଋଷି ମିଳି

ହୃଦପଦ୍ମେ ଘୋଷନ୍ତି ହେ ରଖ ବନମାଳି ।

କର ଯୋଡ଼ିଣ କରନ୍ତି ଅନେକ ଯେ ସ୍ତୁତି

ଜୟ ଜୟ ନାରାୟଣ ପରଂବ୍ରହ୍ମ ମୂର୍ତ୍ତି ।

ଜୟ ଜୟ ନାରାୟଣ ସଂସାର ରଖନ୍ତା

ଜୟ ଜୟ ନାରାୟଣ ଅହିଂସା ଅଚିନ୍ତା ।

ଜୟ ଜୟ ନାରାୟଣ ଦୈତ୍ୟ ନିସୂଦନ

ଜୟ ଜୟ ନାରାୟଣ ଭକତଙ୍କ ଧନ ।

ଜୟ ଜୟ ନାରାୟଣ ଚଉବର୍ଗଦାନୀ

ଜୟ ଜୟ ନାରାୟଣ ଶଙ୍ଖଚକ୍ରପାଣି ।

ଜୟ ଜୟ ନାରାୟଣ ଦୀନ ଚିନ୍ତାମଣି

ଜୟ ଜୟ ନାରାୟଣ ଜଗତର ଜନି ।

ଜୟ ଜୟ ନାରାୟଣ ଭକ୍ତ ଉଦ୍ଧାରଣ ।

ଜୟ ଜୟ ନାରାୟଣ ସଂସାର କାରଣ ।

ଜୟ ଜୟ ନାରାୟଣ ଜନ୍ତୁଙ୍କ ନିବାସ

ଜୟ ନାରାୟଣ ନାମ ଆମ୍ଭର ଅଭ୍ୟାସ

ଜୟ ଜୟ ନାରାୟଣ ବ୍ରହ୍ମାଣ୍ଡ କରତା

ଜୟ ଜୟ ନାରାୟଣ ଚଉବର୍ଗଦାତା ।

ଜୟ ଜୟ ନାରାୟଣ କୃପାଜଳ ସିନ୍ଧୁ

ଜୟ ଜୟ ନାରାୟଣ ଦରିଦ୍ରର ବନ୍ଧୁ ।

ଜୟ ଜୟ ନାରାୟଣ ସର୍ବ ଭୂତେଶ୍ୱର

ଜୟ ନାରାୟଣ ନାହିଁ ଶତ୍ରୁମିତ୍ର ତୋର ।

ଜଳେ ଅନଳେ ସଞ୍ଚିଲୁ ତୁହି ବସୁନ୍ଧରୀ

ସ୍ଥାବର କୀଟ ପତଙ୍ଗ ଜଙ୍ଗମ ଏ ଚାରି ।

ଦେବ ବୌଦ୍ଧରୂପେ ତୁମ୍ଭେ ଦେବଗଣ ଶାଖା

ତୁମ୍ଭର ମହିମା ଦେବ ତୁମ୍ଭେ ଜାଣ ଏକା ।

ପୃଥ୍ୱୀ ଭାରାଭର ନାଥ ଉଦ୍ଧାରିବା ପାଇଁ

କପଟେ ଜାତ ମାନବ ଆଦି ଦେହ ବହି ।

ଶ୍ରୁତି ଧୃତିପଣ ନାଥ ଅଟଇ ଯାହାର

ଅନାଦି ନିରଞ୍ଜନ ତୁ ଦେବ ଅଜ୍ରାମର ।

ତୁମ୍ଭ କଲ୍ୟାଣରୁ ଚରାଚର ଉତପତ୍ତି

ତୁମ୍ଭେ ଜନ୍ମହେଲେ ଦୁଷ୍ଟ ଦୈତ୍ୟ ନାଶଯାନ୍ତି ।

ନମସ୍ତେ ହେ ଲକ୍ଷ୍ମୀପତି କୃପାଜଳନିଧି

ନମସ୍ତେ ହେ ବାଞ୍ଛାକଳ୍ପତରୁ ଗୁଣନିଧି ।

ଶଙ୍ଖ ଚକ୍ର ଗଦା ପଦ୍ମେ ଶୋହେ ଚତୁର୍ଭୁଜ

ଦୀନଜନ ବାନ୍ଧବ ହେ ଅଶେଷ ତୋ ତେଜ ।

ନାରାୟଣ ଚରଣେ ମୋ ଅହର୍ନିଶି ସେବା

ଅଚ୍ୟୁତ ଦାସକୁ ହରିବଂଶ କହିଦେବା ।

ଏସନକ ସ୍ତୁତି ଯହୁଁ କଲେ ଦେବଗଣ

ଲୋଚନ ଟେକି ଚାହିଁଲେ ଦେବ ନାରାୟଣ ।

ଦେଖି ପୁଣି ଦେବଗଣେ ଦେଲେ ଶିରେ କର

ଦେବଙ୍କ ସଙ୍ଗେ ଅଛନ୍ତି ବେଦବର ହର ।

କହନ୍ତି ଯେ ବେନି କରଯୋଡ଼ି ବେଦପତି

ଶ୍ରୀମୁଖକୁ ଚାହିଁ ପୁଣି ଉତ୍ତର ଦିଅନ୍ତି ।

ନିଶ୍ଚିନ୍ତ ହୋଇ ପ୍ରଭୁ ହେ ଯୋଗନିଦ୍ରା ଗଲ

ଚରାଚର ନାଶଗଲା ତାହା ନ ବୁଝିଲ ।

ପୃଥ୍ୱୀ ଏବେ ନାଶଗଲା ରକ୍ଷାକର ତୋର

ଦେବଗଣ ଛାଡ଼ିଗଲେ ଡରେ ସ୍ୱର୍ଗପୁର

 

ବିଷ୍ଣୁଙ୍କ ଛାମୁରେ ବସୁଧାର ଦୁଃଖ ନିବେଦନ

କୃତକୃତ୍ୟ ହୋଇ ପୁଣି ପରୀକ୍ଷ ପୁଚ୍ଛିଲେ

କରପତ୍ର ଯୋଡ଼ି ଋଷି ପାଦରେ ପଡ଼ିଲେ ।

ଭୋ ମୁନି ତୁ ଯୋଗେଶ୍ୱର ପୁରୁଷ ପ୍ରତ୍ୟକ୍ଷ

ଅଜାତଶତ୍ରୁ ସଂସାରେ ହୋଇଅଛୁ ଦକ୍ଷ ।

ତେତିଶକୋଟି ଦେବତା କଲେ ଯେ ଗୁହାରି

କିସ କିସ ଆଜ୍ଞାଦେଲେ ତାଙ୍କୁ ଦେବହରି ।

ଶୁଣୁଛନ୍ତି ପରୀକ୍ଷିତ କହୁଛନ୍ତି ମୁନି

ଏକମନା ହୋଇ ତୁହୋ ଶୁଣ ନୃପମଣି ।

ଆସ୍ଥାନ ତଳେ ତେତିଶକୋଟି ଦେବେ ରହି

ହାତଠାରି ଆଜ୍ଞା ତାକୁ ଦେଲେ ଭାବଗ୍ରାହୀ ।

ବସ ହୋ ଦେବେ ବୋଲି ଶ୍ରୀମୁଖେ ଆଜ୍ଞାଦେଲେ

ଆଜ୍ଞା ପାଇ ଦେବତାଏ ଆସ୍ଥାନେ ବସିଲେ ।

ଧାତାଙ୍କୁ ଯେ ମଧ୍ୟପାତ୍ର କରି ବେଢ଼ି ବସି

ବିଦ୍ୟାଧରୀ ଅପସରୀ ଗନ୍ଧର୍ବ ବିଳାସୀ ।

ଆସ୍ଥାନର ତଳେ ସର୍ବେ ବସିଲେକ ଯାଇ

ସମସ୍ୟା ନ କରି ରହି ନିସ୍ତବଧ ହୋଇ ।

 

ନଇର୍ଋତ ମରୁତ ଯେ ଯମ ବୈଶ୍ୱାନର

ଶଚୀପତି ନିଶାକର ଆଦିତ୍ୟ କୁବେର ।

ଶୁକ୍ର ବୃହସ୍ପତି ଶନି ମଙ୍ଗଳ ଯେ ବୁଧ

ଅଷ୍ଟବସୁ ବିଶ୍ୱଦେବା ପୁରୁଷ ଯେ ସିଦ୍ଧ ।

ସୁରଭି କପିଳା ଆଦି ଗାୟତ୍ରୀ ଗୋମାତା

ଅଷ୍ଟ ଅପସରା ମୂଳେ ସକଳ ଦେବତା ।

ଦେବଋଷି ବ୍ରହ୍ମଋଷି ନରଋଷି ମୂଳେ

ସନାତନ ସଦାନନ୍ଦ ବସି ଏକମେଳେ ।

ଅଷ୍ଟ ଚଣ୍ଡୀମୂଳେ ଭୂତଗଣ ଭଇରବୀ

ଯେତେକ ସ୍ୱର୍ଗଭୁବନେ ଥିଲେ ଦେବଦେବୀ ।

ନନ୍ଦୀ ଭ୍ରୂକୁଟୀ ବିକାଳ କାଳ ମହାକାଳ

ଦେବତାମୂଳେ ସକଳ ପାତ୍ର କ୍ଷେତ୍ରପାଳ ।

ବ୍ରହ୍ମଗଣ ରୁଦ୍ରଗଣ ଇନ୍ଦ୍ରଗଣ ଯେତେ

ଗୋଟି ଗୋଟି ନାମ ଧରି କହିବି ତା କେତେ ।

ଅନନ୍ତ ମହାନାଗ ଯେ କର୍କୋଟକ ଶଙ୍ଖ

ମହାପଦ୍ମ ପଦ୍ମମୂଳେ କୁଳିକ ତକ୍ଷକ ।

ପାରିପାତ୍ର ହିମବନ୍ତ ପର୍ବତଙ୍କ ପତି

ଅଷ୍ଟମନୁ ସହିତରେ ସପ୍ତ ମହାଯତି ।

କାର୍ତ୍ତିକ ବହୀନ୍ଦ୍ର ଗଣପତି ନଳନୀଳ

ତାର ଯୋଗ କରଣ ହିଁ ନକ୍ଷତ୍ର ସକଳ ।

ଆବର୍ତ୍ତକ ସମ୍ବର୍ତ୍ତକ ଦ୍ରୋଣ ଯେ ପୁଷ୍କର

ପନ୍ଦର ତିଥି ଆବର ସପତ ଯେ ବାର ।

ବିହନ୍ତା ନିହନ୍ତା ମେରୁ ମନ୍ଦର ସହିତେ

ପର୍ବତଙ୍କ ନାମ ଧରି କହିବଇଁ କେତେ ।

ଯେଣୁ ସୁପ୍ରସନ୍ନ ମୋତେ ବିଘ୍ନେଶ୍ୱର ରାୟେ

ତେଣୁ ଠିକ ଠିକ କରି କହିଲି ଥୋକାଏ ।

ତାଙ୍କ କୃପାରୁ ଭରସା ଆଶା ହେଲା ମୋର

ଅସଂଖ୍ୟ ଅକଳିତ ଏ ଅପାର ସାଗର ।

ସ୍ୱଭାବେ ବିଷ୍ଣୁଭୁବନ ଦିଶେ ପରିମଳ

ଦୀର୍ଘ ପ୍ରତିରେ ବିସ୍ତାର ଲକ୍ଷେ ଯୂଣ ଠୁଳ ।

ମଣି ମାଣିକ୍ୟ କସ୍ତୁରୀ ହୀରାରେଖା ଲମ୍ବେ

ରସାଣିଲା ବଇଦୁର୍ଯ୍ୟ ପାବଚ୍ଛ ଆରମ୍ଭେ ।

କୋଟିଏ ବିନ୍ଧାଣୀ ଘେନି ସ୍ୱୟଂ ବିଶ୍ୱକର୍ମା

ଅତି ଯତନେ ନିର୍ମାଣି ଅଛି ପୁରସୀମା ।

ରସାଣିଲା ସୁବର୍ଣ୍ଣ ସେ ଘର ରୁଅ ଶେଣି

ନବରତ୍ନ ଧାଡ଼ି ଧାଡ଼ି ବିଚିତ୍ର ଖଞ୍ଜଣୀ ।

ଝୀନ ପତନୀ ନେତର ସିନ୍ଧୁଆ ଗହଳ

ତ୍ରୋଣା ଲମ୍ବାଇ ଅଛନ୍ତି ତହିଁ ମାଳ ମାଳ ।

ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ସୂଚୀକମ ଟେରା

ବେଢ଼ାଇ ଅଛନ୍ତି ଖଞ୍ଜାମୂଳେ ଚଉସରା ।

ନାଗେଶ୍ୱର ଚମ୍ପା ମଲ୍ଲୀ ବକୁଳ ପାଟେଳି

ସୁନା ସୂତାରେ କୁସୁମ ଲମ୍ୱେ ମାଳି ମାଳି ।

ଗଜମୋତି ମାଣିକ୍ୟର ଝରାକୁ ମିଶାଇ

ଲମ୍ୱାଇ ଅଛନ୍ତି ଚଉପାଶେ ତାହା ନେଇ ।

ଖଞ୍ଜାମୂଳେ ଖଞ୍ଜିଛନ୍ତି ତହୁଁ ମାଳେ ମାଳେ

ସିଞ୍ଚ ଅଛନ୍ତି ପନିର ପାଣି ବାସଜଳେ ।

ସେଠାରେ ବସିଲେ ବୃଦ୍ଧ ହୋଇ ନବଯୁବା

ତହିଁ ବା ଆନ ଆଉ କି ପଟାନ୍ତର ଦେବା ।

କ୍ଷୁଧା ତୃଷା ନିଦ୍ରା ସର୍ବ ବିବର୍ଜିତ ଯହିଁ

ସ୍ୱଧର୍ମ ବିନା ଅଧର୍ମ ବିଧର୍ମ ହିଁ ନାହିଁ ।

ଏସନକ ଶୋଭା ଦେଖି ଦେଖି ସୁରପତି

ଆସ୍ଥାନେ ବସିଲେ ଯାଇ ଦକ୍ଷ ସ୍ତମ୍ଭକତି ।

ବୃହସ୍ପତି ଆଦି ଯେତେ ଦେବଗଣ ଥିଲେ

ସ୍ତମ୍ଭେ ସ୍ତମ୍ଭେ ଆଉଜିଣ ସମସ୍ତେ ବସିଲେ ।

ବ୍ରହ୍ମା ଇନ୍ଦ୍ର ରୁଦ୍ର ସବୁ ଦେବଗଣ ଘେନି

ଯୋଗୀ ସନ୍ନ୍ୟାସୀ ଯେତେକ ସିଦ୍ଧ ସୁରମୁନି ।

ଦିବ୍ୟ ବେଶରେ ମିଳିଲେ ସୁରବିଳାସିନୀ

ଚଉଷଠି ଅପସରା ଅପୂର୍ବ କାମିନୀ ।

ସ୍ୱର୍ଗସୁଲକ୍ଷଣୀ ସେହି ମହାପୁଣ୍ୟଦେହୀ

ଜଣ ଜଣକେ ପାରନ୍ତି ମୁନିମନ ମୋହି ।

ଅଶୀକୋଟି ଗନ୍ଧର୍ବ ଯେ ସର୍ବେ ନବଯୁବା

କାମଦେବ ପ୍ରାୟେକ ସେ ଅତି ବଡ଼ ଶୋଭା ।

ସମୁଦ୍ର ମନ୍ଥନୁ ହେଲେ ସେ ସମସ୍ତେ ଜାତ

ଜନମ ମରଣ ବାଧା ନ ଲାଗେ ଏହାନ୍ତ ।

କୋଟି କୋଟି ଇନ୍ଦ୍ର ହେବେ ସ୍ୱର୍ଗପୁର କ୍ଷୟେ

ଜନ୍ମ ମୃତ୍ୟୁ ବାଧା ନାହିଁ ଏହାଙ୍କର କାୟେ ।

କୋଟିଇନ୍ଦ୍ର ଯେବେ ଯିବେ ସ୍ୱର୍ଗପୁରୁ ନାଶ

କେତେବେଳେ ସେ ମହିମା ନୁହଇ ବିନାଶ ।

ଯାହାକୁ ଯେବେ ଦିଅନ୍ତି ଇନ୍ଦ୍ରପଦ ହରି

ବିଦ୍ୟାଧରୀ ଅପସରୀ ତାର ସେବା କରି ।

ସ୍ୱର୍ଗମଣ୍ଡଳେ ଏମାନେ ସବୁକାଳେ ଥାନ୍ତି

ଯେ ଜନ ଇନ୍ଦ୍ର ହୁଅଇ ତାହାକୁ ଖଟନ୍ତି ।

ବିଷ୍ଣୁର କୋଠଲୋକ ଏ ଥାନ୍ତି ସ୍ୱର୍ଗପୁରେ

ସେବା କରୁଥାନ୍ତି ରହି ଇନ୍ଦ୍ର ଅଧିକାରେ ।

ସ୍ୱର୍ଗପୁର ବିଦ୍ୟାଧରୀ ବେଶଭୂଷା ହୋଇ

ସୁରପତିର ଛାମୁରେ ମିଳିଲେ ସେ ଯାଇଁ ।

ତାଳ କଂସାଳ ଝଞ୍ଜାଳ ଅଳାବେଣୀ ବୀଣା

ଅପାଙ୍ଗ ଅଧା ମୃଦଙ୍ଗ ଯନ୍ତ୍ର ତନ୍ତ୍ରୀ ଜିଣା ।

ଚିତ୍ରସେନ ଗନ୍ଧର୍ବ ଯେ ତାଳ ଧରି ଗାଇ

ବିଶ୍ୱାବସୁ ଗନ୍ଧର୍ବ ଯେ ମୃଦଙ୍ଗ ଧରଇ ।

ତୁମ୍ୱରୁ ଗନ୍ଧର୍ବ ଧରି ତୁମ୍ୱରୁ ମର୍ଦ୍ଦଳ

ଅନଙ୍ଗସେନ ଗନ୍ଧର୍ବ କରେ କରତାଳ ।

ସୁରସେନ ଗନ୍ଧର୍ବ ଯେ କରେ ବେଣୁ ନାଦ

ଜୟସେନ ଗନ୍ଧର୍ବର ଅଳାବେଶୀ ବାଦ୍ୟ ।

ବିଦ୍ୟାଧରୀମାନେ ତାଙ୍ଗ ସଙ୍ଗତେ ଆବୋରି

ମଣ୍ଡଳି ହୋଇଅଛନ୍ତି ଗୀତକୁ ଉଙ୍କାରି ।

ସା ରି ଗା ମା ପା ଦା ନି ସା ସପ୍ତ ସ୍ୱର ରାଗ

ଚଞ୍ଚୁପୁଟ ଚାଞ୍ଚୁପୁଟ ଭେଦ ମୁଦ୍ରା ସଙ୍ଗ ।

ଛତିଶ ପଦ ଯେ ଭେଦ ଚଉଷଠି ଗତି

ଛୟାଣୋଇ ଚକ୍ରନୃତ୍ୟ ଚଉବାନେ ମାତି ।

ଚୌସ୍ତରୀ ଚାହଣୀ ଅଙ୍ଗଢାଳ ବୟାଳିଶୀ

ଅଠାଣୋଇ ଭଙ୍ଗଭଙ୍ଗୀ ମୁଦ୍ରା ଚୌରାଅଶୀ ।

ବତିଶକଳା ମୂରତି ଧାତୁ ଯେ ପଚିଶ

ଛୟାଣୋଇ ତତ୍ତ୍ୱ ଗତ ମୂର୍ଚ୍ଛା ଏକୋଇଶ ।

ଚୌଷଠି କାଛେଣୀ ତାଳ ବାଟ ଯେ ବତିଶି

ଚଉଷଠି ବସାଣ ଯେ ତାନ ବୟାଅଶୀ ।

ଏଥି ବାହାରେ ଭରହ ବ୍ୟାପୀ ତହିଁ ବିଦ୍ୟା

ନବଶତ ପଞ୍ଚତ୍ରିଂଶ ଅଟଇ ପ୍ରସିଦ୍ଧା ।

ଅତି ଗହନ ବିଦ୍ୟା ଏ ନ ଜାଣନ୍ତି କେହି

ନ ଜାଣନ୍ତି ଦିଗପାଳ ଆଦି ଦେହବହି ।

ଏକା ଜାଣନ୍ତି ତାଣ୍ଡବ ନୃତ୍ୟକାରୀ ହର

ବ୍ରହ୍ମା ମର୍ଦ୍ଦଳ ବଜାନ୍ତି ବିଷ୍ଣୁ ତାଳଧର ।

ପବନ ଫୁକାରେ ବାୟ ବରୁଣ ବଇଁଶୀ

ଯମ କାହାଳୀ ଯେ ବୀଣା ନାରଦ ଦେବର୍ଷି ।

ଆନ କେହି ଭାଜନ ଯେ ନୁହଇ ଏଥିକି

ଏ ବିଦ୍ୟମାନ ଗନ୍ଧର୍ବ ଅପସରା ଶିଖି ।

ଏମାନେ ଇନ୍ଦ୍ରକୁ ନିତ୍ୟ କରୁଥାନ୍ତି ସେବା

ତେଣୁ ତାହାଙ୍କୁ ସୁଦୟା କରନ୍ତି ମଘବା ।

ଗୀତ ବାଦ୍ୟ ନୃତ୍ୟ ରସ ନାନା ପରିବନ୍ଧେ

ଗନ୍ଧର୍ବ ବିଦ୍ୟାଧରୀଏ ଖଟି ନାନା ଛନ୍ଦେ ।

ଦଇବର ବିପରୀତ ଦେଖ ମହୀପତି

ଏହି ସମୟେ ମିଳିଲେ ଆସି ବସୁମତୀ ।

କେଶ ବାସ ଅସମ୍ଭାଳ ହେଲା ବସୁନ୍ଧରୀ

ନବଦ୍ୱାରରୁ ରୁଧିର ପଡ଼ଇ ବାହାରି ।

ନିମଗ୍ନ ହୋଇ ଦେବୀର ଅଚେଷ୍ଟିତ ମନ

ଚିନ୍ତାଭରେ ହୁଅନ୍ତି ସେ ଦେବୀ ଛନ୍ନ ଛନ୍ନ ।

ହେଠମାତ ହୋଇ ବସି କରନ୍ତି ରୋଦନ

ଅଶ୍ରୁଜଳ ନୟନରୁ ବହେ ଘନ ଘନ ।

ଅନାଥା ନାରୀ ପରାୟେ କାନ୍ଦନ୍ତି କ୍ରୋଧରେ

ଉଚ୍ଚସ୍ୱରେ ବାହୁନନ୍ତି ସଭାର ମଧ୍ୟରେ ।

ଶୋକଭର ହୋଇଣ ସେ ଲୋଟନ୍ତି ଧରଣୀ

ଉଚ୍ଚସ୍ୱରେ ଡାକନ୍ତି ହେ ରଖ ଚକ୍ରପାଣି ।

ତ୍ରାହି ତ୍ରାହି ବୋଲି ଉଚ୍ଚେ ଛାଡ଼ନ୍ତି ବୋବାଳି

ଅନାଥ ହେଲି ଭୋ ପ୍ରଭୁ ନାରାୟଣ ବୋଲି ।

କ୍ଷଣେ ଅସାଷ୍ଟମ କ୍ଷଣେ ସଚେତ ତା ମତି

ଉଚ୍ଚସ୍ୱରେ ଡାକେ ମୋତେ ରଖ ଲକ୍ଷ୍ମୀପତି ।

ନିଃଶ୍ୱାସମାତ୍ର କେବଳ ଶରୀରେ ମୋ ଅଛି

ରୋଦନ କରେ କେମନ୍ତେ ରଖ ହେ ଶ୍ରୀବତ୍ସି ।

ଅନାଥର ବାନ୍ଧବ ତୁ ଶରଣ ତାରଣ

ନ ରଖିଲେ ନାଶ ହେଲି ତୁମ୍ଭେ ଏହା ଜାଣ ।

ରଖ ନାରାୟଣ ବୋଲି ମୁହିଁ ଯେ ଡାକୁଛି

ବଳବୀର୍ଯ୍ୟ ଧଇର୍ଯ୍ୟ ତ ନାହିଁ ମୋର କିଛି ।

ବିଷ୍ଣୁଙ୍କ ଆସନ ତଳେ ପ୍ରବେଶ ହୋଇଲା

ଚକ୍ରକୂଟ ନାରାୟଣ ରଖସି ବୋଇଲା  

ତ୍ରାହିକର ନାରାୟଣ ହୋଇଲି ଅନାଥ

ଏ ଅନାଥ ରକ୍ଷା ହେଲେ ନାମ ହେବ ଖ୍ୟାତ ।

ଆତଙ୍କେ ବୋଲଇ ମୋତେ ରଖ ହେ ଶ୍ରୀପତି

ବହୁତ ବିକଳ ହୋଇ କାନ୍ଦେ ବସୁମତୀ ।

ଭୋ ନାରାୟଣ ସମ୍ଭାଳ ତୁମ୍ଭର ଏ ମହୀ

କଂସର ଭାରାଭର ମୁଁ ନ ପାରଇ ସହି ।

ଭୋ ଦେବ ନାରାୟଣ ହେ ଦେଖ ମୋ ଅବସ୍ଥା

ତୁମ୍ଭେ ନିଶ୍ଚିନ୍ତେ ରହିଲ ପାଇଲି ମୁଁ ବ୍ୟଥା ।

କଂସର ଭାରାରେ ମୁହିଁ ହୋଇଲଇଁ କଷ୍ଟି

ଭୋ ଦେବ ନାରାୟଣ ତୁ ଫେଡ଼ ମୋ ଅରିଷ୍ଟି ।

ଏଡ଼େ ବଡ଼ ମହାଭାରା ବହିଛି ମୁଁ ଶିରେ

ସମସ୍ତେ ନିଶ୍ଚିନ୍ତ ହୋଇ ଅଛ ଯେ ଯାହାରେ ।

ମୋହର ଅଭାବେ ସୃଷ୍ଟି ହୋଇବଟି ନାଶ

ଏ କଥା ପ୍ରମାଣ ନିଶ୍ଚେଁ ବୁଝ ହୃଷୀକେଶ ।

ମୁହିଁ ଯେବେ ନ କରିବି ଶସ୍ୟ ଫଳ ଜାତ

ଅନ୍ନ ବିନା ପ୍ରାଣୀମାନେ ହେବେ ସବୁ ହତ ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଏ ଚାରି

ମୋହ ଉପରେ ସଞ୍ଚିଲ ତୁମ୍ଭେ ଦେବ ହରି ।

ଏବେଳେ ରକ୍ଷା ନ କର ଯେବେ ପୀତବାସ

ମୁହିଁ ମଲେ ନାଶ ସିନା ଯିବଟି ତ୍ରିଦଶ ।

ଏକଥା ଯେବେ ତୁମ୍ଭେ ନ କର ଚକ୍ରପାଣି

ମୁହିଁ ନାଶଗଲେ ଦେବ କାହାକୁ ଧରଣୀ ।

ଏତେକ ବୋଲି ସେ ଦେବୀ ଢଳିଣ ପଡ଼ିଲା

ନାରାୟଣ ସ୍ଵାମୀ ମୋତେ ଉଦ୍ଧର ବୋଇଲା ।

ଚେତନା ପାଇ ବୋଲଇ ଶୁଣ ଦେବରାଜ

ରସାଗତ ପୃଥ୍ଵୀ ମୋର କିଛି ନାହିଁ କାର୍ଯ୍ୟ ।

ବ୍ରହ୍ମଲୋକ ଆଦି କୀଟ ପତଙ୍ଗ ଜଗତ

ନ ବହିଲେ ରସାତଳେ ପଡ଼ିବ ଜଗତ ।

ଚଉରାଶୀ କୋଟି ଜୀବଜନ୍ତୁ ଏ ଯେ ସଂଖ୍ୟା

ଗତାଗତକୁ ମୋହର କେ କରୁଛି ଲେଖା ।

ହବିର୍ହୋମ ଯାଗ ଯଜ୍ଞ ଶ୍ରାଦ୍ଧ ସବୁ କଲା

ତୁମ୍ଭେ ନ ରଖିଲେ ପୃଥୀ ଅକାରଣ ହେଲା ।

ବନ କନ୍ଦର ପର୍ବତ ମେରୁ ଅଷ୍ଟଗିରି

ସାତଦ୍ଵୀପ ସାତସିନ୍ଧୁ ଅଛି ମୁହିଁ ଧରି  

ଅନୀତି ନୀତି ଏମାନେ କରନ୍ତି ସଂସାରେ

ସବୁ ଭାରା ଦେଇଅଛ ମୋହର ଉପରେ ।

ପ୍ରଭୁ ଦେବଗଣ ତୋର ସଂସାର କାରେଣୀ

ମୋହର ନ ଥିଲେ କିସ କରିବେ ସେ ପୁଣି ।

ଛାଡ଼ୁଛି ଧରା ଭାର ହେ ପଡ଼ୁ ରସାତଳ

ଏହା ନ ବିଚାରି କିପାଁ କରୁଅଛ ହେଳ ।

ଏମନ୍ତ ବୋଲି ଦେବୀ ଯେ କ୍ରୋଧଭର ହୋଇ

କାନ୍ଦନ୍ତି ସେ ନାରାୟଣ ମୁଖକୁ ଅନାଇ ।

ବୋଲନ୍ତି ପୃଥୀ ବିକଳ ଦେଖି ନାରାୟଣ

ଦେବେ ତୋତେ ନ ରଖିଲେ ଏ ଅଟେ କି ଗୁଣ

ତୁମ୍ଭ ହିତପାଇଁ ଜନ୍ମ ଲଭିଥିଲି ପୂର୍ବେ

ବ୍ରହ୍ମଘାତୀ କହି ମୁଖ ନ ଚାହିଁଲେ ଦେବେ ।

ତ୍ରେତାଯୁଗେ ଦେଖିଛ ଗୋ ପୌଲସ୍ତିର ନାତି

ରାବଣ ନାମେ ଅସୁର ଲଙ୍କା ଅଧିପତି ।

ଅନେକ ବାର ଯେ ସ୍ଵର୍ଗପୁର ଧାଡ଼ିଦେଲା

ଲଙ୍କାକୁ ବୋଲି ଦେବଙ୍କୁ ବାନ୍ଧି ଘେନିଗଲା ।

ଆସ୍ଥାନତଳେ ଦେବଙ୍କୁ ବସାଇଲା ନେଇ

ରାବଣ ବୋଇଲା ଏହି ଦେବଙ୍କୁ ଅନାଇ ।

ଆରେରେ ତ୍ରିଦଶେ ମୋତେ ସେବା କରୁଥିବ

ଯେତେବେଳେ ଯେଉଁ କଥା ଆସି ଜଣାଇବ ।

ଡରେ ଦେବଲୋକେ ତାହା ସନମତ କଲେ

ସେ କଥା କରିବୁ ବୋଲି ଛାମୁରେ କହିଲେ ।

ମର୍ଦ୍ଦଳ ଧରି ଏ ବ୍ରହ୍ମା ବାଇ ଚଞ୍ଚୁପୁଟ

ଏକାଦଶ ରୁଦ୍ର ଘେନି କରୁଥାନ୍ତି ନାଟ ।

ଆଧି ଉପାଧି ଯେ କଥା ଯହିଁ ହୁଏ ଯେତେ

କରଣ ହୋଇ କହନ୍ତି ଏ ଚିତ୍ର ଗୁପତେ ।

ଯେବଣ କୁବେର ଦେବ ସପ୍ତନିଧିପତି

ରାବଣକୁ ବେଶ ଲାଗି କରାଏ ସେ ନିତି ।

ଏ ଦ୍ଵାଦଶ ବିଶ୍ଵଦେବା ପାବଚ୍ଛ ହୋଇଣ

ପଡ଼ିଥାନ୍ତି ତହିଁ ପରେ ଉଠଇ ରାବଣ ।

ଏ ବିଧିରେ ଦେବଗଣ ଖଟି ଲଙ୍କାପୁରେ

କେତେ ଦୁଃଖ ନ ପାଇଲେ ରାବଣ ହେତୁରେ ।

ଅମର ଭୁବନେ କେହି ନ ପାରିଲେ ରହି

କେତେ କେତେ ଅବସ୍ଥା ଏ ନ ପାଇଲେ ତହିଁ ।

ରାବଣକୁ ଯେତେବେଳେ କଲି ମୁଁ ବିନାଶ

ତହିଁକି ଏ ଦେଲେ ମୋତେ ବ୍ରହ୍ମହତ୍ୟା ଦୋଷ ।

ସେ ମୋହର ଭାରିଯାକୁ ବଳେ ନେଲା ହରି

ତେଣୁକରି ତାହାକୁ ମୁଁ ପକାଇଲି ମାରି ।

ଗୋ ବ୍ରାହ୍ମଣ ଖାଇ ଯେହୁ କରେ ସୁରାପାନ

ଏମାନେ ବୋଇଲେ ସେହୁ ଅଟଇ ବ୍ରାହ୍ମଣ ।

ବ୍ରହ୍ମକର୍ମ ତାହାଠାରେ କେଉଁଗୁଣେ ଅଛି

ସେ କଥା ବିଚାରି ଏବେ କହକିନା ବାଛି ।

ବ୍ରାହ୍ମଣ ହୋଇଣ ଯେବେ କରେ ସୁରାପାନ

ଧନବନ୍ତ ହୋଇ ଯେବେ ନ ଦିଅଇ ଦାନ ।

ଯେ ଅବା କ୍ଷତ୍ରିୟ ହୋଇ ଯୁଦ୍ଧକୁ ଡରଇ

ଭର୍ତ୍ତା ଥାଇ ସ୍ତିରୀ ଯେବେ ଆନକୁ ଭଜଇ ।

ଚିକିତ୍ସକ ହୋଇ ଯେବେ ନୁହଇ ବକତା

ମନ୍ତ୍ରୀ ହୋଇ ଯେ ନ କହେ ରାଜା ହିତକଥା ।

ପୁତ୍ର ହୋଇ ପିତାର ଯେ ଲଙ୍ଘଇ ବଚନ

ସେବକ ହୋଇ ସ୍ଵାମୀର ଯେ ନ ଜାଣେ ମନ ।

ସୁପଣ୍ଡିତ ହୋଇ ଯେବେ କରେ ପରିତାପ

ଏମାନଙ୍କୁ ଝିଙ୍ଗାସିଲେ ନାହିଁ କିଛି ପାପ ।

ବ୍ରହ୍ମକୁଳେ ରାବଣର ଯେବେ ଉତ୍ତପତ୍ତି

ତଥାପି ରାକ୍ଷସ ସେହୁ ସୁମାଳୀର ନାତି

ନିକଷାର ଗର୍ଭରୁ ସେ ହେଲା ଅବତାର

ଆବର ସେ କଲା ପୁଣି ନାନା ଅତ୍ୟାଚାର ।

ସ୍ଵର୍ଗପୁର ଭାଙ୍ଗି ଧ୍ଵଂସ କଲା ବାହୁବଳେ

ଗୋ ବ୍ରାହ୍ମଣ ବଧିଲା ସେ ଅବନୀମଣ୍ଡଳେ ।

ଅନ୍ୟାୟରେ ତ୍ରିଭୁବନ କଲା ସେହୁ ନାଶ

ତାକୁ ପ୍ରାଣେ ବଧ କଲେ ଅଛି କେଉଁ ଦୋଷ ।

ଏଡ଼େ ଉପକାର ମୋର ନ ଘେନିଲେ ଦେବେ

ବ୍ରହ୍ମହତ୍ୟା ଦୋଷ ମୋତେ ଲଗାଇଲେ ସର୍ବେ ।

ଯାହାଙ୍କ ସକାଶେ ମୁହିଁ ବଧିଲି ରାବଣ

ମୁଖ ନ ଚାହିଁଲେ ମୋର ସେହି ଦେବଗଣ ।

ଆସ୍ଥାନରେ ବସିଥିଲେ ମୁଁ ଯିବାରୁ ତହିଁ

ବ୍ରହ୍ମଘାତୀ ବୋଲି ମୁଖ ନ ଚାହିଁଲେ କେହି ।

ଏବେ ମୋତେ ଲୋଡ଼ୁଅଛ କିପାଁ ସୁରରାଜ

ଦେବଙ୍କ ସଙ୍ଗରେ ମୋର ଅଛି କିସ କାର୍ଯ୍ୟ ।

ଏମନ୍ତ କହିଣ ମୈାନ ହେଲେ ଚକ୍ରଧର

କରଯୋଡ଼ି ଜଣାଇଲେ ତାଙ୍କୁ ବେଦବର ।

ସାବଧାନେ ଶୁଣ ଆହେ ଦେବ ଅନ୍ତର୍ଯ୍ୟାମୀ

ରାମ ଅବତାରେ ଦୁଃଖ ପାଇଅଛ ସ୍ଵାମୀ ।

ସେହି ଦୁଃଖମାନ ମନୁ ପାସୋରିବା ପାଇଁ

ରଙ୍ଗାବତାର ହୋଇବ ଗୋପେ ବଢ଼ିଯାଇ ।

ବାଳଲୀଳା କଉତୁକ କରି ତୋଷମନେ

ବିହରିବ ଗୋପାଙ୍ଗନା ଘେନି କୁଞ୍ଜବନେ ।

ଗୋପନଗ୍ରେ ଛନ୍ତି ନବଲକ୍ଷ ଗୋପାଳୁଣୀ

ଚୌଷଠି ବନ୍ଧେ ରମଣ କର ତାଙ୍କୁ ଘେନି ।

ରଖିବ ବାଛୁରୀ ଗାଈ ଗୋପସୁତ ମେଳେ

ସୁଖେ ବିହରିବ ସ୍ଵାମୀ ନୀପତରୁ ମୁଳେ ।

ଭକ୍ତିଭାବେ ସୁର ସିଦ୍ଧତପୀ ବ୍ରହ୍ମଚାରୀ

ତୋତେ ଚାହିଁ ରହିଛନ୍ତି ଗୋପେ ଅବତରି ।

ଲାଗନ୍ତେ ତୋ ପଦ୍ମକର ଗୋପୀଙ୍କର ଅଙ୍ଗେ

ବସିବେ ମୁକତ ହୋଇ ସିଦ୍ଧଗଣ ସଙ୍ଗେ ।

ଯୁକତେ ଦ୍ଵାପର ଯୁଗ ହେଉଅଛି ଶେଷ

କଳିଯୁଗ ଆସି ଏବେ ହୋଇଲା ପ୍ରବେଶ ।

ମର୍ତ୍ତ୍ୟପୁରେ ଜନ୍ମିଛନ୍ତି ବହୁତ ଦାନବେ

ଭାରତ ଯୁଦ୍ଧରେ ସର୍ବେ ମୁକତି ଲଭିବେ ।

ତୋହର ଛାମୁରେ ପ୍ରଭୁ ହୋଇବ ସମର

ଆପେ ଥାଇ ନିବାରିବୁ ଧରଣୀର ଭାର ।

ନବକୋଟି କବନ୍ଧ ଯେ ନାଚିବେ ସେକାଳେ

ପଡ଼ିବେ ସକଳ ବୀରେ ମହାରଣ ଗୋଳେ ।

ଗୋମତି ତୀରରେ ପୂର୍ବେ ଚୈାଦଲକ୍ଷ ମୁନି

ବାଲୁକା ଲିଙ୍ଗ ପୂଜିଣ କଲେ ବେଦଧ୍ଵନି ।

ଗନ୍ଧପୁଷ୍ପ ଧୁପଦୀପ ନଇବେଦ୍ୟ ଦେଇ

ପୂଜିଲେ ଏକାଗ୍ର ଚିତ୍ତେ ଶଙ୍କରଙ୍କୁ ତହିଁ ।

ବକଳ ପିନ୍ଧିଣ ଖାଇ ଫଳମୁଳ ବାରି

ପଞ୍ଚାକ୍ଷର ଜପକଲେ ଏକଧ୍ୟାନ କରି ।

ବତିଶ ସହସ୍ର ବର୍ଷ ଘୋରତପ କଲେ

ତା ଦେଖି ଈଶ୍ଵର ତାଙ୍କୁ ପ୍ରସନ୍ନ ହୋଇଲେ ।

ଡମ୍ବରୁ ତ୍ରିଶୁଳ କରେ ବୃଷପୃଷ୍ଠେ ବସି

ସେ ମୁନିଙ୍କ ଆଗେ ଶିବ ବିଜେ କଲେ ଆସି ।

ଈଶ୍ଵରଙ୍କ ଆଗମନ ମୁନିମାନେ ଦେଖି

ଶିରେ କର ଦେଲେ ସର୍ବେ ଆସନ ଉପେକ୍ଷି ।

କୃପାମୟ ସଦାଶିବ ପଚାରିଲେ ତାଙ୍କୁ

କି କାରଣେ ଏତେ ସେବା କରୁଛ ଆମ୍ଭଙ୍କୁ ।

ମୁନିଏ ବୋଇଲେ ତୁମ୍ଭେ ଅଟ ବିଶ୍ଵପତି

ଆମ୍ଭଙ୍କୁ ସଦୟ ହୋଇ ଦିଅ ଦିବ୍ୟଗତି ।

ଯୋନିଦ୍ଵାରେ ଆମ୍ଭେ ଆଉ ନ ହୋଇବୁ ଜାତ

ଏ ବର ଆମ୍ଭଙ୍କୁ ତୋଷେ ଦିଅ ବିଶ୍ଵନାଥ ।

ଈଶାନ କହିଲେ ତାଙ୍କୁ ଏ ବଚନ ଶୁଣି

ମୁକ୍ତିର ପଥକୁ ଆମ୍ଭେ ନୋହୁତ କାରେଣି ।

ଧର୍ମ ଅର୍ଥ କାମ ଏହି ତିନି ଦେଇପାରୁ

ମୁକ୍ତି ହେବାପାଇଁ ବର ଦେଇ ତ ନ ପାରୁ ।

ବ୍ରହ୍ମା ବିଷ୍ଣୁ ଶିବ ଆମ୍ଭେ ତିନି ଏକଦେହୀ

ସୃଜନ କରିବା ଭାର ବହିଛନ୍ତି ବିହି ।

ପାଳନ କରନ୍ତି ବିଷ୍ଣୁ ଆମ୍ଭେ କରୁ କ୍ଷୟ

ଏକାରଣେ ତିନି ମୂର୍ତ୍ତି ହେଲୁ ଏକଦେହ ।

ଧର୍ମ ଅର୍ଥ କାମ ତିନି ଆମ୍ଭଠାରେ ଅଛି

ସାଯୁଜ୍ୟ ମୁକତିଦାତା ଅଟନ୍ତି ଶ୍ରୀବତ୍ସି ।

ତୁମ୍ଭଙ୍କୁ କହିବା ଏବେ ଶୁଣ ସଦବୁଦ୍ଧି

ଯେଉଁପରି ମୁକ୍ତିମାର୍ଗ ଲାଭ ହେବ ସିଦ୍ଧି ।

ଦ୍ୱାପର ଶେଷକୁ ବିଷ୍ଣୁ ମଥୁରା ନଗରେ

କୃଷ୍ଣରୂପେ ଜନ୍ମହେବେ ବସୁଦେବ ଘରେ ।

ମଥୁରାରେ ଜନ୍ମ ହୋଇ ଗୋପରେ ବଢ଼ିବେ

ଗୋପୀ ଗୋପାଳଙ୍କ ସଙ୍ଗେ ବିହାର କରିବେ ।

ବାଳ ଗୋପାଳ ସ୍ୱରୂପ ଧରି ବନମାଳୀ

କୁଞ୍ଜବନେ କରିବେ ସେ ନାନା ରଙ୍ଗେ କେଳି ।

ତୁମ୍ଭେମାନେ ଜନ୍ମିଥିବ ଗୋପିକା ସ୍ୱରୂପେ

ନାରାୟଣ ଅଙ୍ଗସଙ୍ଗ ହେବ ପୂର୍ବତପେ ।

ତୁମ୍ଭଙ୍କୁ ଘେନିଣ କ୍ରୀଡ଼ା କରିବେ ଶ୍ରୀପତି

ସେକାଳେ ପାଇବ ସର୍ବେ ସାଯୁଜ୍ୟ ମୁକତି ।

ସୁଲକ୍ଷଣୀ ନାରୀରୂପ ଘେନି ଜନ୍ମିଥିବ

କୃଷ୍ଣ ବିନା ଆନ ଆଉ କିଛି ନ ଜାଣିବ ।

ଚଉଷଠି ବନ୍ଧେ କ୍ରୀଡ଼ା କୃଷ୍ଣ ସଙ୍ଗେ କରି

ସ୍ୱାମୀ ଅଙ୍ଗସଙ୍ଗ ପାଇ ସର୍ବେ ଯିବ ତରି ।

ଏତେକହି ଅନ୍ତର୍ଦ୍ଧାନ ହେଲେ ଦେବକାଶୀ

ସେ ଋଷିଏ ଗୋପପୁରେ ଜନ୍ମିଛନ୍ତି ଆସି ।

ଥୋକେ ମୁନି ହୋଇଛନ୍ତି ଯୁବତୀ ସ୍ୱରୂପ

ଥୋକାଏ ଗୋପାଳ ଥୋକେ ଅଟନ୍ତି ପାଦପ ।

ଥୋକେ ଋଷି ଗୋରୁରୁପ ଧରି ବୃନ୍ଦାବନେ

ସର୍ବେ ଚାହିଁ ରହିଛନ୍ତି ଗୋବିନ୍ଦ ଦର୍ଶନେ ।

ମୁଁ କିସ କହିବି ପ୍ରଭୁ ତୁମ୍ଭେ ସବୁ ଜାଣ

ରଙ୍ଗାବତାରରେ ଭୋଗ ଭୁଞ୍ଜିବେ ଆପଣ ।

ବିଶ୍ୱକର୍ମା ସଙ୍ଗେ ଘେନି କୋଟିଏ ବିନ୍ଧାଣି

ସଜାଇ ରଖିଛି ଗୋପନବର ନିର୍ମାଣି ।

ଯମୁନା ତଟିନୀ ତଟ ନୀପତରୁ ତଳେ

ସ୍ୱର୍ଗରୁ କୋଟିଏ ଗୁଣ ସୁଖ ତହିଁ ମିଳେ ।

ଗୋପିଗଣ ସଙ୍ଗେ ତହିଁ ବିହରିବୁ ସ୍ୱାମୀ

ତେବେ ଶୋଭା ପାଇବ ଏ ଚରାଚର ଭୂମି ।

ଅମର ଭୂବନ ତେଜି ଦେବତା ମଣ୍ଡଳ

ତୋତେ ସେବା କରିବାକୁ ହୋଇବୁ ଗୋପାଳ ।

ସ୍ୱର୍ଗର ନାୟିକାଗଣ ଗୋପିକା ସ୍ୱରୂପେ

ତୋ ମନ ରଞ୍ଜିବା ପାଇଁ ଜାତ ହେବେ ଗୋପେ

ନନ୍ଦନ ବନରେ ଯେତେ ସ୍ୱାଦୁ ଫଳ ଅଛି

କୁଞ୍ଜବନେ ଈନ୍ଦ୍ର ତାହା ଥୋଇଲାଣି ବାଛି ।

ପାରିଜାତ ଆଦିକରି ନାନା ପୁଷ୍ପମାନ

ରୋପିବାରୁ ପରିମଳ ଦିଶେ କୁଞ୍ଜବନ ।

ଶୀତଳ ସୁସ୍ୱାଦୁ ସ୍ୱଛ ଜମୁନାର ନୀର

କଦମ୍ୱ ମୁଳରେ ବହେ ବସନ୍ତ ସମୀର ।

ଶୁକ ପିକ ମୟୁରଙ୍କ ସୁମଧୁର ଧ୍ୱନି

ସବୁବେଳେ ଶୁଣୁଥିବ ତୋ ଶ୍ରବଣ ବେନି ।

ଯେତେବେଳେ ଯାହାଇଚ୍ଛା ହେଉଥିବ ମନେ

ଚାହିଁଦେବା ମାତ୍ରେ ଆସି ମିଳିବ ସେ ସ୍ଥାନେ ।

ଦେବଗଣେ ପରିଚାର ତୋର ଚକ୍ରପାଣି

ତୁ ଯହିଁ ରଖିବୁ ସବୁ ଯୋଗାଇବେ ଆଣି ।

ରାମ ଅବତାରେ ସ୍ୱାମୀ ପାଇଅଛୁ ଦୁଃଖ

ରଙ୍ଗା ଅବତାରେ ଏବେ ଭୋଗକର ସୁଖ ।

ଏତେକହି ପଛଘୁଞ୍ଚା ଦେଲେ ବେଦପତି

କରପତ୍ର ଯୋଡ଼ି ଉଭା ହେଲେ ବସୁମତୀ ।

ନବଦ୍ଵାରରୁ ରୁଧିର ପଡ଼ୁଅଛି ଗଳି

ଗତାତ୍ମା ପ୍ରାୟେକ ଦେବୀ ନ ପାରଇ ଚଳି ।

କେଶବାସ ଅସମ୍ଭାଳ ଅଧୋମୁଖୀ ହୋଇ

କାନ୍ଦି ଜଣାଇଲା ବିଷ୍ଣୁ ଶ୍ରୀମୁଖକୁ ଚାହିଁ ।

ଭୋ ଦେବ ତୁ ନିରଞ୍ଜନ ଦେବଙ୍କ ଉତ୍ତମା

ପୁରାଣ ପୁରୁଷ ସ୍ଵାମୀ ଅଟୁ ମହାତମା ।

ସାବଧାନ ହୋଇ ଦେବ ଦେଖ ମୋର କଷ୍ଟ

ଅସୁରଙ୍କ ପାଦଭରେ ହେଉଅଛି ନଷ୍ଟ ।

କେବଳ ଶରୀରେ ମୋର ପ୍ରାଣଅଛି ରହି

ଅସମ୍ଭାଳ ହେଲା ଭାରା ଛାଡ଼ିଦେବି ମୁହିଁ ।

ତୁ ଯଦ୍ୟପି ରକ୍ଷା ନ କରିବୁ ଏତେବେଳେ

ନିଶ୍ଚୟ ଛାଡ଼ିବି ପୃଥୀ ପଡ଼ୁ ରସାତଳେ ।

ବହୁ କଷ୍ଟ ପାଇଲିଣି ଆହେ ଦୀନବନ୍ଧୁ

ପ୍ରତିକାର କର ମୋତେ କୃପାଜଳସିନ୍ଧୁ ।

ତୁ ଯଦ୍ୟପି ଅନୁଗ୍ରହ ଛାଡ଼ିଲୁ ସନ୍ଦେହ

ଫିଟାଇ ସେ କଥା ପ୍ରଭୁ ମୋ ଆଗରେ କହ ।

ଦେବସଭା ମଧ୍ୟେ ଯାଇ କହିଲି ମୋ କଥା

ଦେଖ ସର୍ବେ ସୁରଗଣେ ମୋହର ଅବସ୍ଥା ।

ଏ ମୋର ବିକଳ  ଦେଖ ସର୍ବ ଦେବତାଏ

ଅସୁରଙ୍କ ପାଦଘାତେ ମୁଖୁ ରକ୍ତ ବୋହେ ।

ସେମାନେ ତ ରକ୍ଷାକରି ନ ପାରିଲେ କେହି

ତେଣୁ ସର୍ବେ ଆସିଅଛୁ ତୋ ଛାମୁରେ କହି ।

ବେଳେବେଳେ ମୋତେ ତୁହି କରାଉ ଅଚିନ୍ତା

ତୋର ଅଭାବରେ ନାହିଁ କେ ମୋତେ ରଖନ୍ତା ।

ହିରଣ୍ୟାକ୍ଷ ନାମେ ଦୈତ୍ୟ ନେଲା ମୋତେ ହରି

ତୁହି ଉଦ୍ଧାରିଲୁ ଆପେ କୁର୍ମରୁପ ଧରି ।

ଅଶେଷ କୋଟି ବ୍ରହ୍ମାଣ୍ଡ ଧରଣୀର ଭାର

ତୋ ପୃଷ୍ଠେ ରହିଲା ପ୍ରଭୁ ତିଳ ପରକାର ।

ପାତାଳ ସୁତଳ ତଳ ରସାତଳ ମୁଳେ

ଲୁଚିଲା ଏ ସପ୍ତଲୋକ ତୋର ପାଦତଳେ ।

ପଞ୍ଚାଣୋଇ ସସ୍ର ଯୁଣ ହିରଣ୍ୟର ଦେହୀ

କିଞ୍ଚିତ ସଂଗ୍ରାମେ ତାକୁ ବଧିଲୁ ମୋ ପାଇଁ ।

ହିରଣ୍ୟନନ୍ଦନ ହିରଣାକ୍ଷ ଯେ ହୋଇଲା

ସପ୍ତଦ୍ଵୀପା ପୃଥୀ ଏକା ମୁଷ୍ଟିକେ ରଖିଲା ।

ବଳାତ୍କାରେ ଯାଉଥିଲା ଦୈତ୍ୟ ମୋତେ ଘେନି

ତାହା ଦେଖି ଭୟ କଲେ ସୁରସିଦ୍ଧ ମୁନି ।

ଦୁର୍ଜ୍ଜୟ ଅସୁର ସେହୁ ଅଟେ ରଣରଙ୍କା

ବ୍ରହ୍ମା ରୁଦ୍ର ବାସବଙ୍କୁ ନ କରଇ ଶଙ୍କା ।

ଅଠାଣୋଇ ସସ୍ର ଯୁଣ ସେ ଦୈତ୍ୟର ଅଙ୍ଗ

ତାହାର ସଙ୍ଗତେ ସ୍ଵାମୀ କଲୁ ରଣରଙ୍ଗ ।

ଷାଠିଏ ସହସ୍ର ବର୍ଷ ବଢ଼ିଲା ଆରେଣି

ବାହୁଯୁଦ୍ଧେ ନାଥ ତାକୁ ନ ପାଇଲୁ ଜିଣି ।

ବରାହ ସ୍ଵରୁପ ପୁଣି ଧରି ମମ ହିତେ

ସେ ଦୈତ୍ୟକୁ ବଧକରି ରକ୍ଷାକଲୁ ମୋତେ ।

ହିରଣ୍ୟକଶିପୁ ବୋଲି ହିରଣ୍ୟାକ୍ଷ ଭ୍ରାତ

ମହାବଳେ ପ୍ରଚଣ୍ଡ ସେ ଦୁର୍ବାର ଦଇତ୍ୟ ।

ଚୌରାଶୀ ଯୋଜନ ଦୀର୍ଘ ଅଟେ ତାର କାୟା

ବଳେ ବଳବାନ ପୁଣି ଜାଣେ ବହୁ ମାୟା ।

ସଂଗ୍ରାମରେ ଶକତା ସେ କରେ କୁଟଛନ୍ଦ

ସର୍ବଦା ସେ ମୁଢ଼େ ପାଞ୍ଚୁଥାଏ ତୋର ମନ୍ଦ ।

ନାଗ ନର ଅମରଙ୍କୁ ନ ଦିଏ ରଖାଇ

ତା ପାଦର ଭାରା ମୁଁ ଯେ ନ ପାରିଲି ସହି ।

ତା ନାମରେ ଭୟ କଲେ ତିନିପୁର ପ୍ରାଣୀ

ସ୍ଵର୍ଗ ଛାଡ଼ି ପଳାଇଲା ଡରେ ବଜ୍ରପାଣି ।

ଆକାଶରେ ଚନ୍ଦ୍ର ସୂର୍ଯ୍ୟ ଉଦୟ ନୋହିଲେ

ଦେବଗଣ ସ୍ଵର୍ଗ ଛାଡ଼ି ଗହ୍ୱରେ  ଲୁଚିଲେ ।

ସକଳ ଦେବଙ୍କୁ ଦୈତ୍ୟ ଜିଣି ବାହୁବଳେ

ଏକ କ୍ଷତ୍ରୀ ଜଣେ ହେଲା ଏ ତିନି ମଣ୍ଡଳେ ।

ସ୍ତମ୍ଭୁ ଅବତରି ନାଥ ନରସିଂହ ରୂପେ

ଜାନୁରେ ପକାଇ ତାକୁ ବିଦାରିଲୁ କୋପେ ।

ତାର ଏକ ପୁତ୍ର ଥିଲା ପ୍ରହଲାଦ ବୀର

ସେ ଅଟଇ ତୋର ଭକ୍ତ ଧାର୍ମିକ ପ୍ରବର ।

ବୈରୋଚନ ନାମେ ହେଲା ପ୍ରହଲାଦ ସୁତ

ଅଗୋଚର ତା ମହିମା ନ ମିଳଇ ଅନ୍ତ ।

ଅଗ୍ନି ପାଣି ଖଡ଼ଗରେ ସେହୁ ନ ମରଇ

ବଜ୍ର ଆଦି ଶସ୍ତ୍ର ତାର ଅଙ୍ଗେ ନ କାଟଇ ।

ପୁରୁଷ ହସ୍ତରେ ମୃତ୍ୟୁ ନୁହଇ ତାହାର

ଏମନ୍ତ ସେ ତପ କରି ପାଇଥିଲା ବର ।

ସ୍ତିରି ବ୍ୟତିରେକ ତାକୁ ନ ହୁଅଇ ଜିଣି

ତା ଜାଣି ମାଳତୀ କନ୍ୟା ହେଲୁ ଚକ୍ରପାଣି ।

ଅଶେଷ କୋଟି ବ୍ରହ୍ମାଣ୍ଡ ଠାକୁର ତୁ ହୋଇ

ସୁଲକ୍ଷଣୀ ନାରୀରୂପ ଧଇଲୁ ଗୋସାଇଁ ।

ରୁପେ ମନ ମୋହି ତାକୁ କରିଲୁ ବିନାଶ

ସେ ଦୁଷ୍ଟ ମରନ୍ତେ ମୁଁ ଯେ ହୋଇଲି ଉଶ୍ଵାସ ।

ବୈରୋଚନ ପୁତ୍ର ଥିଲା ବଳି ବଳବନ୍ତା

ତ୍ରିଭୂବନେ କେହି ତାକୁ ନୋହିଲେ ଜିଣନ୍ତା ।

ସଂଗ୍ରାମେ ଦୁର୍ଜ୍ଜୟ ସେହୁ ଦାନେ ଶୂରବନ୍ତ

ବେଦମନ୍ତ୍ର ବିଦ୍ୟାଦିରେ ଅଟଇ ପଣ୍ଡିତ ।

କିଞ୍ଚିତରେ ତ୍ରିଭୂବନ ଜିଣି ବାହୁବଳେ

ଦେବତାଙ୍କୁ ଖଟାଇଲା ନିଜ ପାଦତଳେ ।

ତା ଦେଖି ବାମନ ରୂପ ଧଇଲୁ ତୁ ସ୍ଵାମୀ

ଦାନ ଛଳେ ମାଗିତାକୁ ତିନି ପାଦ ଭୂମି ।

ଦାନ ଦେବାମାତ୍ରେ ତୁ ଯେ ହେଲୁ ବିଶ୍ଵରୁପ

ପାତାଳେ ଚାପିଲୁ ତାକୁ କରି ଉଗ୍ରକୋପ ।

ଭୋନାଥ ତୋ ବିନେ ମୋର ନାହିଁ ଅନ୍ୟସାହା

ସଂପ୍ରତି ସୁଦୟା ମୋତେ କର ଚଉବାହା ।

କଂସ ପାଦଭାରା ମୁଁ ଯେ ନ ପାରଇ ସହି

ଏଘୋର ବିପଦୁ ରକ୍ଷା କର ଭାବଗ୍ରାହୀ ।

ବେଳେବେଳେ ଆପଦ ଯେ ଆସିପଡ଼େ ମୋତେ

ଏକ ଏକ କରି ତାହା କହିବଇଁ କେତେ ।

ମହାଭୟ ମାନଙ୍କରୁ ଉଦ୍ଧାରିଛୁ ପୂର୍ବେ

କିଞ୍ଚିତ ଦୋଷରେ ସ୍ଵାମୀ ଛାଡ଼ୁକିପାଁ ଏବେ ।

ଯଦ୍ୟପି ଦେବଙ୍କୁ କୋପ କରିବୁ ତୁ ଚିତ୍ତେ

ଏ ତୋହର କୋପେ ନାଶ ହୋଇବୁଁ ସମସ୍ତେ ।

ଦେବଗଣ ଜାଣକଲୁ ନିଜେ ଶ୍ରୀଅଙ୍ଗରୁ

ଭାବ ଉପୁଜାଇ କିପାଁ ଅଭାବ ଯେ କରୁ ।

ତୁ ଯେବେ ଦେବଙ୍କ ପ୍ରତି ହେବୁ କୋପମନ

ତୋହର କୋପିଲେ ରକ୍ଷା କରିବ କେ ଆନ ।

କୀଟୁ ବ୍ରହ୍ମ ପରିଯନ୍ତେ ସମସ୍ତଙ୍କ ଆତ୍ମା

ପବିତ୍ର ପୁରାଣ ତୁ ଯେ ପୁରୁଷ ମହାତ୍ମା ।

ତୁ ପ୍ରଭୁ ଅଚିନ୍ତ୍ୟ ଚିନ୍ତାମଣି ଜଗନ୍ମୟ

ତୋ ଗର୍ଭରୁ ଚରାଚର ହୁଅଇ ଉଦୟ ।

ତୁ ଦେବ ଅନାଦି ଆଦି ଅନ୍ତ ମଧ୍ୟ ତିନି

ପଞ୍ଚଭୂତ ଆତ୍ମା ଜାତ ତୋର ତେଜ ଘେନି ।

ତୁହି ଅଟୁ ଠୁଳ ଶୂନ୍ୟ ତୁହି ଆଦିମୂଳ

ତୁହି ଦେବ ନିରଞ୍ଜନ ଅକୂଳର କୂଳ ।

ଘଟ କୂଟ ବୀର୍ଯ୍ୟସ୍ତମ୍ଭ ଘଟାଦି ଏ ପଞ୍ଚ

ଆପେ ଆପେ ଘଟଣାକୁ ହୋଇଲ ସୁସଞ୍ଚ ।

ଲିଙ୍ଗଭୂତ ଯାତନା ଏ ସ୍ଵାମୀ ତୋର ମାୟା

ଚାରିଖାନି ଚାରିଖାନି ସବୁ ତୋର କାୟା ।

ତୋର ସୃଷ୍ଟି ନାଶଗଲା ରଖ ଜଗନ୍ନାଥ

ତୁ ରକ୍ଷା ନ କଲେ ଦେବ ହୋଇଲେ ଅନାଥ ।

ଏମନ୍ତ ବିନୟେ ଯହୁଁ କହିଲା ଧରିତ୍ରୀ

ବିମ୍ବାଧରେ ମନ୍ଦହାସ କଲେ ଶିରୀପତି ।

ଜାଣିଲେ ଦେବଙ୍କ ହୃଦେ ନାହିଁ କିଛି ମାୟା

ତେଣୁ ତାଙ୍କ ବିଷୟରେ ଉପୁଜିଲା ଦୟା ।

ବଦନ୍ତି ଯେ ଇଦଂ ପ୍ରତିବାକ୍ୟ ଆଦିମୂଳ

କାହିଁପାଇଁ ଦେବଗଣେ ହେଉଛ ବିକଳ ।

ଉଠ ଉଠ ତୁମ୍ଭଠାରେ ନାହିଁ ଆମ୍ଭ କୋପ

ଅଳ୍ପକାଳେ ନାଶଯିବ ଅସୁରଙ୍କ ଦର୍ପ ।

ଏତେକହି ଶେଷଶଯ୍ୟା ତେଜି ଦାମୋଦର

ଆସ୍ଥାନରେ ବିଜେକଲେ କରୁଣାସାଗର ।

ପଦ୍ମନେତ୍ରେ ଦେବତାଙ୍କୁ ଚାହିଁ ପୀତବାସ

ଆଜ୍ଞାଦେଲେ ସର୍ବେ ଆସି ସନ୍ନିଧିରେ ବସ ।

ଏସନକ ଆଜ୍ଞା ଦେବେ ଶ୍ରୀମୁଖରୁ ପାଇ

ନିକଟରେ ଉଭାହେଲେ ଶିରେ କର ଦେଇ ।

ଏକମୁଖ ହୋଇ ସର୍ବେ ଜୟଧ୍ଵନି କଲେ

ତାହାଦେଖି ଜଗନ୍ନାଥ ସଦୟ ହୋଇଲେ ।

ବିଧାତାମୁଖକୁ ଚାହିଁ ପ୍ରଭୁ ନିରାକାର

ବୋଲନ୍ତି କହିବା ତଥ୍ୟ ଶୁଣ ବେଦବର ।

ସଂସାର ଦୁଃଖରେ ଆମ୍ଭେ ସବୁକାଳେ ଦୁଃଖୀ

ତେଣୁ ନରଦେହ ଧରୁଁ ବୈକୁଣ୍ଠ ଉପେକ୍ଷି ।

ଅଦେହ ଅନାଦି ଆମ୍ଭେ ଆଶ୍ରେ କରି ମାୟା

ତୁମ୍ଭ ନିମନ୍ତେ ବହିଲୁଁ ରକ୍ତମାଂସ କାୟା ।

ନିଜ କଳ୍ପନାରୁ ଆମ୍ଭେ ସୃଷ୍ଟି ଜାତ କଲୁଁ

ବ୍ରହ୍ମାର ବଚନେ ତାହା ପାଳିବୁଁ କହିଲୁଁ ।

ନିଜ କଲା କୃତ୍ୟ କେହ୍ନେ କରିବୁଁ ଲଙ୍ଘନ

ଆମ୍ଭେ ନ ପାଳିଲେ ରକ୍ଷା ନୁହେଁ ତ୍ରିଭୂବନ ।

ନରଦେହେ ଜାତ ହେବୁ ପାଇଅଛୁଁ ଶାପ

ଆମ୍ଭେ ଜନ୍ମ ହେଲେ ଯିବ ଧରଣୀର ତାପ ।

ଶ୍ରୀମୁଖେ ଏସନ ଆଜ୍ଞା ଦେଲେ ନାରାୟଣ

ତାହା ଶୁଣି ଅତି ହୃଷ୍ଟ ହେଲେ ଦେବଗଣ ।

ଶୁଣ ଆହେ ସୁଜ୍ଞଜନେ ଯେତେ ଦେହବନ୍ତା

ମୋହଜଳେ ବୁଡ଼ି ସର୍ବେ ପାଇଥାଇ ବ୍ୟଥା ।

ସଂସାର ଭିତରେ ଛନ୍ତି ଯେତେ ଦେହଧାରୀ

ଯେ ଯାହାର କଲାକର୍ମ କେ ଲଙ୍ଘି ନ ପାରି ।

ପାପ ପୁଣ୍ୟ ଦୁହେଁ ଛନ୍ତି ଦେହି ଦେହେ ଜଡ଼ି

ଏହା ଜାଣି ପୁଣ୍ୟ କର ପାପ ଯାଉ ଛାଡ଼ି ।

ପୁଣ୍ୟ ଅଟେ ଦୃଢ଼ ନାବ ପାପ ସିନ୍ଧୁ ଜଳେ

ପୁଣ୍ୟରୁ ଅଧିକ ସଖା ନାହିଁ ଅନ୍ତଃକାଳେ ।

ପୁଣ୍ୟକାଳେ ପୁଣ୍ୟ ଆତ୍ମା ପ୍ରାଣୀ ଅଟେ ଯେହୁ

ଇହ ପର ଦୁଇଲୋକେ ଧନ୍ୟ ଜାଣ ସେହୁ ।

ପୁଣ୍ୟ କଲେ ଇହଲୋକେ ଭୁଞ୍ଜଇ ସମ୍ପଦ

ପୁଣ୍ୟବଳେ ପରଲୋକେ ମିଳେ ମୋକ୍ଷ ପଦ ।

ମୋହଜଳେ ବୁଡ଼ି ଯେତେ ମୁହାଁସ କରିବା

ପ୍ରାଣ ଗଲାବେଳେ ଆମ୍ଭେ କିସ ବହିନେବା ।

ଧନ ଜନ ଯଉବନ ବିଦ୍ୟା ଆଦିକରି

ଏମାନେ ଅନ୍ତିମକାଳେ ନୁହନ୍ତି କାହାରି ।

ପ୍ରାଣ ଯିବା ସମୟରେ କଫ, ବାତ୍ତ, ପିତ୍ତେ

କଣ୍ଠରୋଧ କରିଦ୍ୟନ୍ତି ଆଶି ଅଦଭୂତେ ।

ବନ୍ଧୁ ସହୋଦର ଯେତେ ପାଶେ ବସିଥାନ୍ତି

ଜୀବ ଯିବା ସମୟରେ କେହି ନ ରଖନ୍ତି ।

ଏକାହୋଇ ଆସିଥାଏ ଏକାହୋଇ ଯାଏ

ପଥିକ ପରାୟେ ସଙ୍ଗେ କାହାକୁ ନ ନିଏ ।

ଗୃହ ସମ୍ପଦରେ ନୋହିଥାଏ ସେ କାରେଣୀ

ଶରୀରରୁ ଜୀବ ଗଲେ ନୁହଇ ବରଣୀ ।

ଦଣ୍ଡେ ନ ରଖିଣ ଘରୁ କରନ୍ତି ବାହାର

ଶୋଇବା ସ୍ଥାନରେ ପୁଣି ଲିପନ୍ତି ଗୋବର ।

ଆୟେ ଆସ୍ତା ଅରଜିଣ ରଖିଥାଏ ଯାହା

ଥେଣ୍ଟମାନେ ବସି ଭୋଗ କରନ୍ତି ଯେ ତାହା ।

ଶ୍ମଶାନ ଅନଳେ ତାର ଥୋଇ ମୃତପିଣ୍ଡ

କରନ୍ତି ଗୁଞ୍ଜଣା ନଳ ଗେଞ୍ଜି ଖଣ୍ଡ ଖଣ୍ଡ ।

ସମସ୍ତ ହିଁ ଶରୀରରେ ଏତେ କଷ୍ଟ ଅଛି

ଯେ ସୁଜ୍ଞାନୀ ହୁଏ ତାହା ଘେନଇ ସେ ବାଛି ।

ଆସିଥିବା ବେଳେ ଏକା ଯିବାବେଳେ ଏକା

କଲା ପାପ ପୁଣ୍ୟ ମାତ୍ର ସଙ୍ଗେ ଥାଏ ସଖା ।

କହୁଁ କହୁଁ ଜୀବ କ୍ଷଣ କ୍ଷଣକରେ ମାୟା

ସଂସାରେ କାହାରି ବଶ ନୁହଇ ଏ କାୟା ।

ଜଳେ ବିକାଶଇ ଯେହ୍ନେ ଜଳବିମ୍ୱ ଫୁଟି

ତେସନ ସଞ୍ଜାତ ପଞ୍ଚଭୂତ ଆତ୍ମାଗୋଟି ।

ଦର୍ପଣ ଭିତରେ ଛାୟା ପ୍ରସରଇ ଯେହ୍ନେ

ଶରୀର ଭିତରେ ଜୀବ ରହିଥାଏ ତେହ୍ନେ ।

କେହି କାହାର ନୁହନ୍ତି ସର୍ବେ ଭିନ୍ନ ଭିନ୍ନ

ଜୀବ ଆତ୍ମା ଗୋଟିକ ଯେ ଏସନକ ବର୍ଣ୍ଣ ।

ସଂସାର ମଧ୍ୟରେ ଜୀବ ରହିଥାଏ ଏକା

କେବଳ ଶ୍ରୀହରି ନାମ ଅନ୍ତଃକାଳେ ସଖା ।

ଆହେ ସାଧୁଜନେ ଏହା କରିଣ ବିଚାର

ହୃଦୟକୁ ଦୃଢ଼କରି ହରିନାମ ସ୍ମର ।

ଜୀବରେ ସୁଦୟା କୃଷ୍ଣ ନାମରେ ଭକତି

ସାଧୁସଙ୍ଗ ସଦବୁଦ୍ଧି ବାଞ୍ଛା କର ନିତି ।

ବିଷ୍ଣୁଙ୍କ ମହିମା ଏହି ଭାଗବତ ବାଣୀ

ଦିବାନିଶି ହୃଦୟରେ ରଖିଥିବ ଗୁଣି ।

ସଂସାରସାଗରୁ ଯେତେ ତରିବ ନିଶ୍ଚୟ

ଲୋଭ ମୋହ ଛାଡ଼ିକରି କୃଷ୍ଣପାଦେ ଲୟ ।

ହରିନାମ ନାବେ ବସି ବୋଲ ହରି ହରି

ସେ ପ୍ରଭୁ କରିବେ ନିଶ୍ଚେଁ ଭବସିନ୍ଧୁ ପାରି ।

ହରି ନାମ ବାହରଇ ଯାହାର ମୁଖରୁ

ସେ ଲଭେ ବିପୁଳ ଲକ୍ଷ୍ମୀ ତରଙ୍ଗ ସଂସାରୁ ।

ହରିନାମେ ଧ୍ୱଂସ ହୁଏ କଳି କଳମଷ

ସବୁଛାଡ଼ି ଏକଲୟେ ହରି ହରି ଘୋଷ ।

ହରିନାମ ଗୋଟି ବେଦବେଦାନ୍ତରେ ସାର

ହରି ନାମ ସୁମରିଲେ ଭବୁ ହେବ ପାର ।

ମହୋଦଧି ନୀର ନୀଳ କନ୍ଦର ଉପରେ

ବିଜେ କରିଛନ୍ତି ପ୍ରଭୁ ଚତୁର୍ଦ୍ଧାରୂପରେ ।

ସୁଦର୍ଶନ ବଳଭଦ୍ର ଶୀହରି ସୁଭଦ୍ରା

ଚତୁର୍ଦ୍ଧାମୂରତି ଆପେ ହେଲେ ଯୋଗମୁଦ୍ରା ।

ଅଷ୍ଟାଙ୍ଗଯୋଗେ ସମ୍ଭୁତ ପରଂଜ୍ଞାନମୟ

ଯହିଁରେ କୈବଲ୍ୟ ମୁକ୍ତି ହୋଇଛି ଉଦୟ ।

ସେ ପ୍ରଭୁଙ୍କ ପାଦପଦ୍ମେ ଦରଶନ କରି

ଅଚ୍ୟୁତ କହଇ ଭଜ ରାମ କୃଷ୍ଣ ହରି ।

 

ମହାବିଷ୍ଣୁଙ୍କର ଦେବଗଣଙ୍କ କୃଷ୍ଣ ଶୁକ୍ଳ ରୋମ ପ୍ରଦାନ

ଏଥୁ ଅନନ୍ତରେ ପୁଣି ଶୁକ ବ୍ରହ୍ମା କହି

ଶୁଣ ହୋ ପରୀକ୍ଷ ରାଜା ମନ କର୍ଣ୍ଣ ଦେଇ ।

ସେହି ନିଦାବିଷ୍ଣୁ ପାଶେ ବ୍ରହ୍ମାଙ୍କୁ ହକାରି

ଚତୁର୍ଦ୍ଦଶ ବ୍ରହ୍ମାଣ୍ଡରେ କଲେ ଅଧିକାରୀ ।

ପୁଣି ଆଜ୍ଞାଦେଲେ ଦେବଗଣଙ୍କୁ ସେ ଚାହିଁ

ଯେଝା ପଦ ଘେନି ଥାଅ ନିଶ୍ଚିନ୍ତରେ ଯାଇ ।

ସାଧୁ ପ୍ରତିପାଳି ଦୁଷ୍ଟ କରିବି ମୁଁ କ୍ଷୟ

ଯେସନେ ସକଳ ପ୍ରାଣୀ ହେବେ ପୁଣ୍ୟମୟ ।

ଏବେ ହୋ ଦେବତାମାନେ କର ଏହି ଚିନ୍ତା

ସଂସାର ଧର୍ମରେ ଅଛି ଯେବଣ ବ୍ୟବସ୍ଥା ।

ବିପ୍ରଙ୍କର ବେଦମନ୍ତ୍ର ତପିଙ୍କର ସିଦ୍ଧି

ଦେବ ପିତୃ ଗୁରୁସେବା ହୁଏ ଯଥାବିଧି ।

ଧର୍ମେ ଥାଇ ପରଜାଙ୍କୁ ନୃପ ଯେହ୍ନେ ପାଳେ

ପୃଥ୍ୱୀଦେବୀ ଯେଉଁରୂପେ ନାନା ଶସ୍ୟ ଫଳେ ।

ଆବର୍ତ୍ତ ସମ୍ୱର୍ତ୍ତ ତ୍ରୋଣ ପୁଷ୍କର ଏ ଚାରି

ଯେ ଯାହାର ଯଥାକାଳେ ହେବ ଜଳଧାରୀ ।

 

ମରୁତମାନେ ବହିବେ ବେଳକାଳ ଜାଣି

ଯଥାକାଳେ ମେଘମାନେ ବରଷିବେ ପାଣି ।

ଯଜନ ଯାଜନ ପାଠ ଅଧ୍ୟାପନା ବିଧି

ବ୍ରାହ୍ମଣଙ୍କ ଷଟକର୍ମ ଯୋଗୀଙ୍କ ସମାଧି ।

ସ୍ୱାମୀଙ୍କୁ ରମଣୀମାନେ କରିବେ ଭକତି

ମାତାପିତା ପାଦେ ପୁତ୍ରେ ହୋଇବେ ପ୍ରଣତି ।

ବୈଶ୍ୟମାନେ ହେବେ ନିଜ ବେପାରେ ଶକତ

ପଣ୍ଡିତେ ହୋଇବେ ଯେଝା ବିଦ୍ୟାରେ ନିରତ ।

ଋଣ ଦେଇ ପରିତାପ ନ କରିବେ ସାଧୁ

ଶାଶୁ ଶ୍ୱଶୁରଙ୍କୁ ସେବା କରୁଥିବେ ବଧୂ ।

ସତ୍ୟାଚାର ପ୍ରାଣୀମାନେ ହୋଇବେ କୁଶଳ

ଯୁବତୀଏ କାମଭୋଳେ ନୋହିବେ ଚପଳ ।

ତୀର୍ଥ ଜଳେ ସ୍ନାନକଲେ ଖଣ୍ଡିବ ପାତକ

ଅଙ୍ଗେ ତେଜପୁଞ୍ଜ ବହି ଜଳିବ ପାବକ ।

କ୍ଷତ୍ରିଗଣ ଦାନ ଯୁଦ୍ଧେ ନୋହିବେ କାତର

ଶୂଦ୍ରେ ସେବା କରୁଥିବେ ତିନିବର୍ଣ୍ଣଙ୍କର ।

ତରୁମାନେ ଫଳ ଫଳି ଲୋଟିବେ ମହୀରେ

ସବୁ  ପ୍ରାଣୀମାନେ ଥିବେ ଯେ ଯାହା ଧର୍ମରେ ।

ଯେ ଯାହା ନିଯୋଗେ ତୁମ୍ଭେ ପାଳିବ ଧରଣୀ

ଆନନ୍ଦରେ ବିହରିବେ ଜୀବଜନ୍ତୁ ପ୍ରାଣୀ ।

ଦୁଷ୍ଟ କଂସ ଦର୍ପେ ଭୟ ପାଇ ସର୍ବଦେବେ

ଆମ୍ଭର ଛାମୁରେ ଆସି ଜଣାଇଲେ ଯେବେ ।

ସବୁ ଉପଦ୍ରବ ଆମ୍ଭେ କରିବୁଁ ବିନାଶ

ଅଳ୍ପଦିନେ ପୃଥ୍ୱୀଦେବୀ ହୋଇବେ ଉଶ୍ୱାସ ।

ଅନେକ ଦାନବ ଆମ୍ଭେ ରଣେ କରି ହତ

ମହାଭାରା ସଂହାରିଣ ରଖିବୁ ଜଗତ ।

ଏସନକ ଆଜ୍ଞା ଦେଇ ପ୍ରଭୁ ଶିରୀବତ୍ସି

କୃଷ୍ଣ ଶୁକ୍ଳ ବେନି ରୋମ ଦେଲେ ତାଙ୍କୁ ଯାଚି ।

ବ୍ରହ୍ମାଙ୍କୁ ଏମନ୍ତ କହି ଦେଲେ ବେନି ରୋମ

ଦେବକୀ ଗର୍ଭରେ ନେଇ କରାଇବ ଜନ୍ମ ।

ଅପୂର୍ବ ଏ ବେନି ରୋମ ଦେଖ କୁଶଧର

ନୀଳ ଧବଳ ବୋଲିଣ ନାମ ଏହାଙ୍କର ।

ପରମ ନିରଞ୍ଜନ ଏ ରୋମ ବିଶ୍ୱମୂର୍ତ୍ତି

ଏ ଦୁଇରୁ ରାମ କୃଷ୍ଣ ହେବେ ଉତପତ୍ତି ।

ସେ ଫେଡ଼ିବେ ତୁମ୍ଭ କଷ୍ଟ ଅସୁରଙ୍କୁ ନାଶି

ତେବେ ସେ ନିଶ୍ଚିନ୍ତେ ହେବେ ସ୍ୱର୍ଗପୁରବାସୀ ।

ଏ ବେନି ରୋମଙ୍କୁ ଘେନିଯାଅ ବେଦପତି

ଗଗନ କରୁଛୁ ଆମ୍ଭେ ତୁମ୍ଭ ପଛକତି ।

ଏ ରୋମ ଭିତରୁ ଆମ୍ଭେ ଧରି ଦିବ୍ୟରୂପ

ଖଣ୍ଡିବୁ ପୃଥିବୀ ଭାର ହରିବୁଁ ସନ୍ତାପ ।

ଏହି ରୋମ ବେନି ଯେ ଆମ୍ଭର ଦିବ୍ୟ ଚିହ୍ନ

ଆମ୍ଭର ଦେହରୁ ଏ ଯେ ନୁହେଁ ପରା ଭିନ୍ନ ।

ଅପାର କାଳରୁ ଏହା ଯତ୍ନେ ଥିଲୁଁ ଥୋଇ

ତୁମ୍ଭେମାନେ ଆମ୍ଭଠାକୁ ଆସିବାର ପାଇଁ ।

ଏ ବେନି ରୋମକୁ ଘେନି ଏଥୁ ଶୀଘ୍ର ଯାଅ

ଦେବକୀ ଦେବୀର ଗର୍ଭେ ଜନମ କରାଅ ।

ଏତେବୋଲି ବେନିରୋମ ଦେଲେ ବ୍ରହ୍ମାହସ୍ତେ

କୃତାଞ୍ଜଳି ହୋଇ ବ୍ରହ୍ମା ଧଇଲେକ ମାଥେ ।

ନୀଳ ଧବଳ ବରନ ରୋମ ଦିବ୍ୟ ଜ୍ୟୋତି

ଦେଖି ମନମଧ୍ୟେ ବିଚାରଇ ବେଦପତି ।

ଅନେକ କାଳରୁ ଯାହା ବାଞ୍ଛା କରିଥିଲି

ଧନ୍ୟ ମୋହର ଜୀବନ ଆଜି ନିସ୍ତରଲି ।

ଯାହା ବାଞ୍ଛା କରିଥିଲି ତା ପାଇଲି ଢାଳେ

ଏ ରୋମ ପ୍ରାପତ ମୋତେ ହେଲା ଏତେକାଳେ

ପୁନଃ ପୁନଃ ମସ୍ତକରେ ଧରି ରୋମ ବେନି

ମଙ୍ଗଳ ଉଚ୍ଚାରି ବ୍ରହ୍ମା କଲେ ବେଦଧ୍ୱନି ।

ସକଳ ଦେବଙ୍କୁ ଘେନି ବାହୁଡ଼ି ସମ୍ଭାରେ

ପାତାଳ ଭୂବନୁଁ ଆସି ମିଳିଲେ ମର୍ତ୍ତ୍ୟରେ ।

ଯେ ଯାହା ଯାନ ବାହନ ଆରୋହିଣ ବେଗେ

ଏକମୁଖେ ଚଳିଲେକ ଅନ୍ତରୀକ୍ଷ ମାର୍ଗେ ।

ତେଇଶ କୋଟି ଦେବତା ଏକରୁଣ୍ଡ ହୋଇ

ସୁମେରୁ ପର୍ବତ ଶିରେ ବିଜେ କଲେ ଯାଇ ।

ଦେବତାଙ୍କ ଆଗମନ ଦେଖି ବିଶ୍ୱକର୍ମା

ତକ୍ଷଣେ ନିର୍ମାଣ କଲା ସଭା ଯେ ସୁଧର୍ମା ।

ତେଇଶ କୋଟି ଦେବଙ୍କୁ ଭିନ୍ନାସନ କଲା

ଯେ ଯାହାର ଅନୁରୂପେ ଖମ୍ୱେ ଖମ୍ୱେ ଦେଲା ।

ମୁଁ କିସ କହିବି ଅବା ସେ ସଭାର ଗୁଣ

ଯେ ଯାହା ବାଞ୍ଛଇ ତାହା ମିଳଇ ତକ୍ଷଣ ।

ସମୁଦ୍ର ମନ୍ଥନୁ ହେଲା ସେ ସଭା ଉତ୍ପନ୍ନ

କ୍ଷଣ କ୍ଷଣକେ ସେ ଧରେ ଆନ ଆନବର୍ଣ୍ଣ ।

ପ୍ରତ୍ୟକ୍ଷରେ କାମଧେନୁ ସେ ସୁଧର୍ମା ସଭା

ଯହିଁରେ ବସିଲେ ବୃଦ୍ଧ ହୁଏ ନବଯୁବା ।

ଅବସନ୍ତେ ବସନ୍ତ ଯେ ବହେ ଘନ ଘନ

ଯା ତୁଲେ ତୁଳନା ନୁହେଁ ଚଇତ୍ର କାନନ ।

କ୍ଷୁଧା ତୃଷ୍ଣ ନିଦ୍ରା ତିନି ନ ପଶନ୍ତି ତହିଁ

ଯହିଁରେ ସୁଧର୍ମ ବିନା ଅନ୍ୟ କଥା ନାହିଁ ।

ଯେତେ ଲୋକ ବସିଥାନ୍ତି ସେ ସଭା ଉପରେ

କେଭେ ମିଥ୍ୟା ନ ଆସଇ ତାଙ୍କ ବଦନରେ ।

ଚାରିଶ ଯୋଜନ ଅଟେ ସେ ସଭାର ସ୍ଥଳୀ

କାମରୂପ ଧରଇ ସେ ନୁହେଁ ପରିକଳି ।

ବାରସ୍ୱତୀ ମଣ୍ଡପ ସେ ଅଟେ ଶୁଦ୍ଧ ଜାତି

ଯେତେ ବିଚାରିଲେ ତେତେ ବଢ଼େ ଦୀର୍ଘପ୍ରତି ।

ଚତୁର୍ଦ୍ଦଶ ଭୁବନରେ ଯେତେ ପ୍ରାଣୀ ଛନ୍ତି

ତହିଁରେ ବସିବା ପାଇଁ ତପ କରୁଛନ୍ତି ।

ସୁଧର୍ମା ସଭାରେ ଅଛି ଏସନକ ବିଧି

ବସିବା ମାତ୍ରକେ ମିଳେ ସବୁ ସିଦ୍ଧି ବୁଦ୍ଧି ।

ଯେତେକ ଜୀବଜନ୍ତୁ ସେ ସଭାରେ ବସନ୍ତି

ଯେ ଯାହାର ଅନୁରୂପେ ସର୍ବେ ସ୍ଥାନ ପାନ୍ତି ।

ଅପୂର୍ବ ମହିମା ତାର ନୁହଇ କଳନା

ଅଧିକ ନୁହଇ କେବେ ନ ହୁଅଇ ଊଣା ।

ଧବଳ ନୀଳ ସୁରଙ୍ଗ ଅପୂର୍ବ ଚାନ୍ଦୁଆ

ଇନ୍ଦ୍ର ଗୋବିନ୍ଦ ପାଟ ଯେ ସୂଚିକମ ନୂଆ ।

କେକୀକଣ୍ଠ ସଦୃଶରେ ବିଚିତ୍ର ବସନ

ଊର୍ଦ୍ଧ୍ୱଭାଗେ ଖଞ୍ଜାହୋଇ ଦିଶେ ଅନୁଆନ ।

ନେତ ପତନୀ ଚିରାଳ ଉଡ଼େ ନିରନ୍ତରେ

ଉଭା ତ୍ରୋଣମାନ ଲମ୍ୱିଥାଏ ପୁରେ ପୁରେ ।

ଶୁକଳ ଚାମର ପାଟ ଝୁମ୍ପାର ଖଞ୍ଜଣି

କେରା କେରା ହୋଇ ଲମ୍ୱେ ଇନ୍ଦ୍ର ନୀଳମଣି ।

ତାରାବଳୀ ମୁକୁତା ଯେ ଚଉକତି ଗୁନ୍ଥା

ମଝିରେ ଖଞ୍ଜିଲେ ମଣି ମାଣିକ୍ୟ ସୀମନ୍ଥା ।

ସୁବର୍ଣ୍ଣ ନିର୍ମିତ ଘଣ୍ଟି ଘାଗୁଡ଼ିର ମାଳ

ମଧ୍ୟେ ପାଟଝୁମ୍ପାମାନ ଦିଶେ ଝଲମଲ ।

ଜାଈ ଯୂଈ କନିଅର ବକୁଳ ମାଳତୀ

ଅଶୋକ କୁମୁଦ କୁନ୍ଦ ଚମ୍ପକ ସେବତୀ ।

ପାରିଜାତ ଆଦି କରି ନାନ ପୁଷ୍ପହାର

ଖଞ୍ଜାମୂଳେ ବନ୍ଧା ହୋଇ ଦିଶେ ମନୋହର ।

ରସାଣିଲା ସୁବର୍ଣ୍ଣର ପାନପତ୍ର ଝଳି

ମଧ୍ୟରେ ଖଞ୍ଜିଲା ନେଇ ମରକତ ମାଳୀ ।

ହୀରାର ପଗଡ଼ି ଘଣ୍ଟି କଲଶରେ କମ

କାନ୍ଥରେ ପିତୁଳାମାନ ଦିଶନ୍ତି ସୁଷମ ।

ଧାଡ଼ି ଧାଡ଼ି ରେଖ ରେଖ ବଖରା ଜଗତି

ଆଡ଼ ଓହଡ଼ ବଙ୍କିମ କେହି ନ ଦିଶନ୍ତି ।

ଫୁଟାଇଛି ପଦ୍ମମାନ ରତ୍ନରେ ସଜାଇ

ସୂର୍ଯ୍ୟ ପ୍ରାୟ ଦିଶନ୍ତି ଯେ ଖମ୍ୱେ ଖମ୍ୱେ ରହି ।

ହୀରା ନୀଳା ଆଦି ଅଷ୍ଟ ରତ୍ନରେ ଜଡ଼ିତ

ହେବାରୁ ସେ ମହାସଭା ଦିଶଇ ଶୋଭିତ ।

ବିଶ୍ୱକର୍ମା ଗଢ଼ି ଅଛି ବହୁମୂର୍ତ୍ତି ଧରି

ବଖରା ପିତୁଳି କମ ଭିନ୍ନ ଭିନ୍ନ କର ।

ରତ୍ନମୟ ସିଂହାସନ ସ୍ଫଟିକର ପୀଢ଼

ରୂପିଲା ମର୍କତ ସ୍ତମ୍ଭ ଆଉଜାଣି ବାଢ଼ ।

ବସନ୍ତି ଦେବତାମାନେ ଯେ ଯାହାର ସ୍ଥାନେ

ଏକକୁ ଆରେକ ତହିଁ ନ ଦେଖେ ନୟନେ ।

ସେ ସଭାକୁ ଅନ୍ୟ ଜନ ନ ପାରଇ ଚାହିଁ

ଶବଦ ମାତ୍ରକ ଶୁଭେ ନ ଦିଶନ୍ତି କେହି ।

ରେଖ ରୂପ ବର୍ଣ୍ଣ ଚିହ୍ନ ସବୁଠାରେ ଅଛି

ଦୃଷ୍ଟି ପ୍ରସରିବା ଯାଏ ନ ଦିଶଇ କିଛି ।

ତପବଳେ ପ୍ରାଣୀ ଯାଇ ସେ ସଭାରେ ବସେ

ପାପୀନୟନକୁ ତାହା କେବେହେଁ ନ ଦିଶେ ।

ଚାରିତ୍ରୋଶ ଯାଏ ଉଚ୍ଚ ଅଟେ ତାର ପୀଢ଼

ଅଠାଣୋଇ ପାବଚ୍ଛରେ ହୋଇଛି ନିବାଡ଼ ।

ଚନ୍ଦ୍ରକାନ୍ତ ପାଷାଣରେ ସୋପାନ ଗଢ଼ିଛି

ଅମୂଲ୍ୟ ରତନମାନ ତହିଁ ଖଞ୍ଜାଅଛି ।

ସ୍ତମ୍ଭର ଉପରେ ପୀଢ଼ ତିନି ଯୂଣ ଉଭା

ତଥିପରେ ଶୋଭାବନ ଦିଶେ ସ୍ୱର୍ଗସଭା ।

ଚନ୍ଦ୍ରମା କିରଣ ଜିଣି ଦିଶଇ ଧବଳ

ଗଗନରେ ଆର୍ଦ୍ରାବଳୀ ଯେସନେ ଉଜ୍ଜ୍ୱଳ ।

ସୁବର୍ଣ୍ଣ କଳଶ ପରେ ବିତପନ ଉଡ଼େ

ନୀଳ ମେଘରୁ ବିଜୁଳି ଯେହ୍ନେ ଖସିପଡ଼େ ।

ସମୁଦ୍ର ଲହରୀ ପ୍ରାୟ ଉଡ଼ଇ ଚିରାଳ

ସମୁଦ୍ର କଶଲ ଜ୍ୟୋତି ଦିଶେ ଝଲମଲ ।

ଆବର୍ତ୍ତକ ସମ୍ୱର୍ତ୍ତକ ଦ୍ରୋଣ ଯେ ପୁଷ୍କର

ଚାରି ମେଘ ଚାରିପୀଢ଼ ସୁଧର୍ମା ସଭାର ।

ସତ୍ୟ ଆଦି ଚାରି ଯୁଗେ ମୂର୍ତ୍ତିବନ୍ତ ହୋଇ

ସେ ସଭାର ଚାରିକୋଣ ହୋଇଛନ୍ତି ରହି ।

ପବନ ବରୁଣ ଅଗ୍ନି ଆବର ପ୍ରଚଣ୍ଡ

ଏ ଚାରିହେଁ ହୋଇଛନ୍ତି ଚାରିକୋଣ କାଣ୍ଡ ।

ପୃଥ୍ୱୀ ଆଜ ତେଜ ବାୟୁ ଆକାଶ ଯେ ପୁଣି

ସୁଧର୍ମା ସଭାରେ ଏ ଯେ ହୋଇଛନ୍ତି ଶେଶୀ ।

ବାସବଙ୍କୁ ଆଦି ଯେତେ ତ୍ରୟତ୍ରିଂଶ କୋଟି

ନିଜ ଅଂଶେ ହୋଇଛନ୍ତି କତା ରୁଅ ଗଣ୍ଠି ।

ଅବିଚ୍ଛନ୍ନେ ଚନ୍ଦ୍ର ସୂର୍ଯ୍ୟ ରହିଛନ୍ତି ତହିଁ

ସନ୍ତତରେ ଜ୍ୟୋତିର୍ମୟ ଦିବାରାତ୍ର ନାହିଁ ।

ଅନନ୍ତ ନାଗ ବାସୁକୀ ଅନନ୍ତ ଆରମ୍ଭ

ସୁଧର୍ମା ସଭାରେ ସେହୁ ହୋଇଛନ୍ତି ଖମ୍ୱ ।

ଲକ୍ଷେ ଶୃଙ୍ଗ ଘେନି ପୀଢ଼ ସୁମେରୁ ପର୍ବତ

ବାଡ଼ ହୋଇ ରହିଛନ୍ତି ଅଣଚାଶ ବାତ ।

ପାଞ୍ଚ ପାଞ୍ଚ ନଳ ଦୀର୍ଘ ଆୟତନ ଖମ୍ୱ

ହୀରା ମଣି ମାଣିକ୍ୟରେ ଦିଶଇ ଆରମ୍ଭ ।

ଯତନରେ ବିଶ୍ୱକର୍ମା ଗଢ଼ିଛି ସେ ସଭା

ତିଳେ ମାତ୍ର ବକ୍ର ନାହିଁ ଦିଶେ ଦିବ୍ୟଶୋଭା ।

ଏସନକ ବିଶ୍ୱକର୍ମା ଅଛି ଖମ୍ୱ ଗଢ଼ି

ଅଣଚାଶ ବାୟୁ ତାକୁ ରହିଛନ୍ତି ବେଢ଼ି ।

ଆକ୍ରୋଶି ଖମ୍ୱକୁ କୋଳ କରନ୍ତେଣ ଯାଇ

ରେଖ ରୂପ ବର୍ଣ୍ଣ ଚିହ୍ନ କିଛି ନ ମିଳଇ ।

ଛଦ୍ମ ରୂପ ଧରିଣ ସେ ସଭାରେ ଯେ ଉଠେ

ସେହିକ୍ଷଣି ଅକସ୍ମାତେ ମୂର୍ଦ୍ଧା ତାର ଫାଟେ ।

ଯଦି ସେ ସଭାରେ ବସି ଦେବଗଣ ମାୟା

ଆଚରନ୍ତି ଚାହୁଁ ଚାହୁଁ କ୍ଷୀଣ ହୁଏ କାୟା ।

ଏକ ଖମ୍ୱ ଉହାଡ଼ରେ ଲୁଚିଣ ରହିଲେ

ଲକ୍ଷେ ଖମ୍ୱ ଲୁଚେ ଏକ ଖମ୍ୱକୁ ଚାହିଁଲେ ।

ବାଡ଼େ ବାଡ଼େ ସୁନିର୍ମଳ ଜ୍ୟୋତି ବିରାଜଇ

ଟୋପି ଟୋପି ହୋଇ ପୁଣି ସର୍ବଦା ପଡ଼ଇ ।

ବେଶ ହୋଇ ବିଦ୍ୟାଧରୀ ଅପସରା ବୃନ୍ଦେ

ସଭାତଳେ ନୃତ୍ୟ ଗୀତ କରନ୍ତି ଆନନ୍ଦେ ।

ଉପାଙ୍ଗ ଅଧାଟି ବୀଣାଯନ୍ତ୍ର ଅଳାବେଣୀ

ବଜାଇ ସୁସ୍ୱରେ ଗୀତ ଗାବନ୍ତି ତରୁଣୀ ।

ଦମାଲୁ କଂସାଳ ତାଳ ଦୁନ୍ଦୁଭି ମର୍ଦ୍ଦଳ

ମତ୍ତଭର ହୋଇ ଧ୍ୱନି କରନ୍ତି ଭ୍ରସଳ ।

ହିମ ଗ୍ରୀଷ୍ମ ବାଧା ତହିଁ ନୁହଇ ସଂଯୋଗ

ରାତ୍ର ଦିବା ଧାତୁ ମାତୁ ଗଳେ ସର୍ବ ଅଙ୍ଗ ।

ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃମଣି

କହନ୍ତେ ନ ସରେ ଦେବ ସଭାର କାହାଣୀ ।

ଅମରଙ୍କ ଆଶ୍ରମ ସେ ମନୋହର ଭୂମି

ପ୍ରତ୍ୟକ୍ଷେ ବିଜୟ ତହିଁ ପୁରନ୍ଦର ସ୍ୱାମୀ ।

ଆପେ ବିଶ୍ୱକର୍ମା ଯାହା ନିର୍ମାଣ କରିଛି

କେ କହିପାରିବ ତାର ଅବିଗୁଣ ବାଛି ।

ଦେବତାଙ୍କୁ ଦୁଲ୍ଲଭ ସେ ଶ୍ରୁତି ଆଗୋଚର

ପ୍ରଳୟ କାଳରେ ଯାଇ ନୁହଇ ସଂହାର ।

ସେ ସଭାର ଶୋଭା ବାବୁ କହିଲେ ନ ସରେ

ସଂକ୍ଷେପି କହିବୁ ମାତ୍ର ଥୋକେ ତୋ ଆଗରେ ।

ଦେବସଭା ଚରିତ ଏ ପବିତ୍ର କାହାଣୀ

ଶତ ଜନ୍ମ ପାପ କ୍ଷୟ ହୁଏ ଏହା ଶୁଣି ।

ଧନ ଧାନ୍ୟ ରାଜଲକ୍ଷ୍ମୀ ମିଳଇ ବହୁତ

ବାଞ୍ଛା ସିଦ୍ଧି କର ଶୁଣି ଅଭିମନ୍ୟୁ ସୁତ ।

ଅନନ୍ତ ମୂରତି ସେହୁ ସଭା ମଣ୍ଡପଟି

ଉତ୍ପତ୍ତି ପ୍ରଳୟ ଯହିଁ ହୁଏ ନବସୃଷ୍ଟି ।

ସୁମେରୁ ପର୍ବତ ଶିରେ ଅଛଇ ସେ ସଭା

ସ୍ୱର୍ଗପୁରେ ଅଦ୍ୱିତୀୟ ଅଟେ ତାର ପ୍ରଭା ।

ସେ ସଭାର ଆୟତନ ଚାରିଶତ ଯୂଣ

ଇନ୍ଦ୍ର ବ୍ରହ୍ମା ଆଦି ତହିଁ ମିଳି ଦେବଗଣ ।

କଳା ଶୁକ୍ଳ ବେନି ରୋମ ଥୋଇ ସିଂହାସନେ

ବସିଲେ ଦେବତାମାନେ ଯେ ଯାହା ଆସନେ ।

ବଦନ୍ତି ଶ୍ରୀଶୁକ ଯତି ଶୁଣ ମହାରଥା

ଇତି ଶିରୀ ଭାଗବତ ମେରୁ ପୂର୍ବକଥା ।

ମେରୁ ପ୍ରଥମ ଚକଡ଼ା ପାତିଅଛି ସଞ୍ଚ

ଲକ୍ଷେ ଚୌରାଣୀ ଯୋଜନ ଅଟେ ତାର ଉଚ୍ଚ ।

ବେନି ଲକ୍ଷ ଯୋଜନ ତା ଉପର ଓସାର

ଶୁଦ୍ଧ ସ୍ୱର୍ଣ୍ଣଗିରି ସେହୁ ବୃଷାଳ ସୁନ୍ଦର ।

ସୁଖେ ତହିଁ ଦେବଗଣେ କରିଥାନ୍ତି ବାସ

ବ୍ରହ୍ମାଙ୍କୁ ଦିବସ ହେଲେ ପୁଣି ଯାନ୍ତି ନାଶ ।

ସ୍ୱର୍ଗପୁରେ ଯେତେ ଦେବ ସର୍ବେ ପୁଣ୍ୟବନ୍ତ

ଅକାଳ ମରଣ ତାଙ୍କୁ ନୁହଇ ପ୍ରାପତ ।

ରୋଗ ଶୋକ ଭୟ ବାଧା କିଛି ନ ଲାଗଇ

ନିଶ୍ଚିନ୍ତରେ ସ୍ୱର୍ଗଭୋଗ କରୁଥାନ୍ତି ରହି ।

ଦେବେ ଭୋଗ କରିବାକୁ ସ୍ୱର୍ଗ ଅନୁପମ

ଦିବିଷଦ ବୋଲି ତେଣୁ ଅଟେ ତାଙ୍କ ନାମ ।

ଚତୁର୍ଦ୍ଦିଗ ପାବଚ୍ଛ ଯେ ମେରୁ ଅଷ୍ଟବର୍ଗ

ଚୌଦ କୋଟି ଚୌଦଲକ୍ଷ ଯୋଜନ ଉତ୍ସର୍ଗ ।

ପ୍ରଥମ ପାବଚ୍ଛେ ଅଛି ସ୍ୱର୍ଗଲୋକ ସଞ୍ଚ

ଏକଲକ୍ଷ ଚୌରାଅଶୀ ଯୂଣ ଅଟେ ଉଚ୍ଚ ।

ଦେବଗଣେ ସେହି ସ୍ୱର୍ଗଭୁବନେ ବସନ୍ତି

ବ୍ରହ୍ମାଙ୍କୁ ଦିବସେ ହେଲେ ସର୍ବେ ନାଶଯାନ୍ତି ।

ଦ୍ୱିତୀୟରେ କରିଛନ୍ତି ବସୁଲୋକେ ବାସ

ବ୍ରାହ୍ମାଙ୍କୁ ଅଠରଦିନେ ହୁଅନ୍ତି ସେ ନାଶ ।

ମେରୁ ପର୍ବତର ଯେଉଁ ତୃତୀୟ ପାବଚ୍ଛ

ଦକ୍ଷଲୋକ ବୋଲି ନାମ ଅଟଇ ସୁସଞ୍ଚ ।

ସେ ପୁରେ ପଞ୍ଚାଶ କୋଟି ଲୋକ ପୁଣ୍ୟମୟ

ବ୍ରାହ୍ମାଙ୍କୁ ପଚିଶ ଦିନେ ଲଭନ୍ତି ସେ କ୍ଷୟ ।

ତପ ନାମେ ଲୋକ ଅଛି ପୁଣି ଚତୁର୍ଥରେ

ଶତେ କୋଟି ପ୍ରାଣୀ ବାସ କରନ୍ତି ତହିଁରେ ।

ଯେତେବେଳେ ବ୍ରହ୍ମାଙ୍କର ପୂରିଯାଏ ମାସ

ସେ କାଳରେ ସେ ଭୁବନ ହୁଅଇ ବିନାଶ ।

ମେରୁ ପଞ୍ଚମ ପାବଚ୍ଛେ ପୁର ଅନୁପମ

ଶିବଲୋକ ବୋଲିଣ ଯେ ଅଟେ ତାର ନାମ ।

ଅସଂଖ୍ୟକ ପ୍ରାଣୀ ତହିଁ ବାସ କରିଥାନ୍ତି

ବ୍ରହ୍ମାଙ୍କୁ ବରଷେ ହେଲେ ସେ କ୍ଷୟ ଲଭନ୍ତି ।

ମେରୁ ଷଷ୍ଠ ପାବଚ୍ଛରେ ପୁରେକ ବିସ୍ତାର

ସତ୍ୟଲୋକ ବୋଲି ନାମ ଅଟଇ ତାହାର ।

ଷାଠିଏ କୋଟି ଲୋକ ସେ ପୁରେ ପୁଣ୍ୟମୟ

ବ୍ରହ୍ମାଙ୍କୁ ବେନି ବରଷେ ହୁଅନ୍ତି ସେ କ୍ଷୟ ।

ସେ ମେରୁର ସପତମ ପାବଚ୍ଛ ଉପର

ମେରୁଲୋକ ବୋଲି ତହିଁ ଅଛି ଏକ ପୁର ।

ସେଠାରେ ସତୁରି କୋଟି ପ୍ରାଣୀ ରହିଥାନ୍ତି

ବ୍ରହ୍ମାଙ୍କର ପାଞ୍ଚବର୍ଷେ ମରଣ ଲଭନ୍ତି ।

ଅଷ୍ଟମ ପାବଚ୍ଛେ ପୁଣି ପୁର ଅନୁପମ

ଗଗନ ଲୋକ ବୋଲିଣ ସେ ପୁରର ନାମ ।

ଲକ୍ଷେ ଅଶୀ କୋଟି ପ୍ରାଣୀ ବସିଥାନ୍ତି ତହିଁ

ବ୍ରହ୍ମାଙ୍କର ଦଶବର୍ଷେ କ୍ଷୟ ଯାନ୍ତି ସେହି ।

ନବମ ପାବଚ୍ଛେ ପୁଣି ମେରୁ ପର୍ବତର

ସତ୍ୟଲୋକ ନାମେ ଅଛି ପୁରେକ ବିସ୍ତାର ।

ଶତେ ଅଶୀ କୋଟି ଲୋକ ତହିଁରେ ବସନ୍ତି

ବ୍ରହ୍ମାଙ୍କୁ ପନ୍ଦର ବର୍ଷେ ସେହୁ ନାଶ ଯାନ୍ତି ।

ପୁଣି ମେରୁ ପର୍ବତର ପାବଚ୍ଛ ଦଶମେ

ନିରଞ୍ଜନ ଲୋକ ବୋଲି ଅଛି ଏକ ଗ୍ରାମେ ।

ଶତେ ନଉକୋଟି ଲୋକଙ୍କର ତହିଁ ସ୍ଥାନ

ବ୍ରହ୍ମାଙ୍କ ପଚିଶ ବର୍ଷେ ହୁଅନ୍ତି ସେ ଲୀନ ।

ଏକାଦଶ ପାବଚ୍ଛରେ ପୁଣି ଏହି ରୀତି

ନିରାକାର ବୋଲି ପୁରେ ଅଛି ଦିବ୍ୟ ଜ୍ୟୋତି

ଧ୍ରୁବ ଆଦିକରି ଯେତେ ମହାତ୍ମା ପୁରୁଷ

ବେନିଶତ ସଂଖ୍ୟା ତହିଁ କରିଛନ୍ତି ବାସ ।

ବ୍ରହ୍ମାଙ୍କୁ ପଚାଶବର୍ଷ ପୂର୍ଣ୍ଣ ହୋଇଯାଏ

ମୃତ୍ୟୁବାଧା ନ ଲାଗଇ ଏହାଙ୍କର କାୟେ ।

ଦ୍ୱାଦଶ ପାବଚ୍ଛେ ପୁଣି ପୁର ପରିମଳ

ମୁକତ ଲୋକମାନେ ବସନ୍ତି ଦିଗପାଳ ।

ଆବର ପଞ୍ଚାଶ କୋଟି ଲୋକ ପୁଣ୍ୟଦେହୀ

ଯୋଗଧାରଣ କରିର ରହିଥାନ୍ତି ତହିଁ ।

ବ୍ରହ୍ମାଙ୍କର ସମ୍ୱତ୍ସରେ ଅଶୀବର୍ଷ ଯାଏ

ମୃତ୍ୟୁବାଧା ନ ଲାଗଇ ଏହାଙ୍କର କାୟେ ।

ତ୍ରୟୋଦଶ ପାବଚ୍ଛରେ ଅଛି ଦିବ୍ୟପୁର

ବ୍ରହ୍ମଲୋକ ବୋଲିଣ ଯେ ନାମ ଅଟେ ତାର ।

ସହସ୍ରେ କୋଟି ଲୋକ ସେ ପୁରେ ଦେହଧାରୀ

ସଭିଏଁ ଥାଆନ୍ତି ବ୍ରହ୍ମାପାଦେ ସେବାକରି ।

ଯୋଗାଧି ପୁରୁଷ ସର୍ବେ ଅଜ୍ରାମର ତନୁ

ମୃତ୍ୟୁବାଧା ନ ଲାଗଇ କୋଟି କୋଟି ମନୁ ।

ବ୍ରହ୍ମାଙ୍କର ଶତେ ବର୍ଷ ପୂର୍ଣ୍ଣ ହେବାଯାଏ

ଦେହ ଧରି ରହିଥାନ୍ତି ସକଳେ ନିର୍ଭୟେ ।

ପୁରକ କୁମ୍ଭକ ତୁଲେ ଆବର ରେଚକ

ଏ ତିନି କର୍ମରୁ ଜାତ ହେଲେ ନିଃଶ୍ୱାସେକ ।

ଷଡ଼ ନିଃଶ୍ୱାସରେ ହୁଏ ଲିତାଏ ପ୍ରମାଣ

ଏ ବିଧି ଷାଠିଏ ଲିତା ହେଲେ ଦଣ୍ଡ ଘେନ ।

ବେନି ଦଣ୍ଡେ ଏକ ଘଡ଼ି ଚାରି ପ୍ରହରେକ

ଏ ବିଧି ଅଷ୍ଟପ୍ରହରେ ରାତ୍ର ଦିବସେକ ।

ତିରିଶ ଦିବସ ହାଦେ ଲେଖନ୍ତେଣ ମାସେ

ଏକ ଏକ ଋତୁ ଭୋଗ ବେନି ବେନି ମାସେ ।

ତିନୋଟି ଋତୁରେ ହୁଏ ଗୋଟିଏ ଅୟନ

ବେନି ଅନୟରେ ଏଖ ସମ୍ୱତ୍ସର ଜାଣ ।

ସତ୍ୟ ତ୍ରେତୟା ଦ୍ୱାପର କଳି ଚାରିଯୁଗ

ଏ ବିଧିରେ ଚାରିଯୁଗେ ଏକଗଣ୍ଡା ଭୋଗ ।

ସପ୍ତଦଶ ଲକ୍ଷ ଅଷ୍ଟାବିଂଶ ସସ୍ର ବର୍ଷ

ଭୋଗକରି ସତ୍ୟଯୁଗ ହୋଇଯାଏ ଶେଷ ।

ବାରଲକ୍ଷ ଛୟାଣୋଇ ସହସ୍ର ବତ୍ସର

ତ୍ରେତାଯୁଗ ଭୋଗକରେ ତଦନ୍ତେ ଦ୍ୱାପର ।

ଆଠ ଲକ୍ଷ ଚଉଷଠି ସହସ୍ର ବରଷ

ଭୋଗ କଲାପରେ କଳି ହୁଅଇ ପ୍ରବେଶ ।

କଳିଯୁଗ ଚାରିଲକ୍ଷ ବତିଶ ହଜାର

ଭୋଗ ହୁଏ କ୍ରମାଗତେ ମିଳି ସମ୍ୱତ୍ସର ।

ଏ ବିଧି ଚାରିଯୁଗରେ ଏକଗଣ୍ଡା ଜାଣ

ଏକସ୍ତରି ଗଣ୍ଡା ହେଲେ ମନୁଏ ବଖାଣ ।

ଅଷ୍ଟାଦଶ ମନୁ ଯେବେ ହୁଅନ୍ତି ବିୟୋଗ

ସେ କାଳକୁ ହୋଇଥାଏ ଏକ କଳ୍ପ ଭୋଗ ।

ଏକସ୍ତରି କଳପକୁ ମନ୍ୱନ୍ତର ବୋଲେ

ଏକସ୍ତରି ମନ୍ୱନ୍ତରେ ଏକ ଘଡ଼ି କଲେ ।

ଏ ପ୍ରକାରେ ଷୋଳଘଡ଼ି ଅନ୍ତେ ପରିମାଣ

ବେଦାନ୍ତେ ଦେବବ୍ରହ୍ମାଙ୍କୁ ଦିବସେକ ଜାଣ ।

ତିରିଶ ଦିନରେ ପୁଣି ହୁଏ ଏକମାସ

ବାରମାସ ପୂର୍ଣ୍ଣ ହେଲେ ବୋଲାଏ ବରଷ ।

ଏହିପରି ଶତେବର୍ଷ ପୂର୍ଣ୍ଣ ହୋଇଯାନ୍ତେ

ବ୍ରହ୍ମା ନାଶ ଯାଏ ଲେଖି ଗଣ ହେ ପଣ୍ଡିତେ ।

ବ୍ରହ୍ମା ନାଶଗଲେ ମହୀ ପ୍ରଳୟ ହୁଅଇ

ମେରୁ ତେଜ ପାବଚ୍ଛକୁ ସଲିଳ ଘୋଟଇ ।

ଚତୁର୍ଦ୍ଦଶ ପାବଚ୍ଛ ଯେ ପୁଣ୍ୟମୟ ଭୂମି

ତହିଁ ବିଜେ କରିଛନ୍ତି ନାରାୟଣ ସ୍ୱାମୀ ।

କୋଟି କୋଟି ଲୋକ ବାସ କରନ୍ତି ସେ ପୁରେ

ଜନ୍ମ ମୃତ୍ୟୁ ବାଧା ଦେଖା ନ ଯାଏ ସେଠାରେ ।

ଶତେ ବ୍ରହ୍ମା ଯେଉଁକାଳେ ହୁଅନ୍ତି ବିନାଶ

ସେ ବିଷ୍ଣୁ ଲୋକରେ ହୁଏ ଏକଇ ନିମିଷ ।

ସେ ପୁରର ମହିମାକୁ ପଟାନ୍ତର ନାହିଁ

ଅନାଦି ପୁରୁଷ ବିଜେ କରିଛନ୍ତି ତହିଁ ।

ଏ ବିଧି ଚଉଦ ପାବଚ୍ଛରେ ମେରୁଗିରି

ଚତୁର୍ଦ୍ଦଶ ଭୁବନକୁ ରଖିଅଛି ଧରି ।

ଉପରେ ଚଉଦଲୋକ ତଳେ ଲୋକ ସାତ

ଏହିମତେ ଏକବିଂଶ ଲୋକ ଆତଯାତ ।

ଶୁଣ ହେ ପରୀକ୍ଷ ରାଜା କହନ୍ତି ସେ ଶୁକ

ଏପରି ବହିଛି ମେରୁ ଏକବିଂଶ ଲୋକ ।

ମେରୁ ପର୍ବତକୁ ବେଢ଼ିଅଛି ଅଷ୍ଟଗିରି

ପବନ ଦେବତା ତହିଁ ରହିଛି ଆବୋରି ।

ମେରୁ ପୂର୍ବଭାଗେ ଅଛି ଗିରି ହିମବନ୍ତ

ଈଶ୍ୱରଙ୍କ ଶ୍ୱଶୁର ସେ ପାର୍ବତୀଙ୍କ ତାତ ।

ବିଶୁଦ୍ଧ ସ୍ଫଟିକ ପରି ସେ ଗିରି ଧବଳ

ତହିଁରେ ବସନ୍ତି ଇନ୍ଦ୍ର ପୂର୍ବ ଦିଗପାଳ ।

ସତୁରି ଯୋଜନ ଉଚ୍ଚ ଅଟେ ସେ ପର୍ବତ

ଦେବଗଣେ ତାକୁ ପୂଜା କରନ୍ତି ସତତ ।

ମେରୁର ଈଶାନ କୋଣେ ଶୁଭ ନାମେ ଗିରି

କୁବେର ଅଛନ୍ତି ସପ୍ତନିଧିଙ୍କୁ ଆବୋରି ।

ଉଚ୍ଚରେ ସେ ଗିରିବର ବାସ୍ତରି ଯୋଜନ

ନୟନରୁ ଦେଖାଯାଏ ଅତି ଶୁସୋଭନ ।

ମେରୁର ବାୟବ୍ୟ କୋଣେ ଶୁଦ୍ଧନାମେ ଗିରି

ପବନ ଦେବତା ତହିଁ ଛନ୍ତି ବିଜେ କରି ।

ଅଣଚାଶ କୋଟି ବାୟୁ ଘେନି ନିଜ ସଙ୍ଗେ

ଅଣଚାଶ ମୂର୍ତ୍ତି ଧରି ବିହରଇ ରଙ୍ଗେ ।

ଛୟାଶୀ ଯୋଜନ ଉଚ୍ଚ ଅଟେ ସେ ପର୍ବତ

ଶୁଦ୍ଧ ନୀଳମଣି ପାଷାଣରେ ସୁଶୋଭିତ ।

ମେରୁର ପଶ୍ଚିମ ଭାଗେ ନୀଳ ନାମେ ଶୈଳ

ସେ ପର୍ବତ ଗୋଟି ଅଟେ ବରୁଣଙ୍କ ଆଳ ।

ଉଚ୍ଚରେ ସେ ଛୟାଣୋଇ ସହସ୍ର ଯୋଜନ

ମଣିମାଣିକ୍ୟ ଗୈରିକେ ଦିଶେ ରଙ୍ଗବର୍ଣ୍ଣ ।

ମେରୁ ନୈର୍ଋତ କୋଣରେ ଇନ୍ଦ୍ରନାମେ ଗିରି

ନୈର୍ଋତ ଦେବତା ତହିଁ ଛନ୍ତି ବାସକରି ।

ଚୌଷଠି ଯୋଜନ ଉଚ୍ଚ ସେ ପର୍ବତସ୍ଥଳୀ

ନିରନ୍ତର ଧାତୁରସ ତହୁଁ ଆସେ ଗଳି ।

କୁମ୍ଭ ନାମ ଦଇତର ଅଟଇ ସେ ସୀମା

ଘୋର ଯୁଦ୍ଧକରି ଯାକୁ ବଧ କଲେ ଉମା ।

ମେରୁ ଦକ୍ଷିଣରେ ଅଛି ମନ୍ଦର ପର୍ବତ

ଦଶସସ୍ର ଯୋଜନ ସେ ଉଚ୍ଚରେ ବିଖ୍ୟାତ ।

ସେ ପର୍ବତେ ବଇଡୁର୍ଯ୍ୟ ମଣି ଉପୁଜଇ

ସହସ୍ରେ ପର୍ବତେ ତାକୁ ଅଛନ୍ତି ବେଢ଼ାଇ ।

ସେ ମନ୍ଦର ଗିରି କଥା ଶୁଣ ନରାଧିପ

ମେରୁ ହେବ ବୋଲି ପୂର୍ବେ କରୁଥିଲା ତପ ।

ତାହା ଜାଣି ଦେବଗଣେ କୂଟ ଆଚରିଲେ

ଅଗସ୍ତ୍ୟମୁନିଙ୍କୁ ପେଷି ତପ ବିଘ୍ନ କଲେ ।

ଦେବତାଙ୍କ ବଚନରେ ତା ପାଶେ ଅଗସ୍ତ୍ୟ

ମିଳିଲେ ସେ ଗିରିବର କଲା ଦଣ୍ଡବତ ।

ତାଠାରେ ଅଗସ୍ତ୍ୟ ମୁନି ନିର୍ଦ୍ଦୟ ହୋଇଲେ

ଏତିକିରେ ଥାଅ ବୋଲି କହି ଚାଲିଗଲେ ।

ସେ ମହାମୁନିଙ୍କ ବାକ୍ୟ ନୋହିଲା ଅନ୍ୟଥା

ଅଦ୍ୟାପି ମନ୍ଦର ଗିରି ପୋତିଅଛି ମଥା ।

ମେରୁ ଅଗ୍ନି କୋଣେ ଅଛି ଗିରି ସୁପୁରୁଷ

ସେ ପର୍ବତେ ଅଗ୍ନିଦେବ କରିଛନ୍ତି ବାସ ।

ଉଚ୍ଚରେ ସେ ଗିରିବର ସହସ୍ରେ ଯୋଜନ

ଆଦିତ୍ୟ କିରଣ ଜିଣି ଦିଶଇ ବରନ ।

ଏ ବିଧିରେ ଅଷ୍ଟଗିରି ମେରୁ ଚଉପାଶେ

ଘେରି ରହିଛନ୍ତି ଚାରିକୋଣ ଚାରିଦିଶେ ।

ଏମାନଙ୍କ ପାଶେ ଆଉ ଯେତେ ଗିରି ଅଛି

ଏକ ଏକ କରି କେତେ କହିବା ତା ବାଛି ।

ମେରୁ ପର୍ବତରୁ ଯେତେ ନଦୀ ବହି ଆସେ

ସେ କଥା କହିବା ନୃପ ଶୁଣ ମନତୋଷେ ।

ପୂର୍ବଆଦି ଚାରିଦିଗ ଚାରିକୋଣ ଘୋଟି

ଯେ ଯାହାରେ ନଦୀମାନେ ବହୁଛନ୍ତି ଫୁଟି ।

ସ୍ୱର୍ଗରୁ ସମୁଦ୍ର ଯାଏ ଆସୁଛନ୍ତି ଭେଦି

ସ୍ନାନକଲା ପ୍ରାଣୀଙ୍କର ପାପ ହୁଏ ଛେଦି ।

ଗୋଦାବରୀ ଗନ୍ଧବତୀ ଗନ୍ଧା ତିନିଧାର

ମେରୁ ଅଇଶାନ କୋଣୁ ଏ ତିନି ବାହାର ।

ଅସଂଖ୍ୟକ ଧାରମାନ ଏଥୁ ଅଛି ଫୁଟି

ଶୁଭ ନାମ ଗିରିତଳେ ବହିଯାନ୍ତି ଘୋଟି ।

ଏହି ତିନିଧାରେ ଯେବେ କରିବ ସ୍ନାହାନ

ତକ୍ଷଣେ ଲାଗଇ ଆସି ପୁଷ୍ପକ ବିମାନ ।

ଯେତେ ଜଳରାଶି ଏଥୁ ଆସୁଅଛି ବହି

ଦଧିନାମେ ସମୁଦ୍ରରେ ମିଶଇ ଯେ ଯାଇ ।

ହରିଦ୍ରା ହରିପ୍ରିୟା ହିଁ ସକାନ୍ତି ତ୍ରିଧାର

ମେରୁ ଉତ୍ତର ଭାଗରୁ ହୋଇଛି ବାହାର ।

ତିନିସସ୍ର ଧାରରୂପେ ଧରଣୀରେ ବହି

ଇକ୍ଷୁନାମେ ସମୁଦ୍ରରେ ସମ୍ଭାଉଛି ଯାଇ ।

ସମ୍ଭବା ସାରଦା ସତ୍ୟବତୀ ତିନିଧାର

ବାୟବ୍ୟ କୋଣରୁ ଆସେ ମେରୁ ପର୍ବତର ।

ଅଠାଶୀ ସହସ୍ର ଧାର ଏଥିରୁ ବାହାରି

କନ୍ଦର ପର୍ବତ ତଳେ ଆସୁଛନ୍ତି ଘେରି ।

ଏ ନଦୀରେ ଯେହୁ ସ୍ନାନକରେ ଏକବେଳ

ଗନ୍ଧର୍ବ ଶରୀର ପାଇ ବସେ ସ୍ୱର୍ଗଆଳ ।

ଏଥିରୁ ଯେତେକ ଜଳ ବହି ଆସୁଅଛି

କ୍ଷୀର ନାମେ ସମୁଦ୍ରରେ ପଶି ସମ୍ଭାଉଛି ।

ଚାମୁଣ୍ଡା ଚଣ୍ଡିକା ଚଣ୍ଡଘଣ୍ଟା ତିନିଧାର

ମେରୁର ଦକ୍ଷିଣଭାଗୁଁ ହୋଇଛି ବାହାର ।

ବିନ୍ଧ୍ୟମାନେ ପର୍ବତରୁ ଏ ପଡ଼ନ୍ତି ଗଳି

ଅତ୍ୟନ୍ତ ପ୍ରଖର ବେଗ ନୁହେଁ ପରିକଳି ।

ଏ ନଦୀରେ ସ୍ନାନ ଯେହୁ କରେ ଅବହେଳେ

ବୈକୁଣ୍ଠ ଭୁବନେ ବସେ ବିଷ୍ଣୁଲୋକ ମେଳେ ।

ନବତି ସହସ୍ର ଧାର ଏଥୁ କ୍ଷୁଦ୍ର ନଦୀ

ସୁଗନ୍ଧ ଅମୋଦ ଘେନି ବହେ ଶୂନ୍ୟଭେଦି ।

ଏ ନଦୀରେ ସ୍ନାନ କରୁଥାନ୍ତି ଦେବୀମାନେ

ତେଣୁ ଏ ସୁଗନ୍ଧ ଜଳ ବହେ ଅବିଚ୍ଛିନ୍ନେ ।

ଯେତେ ଜଳ ଏ ନଦୀରେ ସ୍ରୋତେ ବହିଯାଏ

ଘୃତନାମେ ସମୁଦ୍ରରେ ସେସବୁ ସମ୍ଭାଏ ।

କପାଳୀ କୁନ୍ତଳା କାଳରାତ୍ରି ତିନିଧାର

ମେରୁ ଅଇଶାନ୍ୟ କୋଣୁ ହୋଇଛି ବାହାର ।

ବିଶ୍ୱାମିତ୍ର ମୁନି ଏହି ନଦୀକୂଳେ ବସି

କଠୋର ତପସ୍ୟା କରି ହେଲେ ବ୍ରହ୍ମଋଷି ।

ଅସୁରନାଶିନୀ ଏହି ନଦୀ ସ୍ୱରାସୁରୀ

ମହେନ୍ଦ୍ର ପର୍ବତ ତଳେ ଆସୁଅଛି ଘେରି ।

କଣୟ ନାମେ ପର୍ବତ ଏ ନଦୀର ପାଶେ

ବସନ୍ତ ପବନ ଏଥେ ବହେ ବାରମାସେ ।

ଏକାଣୋଇ ସସ୍ରଧାର ଏଥିରୁ ବହଇ

ବିଶ୍ୱାମିତ୍ର ପ୍ରଭାତରୁ ପବିତ୍ର ଅଟଇ ।

ଗଣ୍ଡୁଷେକ ମାତ୍ର ଜଳ ତହିଁରୁ ଯେ ପିଏ

ନିଜ ଦେହ ଘେନି ଶୂନ୍ୟେ ବିଷ୍ଣୁଲୋକ ଯାଏ ।

କହନ୍ତେଣ ନ ସରଇ ଏ ନଦୀ ମହିମା

ପୂର୍ବକାଳେ ଏଥି ତପ କଲେ ବେଦବ୍ରହ୍ମା ।

ଗୋହତ୍ୟା ଖଣ୍ଡନ କରି ମୁକତ ହୋଇଲେ

ବ୍ରହ୍ମପଦ ପାଇ ବ୍ରହ୍ମଲୋକେ ବାସ କଲେ ।

ଏଥିରୁ ଯେତେକ ନଦୀ ହୋଇଛି ବାହାର

ସେ ସବୁ ମିଳନ୍ତେ ଘୃତସମୁଦ୍ର ଭିତର ।

ବ୍ରହ୍ମବୀଣା ବିଜୟା ଯେ ବ୍ରହ୍ମା ତିନିନଦୀ

ମେରୁର ଅନଳ କୋଣୁ ବାହାରନ୍ତି ଭେଦି ।

ମନ୍ଦର ନାମ ପର୍ବତ ଉପରେ ଯେ ପଡ଼ି

ପବନହୁଁ ବେଗେ ଆସି ପଡ଼ିଅଛି ଗଡ଼ି ।

ତେୟାନବେ ସସ୍ରେଧାର ଖଟି ତାଙ୍କ କତି

ଧବଳ ନୀଳ ପିଙ୍ଗଳ ହରିତାଳ ଜ୍ୟୋତି ।

ଗଣ୍ଡୁଷ ପ୍ରମାଣେ ଏଥୁ ପବନ୍ତି ଯେ ଜଳ

ସହସ୍ର କଳପ ଯାଏ ପାନ୍ତି ଯୁବାବଳ ।

ମଧୁବନ ବସନ୍ତ ବହଇ ଘନ ଘନ

ନବସାଜେ ବିଭୂଷିତ ଗହନ କାନନ ।

ଝିଙ୍କାରି ଶୁକ ପିକ କରନ୍ତି କୋଳାହଳ

ସୁସ୍ୱାଦୁ ତଟିନୀ ତହିଁ ବହେ ପୁଣ୍ୟ ଜଳ ।

ଶଙ୍ଖ ଧ୍ୱନି କରିନ୍ତି ମୋହନ୍ତି ସୁରମୁନି

ଶୁଷ୍କତରୁ ପଲ୍ଲବି ଉଠଇ ବାଣୀ ଶୁଣି ।

ଅଗୁରୁ ଚନ୍ଦନ ମହା ସୁରନ୍ଧିତ ବାସ

ସୁଗନ୍ଧ ପରିମଳ କରନ୍ତି ଚଉପାଶ ।

ଆମ୍ୱ ପଣସ ଗୁଆ ହଳଦୀ ନଟିକାଳ

ଦ୍ରାକ୍ଷା ମଧୁକେନ୍ଦୁ ବିଲ୍ୱ ବଦରିକା ଫଳ ।

କଞ୍ଚନ ମାଧବୀ ଯେ ଚାରୁ ଲବଙ୍ଗଲତା

ଜାତୀ ପୃଥ୍ୱୀ ମଲ୍ଲୀ ମାଳତୀ କେତେକ ଲତା ।

ସୁବାସିତ କୁସୁମିତ ତରୁ ଗନ୍ଧଭର

ଚଉପାଶେ ଉଡ଼ନ୍ତି ଯେ ଲୁବ୍‌ଧ ମଧୁକର ।

ହରିଣ ବରାହ ପୁଣି ସିଂହ ବ୍ୟାଘ୍ର ହସ୍ତୀ

କୃଷ୍ଣାଜିନ ବାର୍‌ହା ଗଣ୍ଡା ଆଉ ନାନାପକ୍ଷୀ ।

ଶଶକ ନେପାଳୀମୂଷା ନେଉଳ ପନିଦ

ଜୀବଜନ୍ତୁ ଯେତେ ବିହରନ୍ତି ବହି ମୋଦ ।

ନାନାତରୁ ଶୋଭା ପୁଣି ଜୀବଜନ୍ତୁ ମେଳ

ଦେଖି ହୁଏ ମନ ସଦା ଆନନ୍ଦ ଉଲ୍ଲୋଳ ।

ଏ ବନ ମହିମା ବ୍ରହ୍ମା ବର୍ଣ୍ଣି ତ ନ ପାରି

ଆନକଥା କିସ ଅବା କାହିଁକି ପଚାରି ।

ମନ୍ଦର ପର୍ବତ ଶିରେ ତହୁଁ ଆସି ପଡ଼ି

ପବନହୁଁ ବେଗହୋଇ ତଳେ ଯାନ୍ତି ଗଡ଼ି ।

ତେୟାଣୋଇ ସସ୍ରଧାର ଏଥୁ ବାହାରନ୍ତି

ଧବଳ ପିଙ୍ଗଳ ନୀଳ ହରିତାଳ ଜ୍ୟୋତି ।

ଏ ନଦୀଜଳରେ ସ୍ନାନ ପାନ ଯେ କରନ୍ତି

ସହସ୍ରେ କଳପ ଯାଏ ସ୍ୱର୍ଗରେ ବସନ୍ତି ।

ଏଥିରୁ ଯେତେକ ଜଳ ଆସୁଅଛି ବହି

ଜଳ ସମୁଦ୍ରରେ ତାହା ସମ୍ଭାଉଛି ଯାଇ ।

ପିଙ୍ଗଳା ପବିତ୍ରା ପୂର୍ଣ୍ଣଭାଗା ତିନିଧାର

ମେରୁର ଈଶାନ କୋଣୁ ହୋଇଛି ବାହାର ।

ପଚାଶ ସହସ୍ର ଧାର ଏ ତିନିରୁ ଫୁଟି

ନିସର୍ଗ ପର୍ବତ ତଳେ ଆସୁଛନ୍ତି ଘୋଟି ।

ଏ ନଦୀମାନଙ୍କେ ସ୍ନାନ ଯେ କରଇ ବାରେ

କୁବେର ସମାନେ ଧନ ପାଏ ଇହ ପରେ ।

ଏ ନଦୀରୁ ଜଳରାଶି ବହି ଖରସ୍ରୋତେ

ସୁରନାମେ ସମୁଦ୍ରରେ ମିଳଇ ତ୍ୱରିତେ ।

ଗଙ୍ଗା ଯମୁନା ଯେ ସରସ୍ୱତୀ ତିନିଧାର

ମେରୁ ଫୁଟି ପୂର୍ବଦିଗେ ହୁଅନ୍ତି ବାହାର ।

ପୁଣି ହିମବନ୍ତ ଆଦି କେତେ ଗିରି ଫୁଟି

ବହନ୍ତି ଏ ତିନିନଦୀ ଜମ୍ୱୁଦ୍ୱୀପ ଘୋଟି ।

ପତିତପାବନୀ ନାମ ଅଟଇ ଯାହାର

କେ ବର୍ଣ୍ଣ କହିବ ଅବା ମହିମା ତାହାର ।

କୁଶାଗ୍ରତେ ଗଙ୍ଗାଜଳ ସ୍ପର୍ଶ ହେଲେ ଶିରେ

ଚନ୍ଦ୍ର ସୂର୍ଯ୍ୟ ଥିବାତକ ବସାଇ ସ୍ୱର୍ଗରେ ।

ଗଙ୍ଗାଜଳେ ସ୍ନାନ ଦାନ ଯେବା କରେ ଯାଇ

ବିଷ୍ଣୁଲୋକେ ବସଇ ସେ ଅଜ୍ରାମର ହୋଇ ।

କହନ୍ତେ ନ ସରେ ଗଙ୍ଗାନଦୀର ମହୀମା

ସ୍ନାନ ଦାନେ ପୁଣ୍ୟଫଳ କେ କହିବ ସୀମା ।

ବିଷ୍ଣୁପାଦୋଦକ ତୁଲ୍ୟ ଅଟେ ସେହି ଜଳ

ଯେ ତହିଁରେ ସ୍ନାନ କରେ ତା ଜନ୍ମ ସଫଳ ।

ଏ ତିନି ନଦୀରୁ ଯେତେ ଜଳ ବହିଯାଏ

ଲବଣ ସମୁଦ୍ରେ ପଡ଼ି ପାତାଳକୁ ବହେ ।

ଏ ବିଧିରେ ଚାରିଦିଗେ ଚାରିକୋଣ ଘୋଟି

ଆସୁଛନ୍ତି ନଦୀମାନେ ମେରୁଗିରି ଫୁଟି ।

ଏକକୁ ଆରେକ ନଦୀ ସର୍ବେ ପୁଣ୍ୟମୟ

ସ୍ନାନ କଲେ ପାପରାଶି ହୋଇଥାଏ କ୍ଷୟ ।

କହନ୍ତି ପରୀକ୍ଷ ଆଗେ ଶୁକ ମହାତମା

ଅସଂଖ୍ୟ ଅଟଇ ମେରୁ ପର୍ବତ ମହିମା ।

ସ୍ୱର୍ଗମର୍ତ୍ତ୍ୟ ପାତାଳକୁ ଧାରଣ ସେ ଗିରି

ଭୁର୍ଭୂବଃ ସ୍ୱଃ ଅନ୍ତରୀକ୍ଷ ଲୋକ ଆଦିକରି ।

ସକଳ ବ୍ରହ୍ମାଣ୍ଡ ତହିଁ ଖଟାଇଛ ନେଇ

ଅଷ୍ଟଦିଗେ ଅଷ୍ଟଗିରି ରହିଛି ବେଢ଼ାଇ ।

ସେ ଅଷ୍ଟଗିରିଙ୍କ ଶିରେ ଅଷ୍ଟଦିଗପାଳ

ବସିଣ ପାଳନ୍ତି ସୁଖେ ବ୍ରହ୍ମାଣ୍ଡ ସକଳ ।

ଅନେକ କନ୍ଦର ବନ ଗିରି ମହାଗିରି

ଚାରି ପାରୁଷରେ ଛନ୍ତି ମେରୁକୁ ଆବୋରି ।

ପରୀକ୍ଷ ନୃପତି ଆଗେ ଶୁକ ତପିମଣି

ବିସ୍ତାରି କହିଲେ ମେରୁ ପର୍ବତ କାହାଣୀ ।

ହରିବଂଶ ଆଦ୍ୟଖଣ୍ଡ ଏଥେ ହେଲା ଶେଷ

ନ ଘେନିବ ସାଧୁଜନେ ଥିଲେ ମୋର ଦୋଷ ।

ଅଗ୍ୟମ ଏ ଭାଗବତ ଯେହ୍ନେ ସିନ୍ଧୁଜଳ

ଅନ୍ତକରି କହିବାକୁ ନାହିଁ ସ୍ଥଳ କୂଳ ।

ଶତେ ବରଷରେ ବ୍ରହ୍ମା ନ ପାରିବେ କହି

ମୁଁ ତାହା ଜାଣିବି କାହୁଁ ନରଦେବ ବହି ।

ବେଦବର ନନ୍ଦିନୀ ସାଦରା ଅନୁରାଗେ

ଠିକ ଠିକ କରି କହିଗଲି ଶାସ୍ତ୍ର ଯୋଗେ ।

ପଣ୍ଡିତଜନମାନଙ୍କ ଦାସର ମୁଁ ଦାସ

ଲେଖିଅଛି ମାତ୍ର ମୋର ନାହିଁ ଜ୍ଞାନ ଲେଶ ।

ପ୍ରସନ୍ନେ ସାରଦା ମୋତେ କହିଦ୍ୟନ୍ତି ଯାହା

ଲେଖନ ପତ୍ର ଧରିଣ ଲେଖଇ ମୁଁ ତାହା ।

ପଢ଼ିନାହିଁ ପାଠଶାସ୍ତ୍ର ନାହିଁ ମୋର ଗୁଣ

କେବଳ ପୂର୍ବର ହେତୁ ହୋଇଲା ସ୍ମରଣ ।

ପ୍ରାଣୀଙ୍କର ପାପକ୍ଷୟ ହୋଇବା ନିମନ୍ତେ

ପୁରାଣ ଶ୍ରୀ ଭାଗବତ ଲେଖୁଅଛି ଗୀତେ ।

ପୁଣ୍ୟବନ୍ତ ପ୍ରାଣୀମାନେ ମନ କରି ଥୟ

ଭାଗବତ ଶୁଣି କର ସର୍ବପାପ କ୍ଷୟ ।

ନିର୍ଦ୍ଧନ ଶୁଣିଲେ ହେବ ବହୁ ଧନବନ୍ତା

ଅପୁତ୍ରକ ଅଙ୍ଗୁ ଛାଡ଼ିଯିବ ପୁତ୍ରଚିନ୍ତା ।

ପଢ଼ନ୍ତେ ଶୁଣନ୍ତେ ନର ହୋଇବ ମୁକତ

ଭକ୍ତି ମୁକ୍ତି ଦାୟକ ଏ ଶିରୀ ଭାଗବତ ।

ଶୁଣିବା ମାତ୍ରକେ ପାପ ହୋଇବ ଦହନ

ଦାବାନଳ ଲାଗି ଯେହ୍ନେ ଦଗ୍‌ଧ ହୁଏ ବନ ।

ଇତି ହରିବଂଶ ଆଦ୍ୟପର୍ବର ଚରିତ

କଂସ ଦିଗବିଜେ ନାମ ପୁଣ୍ୟମୟ ଗୀତ ।

କହଇ ଅଚ୍ୟୁତଦାସ ଶ୍ରୀହରି ସୁମରି

ପଢ଼ି ଶୁଣି ସାଧୁଜନେ ଭବୁ ହୁଅ ପାରି ।